18 फ़रवरी 2017

ତିନି ପ୍ରମୁଖ ଦଳର ସମୀକ୍ଷା କରିବାର ବେଳ

୨୦୧୭ ଫେବୃଆରିରେ ହୋଇଥିବା ପଂଚାୟତ ନିର୍ବାଚନରେ ଭା.ଜ.ପା.କୁ ବିପୁଳ ସଫଳତା ମିଳିବାରେ ଲାଗିଛି । ଓଡ଼ିଶାକୁ ଏକ ବିକଳ୍ପ ଦଳର ଆବଶ୍ୟକତା ଥିଲା । ତାହା ହିଁ ଭାରତୀୟ ଜନତା ପାର୍ଟି (ଭାଜପା) ବୋଲି ଓଡ଼ିଶାର ବିପୁଳ ସଂଖ୍ୟକ ଭୋଟର ବିବେଚନା କରିଛନ୍ତି । ଏ କଥା ବେଶ୍ ସ୍ପଷ୍ଟ ଯେ ଯେଉଁ ଭୋଟ୍‍ଗୁଡ଼ିକ କଂଗ୍ରେସକୁ ଯାଉଥିଲା, ସେହି ଭୋଟ୍‍ଗୁଡ଼ିକ ଭାଜପା ଝୁଲିରେ ପଡ଼ିଛି। କଂଗ୍ରେସକୁ ଭୋଟ୍ ଦେବାଟା ଗୋଟାପଣେ ବୃଥା ବୋଲି ଭୋଟର୍‍ମାନେ ସ୍ଥିର ନିଶ୍ଚିତ ହୋଇଯାଇଛନ୍ତି । କାରଣ କଂଗ୍ରେସରେ ନେତା ନାହାନ୍ତି କି ନୀତି ନାହିଁ । କିନ୍ତୁ ଭାଜପାରେ ସେଇ ଅଭାବ ପୂରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର କୌଣସି ପଦପଦବୀରେ ନଥାଇ ବି ସେ ଭାବୀ ମୁଖ୍ୟମନ୍ତ୍ରୀର
ଧର୍ମେନ୍ଦ୍ର ପ୍ରଧାନ
ଭାବମୂର୍ତିକୁ ନେଇ ସାରା ରାଜ୍ୟରେ ଲୋକଙ୍କ ସହ ମିଶିଛନ୍ତି ଓ ମିଶୁଛନ୍ତି । ମାନେ ନିଜ ଲୋକସଂପର୍କକୁ ବିଜୁଳି ବେଗରେ ବଢ଼ାଇଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ବିବୃତି ଦେଇଥିଲେ ଯେ ଏହି ନିର୍ବାଚନ ତାଙ୍କ ଦଳର ଟାର୍ଗେଟ୍ ନୁହେଁ । ଏପରିକି ଭାଜପା ମଧ୍ୟ ପ୍ରଚାରରେ ବିପୁଳ ବ୍ୟୟ କରି ନାହିଁ । ତଥାପି ଜଣେ ନେତା ଭରସାରେ ଦଳକୁ ଅଭୂତପୂର୍ବ ଓ ଆଶାତୀତ ସଫଳତା ମିଳିଛି । ବିଶେଷତଃ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟରମାନେ ବିଭିନ୍ନ କାରଣରୁ ରାଜ୍ୟ ଶାସକଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର ଫାଇଦା ମଧ୍ୟ ରାଜ୍ୟର ବିଭିନ୍ନ ଅଂଚଳରେ ଭାଜପା ଝୁଲିକୁ ଯାଇଛି ।

୧୪ ବର୍ଷ କ୍ଷମତାରେ ରହି ରାଜ୍ୟରେ ଅରାଜକତା ବଢ଼ାଇଦେଇଥିବା ବିଜୁ ଜନତା ଦଳକୁ ଟକ୍କର ଦେବା ପାଇଁ ୨୦୧୩ ମସିହାରେ ନିଜର ଅଭିଯାନ ଆରମ୍ଭ କରିଥିଲେ କଂଗ୍ରେସ କର୍ମୀ ସୌମ୍ୟରଂଜନ ପଟ୍ଟନାୟକ । ତାଙ୍କୁ ଏଠାରେ
ସୌମ୍ୟରଂଜନ ପଟ୍ଟନାୟକ
କର୍ମୀ କହିବାର ଉଦ୍ଦେଶ୍ୟ ହେଲା
, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ଅଭିଯାନ ଚଳାଇବା ପାଇଁ କୌଣସି ଦାୟିତ୍ୱ ଦେଇନଥିଲା । ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବା ପାଇଁ ରାଜ୍ୟରେ ପଦାସୀନ କଂଗ୍ରେସ ନେତାମାନେ ତତ୍ପର ନହେବାରୁ ସୌମ୍ୟ ବାବୁ ଲୋକସଂପର୍କ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ତାହା ତାଙ୍କ ଦଳର ନେତାଙ୍କ ଦିହରେ ଗଲା ନାହିଁ । କାରଣ ସେ ଏଭଳି ଲୋକପ୍ରିୟତା ଠୁଳାଇବାରେ ଲାଗିଥିଲେ ଯେ କିଛି ନେତା ଭୟ କଲେ, କାଳେ ଦଳ ଜିତିଲେ ୟେ ମୁଖ୍ୟମନ୍ତ୍ରୀ ହୋଇଯିବ! ତେଣୁ ଦଳ ଭିତରେ ବିଦ୍ରୋହ ହେବାରୁ ହାଇକମାଣ୍ଡଙ୍କ ଇସାରାରେ ସୌମ୍ୟ ବାବୁଙ୍କୁ ଦଳରୁ ବାହାର କରିଦିଆଗଲା ୨୦୧୩ ଅକ୍ଟୋବର ୨ ତାରିଖରେ ।  ସେବେଠୁ କଂଗ୍ରେସକୁ ସତେ ଯେମିତି ଓଡ଼ିଶାରେ ରାହୁ ଗୋଡ଼େଇଛି । ଅସଲ କଥା ହେଲା ସେଇ ସମାନ ଢଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବ୍ୟାପୀ ଭାଜପା ପାଇଁ ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରି ନାହିଁ । କାରଣ ତାହା ରାଷ୍ଟ୍ରୀୟ ଭାଜପା ରଣନୀତିର ଏକ ଅଂଶବିଶେଷ। ଉପ୍ରା ସ୍କୁଲ୍ ରଜତ ଜୟନ୍ତୀ ଠାରୁ କଲେଜ ବାର୍ଷିକ ଉତ୍ସବ ପର୍ଯ୍ୟନ୍ତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ମହୋତ୍ସବ ସବୁଠି ସବୁ ଅଂଚଳରେ ଅତିଥି ହେବାର ନିମନ୍ତ୍ରଣ ଗ୍ରହଣ କରି ଏବଂ ସମୟାନୁବର୍ତୀ ଭାବରେ ଉପସ୍ଥିତ ହୋଇ ସେ ଯେଭଳି ଲୋକପ୍ରିୟତା ସାଉଁଟିଛନ୍ତି; ତାହା ରାଜନୀତି ବିଶାରଦମାନଙ୍କୁ ବିସ୍ମିତ କରିଛି । ହେଲେ ଓଡ଼ିଶାବାସୀଙ୍କୁ ନବୀନଙ୍କ ବିକଳ୍ପ ହେବାର ଆଶ୍ୱାସନା ଦେଇଛି । ଚଳିତ ପଂଚାୟତ ନିର୍ବାଚନରେ ଜାତୀୟ କଂଗ୍ରେସ ଯେଭଳି ଭାବେ ପ୍ରତ୍ୟାଖ୍ୟାତ ହୋଇଛି, ସେଥିପାଇଁ ଆତ୍ମସମୀକ୍ଷା କରିବା ଜରୁରୀ ହୋଇଛି । ତଥାକଥିତ କଂଗ୍ରେସୀ ମୁଣ୍ଡିଆଳମାନେ ଜାଣିବା ଦରକାର ଯେ କେବଳ ଫରୱାର୍ଡ଼ ଖେଳାଳି ନୁହେଁ ବ୍ୟାକ୍ ଖେଳାଳି ମଧ୍ୟ ଗୋଲ୍ କରିବାଟା ବେନିୟମ ନୁହେଁ ।

ବିଜୟ ମହାପାତ୍ର
ତେଣେ ରାଜ୍ୟ ଭାଜପାର ରଣନୀତି ବେଶ୍ ରୋଚକ । ଗୋଷ୍ଠୀ କନ୍ଦଳ ପ୍ରସଙ୍ଗ ସହିତ ରାଜ୍ୟବାସୀଙ୍କର ପରିଚିତି ରହିଥିବାରୁ ତାହାକୁ ଏକ ସକାରାତ୍ମକ ରଣନୀତି କରି ଦଳ ସଫଳ ହୋଇଛି । ଯେମିତିକି ତୁଙ୍ଗ ନେତା ବିଜୟ ମହାପାତ୍ର କିଛି ବିବୃତି ଦେଉଥିବେ, ଯାହାକି ଦଳ ବିରୋଧରେ ଯାଉଥିବ ବା ସର୍ବମାନ୍ୟ ନେତା ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଉଥିବ; ଆଉ ଗଣମାଧ୍ୟମ ତାହାର ମଜା ନେବା ପାଇଁ ପ୍ରମୁଖତାର ସହିତ ପ୍ରଚାର କରୁଥିବ । ଏହା ହେଉଛି, ଦଳକୁ ଓ ଯୋଗ୍ୟ ଦଳପତିଙ୍କୁ ବିନା ବ୍ୟୟରେ ଚର୍ଚାରେ ରଖିବାର ଏକ ଚମତ୍କାର ଉପାୟ । ଯାହାକି ଭାଜପାରେ ସମ୍ଭବ ହୋଇଛି । ଅନ୍ୟ ଏକ ରଣନୀତି ହେଲା: ସମ୍ବାଦପ୍ରମେୟଭଳି ଓଡ଼ିଶାର ଦୁଇଟି ପ୍ରମୁଖ ଗଣମାଧ୍ୟମ, ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିବା ତଥା ସେ ଭାଗ ନେଉଥିବା ସଭାସମିତି ଆଦିର ବିବରଣୀକୁ ଫଟୋ ସହ ପ୍ରକାଶ କରିବା । ଅନ୍ୟ ପକ୍ଷରେ କହିବାକୁ ଗଲେ ରାଜ୍ୟରୁ ଅରାଜକତା ଦୂର କରିବା ତଥା ବିକଳ୍ପ ନେତୃତ୍ୱକୁ ପ୍ରୋତ୍ସାହିତ କରିବାର କର୍ତବ୍ୟବୋଧ ପ୍ରଦର୍ଶନ କରିଚାଲିଛି ଏହି ଦୁଇ ଗଣମାଧ୍ୟମ ।

ଯାହା ହେଲେ ବି ପ୍ରାଦେଶିକ ଦଳର ଶାସନ ବଳରେ ରାଜ୍ୟ ନିଜର ଟାଣ ରଖିପାରିଥାଏ କେନ୍ଦ୍ର ସରକାର ସ୍ତରରେ । ଏବେର ବିଜଦ ପାଖରେ ସେହି ଟାଣ ରଖିବାର ଦକ୍ଷତା ନଥିଲେ ସୁଦ୍ଧା ଏହାର ଭରଣା କରାଯାଇପାରିବ । ପିନାକୀ ମିଶ୍ର ଓ ନଗେନ୍ଦ୍ର ପ୍ରଧାନ ଭଳି ବିଚକ୍ଷଣ ରାଜନେତା ଏବଂ ଡା. ଦାମୋଦର ରାଉତ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭଳି ସ୍ଥିତପ୍ରଜ୍ଞ ରାଜନେତା ଥାଇକି ଏକ ବିଶାଳ ପ୍ରାଦେଶିକ ଦଳ କ୍ଷମତାଚ୍ୟୁତ ନହେବାର ଉପାୟ ମଧ୍ୟ ବେଶ୍ ସହଜ । ସୋପାନଗୁଡ଼ିକ ଏହିପରି - ନବୀନ ବାବୁ ରାଜ୍ୟସଭାକୁ ଯିବେ ଏବଂ କେହି ଯୁବ ନେତୃତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ସ୍ପଷ୍ଟ ଘୋଷଣା କରି କେହି ବରିଷ୍ଠ ନେତାଙ୍କ ହାତରେ ଏହି କାର୍ଯ୍ୟକାଳର ଅବଶିଷ୍ଟ
ନବୀନ ପଟ୍ଟନାୟକ
ଅବଧିର ମୁଖ୍ୟମନ୍ତ୍ରୀତ୍ୱ ହସ୍ତାନ୍ତର କରିବେ। ନବୀନ ବାବୁ ଲୋକସଭାକୁ ନଯାଇ ରାଜ୍ୟସଭାକୁ ଯିବାର ଉଦ୍ଦେଶ୍ୟ ହେଲା
, ସେ ବିନା ବାଧାରେ ୬ବର୍ଷ ନିଶ୍ଚିତ ରୂପେ ସାଂସଦ ହୋଇ ରହିପାରିବେ। ସେ ଓଡ଼ିଶା ସ୍ୱାର୍ଥ ପାଇଁ କେତେ ଦରଦୀ, ତାହା ସେ ସେଇଠି ଥାଇ ପ୍ରମାଣ କରିପାରିବେ ଏବଂ ଏଥିପାଇଁ ନିଜ ସାଂସଦମାନଙ୍କୁ ମାର୍ଗଦର୍ଶନ ବି ଦେଇପାରିବେ ସେଇ ନୂଆଦିଲ୍ଲୀରେ ଥାଇ । ସେ ଓଡ଼ିଆ ଭାଷାସଂସ୍କୃତି ଜାଣି ନଥିବାର ମହାକଳଙ୍କରୁ ମୁକ୍ତି ପାଇଁ ଏବଂ ନିଜ ଦଳର ଗାଦି ରକ୍ଷା ପାଇଁ ସବୁଠୁ ଭଲ ଉପାୟ ହେଉଛି ମୁଖ୍ୟମନ୍ତ୍ରୀତ୍ୱ ଛାଡ଼ିବା ଓ ଭୁବନେଶ୍ୱର ଛାଡ଼ିବା । ନିଜ ବୁଦ୍ଧିରେ ନଚାଲି ଜଣେ ଦିଜଣ ଉପଦେଷ୍ଟାଙ୍କ କଥାରେ ଚାଲୁଥିବା ନବୀନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଆମ୍ଭ ପ୍ରସ୍ତାବ ଯଦି ସେହି ଉପଦେଷ୍ଟାଙ୍କ ବିଚାର ହୋଇ ଉଭା ହେବ, ତେବେ ଓଡ଼ିଶାରେ ଅନ୍ୟ ପଡ଼ୋଶୀ ରାଜ୍ୟ ଭଳି ପ୍ରାଦେଶିକ ଦଳର ଦବ୍‍ଦବା ହୁଏତ ରଖିବା ସହଜ ହୋଇଯିବ । ଅନ୍ୟ ପକ୍ଷରେ ଦଳଗଠନ ପରଠୁ କେବଳ କ୍ଷମତା ଭୋଗ କରୁଥିବା ବିଜଦ ଯଦି ଆଗାମୀ ନିର୍ବାଚନରେ ସଂଖ୍ୟାଗରିଷ୍ଠ ନହୁଏ, ତେବେ ଏହା କ୍ରମଭଙ୍ଗୁରପ୍ରବଣ ଦଳ ହୋଇ ନଯାଇ, ଶୃଙ୍ଖଳିତ ବିରୋଧୀ ଦଳର ଭୂମିକା ତୁଲାଇବା ଜରୁରୀ । ଏହା ସହ ଶାସକ ଦଳ ଭାବରେ ବିଧାନସଭାର ଅମର୍ଯ୍ୟାଦା କରିବା ଜନିତ ଗ୍ଳାନିକୁ ଦୂର କରିବାକୁ ପ୍ରସ୍ତୁତ ରହିବା ଦରକାର । ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଟିକଟ ଆଶାୟୀମାନଙ୍କ ତାଲିକା ଅନ୍ୟ ସବୁ ଦଳଠାରୁ ବିଜଦର ଢେର୍ ଲମ୍ବା । ଏହା ହିଁ ଦଳର ଲୋକପ୍ରିୟତାର ଏକ ପ୍ରମୁଖ ସୂଚକ। ମୁଖ୍ୟତଃ ବିଧାନସଭା କ୍ଷେତ୍ର ପାଇଁ ଯୁବନେତାମାନଙ୍କୁ ଟିକଟ ଦେବାର ଆଗୁଆ ଘୋଷଣା କରାଗଲେ, ଲୋକସଂପର୍କ ଓ ଜନମତର ସମୀକରଣକୁ ନିଜ ଦଳ ସପକ୍ଷରେ ବଦଳାଇ ଦେଇପାରିବେ ।

ପ୍ରଦୀପ ମାଝି
ତେବେ ଉପରୋକ୍ତ ସହଜ ରଣନୀତି ପ୍ରତି ଦ୍ରୁତ ଲୋକପ୍ରିୟତା ଠୁଳାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଜପା କେତେ ସତର୍କ ଅଛି, ତାହା ୨୦୧୯ ନିର୍ବାଚନ ଫଳରୁ ଜଣାପଡ଼ିଯିବ । ତେଣେ ପ୍ରଦେଶ କଂଗ୍ରେସ ଯଦି ଗୋଷ୍ଠୀ କନ୍ଦଳଠୁ ଦୂରେଇ ଯାଇ ପ୍ରଦୀପ ମାଝୀଙ୍କ ଭଳି ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରୋଜେକ୍ଟ କରି ଅଭିଯାନ ଚାଲୁ ରଖିବ ଏବଂ ନିରଂଜନ ପଟ୍ଟନାୟକ ଓ କାହ୍ନୁଚରଣ ଲେଙ୍କା ଏକାଠି କାର୍ଯ୍ୟ କରିପାରିବେ, ତେବେ ରାଜ୍ୟରେ ପୁଣି ତ୍ରିମୁଖୀ ଲଢ଼େଇର ଭୂମି ପ୍ରସ୍ତୁତି କଥାକୁ ଏଡ଼ାଇ ହେବ ନାହିଁ । ଏସବୁ କେବଳ ଆକଳନ ଓ ଅନୁମାନ ବୋଲି କେହି କେହି ମତାମତ ଦେଇପାରନ୍ତି । କିନ୍ତୁ ଯାହା ସତ୍ୟ ଓ ସମ୍ଭବ, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ବିମଳ ପ୍ରସାଦ, ଭୁବନେଶ୍ୱର @bimalodisha