Wednesday, December 28, 2016

ଭାଷା ଯୁଦ୍ଧରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା



ଗତ କିଛି ଦିନ ଧରି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବା ଦାବି ଜୋର୍‌ ଧରିଛି । ବିଶେଷ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଦୁଇ ଶାସକ ଦଳର କେନ୍ଦ୍ରର ଅବହେଳା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମିଡିଆଯୁଦ୍ଧ ଚାଲିଛି। ଆଉ ସବୁ ଘଟଣା ଭଳି ଏଥର ମଧ୍ୟ ଓଡ଼ିଶାବାସୀ ହଠାତ୍‌ ଏ ଯୁଦ୍ଧର ଆବାହନ ଓ ତିରୋଧାନ ବିଷୟରେ କିଛି ବୁଝି ନପାରି ଜଳକା ହୋଇ ଚାହିଁ ରହିଛନ୍ତି । ତେବେ ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ସର୍ବଭାରତୀୟ ପ୍ରାକ୍‌ଡାକ୍ତରୀ ପ୍ରବେଶିକା ପରୀକ୍ଷା ବିଷୟରେ ସଂକ୍ଷିପ୍ତ ସୂଚନା ଦେବାର ଆବଶ୍ୟକତା ରହିଛି ।

ଦେଶର ମୋଟ ଡାକ୍ତରୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ୬୦% ଥିବା ବେସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନାମଲେଖା ମନୋନୟନ ପଦ୍ଧତିରେ ସରକାରଙ୍କ ଅଙ୍କୁଶ ନଥିବାରୁ ଡାକ୍ତରୀ ଶିକ୍ଷାର ବ୍ୟବସାୟୀକରଣକୁ ବନ୍ଦ କରିବା ସହିତ ଦେଶର ଚିକିତ୍ସା କ୍ଷେତ୍ରକୁ ସ୍ୱଚ୍ଛତା ଓ ଉତ୍କର୍ଷତା ପାଇଁ ସମଗ୍ର ଦେଶରେ ଏକକ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଇବାକୁ ସିମରନ ଜୈନ ମାମଲା(୩୮୦(ମ)୨୦୦୯) ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟ, ଭାରତୀୟ ଚିକିତ୍ସା ପରିଷଦ (Medical Council of India)ର ମତ ଲୋଡିବାରୁ ଫେବୃଆରୀ୨୦୧୨ ସୁଦ୍ଧା ଏହା କରାଯିବ ବୋଲି ସତ୍ୟପାଠ ଦାଖଲ କଲେ । ନୂତନ ଭାବରେ ପ୍ରଚଳନ ହେବାକୁ ଥିବା ଏହି ସର୍ବଭାରତୀୟ ସ୍ତରରେ ଏକକ ଡାକ୍ତରୀ ନାମଲେଖା ପ୍ରବେଶିକା ପରୀକ୍ଷା ପଦ୍ଧତିକୁ ଅଧିକ ପାରଦର୍ଶୀ କରିବାପାଇଁ ୨୨ ଜୁଲାଇ ୨୦୧୧ରେ ସର୍ବସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଥିଲା । ଏହି ମତାମତକୁ ଭିତ୍ତି କରି ଉକ୍ତ ପ୍ରବେଶିକା ପରୀକ୍ଷା ପାଇଁ ସିଲାବସ ପ୍ରସ୍ତୁତି, ପରୀକ୍ଷାର ମାଧ୍ୟମ ଏବଂ ଆସନ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରିବାକୁ କେନ୍ଦ୍ରସରକାର ୨୯ ନଭେମ୍ବର ୨୦୧୧ରେ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । 

