30 अक्तूबर 2016

ସଭ୍ୟଦେଶରେ ଅଚିହ୍ନାଶବ - ଏକ ଅଡ଼ୁଆ ପ୍ରଶ୍ନ

ଗୋଟେ ନିଆଁ ନଲିଭୁଣୁ ଆଉ ଗୋଟିଏ ନିଆଁ ଉଠୁଛି ଏବଂ ତାହାକୁ ପ୍ରଶମିତ କରିବାକୁ ନାନାଦି ଫିକର ହେଉଛି। ତଥାପି ପ୍ରଜାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପ୍ରଶାସନ ପଟିମାରିବାରେ ଲାଗିଛି। ୨୦୧୬ ଅକ୍ଟୋବର ୨୪ ତାରିଖରେ ମାଓବାଦୀ ପ୍ରବଣ ମାଲକାନଗିରି ଜିଲ୍ଲାରେ ଆନ୍ଧ୍ର ଗ୍ରେହାଉଣ୍ଡ୍‌ ଓ ଅନ୍ୟ ସୁରକ୍ଷା ବାହିନୀର ମିଳିତ ଆକ୍ରମଣରେ ମାଓବାଦୀ ଶିବିର ଧ୍ୱଂସ ହେବା ସହ ମୋଟ ୨୮ ଜଣ ମାଓବାଦୀ କ୍ୟାଡ଼ର ମୃତ୍ୟୁମୁଖରେ ପଡ଼ିଲେ। ଆଜିର ଦୁଃଖଦାୟକ କଥାଟି ହେଉଛି, ତହିଁରୁ ୧୨ଟି ଅଚିହ୍ନା ମୃତଦେହକୁ ଓଡ଼ିଶା ପୁଲିସ୍‌ ଶେଷରେ ପୋତି ଦେଲା। କାରଣ ୩୦ ଅକ୍ଟୋବର (ସାତ ଦିନ) ପର୍ଯ୍ୟନ୍ତ ସେହି ମୃତଦେହଗୁଡ଼ିକର କେହି ଦାବିଦାର ନଥିଲେ।

(୧) ପ୍ରତ୍ୟେକ ମଣିଷର ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଏବଂ ମରିବା ପରେ ମର୍ଯ୍ୟାଦାର ସହ ଦାହସଂସ୍କାର ହେବାର ଅଧିକାର ଅଛି। କିନ୍ତୁ ୧୨ଟି ମୃତଦେହ ସହ ଯାହା ହେଲା, ତାହା କ’ଣ ମାନବାଧିକାର ଉଲ୍ଲଂଘନ ନୁହେଁ?

(୨) ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବଂଗ ଓ ମହାରାଷ୍ଟ୍ରରେ ମାଓବାଦୀମାନେ ସକ୍ରିୟ ଅଛନ୍ତି। ମାଲକାନଗିରିରେ ମଧ୍ୟ ପ୍ରଥମ ଚାରିଟି ରାଜ୍ୟର ମାଓବାଦୀମାନେ ମେଳି ହେବାର ରିପୋର୍ଟମାନ ବାହାରିଛି। ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ସେହି ମୃତଦେହଗୁଡ଼ିକର ଦାବିବାର ସନ୍ଧାନ ପାଇଁ କୌଣସି ସୂଚନା ଦିଆଯାଇଥିଲା କି?

(୩) ‘ଆଧାର’ ପଞ୍ଜୀକରଣ ବ୍ୟବସ୍ଥାରେ ଦେଶର ୮୦ ଭାଗ ଜନତା ସାମିଲ ହେବା ପରେ ପ୍ରାୟତଃ ଆଉ କେହି ଅଚିହ୍ନା ବା ଲାୱାରିସ ନୁହନ୍ତି। ମଣିଷମାନଙ୍କର ଦୁଇ ହାତର ଆଙ୍ଗୁଠି ଚିହ୍ନକୁ ମେଳ କରି ଆଧାର (UID) ଡାଟାବେସ୍‌ରୁ ତାଙ୍କର ନାମ, ବାପାଙ୍କ ନାମ, ଘର  ଠିକଣା, ଜନ୍ମତାରିଖ ଇତ୍ୟାଦି ଅବିଳମ୍ବେ ପାଇହେବ। ଏହା କ’ଣ ପୁଲିସ୍‌ ଅଧିକାରୀମାନଙ୍କୁ ଏବଂ ଗୁଇନ୍ଦା ଅଧିକାରୀମାନଙ୍କୁ ଜଣା ନାହିଁ? ଯଦି ଜଣାଅଛି ବା ମୁଣ୍ଡରେ ବୁଦ୍ଧି ଢୁକିଥିଲା, ତେବେ କରିଛନ୍ତି କ’ଣ?

