18 अप्रैल 2023

ବଦଳୁଛି ପରିବାର ଓ ସମାଜର ରୂପରେଖ

ପୁଅଝିଅଙ୍କର ପାଟି ଫିଟୁ ଫିଟୁ
                                   ଡକାଇଲ 'ଡାଡି', 'ମମି' ।
ଭାଇନା ହଜିଲେ 'ବ୍ରୋ' ଡାକ ତଳେ
                                 'ସିସ୍'  ପାଲଟିଲା ନାନୀ ।।
ଦାଦା, କକା, ମାମୁ, ପିଉସା, ମଉସା,
                                'ଅଙ୍କଲ' ଡାକରେ ଖୁସି।
'ଆଣ୍ଟି'ବୋଲାଇଲେ ସାନମାଆ,ଖୁଡ଼ି
                                ପିଉସୀ, ମାଇଁ, ମାଉସୀ ।।
ଜନମ ଦିନରେ ଷଷ୍ଠୀ ପୂଜା ଗଲା
                                ବନ୍ଦାପନା ଆଉ ନାହିଁ।
ବତି ଲିଭାଇଣ 'କେକ୍' କଟାଇଲ
                               "ହାପି ବାର୍ଥ୍ ଡେ'" କହି ।।
ଆଗରୁ ନଥିଲା ବିବାହ ବାର୍ଷିକୀ
                                ଏବେ 'ଆନିଭରସାରୀ' ।
ମଦ ମାଂସ ବନ୍ଯା ବିଦେଶୀ ବାଜଣା
                                ନୃତ୍ୟ, ସଂଗୀତ ଲହରୀ ।।
 ସ୍ବଦେଶୀ ସଂସ୍କୃତି ହଟାଇ ମଣିଲ
                                ଅପସଂସ୍କୃତିକୁ ଶ୍ରେଷ୍ଠ।
ମାତୃଭାଷା ଛାଡ଼ି ପିଲାଏ ପଢି଼ଲେ
                                ହିଂଗ୍ଲିସ୍ ମାଧ୍ୟମ ପାଠ ।।
ନ କରି ହବନ ସାଜିଲ ଯବନ
                            ଭୁଲି ମନ୍ତ୍ର ପୂଜାପାଠ।
ଫିରିଙ୍ଗି ଠାଣିରେ ଇଂରାଜୀ ବାଣୀରେ
                               ଛାତି କଲ କୁଣ୍ଢେମୋଟ ।।
ଶୁଭ ଅନୁକୂଳେ ଘରୁ ଯିବାବେଳେ
                                ଇଷ୍ଟଦେବଙ୍କ ଦର୍ଶନ।
ଗୁରୁ,ଗୁରୁଜନ ଚରଣ ବନ୍ଦନ
                            ହୋଇଲା ସାତ ସପନ ।।
ପରୀକ୍ଷା ଦେବାକୁ ଯିବା ସମୟରେ
                            'ବେଷ୍ଟ୍ ଅଫ୍ ଲକ୍' କୁହ।
'ହାଲୋ, ହାୟ'କହି ସ୍ୱାଗତ ଜଣାଇ
                            'ବାୟ' ରେ ଦିଅ ବିଦାୟ ।।
ସଫଳତା କିଛି ମିଳିଗଲେ କା'ରେ
                            ପାଳନ ନ କରି ଘରେ ।
'କ୍ୟାଣ୍ଡଲ୍ ଲାଇଟ୍ ପାର୍ଟି' ଦେଉଅଛ
                        ବନ୍ଧୁ ମେଳେ ହୋଟେଲରେ ।।
ସନ୍ତାନ ବିବାହ ପରେ ଦମ୍ପତିଙ୍କ
                            ଦିଅଁ ଦରଶନ ଭୁଲି।
'ହନିମୁନ୍' ପାଇଁ ଆୟୋଜନ କର
                            ଭୁଆସୁଣୀ ଯିବ ବୁଲି ।।
ମାଆ ମୁହଁ ଦେଖି ଛୁଆ ଚିହ୍ନୁଥିଲା
                            ଖାଏ ଯେବେ କ୍ଷୀର ଟାଣି।
ଚେହେରା ଖରାପ ହୋଇଯିବ ବୋଲି
                            ପେଇଲ ବୋତଲୁ ପୁଣି ।।
ଜୀବନ ଆରମ୍ଭୁ ବୋତଲ ଚିହ୍ନିଲା
                            ମାଆ ବଦଳରେ ଆୟା।
ବଡ଼ ହେଉହେଉ ବୋତଲ ଖୋଜିଲା
                            ଭୁଲିଗଲା ବାପାମାଆ।।
କାହିଁକି ଅବା ସେ କା' ପାଦ ଛୁଇଁବ,
                            କିଏ ତା'ର ଆପଣାର?
ଭୁଲି ବାପାମାଆ ନିଜ ପିଲାଛୁଆ
                        ଭାରିଜାକୁ ଘେନି ଘର।।
ବାପାମାଆ ସେବା ଲଜ୍ଜାକର ଅବା
                        କଷ୍ଟକର ମନେକରି।
ବୃଦ୍ଧାଶ୍ରମେ ତାଙ୍କୁ ଛାଡ଼ି ଆସିବାରେ
                        ଦୋଷୀ କେ' ବୁଝ ବିଚାରି ।।
ଇଂରାଜୀ ପଢ଼ିବା ଅପରାଧ ନୁହେଁ,
                        ମାତୃଭାଷା ଆଗେ ପଢ଼ି।
ସ୍ୱଦେଶୀ ଆଚାର-ବିଚାର ଶିଖିଲେ
                        ଆଗକୁ ପାରିବା ବଢ଼ି।।
କୀର୍ତ୍ତିମୁଖ ଭଳି ଆପଣାକୁ ଗିଳି
                        ପରକୁ ନ ଦିଅ ଦୋଷ।
ନିଜ ସଂସ୍କୃତିକୁ ବିସ୍ତାରି ପାରିଲେ
                       ହେବ ସିନା ପଉରୁଷ।।

(କବି - ଅଜ୍ଞାତ)

31 अगस्त 2020

ନେହରୁଙ୍କର ଭୁଲ୍‌କୁ ଦେଶ ସେଵେଠୁ ଭୋଗି ଆସୁଛି !


୧- ନେପାଳ ଆଜି ଭାରତର ଏକ ଅଂଶ ହୋଇଥାନ୍ତା:

୧୯୫୧ରେ ନେପାଳର ତତ୍କାଳୀନ ମହାରାଜା "ତ୍ରିଭୁବନ", ନେପାଳକୁ ଭାରତରେ ବିଲୟ ପାଇଁ ନେହେରୁଙ୍କୁ କହିଥିଲେ। କିନ୍ତୁ ଦେଶର ଦୁର୍ଭାଗ୍ୟ ଯେ ତାହାକୁ ନେହରୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଆଉ ଆଜି ନେପାଳ, ଚୀନ୍‌ର ହାତବାରିସି ସାଜିଛି। 
(ସୌଜନ୍ୟ: Rediff News & The Hindu)

୨- ବେଲୁଚିସ୍ତାନ ଆଜି ଭାରତର ଅଂଶ ହୋଇଥାନ୍ତା:
୧୯୪୮ରେ ବେଲୁଚିସ୍ତାନର ନବାବ ଖାନ ବେଲୁଚିସ୍ତାନର ବିଲୟ ନିଃସର୍ତ୍ତରେ ଭାରତ ସହିତ କରିବା ପାଇଁ ନିଜର ସର୍ମଥନ ପତ୍ର ପଠାଇ ଥିଲେ। ଦୁର୍ଭାଗ୍ୟ, ନେହେରୁ ପ୍ରତ୍ୟାଖ୍ୟାନ କଲେ ଓ ପାକିସ୍ତାନ ଜବରଦସ୍ତି ବେଲୁଚିସ୍ତାନକୁ ନିଜ କବ୍‌ଜାକୁ ନେଇଗଲା। ଭାରତର ଉତ୍ତର ସୀମାନ୍ତ ଅସମତଳ ପାହାଡ ପର୍ବତରେ ଘେରି ହୋଇଛି। ଯେଉଁଠି ପ୍ରତିରକ୍ଷାରେ ଭାରତର ଅନେକ ବ୍ୟୟ ହେଉଛି। କିନ୍ତୁ PoK ଏକ ସମତଳ ସ୍ଥାନ, ଯାହା ଆଜି ଏକ ପ୍ରକାର ଚୀନ୍ କବ୍‌ଜାରେ। (ସୌଜନ୍ୟ: Dailymail England)

୩- ପାକିସ୍ତାନର ଗ୍ୱାଦର ବନ୍ଦର ଆଜି ଭାରତରେ ଥାଆନ୍ତା:
ଓମାନ 1947 ରେ ଗ୍ବାଦର ବନ୍ଦର ଭାରତକୁ ଦେବା ପାଇଁ ପ୍ରସ୍ତାବ ଦେଇଥିଲା; କିନ୍ତୁ ନେହେରୁ ମନା କରି ଦେବାରୁ
ପରେ ଓମାନ, ଗ୍ୱାଦର ବନ୍ଦର ପାକିସ୍ତାନକୁ ବିକିଦେଲା। ଯାହାକୁ ପାକିସ୍ତାନ ଆଜି ଭାରତର ଶତୃ ଚୀନ୍ ହାତରେ ଟେକି ଦେଇଛି। ସେଠାରେ ଚୀନ୍ ତା’ର ନୌବାହିନୀ ମୁତୟନ କରିଛି; ଯାହା ଭାରତ ପାଇଁ ଏକ ବଡ ବିପଦ। (ସୌଜନ୍ୟ: Daily News)
 
୪- ଭାରତର କୋକୋ ଦ୍ବୀପ ଯାହା ଚୀନ୍ ପାଖରେ:
୧୯୫୦ରେ ନେହେରୁ କୋଲକାତା ପାଖରେ ଥିବା କୋକୋ ଦ୍ୱୀପ ସମୂହ ଯାହା ଆଣ୍ଡାମାନର ଏକ ଅଂଶ ଥିଲା, ତାକୁ ବର୍ମାକୁ ଦାନ କରି ଦେଇଥିଲେ। ଯାହାକୁ ପରେ ବର୍ମା ଚୀନ୍‌କୁ ଦାନ କରିଦେଲା। ଯେଉଁଠାରୁ ଚୀନ୍ ଭାରତର ନୌବାହିନୀ ଉପରେ ନଜର ରଖିଛି ଓ ନିଜର ସାମରିକ ଘାଟି ହାୱାଇ ପଟି ତିଆରି କରିଛି। ଯାହାଦ୍ବାରା ଭାରତର ପ୍ରତିରକ୍ଷା ଆଜି ବିପଦରେ। (ଗୁଗଲ ମ୍ୟାପ୍‌ ଦ୍ରଷ୍ଟବ୍ୟ)0

୫- କାବୁ ହ୍ବେଲି ଯାହା ନେହେରୁ ପାଇଁ ଭାରତରୁ ଅଲଗା ହୋଇ ଆଜି ମିୟାମାରର:
୧୯୫୪ରେ ମଣିପୁରର କାବୁ ହ୍ବେଲିକୁ ପାର୍ଲାମେଣ୍ଟ ଓ ମଣିପୁରବାସୀଙ୍କ ବିରୋଧ ସତ୍ତ୍ଵେ ମିୟାମାର (ତତ୍କାଳୀନ ବର୍ମା)କୁ ଦାନ କରି ଦେଇଥିଲେ। ଏକ ସମୟରେ ଏହା କାଶ୍ମୀର ଭଳି ସୁନ୍ଦର ୧୧୦୦୦ ବର୍ଗ କିଲୋମିଟର ଅଞ୍ଚଳ Jewel of Manipur  ନାମରେ ପ୍ରସିଦ୍ଧ ଥିଲା। ଦୁର୍ଭାଗ୍ୟ ତାହାକୁ ଆମେ ନେହେରୁଙ୍କ ପାଇଁ ହରାଇ ସାରିଛୁ।

