Monday, August 29, 2016

ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣର ଗୁଢ଼କଥା

୨୦୧୨ ମସିହାରେ ହୋଇଥିବା ଓଡ଼ିଶା ପଞ୍ଚାୟତ ନିର୍ବାଚନରେ ଯେଉଁ ବିଭ୍ରାନ୍ତି ଥିଲା, ଏବେ ସେଇ ବିଭ୍ରାନ୍ତି ଆରମ୍ଭ ହୋଇଗଲାଣି। ରାଜ୍ୟ ନିର୍ବାଚନ ଆୟୋଗ ହେଉ ଅବା ଉପଖଣ୍ଡ/ଜିଲ୍ଲା ସ୍ତରରେ ଉପଜିଲ୍ଲାପାଳମାନେ ହୁଅନ୍ତୁ, ସବୁ ଦପ୍ତର କିଛି କିଛି ବିଭ୍ରାନ୍ତି ଛାଡ଼ି ଦେଉଛନ୍ତି ସରକାରୀ ସ୍ତରରୁ। ଓଡ଼ିଶାର କର୍ମରତ ସାମ୍ବାଦିକମାନଙ୍କର ଅଧିକ ଜ୍ଞାନ ଆହରଣ ପାଇଁ ସମୟ ନଥିବାରୁ, ସେହି ବିଭ୍ରାନ୍ତି ସିଧାସଳଖ ପ୍ରକାଶ ପାଇଯାଉଛି ବିଭିନ୍ନ ଗଣମାଧ୍ୟମରେ। ଆଉ ଏହାର ଶିକାର ହେଉଛି ଆମ ସମାଜ ଓ ଶିକାର ହେଉଛନ୍ତି ରାଜ୍ୟର ନାଗରିକଗଣ। ପ୍ରଥମେ ଜାଣି ରଖିବା ଯେ ପଞ୍ଚାୟତ ନିର୍ବାଚନ ଓ ସହର ସ୍ଵାୟତ୍ତ ଶାସନ ସଂସ୍ଥାର ନିର୍ବାଚନ ଆୟୋଜନ କରିବାଟା ‘‘ରାଜ୍ୟ ନିର୍ବାଚନ ଆୟୋଗ’’ଙ୍କ କାର୍ଯ୍ୟ। ରାଜ୍ୟର ‘‘ମୁଖ୍ୟ ନିର୍ବାଚନ ଅଧିକାରୀ’’(CEO)ଙ୍କ କାର୍ଯ୍ୟ ହେଉଛି ବିଧାନସଭା, ଓ ଲୋକସଭା ନିର୍ବାଚନ ଆୟୋଜନ କରିବା। (ରାଜ୍ୟସଭା ନିର୍ବାଚନକୁ ବିଧାନସଭା ପରିସରରେ ଆୟୋଜନ କରିଥାଏ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ।) ଏ ସମସ୍ତଙ୍କ ଉପରେ ରହିଛି ‘‘ଭାରତର ନିର୍ବାଚନ ଆୟୋଗ’’ (ECI)

ଆମ ରାଜ୍ୟର ଆଇନକାନୁନ, ନିୟମାବଳୀ ସବୁ ଇଂଲିଶ୍‌ରେ ହୋଇଥିବା ବେଳେ ବିଭିନ୍ନ ଦପ୍ତର/ ଅଧିକାରୀ / କର୍ତୃପକ୍ଷ ବା ଆୟୁକ୍ତ (କମିଶନର) ଯେଉଁ ନିର୍ଦେଶନାମା, ନିଷ୍ପତ୍ତିନାମା ବା ଚିଠି ଜାରି କରିଥାଆନ୍ତି, ତାହା ମଧ୍ୟ ଇଂଲିଶ୍‌ରେ ହୋଇଥାଏ। ଏକ ବିଦେଶୀ ଭାଷାରେ ଭଳିକି ଭଳି ଅର୍ଥ ବାହାର କରି ସେହି ହାକିମ ବା ବ୍ୟୁରୋକ୍ରାଟ୍‌ମାନେ ଜନସାଧାରଣଙ୍କୁ ଭୂତେଇ ଥାଆନ୍ତି। ତାହାକୁ ସାମ୍ବାଦିକମାନେ ମଧ୍ୟ ବିନା ପ୍ରଶ୍ନରେ ରିପୋଟିଂ କରିଦିଅନ୍ତି ଓଡ଼ିଆରେ। ଉଦାହରଣତଃ ଯେଉଁ ଆସନଟି ‘ମହିଳା’ଙ୍କ ପାଇଁ ସଂରକ୍ଷିତ, ତାହା ଗଣମାଧ୍ୟମରେ ପ୍ରକାଶ ପାଇଥିବ ‘‘ସାଧାରଣ ବର୍ଗ ମହିଳା’’। ଇଂଲିଶ୍‌ ବିଜ୍ଞପ୍ତିରେ ମଧ୍ୟ ବ୍ୟବହାର ହୋଇଥାଏ General Women ଶବ୍ଦ। ଯାହାକି ସବୁଠୁ ବେଶି ବିଭ୍ରାନ୍ତିକର। ଗତ(୨୦୧୨) ନିର୍ବାଚନ ବେଳକୁ ଏଭଳି ପ୍ରଶ୍ନ ଉଠାଇଥିଲୁ। କିନ୍ତୁ ଜଣେ ବ୍ୟୁରୋକ୍ରଟ୍‌ ସଫେଇ ଦେଲେ ଯେ ‘ଜେନେରାଲ’ ଅର୍ଥ ହେଲା ‘ସାଧାରଣ’, ଅର୍ଥାତ୍ କେହି ବି ପ୍ରାର୍ଥୀ ହୋଇପାରିବେ। ହେଲେ ସତ କହନ୍ତୁ ତ ST, SC, OBC, SCBC ପରେ General (ବା ସଂକ୍ଷେପରେ Gen) ନାମକ ଏକ ବର୍ଗ ବା Category ବିଷୟରେ ଆମେ ସମସ୍ତେ ସଚେତନ ଅଛୁ କି ନାହୁଁ? ବିଭିନ୍ନ ଫର୍ମରେ ଏଭଳି ଶବ୍ଦ ସବୁ ଆଡ଼େଣି (oblique) ଦେଇ ଲେଖାଯାଇଥାଏ ଏବଂ ଗୋଟିଏ ଚାରିକୋଣିଆ ଘର ଭିତରେ ନିଜର ଠିକ୍‌ ବର୍ଗକୁ ଲେଖିବାକୁ ପଡ଼ିଥାଏ ବା ନିର୍ଧାରିତ ଚିହ୍ନ ଦେବାକୁ ପଡ଼ିଥାଏ। ଅସଲ କଥାଟି ହେଲା ନିର୍ବାଚନ ଆଇନର ଭାଷାରେ ମଧ୍ୟ ଏହି ଭୁଲ୍‌ ଶବ୍ଦଟି ରହିଯାଇଛି। ଯାହାକି ଅସଂରକ୍ଷିତ ବା Unreserved ହେବା କଥା। ଅନ୍ୟ ଶବ୍ଦରେ କହିଲେ ଗୋଟିଏ ଇଂଲିଶ୍‌ ଶବ୍ଦକୁ ଦୁଇଟି ଅର୍ଥରେ ବ୍ୟବହାର କରାଯାଇଥିବାରୁ ଓଡ଼ିଆରେ ଅନୁବାଦ କଲା ବେଳେ ତାହାକୁ ‘ସାଧାରଣ’ ଲେଖିଲେ କିଛି ମାତ୍ରାରେ ବୋଧଗମ୍ୟ ହୁଅନ୍ତା। କିନ୍ତୁ ଗଣମାଧ୍ୟମ (ବିଶେଷତଃ ମୁଦ୍ରଣ ଗଣମାଧ୍ୟମ) ତାହାକୁ ‘ସାଧାରଣ ବର୍ଗ’ ଲେଖିଦେବା ଦ୍ଵାରା ସବୁକିଛି ଖଇଚା ହୋଇଯାଉଛି। କାରଣ ଯେଉଁ ଆସନଟି ସାଧାରଣଙ୍କ ପାଇଁ ସେଠାରେ ସାଧାରଣ ବର୍ଗର ନୁହେଁ, ବରଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ, ମହିଳା ବା କୌଣସି ଜାତିର ମହିଳା ମଧ୍ୟ ପ୍ରାର୍ଥୀ ହୋଇପାରିବେ। କିନ୍ତୁ ଭୁଲ ବ୍ୟାଖ୍ୟା ଯୋଗୁ ସେଠାରେ କେବଳ ସାଧାରଣ ବର୍ଗର ପୁରୁଷମାନେ ହିଁ ପ୍ରାର୍ଥୀ ହେଉଛନ୍ତି। ସେହି ଭଳି ‘‘ସାଧାରଣ ମହିଳା’’ ଆସନରେ କେବଳ ‘‘ସାଧାରଣ ବର୍ଗର ମହିଳା’’ ହିଁ ପ୍ରାର୍ଥୀ ହେଉଛନ୍ତି। ଏହା ଏକ ବିଡ଼ମ୍ବନା ନୁହେଁ କି?