(୪) ହୁଏତ ମାଓବାଦୀ ଗୋଷ୍ଠୀମାନେ ଅପହରଣ କରି ନେଇ ଯୁବକମାନଙ୍କୁ ଜୋରଜବରଦସ୍ତ ସଶସ୍ତ୍ର କ୍ୟାଡ଼ର ବନାଉଥିବେ। ତେଣୁ ସେମାନେ ଆଖପାଖର ନହୋଇ ଦୂରବର୍ତ୍ତୀ ସ୍ଥାନରୁ ଆସିଥାଇ ପାରନ୍ତି। କିନ୍ତୁ ସର୍ବଭାରତୀୟ ସ୍ତରରେ ନିରୁଦ୍ଦିଷ୍ଟ ବ୍ୟକ୍ତିମାନଙ୍କର କୌଣସି ବିଜ୍ଞାନସମ୍ମତ ଡାଟାବେସ୍‌ ପରିଚାଳିତ ହେଉ ନଥିବାରୁ ସେହି ନାଗରିକମାନଙ୍କୁ ଚିହ୍ନଟ କରିବାରେ ପୁଲିସ୍‌ ବିଫଳ ହୋଇଛି।

(୫) ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ଯେ ପୁଲିସ୍‌ ହୁଏତ ଟାର୍ଗେଟ୍‌ ପୂରଣ କରିବା ପାଇଁ କିଛି ଅଣମାଓବାଦୀଙ୍କୁ ଅନ୍ୟ ଆଡ଼ୁ ଧରି ଆଣି ସେଠାରେ ମାରିକି ପକାଇ ଦେଇଛି। ଏହି ସନ୍ଦେହ ଯଦି ଆଇନ ଅଦାଲତ ପର୍ଯ୍ୟନ୍ତ ଯାଏ, ପୁଲିସ୍‌ର ଦମ୍‌ ଅଛି ତ ସାମ୍ନା କରିବାକୁ?

(୬) ଉପରୋକ୍ତ ବିନ୍ଦୁଗୁଡ଼ିକ ଉପରେ ସରକାରଙ୍କ ସୁରକ୍ଷା ପରାମର୍ଶଦାତା ତଥା ଆଇନ ପରାମର୍ଶଦାତାମାନେ ଅବଶ୍ୟ ନିଜର ମତ ଦେଇଥିବେ। କିନ୍ତୁ ହେଲା କ’ଣ? ୧୨ ଜଣଙ୍କର କ’ଣ ଇଜ୍ଜତ ରହିଲା? ସେମାନେ କିଏ? ସେମାନଙ୍କ ସ୍ତ୍ରୀ-ସନ୍ତାନ, ମାଆବାପା କ’ଣ କେହି ତାଙ୍କର ମଲାମୁହଁ ଦେଖିପାରିଲେ କି?