୬- ଯଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ ଥାନ୍ତେ, ନେହରୁଙ୍କ ପାଇଁ ହାଇଦ୍ରାବାଦ୍ ଆଜି ଦକ୍ଷିଣ ପାକିସ୍ତାନ ହୋଇଥାଆନ୍ତା। ହାଇଦ୍ରାବାଦର ନିଜାମ ହାଇଦ୍ରାବାଦକୁ ପାକିସ୍ତାନ ସହିତ ମିଶାଇବାକୁ ଚାହୁଁଥିଲେ।ପଟେଲ ଜବରଦସ୍ତି ଭାରତ ସହିତ ମିଶାଇ ବାକୁ ଚାହୁଁଥିଲେ, ନେହରୁ ରାଜି ନଥିଲେ। ନେହେରୁଙ୍କ ବିଦେଶ ଯାତ୍ରା ସମୟରେ, ପଟେଲ ନେହେରୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସେନାର ପୋଲୋ ମିସନ୍ (ହାଇଦ୍ରାବାଦ ମୁକ୍ତି ସଂଗ୍ରାମ) ନାମରେ ଚଢାଉ କରି ୧୩ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦକୁ ଭାରତରେ ମିଶାଇ ଦେଇଥିଲେ। ସେହି ସମୟରେ ନେହରୁ ବିମାନରେ ବିଦେଶ ଗସ୍ତରୁ ଫେରୁଥିଲେ। ଯଦି ସେ ପହଞ୍ଚି ଯାଇଥାନ୍ତେ, ହାଇଦ୍ରାବାଦର ବିଲୟ ଭାରତ ସହିତ ଅସମ୍ଭବ ହୋଇଥାନ୍ତା। ସେଥିପାଇଁ ପଟେଲ ପ୍ରଥମେ ନେହରୁଙ୍କର ବିମାନ ଅବତରଣ ନ କରାଇବା ପାଇଁ ଆଦେଶ ଦେଲେ। ନିଜାମ ବିଲୟ ପାଇଁ ହସ୍ତାକ୍ଷର କଲେ, ତତ୍ପରେ ନେହରୁଙ୍କର ବିମାନକୁ ଅବତରଣ କରାଗଲା। ପଟେଲ, ନେହେରୁଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଲେ ଏବଂ କହିଲେ, "ହାଇଦ୍ରାବାଦ, ଭାରତରେ ବିଲୟ ହୋଇଗଲା" ଯାହା ଶୁଣି ନେହରୁ ଫୋନକୁ ସେଇଠି ହିଁ ଫୋପାଡି ଦେଇଥିଲେ। ଏହାପରେ ତିକ୍ତତା ଏଭଳି ବଢି ଯାଇଥିଲା ଯେ, ନେହେରୁଙ୍କ ନିର୍ଦ୍ଦେଶରେ ପଟେଲଙ୍କର ଅନ୍ତ୍ୟେଷ୍ଟିରେ କୌଣସି କଂଗ୍ରେସ ନେତା ଉପସ୍ଥିତ ହୋଇନଥିଲେ।
    ଏକକ ଭାରତ ଗଢିବାରେ ପଟେଲଙ୍କର ଅତୁଳନୀୟ ଅବଦାନ ରହିଛି। ନହେଲେ ଆଜି ହୁଏତ ଭାରତରେ ହାଇଦ୍ରାବାଦ ଭଳି କେତେ ମିନି ପାକିସ୍ତାନ ଥାନ୍ତା ଓ ନିତି ଭାରତରେ ରକ୍ତର ହୋଲି କାଶ୍ମୀର ଭଳି ଖେଳା ଯାଉଥାଆନ୍ତା। ଦୁର୍ଭାଗ୍ୟ ଭାରତର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସ୍ଥାନରେ ପଟେଲ ହୋଇ ପାରିଲେନି, କେବଳ ଗାନ୍ଧୀଙ୍କର ନେହେରୁଙ୍କ ସହିତ ଆତ୍ମୀୟତା ଓ ଘନିଷ୍ଠତା ପାଇଁ। ଆଉ ଆଜି ସ୍ୱାଧୀନତାର ୭୦ ବର୍ଷ ପରେ ମୋଦି ସରକାର ଲୌହମାନବଙ୍କୁ ଉଚିତ ସମ୍ମାନ ଦେଇ ଭାରତରତ୍ନରେ ସମ୍ମାନିତ କରାଇଛନ୍ତି।

୭- ଆଜି ଭାରତ ଚୀନ୍ ସ୍ଥାନରେ UNର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଥାଆନ୍ତା:
୧୯୫୦ରେ ଆମେରିକା ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଅର୍ପଣ କରିଥିଲା। କିନ୍ତୁ ନେହେରୁ ଭାରତ ବଦଳରେ ଚୀନ୍‌କୁ ସୁରକ୍ଷା ପରିଷଦରେ ନେବା ପାଇଁ କହିଥିଲେ। ଆମେରିକା ଓ ଋଷିଆ ୧୯୫୫ରେ ଆଉ ଥରେ ନେହେରୁଙ୍କୁ ଭାରତକୁ ସୁରକ୍ଷା ପରିଷଦ ସଦସ୍ୟ ପାଇଁ କହିଲେ । କିନ୍ତୁ ଦେଶର ଦୁର୍ଭାଗ୍ୟ, ନେହରୁ ଦ୍ବିତୀୟ ଥର ମଧ୍ୟ ପ୍ରତ୍ୟାଖ୍ୟାନ କଲେ। ଆଜି ଚୀନ୍ ସୁରକ୍ଷା ପରିଷଦରେ ରହି ଭାରତର ବହୁ ପ୍ରସ୍ତାବ ଖାରଜ କରି ଚାଲିଛି। ଏମିତିକି ଭାରତର ମୋଷ୍ଟ ୱାଣ୍ଟେଡ ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଭାରତର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ତାକୁ ବଞ୍ଚାଉଛି। (ସୌଜନ୍ୟ: WashingtonPost)

୮- ସରକାରୀ ବିମାନର ଦୁରୁପଯୋଗ:
ଥରେ ନେହରୁ ଭୋପାଳ ଯାଇଥିଲେ। ରାଜଭବନରେ ଜଣାପଡିଲା କି ନେହରୁଙ୍କର ଫେବରାଇଟ ବ୍ରାଣ୍ଡ ୫୫୫ ସିଗାରେଟ୍ ଭୋପାଳରେ ମିଳୁନି। ତା’ପରେ ଭୋପାଳରୁ ଇନ୍ଦୋର ଏକ ବିଶେଷ ବିମାନ ପଠାଗଲା। ପୂର୍ବରୁ ଇନ୍ଦୋର ବିମାନ ବନ୍ଦର ପର୍ଯ୍ୟନ୍ତ ସିଗାରେଟ୍ ଅଣା ଯାଇଥିଲା। ସେହି ସିଗାରେଟକୁ ଉକ୍ତ ବିମାନ ଯୋଗେ ଇନ୍ଦୋରରୁ ଭୋପାଳ ଅଣାଯାଇଥିଲା। ଏହି ଘଟଣା ମଧ୍ୟପ୍ରଦେଶ ରାଜଭବନ ୱେବ୍‌ସାଇଟରେ ଅଛି। (ସୌଜନ୍ୟ: Dainik Bhaskar)

୯- ବିଦେଶ ନୀତିରେ ମୁସଲିମ ତୁଷ୍ଟୀକରଣର ରାଜନୀତି:
ମହାନ ବିଜ୍ଞାନୀ ଆଇନଷ୍ଟାଇନ ପଣ୍ଡିତ ନେହରୁଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଜିୟୁ ଲୋକଙ୍କର ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଆଲୋକପାତ କରି ସ୍ୱତନ୍ତ୍ର ରାଷ୍ଟ୍ର ପାଇଁ ଇସ୍ରାଏଲକୁ ସମର୍ଥନ କରିବାକୁ କହିଥିଲେ। କିନ୍ତୁ ମୁସଲମାନଙ୍କୁ ସର୍ମଥନ ପାଇଁ ନେହେରୁ ଚିଠିର ଉତ୍ତର ଦେଇ ନଥିଲେ। ପରେ ଚିଠିର ଉତ୍ତର ଦେଇ ସ୍ୱତନ୍ତ୍ର ଇସ୍ରାଏଲ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ UNରେ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ତୁଷ୍ଟୀକରଣ ରାଜନୀତିରେ ଇସ୍ରାଏଲ ଭଳି ମିତ୍ର ରାଷ୍ଟ୍ରକୁ ଭାରତ ହରାଇଥିଲା। ଏହାଦ୍ୱାରା ଇସ୍ରାଏଲ ଠାରୁ ମିଲିଟାରୀ ଓ କୃଷିତନ୍ତ୍ର ଜ୍ଞାନ ପାଇବାରୁ ବଞ୍ଚିତ ହେଲା। କିନ୍ତୁ ଇତିହାସ ସାକ୍ଷୀ ଅଛି, ପ୍ରତ୍ୟେକଟି ବିପଦରେ ଇସ୍ରାଏଲ ଭାରତ ସହିତ ଠିଆ ହୋଇଛି। (ସୌଜନ୍ୟ: Indian Express & The Guardian)

୧୦- ପବିତ୍ର ହିନ୍ଦୁ ତୀର୍ଥସ୍ଥାନ କୈଳାସ ମାନସରୋବର ହରାଇବା:
୧୯୬୨ରେ ଚୀନ୍‌ଠାରୁ ଭାରତର ପରାଜୟର କାରଣ ତର୍ଜମା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ସମିତି ଯେଉଁଥିରେ ଲେଫ୍ଟନେଣ୍ଟ ଜେନେରାଲ ହେଣ୍ଡରସନ୍ ବ୍ରୁକ୍ସ ଓ ମିଲିଟାରୀ କମାଣ୍ଡର ବ୍ରିଗେଡିୟର ପି.ଏସ୍. ଭଗତ ଥିଲେ। ଭାରତର ପରାଜୟ ପାଇଁ ନେହରୁ ଓ ତାଙ୍କର ନୀତିକୁ ହାରିବାର ମୁଖ୍ୟ କାରଣ ବୋଲି  କହିଲେ। ଯୁଦ୍ଧ ହାରିବା ଦ୍ବାରା  ଭାରତର ୧୪୦୦୦ ବର୍ଗ କିଲୋମିଟର ଅଞ୍ଚଳ ଚୀନ୍ ହାତକୁ ଚାଲିଗଲା। ଏହା ସହିତ କୈଳାସ ପର୍ବତ, ମାନସରୋବର ଓ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହୁ ଜାଗା ଚୀନ୍ ହାତକୁ ଚାଲିଗଲା। ନେହେରୁ ଏହାର ଜବାବ ଦେଇ କହିଥିଲେ, ସେହି ପ୍ରଦେଶ ଭାରତ ପାଇଁ କୌଣସି ଗୁରୁତ୍ୱ ରଖେନା। କାହିଁକିନା ସେଠି ଘାସ ବି କଅଁଳେ ନାହିଁ।                (ସୌଜନ୍ୟ: Zee News & Jagran)