ଆଇନର ଭୁଲ୍ ବ୍ୟାଖ୍ୟା ଯୋଗୁ ଦଳିତ ଓ ନିଷ୍ପେସିତ ମଣିଷମାନଙ୍କ ଉତ୍‌ଥାନ ହୋଇ ପାରୁ ନାହିଁ। ମୁଷ୍ଟିମେୟ ଲୋକଙ୍କ ପାଖରେ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଯାଉଛି। ଭାରତରେ କୌଣସି ରାଜ୍ୟରେ ଲୋକସଂପର୍କ ବିଭାଗ ନଥିବା ବେଳେ ଆମ ରାଜ୍ୟରେ ବ୍ରିଟିଶ ଅମଳରୁ ଲୋକସଂପର୍କ ବିଭାଗ ରହିଛି ଏବଂ ତାହା ସହିତ ସୂଚନା ବିଭାଗ ଏକାକାର ହୋଇ ଗୁନ୍ଥି ହୋଇ ରହିଛି। ଅର୍ଥାତ୍ ଲୋକଙ୍କ ମଧ୍ୟରେ ସୂଚନା ବିତରଣ ଏବଂ ସଚେତନତାର ପ୍ରସାର ତଥା ବିଭ୍ରାନ୍ତି ଦୂରୀକରଣ ପାଇଁ ‘‘ସୂଚନା ଓ ଲୋକସଂପର୍କ ବିଭାଗ’’ ରହିଛି। ହେଲେ କିଛି ଅପଦାର୍ଥ ଅଧିକାରୀଙ୍କ ହାତରେ ଏହାର ନେତୃତ୍ଵ ରହିଥିବାରୁ, ଏଥରର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକ ସଶକ୍ତୀକରଣ କ୍ଷେତ୍ରରେ ଏହି ବିଭାଗ କିଛି କରିପାରିବ ବୋଲି ଆମ୍ଭର ଭରସା ପାଉନି।

ବୃହତ୍ତର ଜନସ୍ଵାର୍ଥ ଦୃଷ୍ଟିରୁ ଏହି ସୂଚନାଗୁଡ଼ିକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଓ ପଞ୍ଚମ ସ୍ତମ୍ଭ କୁହାଯାଉଥିବା ନାଗରିକ ସଂଗଠନମାନେ ପ୍ରସାର କରିବାକୁ ନିବେଦନ। ଏହି ଲେଖାର ପୁନଃପ୍ରକାଶ ପାଇଁ ଲେଖକଙ୍କର (ଆମ୍ଭର) କୌଣସି ଅନୁମତି ଅନାବଶ୍ୟକ। ତେବେ ଆଉ ଏକ ନିବେଦନ ହେଲା ସଂପୃକ୍ତ ଶବ୍ଦ ଦୁଇଟିକୁ ଓଡ଼ିଆ ଗଣମାଧ୍ୟମାନେ ଯଥାକ୍ରମେ ‘ଅସଂରକ୍ଷିତ’ ଓ ‘ଅସଂରକ୍ଷିତ ମହିଳା’ ଲେଖିବାକୁ/ କହିବାକୁ ନିବେଦନ।

 ବିମଳ ପ୍ରସାଦ, ଭୁବନେଶ୍ଵର, bimal.odisha@yahoo.in

Tuesday, August 23, 2016

ଆଦୌ ନୁହେଁ ଆଉ ଜିନ୍‌ ପରିବର୍ତ୍ତିତ ଫସଲ

ଜଣେ ବୈଜ୍ଞାନିକ ଦେଖାଉଛନ୍ତି ଜିନ୍‌ ପରିବର୍ତିତ ସୋରିଷ
ଜିନ୍‌ ପରିବର୍ତ୍ତିତ ସୋରିଷକୁ (GM ସୋରିଷ) ମନା କରିବାର ୨୫ଟି କାରଣ :
ଆପଣମାନଙ୍କର ନିଶ୍ଚୟ ମନେଥିବ ୨୦୧୦ରେ ବିଟି ବାଇଗଣ ପରି GM ଖାଦ୍ୟ-ଫସଲ ପ୍ରଚଳନକୁ ଦେଶର ସାଧାରଣ ଜନତା ମନା କରିଦେଇଥିଲେ । କାରଣ ଆମେ ତାହା ଚାହୁଁ ନଥିଲୁ କି ଆମ ପାଇଁ ଦରକାର ନ ଥିଲା ଓ ଆମ ପାଇଁ ଅସୁରକ୍ଷିତ ବି ଥିଲା । ପ୍ରବଳ ବିରୋଧ ଯୋଗୁଁ ଭାରତ ସରକାର ବାଧ୍ୟ ହୋଇ ବିଟି ବାଇଗଣର ବ୍ୟବସାୟିକ ପ୍ରଚଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଲେ–‘ସମାଜ ପ୍ରତି କର୍ତ୍ତବ୍ୟବୋଧତା ଓ ବିଜ୍ଞାନ ପ୍ରତି ଦାୟିତ୍ଵବୋଧତା’ ଦୃଷ୍ଟିରୁ ଏହା କରିଛନ୍ତି ବୋଲି କହିଥିଲେ । 

