Friday, September 30, 2016

ବିନା ଡାକ୍ତରରେ ସ୍ଵାସ୍ଥ୍ୟସେବା ଅନିବାର୍ଯ୍ୟ

ସେଦିନ ୨୧ ସେପ୍ଟେମ୍ବର ୨୦୧୬, ବୁଧବାର। ସ୍ଥାନ - ଭୁବନେଶ୍ଵରର ‘‘ମେଫେୟାର କନ୍‌ଭେନ୍‌ସନ୍‌’’। ଥିଲା ଓଡ଼ିଶା ବିକାଶ ସମନ୍ୱୟସଭା (Odisha Vikash Conclave) ୨୦୧୬ର ଉଦ୍‌ଯାପନୀ ଦିବସ। ପ୍ରଥମ କରି ଅନୁଷ୍ଠିତ ଏଭଳି ଏକ ସମନ୍ୱୟସଭାରେ ଓଡ଼ିଶାର ଏକାଧିକ ମୁଦ୍ଦା ଉପରେ ସୁପାରିଶ ବାହାର କରାଗଲା। ଆଉ ଉଦ୍‌ଯାପନୀ ଦିବସର ପ୍ରଥମ ଅଧିବେଶନରେ ସେଗୁଡ଼ିକର ଉପସ୍ଥାପନା କରାଯାଇଥିଲା। ‘ସ୍ଵାସ୍ଥ୍ୟ’ ମୁଦ୍ଦା ଉପରେ ଉପସ୍ଥାପିତ ସୁପାରିଶଗୁଡ଼ିକ ମଧ୍ୟରୁ ମୁଖ୍ୟ ଥିଲା Demedicalization of Health Care Services, ଅର୍ଥାତ୍‌ ‘‘ସ୍ଵାସ୍ଥ୍ୟସେବାକୁ ଡାକ୍ତର-କୈନ୍ଦ୍ରିକ ଢାଞ୍ଚାରୁ ମୁକ୍ତ କରିବା’’। ଏବେ ରାଜ୍ୟରେ ସ୍ଵାସ୍ଥ୍ୟ ସେବାର ପରିସ୍ଥିତି ଓ ସ୍ଥିତି ଯାହା, ଡାକ୍ତରଖାନା-କୈନ୍ଦ୍ରିକ ଢାଞ୍ଚାକୁ ପରିହାର କରିବା ଭିନ୍ନ ଅନ୍ୟ ଗତି ନାହିଁ।

ସ୍ଵାସ୍ଥ୍ୟସେବା କହିଲେ କେବଳ ଏଲୋପାଥି ଚିକିତ୍ସା ବ୍ୟବସ୍ଥାକୁ ବୁଝାଉଛି। ‘ଆୟୁଷ’ ନାମରେ ଅନ୍ୟ ଚିକିତ୍ସା ପଦ୍ଧତିଗୁଡ଼ିକୁ କେନ୍ଦ୍ର ସରକାର ଉତ୍ସାହିତ କରୁଥିଲେ ସୁଦ୍ଧା, ସେହି ପଦ୍ଧତିର ଡାକ୍ତରମାନଙ୍କୁ ସେଭଳି ମର୍ଯ୍ୟାଦା ଦେଇ ନାହାନ୍ତି। ଏଣେ ଲୋକମାନେ ବି ବ୍ରିଟିଶ ଶାସନ ଅମଳରୁ ଏଲୋପାଥି ଚିକିତ୍ସା ପଦ୍ଧତି ପ୍ରତି ଏତେ ମାତ୍ରାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି ଯେ ସନ୍ଥ ରାମଦେବ ବିକଳ୍ପ ସ୍ଵାସ୍ଥ୍ୟରକ୍ଷା ପଦ୍ଧତିର ଯେତେ ପ୍ରଚାର କଲେ ବି ‘ସନ୍‌ ଫାର୍ମା’ ଭଳି ଏଲୋପାଥି ଔଷଧ ଉତ୍ପାଦନକାରୀ କମ୍ପାନୀ ହୋଇରହିଛି ଦେଶର ସବୁଠୁ ଧନୀ କମ୍ପାନୀ। ଆମେ ଗଣମାଧ୍ୟମରୁ ଶୁଣୁଛୁ, ପଢୁଛୁ ଯେ ପ୍ରତି ବର୍ଷ କିଛି ନା କିଛି ଡାକ୍ତରୀ (MBBS) ଆସନ କମିଯାଉଛି ଓଡ଼ିଶାର ମୁଷ୍ଟିମେୟ ମେଡ଼ିକାଲ କଲେଜରୁ। ଏଣେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଘୋର ଅଭାବ ବଢ଼ି ବଢ଼ି ଯାଉଛି। ସରକାର ଯାହା ୨୦୦୨ ମସିହାରେ କରି ପାରିଥାଆନ୍ତେ, ତାହା କରୁଛନ୍ତି ୨୦୧୬ରେ। ଅର୍ଥାତ୍‌ ନୂଆ ମେଡ଼ିକାଲ କଲେଜ ସ୍ଥାପନ। ପୁଣି କୌଣସିଟି ନୂଆ ମେଡ଼ିକାଲ କଲେଜ, ଏବେ ଅସ୍ଥାୟୀ କୋଠାରେ ଚାଲୁ ହୋଇ ନାହିଁ। ଏଣୁ ଯଦି ୫ଟି ମେଡ଼ିକାଲ କଲେଜ ସତରେ ହୁଏ, ତେବେ ସେଥିରୁ କାର୍ଯ୍ୟକ୍ଷମ ଡାକ୍ତର ବାହାରିବାକୁ ୬ ବର୍ଷ ଲାଗିବ। ତାଲିମ ଦେଇ ଡାକ୍ତର କରି ହେବ ନାହିଁ। ଡାକ୍ତର ହେବାକୁ ଦରକାର ଶିକ୍ଷା ଓ ଅଭ୍ୟାସ। ମଣିଷର ଜୀବନ ମରଣ ପ୍ରସଙ୍ଗ ହୋଇଥିବାରୁ ସୁଶିକ୍ଷିତ ଚିକିତ୍ସକ ନିତାନ୍ତ ଆବଶ୍ୟକ।