୧୧- ଭାରତ ନ୍ୟୁକ୍ଲିୟର ସପ୍ଲାୟର ଗ୍ରୁପ୍ (NSG)ର ସଦସ୍ୟ ଥାଆନ୍ତା:
ଭାରତର  ସ୍ୱାଧୀନତା ପରେ ଆମେରିକା ରାଷ୍ଟ୍ରପତି କେନେଡି, ଭାରତକୁ ଆଣବିକ ପରୀକ୍ଷଣ ପାଇଁ ସାହାଯ୍ୟର ପ୍ରସ୍ତାବ ଦେଇଥିଲେ। କିନ୍ତୁ ନେହରୁ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଯଦି ଭାରତ ପ୍ରସ୍ତାବ ସ୍ୱୀକାର କରି ନେଇଥାଆନ୍ତା, ତେବେ ଭାରତ, ଏସିଆର ପ୍ରଥମ ଆଣବିକ କ୍ଷମତା ସମ୍ପନ୍ନ ଦେଶ ହୋଇଥାନ୍ତା। ଏହା ସହିତ ଭାରତ NSGର ସଦସ୍ୟତା ପାଇ ଯାଇଥାନ୍ତା। ଆଜି ୭୦ ବର୍ଷ ପରେ ବି ଚୀନ୍ ବିରୋଧ ସତ୍ତ୍ଵେ ଆମକୁ ପ୍ରତି ଦେଶ ବୁଲି NSGର ସଦସ୍ୟତା ପାଇଁ ସମର୍ଥନ ଭିକ୍ଷା କରିବାକୁ ପଡି ନ ଥାଆନ୍ତା। (ସୌଜନ୍ୟ: NDTV & Zee News)

୧୨- କାଶ୍ମୀର ସମସ୍ୟା ଓ ଧାରା 370:
ଅକ୍ଟୋବର ୧୯୪୭ରେ ପାକିସ୍ତାନୀ ଦୁର୍ଦ୍ଦର୍ଷ କୱାଲି ଓ ସେନା କାଶ୍ମୀର ଉପରେ ଆକ୍ରମଣ କଲେ। ସର୍ଦାର ପଟେଲ, କାଶ୍ମୀରର ମହାରାଜାଙ୍କୁ ସାହାଯ୍ୟ ବଦଳରେ କାଶ୍ମୀରକୁ ଭାରତରେ ବିଲୟ ସର୍ତ୍ତରେ ଭାରତୀୟ ସେନା ପଠେଇଲେ। ଯେତେବେଳେ ଭାରତର ସେନା ପାକିସ୍ତାନ ସେନାକୁ ହରାଇ ଆଗକୁ ବଢି ଚାଲିଥିଲା, ନେହରୁ ରେଡିଓରେ ଯୁଦ୍ଧ ବିରାମ ଘୋଷଣା କରି ସେନା ଫେରାଇ ଆଣିଲେ ଏବଂ ରେଡିଓରେ କହିଲେ, "ଏଣିକି UN, କାଶ୍ମୀର ସମସ୍ୟାର ସମାଧାନ କରିବ...!" ଏହି କାରଣରୁ କାଶ୍ମୀରର ତିନି ଭାଗରୁ ଏକ ଭାଗ (PoK) ପାକିସ୍ତାନରେ ରହିଗଲା। ଏହାପରେ ନେହରୁ ଫାରୁକ ଅବଦୁଲାଙ୍କ ବାପା ଶେଖ୍ ଅବଦୁଲାଙ୍କ  କଥାରେ, ସମ୍ବିଧାନରେ ଧାରା ୩୭୦ ଯୋଡି ଦେଇଥିଲେ। ଯାହାର କୌଣସି ଆବଶ୍ୟକତା ହିଁ ନଥିଲା। କାରଣ ସେତେବେଳକୁ କାଶ୍ମୀର ଭାରତର ଏକ ଅଙ୍ଗ ହୋଇ ସାରିଥିଲା। ୩୭୦ ଲାଗୁ ହେବା ଦ୍ୱାରା କାଶ୍ମୀର ପାଇଁ ଅଲଗା ସମ୍ବିଧାନ ଲାଗୁ ହେଲା। ଏହାଦ୍ୱାରା ଭାରତର ମୂଳ ଭୂଖଣ୍ଡର ଲୋକଙ୍କୁ କାଶ୍ମୀର ଯିବା ପାଇଁ ପରମିଟ୍ ଆବଶ୍ୟକ ହେଲା। ଭାରତର ଲୋକେ କାଶ୍ମୀରରେ ସମ୍ପତ୍ତି କିଣି ପାରିଲେ ନାହିଁ। (ସୌଜନ୍ୟ: Rediff News & Frontline)

ଆମେ ବ୍ୟକ୍ତିଗତ ଭାବେ କୌଣସି ଜାଗାଟିଏ ଦାନ କରୁନୁ, ଯେତେ ଖରାପ ଜାଗା ହୋଇଥାଉ ନା କାହିଁକି। ହେଲେ ନେହେରୁ ଦେଶର ହଜାର ହଜାର ବର୍ଗ କିଲୋମିଟର ଅଞ୍ଚଳ ଦାନ କରିଦେଲେ; ଯାହା ଆଜି ଭାରତର ସୁରକ୍ଷାକୁ ବିପନ୍ନ କରୁଛି। ଦର୍ଶାଯାଇଥିବା ପ୍ରତ୍ୟେକଟି ନିଷ୍ପତ୍ତି ଥିଲା ତାଙ୍କର ଦେଶ ବିରୋଧୀ। ତଥାପି ସେ ନିଜ ପ୍ରଧାନମନ୍ତ୍ରୀତ୍ବରେ ହିଁ "ଭାରତରତ୍ନ" ନେଇଗଲେ।

ଆପଣ ଜଣେ ଦେଶପ୍ରେମୀ ଭାବରେ ବିଚାର କରନ୍ତୁ।

ସଂଗ୍ରାହକ: ବିମଳ ପ୍ରସାଦ, ୯୭୭୮୯୯୫୮୮୨

12 अप्रैल 2020

କେମିତି ହେବ କରୋନାକାଳୀନ ଯାତ୍ରୀ ପରିବହନ

ଭୁବନେଶ୍ୱର, /୪: ଲକ୍‌ଡାଉନ୍‌ ଅବଧି ସରିବାର ତାରିଖ ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ସେତିକି ଉତ୍ସୁକତା ବଢିବାରେ ଲାଗିଛି। ଲକ୍‌ଡାଉନ୍‌ ଅବଧି ସଂପ୍ରସାରିତ ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଥମେ ସୂଚନା ଦେଇଥିଲେ ମଧ୍ୟ ଏବେ କେତେକ ଗଣମାଧ୍ୟମ ଓ ବିଶେଷଜ୍ଞ ସଂସ୍ଥା ଲକ୍‌ଡାଉନ୍‌କୁ ଲମ୍ବାଇବା ପାଇଁ ଚାପ ପକାଇଲେଣି। ତେଣୁ ସପ୍ତାହଟେ ପାଇଁ ଲକ୍‌ଡାଉନ୍‌ କୋହଳ କରି ପୂଣି କଠୋର ଭାବେ ଲାଗୁ କରିବାର ସମ୍ଭାବନା ଦିଶିଲାଣି। ଜଳ ସ୍ଥଳ ଓ ଆକାଶ ପଥରେ ଯାତ୍ରୀପରିବହନ ଉପରେ କଟକଣା ଲାଗୁହେବା ନିଶ୍ଚିତ। ଯାତ୍ରୀ ପରିବହନ ଦ୍ୱାରା ହିଁ ସମାଜର ଅଧା ଜୀବନଯାତ୍ରା ଚଳଚଞ୍ଚଳ ହୋଇଥାଏ। ତେବେ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନା ଚୂଡାନ୍ତ ହୋଇ ନଥିବାରୁ ଯାତ୍ରୀ ପରିବହନର ରୂପରେଖ ଜଣାପଡୁନାହିଁ। ତାହା ସଙ୍ଗେ ବିଭିନ୍ନ ଅନୁଷ୍ଠାନ, ଦପ୍ତର ଓ ବଜାର ଚାଲୁ ହେବା ଦ୍ୱାରା ଜୀବନଯାତ୍ରା ସ୍ୱାଭାବିକ ହୋଇଥାଏ। କୋଭିଡ୍‌-୧୯ ଭୂତାଣୁ ସ୍ପର୍ଶବାହିତ ହୋଇଥିବା ବେଳେ ଏହାର ଔଷଧୀୟ ପ୍ରତିଷେଧକ ବା ଔଷଧ ନାହିଁ। ତେଣୁ ଏହା କେବଳ ଏକ  ବିଶ୍ୱମହାମାରୀ ନୁହେଁ ବରଂ ବିଶ୍ୱର ଏକ ଜୈବିକ ଆତଙ୍କ ପାଲଟିଛି।

ଭାରତରେ ଲକ୍‌ଡାଉନ୍‌ ପ୍ରତ୍ୟାହାର ପରେ ଯାତ୍ରୀ ପରିବହନରେ ଯେଉଁ କଟକଣା ଲାଗୁ ହେବ ତାହା ବେଶ୍‌ ଅନୁମିତ। ଭାରତୀୟ ରେଳବାଇ ଏକ ପ୍ରମୁଖ ଯାତ୍ରୀପରିବହନ ବ୍ୟବସ୍ଥା ହୋଇଥିବା ବେଳେ ସବାରି ଗାଡ଼ି ବା ପାସେଞ୍ଜର ଟ୍ରେନ୍‌ ପ୍ରଚଳନକୁ ଅନୁମତି ମିଳି ନପାରେ। ସେଇ ଗାଡ଼ିଗୁଡ଼ିକରେ ମାତ୍ରାଧିକ ଭିଡ଼ ହେଉଥିବାରୁ ମାତ୍ରାଧିକ ସଂସ୍ପର୍ଶର କାରଣ ପାଲଟିଥାଏ। ସେହିଭଳି ଏକ୍ସପ୍ରେସ୍‌, ସୁପରଫାଷ୍ଟ, ଇଣ୍ଟରସିଟି ପ୍ରଭୃତି ଗାଡ଼ିର ଅଣଆରକ୍ଷିତ ଡବାରେ ଯାତ୍ରା ଉପରେ କଟକଣା ସୁନିଶ୍ଚିତ। ତେବେ ଏହା ଦ୍ୱାରା ନାଗରିକର ଅଧିକାର କ୍ଷୁନ୍ନ ହେଉଛି ଏବଂ ମାନବାଧିକାର ଉଲ୍ଲଘଂନ ହେଉଛି ବୋଲି ସାଧାରଣ ଲୋକେ ସ୍ୱର ଉଠାଇପାରନ୍ତି। ତେଣୁ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନାରେ ସ୍ପଷ୍ଟ ସର୍ତ୍ତ ଉଲ୍ଲେଖ କରାଯାଇପାରେ ଏବଂ ଏହା ସହ ବ୍ୟବସ୍ଥାଗତ ପରିବର୍ତ୍ତନ ଅଣାଯାଇପାରେ। ଯେମିତିକି ଜନଶତାବ୍ଦୀ ଗାଡ଼ିର ସବୁ ଆସନ ସଂରକ୍ଷିତ ବର୍ଗରସେମିତି ସବୁ କିସମ ଯାତ୍ରୀବାହୀ ରେଳଗାଡ଼ିର ସମସ୍ତ ଆସନ ଆରକ୍ଷିତ ରହିବ। କରୋନା ଭଳି ବିଶ୍ୱମହାମାରୀରେ ସଂସ୍ପର୍ଶ ଠାବ କରିବା ଗୁରୁତ୍ୱପୂର୍ଣ ହୋଇଥିବାରୁ ଯିଏ ଯେଉଁ ଶ୍ରେଣୀରେ ଯାତ୍ରା କଲେ ସୁଦ୍ଧା ସମସ୍ତ ଯାତ୍ରୀଙ୍କର ନାମ, ଠିକଣା, ବୟସ, ଲିଙ୍ଗ, ମୋବାଇଲ ନମ୍ବର ରେଳବାଇ ସର୍ଭରରେ ରହିବ। ଏଥିପାଇଁ କେବଳ କାଉଣ୍ଟର ଉପରେ ନିର୍ଭରଶୀଳ ଜନତାଙ୍କ ପାଇଁ ସଫ୍ଟୱେରରେ ପରିବର୍ତ୍ତନ କରିବାକୁ ପଡ଼ିବ। ମୋବାଇଲ ଆପ୍‌ ପୂର୍ବରୁ ପ୍ରଚଳିତ ରହିଥିବାରୁ ରେଳଯାତ୍ରୀମାନଙ୍କ ଦ୍ୱାରା ତାହାର ବ୍ୟାପକ ବ୍ୟବହାର ପାଇଁ ସରକାର ଆଗୁଆ ଘୋଷଣା କରିବା ଆବଶ୍ୟକ। କାଉଣ୍ଟରରେ ଟିକଟ କାଟିବା ପାଇଁ ନୂଆ ସ୍ପଷ୍ଟ ଫର୍ମ ପ୍ରଚଳନ କରିବାକୁ ହେବ।