ଆଉ ଏକ GM ଫସଲ ବିଟି କପା ଭାରତରେ ଚାଷ କରାଯାଉଛି । ଏହାର ପ୍ରଚଳନ ଫଳରେ କପା ଉତ୍ପାଦନ ବୃଦ୍ଧି ପାଇଛି ବୋଲି ଯାହା କୁହାଯାଉଥିଲା, ଦୀର୍ଘ ୧୫ ବର୍ଷ ପରେ ତାହା ମିଛ ବୋଲି ପ୍ରମାଣିତ ହୋଇଛି । ଯେଉଁ ପୋକ ଦାଉରୁ କପାକୁ ରକ୍ଷା କରିବା ପାଇଁ ବିଟିକପା ବ୍ୟବହାର କରାଯାଇଥିଲା ସେହି ପୋକ ଏବେ କୀଟନାଶକ ନିରୋଧକ ହୋଇଯାଇଛି। ତେଣୁ ଚାଷୀମାନେ କପା ଫସଲରେ ଅଧିକରୁ ଅଧିକ କୀଟନାଶକ ପକାଇ ଚାଲିଛନ୍ତି । ମନ୍‌ସାଣ୍ଟୋ କମ୍ପାନୀ ବିହନ ବଜାରରେ ଏକଛତ୍ର ଶାସନ ଜାହିର କରି ଚାଲିଛି ଏବଂ ଦେଶରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢିବଢି ଚାଲିଛି । ଜାଣି ରଖିବା କଥା ଯେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ବିଟି କପା ଚାଷୀ ଅଟନ୍ତି । 

ଏବେ ୨୦୧୬ରେ ଆଉ ଏକ GM ଖାଦ୍ୟ ଫସଲ – ସୋରିଷର ବ୍ୟବସାୟିକ ପ୍ରଚଳନ ସକାଶେ ଅନୁମତି ଦେବା ପାଇଁ ଉଦ୍ୟମ ଚାଲିଛି। ଦେଶର ଆଇନ ଅନୁଯାୟୀ ଏ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ପରୀକ୍ଷା-ନିରୀକ୍ଷା କରି ସରିଛି ଏବଂ ଜୈବିକ ଦୃଷ୍ଟିରୁ ସୁରକ୍ଷିତ ଅଛି ବୋଲି ସଂପୃକ୍ତ ପ୍ରସ୍ତୁତକାରୀ ଦର୍ଶାଇ GEAC(Genetic Engineering Appraisal Committee)କୁ ଆବେଦନ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର Centre for Genetic Manipulation of Crop Plants (CGMCP) ଏହାର ପ୍ରସ୍ତୁତକର୍ତ୍ତା। ଏଥିରେ ୩ଟି ଭିନ୍ନଭିନ୍ନ ଜିନ୍‌ ସଙ୍ଗମ କରାଯାଇ ଏକ ସଙ୍କର (ହାଇବ୍ରିଡ) ପ୍ରସ୍ତୁତ କରାଯାଇଛି ।
ଏଥି ସହିତ ସଂଶ୍ଳିଷ୍ଟ ପ୍ରଯୁକ୍ତି ବିଦ୍ୟାଟି ଏହିପରି –
1. ପ୍ରାକୃତିକ ସୋରିଷ ଗଛରେ ଏକ ବୀଜାଣୁ ଜିନ୍‌ ପୂରାଇ ଅଣ୍ଡିରା ଫୁଲର ପ୍ରଜନନ କ୍ଷମତା ନଷ୍ଟ କରିଦେବା,
2. ସେଥିରେ ଚୟନ କରାଯାଇଥିବା ସୋରିଷ ପ୍ରଜାତିର ପୁରୁଷ ପ୍ରଜନନ କ୍ଷମତା ଭର୍ତ୍ତି କରିବା, ଯାହା ଫଳରେ ଫସଲ ଉତ୍ପାଦନ ଅଧିକ ହେବ, କିନ୍ତୁ ପରବର୍ତ୍ତୀ ଫସଲରେ ମଧ୍ୟ ବୀଜାଣୁର ଜିନ୍‌ ରହିବ,
3. ଏଥିରେ ତୃଣନାଶକ ସହ୍ୟ କରିପାରୁଥିବା ଏକ ଜିନ୍‌ ସମ୍ମିଶ୍ରଣ କରିବା, ଯାହା ଫଳରେ ଫସଲରେ ଅଧିକ ତୃଣନାଶକ ପକାଇ ହେବ ।
ଜଣାଯାଇଛି ଯେ ଆମେ ଦେଉଥିବା କର/ଟିକସ ପାଣ୍ଠିରୁ ୧୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯାଇ ଏହି GM ଫସଲ ପ୍ରସ୍ତୁତି ଓ ପରୀକ୍ଷା କରାଯାଇଛି । ଏଥିପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ National Dairy Development Board (NDDB) ଓ Department of Biotechnology (DBT)କୁ ବିପୁଳ ଅର୍ଥ ଦିଆଯାଇଛି। ମାତ୍ର ବିଡମ୍ବନା ଏହିକି ଯେ NDDB ଦ୍ଵାରା ପ୍ରସ୍ତୁତ ‘ଧାରା’ ସୋରିଷ ତେଲ ପ୍ରକଳ୍ପ କିଛି ଦିନ ହେଲା ବନ୍ଦ କରିଦିଆଯାଇଛି। ତାହା ବଦଳରେ ସେହି ଅର୍ଥରେ ବର୍ତ୍ତମାନ ଏକ GM ଫସଲ ତାଙ୍କୁ ଦିଆଯାଉଛି। ଜନସାଧାରଣଙ୍କୁ ଏ ବିଷୟ ଅଗୋଚର।

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ଏହି GM ସୋରିଷ ଫସଲ ପ୍ରଚଳନକୁ ବିରୋଧ କରିବା ସହ ଦେଶବାସୀଙ୍କୁ ଏଭଳି ଏକ ଦାୟିତ୍ଵହୀନ, ଅସୁରକ୍ଷିତ, ବିପଜ୍ଜନକ ପରୀକ୍ଷାର ମାଧ୍ୟମ ନ କରିବା ଉପରେ ୨୫ଟି କାରଣ ନିମ୍ନରେ:-

୧. ଜିନ୍‌ ପରିବର୍ତ୍ତନ କୌଶଳ ଅସୁରକ୍ଷିତ: ଜୀବନ୍ତ ପ୍ରାଣୀ/ ଉଦ୍ଭିଦଙ୍କର ଜିନ୍‌ ପରିବର୍ତ୍ତନ ଏକ ଅପ୍ରାକୃତିକ ଓ ଅନିର୍ଦ୍ଦିଷ୍ଟ କୌଶଳ । ଏହାର ପରିଣାମ ଭୟଙ୍କର। ପ୍ରକୃତିରେ ଥରେ ଏହାର ପ୍ରସାର ହେଲେ ନିୟନ୍ତ୍ରଣ କରିହେବ ନାହିଁ କି ପୂର୍ବ ଅବସ୍ଥା ଆଉ ଫେରାଇ ଆଣିହେବ ନାହିଁ। ଆମ ଖାଦ୍ୟ ଓ କୃଷି ବ୍ୟବସ୍ଥାରେ ଏହାର ପ୍ରଚଳନ ବିପଜ୍ଜନକ । ଏହା ଦ୍ଵାରା ଆମର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଅନେକ କୁପ୍ରଭାବ ପଡିବ। କୃଷକ ପାଖରେ ବେଶୀ କିଛି ଉପାୟ ରହିବନି, କୃଷି କ୍ଷେତ୍ରରେ ଅଧିକ ବିପଦ ଆଶଙ୍କା ବଢିବ, ଖାଉଟିମାନେ ଏ ଶସ୍ୟକୁ ନାପସନ୍ଦ କରିପାରନ୍ତି ।