୧୯୮୬ ମସିହାର ଓଡ଼ିଶା ନୁହେଁ, ୨୦୧୬ ମସିହା ଚାଲିଛି। ଘଡ଼ିକେ ଘୋଡ଼ା ଛୁଟୁଛି। ଅନ୍ତତଃ ଟିଭି ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଜରିଆରେ ଲୋକଙ୍କ ପାଖରେ ନିମିଷକେ ଖବର ପହଞ୍ଚି ପାରୁଛି। ତେଣୁ ଓଡ଼ିଶା ସରକାର ଏମିତି ଖାମ୍‌ଖିଆଲୀ କାର୍ଯ୍ୟ କରିବାର ପରିଣତି କ’ଣ ହେଉଛି ଦେଖିବାକୁ ରହିଲା।

ସବୁଠୁ ଲଜ୍ଜାଜନକ କଥାଟି ହେଲା ଆମ ଦେଶରେ ଚୋଖା ଚୋଖା ସଫ୍ଟୱେର୍‌ ଡେଭଲପର୍‌ ଥାଇକି ଏବଂ ଦେଶରେ Digital India କାର୍ଯ୍ୟକ୍ରମ ଥାଇ ସୁଦ୍ଧା ଜନସୁମାରି (Census) ନାମରେ ଏକ ପ୍ରହସନ ଚାଲିଛି। କାରଣ ସାରା ଦେଶବାସୀ ଏବେ ବି କମ୍ପ୍ୟୁଟର ଡାଟାବେସ୍‌ରେ ପରିଣତ ହୋଇନାହାନ୍ତି। ଗୋଟିଏ ସଭ୍ୟ ଦେଶରେ ଅଚିହ୍ନା କ’ଣ କିଏ ଥାଏ? ବ୍ୟୁରୋକ୍ରାଟ୍‌ମାନେ ଏ ସଭ୍ୟ ଦେଶକୁ ଚଳାଇବା ଦିଗରେ ନୂଆ ନୂଆ ଜ୍ଞାନ ଓ ଜ୍ଞାନକୌଶଳ ପାଇବାକୁ ଯେଉଁ ବିଦେଶ ଯାତ୍ରା କରନ୍ତି, ତାହା କେବଳ ପର୍ଯ୍ୟଟନରେ ସୀମିତ ରହିଯାଏ କି, ସତରେ କିଛି ଶିଖନ୍ତି???

13 अक्तूबर 2016

ଖବରକାଗଜ ଛୁଟି ପାଳେ କାହିଁକି?

ଦଶହରା ଓ ମହରମ୍‌ରେ ଛୁଟି ପାଳିଲେ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ଖବରକାଗଜ। କାହାର ଦୁଇ ଦିନ ତ କାହାର ତିନି ଦିନ ଛୁଟି। ଏପରିକି ଇଂଲିଶ୍‌ ଖବରକାଗଜମାନେ ମଧ୍ୟ ଛୁଟି ନେଇଛନ୍ତି। ଇଂଲିଶ୍‌ ଖବରକାଗଜମାନେ ବର୍ଷକୁ ଅତିବେଶିରେ ୭ ଦିନ ଛୁଟି ନେଉଥିବା ବେଳେ ଭାରତୀୟ ଭାଷାର ଖବରକାଗଜମାନେ ବର୍ଷକୁ ୧୦ ବା ଅଧିକ ଦିନ ଛୁଟି ନେଇଥାଆନ୍ତି। ଅଥଚ ରେଡ଼ିଓ ଓ ଟେଲିଭିଜନ ଚ୍ୟାନେଲ, ହସପିଟାଲ, ଥାନା, ସୀମାସୁରକ୍ଷା, ବସ୍‌, ରେଳଗାଡ଼ି, ଓ ଉଡ଼ାଜାହାଜ  ଇତ୍ୟାଦି ବିନା ଛୁଟିରେ ନିରନ୍ତର ସେବା ଯୋଗାଇଥାଆନ୍ତି। ଏପରିକି ନ୍ୟୁଜ୍‌ ପୋର୍ଟାଲଗୁଡ଼ିକ ମଧ୍ୟ ଛୁଟି ନନେଇ ନିରନ୍ତର ସେବା ଦେଇଥାଆନ୍ତି।