ସଡ଼କ ପରିବହନ କ୍ଷେତ୍ରରେ କେବଳ ଯାତ୍ରୀଗାଡ଼ିରେ ଯାତ୍ରୀପରିବହନକୁ କଡ଼ାକଡ଼ି କରାଯିବ। ବ୍ୟକ୍ତିଗତ ଗାଡ଼ିରେ ନିଜ ପରିବାର ବା ଜ୍ଞାତ ସଦସ୍ୟ ଯାତ୍ରା କରିପାରିବେ। ସର୍ବସାଧାରଣ ପରିବହନ ସାଧନ ଯେମିତିକି ବସ୍‌, ସିଟିବସ୍‌ ଇତ୍ୟାଦିରେ ଯେତିକି ଆସନ ଅଛି, କେବଳ ସେତିକି ଯାତ୍ରୀ ଯାତ୍ରା କରିବାର ଅନୁମତି ରହିବ। ଗାଡ଼ିରେ ଉଠିବା ପୂର୍ବରୁ ସମସ୍ତେ ସାବୁନ୍‌ରେ ହାତ ଧୋଇବେ ବା ହସ୍ତପ୍ରକ୍ଷାଳକ ବ୍ୟବହାର କରିବେ। କଣ୍ଡକ୍ଟର, ହେଲ୍‌ପର, ଏପରିକି ଡ୍ରାଇଭରଙ୍କୁ ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ଭଳି କୌଣସି ବେମାରି ନଥିବ। ଗାଡ଼ିର ଏହି ଷ୍ଟାଫ୍‌ମାନେ  ଗ୍ଲୋଭ୍‌ସ୍‌ ଓ ମାସ୍କ ବ୍ୟବହାର କରିବେ। କଣ୍ଡକ୍ଟର କେବଳ ଭଡ଼ା ଆଦାୟ ନକରି ଟିକଟ ମଧ୍ୟ ଦେବେ ଏବଂ ତହିଁର କାର୍ବନ କପି ରଖିବେ, ଯେଉଁଥିରେ ପ୍ରତି ଯାତ୍ରୀଙ୍କର ମୋବାଇଲ ନମ୍ବର ଉଲ୍ଲେଖ ରହିଥିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପକ ଥିବ, ସେହି ଅଞ୍ଚଳକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକର ଯାତ୍ରୀମାନଙ୍କୁ ଠାବ କରାଯାଇପାରିବ। ଏହି ସବୁ କଟକଣାଗୁଡ଼ିକୁ ଅନୁପାଳନ ଜନିତ ସହଯୋଗ ପାଇଁ ଘରୋଇ ବସ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବାକୁ ହେବ। ସେହିଭଳି ଟ୍ରକ୍‌ମାଲିକ ସଂଘ ମଧ୍ୟ ପ୍ରତିଶ୍ରୁତି ଦେବେ ଯେ ସେମାନେ ଯାତ୍ରୀ ପରିବହନ କରିବେ ନାହିଁ। ଅନୁମୋଦିତ ରାସ୍ତାକଡ଼ ହୋଟେଲ ଓ ଢାବାଗୁଡ଼ିକ ହିଁ କେବଳ ଖୋଲା ରହିବ। କ୍ୟାବ୍‌ ଚାଳକ ଓ ଅଟୋରିକ୍ସା ଚାଳକମାନଙ୍କ ପାଇଁ ମଧ୍ୟ ମାସ୍କ, ଗ୍ଲୋଭ୍‌ସ୍‌ ଓ ହସ୍ତପ୍ରକ୍ଷାଳନ କଟକଣା ଲାଗୁ ହେବ। କାଶ ଛିଙ୍କରେ ଆକ୍ରାନ୍ତ କୌଣସି ନାଗରିକ ସର୍ବସାଧାରଣ ଯାନରେ ଯାତ୍ରା ନକରିବାକୁ କଟକଣା ରହିବ।

ବିମାନ ଯାତ୍ରାରେ ଯେମିତି କୋଭିଡ୍‌-୧୯ ସଂକ୍ରମଣର ଭୟ ରହିଛି, ସେହି ଭୟ ସହଜରେ ଦୂର ହେବ ନାହିଁ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ନିଜେ କଟକଣା ଜାରି କରିବା ସହ ସରକାରଙ୍କ କଟକଣା ଓ ବିଧିବିଧାନ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ରଖିବ। କେଉଁଠି କ’ଣ ତଥ୍ୟ ରହିବ ଏବଂ କେମିତି ଯାଞ୍ଚ ତନଖି ଓ ନିଦାନ ଆଦି ହେବ ତାହାର ବ୍ୟବସ୍ଥା ବିମାନବନ୍ଦରରେ ବିକାଶ କରିବାକୁ ହେବ। ଯାତ୍ରୀମାନଙ୍କର ଏକ ସମନ୍ୱିତ ଡାଟାବେସ୍‌ ଯେଭଳି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସର୍ଭରରେ ରହିବ, ତାହା ସୁନିଶ୍ଚିତ କରିବାକୁ ହେବ। ବିମାନ ସଂସ୍ଥା କୌଣସି ପୂର୍ବ ବ୍ୟବହୃତ ରୁମାଲ, ତୌଲିଆ ଆଦି ଯାତ୍ରୀଙ୍କୁ ଦେବାର ପରମ୍ପରା ଭାଙ୍ଗିବ। ସବୁ ଯାତ୍ରୀ ନିଜ ମୁହଁ ହାତ ପୋଛିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରିବେ। ସେଇ ଅନୁସାରେ ହୁଏତ ଉଚ୍ଚଶ୍ରେଣୀର ଯାତ୍ରାଭଡ଼ା ସଂଶୋଧିତ ହୋଇପାରେ। ବିମାନ ଉଡୁଥିବା ବେଳେ ବିମାନ ଭିତରର ତାପମାତ୍ରା ସର୍ବନିମ୍ନ କେତେ ରହିବ, ତାହା ଉପରେ ମଧ୍ୟ କଟକଣା ଲାଗୁ କରାଯାଇପାରେ। ଦେଶ ଭିତରର ଯାତ୍ରୀମାନଙ୍କ ସହ ସଦ୍ୟ ବିଦେଶାଗତ ଯାତ୍ରୀମାନେ ବସିବେ ନାହିଁ। ବିଦେଶାଗତ ଯାତ୍ରୀମାନଙ୍କ ପାଇଁ ଅଲଗା ଆସନ ଧାଡି ଧାର୍ଯ୍ୟ କରାଯିବ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ସବୁପ୍ରକାର ସ୍ୱାସ୍ଥ୍ୟରକ୍ଷା ଓ ସ୍ୱାସ୍ଥ୍ୟଯତ୍ନର ନୀତିନିୟମକୁ ଭାଙ୍ଗି ଆଜି ସମସ୍ତଙ୍କୁ ଅସ୍ପୃଶ୍ୟ ଓ ସନ୍ଦିଗ୍‌ଧ ସଜେଇ ଦେଇଥିବାରୁ ଏଭଳି ଅନେକ ବିଜ୍ଞାନସମ୍ମତ କଟକଣା ଦ୍ୱାରା ଭାରତ ଏ କରୋନା ଯୁଦ୍ଧକୁ ଜିତି ପାରିବ।



@bimalodisha , 9937353293

11 अप्रैल 2020

ଲକ୍‌ଡାଉନ୍‌ ପରେ ଫେରିବେ କି ଦାଦନଶ୍ରମିକ?

ଭୁବନେଶ୍ୱର, ୬/୪ (ଇମିସ): ୧୪ ଏପ୍ରିଲ୍‌ ୨୦୨୦ ପରେ ଆଉ ଲକ୍‌ଡାଉନ୍‌ ଅବଧି ବଢ଼ିବ ନାହିଁ ବୋଲି ସରକାରୀ ଭାବେ ସ୍ପଷ୍ଟ ହୋଇସାରିଛି। ତେବେ ବିମାନ, ରେଳଗାଡ଼ି ଓ ବସ୍‌ ଚଳାଚଳ ୧୫ ତାରିଖରୁ ସ୍ୱାଭାବିକ ହେବ କି ସେଥିରେ କଟକଣା ଲାଗୁ ହେବ, ତାହା ଉପରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଆଜି ସୁଦ୍ଧା ହୋଇନାହିଁ। ଏଥିରେ ଦ୍ୱିରୁକ୍ତି ନାହିଁ ଯେ ଲକ୍‌ଡାଉନ୍‌ ଘୋଷଣା ଏକ ଆକସ୍ମିକ ନିଷ୍ପତ୍ତି ଥିଲା। ଏଥିପାଇଁ ପ୍ରାକ୍‌ପ୍ରସ୍ତୁତି ନଥିଲା। ଗଯାନବାହନ ବନ୍ଦ ପାଇଁ ନୁହେଁ, ବରଂ କଳକାରଖାନା, ଶିଳ୍ପ ଓ ଉଦ୍ୟୋଗ ସବୁ ବନ୍ଦ ହୋଇଯିବା ଯୋଗୁ ସେଥିରେ କର୍ମରତ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇ ମଧ୍ୟ ଫେରିପାରିନାହାନ୍ତି। ଭିଟାମାଟିକୁ ବାହୁଡ଼ିବାର ମାତ୍ରାଧିକ ମୋହ ଯୋଗୁ ଯେତେ ଟଙ୍କା ଲାଗୁ ପଛେ କିଛି ସଂଖ୍ୟାରେ ଶ୍ରମିକମାନେ ଆମ୍ବୁଲାନ୍ସରେ ଫେରିଆସିଛନ୍ତି। ଅଥବା ସଡ଼କପଥରେ ଚାଲି ନପାରି ସମାନ୍ତରାଳ ଜଙ୍ଗଲୀ ପାଦଚଲା ରାସ୍ତା ସନ୍ଧାନ କରି ଆଉ କିଛି ନିଜ ଗାଆଁରେ ପହଞ୍ଚିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ବା ଘର ଠାରୁ ଦୂରରେ ଏକାନ୍ତବାସରେ ରଖାଯାଇଥିଲେ ମଧ୍ୟ ନିଜ ଆତ୍ମୀୟ ସ୍ୱଜନ ପ୍ରିୟ ପରିଜନଙ୍କ ମୁହଁ ଦେଖି ସେମାନେ ଆଶ୍ୱସ୍ତ ଅଛନ୍ତି। ଏପରକି କେହି କେହି ମାଲଗାଡ଼ିରେ ବା ପରିବା ଗାଡ଼ିରେ ଆସିପାରିବାକୁ ଏକ ପାରିବାପଣିଆ ବିଚାରିଛନ୍ତି। ଏଭଳି ପ୍ରକ୍ରିୟା ଜାରି ରହିଛି ଏବଂ ଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିବ। କାରଣ ଲକ୍‌ଡାଉନ୍‌ ହେଉଛି ଦେଶବାସୀଙ୍କ ଜୀବନରକ୍ଷାର ଏକ ଉପାୟ, ଜୀବିକା ରକ୍ଷାର ନୁହେଁ। ବରଂ ଯାହା ଯେତିକି ରୋଜଗାର କରିଥିଲେ, ସେତକ ସବୁ ଖର୍ଚ ହୋଇସାରିଛି ଅନେକ ଦାଦନ ଶ୍ରମିକଙ୍କର। ଏବେ କେବଳ ଅନ୍ତଛତ୍ର ଓ ମାଗଣା ଧର୍ମଶାଳା (ସଂପୃକ୍ତ ରାଜ୍ୟର ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ର ବୁଝନ୍ତୁ) ଭରସା।

