Thursday, January 5, 2017

ଧନ୍ୟବାଦ କାସନ୍ଦା ଗ୍ରାମବାସୀ

ରଣପୁରରୁ ଏକ ରୋଚକ ଖବର। ବ୍ୟାଙ୍କ୍‌ ଡକାୟତି କରି ଫେରୁଥିବା ଡକାୟତମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ସାମ୍ନା କଲେ ଏବଂ ମାଡ଼ ଦେଲେ। ତହୁଁ ମରିଗଲେ ୨ ଜଣ ଡକାୟତ। ଆଉ ଜଣେ ଆହତ ହୋଇ ଡାକ୍ତରଖାନା ଶେଯରେ ଶୋଇଛି। ଏଭଳି ସାହସିକତା ପାଇଁ କାସନ୍ଦା ଗ୍ରାମବାସୀଙ୍କୁ ସାମାଜିକ ସଂଗଠନମାନେ ପୁରସ୍କୃତ କରିବା ଆବଶ୍ୟକ। କାରଣ ସରକାର ବା ସରକାରୀ ସଂଗଠନ ଏହା କରିପାରିବେ ନାହିଁ ଆଇନ ଦୃଷ୍ଟିରୁ। ଭାରତୀୟ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ କେବଳ ଅଦାଲତ ଦେଇପାରିବେ। ନଚେତ୍‌ ପୁଲିସ୍‌ ବା ପ୍ରତିରକ୍ଷା ବାହିନୀ ସହ ଲଢ଼େଇ ବେଳେ କାହାର ମୃତ୍ୟୁ ହୋଇପାରେ। ଏହା ବ୍ୟତୀତ ଇଚ୍ଛା ମୃତ୍ୟୁ ମଧ୍ୟ ଭାରତୀୟ ଆଇନରେ ଅପରାଧ। ତେଣୁ ଡକାୟତଙ୍କୁ ମୁକାବିଲା କରି ବୀରତ୍ଵର ସହିତ ପ୍ରତିଆକ୍ରମଣ ଦ୍ଵାରା ସେମାନଙ୍କ ପ୍ରାଣ ନେଇଥିବା ଗ୍ରାମବାସୀଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି ତ?