ହିନ୍ଦୀ ସମେତ ବିଭିନ୍ନ ଭାରତୀୟ ଭାଷାର ସଂବାଦପତ୍ର ଏହି ଛୁଟିପ୍ରବଣତାରେ ପୀଡ଼ିତ। ପ୍ରକାଶନ-ସଂସ୍ଥାମାନେ ଦୈନିକ ଖବରକାଗଜଗୁଡ଼ିକୁ ବର୍ଷର ୩୬୫ ଦିନ (ଅଧିବର୍ଷ ହେଲେ ୩୬୬ଦିନ) ପ୍ରକାଶ କରିବାକୁ ଚାହୁଥିଲେ ସୁଦ୍ଧା ଏଜେଣ୍ଟ ଓ ବଣ୍ଟାଳିମାନଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। କାରଣ ଗ୍ରାହକମାନଙ୍କ ପାଖରେ କାଗଜକୁ ପହଞ୍ଚାଇବାର କାମ ତ ସେଇ ଏଜେଣ୍ଟ ଓ ବଣ୍ଟାଳିମାନଙ୍କର। ଯଦି ଗ୍ରାହକଙ୍କ ପାଖରେ ପହଞ୍ଚି ନପାରିବ, ତେବେ ଛାପା ହେବ ବା କାହିଁକି - ଏଇ ଯୁକ୍ତିରେ ହିଁ ଖବରକାଗଜ ବର୍ଷର ପ୍ରତିଦିନ ବାହାରୁ ନାହିଁ।


ଖବରକାଗଜ ଏଜେଣ୍ଟ ବା ହକରମାନେ ମୁଖ୍ୟତଃ କୌଣସି ଓଡ଼ିଆ ଖବରକାଗଜର ଏଜେଣ୍ଟ/ହକର ହୋଇଥିବାରୁ, ସଂପୃକ୍ତ ଖବରକାଗଜର ଛୁଟି ଅନୁସାରେ ଇଂଲିଶ୍‌ ଖବରକାଗଜର ଗ୍ରାହକମାନେ ସେବା ପାଇଥାଆନ୍ତି। ଓଡ଼ିଆ ଖବରକାଗଜର ଏଜେଣ୍ଟ ଓ ବଣ୍ଟାଳି(ହକର) ମାନଙ୍କୁ ଲୋଡ଼ା ହେଉଥିବା ଛୁଟି ଯୋଗୁ ଓଡ଼ିଆ ଖବରକାଗଜଗୁଡ଼ିକ ଧର୍ମ ଓ ଜାତୀୟତା ଭିତରେ ବନ୍ଦୀ ହୋଇଯାଇଛି। ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଜନ୍ମାଷ୍ଟମୀ ଓ ଗହ୍ମାପୁନେଇ ଭଳି ବର୍ଷକୁ ପ୍ରାୟ ୧୦ ଦିନ ଛୁଟି ପାଳୁଛନ୍ତି ଖବରକାଗଜ ପ୍ରକାଶନ ସଂସ୍ଥାମାନେ। କିନ୍ତୁ ରେଡ଼ିଓ ଓ ଟିଭି ସେବା କିପରି ଜାରି ରହିପାରୁଛି, ତାହା ଉପରେ ହୁଏତ ଚିନ୍ତା କରିଥିଲେ ବି ସେମାନେ କିଛି ସମାଧାନ ପନ୍ଥା ବାହାର କରିନାହାନ୍ତି। ଅବଶ୍ୟ ଛାପା ଖବରକାଗଜର ଭବିଷ୍ୟତ ବେଶି ଦିନ ନୁହେଁ। ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ଆଡ଼କୁ ଯେଭଳି ଭାବରେ ଶିକ୍ଷିତ ସମାଜ ମୁହାଁଇଲେଣି, ତାହାର ପରିଣତି ସ୍ଵରୂପ ସମସ୍ତେ ଚାହୁଛନ୍ତି, ଆଙ୍ଗୁଠି ଟିପରେ ସବୁ କିଛି। ତେବେ ଖବରକାଗଜ ବିତରଣ ପ୍ରକ୍ରିୟାରେ ସୁଧାର ଆସିବା ଦରକାର। ଉଦାହରଣଃ: ଓମ୍‌ଫେଡ଼୍‌ କ୍ଷୀରର ବିତରଣ ତ ବର୍ଷ ତମାମ୍‌ ଚାଲିପାରୁଛି, ଖବରକାଗଜ କାହିଁକି ନୁହେଁ? ଏହାର ଉତ୍ତର କେବଳ ରହିଛି ରାଜ୍ୟର ୧ ନମ୍ବର ଓ ୨ ନମ୍ବର ଖବରକାଗଜ ପାଖରେ। ସେମାନଙ୍କ ପ୍ରସାରଣ ବିଭାଗର ମୁଖ୍ୟମାନେ ଚାହିଁଲେ ଖବରକାଗଜ ପ୍ରସାରଣ ବା ବିତରଣକୁ ନୂଆ ପରିଭାଷା ଦେଇ ପାରିବେ। କାରଣ ସେଇମାନଙ୍କ ନିୟନ୍ତ୍ରଣରେ ଅଛନ୍ତି ରାଜ୍ୟର ଖବରକାଗଜ ଏଜେଣ୍ଟ ସଂଘମାନେ। ଅବଶ୍ୟ ଏଇ ନୂଆ ପରିଭାଷା ପାଇଁ ଦେଶର କୌଣସି ସୃଜନଶୀଳ ନମୁନାକୁ ଅନୁକରଣ କରିବାକୁ ପଡ଼ିପାରେ। ଓଡ଼ିଶାରେ ଖବରକାଗଜଗୁଡ଼ିକର ସାଂଧ୍ୟ ସଂସ୍କରଣ ବନ୍ଦ ହୋଇ କେବଳ ପ୍ରଭାତୀ ସଂସ୍କରଣ ଚାଲୁ ରହିବା ପରିପ୍ରେକ୍ଷୀରେ ଖବରକାଗଜର ରୂପରେଖ ଓ ପରିଭାଷା ବଦଳିବାଟା ଜରୁରୀ ହୋଇପଡ଼ିଛି।