(GM ଫସଲ/ ଖାଦ୍ୟର ବିଭିନ୍ନ କୁପ୍ରଭାବ ବିଷୟରେ ଅନେକ ବୈଜ୍ଞାନିକ ତଥ୍ୟ ସଙ୍କଳିତ ହୋଇ http://indiagminfo.org/?p=657 ରେ ଦିଆଯାଇଛି ।)

୨. ତୃଣନାଶକ ସହ୍ୟ କରିପାରୁଥିବା GM, ଅନ୍ୟ କେତେକ ଫସଲ ପ୍ରଚଳନ ପାଇଁ GM ସୋରିଷ ବାଟ ଖୋଲିଦେବ। ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଆବେଦନ କରିଥିବା GM ସୋରିଷ ଫସଲ ତୃଣନାଶକ ସହନଶୀଳ ଅଟେ। କିନ୍ତୁ ଆଶ୍ଚର୍ଯର କଥା, ତାଙ୍କ ଆବେଦନପତ୍ରରେ ଏହା ଉଲ୍ଲେଖ କରାଯାଇ ନାହିଁ କି ତୃଣନାଶକ ସହନଶୀଳ ଫସଲ ଭାବରେ ଏହାର ସମ୍ଭାବ୍ୟ ବିପଦ ସବୁ କ’ଣ ରହିଛି। ଏହା ସହ ଅଧିକ ତୃଣନାଶକ ପ୍ରୟୋଗର ଫଳାଫଳ ବିଷୟରେ ମଧ୍ୟ କୌଣସି ପରୀକ୍ଷା କରାଯାଇ ନାହିଁ । ଆମେ ଜାଣୁ ଯେ କେତେକ ଦେଶୀୟ ଓ ବହୁଦେଶୀୟ କମ୍ପାନୀ ଏବେ ଅନେକଗୁଡିଏ ତୃଣନାଶକ ସହନଶୀଳ ଫସଲ ପ୍ରଚଳନ ସକାଶେ ଅନୁମତି ଅପେକ୍ଷାରେ ଅଛନ୍ତି। GM ସୋରିଷ ଫସଲ ପ୍ରଚଳନ କରିବା ଦିଗରେ ଏହା ଏକ ଫନ୍ଦି-ଫିକର ମାତ୍ର ।

୩. କୃଷକ, କୃଷିଭିତ୍ତିକ ଶ୍ରମିକ ଓ ଉପଭୋକ୍ତାଙ୍କ ଉପରେ GM ତୃଣନାଶକ ସହନଶୀଳ ଫସଲର କୁପ୍ରଭାବ ଅନେକ। କୃତ୍ରିମ ରାସାୟନିକ ତୃଣନାଶକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଉଦାହରଣ ସ୍ୱରୂପ, ଗ୍ଲାଇଫୋସେଟ (glyphosate) ସହନଶୀଳ GM ଫସଲ ପ୍ରଚଳନ ପରେ ଏହାର ବ୍ୟବହାର ବହୁ ମାତ୍ରାରେ ବୃଦ୍ଧି ପାଇଛି। ୧୦ ବର୍ଷରୁ ଅଧିକ ସମୟ ଧରି ଯେଉଁ ଗ୍ଲାଇଫୋସେଟକୁ ସୁରକ୍ଷିତ କୁହାଯାଉଥିଲା, ତାହା ମଣିଷ ଶରୀରରେ କ୍ୟାନ୍‌ସର ସୃଷ୍ଟିର ସମ୍ଭାବ୍ୟ କାରକ ବୋଲି ୨୦୧୫ ମସିହା ଆରମ୍ଭରେ ‘‘ବିଶ୍ଵ ଘୋଷଣା କରିଛନ୍ତି । ତୃଣନାଶକ ସହନଶୀଳ ଫସଲ ଚାଷ କରିବା ଫଳରେ ବାସ୍ତବରେ ସାଧାରଣ ଅନାବନା ଘାସ ଯାଇ ନୂଆ ଅନାବନା ଘାସ ଜନ୍ମ ନେଉଛି। ଘାସ ବ୍ୟତୀତ ମୃତ୍ତିକା ସ୍ୱାସ୍ଥ୍ୟ ଓ ଅନ୍ୟ ଜୀବ/ଜୀବାଣୁ କ୍ଷତିଗ୍ରସ୍ତ ହେଉଥିବାର ଦୃଷ୍ଟା ତଥ୍ୟ ସଂଗୃହିତ ହୋଇଛି। ଆମ ଦେଶରେ ଅନେକ ମହିଳା ବିଲରୁ ଘାସ ବଛାବଛି କରି ରୋଜଗାର କରିଥାଆନ୍ତି । ତୃଣନାଶକ ସହନଶୀଳ GM ଫସଲ ପ୍ରଚଳନ ହେଲେ ତାଙ୍କ ରୋଜଗାର ଆଉ ରହିବ ନାହିଁ । ତା’ ଛଡା ଅନାବନା କୁହାଯାଉଥିବା ଘାସ ମଧ୍ୟରୁ ଅନେକଗୁଡିଏ ଖାଦ୍ୟ ଉପଯୋଗୀ ଓ କେତେଗୁଡିଏ ଔଷଧୀୟ ଗୁଣଯୁକ୍ତ, ଆହୁରି କେତେକ ଗୋଖାଦ୍ୟ ଅଟେ । ଅଧିକନ୍ତୁ ତୃଣନାଶକ ସହନଶୀଳ ଫସଲ କଲେ, ମିଶ୍ରିତ ଚାଷ ଆଉ ହୋଇପାରିବ ନାହିଁ; ଯଦିଚ ଆମେ ଜାଣୁ ଯେ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ମିଶ୍ରିତ ଚାଷ ହିଁ ଆମ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢତର କରିପାରିବ। ଜାଣି ରଖିବା ଆବଶ୍ୟକ ଯେ ଆମେରିକାରେ ଚାଷୀ-ଚାଷୀ ଭିତରେ ଗଣ୍ଡଗୋଳର ଏକ ପ୍ରମୁଖ କାରଣ ଏହି GM ତୃଣନାଶକ ସହନଶୀଳ ଫସଲ । ଏଠାରେ ପ୍ରତ୍ୟେକ ଚାଷୀର ଶହଶହ ଏକର ଚାଷ ଜମି ଥାଏ । ଜଣେ ତୃଣନାଶକ ସହନଶୀଳ ଫସଲ ଚାଷ କଲେ ପାଖ ପଡୋଶୀ ଜମିର ଫସଲ ବି ସଂକ୍ରମିତ ହୋଇଥାଏ । ଆମ ଦେଶରେ ଚାଷୀଙ୍କର ଜମି ପରିମାଣ ସେହି ତୁଳନାରେ ବହୁତ କମ୍, ପୁଣି ବିଲଗୁଡିକ ଛୋଟ-ଛୋଟ ଓ ଲଗାଲଗି । GM ସୋରିଷ ଚାଷ କରି ଅଧିକ ଉତ୍ପାଦନ ପାଇବା ନାମରେ ଆମେ କଣ ଏସବୁ ପାଇବାକୁ ଚାହୁଁ?

୪. ପୁରୁଷ ବନ୍ଧ୍ୟାକରଣ ପ୍ରକ୍ରିୟା ଯୋଗୁଁ ଅନିଚ୍ଛା ସତ୍ତ୍ୱେ କୃଷକ ବିହନ ସାର୍ବଭୌମତ୍ଵ ଓ ବିବିଧତା ହରାଇବେ। ଜଣେ GM ସୋରିଷ ଚାଷ କଲେ, ପାଖ କ୍ଷେତର ସୋରିଷ ଫସଲ ବି କଳୁଷିତ ହେବ। ସିଏ ଅନ୍ୟ ଯେଉଁ କିସମର ସୋରିଷ ଚାଷ କରିଥିଲେ ବି ତାର ଫସଲରେ ପୁରୁଷ ବନ୍ଧ୍ୟାକରଣ ପ୍ରକ୍ରିୟା ଦେଖାଯାଇପାରେ। ଫଳରେ ସିଏ ବି ନିଜ ବିହନ ରଖିପାରିବ ନାହିଁ । ଜାଣିଶୁଣି ଚାଷ କରିଥିବା ଚାଷୀ ତ ନିଶ୍ଚୟ ପ୍ରତିବର୍ଷ ବିହନ କିଣିବ, ନ ଚାହୁଁ ଥିବା ଚାଷୀ ବି ସେଇ ବିହନ କିଣିବ । ଏହା ଫଳରେ ବିହନର ବିବିଧତା ବି ଲୋପ ପାଇବ।

୫. GM ସୋରିଷ ଫସଲ ଚାଷରୁ ଅମଳ ଅଧିକ ହେବାର ଦାବୀ ମିଛ। ପ୍ରମାଣ ମିଳିଛି ଯେ ପରୀକ୍ଷା ସମୟରେ କେତେକ ଅସତ୍‌ ଉପାୟ ଅବଲମ୍ବନ କରି GM ସୋରିଷ ଫସଲ ଅମଳ ବିଷୟରେ ମିଛ ଧାରଣା ଦିଆଯାଇଛି, ଯାହା କି ଏହାର କ୍ଷେତ୍ର ପରୀକ୍ଷା ପାଇଁ ନିଷ୍ପତ୍ତି ନେବାର ପ୍ରକ୍ରିୟା ଓ ସର୍ତ୍ତକୁ ଅବମାନନା କରିଛି । ଅଧିକ ଅମଳକ୍ଷମ ସୋରିଷ ପ୍ରଜାତିର ଅମଳହାର ସହ GM ସୋରିଷର ଅମଳ ହାର ତୁଳନା କରିବା ପରିବର୍ତ୍ତେ ଯେଉଁ ଅତି ପୁରୁଣା ସୋରିଷ ପ୍ରଜାତିର ଅମଳ କମ୍‌, ତାହା ସହିତ ତୁଳନା କରାଯାଇଛି ଓ GM ସୋରିଷର ଅମଳହାର ୨୮% ଅଧିକ ବୋଲି ଦର୍ଶାଯାଇଛି । ତେଣୁ ପ୍ରକୃତ ପକ୍ଷେ GM ସୋରିଷ, ଚାଷୀ କି ଖାଉଟି କାହାରି ପାଇଁ ଲାଭଦାୟକ ନୁହେଁ ।

୬. ହାଇବ୍ରିଡ ସୋରିଷ ଯୋଗୁଁ ଉତ୍ପାଦନ ବୃଦ୍ଧି ପାଇ ନାହିଁ କି ଦେଶର ଖାଇବା ତେଲ ଆମଦାନୀ ବାବଦ ଅର୍ଥ ବ୍ୟୟ କମି ନାହିଁ। GM ସୋରିଷ ପ୍ରଚଳନ ପାଇଁ ଆବେଦକମାନେ ଲେଖିଛନ୍ତି ଯେ ଏହା ଚାଷ କଲେ ଦେଶରେ ସୋରିଷ ଉତ୍ପାଦନ ପରିମାଣ ଅଧିକ ହେବ ଓ ତେଲ ଆମଦାନୀ ବାବଦ ଖର୍ଚ୍ଚ କମିଯିବ। ମାତ୍ର ସରକାରୀ ତଥ୍ୟ ଅନୁସାରେ ହାଇବ୍ରିଡ୍‌ ସୋରିଷ ପ୍ରଚଳନ ଫଳରେ ଦେଶର ତୈଳ ଉତ୍ପାଦନରେ କିଛି ବୃଦ୍ଧି ହୋଇ ନାହିଁ କି ଆମଦାନୀ ଖର୍ଚ କିଛି କମି ନାହିଁ। ତେଣୁ GM ସୋରିଷ ପ୍ରଚଳନ କଲେ ଲାଭ ମିଳିବାର ସମ୍ଭାବନା ବିଷୟରେ ଦାବୀ କେବଳ ଅନୁଭୂତିବିହୀନତା ଓ ଅତିରଞ୍ଜନର ପରିଚୟ ଦିଏ।

୭. ଦିଲ୍ଲୀ ବିଶ୍ଵବିଦ୍ୟାଳୟର GM ସୋରିଷ ସହ ବେୟାର କମ୍ପାନୀ ପ୍ରସ୍ତୁତ GM ସୋରିଷର ସାମଞ୍ଜସ୍ୟ ଅଛି । ବେୟାର GM ସୋରିଷକୁ ଆମ ଦେଶର ନିୟନ୍ତ୍ରକମାନେ ୨୦୦୨ରେ ପ୍ରତ୍ୟାଖ୍ୟାନ କରିଥିଲେ। ବେୟାର ନିୟନ୍ତ୍ରିତ ପ୍ରୋ-ଆଗ୍ରୋ ନାମକ ଏକ କମ୍ପାନୀ ୨୦୦୨ ମସିହାରେ ଏହିପରିକା GM ସୋରିଷ ପ୍ରଚଳନ ପାଇଁ କରିଥିବା ଆବେଦନକୁ କେତେକ କାରଣ ଦର୍ଶାଇ ନାକଚ କରାଯାଇଥିଲା। ICAR (Indian Council of Agricultural Research) ଘୋଷଣା କରିଥିଲେ ଯେ ସେମାନେ ଏଥି ସମ୍ବନ୍ଧିତ ପରୀକ୍ଷା ଏବଂ ଫଳାଫଳରେ ସନ୍ତୁଷ୍ଟ ନୁହନ୍ତି। ସୋରିଷ କେବଳ ଏକ ତୈଳବୀଜ ନୁହେଁ, ଏହାର ପତ୍ର ଓ ମଞ୍ଜିକୁ ଲୋକେ ପରିବା ହିସାବରେ ମଧ୍ୟ ବ୍ୟବହାର କରନ୍ତି। ଯେଉଁ ଅଞ୍ଚଳରେ GM ସୋରିଷର ଆବଶ୍ୟକତା ନାହିଁ, ସେସବୁ ଅଞ୍ଚଳରେ ଏହାର ପ୍ରସାରଣ କିପରି ନିୟନ୍ତ୍ରଣ କରାଯାଇପାରିବ, ତାର ଉତ୍ତର କାହାରି ପାଖରେ ନ ଥିଲା। GM ସୋରିଷ ବିହନ ପ୍ରସ୍ତୁତକାରୀମାନେ ଯେତେ ମନା କଲେ ବି ତାହା ଯେ ତୃଣନାଶକ ସହନଶୀଳ ଥିଲା, ତାହା ଜଣାପଡିଯାଇଥିଲା ଏବଂ ସେଥିଯୋଗୁଁ ନିୟନ୍ତ୍ରକମାନେ ବେଆଇନ ତୃଣନାଶକ ପ୍ରୟୋଗ ନିୟନ୍ତ୍ରଣ କରିବା କଷ୍ଟକର ବୋଲି ଦର୍ଶାଇ ଏହାକୁ ନାକଚ କରିଥିଲେ । ଏହି ସମସ୍ତ ବିଷୟ ଏବେକାର ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସୋରିଷ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ।