୪ ଜାନୁଆରି ୨୦୧୭ ଦିନ ଦ୍ଵିପ୍ରହରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଇଲାକାର କାସନ୍ଦା ଗାଁଠାରେ ଥିବା କାନାରା ବ୍ୟାଙ୍କ୍‌ ଲୁଟି ଖସି ପଳାଉଥିବା ୩ଜଣ ଡକାୟତଙ୍କ ବୋମା ମାଡ଼କୁ ନଡରି ସ୍ଥାନୀୟ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଲେ। ଏଥିରେ ଦୁଇ ଜଣ ଡକାୟତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଘଟଣାଟି ଏମିତି। ଅପରାହ୍‍ଣ ପ୍ରାୟ ୩ଟାରେ କଳା ଜ୍ୟାକେଟ୍‍ ଓ କଳା ମୁଖା ପିନ୍ଧି ଏହି ତିନିଜଣ ଓଆର୍‍-୦୨-ବିଡି-୦୪୬୩ ନମ୍ବର ୟାମାହା ମଟରବାଇକ୍‌ରେ କାସନ୍ଦା କାନାରା ବ୍ୟାଙ୍କ ଶାଖା ନିକଟରେ ପହଞ୍ଚିଥିଲେ। ବ୍ୟାଙ୍କ୍‌ରେ ଧସେଇ ପଶି ପ୍ରଥମେ ମ୍ୟାନେଜର ରଂଜନ ସାମନ୍ତସିଂହାର, କ୍ୟାସିୟର ଅଭିମନ୍ୟୁ ବେହେରା ଓ ଷ୍ଟାଫ୍‍ମାନଙ୍କୁ ଭୁଜାଲି, ବୋମା ଦେଖାଇ ଧମକଚମକ ଦେଇଥିଲେ। ଏମିତି କି ଗ୍ରାହକ କାର୍ତିକ ସାହୁ ଓ ପ୍ରଭାତ ବେହେରା ବ୍ୟାଙ୍କ ମଧ୍ୟରେ ଭିତରକୁ ପ୍ରବେଶ କରୁଥିବା ସମୟରେ ଡକାୟତମାନେ ଖଣ୍ଡାରେ ଉଭୟଙ୍କୁ ଆଘାତ ଦେଇଥିଲେ। ବ୍ୟାଙ୍କ୍‌ ପିଅନ ପୂର୍ଣ୍ଣଚନ୍ଦ୍ର ଜେନା ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ତାଙ୍କୁ ଭୁଜାଲିରେ ହାଣି ଦେଇଥିଲେ। ଭୁଜାଲି ଚୋଟ ପୂର୍ଣ୍ଣଚନ୍ଦ୍ରଙ୍କ ହାତରେ ବାଜିଥିଲା। ପରେ କ୍ୟାସିୟରଙ୍କ ଦେହରେ ଭୁଜାଲି ଲଗାଇ କ୍ୟାସ ରୁମ୍‍ରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ବ୍ୟାଙ୍କ ଭିତରେ ଏତେସବୁ ଚାଲିଥିବା ବେଳେ ବାହାରେ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଗ୍ରାମବାସୀ ପହଞ୍ଚିଯିବାରୁ ୩ଜଣଯାକ ବାଇକ୍‍ରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏମିତି କି ସେଠାରେ ବୋମାମାଡ଼ ମଧ୍ୟ କରିଥିଲେ। କିନ୍ତୁ ଗ୍ରାମବାସୀ ଚାରିପଟୁ ଘେରିଯାଇଥିଲେ। ୩ ଡକାୟତ ବୋମା ଓ ଭୁଜାଲି ଦେଖାଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଜନଗହଳି ଭିତରକୁ ପୁଣି ଏକ ବୋମା ମାଡ଼ କରିଥିଲେ। କିନ୍ତୁ ଦ୍ୱିତୀୟ ବୋମାଟି ଫୁଟି ନଥିଲା। ଡକାୟତଙ୍କ କପାଳ ମନ୍ଦ ଥିଲା। ଏହି ସମୟରେ ଏକ ପଥର ମଝିରେ ସେମାନଙ୍କ ମଟରବାଇକ୍‌ ଫସିଯିବାରୁ ତାହାର ଚେନ୍‌ ଛିଣ୍ଡି ଗଲା। ତିନିଜଣଯାକ ବିଲ ଭିତରକୁ ଛିଟିକି ପଡ଼ିଲେ। ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ଆକ୍ରମଣ ଆରମ୍ଭ କରି ଦେଇ ନିସ୍ତୁକ ପିଟିଲେ। ପ୍ରବଳ ମାଡ଼ରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଗଲା। ଅନ୍ୟ ଜଣେ ଆହତ ହୋଇ ଧୁକୁସୁକୁ ହେଉଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତଙ୍କ ଠାରୁ ସେହି ୩ ଲକ୍ଷ ଟଙ୍କା, ଦୁଇଟି ଭୁଜାଲି, ଗୋଟିଏ ଜୀବନ୍ତ ବୋମା ଓ ମଟରବାଇକ୍‍ ଜବତ କରିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀଧର ପାଣିଙ୍କୁ ସ୍ୱତନ୍ତ୍ର ଭାବେ ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି। ସେ ତଦନ୍ତ ଚଳାଇଛନ୍ତି ବୋଲି ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତଦନ୍ତକାରୀ ଅଧିକାରୀ ଶ୍ରୀଧର ପାଣି କହିଛନ୍ତି ଯେ ମୃତ ଦୁଇ ଡକାୟତ ହେଉଛନ୍ତି ନିରାକାରପୁରର ବଦ୍ରିନାରାୟଣ ମାର୍ଥା ଓ ରତ୍ନପୁରର ଜିତୁ। ଆହତ ଜଣକ ଲଳିତପାଟଣାର ବିମଳ ପଣ୍ଡା। ନିରାକାରପୁର ବଜାରରେ ବଦ୍ରିଙ୍କ ଟିଭି ମରାମତି ଦୋକାନ ରହିଥିବା ବେଳେ ବିମଳ ସେଠାରେ କାମ କରୁଥିଲା। ପୁଲସି କହିଛି ଯେ ଜବତ ହୋଇଥିବା ବାଇକ୍‍ଟି ବଦ୍ରିର।