ଏହି କମିଟି ଏକାଧିକ ଥର ବସିବା ପରେ ୨୩ ଅଗଷ୍ଟ ୨୦୧୨ ତାରିଖର ବୈଠକରେ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତିକୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗ ବିରୋଧ କରିବାରୁ ଏହି ରାଜ୍ୟର ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ନିଆଗଲା । ଏହି ରାଜ୍ୟର ମତ ଥିଲା – ‘‘ସଂଖ୍ୟାଧିକ ପିଲା ମାତୃଭାଷାରେ ପ୍ରାଥମିକ, ମାଧ୍ୟମିକ ସ୍ତରୀୟ‌ ଶିକ୍ଷାଲାଭ କରୁଥିବାରୁ କେବଳ‌ ହିନ୍ଦୀ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ କରାଗଲେ ସେମାନେ ପ୍ରଶ୍ନ ବୁଝପାରିବେ ନାହିଁ । ଫଳ‌ରେ ଠିକ୍‌ ଉତ୍ତର ଦେଇ ନପାରି ବହୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେବେ ଏହା ଗରିବ ପିଲାଙ୍କ‌ ସ୍ଵାର୍ଥ ଅନୁକୂଳ‌ ହୋଇ ନଥିବା ବେଳେ କେବଳ ଇଂରାଜୀ - ହିନ୍ଦୀ ମାଧ୍ୟମର ପିଲାଙ୍କ‌ ସ୍ଵାର୍ଥକୁ ଲକ୍ଷ୍ୟ ରଖି କରାଯାଇଛି । ତେଣୁ ମାତୃଭାଷାରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀଙ୍କ‌ ଭବିଷ୍ୟତକୁ ଦୃଷ୍ଟି‌ରେ ରଖି ଏହି ପରୀକ୍ଷା ପ୍ରାଦେଶିକ ଭାଷାରେ ଅନୁଷ୍ଠି‌ତ କରାଯାଉ ବୋଲି ସେହି ସବୁ ରାଜ୍ୟର ସ୍ଵାସ୍ଥ୍ୟସଚିବମାନେ ମତ ପ୍ରଦାନ କରିଥିଲେ।’’

ଏହି ବୈଠକରେ ଓଡ଼ିଶାର ସରକାରଙ୍କ ପ୍ରତିନିଧି ଭାବରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଜଣେ ଯୁଗ୍ମସଚିବ ଉପସ୍ଥିତ ଥାଇ ବିନା ପ୍ରତିବାଦରେ କମିଟିର ସମସ୍ତ ସର୍ତ୍ତ ମାନିନେଇଥିବା ବେଳେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କ ଭଳି ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ପ୍ରସ୍ତୁତ କରିବାକୁ ଦାବି କରିନଥିଲେ ଏହି ଖବର ଜଣାପଡିବା ପରେ ଅନ୍ୟ ରାଜ୍ୟର ଭାଷା ଭଳି ଓଡ଼ିଶାର ରାଜ୍ୟଭାଷା ଓଡ଼ିଆରେ ଏହି ପ୍ରବେଶିକା ପରୀକ୍ଷା ଓଡ଼ିଆରେ କରିବାକୁ ୧୮ ସେପ୍ଟେମ୍ବର ୨୦୧୨ରେ ‘‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’’ ପକ୍ଷରୁ ଦୃଢ ଦାବି କରିବା ସହ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧପତ୍ର ପ୍ରେରଣ କରିଥିଲା । ୨୦ ସେପ୍ଟେମ୍ବର ୨୦୧୨ ତାରିଖରେ ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନବସମ୍ବଳ ବିକାଶ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପତ୍ର ଲେଖି ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିଲେ । ୨୨ ସେପ୍ଟେମ୍ବର ୨୦୧୨ରେ ଆଞ୍ଚଳିକ ଭାଷା ଭାବରେ ମରାଠୀ ଓ ଅହମିୟା ଭାଷାରେ ଉକ୍ତ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱୀକାରୋକ୍ତି ରହିଥିବାରୁ ତଥା ଓଡ଼ିଶା ସରକାର ଏ ବିଷୟରେ କୌଣସି ଦାବି କରି ନଥିବାରୁ ଏବଂ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ ହେଲେ କୌଣସି ଆପତ୍ତି ନାହିଁ ବୋଲି ପୂର୍ବ ବୈଠକମାନଙ୍କରେ ସମ୍ମତି ଦେଇଥିବାରୁ ଓଡ଼ିଆରେ ପ୍ରଶ୍ନପତ୍ର ମୁଦ୍ରଣର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟୀକରଣ ଦେଲା। ପରେ ଏଥିପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ବିରୋଧୀ ମାନସିକତାକୁ ତୀବ୍ର ଭର୍ତ୍ସନା କରି, ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ କରିବା ତଥା ଏହି ପ୍ରବେଶିକା ପରୀକ୍ଷା ପାଇଁ ଓଡ଼ିଶାରେ ଚିହ୍ନିତ ୨ଟି କେନ୍ଦ୍ରରୁ ଅଧିକ କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରନ୍ତୁ ବୋଲି ୨୪ ସେ୍ଟେମ୍ବର ୨୦୧୨ରେ ଓଡ଼ିଆଭାଷା ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧପତ୍ର ଦେଥିଲେ। ଏହାର ଉତ୍ତରରେ ସେହିଦିନ ଓଡ଼ିଶାର ସ୍ୱାସ୍ଥ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶା ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସର୍ବଭାରତୀୟ ସ୍ତରରେ ବିଫଳ ହେବାର ଆଶଙ୍କା ଥିବାରୁ ଓଡ଼ିଶା ଡାକ୍ତରୀ ଶିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପ୍ରାକ୍‌ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ସମ୍ପୃକ୍ତ ନହୋଇ ପୂର୍ବପରି OJEE ମାଧ୍ୟମରେ ପ୍ରାକ୍‌-ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଇବ । 


ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ, ‘‘NEET ମାଧ୍ୟମରେ ନାମଲେଖା ହେଲେ ବାହାର ରାଜ୍ୟର ପିଲାମାନେ ଓଡ଼ିଶାର ମେଡ଼ିକାଲ କଲେଜରେ ନାମଲେଖାଇବା ଦ୍ୱାରା ରାଜ୍ୟ ଘୋଷଣା କରିଥିବା କଟକଣା ଏମାନଙ୍କ ପାଇଁ ଲାଗୁ ହୋଇପାରିବ ନାହିଁ।”  ଅଥଚ କେନ୍ଦ୍ର ଅନୁରୋଧକ୍ରମେ କିଛିଦିନ ପରେ ଓଡ଼ିଶା ପୁଣି ଥରେ ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଓଡ଼ିଆରେ ପ୍ରଶ୍ନପତ୍ର ଛାପିବାକୁ ଦାବି କରି ନଥିଲା । ଏପରିକି ବେସରକାରୀ ମେଡିକାଲ କଲେଜ ସଂଘ ଦ୍ୱାରା ପ୍ରଦତ୍ତ ମାମଲାର ବିଚାର କରି ସୁପ୍ରିମକୋର୍ଟ ୧୮ ଜୁଲାଇ ୨୦୧୩ରେ ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ ନୁହେଁ ବୋଲି ରାୟ ପ୍ରଦାନ କରିଥିଲେ ସୁଦ୍ଧା ଓଡ଼ିଶା ସେଥିରୁ ଓହରି ଆସି ନଥିଲା। ବରଂ ଏହି ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET ବଦଳରେ ୪ ମଇ ୨୦୧୪ରେ ଆୟୋଜିତ  AIPMTରେ ଅଂଶଗ୍ରହଣ କରିଥିଲା । ଏହି ପରୀକ୍ଷାରେ କୌଣସି ରାଜ୍ୟ ଯୋଗ ଦେବା ଇଚ୍ଛାଧୀନ ହୋଇଥିବା ବେଳେ ଓଡ଼ିଶା ଏଥିରେ ଅଂଶ ଗ୍ରହଣ କରିଥିବାରୁ ଓଡ଼ିଆ ପିଲାଙ୍କ ସ୍ୱାର୍ଥରକ୍ଷାପାଇଁ ଓଡ଼ିଆରେ ପ୍ରଶ୍ୱପତ୍ର କାହିଁକି ଛପାଯିବନାହିଁ ବୋଲି ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ୨୬ ନଭେମ୍ବର ୨୦୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ଏବଂ ରାଜ୍ୟସଭାରେ ୧୧ ଫେବୃଆରି ୨୦୧୪ରେ ଏହି ପ୍ରଶ୍ନ ଉଠାଇ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ। ମାତ୍ର ଓଡ଼ିଶା ସରକାରଙ୍କ ଠାରୁ ଏଭଳି କୌଣସି ପ୍ରସ୍ତାବ ଆସି ନଥିବାରୁ ଏହା ବିଚାରଯୋଗ୍ୟ ନୁହେଁ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