ଯେଉଁମାନେ ବିମାନରେ ଫେରିବାକୁ ଟିକଟ କାଟିଛନ୍ତି ଅବା ସେଥିପାଇଁ ରେଳଗାଡ଼ିର ଉଚ୍ଚଶ୍ରେଣୀରେ ଟିକଟ କରିଛନ୍ତି ଅବା ବର୍ଥ ଆରକ୍ଷିତ କରିଛନ୍ତି, ସେଇ ମଣିଷମାନଙ୍କ କଥା ଏଠାରେ ଚର୍ଚା କରୁନାହୁଁ। ଯେଉଁ ବର୍ଗର ଶ୍ରମିକମାନଙ୍କର ମାସିକ ଅନ୍ୟୂନ ୫ଟି ଶବ ଓଡ଼ିଶାକୁ ଫେରିବା ପାଇଁ ସରକାରୀ ଓ ବେସରକାରୀ ସଂଗଠନର ଠେଙ୍ଗି ଛିଡ଼ିଯାଉଥିଲା, ସେଇ ଅସହାୟ ଓ ନିରୀହ ଦାଦନଶ୍ରମିକଙ୍କ କଥା କହୁଛୁ। କାରଣ ସେମାନେ ଟିକଟ କାଟି ନାହାନ୍ତି କି କାଟିଥିଲେ ବି ଆସନଟିଏ ବସିବା ପାଇଁ ପାଇବେ ନାହିଁ। ତେବେ ସେମାନେ ଆସିବେ କେମିତି? କେବେ ଆସିବେ? ଏ ପ୍ରଶ୍ନର ଉତ୍ତର ସେମାନଙ୍କ ନିଜ ପାଖରେ ନାହିଁ କି, ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କ ପାଖରେ ନାହିଁ। ଏଥିପାଇଁ କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ ହୋଇନାହିଁ। ସେମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି ଏପ୍ରିଲ ୧୪ ତାରିଖର ଯଥେଷ୍ଟ ପୂର୍ବରୁ ସେମାନଙ୍କର ସଙ୍ଗରୋଧ ଅବଧି ପୂରଣ ହୋଇସାରିଥିବ। କିନ୍ତୁ ତଥାପି ସେମାନଙ୍କୁ ଛତର ଖାଇବାକୁ ପଡ଼ିବ। କାରଣ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟର ଏଭଳି ଶ୍ରମିକମାନଙ୍କୁ ଦିଲ୍ଲୀର ଆନନ୍ଦବିହାର ବସ୍‌ ଟର୍ମିନସ୍‌ରୁ ସହସ୍ରାଧିକ ବସ୍‌ରେ ନିଜନିଜ ଗାଆଁକୁ ନେଇଯିବା ଭଳି ଓଡ଼ିଶା ସରକାର ଇଜ୍ଜତର ସହ ଓଡ଼ିଆ ଦାଦନଶ୍ରମିକଙ୍କୁ ଫେରାଇଆଣିବାକୁ କୌଣସି ପରିକଳ୍ପନା କରି ନାହାନ୍ତି। ଅର୍ଥାତ୍‌ ଏପ୍ରିଲ୍‌ ୧୬ ତାରିଖରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଭଳି ଶ୍ରମିକମାନେ ପହଞ୍ଚିପାରିବେନି। 

କୋଏମ୍ବାଟୁରରେ ଫସିଥିବା ଭଂଜନଗର ବ୍ଲକ୍‌ର ଦାଦନଶ୍ରମିକ 
ଏହା ନିଶ୍ଚିତ ଯେ ସଂକ୍ରମଣ ରୋକିବାକୁ ରେଳଯାତ୍ରୀଙ୍କ ଖାଦ୍ୟପାନୀୟ ଓ ଏହାର ପରିବେଷଣ ଉପରେ କଟକଣା ଲାଗିବା ସହ ଜେନେରାଲ ଡବାର ଯାତ୍ରା ଉପରେ କଟକଣା ନିଶ୍ଚିତ। ତେଣୁ ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ମୁଖ୍ୟାଳୟ ଥିବାରୁ ଓଡ଼ିଶା ସରକାର ବରିଷ୍ଠ ରେଳ ଅଧିକାରୀମାନଙ୍କ ସହ ଗମ୍ଭୀରତାର ସହ ଆଲୋଚନା କରି ଫସିରହିଥିବା ଶ୍ରମିକଙ୍କ ପରିବହନ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ଏହା ସହ ସେମାନେ କୋଭିଡ୍‌-୧୯ ସଂକ୍ରମିତ ନୁହନ୍ତି ବୋଲି ସେମାନେ ଅବସ୍ଥାନ କରୁଥିବା ସହରରେ ହିଁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯିବା ଦରକାର। କାରଣ ଓଡ଼ିଶାର ସବୁ ଗାଆଁରେ ଏବେ ବହିରାଗତ ଆଗନ୍ତୁକଙ୍କ ଧଡ଼ା ପଡ଼ିଛି, ଯାହାକି ଏଭଳି ରୋଗ ବିରୋଧରେ ଓଡ଼ିଶାର ଗ୍ରାମାଞ୍ଚଳର ଏକ ପାରମ୍ପରିକ ପ୍ରାଚୀର। ସେଇ ପ୍ରାଚୀରକୁ ଭେଦ କରିବାକୁ ରାଜ୍ୟ ସରକାର ଆଗୁଆ ବ୍ୟବସ୍ଥା କରନ୍ତୁ। ସଂକ୍ରମଣ ରୋକିବାକୁ ରେଳଗାଡ଼ିରେ ଯେତେପ୍ରକାର ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ, ସେତେ ଭଲ। ତେବେ ନିୟମିତ ଗାଡ଼ିରେ ଭିଡ଼ ହେବାର ନିଶ୍ଚିତ ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କ ଦାଦନ ଦୁଃଖ ଟାଳିବାକୁ କିଛି ଇଜ୍ଜତଦାର ପନ୍ଥା ଅବଲମ୍ବନ କରିବା ସର୍ବାଦୌ ଆବଶ୍ୟକ। 

ଘରବାହୁଡ଼ା ବ୍ୟାକୁଳତାରେ ଦିନ ଗଣୁଥିବା ଓଡ଼ିଆ ଦାଦନଶ୍ରମିକମାନେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ ହେବା ପୂର୍ବରୁ ପାଣି ଠାରୁ ପାଉଁରୁଟି ପର୍ଯ୍ୟନ୍ତ ସବୁ ଜିନିଷ ଦୁଇ ଗୁଣାରୁ ପାଞ୍ଚଗୁଣା ଦାମ୍‌ରେ କିଣି ନିଜ ସର୍ବସ୍ୱ ହରାଇସାରିଛନ୍ତି। ପୁଣି କଳକାରଖାନା, ଶିଳ୍ପ, ଉଦ୍ୟୋଗ ଆରମ୍ଭ ହେଲେ ସେମାନେ ପୁଣିଥରେ ସେଠାକୁ ଫେରିବା ପାଇଁ ଟଙ୍କା ଯୋଗାଡ଼ କରିପାରିବେ ନାହିଁ। ଓଡ଼ିଶାରେ କାମଧନ୍ଦାର ଗୁରୁତର ସଙ୍କଟ ରହିଥିବାରୁ, ଓଡ଼ିଶାର ଲକ୍ଷଲକ୍ଷ ଦାଦନଶ୍ରମିକଙ୍କୁ ସେମାନଙ୍କ ପସନ୍ଦର କର୍ମସଂସ୍ଥାନ ସ୍ଥଳକୁ, ମାନେ ରାଜ୍ୟ ବାହାରକୁ ପୁଣି ପଠାଇବା ପାଇଁ କରୋନା ମୁକାବିଲା ଟିମ୍‌ରେ ଥିବା ବିଶେଷଜ୍ଞମାନେ ବିସ୍ତୃତ ଯୋଜନା କରିବା ନିହାତି ଦରକାର।

@bimalodisha

10 अप्रैल 2020

ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌

କହାଯାଏ ଓ ବ୍ୟବସ୍ଥା ବି ସ୍ୱୀକାର କରେ ବିଜ୍ଞାନ ଓ ପ୍ରଯୁକ୍ତି (Science & Technology) ବଳରେ ବିକାଶ ପ୍ରଖର ହୋଇପାରିବ। ପ୍ରଯୁକ୍ତି ବି ତ ବିଜ୍ଞାନ! ହେଲେ ପ୍ରଯୁକ୍ତିକୁ ବିଜ୍ଞାନ ଠାରୁ ଭିନ୍ନ କରି କାହିଁକି କହାଯାଉଛି? ବିଜ୍ଞାନ ମୂଳତଃ  ଜ୍ଞାନ ପ୍ରସାର ଉଦ୍ଦେଶ୍ୟରେ ଥାଏ ବା ଯାହା ଶିକ୍ଷାଦାନ କରାଯାଏ। କିନ୍ତୁ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି ଉତ୍ପାଦ ନିର୍ମାଣ କରିବା ଏବଂ ପ୍ରଯୁକ୍ତି ହେଉଛି ବିଜ୍ଞାନର ବ୍ୟାବହାରିକ ପ୍ରୟୋଗ। ଅନ୍ୟ ଶବ୍ଦରେ କହିଲେ ବିଜ୍ଞାନ ହେଉଛି ଏ ଭୌତିକ ଓ ପ୍ରାକୃତିକ ସୃଷ୍ଟିର ଗଠନ ଓ ଆଚରଣର ଅଧ୍ୟୟନ। ଏବଂ ପ୍ରଯୁକ୍ତି ହେଉଛି ବାସ୍ତବ ଉଦ୍ଦେଶ୍ୟରେ ବୈଜ୍ଞାନିକ ଜ୍ଞାନର ପ୍ରୟୋଗ।