ଡାକ୍ତର-ଭିତ୍ତିକ ସ୍ଵାସ୍ଥ୍ୟସେବା କାରଣରୁ ଯେଉଁ ଅଳ୍ପସଂଖ୍ୟକ ସରକାରୀ ଡାକ୍ତର, ରାଜ୍ୟବାସୀଙ୍କ ସ୍ଵାସ୍ଥ୍ୟସେବାର ଜଗୁଆଳୀ ପାଲଟିଛନ୍ତି, ସେମାନେ ଆଦୌ ସୁରକ୍ଷିତ ନୁହନ୍ତି। ପୁରୀରୁ ପାରଳାଖେମୁଣ୍ଡି, ଜଳେଶ୍ଵରରୁ ଜମନକିରା ପର୍ଯ୍ୟନ୍ତ ସବୁଠି ଡାକ୍ତର ମାଡ଼ ଖାଉଛନ୍ତି। ତେଣୁ ସମୂହ ଇସ୍ତଫା ମଧ୍ୟ ଦେଲେଣି ଡାକ୍ତରମାନେ। କେବଳ କୁହାବୋଲା କରି ବୋପାଲୋ-ଧନଲୋ କରି ବିଭାଗ ସେମାନଙ୍କୁ କର୍ତ୍ତବ୍ୟରତ କରି କେତେ ଦିନ ଯାଏଁ ରଖି ପାରିବ? କିନ୍ତୁ ଏମିତିରେ ଦେଶ ଚାଲେ ନାହିଁ।

