Friday, February 10, 2017

ପାସ୍‌ପୋର୍ଟ ସେବାକେନ୍ଦ୍ର ବ୍ରହ୍ମପୁରରେ କେବେ?

ଦିନକୁ ଦିନ ଡାକଘର ବା ପୋଷ୍ଟ ଅଫିସ୍ ଅନାବଶ୍ୟକ ହୋଇ ପଡ଼ୁଥିବା ବେଳେ ତାହାର ସେବା ପରିସରକୁ ବ୍ୟାପକ କରିବା ପାଇଁ ଗତ ତିନି ଦଶନ୍ଧି ଧରି ବହୁତ ଉଦ୍ୟମ ଓ ପରୀକ୍ଷାନିରୀକ୍ଷା ହୋଇଯାଇଛି। ଏବେ ରୂପେ କେତୋଟି ମୁଖ୍ୟ ଡାକଘରେ “ପାସ୍‌ପୋର୍ଟ ସେବା କେନ୍ଦ୍ର”ର ଶାଖା କାର୍ଯ୍ୟ କରିବ। କେରଳ ପ୍ରାୟତଃ ପ୍ରତି ଜିଲ୍ଲାରେ ପାସପୋର୍ଟ ସେବା କେନ୍ଦ୍ର୍ର ଥିବା ବେଳେ ଓଡ଼ିଶାରେ କେବଳ ରାଜଧାନୀ ଭୁବନେଶ୍ୱରରେ ଆଞ୍ଚଳିକ ପାସ୍‌ପୋର୍ଟ ସେବା କେନ୍ଦ୍ର ରହିଛି। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାର ଆଉ ତିନିଟି ସହରର ମୁଖ୍ୟ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରର ଶାଖା ଖୋଲିବେ, ସେଗୁଡ଼ିକ ହେଉଛି ସମ୍ବଲପୁର, ରାଉରକେଲା ଓ କୋରାପୁଟ। ଏହା ସମେତ ୧୮ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଆଉ ୫୬ଟି ଡାକଘର ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ କର୍ଣାଟକର ମହୀଶୂର ଓ ଗୁଜୁରାଟର ଦାହୋଡ଼ ମୁଖ୍ୟ ଡାକଘର ପରିସରରେ ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ର ସରକାରଙ୍କର ପାସ୍‌ପୋର୍ଟ ନୀତିରେ ସଂସ୍କାର କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ନିଷ୍ପତ୍ତି ହୋଇଛି । ଆଜିର ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ - ୬, ରାଜସ୍ଥାନ - ୫, ବିହାର - ୫, ମଧ୍ୟପ୍ରଦେଶ - ୪, କର୍ଣାଟକ - ୪, ବଙ୍ଗ - ୪, ଓଡ଼ିଶା - ୩, ଝାଡଖଣ୍ଡ - ୩, ଜମ୍ମୁ କଶ୍ମୀର -୨, ହିମାଚଳପ୍ରଦେଶ - ୨, ହରିୟାଣା -୨, ଗୁଜରାଟ - ୨, କେରଳ -୨, ତାମିଲନାଡୁ -୨, ଆନ୍ଧ୍ରପ୍ରଦେଶ -୨, ତେଲେଙ୍ଗାନା -୨ ଆସାମ -୧,  ଛତିଶଗଡ -୧, ଦାମନ -୧, ଡିଉ -୧ ଓ ଦାଦ୍ରା ନଗରହାବେଳି -୧, ଓ ଲାକ୍ଷାଦ୍ୱୀପର  ୧ଟି ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବ।