ଆପଣଙ୍କ ହାତରେ ଥିବା 4G ସିମ୍‌ଯୁକ୍ତ ସ୍ମାର୍ଟଫୋନ୍‌ରେ WhatsApp Video Call କରିବାର ବା ଅନ୍ୟ ଆପ୍ଲିକେସନ୍‌ରେ ଭିଡିଓ କଲ୍‌ କରିବାର ଅଭିଜ୍ଞତା ହୁଏତ ଆପଣଙ୍କର ଥିବ। ହେଲେ ଆଜି ଜାଣିବା ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌ ବିଷୟରେ। ମାନେ ଡାଟା ବନ୍ଦ ଥାଇ।  ଆପଣଙ୍କର ହ୍ୟାଣ୍ଡ୍‌ସେଟ୍‌ ଯଦି Samsung ବା MI କମ୍ପାନୀର ହୋଇଥାଏ ବା ଅନ୍ୟ କୌଣସି ଉନ୍ନତ ବ୍ରାଣ୍ଡ୍‌ର (Oppo, Realme ଆଦି) ହୋଇଥାଏ, ତେବେ 4G ନମ୍ବରରୁ ସେଇଭଳି ହ୍ୟାଣ୍ଡ୍‌ସେଟ୍‌ ଥିବା କଲ୍‌ ଗ୍ରହୀତାଙ୍କ 4G ନମ୍ବରକୁ କଲ୍‌ କରି ତାହା ପରେ Video Call ବୋତାମ ଚିପି କଲ୍‌ ଗ୍ରହୀତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ପାଣି ଭଳି ସ୍ପଷ୍ଟ ଭିଡିଓରେ ପରସ୍ପରର ଚେହେରା ଦେଖି କଥାବାର୍ତ୍ତା ହୋଇପାରିବେ। 

- ୨୦୧୯ ମସିହାରୁ ଏହି ତାରିଖ ଭିତରେ କିଣାଯାଇଥିବା ସମସ୍ତ ଆଧୁନିକ ଓ ନୂଆ ହ୍ୟାଣ୍ଡ୍‌ସେଟ୍‌ରେ ଏଭଳି ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌ ସମ୍ଭବ।
- ଏତିକି ସୁନିଶ୍ଚିତ କରିବେ ଯେ ଆପଣଙ୍କ ହ୍ୟାଣ୍ଡ୍‌ସେଟ୍‌ ସମସ୍ତ system update ଗ୍ରହଣ କରିଅଛି।
- ‘ଜିଓ’ ରୁ ‘ଜିଓ’କୁ ଏଭଳି କଲ୍‌ ବେଶ୍‌ ସୁବିଧାଜନକ।
- ଏୟାରଟେଲ୍‌ 4G ରୁ ଏୟାରଟେଲ୍‌ 4G କୁ ମଧ୍ୟ ଏଭଳି ଭିଡିଓ କଲ୍‌ ସମ୍ଭବ।
- ଏହି ସୁବିଧାକୁ କହାଯାଏ VoLTE ସୁବିଧା। 4G ର ଅନ୍ୟନାମ LTE ଏବଂ VoLTE ମାନେ Voice Over LTE ବା Video Over :LTE.
-  DoT ଏହାକୁ ଏବେ ବି ନିଜ ବିଧିବିଧାନ(Protocol)ରେ ନାଗରିକମାନଙ୍କ (ଗ୍ରାହକମାନଙ୍କ) ସୁବିଧା ପାଇଁ ପ୍ରଦାନ କରିନାହିଁ। ବରଂ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତାମାନଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଚରଣ ଯୋଗୁ ସମ୍ଭବ ହୋଇପାରୁଛି। କାରଣ VolTE କଲ୍‌ ବା HD କଲ୍‌ କେବଳ ସେହି ଅପରେଟରଙ୍କ ନମ୍ବର ମଧ୍ୟରେ ସମ୍ଭବ ହୋଇପାରୁଛି।
- ଗୋଟିଏ VoLTE ଅପରେଟରରୁ ଅନ୍ୟ ଏକ VoLTE ଅପରେଟରକୁ ବିନା ଇଣ୍ଟରନେଟ୍‌ବାଲା ଭିଡିଓ କଲ୍‌ ସମ୍ଭବ ହେଉ ନାହିଁ। 

ହଁ, ଅନ୍ୟତମ ଅପରେଟର Vodafone/ Idea ବି 4G VoLTE ହୋଇଥିଲେ ସୁଦ୍ଧା ତାହା ପରୀକ୍ଷିତ ନୁହେଁ।

ନିଜର ସ୍ୱଜନ, ପ୍ରିୟଜନ ଓ ପରିଜନଙ୍କୁ ଦୂରରେ ଥାଇ ବି ପାଖରେ ଅନୁଭବ କରନ୍ତୁ ଭିଡିଓ କଲ୍‌ରେ। ଏପରିକି ନିଜ କାର୍ଯ୍ୟ କ୍ଷେତ୍ରରେ ନିଜର ସନ୍ଦେହ ମୋଚନ ପାଇଁ ଏହାକୁ ଏକ ଶିକ୍ଷଣ ମାଧ୍ୟମ ରୂପେ ବ୍ୟବହାର କରନ୍ତୁ।

ବିମଳ ପ୍ରସାଦ, ଭୁବନେଶ୍ୱର @bimalodisha

12 जून 2019

କେତେ ଧୂର୍ତ୍ତ ଆମ ନେତା ନବୀନ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଭେଟ
ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ୧୧ ଜୁନ୍‌ ୨୦୧୯ରେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୋଲି ଆଜି ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ବିବରଣୀ ପ୍ରକାଶ ପାଇଛି। ସେଥିରୁ କିଛି ବିନ୍ଦୁ ଉପରେ ଚର୍ଚ୍ଚା କରିବା:-

୧. ବାତ୍ୟା ଫନିରେ ୫ଲକ୍ଷ ୬୦ ହଜାର ଘର ଭାଙ୍ଗି ଯାଇଛି ବୋଲି ଦାଖଲ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ ଅଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି - ବିଜୁ ପକ୍କାଘର ଯୋଜନାରେ ୨୦ ଲକ୍ଷରୁ ଅଧିକ ଘର ରାଜ୍ୟବାସୀଙ୍କୁ ଦିଆଯାଇଛି ବୋଲି ହଇଚଇ କରିଥିବା ଶାସନ/ପ୍ରଶାସନ ତଥାପି ସତ ଓଗାଳୁ ନାହିଁ କାହିଁକି?

୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ସ୍ୱତନ୍ତ୍ର ଗୃହ ନିର୍ମାଣ ମଂଜୁର ପାଇଁ ମଧ୍ୟ ସେଥିରେ ଦାବି କରିଛନ୍ତି। ଯହିଁରେ କେନ୍ଦ୍ର-ରାଜ୍ୟ ଅଂଶଦାନ ୯୦:୧୦ ଅନୁପାତରେ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶ୍ନ ହେଉଛି, ସେହି ଅର୍ଥ ରାଶି ଆଣି ତାହାକୁ ‘‘ବିଜୁ ପକ୍କାଘର ଯୋଜନା’’ ନାମରେ କାର୍ଯ୍ୟକାରୀ କରିବା ଏକ ପ୍ରଚ୍ଛନ୍ନ ଚଞ୍ଚକତା ନୁହେଁ କି? ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଧୂର୍ତ୍ତ ସାବ୍ୟସ୍ତ ହେଉ ନାହାନ୍ତି କି?

୩. ବାତ୍ୟାରେ ନଷ୍ଟ ହୋଇଥିବା ସାର୍ବଜନିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ SDRF/NDRF ପାଣ୍ଠି ପରିଧିରେ ଆସୁ ନାହିଁ। ଏହାକୁ ଏହି ପାଣ୍ଠି ପରିଧିରେ ଅଣାଯାଉ ବୋଲି ଦାବି କରିଛନ୍ତି। କଥା ଉଠୁଛି - ଏନ୍‌ଡିଆର୍‌ଏଫ୍‌ ବିଧି ପ୍ରଣୟନ ବେଳେ ବିଭିନ୍ନ ରାଜ୍ୟର ବିଭାଗୀୟ ଅଧିକାରୀ/ପ୍ରତିନିଧିଙ୍କ ସହ ଏଥିପାଇଁ ନୂଆଦିଲ୍ଲୀରେ ବିମର୍ଶ ହୋଇଥାଏ। ସେଠାକୁ ଓଡ଼ିଶାରୁ କିଏ ଯାଇଥିଲେ? ତାଙ୍କର ଓଡ଼ିଶାର ବିପର୍ଯ୍ୟୟ ପ୍ରବଣତା ଉପରେ ଯଥେଷ୍ଟ ଜ୍ଞାନ ନଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉ ନାହିଁ କି? କାରଣ ଏସବୁ ଏହି ୧୯ ବର୍ଷ ମଧ୍ୟରେ ହିଁ ପ୍ରଣୀତ ହୋଇଛି।

୪. ରିଲିଫ୍‌ ବାଣ୍ଟିବା ଏକ ପୁରୁଣା କଥା ହେଲାଣି। ତଥାପି ‘‘ସ୍ୱତନ୍ତ୍ର ରିଲିଫ୍‌ କମିଶନର’’ ପଦ ରଖିବା ଏବଂ ରିଲିଫ୍‌ ଉପରେ ଅଧିକ ଜୋର୍‌ ଦେବା ଏକ ଅନ୍ଧ ଶାସନର ନମୁନା ନୁହେଁ କି? ପୁନରୁଦ୍ଧାର ଉପରେ ତଥାକଥିତ ଏନ୍‌ଜିଓ ଓ ସାମାଜିକ ସଂଗଠନମାନେ ଧ୍ୟାନ ନଦେଇ, ଭଳିକି ଭଳି ରିଲିଫ୍‌ ପୁଡ଼ିଆ ବାଣ୍ଟିବା ଉପରେ ଧ୍ୟାନ ଦେବା ମଧ୍ୟ ତଥାକଥିତ ଶିକ୍ଷିତ-ମୂର୍ଖମାନଙ୍କର ଏକ କସରତ ନୁହେଁ କି? ବିସ୍ମୟକର କଥା ହେଲା – ଅଣସରକାରୀ ରିଲିଫ୍‌ ବଣ୍ଟନ ପାଇଁ ମଧ୍ୟ ସଂପୃକ୍ତ ସରକାରୀ ବିଭାଗ ଓ କମିଶନରଙ୍କ ଅନୁମତି ଲୋଡ଼ା ହୋଇଥାଏ। ଟ୍ରକ୍‌ ଟ୍ରକ୍ ଅବାଞ୍ଚିତ ରିଲିଫ୍‌ ସାମଗ୍ରୀ ବଣ୍ଟନ ପାଇଁ ଅନୁମତି ମଧ୍ୟ ମିଳିଛି। ବିଭିନ୍ନ ସ୍ଥାନରେ/ଘରେ/ଭଣ୍ଡାରରେ ପଡ଼ି ରହି ମୂଷାମାନଙ୍କ ଖାଦ୍ୟ ମଧ୍ୟ ପାଲଟିବାରେ ଲାଗିଛି! ଲୋକଙ୍କର ଦରକାର ସଡ଼କ, ବିଜୁଳି ଓ ପାଣି ସେବାର ପୁନରୁଦ୍ଧାର। ଆଉ ସବୁ କରିପାରିବାର ସାମର୍ଥ୍ୟ ଯେତେବେଳେ ଲୋକଙ୍କର ଅଛି, ଲୋକଙ୍କୁ ଅସହାୟ କରି ରଖିବା ଓ ଅସହାୟ ବିବେଚନା କରିବା ଏକ ପଛୁଆ ମାନସିକତାର ସଂରକ୍ଷଣ ନୁହେଁ କି?