ଓଡ଼ିଶାରେ ଯେତେବେଳେ ମୋଟ ୩ଟି ମେଡ଼ିକାଲ କଲେଜ ଥିଲା, ସେତେବେଳେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ଥିଲା ୪୦ଟି। ଓଡ଼ିଶାର ଜନସଂଖ୍ୟାର ଠିକ୍‌ ୨ ଗୁଣ ଜନସଂଖ୍ୟା ଆନ୍ଧ୍ରର। କିନ୍ତୁ ମେଡ଼ିକାଲ କଲେଜ ସଂଖ୍ୟା ୧୩ଗୁଣରୁ ବେଶି। ସେଇଥିପାଇଁ ତ ମହାବାତ୍ୟା ପରେ ପରେ ମହାପୁରୁଷ ଚନ୍ଦ୍ରବାବୁ ନାଇଡୁଙ୍କ ଅନୁକମ୍ପାରୁ ଶହଶହ ଆନ୍ଧ୍ରୀୟ ଡାକ୍ତରଙ୍କ ଦଳ, ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ ସଂକ୍ରମିତ ଓ ଅସୁସ୍ଥ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ। ଚାହୁଁ ଚାହୁଁ ୧୮ ବର୍ଷ ବିତିଗଲା ପଛେ ସରକାରଙ୍କ ଚେତା ପଶିଲା ନାହିଁ। ଏଣେ ସ୍ଵାସ୍ଥ୍ୟସେବାର ଘରୋଇକରଣ ଏତେ ମାତ୍ରାରେ ବଢ଼ିଯାଇଛି ଯେ କଟକ ପାଲଟିଯାଇଛି ରାଜ୍ୟର ସ୍ଵାସ୍ଥ୍ୟସେବାର ରାଜଧାନୀ। ସ୍ଥାନୀୟ ଡାକ୍ତର ରେଫର ନକରି ସୁଦ୍ଧା ଅନେକ ଲୋକଙ୍କର ଟିକେ ଛିଙ୍କ ହେଲେ କି ଦିହରେ କମ୍ପ ଆସିଲେ, ସିଧା ହାଜର ହୋଇଯାଉଛନ୍ତି କଟକରେ। କଟକ ଗଳିକନ୍ଦିରେ ଏବେ ବରିଷ୍ଠ ଓ ବିଶ୍ଵସ୍ତ ଡାକ୍ତର ହାଉଯାଉ। କାହାକୁ ଟଙ୍କା ଗଣିବାକୁ ତର ନାହିଁ। ସାକ୍ଷାତ ପାଇଁ ନମ୍ବର ପାଇବାକୁ ବି ଦୁର୍ନୀତି ହେଲାଣି। ଏଭଳି ଗୁରୁତର ସ୍ଥିତିରେ ପଡ଼ୋଶୀ ରାଜ୍ୟରୁ ଡାକ୍ତର ଅଣାଯିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ। ଦକ୍ଷିଣ ଓଡ଼ିଶାରେ ଆନ୍ଧ୍ରୀୟ ଓ ଉତ୍ତର ଓଡ଼ିଶାରେ ବଙ୍ଗୀୟ ଡାକ୍ତରଙ୍କୁ ନିଯୁକ୍ତି ଦେବାହିଁ ସର୍ବଶେଷ ବିକଳ୍ପ। ଏଥିପାଇଁ ଶହଶହ ଫାର୍ମାସି ପଢୁଆ ଯୁବକଯୁବତୀଙ୍କୁ ଭାଷା ଯୋଗାଯୋଗକାରୀ (Interpreter) ରୂପେ ନିଯୁକ୍ତ କରିବାକୁ ପଡ଼ିବ। ସେମାନେ ଓଡ଼ିଶାର ଗାଉଁଲି ଲୋକଙ୍କ ଓଡ଼ିଆ କଥାକୁ ବଙ୍ଗାଳୀ ବା ତେଲୁଗୁ ଭାଷାରେ ଅଥବା ହିନ୍ଦୀ ଭାଷାରେ ଡାକ୍ତରଙ୍କୁ କହିବେ। ଏହା ଦ୍ଵାରା ଦେଶର ବେକାରୀ ସମସ୍ୟା ଦୂର ହେବା ସହ ରାଜ୍ୟର ସ୍ଵାସ୍ଥ୍ୟସେବା ତଥା ମେଡ଼ିକାଲ କଲେଜଗୁଡ଼ିକର ପ୍ରଫେସର ପଦ ମଧ୍ୟ ପୂରଣ ହୋଇପାରିବ।

ଗତ ୨୦ ବର୍ଷ ଧରି ସରକାରୀ କଲେଜରୁ ଉତ୍ତୀର୍ଣ ଡାକ୍ତରୀ ବିଦ୍ୟାର୍ଥୀମାନେ ବେସରକାରୀ ହସପିଟାଲରେ ଅଥବା ବିଦେଶରେ ଡାକ୍ତର ଚାକିରି ପାଇଁ ନିରୁଦ୍ଦିଷ୍ଟ ହୋଇଯାଉଥିବାରୁ ଏବେ ରାଜ୍ୟର ଶହଶହ ଡାକ୍ତରଖାନା ବସ୍ତୁତଃ ବିନା ଡାକ୍ତରରେ ଚାଲିଛି। ତେଣୁ ଆନ୍ଧ୍ରୀୟ-ବଙ୍ଗୀୟ ସୂତ୍ର ସମେତ De-medicalizationର ଗୁରୁତ୍ଵ ବହୁମାତ୍ରାରେ ଅନୁଭୂତ ହେଲାଣି। ସ୍ଵାସ୍ଥ୍ୟସେବା ମୁଖ୍ୟତଃ ୩ ଭାଗରେ ବିଭକ୍ତ, ଯଥା: ୧.ପ୍ରତିଷେଧାତ୍ମକ (Preventive), ୨.ଉପଚାରାତ୍ମକ(Curative), ଓ ୩.ପ୍ରସାରାତ୍ମକ(Promotive)। ପ୍ରଥମ ଓ ତୃତୀୟ ପ୍ରଣାଳୀ ପାଇଁ ଡାକ୍ତରଙ୍କ ଉପସ୍ଥିତି ଜରୁରୀ ନୁହେଁ। କେବଳ ଉପଚାରାତ୍ମକ ସ୍ଵାସ୍ଥ୍ୟସେବା ପାଇଁ ଡାକ୍ତରଙ୍କ ଉପରେ ନିର୍ଭରଶୀଳତା ମାତ୍ରାଧିକ ହେବାରେ ଲାଗିଛି। ଅନ୍ୟ ପକ୍ଷରେ ବରିଷ୍ଠ ଡାକ୍ତରମାନେ ପ୍ରଶାସନ ଦାୟିତ୍ଵରେ ରହିଯାଉଥିବାରୁ ସେମାନେ ବାସ୍ତବରେ ଉପଚାରାତ୍ମକ ସ୍ଵାସ୍ଥ୍ୟସେବା ପ୍ରତି ଧ୍ୟାନ ଦେଉ ନାହାନ୍ତି। ଠିକ୍‌ ଯେମିତି କଲେଜର ପ୍ରିନସିପାଲମାନେ ନିଜ ବିଷୟରେ ବିଦ୍ୟାର୍ଥୀଙ୍କୁ ଶ୍ରେଣୀରେ ନପଢ଼ାଇବାକୁ ପସନ୍ଦ କରିଥାଆନ୍ତି!