ଆପଣଙ୍କର ମନେ ଥିବ ଯେ ଟେଲିଫୋନ୍, ଟେଲିଗ୍ରାମ୍, ଟେଲେକ୍ସ, ଫାକ୍ସ, ଇମେଲ, ମଡ଼ିଅର୍ଡ଼ର, ପାର୍ସଲ, ଚିଠି ଦିଆନିଆ ଇତ୍ୟାଦି ସେବାଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଇଛି ବା ବିଚ୍ଛିନ୍ନ ହୋଇଯାଇଛି ଅଥବା ନାଗରିକମାନେ ଆଉ ନିର୍ଭରଶୀଳ ହେଉନାହାନ୍ତି। ଯୁଗ ବଦଳିବା ସହ ଡାକଘରଗୁଡ଼ିକ ବ୍ୟାଙ୍କ୍ର ବିକଳ୍ପ ଭଳି ହେବାକୁ ଉଦ୍ୟମ କରାଯାଉଛି। ବିଶେଷତଃ ହଜାର ହଜାର ଶାଖା ଡାକଘରେ ବସ୍ତୁତଃ କିଛି ବି କାମ ହେଉ ନାହିଁ । ବିଶ୍ୱସନୀୟ ଘରୋଇ ଡାକସେବା ବା କୋରିଅର କମ୍ପାନୀମାନଙ୍କର ଉନ୍ମେଷ ଘଟିବାରୁ ସରକାରୀ ବ୍ୟବସ୍ଥା ନିଜର ରୂପରେଖ ବଦଳେଇବାକୁ ବାଧ୍ୟ ହୋଇଛି।

୨ ଜାନୁଆରି ୨୦୧୭ରେ ଆମ୍ଭେ ଭୁବନେଶ୍ୱରରେ ଭିସା ଫାସିଲିଟେସନ କେନ୍ଦ୍ର ବିଷୟରେ ଲେଖିଥିଲୁ ଏବଂ ଓଡ଼ିଶାରେ କାହିଁକି ମାତ୍ର ଗୋଟିଏ ପାସ୍‌ପୋର୍ଟ ସେବାକେନ୍ଦ୍ର ରହିଛି ବୋଲି ପ୍ରଶ୍ନ କରିଥିଲୁ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶାର ଅନ୍ୟତମ ପ୍ରାଚୀନ ସହର (କଟକ, ପାରଳାଖେମୁଣ୍ଡି, ଜୟପୁର, ବାରିପଦା ଭଳି) ବ୍ରହ୍ମପୁରରେ କାହିଁକି ପାସ୍ପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଲେ ନାହିଁ ? ସେହି ଅଞ୍ଚଳର ଭୋଟରମାନେ ବିଜୁ ଜନତା ଦଳକୁ ଭୋଟ୍ ଦେଉଥିବାରୁ ବୋଧ ହୁଏ, କେନ୍ଦ୍ର ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତା’ଛଡ଼ା ଓଡ଼ିଆରେ କଥା ଅଛି, ଛୁଆ ନକାନ୍ଦିଲେ, ମାଆ ଥନରୁ ଖୀର ବି ଖୋଇନଥାଏ। ସମୂହ ସ୍ୱାର୍ଥ ପାଇଁ ଦାବି କରିବାର ପ୍ରବୃତ୍ତି ବ୍ରହ୍ମପୁରିଆଙ୍କର ଘୋର ଅଭାବ ରହିଛି। ସଂସ୍କୃତି ସମ୍ପନ୍ନ ଗଂଜାମ ଜିଲ୍ଲା ଆଜି ଦେଶର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ ହୋଇ ନପାରିବାର କାରଣ ଆଉ କ’ଣ ହୋଇପାରେ, ତାହା ଆପଣମାନେ କହିବେ।