୫. ବାତ୍ୟାପ୍ରବଣ ଅଞ୍ଚଳରେ ବିଜୁଳି ଖୁଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ତାହାକୁ ଭୂତଳ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାରେ ପରିଣତ କରିବା ପାଇଁ ୧୯୯୯ ମସିହା ମହାବାତ୍ୟା ପରେ ପରେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଥିଲା। ସମାନ୍ତରାଳ ଭାବେ ତତ୍କାଳୀନ ଚୋଖା ପ୍ରଶାସକମାନେ ମଧ୍ୟ ଏହାକୁ ହୃଦୟଙ୍ଗମ କରିଥିଲେ ଏବଂ ସେହି ମତେ ବଜେଟ୍‌ କରିଥିଲେ, କାର୍ଯ୍ୟଯୋଜନା କରିଥିଲେ। ୧୧ଟି ଜିଲ୍ଲାକୁ ଚିହ୍ନଟ କରିବା ସହ ପୁରୀ ଓ ବ୍ରହ୍ମପୁର ସହରକୁ ମଧ୍ୟ ପାଇଲଟ୍‌ ଭାବରେ ଚିହ୍ନଟ କରିଥିଲେ। ସେଇ କାମ ପାଇଁ ତଥା ବାତ୍ୟା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରୁ ହିଁ ୨୦୦୦ ମସିହାରେ ନବୀନ ବାବୁ ନିଜ ମୁଖ୍ୟମନ୍ତ୍ରୀ ଜୀବନ ଆରମ୍ଭ କରିଥିଲେ। ମାତ୍ର ପୂରା ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏବଂ ପୂରା ୧୯ ବର୍ଷ ପରେ ଯୋଉଆକୁ ସେଇଆ। ମାନେ, ପ୍ରୟାସ ଓ ପ୍ରକଳ୍ପ ଜମାରୁ ହୋଇ ନାହିଁ। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିରୀହ (ଇନୋସେଣ୍ଟ) କାହିଁକି ପରିଗଣିତ ହେବେ?

୬. ‘‘ଆୟୁଷ୍ମାନ ଯୋଜନା’’କୁ ପ୍ରତ୍ୟାଖ୍ୟାନ କରିଥିବା ଓଡ଼ିଶା ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ସେହି ମର୍ମରେ ମଧ୍ୟ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟବାସୀଙ୍କର ସମର୍ଥନ କେନ୍ଦ୍ର ପ୍ରତି ବଢ଼ିଯିବାରେ ଆଶଙ୍କା ପୋଷଣ କରୁଥିବା ଏ ରାଜ୍ୟ ସରକାର, ପୁଣି କଥାକଥାକେ ‘‘କେନ୍ଦ୍ର ଦାୟୀ’’ ନାରାବାଜି କରିବା ଏକ ଧୂର୍ତ୍ତ ଓ ଅଭଦ୍ର ଶାସନର ଉଦାହରଣ ନୁହେଁ କି?

୭. ମେ ୨୦୧୯ରେ ରାଜ୍ୟ ବିଧାନସଭା ନିର୍ବାଚନ ସରିଛି ଏବଂ ନବୀନ ପୁଣି ବିଜୟୀ ହୋଇ ସରକାର ଗଢ଼ିଛନ୍ତି। ହୁଏତ ଆପଣଙ୍କର ମନେ ଥିବ ଯେ ୨୦୧୯ ମାର୍ଚ ୩୧ରେ ୨୦୧୮-୧୯ ଆର୍ଥିକ ବର୍ଷ ସରିବା ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଶାଳ ରାଜ୍ୟ ବଜେଟ୍‌ କରି ସାରିଛନ୍ତି। ସେଇ ସମାନ ଶାସକ ଦଳ, ପୁଣି କ୍ଷମତାକୁ ଆସିଥିବାରୁ, ସେଇ ସମାନ ବଜେଟ୍‌ର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ ନୁହେଁ କି? କିନ୍ତୁ ବିଡମ୍ବନା ଯେ ରାଜ୍ୟରେ ଏକ ଉତ୍ତରଦାୟୀ ଗଣମାଧ୍ୟମ ଅଭାବରୁ ସବୁ କିଛି କାହାର ନା କାହାର ଇଚ୍ଛାରେ ଚାଲିବ। ଅଧିକ ସ୍ପଷ୍ଟ ଓ ସାହସର ସହ କହିଲେ, ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଯୋଗ୍ୟ ଗଣମାଧ୍ୟମ ମଧ୍ୟ ଏ ରାଜ୍ୟରେ ଆଉ ରହିନାହିଁ। ଯେଉଁମାନେ ଯୋଗ୍ୟ, ସେମାନେ କିଛି କିଛି ବଟି ପାଇଁ ମୁହଁବନ୍ଦକରି ବସିଛନ୍ତି। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି – ରାଜ୍ୟର ଯେତିକି ରାଜସ୍ୱ ଆୟ ହେଉଛି ତାହାଠାରୁ ଅଧିକ ଦରମା-ଭତ୍ତା-ସୁବିଧାସୁଯୋଗ ରୂପେ ରାଜକର୍ମଚାରୀ/ଅଧିକାରୀମାନେ ଟାଣୁଛନ୍ତି। ତେଣୁ କେନ୍ଦ୍ରୀୟ ଅନୁଦାନ/ ରୟାଲଟି ବିନା ଅନ୍ୟ ପନ୍ଥା ନାହିଁ। ତେଣୁ ଏତେ ବଡ ବଜେଟ୍‌ କରି ରାଜ୍ୟବାସୀଙ୍କୁ ଭୂତେଇବାକୁ ନବୀନ ବାବୁ ଏକ ପାରମ୍ପରିକ ମସୁଧାରେ ପରିଣତ କରିନାହାନ୍ତି କି?

୧୮୦୩ରେ ଓଡ଼ିଶା ଯାଇଥିଲା ବ୍ରିଟିଶ ଶାସନ ଅଧୀନକୁ। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ତା’ର ପକ୍ଷ ମେଲିଥିଲା। ୧୪୪ ବର୍ଷର ପରାଧୀନତା ପରେ ଏବେ ଆମେ ସ୍ୱାଧୀନ ବୋଲି ଭାବୁଥିଲେ ସୁଦ୍ଧା ଓଡ଼ିଶା ଯେ ପ୍ରେମ ପଟ୍ଟନାୟକ ଏଣ୍ଡ କମ୍ପାନୀ ଅଧୀନରେ ରହିଛି, ଏହା କୌଣସି ରାଜ୍ୟବାସୀ ଜାଣି ପାରୁନାହାନ୍ତି। ଟଙ୍କାକିଆ ଚାଉଳ ଓ ପାଞ୍ଚଟଙ୍କିଆ ଆହାର ସମସ୍ତଙ୍କୁ କିମିଆ କରିଦେଇଛି। ଯେଉଁମାନେ ଭାବୁଥିବେ ଯେ ୧୪୪ ବର୍ଷ ଧରି ଲୋକମାନେ କେମିତି ପରାଧୀନତାକୁ ବରଦାସ୍ତ କରୁଥିଲେ? ତାହାର ଉତ୍ତର ହେଉଛି – ଆପଣମାନେ ଯେମିତି ୨୪ ବର୍ଷ ଧରି ବରଦାସ୍ତ କରୁଛନ୍ତି/କରିବେ।


ବିମଳ ପ୍ରସାଦ, ଭୁବନେଶ୍ୱର

07 जून 2019

ଗ୍ରାହକଙ୍କଠୁ ଦୂରେଇଯାଉଛି ଦୂରସଂଚାର ଦକ୍ଷତା!


୨୦୧୫ ମସିହାରେ ଏୟାରଟେଲ (airtel) ଆରମ୍ଭ କଲା 4G ସେବା। ୨୦୧୬ ମସିହାରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିବା ଏକ ବାର୍ତାର ଗୋଟିଏ ଧାଡ଼ି ଥିଲା – ୨୦୧୫ ମସିହାର ସବୁଠୁ ବଡ଼ ମିଛ Airtel 4G. ଏବେ ୨୦୧୯ ମସିହା, ଅର୍ଥାତ୍‌ ଭାରତରେ ‘୪ଜି’ର ଷଷ୍ଠ ବର୍ଷ। କିନ୍ତୁ ଏୟାରଟେଲ୍‌ ଯେଉଁଠିକୁ ସେଇଠି। ପାଦେ ହେଲେ ସୁଦ୍ଧା ଆଗକୁ ଯାଇ ପାରି ନାହିଁ। ୪ଜି ଜରିଆରେ କେବଳ ଇଣ୍ଟରନେଟ୍‌ ନୁହେଁ, କଲ୍‌ ଓ ଏସ୍‌ଏମ୍‌ଏସ୍‌ ବି ହୋଇପାରିବ, ଏହା ଉପରେ ୨୦୧୬ ଶେଷ ଭାଗରୁ ପରୀକ୍ଷା ନିରୀକ୍ଷା କରି ଚାଲିଛି ଏୟାରଟେଲ୍‌, ମାତ୍ର କୌଣସି ନିର୍ଯ୍ୟାସରେ ଏଯାଏଁ ପହଞ୍ଚି ପାରୁନି। ଆଉ ଏହି ପରୀକ୍ଷାନିରୀକ୍ଷା ପାଇଁ ପୁଣି ଖୋରାକ ପାଇଛି, ଭାରତରେ ଦୂରସଂଚାର ବିପ୍ଳବ ଆଣିଥିବା Jio 4Gର ଆତ୍ମପ୍ରକାଶ ପରେ। ତଥାପି ଅନ୍ଧାରରେ ବାଡ଼ି ବୁଲାଉଛି ଏୟାରଟେଲ କମ୍ପାନୀ। ଏକାବେଳକେ 2G/3G/4G VoLTE କୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଉଛି। ସମ୍ଭବତଃ ଏସବୁକୁ ଆଗୁଆ ଅଧ୍ୟୟନ କରି ‘ଜିଓ’ ମୂଳରୁ ହିଁ ଆତ୍ମପ୍ରକାଶ କରିଛି କେବଳ ୪ଜି (Only 4G) ଭିତ୍ତିକ ଦୂରସଂଚାର ସେବା ପ୍ରଦାନକାରୀ କମ୍ପାନୀ ରୂପରେ। ଅର୍ଥାତ୍‌ ଟେଲିଫୋନ୍‌ କଲ୍‌, ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ୍‌ - ସବୁ କିଛି ଏକକାଳୀନ ସମ୍ଭବ ସେଇ ଗୋଟିଏ ସିମ୍‌ରୁ ଗୋଟିଏ ହ୍ୟାଣ୍ଡ୍‌ସେଟ୍‌ ବା ଯନ୍ତ୍ରରୁ। 
ଅନ୍ୟତମ ମିଶ୍ରଣ ହୋଇଥିବା ଭୋଡାଫୋନ୍‌-ଆଇଡିଆ କମ୍ପାନୀ କେବଳ ଭାରତବାସୀଙ୍କୁ ଚକ୍‌ମା ଦେଖାଇବାକୁ ମିଶିଛନ୍ତି। କାରଣ ଉଭୟ ନିଜର ବ୍ରାଣ୍ଡ୍‌ ନାମ ଜାରି ରଖିଛନ୍ତି। ପ୍ରଯୁକ୍ତି ଦୃଷ୍ଟିରୁ ମିଶି ନାହାନ୍ତି କି ଗ୍ରାହକ ସେବା ଦୃଷ୍ଟିରୁ ମିଶି ନାହାନ୍ତି। କାରଣ ରୋମିଂରେ ଥିବା ବେଳେ ଭୋଡାଫୋନ୍‌ ନମ୍ବରଟା ନିଜ ଟାୱାର ନଥିବା ଜାଗାରେ ଆପେଆପେ ଆଇଡିଆ ଟାୱାରକୁ ଧରୁ ନାହିଁ ଏବଂ ମାନୁଆଲ ସେଟିଂରେ ଯୋଡ଼ିଲେ ମଧ୍ୟ ଅଗ୍ରାହ୍ୟ କରୁଛି। ଭୋଡାଫୋନ୍‌ ଓ ଆଇଡିଆ ମଧ୍ୟ 4G VoLTE ଆରମ୍ଭ କରିଥିବା ଦାବି କରୁଛନ୍ତି। କିନ୍ତୁ ଭୋଡାଫୋନ୍‌ ‘‘୪ଜି ଭୋଲ୍‌ଟି’’ରୁ କେବଳ କଲ୍‌ ଯୋଗାଉଥିବା ବେଳେ ଇଣ୍ଟରନେଟ୍‌ ଦେଉଛି ୩ଜିରୁ ଏବଂ ଏସ୍‌ଏମ୍‌ଏସ୍‌ ପଠାଉଛି ଓ ପୁଶ୍‌ ମେସେଜ୍‌ ଦେଉଛି ୨ଜି ରୁ। ଗ୍ରାହକଙ୍କୁ ଭକୁଆ ବନେଇବାର ଏକ ଅଭିନବ କୌଶଳ। ଯେଉଁଥିରେ ଭାରତୀୟ କମ୍ପାନୀ ଏୟାରଟେଲ ତଥାପି ଗୋଟାପଣେ ଅଜ୍ଞ ରହିଛି। 