୧୧ ଏପ୍ରିଲ୍‌ ୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ NEETର ପୁନଃପ୍ରଚଳନ ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବା ଫଳରେ ପୁଣି ଥରେ ଏହି ଏକକ ପରୀକ୍ଷାରେ ୬ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ଅନୁମତି ଦେବା ସହ ଅନ୍ୟଭାଷାକୁ ସାମିଲ କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଥିଲେ। ଓଡ଼ିଶାର ୬ ଲକ୍ଷ ଓଡ଼ିଆ ମାଧ୍ୟମ ପିଲାଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ଉକ୍ତ ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବାକୁ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଦାବି କରନ୍ତୁ ବୋଲି ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ୧୨ ମଇ ୨୦୧୬ରେ ସାମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାପନ କରିଥିଲା। ଏହା ସହ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲା। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦାବିକୁ ଉପେକ୍ଷା କରି ଇଂରାଜିରେ ଓଡ଼ିଆ ପିଲା ପରୀକ୍ଷା ଦେବେ ବୋଲି ପତ୍ରାଙ୍କ ୧୮୭୬୭/ ତା.୨୭ ଜୁଲାଇ ୨୦୧୬ରେ ରାଜ୍ୟ ସରକାରଙ୍କ ଯୁଗ୍ମସଚିବ ଡି.ଜି. ଦେବତା ପାତ୍ର କେନ୍ଦ୍ରକୁ ପତ୍ର ଲେଖିଥିଲେ । ଶେଷଥର ପାଇଁ ୨୮ ନଭେମ୍ବର ୨୦୧୬ରେ ଭିଡିଓ କନଫରେନ୍ସିଙ୍ଗ୍‌ ମାଧ୍ୟମରେ ଏ ସମ୍ପର୍କରେ ଓଡ଼ିଶାର ମତାମତ ଚାହିଁଥିଲେ ହେଲେ, ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ନଦେଖାଇବାରୁ ଓଡ଼ିଆରେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ଥିବା ଶେଷ ସୁଯୋଗ ଓଡ଼ିଶା ହରାଇଲା।

ଏହି ସମୟରେ ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଦାବି ଶକ୍ତିଶାଳୀ ହେଉଥିବାରୁ ଲୋକମାନଙ୍କ ଧ୍ୟାନ ହଟାଇବାପାଇଁ NEET ବିଜ୍ଞପ୍ତି ପ୍ରକାଶିତ ହେବା ପରେ ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦୁ ବ୍ୟତୀତ ୬ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବା ଦ୍ୱାରା ମୋଟ ୨୪ଟି ରାଜ୍ୟର ପିଲାମାନେ ନିଜ ଭାଷାରେ ପରୀକ୍ଷା ଦେଇ ଡାକ୍ତର ହେବାର ସ୍ୱପ୍ନକୁ ଚରିତାର୍ଥ କରିବାକୁ ଯାଉଛନ୍ତି। ହେଲେ ଓଡ଼ିଆପିଲା ଏହି ସୁଯୋଗରୁ ବଞ୍ଚିତ ହେବେ ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବାରୁ ହଠାତ୍‌ ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିରେ ହସ୍ତକ୍ଷେପ କରି ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ରଟିଏ ଲେଖିଛନ୍ତି। ଦୁଃଖର କଥା ହେଲା ଏହି ପତ୍ରରେ ଚଳିତ ବର୍ଷ ବଦଳରେ ଆସନ୍ତାବର୍ଷ ଠାରୁ NEET ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବା ଅନୁରୋଧ ହିଁ ରାଜ୍ୟ ସରକାରଙ୍କ ଅନିଚ୍ଛା ଭାବକୁ ସ୍ପଷ୍ଟ ପ୍ରମାଣ କରେ । 
NEET ପରୀକ୍ଷା ଦ୍ୱାରା ଅଧିକ ଡାକ୍ତରୀ ଶିକ୍ଷାନୁଷ୍ଠାନ ନଥିବା ଓଡ଼ିଶା ରାଜ୍ୟ ବିଶେଷ ଉପକୃତ ହୋଇପାରିବ । କାରଣ ପ୍ରତ୍ୟେକ ରାଜ୍ୟରେ ଥିବା ମେଡ଼ିକାଲ କଲେଜର ୮୫% ସିଟ୍‌ କେବଳ ସେହି ରାଜ୍ୟର ପିଲାମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । ଅବଶିଷ୍ଟ୧୫% ସିଟ୍‌  ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ମୁକ୍ତ ରଖାଯିବ। ତେଣୁ ଓଡ଼ିଶା ପୂର୍ବପରି ୧୫% ସିଟ୍‌ ଅର୍ଥାତ ୯୩ଟି ସିଟ୍‌ ସର୍ବଭାରତୀୟ ପିଲାମାନଙ୍କ ପାଇଁ ଛାଡ଼ୁଥିବା ବେଳେ, ସର୍ବଭାରତୀୟ ସ୍ତରରେ ଥବା ମୋଟ ୪୨୦୦୦ ସିଟ୍‌ରୁ ୬୩୦୦ (MBBS/BDS) ଏବଂ ୨୦୬୦୦ ସିଟ୍‌ ମଧ୍ୟରୁ ୩୦୯୦ ସିଟ୍‌ (MS/MD)ପାଇଁ ଓଡ଼ିଶାର ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଅର୍ଥାତ୍‌ ପୂର୍ବରୁ ଓଡ଼ିଶାର ୩୫୦ ସରକାରୀ ଓ ୩୦୦ ବେସରକାରୀ ଡାକ୍ତରୀ ସିଟ୍‌ ମଧ୍ୟରୁ ୫୫୦ ସିଟ୍‌ ପାଇଁ ପ୍ରତିଯୋଗିତା ହେଉଥିଲା । ଏବେ ଆମ ପିଲାମାନେ ୬୮୫୦ ସିଟ୍‌ ପାଇଁ ପ୍ରତିଯୋଗିତା କରିବେ। ଏଥିରୁ ଯଦି ୧୦% ପିଲା ସଫଳ ହୁଅନ୍ତି, ତେବେ ପ୍ରତିବର୍ଷ ଓଡ଼ିଶାରୁ ୧୧୮୦ (୫୫୦+୬୩୦) ଜଣ ଡାକ୍ତର ବାହାରିବେ । ଅଧିକା ୬୩୦ ଡାକ୍ତର ପାଇଁ ରାଜ୍ୟ ସରକାରଙ୍କୁ ଆଉ ୬ଟି ଡାକ୍ତରୀ କଲେଜ୍‌ ଖୋଲିବାକୁ ପଡିବ ନାହିଁ ।