୨ ଜାନୁଆରି ୨୦୧୭ରେ ଓଡ଼ିଶାର ବଡ଼ ଇ-ଗୃପ୍‌ "ଓଡ଼ିଶା ସୂଚନା ଅଧିକାର ଅଭିଯାନ"ରେ ଯାହା ଲେଖିଥିଲୁ, ତାହାକୁ ଅବିକଳ ଲେପନ କଲୁ:
ଭୁବନେଶ୍ଵରରେ ଆନ୍ତର୍ଜାତିକ ବିମାନବନ୍ଦର ହେବା ପାଇଁ ହୁଏତ ଆପଣ ବି ଚାହୁଥିବେ, ମେହେନତ କରିଥିବେ। ଜାଣନ୍ତି କି ଓଡ଼ିଶା ଲୋକେ ଯାହା ବି କଲେ କେଉଁଠି ନା କେଉଁଠି ଆଳୁଦୋଷ ରହିଥାଏ।  ସେହି ଆଳୁଦୋଷକୁ ଚିହ୍ନଟ କରି ତାହାକୁ ଦୂର କରିପାରିଲେ, ଆମେ ରାଜ୍ୟକୁ ଆଉ ପାଦେ ଆଗକୁ ନେଇପାରିବା। ଏବେ ଆସନ୍ତୁ ଅସଲ ପ୍ରସଙ୍ଗକୁ ଓ ଆଳୁଦୋଷ ଚିହ୍ନଟକୁ:
(୧) ଆନ୍ତର୍ଜାତିକ ବିମାନବନ୍ଦରର ଅର୍ଥ - ଭୁବନେଶ୍ଵରରୁ ବିମାନ ସିଧା ଉଡିବ ବିଦେଶକୁ।
(୨) ବିଦେଶ ଯିବା ପାଇଁ ପାସ୍‌ପୋର୍ଟ ଓ ଭିସା ଦରକାର ହୁଏ। 

(୩) ଏବେ ସୁଦ୍ଧା ପାସ୍‌ପୋର୍ଟ ସେବା କେନ୍ଦ୍ର କେବଳ ରାଜଧାନୀ ଭୁବନେଶ୍ଵରରେ ଅଛି। ଜୟପୁର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାରେ କାହିଁକି ଖୋଲା ଯାଉ ନାହିଁ କେବେ ଭାବିଛନ୍ତି? କେରଳରେ ପ୍ରାୟତଃ ସବୁ ଜିଲ୍ଲା Hqରେ ପାସ୍‌ପୋର୍ଟ ସେବାକେନ୍ଦ୍ର ଅଛି ବୋଲି ଜାଣିଛନ୍ତି କି?

(୪) ଭିସା ଫାସିଲିଟେସନ ସେଣ୍ଟର ଆମ ରାଜ୍ୟରେ ନାହିଁ ବୋଲି ଜାଣନ୍ତି କି? ଯଦି ଜଣେ କୋଲକାତା କି ଦିଲ୍ଲୀରେ ଭିସା ବନେଇବେ, ସେ ସେଇଠୁ ବିମାନ ଧରି କାହିଁକି ବିଦେଶକୁ ନଯିବେ? ଭୁବନେଶ୍ଵର ବିମାନବନ୍ଦର କେଉଁ କାମକୁ - ଭାବି ପାରୁଛନ୍ତି?
(୫) ସେଇ ‘ଭିସା’ ପାଇବା ପାଇଁ, ରାଜ୍ୟ ବାହାରେ ନାଠି ଭାଙ୍ଗି ଠିଆ ହେବା ଏବଂ ଲାଞ୍ଚ ଦେବା ଏକ ପରମ୍ପରା ହୋଇଯାଇଛି। ଆପଣ କ’ଣ ଚାହାନ୍ତି ଏତେ ବଡ଼ ସଂଘୀୟ ବ୍ୟବସ୍ଥାରେ ସେଇ ବ୍ରିଟିଶ ସରକାର ଅମଳର ଦିଲ୍ଲୀ-କଲିକତା-ବମ୍ବେ-ମାଡ଼୍ରାସ ମେଟ୍ରୋରେ ସବୁ ସେବା କେନ୍ଦ୍ରିତ ହୋଇ ରହିଥାଉ???

ଯେଉଁ କଥା ଏଠାରେ ଲେଖିଛି, ତାହା ଭୁଲ୍‌ କଥା ବୋଲି ସାବ୍ୟସ୍ତ କରିବାକୁ ଚଟାପଟ୍‌ କିଛି ମନ୍ତବ୍ୟ ଦେଇପକାଇବା ମଧ୍ୟ ଓଡ଼ିଶା ଲୋକଙ୍କର ଏକ ଆତ୍ମଘାତୀ-ଆଳୁଦୋଷ।
ସମାଧାନର ସୁରାକ:
କେହି କେନ୍ଦ୍ରୀୟ ନେତା ଚାହିଁଲେ, ଆମ ରାଜ୍ୟର ଭାଗ୍ୟ ବଦଳିପାରିବ...

ବିମଳ ପ୍ରସାଦ,