୮. GM ସୋରିଷ ଅନ୍ୟ GM ଫସଲ ପାଇଁTrojan Horse। ଏକ ସରକାରୀ ପ୍ରତିଷ୍ଠାନ ତରଫରୁ ଏଇ GM ସୋରିଷ ପ୍ରଚଳନ କରିବାର ପ୍ରୟାସ କରାଯାଉଛି! ସତେ ଅବା ସରକାରୀ GM ଫସଲଟି ଆପେ ଆପେ ଘରୋଇ ପ୍ରତିଷ୍ଠାନର GM ଫସଲ ଠାରୁ ଅଧିକ ଜୈବସୁରକ୍ଷିତ ହୋଇଯିବ ! GM ଖାଦ୍ୟ ଓ ଫସଲକୁ ଜନସାଧାରଣଙ୍କ ବିରୋଧ ଦେଖି ମନ୍‌ସାଣ୍ଟୋ ପରି ବଡ ବଡ ବହୁରାଷ୍ଟ୍ରୀୟ କମ୍ପାନୀମାନେ ବହୁ ପୂର୍ବରୁ ପ୍ରସ୍ତୁତ କରିଥିବା GM ଫସଲ ପାଇଁ ଆବେଦନଗୁଡିକ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି । ସମସ୍ତେ ଚାହିଁ ବସିଛନ୍ତି ସରକାରୀ ପ୍ରତିଷ୍ଠାନର GM ଫସଲ ଅନୁମତି ପାଇଗଲେ ତାଙ୍କ ପାଇଁ ପଥ ସୁଗମ ହୋଇଯିବ । ବାସ୍ତବରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର GM ସୋରିଷ ଏକ ଛଦ୍ମବେଶୀ ଆଗୁଆ ପଥପ୍ରଦର୍ଶକ।

୯. GM ସୋରିଷ, କୃଷିଭିତ୍ତିକ ବ୍ୟବସାୟ ପାଇଁ ଲାଭପ୍ରଦ ହେବାର ଜିନ (ତୃଣନାଶକ ସହନଶୀଳତା ଗୁଣ) ପାଇଁ ଜର୍ମାନ କମ୍ପାନୀ ବେୟାର କ୍ରପ‌୍ ସାଇନ୍ସ ସବୁଠାରୁ ଅଧିକ ସଂଖ୍ୟାରେ ସତ୍ଵ ଅଧିକାର ଦାବି (patent) ଆବେଦନ କରିଛି । କୌତୁହଳର କଥା ଯେ ଯେଉଁ Glufosinate ammonium ନାମକ ତୃଣନାଶକ ସହନଶୀଳତା ପାଇଁ GM ସୋରିଷ ପ୍ରସ୍ତୁତ କରାଯାଇଛି, ସେଇଟି ବେୟାର କମ୍ପାନୀ ଦ୍ଵାରା ଭାରତୀୟ ବଜାରରେ ବିକ୍ରି ହେଉଛି । ଏଥିରୁ ସ୍ପଷ୍ଟ ବୁଝାଯାଇପାରେ ଯେ ଘରୋଇ କମ୍ପାନୀର ବ୍ୟବସାୟିକ ଲାଭ ବଢାଇବା ଉଦ୍ଦେଶ୍ୟରେ ସରକାରୀ ପ୍ରତିଷ୍ଠାନ ଦ୍ଵାରା ଜିନ ପରିବର୍ତ୍ତିତ ସୋରିଷ ପ୍ରସ୍ତୁତ କରାଯାଇଛି; ଚାଷୀ ବା ଖାଉଟିଙ୍କ ହିତ ପାଇଁ ନୁହେଁ, ବରଂ ବିହନ ପ୍ରସ୍ତୁତି/ବିକ୍ରି କରି ଅଧିକ ଲାଭ ରୋଜଗାର କରିବା ପାଇଁ ଘରୋଇ କମ୍ପାନୀଙ୍କ ପାଇଁ ବାଟ ପରିଷ୍କାର କରାଯାଇଛି ! ପ୍ରକୃତରେ ଚାଷୀଙ୍କ ହାତରେ ଅଧିକ ଉତ୍ପାଦନକ୍ଷମ ସୋରିଷ ବିହନ ତ ଅଛି !

୧୦. ସବୁ ରାଜ୍ୟ ସରକାର, ଏପରିକି ଯେଉଁ ରାଜ୍ୟମାନଙ୍କରେ ସୋରିଷ ଚାଷ ଅଧିକ ହୁଏ, ସେମାନେ GM ସୋରିଷ କ୍ଷେତ୍ର ପରୀକ୍ଷା ବି କରିବାକୁ ଚାହୁନାହାନ୍ତି । କୃଷକ ସଂଗଠନ, ବୈଜ୍ଞାନିକ ଓ ଆହୁରି ଅନେକେ ଏହାର ବିରୋଧ କରୁଛନ୍ତି – ରାଜସ୍ଥାନ, ମଧ୍ୟପ୍ରଦେଶ ଓ ହରିୟାଣା ପରି ଅଧିକ ସୋରିଷ ଉତ୍ପାଦନ କରୁଥିବା ରାଜ୍ୟମାନେ ନିଜ ନିଜ ରାଜ୍ୟରେ GM ସୋରିଷର କ୍ଷେତ୍ର ପରୀକ୍ଷା ବି କରାଇବାକୁ ଚାହିଁଲେ ନାହିଁ । ଆମ ଦେଶ ଭାରତବର୍ଷର ସମ୍ବିଧାନ ଅନୁସାରେ କୃଷି କ୍ଷେତ୍ର ରାଜ୍ୟ ସରକାରଙ୍କ ପରିଚାଳନା ଅନ୍ତର୍ଭୁକ୍ତ ହୋଇଥିବାରୁ କୌଣସି GM ଫସଲ ପ୍ରଚଳନ କରିବାକୁ ହେଲେ ରାଜ୍ୟ ସରକାରଙ୍କ ମତାମତ ନେବାକୁ ପଡେ । ବିଟି ବାଇଗଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବା ପଛରେ ଏହା ମୁଖ୍ୟ କାରଣ ଥିଲା । GM ଫସଲ ଚାହୁଁ ନ ଥିବା ରାଜ୍ୟକୁ ଏହାର ଅନୁପ୍ରବେଶ ରୋକିବାକୁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଉପାୟ ନାହିଁ। କେବଳ କେନ୍ଦ୍ର ସରକାରଙ୍କ ଇଚ୍ଛା ବଳବତ୍ତର କଲେ ଗଣତାନ୍ତ୍ରିକ ଧାରା ରହିବ କେମିତି ?