ବର୍ତ୍ତମାନ ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆପିଲାଙ୍କ ନଗଣ୍ୟ ସଫଳତା ହାରକୁ ଦେଖି କେହି ହୁଏତ ୧୦% ସଫଳତା ଉପରେ ପ୍ରଶ୍ନ ଆଙ୍କିପାରନ୍ତି । ମାତ୍ର ଏଥିପାଇଁ କେନ୍ଦ୍ରସରକାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି । ତାହା ହେଉଛି ଏହି ପରୀକ୍ଷା ପ୍ରଶ୍ନପତ୍ର ଆଞ୍ଚଳିକ ଭାଷାରେ ମୁଦ୍ରିତ ହେବ । ଅନ୍ୟ ଆଞ୍ଚଳିକ ଭାଷା ପରି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଲେଖାଗଲେ ଓଡ଼ିଆ ପିଲା ଅଧିକ ସଫଳତା ପାଇପାରିବେ। କାରଣ ଓଡ଼ିଶାର ପ୍ରାୟ ୯୭% ପିଲା ଦଶମ ଶ୍ରେଣୀ (ଚଳିତବର୍ଷ ପ୍ରାୟ ୬ଲକ୍ଷ ୫୦ହଜାର) ଓଡ଼ିଆ ମାଧ୍ୟମରେ ପଢିଥାନ୍ତି ଏବଂ +୨ପରୀକ୍ଷା ବେଳକୁ ସେଇ ଓଡ଼ିଆରେ ପଢ଼ିବାର ମାନସିକତା ସେମାନଙ୍କ ଠାରୁ ଦୂରେଇ ଯାଇ ନଥାଏ । ଓଡ଼ିଶା ସରକାର ମଧ୍ୟ କୋଠାରୀ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରୁଛନ୍ତି। ସେହି ଅନୁସାରେ +୨ବିଜ୍ଞାନ ପ୍ରଶ୍ନପତ୍ର ଇଂରାଜୀ ସହିତ ଓଡ଼ିଆରେ ମୁଦ୍ରଣ କରାଯାଉଛି । ତେଣୁ ପ୍ରାକ୍-ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ହେଲେ ବିଦ୍ୟାର୍ଥୀମାନଙ୍କର ବୁଝିବାରେ କୌଣସି ଅସୁବିଧା ହେବ ନାହିଁ। ବରଂ ଇଂରାଜୀ ସହିତ ଓଡ଼ିଆରେ ଲେଖାହେବା ଦ୍ୱାରା ବହୁ ଜଟିଳ ପ୍ରଶ୍ନ ବୁଝିପାରି ସହଜରେ ଉତ୍ତର ଦେଇପାରିବ । ଏହା କେବଳ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏଥିରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ଔପଚାରିକ ଶିକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ କିମ୍ବା ଏହା ଦ୍ୱାରା ଡାକ୍ତରୀ ଶିକ୍ଷାର ଗୁରୁତ୍ୱ ହ୍ରାସ ପାଇବ ନାହିଁ। ବିଗତ ୩ ବର୍ଷର AIPMT ପରୀକ୍ଷାଫଳ ଅନୁଧ୍ୟାନ କଲେ ଜଣାଯିବ ଯେ, ପ୍ରତିବର୍ଷ ୪୦ରୁ ୫୦ହଜାର ଓଡ଼ିଆ ପିଲା ଏହି ପରୀକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ରୁ ୧୩୦୦ପିଲା ପ୍ରାଥମିକ ପରୀକ୍ଷାରେ ସଫଳ ହେଉଥିବା ବେଳେ ମୁଖ୍ୟ ପରୀକ୍ଷାରେ ସଫଳତା ୩୦୦ରୁ ୪୦୦ ଭିତରେ ରହୁଛି । ଅର୍ଥାତ ଓଡ଼ିଶାରେ ଥିବା ୩ଟି ସରକାରୀ ଓ ୪ଟି ବେସରକାରୀ ମେଡିକାଲ କଲେଜର ପ୍ରାୟ ୧୫୦୦ ସିଟ୍‌ରେ ପ୍ରାୟ ୧୦୦୦ରୁ ବେଶି ସିଟ୍‌ରେ ଅଣଓଡ଼ିଆ ପିଲା ପଢିବାର ସୁଯୋଗ ପାଉଛନ୍ତି । ଯାହା ପୂର୍ବରୁ ଏହି ସବୁ ସିଟ୍‌ରେ ଓଡ଼ିଆପିଲା ପଢୁଥିଲେ ।