ରଣପୁରର ପୁରୁଣା ନାମ ରାଜ-ରଣପୁର ବା ରଣପୁରଗଡ଼। ବ୍ରିଟିଶ ରାଜ୍‌ ବିରୋଧରେ ଲଢ଼ି ଫାଶୀଦଣ୍ଡ ପାଇଥିବା ଶହୀଦ୍‌ ରଘୁ-ଦିବାକର (ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା) ହେଉଛନ୍ତି ଏଇ ରଣପୁର ଅଞ୍ଚଳର। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହ ରଣପୁର ରାଜ୍ୟ ଓ ରାଜାଙ୍କର ବେଶ୍‌ ଐତିହାସିକ ସଂପର୍କ। ଏଇ ରଣପୁର ସହ ଯୋଗାଯୋଗ ପାଇଁ ସେକାଳୁ ରାଜା ନିର୍ମାଣ କରାଇଛନ୍ତି ଜଗନ୍ନାଥସଡ଼କ। ଯାହାକୁ ଆଧୁନିକ ଯୁଗର ଗାଣତନ୍ତ୍ରିକ ସରକାର ବି ସମ୍ମାନର ସହ ପୁନଃନିର୍ମାଣ କରିଛନ୍ତି। କରିବେନି କେମିତି? ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ସିନା ଗଢ଼ା ହେଲା ୧୯୩୬ ଏପ୍ରିଲ୍‌ ପହିଲାରେ। ହେଲେ ରଣପୁର ପରା ସେଇ ଉତ୍କଳ ବା ଓଡ଼ିଶା ସହ ସାମିଲ ହେଲା ୧ ଜାନୁଆରି ୧୯୪୮ରେ। ଏ ଘଟଣା ସେଇ ଜାନୁଆରିକୁ ମନେ ପକାଇ ଦେଉଛି। ହେଲେ ରଣପୁର ରାଜ୍ୟର ଓଡ଼ିଶା ସହ ମିଶ୍ରଣ ରାଜିନାମାରେ କ’ଣ କ’ଣ ସର୍ତ ଥିଲା, ତାହାକୁ ଏବେ ବି କିଛି ରଣପୁରିଆ ମନେ ପକାଇ ଦେଇ ସରକାରଙ୍କୁ ସତର୍କ କରାଇ ଦିଅନ୍ତି।

ସେଇ ରଣପୁରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରିଥିବା ବ୍ରିଟିଶ୍‌ ସରକାରର ଅତ୍ୟାଚାରୀ ଅଧିକାରୀ ମେଜର ବେଜେଲଗେଟ୍‌କୁ ୫ ଜାନୁଆରି ୧୯୩୯ରେ ପିଟିପିଟି ମାରି ଦେଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ନାମକ ଦୁଇ ଯୁବକ। ତାରିଖଗୁଡ଼ିକର ସାମଞ୍ଜସ୍ୟ ବେଶ୍‌ ରୋଚକ ନୁହେଁ କି? ତେଣୁ ମୋତେ ଲାଗୁଛି ଶହୀଦ୍‌ ରଘୁ-ଦିବାକରଙ୍କ ଦାୟାଦମାନେ ଏବେ ବି ସେଇ ମିଜାଜ ନେଇକି ତିଷ୍ଠିଛନ୍ତି ରଣପୁର ଗଡ଼ଜାତ ଅଞ୍ଚଳରେ। ଯେଉଁ କାମକୁ ଗନଗହଳିପୂର୍ଣ ସହରରେ କେହି ସ୍ଥାନୀୟ ବାସିନ୍ଦା କରିବାକୁ ସାହସ କରୁନାହାନ୍ତି, ତାହାକୁ କାସନ୍ଦା ଗ୍ରାମବାସୀ କରି ଦେଖାଇଲେ। ଇତିହାସର ପୁନରାବୃତ୍ତି କଲେ। ଚୋର ହେଉ ଅବା ଅଫିସର। ମନ୍ଦ ଉଦ୍ଦେଶ୍ୟ ଯାହାର, ରଣପୁରରେ ମରଣ ତାହାର। ସ୍ଵତନ୍ତ୍ରତା ଓ ମାନବିକତା ଭିତରେ ବଞ୍ଚିବା ଶିଖାଇଥିବା ସେହି ରାଜବଂଶର ଶେଷ ରାଜା ବ୍ରଜେନ୍ଦ୍ରଚନ୍ଦ୍ର ସିଂହଦେଓ ବ୍ରଜଧର ନରେନ୍ଦ୍ର ମହାପାତ୍ରଙ୍କୁ ମନେ ପକାଇ ଏହି ବ୍ୟାଖ୍ୟାନକୁ ଏଇଠି ଶେଷ କରୁଛି।


ବିମଳ ପ୍ରସାଦ, ୯୯୩୭୩୫୩୨୯୩