ଦେଶର ଅଧିକାଂଶ ବଡ ବଡ କୃଷକ ସଙ୍ଗଠନ, GM ସୋରିଷ ପ୍ରଚଳନ ବିରୋଧରେ ବକ୍ତବ୍ୟ ଦେଇଛନ୍ତି। ବୈଜ୍ଞାନିକମାନେ ଏହାର ପ୍ରଚଳନ ପାଇଁ ଅନୁମତି ନ ଦେବାକୁ ସରକାରଙ୍କୁ ଲିଖିତ ମତାମତ ଦେଇଛନ୍ତି। ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଏହାର ବିରୋଧ କରି ସରକାରଙ୍କୁ ଲେଖୁଛନ୍ତି ।

୧୧. ସୋରିଷ ବିବିଧତାର କେନ୍ଦ୍ର ଆମ ଦେଶ ଭାରତବର୍ଷ – ବାଇଗଣ ପରି ସୋରିଷର ବିବିଧତା ଆମ ଦେଶରେ ସର୍ବାଧିକ । କେତେକ ବୈଜ୍ଞାନିକଙ୍କ ମତରେ ସୋରିଷର ଜନ୍ମ ଏଇ ଦେଶରେ । ୨୦୦୪ରେ କୃଷି ମନ୍ତ୍ରଣାଳୟ ଦ୍ଵାରା ଗଠିତ ଡଃ ସ୍ଵାମୀନାଥନଙ୍କ ନେତୃତ୍ଵରେ ପରିଚାଳିତ ଟାସ୍କଫୋର୍ସ ରିପୋର୍ଟ ଠାରୁ ଆରମ୍ଭ କରି ୨୦୧୩ ମସିହାର ସୁପ୍ରିମକୋର୍ଟର ଟେକ୍ନିକାଲ କମିଟି ରିପୋର୍ଟ ପର୍ଯନ୍ତ ସବୁଥିରେ, ଆମ ଦେଶ ଯେଉଁ ସବୁ ଫସଲର ଜନ୍ମସ୍ଥାନ ବା ବିବିଧତାର କେନ୍ଦ୍ର, ସେସବୁ ଫସଲ ସହ ପ୍ରୟୋଗାତ୍ମକ ପରୀକ୍ଷା ଆଦୌ ନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି କାରଣ ଆଧାରରେ ହିଁ ସରକାର ବିଟି ବାଇଗଣ ପ୍ରଚଳନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି ।

୧୨. GM ସୋରିଷର ପ୍ରଭାବ ନିରୋଧ କରିବା ଅସମ୍ଭବ, ଅନ୍ୟ ପ୍ରଜାତି ସହ ସଂକ୍ରମଣ ଅବଶ୍ୟମ୍ଭାବୀ। ସାରା ବିଶ୍ଵର ବିଭିନ୍ନ ସ୍ଥାନର ଉଦାହରଣ; ଏପରିକି GM ସୋରିଷ ପ୍ରସ୍ତୁତକାରୀଙ୍କ ନିଜ ଉକ୍ତି ହିଁ ପ୍ରମାଣ କରେଯେ GM ସୋରିଷର ପ୍ରଭାବ ନିରୋଧ କରିବା ଅସମ୍ଭବ, ଅନ୍ୟ କିସମ ସହ ସଂକ୍ରମଣ ଅବଶ୍ୟମ୍ଭାବୀ । ଏଇ GM ସୋରିଷ ଆମ କ୍ଷେତକୁ ଆସିଲେ ଆମ ପାଖରେ ଥିବା ସୋରିଷର ଜୀବତତ୍ତ୍ଵ ଓ ଶରୀରତତ୍ତ୍ଵ ପ୍ରଦୂଷିତ ହେବ ନିଶ୍ଚୟ । ଅନ୍ୟାନ୍ୟ ଗଛ, ବୃକ୍ଷ, ଘାସ ସହିତ ନୂଆ ଅନାବନା ଘାସ ଜନ୍ମିବ। ଜୈବିକ ଚାଷ କରୁଥିବା ଚାଷୀ ସେହି ପ୍ରକ୍ରିୟାକୁ ବଜାୟ ରଖିବା, ଜୈବିକ ଚାଷୀ ଭାବେ ସ୍ଵୀକୃତି ପାଇବା ଆଦି ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିବ । ଏଠାରେ ଲିଖିତ ଯୋଗ୍ୟ ଯେ, ୨୦୦୭ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ GM ସଂକ୍ରାନ୍ତୀୟ ଜନସ୍ଵାର୍ଥ ମାମଲାର ନିର୍ଦେଶନାମାରେ ପ୍ରତ୍ୟେକ ସ୍ତରରେ, ଏପରିକି କ୍ଷେତ୍ର ପରୀକ୍ଷା ସମୟରେ,ସଂକ୍ରମଣ ରୋକିବାକୁ ଆଦେଶ ଦେଇଥିଲେ ।

୧୩. ଜୈବିକ ଚାଷକ୍ରିୟା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । GM ଫସଲ ସହ ଅନ୍ୟ କିସମଗୁଡିକ ସଂକ୍ରମିତ ହୋଇଗଲେ ଜୈବିକ ଚାଷୀମାନେ ନିଜର ମାନ୍ୟତା ହରାଇବେ, ଜୈବିକ ବୋଲି ପ୍ରମାଣପତ୍ର ମିଳିବ ନାହିଁ। ଏପରିକି GM ସୋରିଷରୁ ପ୍ରସ୍ତୁତ ସୋରିଷ ପିଡିଆ ଜମିରେ ପକାଇଲେ ମାଟିର ଉର୍ବରତାରେ ଭିନ୍ନତା ଆସିବ।

୧୪. ଖାଉଟିମାନଙ୍କ ପାଖରେ ଆଉ କିଛି ଉପାୟ ନ ଥିବ। GM ସୋରିଷ ହେଉ କି ଅନ୍ୟ କୌଣସି GM ଫସଲ ହେଉ, ଖାଉଟିଙ୍କର କେତେଗୁଡିଏ ଅଧିକାର ଭଙ୍ଗ ହେବ। ଯେମିତିକି ନିଜେ ଖାଉଥିବା ଖାଦ୍ୟରେ କଣ ଅଛି, ତାହା ଜାଣିବାର ଅଧିକାର; ସବୁ ବିଷୟରେ ବିଷଦ ଜାଣି ଚୟନ କରିବାର ଅଧିକାର; ନିରାପଦ ଖାଦ୍ୟ ପାଇବାର ଅଧିକାର ଆଦି। ଯେହେତୁ GM ଫସଲରୁ ଅଣ GM ଫସଲ ସଂକ୍ରମଣ ରୋକିବାର କୌଣସି ପନ୍ଥା ନାହିଁ, ତେଣୁ ଖାଉଟିମାନେ ଚାହାନ୍ତୁ କି ନ ଚାହାନ୍ତୁ, GM ଫସଲ/ଖାଦ୍ୟ ଖାଇବାକୁ ବାଧ୍ୟ ହେବେ। GM ଖାଦ୍ୟ ଚିହ୍ନିତ କରିବାକୁ ଲେବେଲ ମାରିବା ସମ୍ଭବ ହେବନାହିଁ । ସେହିପରି ଥରେ ସଂକ୍ରମଣ ହୋଇଗଲେ ଚାଷୀ GM ଫସଲ ଚାଷ କରିବା ବ୍ୟତୀତ ଚାରା ନ ଥିବ ।