ରାଜ୍ୟରେ ଆବଶ୍ୟକ ଥିବା ୩୦,୦୦୦ଡାକ୍ତରଙ୍କ କାମ ଅଣଡାକ୍ତରଙ୍କ ହାତରେ। ଏହାବ୍ୟତୀତ ଭାରତୀୟ ରୋଗ, ଚିକିତ୍ସା ଓ ଔଷଧ ସହ ପରିଚିତ ନଥିବା କେତେକ ବିତ୍ତଶାଳୀ, ନିଜ ପିଲା ପାଇଁ ବାହାର ଦେଶରୁ ଅର୍ଥବଳରେ ଡାକ୍ତରୀ ଡିଗ୍ରୀ ହାସଲ କରି ଏଠାରେ ଚିକିତ୍ସକ ସାଜି କି ପ୍ରକାରର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି, ତାହା ସମସ୍ତେ ଉଣା ଅଧିକେ ଅନୁଭବୀ ଥିବେ । ତେଣୁ ଏଭଳି ସଂକଟ ସମୟରେ ନୀଚ-ରାଜନୀତିକୁ ପ୍ରଶ୍ରୟ ନ ଦେଇ ଓଡ଼ିଶାବାସୀଙ୍କ ସୁବିଧା ଓ ଓଡ଼ିଆ ବିଦ୍ୟାର୍ଥୀଙ୍କ ମେଧାକୁ ସ୍ୱାସ୍ଥ୍ୟବିଭାଗ ସମ୍ମାନ ଦେବା ଆବଶ୍ୟକ। ବିଳମ୍ବ ହେଉ ପଛକେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଯେଉଁଭଳି ଭାବରେ ଓଡ଼ିଆଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ପାଇଁ ଦାବି କରୁଛନ୍ତି, ସେଥିରେ ଯଦି ଆନ୍ତରିକତା ଥାଏ, ତେବେ ଗରିବ ଓଡ଼ିଆପିଲାର ଡାକ୍ତର ହେବା ସ୍ୱପ୍ନ ନିଶ୍ଚିତ ଭାବରେ ସାକାର ହୋଇପାରିବ । ଏହାଦ୍ୱାରା ଓଡ଼ିଆ ଜାତି ବା ଭାଷାର ମର୍ଯ୍ୟାଦା ବୃଦ୍ଧି ପାଇବା ସହିତ ସାଧାରଣ ମଣିଷ ପାଇଁ ଚିକିତ୍ସା ସେବା ହାତ ପାଆନ୍ତାରେ ମିଳିଯିବ ।

ଲେଖକ: ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ସଦସ୍ୟ ସଚିବ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା”, ଏ-୧୬୪, ସହିଦନଗର, ଭୁବନେଶ୍ୱର, ଦୂରଭାଷ - ୯୦୯୦୪୬୫୭୫୮ (୨୮ ଡିସେମ୍ବର ୨୦୧୬ର ‘ସମାଜ’ ସଂପାଦକୀୟ ପୃଷ୍ଠାରେ ଏହାର ସଂପାଦିତ ଅଂଶ ପ୍ରକାଶିତ)