ସାପ୍ତାହିକ ବିରତି ଅଦଳବଦଳ ଜରିଆରେ ଯେମିତି ପୃଥିବୀର ବିଭିନ୍ନ କାର୍ଯ୍ୟ ଓ ସେବା ନିରନ୍ତର ଭାବେ ଚାଲିଛି, ଖବରକାଗଜ ମୁଦ୍ରଣ ଓ ପ୍ରସାରଣ ମଧ୍ୟ ସେଇଭଳି ନିରନ୍ତର ଭାବେ ଚାଲିପାରିବ। ଆପଣଙ୍କ ପାଖରେ କୌଣସି ନମୁନାର ସୂଚନା ଅଛି କି? ଆମେ ସ୍ଵର ଉଠାଇଲେ ନିଶ୍ଚୟ ଏକ ଗତାନୁଗତିକ ଧାରାରୁ ଦୈନିକ ଖବରକାଗଜଗୁଡ଼ିକୁ ମୁକ୍ତ କରିହେବ। ଠିକ୍‌ ଯେମିତି ସ୍ମାର୍ଟଫୋନ୍‌ ଭିତ୍ତିକ ‘ଓଲା’, ‘ଉବେର’ ଓ ‘ଜୁଗ୍‌ନୁ’ App ବଳରେ ବନ୍ଦ ହୋଇପାରିଛି ଟାକ୍ସିବାଲା ଓ ଟେମ୍ପୋବାଲାଙ୍କ ମନ୍‌ମାନି ବା ‘ଉତ୍ପାତ’।

ଭାରତରେ ନ୍ୟୁଜ୍‌ ପୋର୍ଟାଲର ଲୋକପ୍ରିୟତା ଯେତେ ବଢ଼ିଲେ ସୁଦ୍ଧା ଛାପା ଖବରକାଗଜର ଆବଶ୍ୟକତା ରହୁଛି। ତେଣୁ ଖବରକାଗଜକୁ ବର୍ଷର ପ୍ରତ୍ୟେକ ଦିନ ପ୍ରକାଶ କରିବା ପାଇଁ ଏକ ବିପ୍ଳବ ହେଉ।

ବିମଳ ପ୍ରସାଦ, ଭୁବନେଶ୍ଵର, bimal.odisha@yahoo.in