ପରିସ୍ଥିତି ଏପରି ହୋଇଛି ଯେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ କମ୍ପାନୀ BSNL (ଭାରତ ସଂଚାର ନିଗମ ଲିମିଟେଡ୍‌) ମଧ୍ୟ କ୍ଷତିରେ ଚାଲିଛି। ଆଉ ଏହାକୁ ଛାଡ଼ି ଭାରତରେ ଘରୋଇ ଦୂରସଂଚାର କମ୍ପାନୀ ସଂଖ୍ୟା ୩ରେ ସୀମିତ ହୋଇଯାଇଛି। ଟାଟା କମ୍ପାନୀର ସମତୁଲ୍ୟ ଟେଲିକମ୍‌ ସଂସ୍ଥା ଟାଟା ଇଣ୍ଡିକମ୍‌ ବା ଟାଟା ଡୋକୋମୋ ମଧ୍ୟ ବନ୍ଦ ହୋଇଯାଇଛି। ଉପଯୁକ୍ତ ପ୍ରଯୁକ୍ତି ଚୟନରେ ବିଫଳତା ଓ ଗ୍ରାହକ-ମନଲାଖୀ ଉପସ୍ଥାପନରେ ବିଫଳ ହୋଇ ଟାଟା ଭଳି ରିଲାଏନ୍ସ ସ୍ମାର୍ଟ ଓ ଏୟାରସେଲ ଭଳି ଅନେକ ଟୁକୁରା କମ୍ପାନୀ ମଧ୍ୟ ଲୋପ ପାଇଯାଇଛନ୍ତି ଅବା ଲୀନ ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ଜିଓ ଏବେ ଭାରତବାସୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଦେଶର ୧ ନମ୍ବର ଦୂରସଂଚାର କମ୍ପାନୀର ବାହାଦୁରୀ ଦାବି କରୁଥିବା ଏୟାରଟେଲ୍‌ ତଥାପି ଶୋଇଛି।

ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଭାରତ ସରକାରଙ୍କ ପୂର୍ବତଟ ରେଳବାଇ ସଂସ୍ଥା ତାହାର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦୦୦ରୁ ବେଶି ପୋଷ୍ଟପେଡ୍‌ ମୋବାଇଲ ଫୋନ୍‌ ବାଣ୍ଟିଥିଲା ପାରସ୍ପରିକ ଯୋଗାଯୋଗ ରକ୍ଷା ପାଇଁ। ୮୪୫୫ ସିରିଜ୍‌ର ଯେତେ ନମ୍ବର ସବୁଗୁଡ଼ିକ ମୂଳତଃ ଏୟାରଟେଲ୍‌ର। କିନ୍ତୁ ଖରାପ ସେବା ଯୋଗୁ ଏୟାରଟେଲ୍‌ରୁ ମୁହଁ ଫେରାଇ ନେଇ ସବୁଯାକ ନମ୍ବରକୁ ପୋର୍ଟେବଲ୍ କରି ଜିଓ ୪ଜି କରିନେଇଛି ଏଇ ୪ ମାସରୁ ବେଶି ଦିନ ହେଲା। ଗୋଟିଏ ନମ୍ବର ପିଛା ମାସିକ ୫୦୦ ଟଙ୍କା ହେଲେ, ୩୦୦୦ଟି ନମ୍ବର ପିଛା ପ୍ରାୟ ୧୫ ଲକ୍ଷ ଟଙ୍କାର ରାଜସ୍ୱ ହାନି କଲା ଏୟାରଟେଲ୍‌, ତଥାପି ଚେତୁ ନାହିଁ। 
ସିଙ୍ଗାପୁରର ଅଗ୍ରଣୀ ଦୂରସଂଚାର କମ୍ପାନୀ ସିଙ୍ଗ୍‌ଟେଲ (Singtel), ଏୟାରଟେଲ୍‌ର ୫୧ ପ୍ରତିଶତ ଅଂଶଧନ କିଣିନେଇଥିବା ବେଳେ ବାସ୍ତବତଃ ଏୟାରଟେଲ୍‌ ଆଉ ଭାରତୀୟ କମ୍ପାନୀର ପରିଚୟ ବହନ କରୁନାହିଁ। ଭୋଡାଫୋନ୍‌ ବି ଏକ ବିଲାତି କମ୍ପାନୀ ଆପଣମାନେ ଜାଣନ୍ତି, ସେଥିରେ ଆଇଡିଆ ମିଶିଥିବାରୁ ତାହାର ଭାରତୀୟ ପରିଚୟରେ ମଧ୍ୟ ଅବକ୍ଷୟ ଘଟିଛି। ଏଣୁ ଏକମାତ୍ର ଭାରତୀୟ ଘରୋଇ କମ୍ପାନୀ ହେଉଛି ରିଲାଏନ୍ସ ଜିଓ।  
୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବାର ପରଠୁ ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। BSNL ସହ MTNL ର ବିଲୟ ପାଇଁ ବାରମ୍ବାର ତାରିଖ ଧାର୍ଯ୍ୟ କରି ସୁଦ୍ଧା ଦେଶରେ ଗୋଟିଏ ସରକାରୀ ଦୂରସଂଚାର କମ୍ପାନୀ କରିବାରେ ବିଫଳ ହୋଇଛି ଏନ୍‌ଡିଏ-୨ ସରକାର। ଏବେ ଏନ୍‌ଡିଏ-୩ରେ ବି ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। ତଥାପି ଏମ୍‌ଟିଏନ୍‌ଏଲ୍‌କୁ ମନାଇବାରେ କୌଣସି ଉଦ୍ୟମ ହେଉନଥିବା ବେଳେ କୌଣସି ଗଣମାଧ୍ୟମର ଆଉ ଏସବୁ କଥା ମନେ ନାହିଁ। ଗଣମାଧ୍ୟମ ଯେଉଁ ଦେଶରେ ପ୍ରସଙ୍ଗ ଭୁଲିଯାଏ, ସେ ଦେଶ କେମିତି ଚାଲୁଥିବ, ବିଚାର କରନ୍ତୁ। ବିଜ୍ଞାନ ଓ ପ୍ରଯୁକ୍ତିରେ ରୁଚି ରଖୁନଥିବା ଜଣେ ସାଂସଦଙ୍କୁ ମନ୍ତ୍ରୀ କରି ପ୍ରଧାନସେବକ କ’ଣ ବାର୍ତା ଦେବାକୁ ଚାହୁଛନ୍ତି?
ବିଏସ୍‌ଏନ୍‌ଏଲ୍‌ରୁ ହଜାର ହଜାର କର୍ମଚାରୀ-ଅଧିକାରୀ ଛଟେଇ ସୁନିଶ୍ଚିତ ହେଉଥିବା ବେଳେ ସାଧାରଣ ନାଗରିକ-ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଜିଓ – ଜିନ୍ଦାବାଦ କରି ଚାଲିବା କି ଦେଶକୁ ବିକ୍ରୀ ମୁଖରୁ ବଞ୍ଚାଇବା ଓ ବିଭିନ୍ନ କ୍ଷେତ୍ରରେ ଦେଶୀ କମ୍ପାନୀକୁ ଉତ୍ସାହିତ କରିବା, ତାହା ଏବେ ଆମ ସଭିଙ୍କ ସାମ୍ନାରେ ମୁଣ୍ଡ ଖେଳେଇବା ଓ ମୁଣ୍ଡ ଖଟେଇବାର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହୋଇପଡ଼ିଛି। ସବୁଠୁ ଦୁଃଖର କଥା ହେଲା, ଯେଉଁମାନେ କମ୍ପାନୀର ପ୍ରକୃତ ପରିଚୟରେ ଅଛନ୍ତି ବା କମ୍ପାନୀଠୁ ପ୍ରତ୍ୟକ୍ଷ ଭାବେ ଦରମା ପାଉଛନ୍ତି, ସେମାନେ ପ୍ରକୃତ ବୈଷୟିକ ବା ପ୍ରଯୁକ୍ତିଗତ କାର୍ଯ୍ୟଗୁଡ଼ିକ କରୁ ନାହାନ୍ତି। ଏପରିକି ଏକ ନମ୍ବର ଏୟାରଟେଲ୍‌ ସଂସ୍ଥା ଯେଉଁ ଉପସଂସ୍ଥାମାନଙ୍କୁ ନେଟ୍‌ୱର୍କ ଓ ଟାୱାର ସଜାଡ଼ିବା କାମ ଦେଇଛି, ସେମାନେ ଡିପ୍ଲୋମା ବା ଡିଗ୍ରୀ ଇଂଜିନିୟରଙ୍କ ବଦଳରେ ଶହଶହ ୧୯ ବର୍ଷିଆ ITI ପିଲାଙ୍କୁ କାମରେ ଲଗାଇ, ଅଜାଣତରେ ଟେଲିକମ୍‌ ବ୍ୟବସ୍ଥାକୁ ଉଜାଡ଼ିବାରେ ଲାଗିଛନ୍ତି। ଇଂଜିନିୟରମାନେ ଟାୱାରରେ ଚଢ଼ିବାକୁ ଅମଙ୍ଗ ହେବା ବା ଅକ୍ଷମତା ପ୍ରକାଶ କରିବାଟା ହୁଏତ ଏଭଳି ଦୁର୍ଦିନକୁ ଅଧିକ ଦୁର୍ବିସହ କରିବାରେ ଲାଗିଛି।
ବାତ୍ୟା ‘ଫଣୀ’ ରାଜଧାନୀ ଭୁବନେଶ୍ୱରର ଟେଲିକମ୍‌ ଭିତ୍ତିଭୂମିକୁ ମୋଡ଼ିକି ଏମିତି ଛିଡ଼ାଇ ଦେଇଛି ଯେ ଛୁଆ କାରିଗରମାନଙ୍କ ମଗଜରେ ତାହା ପଶୁ ନାହିଁ। ସମସ୍ୟା ଏତେ ଉତ୍କଟଯେ ସବୁ ସେବାପ୍ରଦାନକାରୀ ଟେଲିକମ୍‌ ଅପରେଟର ଏବେ ଗ୍ରାହକଙ୍କ ଅଭିଯୋଗ ମଧ୍ୟ ପଞ୍ଜୀକରଣ କରୁନାହାନ୍ତି। ବରଂ ପ୍ରମାଣହୀନ ଭାବରେ କେବଳ ମୌଖିକ ମଧୁର ପ୍ରତିଶ୍ରୁତି ଦେଇ ଖସିଯିବାର ସୂତ୍ର ଧରିଛନ୍ତି।  
ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୯୩୭୩୫୩୨୯୩