ସ୍ଵାସ୍ଥ୍ୟସେବାକୁ ସରଳୀକରଣ କରିବାକୁ ପ୍ରଯୁକ୍ତିର ସହଯୋଗ ନିଆଯାଇପାରିବ। ଏପରିକି ନିଜ ସ୍ଵାସ୍ଥ୍ୟରକ୍ଷା କରିବାରେ ସଫଳ ଥିବା ସେବାନିବୃତ୍ତ (Retired) ଡାକ୍ତରଙ୍କୁ ଆଜୀବନ ଚାକିରିରେ ରଖିବାକୁ ପଡ଼ିପାରେ। ଚାକିରି ସରି ସୁଦ୍ଧା ପାକଳ ହୋଇପାରି ନଥିବା କିଛି ଅପଦାର୍ଥ ଡାକ୍ତରଙ୍କୁ ମଧ୍ୟ ବିଶ୍ଵାସକୁ ନେବାକୁ ହେବ। ଲୋକପ୍ରିୟ ଡାକ୍ତରଙ୍କ ସହାୟକ ଭାବରେ ସେମାନେ ଭଲ କାମ କରିପାରିବେ। ଏବେ ବି ରାଜ୍ୟର ହଜାରେ ଗ୍ରାମପଞ୍ଚାୟତରେ ଭଲ 2G ନେଟ୍‌ୱର୍କ ନାହିଁ। ଏଣେ ଇଣ୍ଟରନେଟ୍‌ ମାୟାରେ 3G4G ପ୍ରତି ନିର୍ଭରଶୀଳତା ବଢ଼ୁଥିବା ବେଳେ ଡାକ୍ତରଖାନାରେ କାମ ସାରି ନିଜ ମୋଟରଗାଡ଼ିରେ ୩୦ କିଲୋମିଟର ଦୂର ପାଖ ସହରକୁ ଫେରିଆସିବାକୁ ପକ୍କା ସଡ଼କ ମଧ୍ୟ ନାହିଁ। ତେଣୁ ଏଗୁଡ଼ିକର ସୁସମନ୍ୱୟ (Convergence) ହାସଲ ପାଇଁ କଡ଼ାକଡ଼ି ଭାବେ ଯୋଜନା ରୂପାୟନ କରିବାକୁ ପଡ଼ିବ। ୨୦୩୬ ପର୍ଯ୍ୟନ୍ତ ରାଜ୍ୟକୁ ଚଳାଇବାର ସ୍ଵପ୍ନ ଦେଖୁଥିବା ରାଜ୍ୟର ଶାସକଦଳ ଏବେଠୁ ପାଗ ଭିଡ଼ିବା ଦରକାର।

Odisha Vikash Conclaveରେ ଯେଉଁ କର୍ମୀ ତଥା ଡାକ୍ତରମାନେ ଏତେ ବଡ଼ ସୁପାରିଶ ବାହାର କରିଛନ୍ତି, ସେମାନଙ୍କୁ କୃତଜ୍ଞତା ଜଣାଇ ଉପରୋକ୍ତ ସମସ୍ତ ବ୍ୟାଖ୍ୟା ଓ ବିଜ୍ଞାନ ସେଇମାନଙ୍କୁ ଉତ୍ସର୍ଗ କରୁଛି।

ବନ୍ଦେ ଉତ୍କଳ ଜନନୀ...

ବିମଳ ପ୍ରସାଦ, bimal.odisha@yahoo.in