୧୫. ଜିନରେ ପରିବର୍ତ୍ତନ ଆଣି ପ୍ରସ୍ତୁତ କରାଯାଇଥିବା GM ସୋରିଷ ପ୍ରାକୃତିକ ପ୍ରକ୍ରିୟାକୁ ସୀମିତ କରିବାର କୌଶଳ ଅଟେ। ଏହି କୌଶଳ ପ୍ରୟୋଗ କରି ପୁରୁଷର ପ୍ରାକୃତିକ ପ୍ରଜନନ କ୍ଷମତା ନଷ୍ଟ କରି ଦିଆଯାଇଛି। ଭାରତର Protection of Plant Varieties & Farmers’ Rights Act ଅନୁସାରେ ଏହି କୌଶଳ GURT (Genetic Use Restriction Technology) ସ୍ୱାସ୍ଥ୍ୟ ଓ ଜୀବନ ପକ୍ଷେ ହାନିକାରକ ହୋଇଥିବାରୁ ଏହି କିସମଗୁଡିକ ପଞ୍ଜୀକରଣ କରାଯାଏ ନାହିଁ । GM ସୋରିଷରେ ପ୍ରୟୋଗ କରାଯାଇଥିବା କୌଶଳଗୁଡିକ ମଧ୍ୟରୁ କୌଣସିଟି ସମ୍ବନ୍ଧରେ IPR ଦିଆଯାଇଥିବାର ସ୍ପଷ୍ଟିକରଣ ମିଳିନାହିଁ । ଜନସାଧାରଙ୍କ ଗୋଚରାର୍ଥେ ଏ ସମ୍ବନ୍ଧରେ କିଛି ତଥ୍ୟ ଦେଇ ନାହାନ୍ତି ।

୧୬. ଆୟୁର୍ବେଦ ଚିକିତ୍ସାରେ ସୋରିଷ ବ୍ୟବହାର କରାଯାଏ। ଭାରତୀୟ ଚିକିତ୍ସା ପଦ୍ଧତି ଉପରେ ଏହାର କି ପ୍ରଭାବ ପଡିବ, ଅନୁଶୀଳନ କରାଯାଇନାହିଁ। ଆୟୁର୍ବେଦରେ ସୋରିଷକୁ ଉଭୟ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରାଯାଏ। ସୋରିଷ ମଞ୍ଜି ଓ ତେଲକୁ ଏକକ ଭାବେ ତଥା ଅନ୍ୟ ଦ୍ରବ୍ୟ ସହ ମିଶାଇ ଔଷଧ ତିଆରି କରାଯାଏ। ଏସବୁ ଔଷଧୀୟ ବ୍ୟବହାର ଉପରେ ଏହାର କି ପ୍ରଭାବ ପଡିବ, ତାହା ଏ ପର୍ଯନ୍ତ ଅନୁଶୀଳନ କରାଯାଇନାହିଁ, ତେଣୁ ଅସ୍ପଷ୍ଟ।

୧୭. GM ସୋରିଷ ମହୁମାଛି ଓ ମହୁ ଶିଳ୍ପକୁ ପ୍ରଭାବିତ କରିବ। GM ବିହନ କମ୍ପାନୀ ଦ୍ଵାରା ଅନ୍ୟ ସ୍ଥାନରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଏହାର କୁପ୍ରଭାବ ପଡିଛି । ମହୁମାଛିମାନେ ସୋରିଷ ଫସଲରୁ ଅନେକାଂଶରେ ମହୁ ସଂଗ୍ରହ କରିଥାନ୍ତି। ବିଶେଷ କରି ମହୁମାଛି ପାଳନ କରୁଥିବା ଚାଷୀମାନେ ସୋରିଷ ଫସଲ ଉପରେ ବେଶି ନିର୍ଭରଶୀଳ। ଏହା ଦ୍ଵାରା ସୋରିଷ ଉତ୍ପାଦନ ବି ବଢି ଥାଏ, ଉଭୟ ପ୍ରକ୍ରିୟାରେ ଚାଷୀ ଅଧିକ ରୋଜଗାର କରିପାରିଥାଏ । GM ସୋରିଷ ପ୍ରଚଳନ, ମହୁମାଛିଙ୍କ ପାଇଁ ହାନିକରକ ହେଲେ, ମହୁ ଉତ୍ପାଦନ ହ୍ରାସ ପାଇବ। ଏପରିକି ଆମ ଦେଶରୁ ମହୁ ରପ୍ତାନୀ ବି ଗ୍ରହଣୀୟ ହେବ ନାହିଁ ।


୧୮. ସ୍ଵାସ୍ଥ୍ୟକର ତେଲ ଖାଇବା ନା ଅଧିକ ତେଲ ଖାଇବା ଉପରେ ଗୁରୁତ୍ଵ ଦେବା? ଆମ ଦେଶର ତେଲ ଖାଇବା ପରିମାଣ ଅନୁମୋଦିତ ସ୍ଵାସ୍ଥ୍ୟକର ସୀମା ଠାରୁ ଅଧିକ ଅଛି। ଅବଶ୍ୟ ଆମ ଦେଶର ବହୁ ଭାଗ ଆର୍ଥିକ ଦୃଷ୍ଟିରୁ ଗରିବ ପରିବାରବର୍ଗ ଏହି ନିର୍ଦ୍ଧାରିତ ସୀମା ଠାରୁ କମ୍ ପରିମାଣର ତେଲ ଖାଉଛନ୍ତି । ମାତ୍ର ତେଲ ଚାହିଦା ପୂରଣ କରିବା ପରିବର୍ତ୍ତେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହି ଗରିବ ପରିବାରଙ୍କୁ ସ୍ଵାସ୍ଥ୍ୟକର ତେଲ ଯୋଗାଇଦେବା ଏବଂ ଅଧିକ ତେଲ ଖାଉଥିବା ଶ୍ରେଣୀକୁ ତେଲ ଖାଇବା ପରିମାଣ କମାଇବାକୁ ପ୍ରବର୍ତ୍ତାଇବା ସିନା ସମାଧାନ ହେବ !

୧୯. GM ସୋରିଷ ସମ୍ବନ୍ଧୀୟ ତଥ୍ୟ ଗୋପନ ରଖାଯାଇଛି । ଏହି GM ସୋରିଷ ସମ୍ବନ୍ଧୀୟ ତଥ୍ୟ ଏ ପର୍ଯନ୍ତ ଗୋପନ ରଖାଯାଇଛି। ଏପରି କରି ନିୟନ୍ତ୍ରକମାନେ କଣ ଲୁଚାଇବାକୁ ଚାହୁଁଛନ୍ତି, କାହାକୁ ସୁରକ୍ଷା ଦେଉଛନ୍ତି, ତାହା ଅଜଣା । ଅଥଚ, ମାନ୍ୟବର ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ସୂଚନା କମିଶନଙ୍କ ଆଦେଶାନୁସାରେ ନିୟନ୍ତ୍ରକମାନେ ଜନସାଧାରନଙ୍କ ଗୋଚର ଓ ନିରୀକ୍ଷଣାର୍ଥେ ସମସ୍ତ ତଥ୍ୟ ପ୍ରକାଶ କରିବା ଉଚିତ ।

୨୦. GM ସୋରିଷ ପରୀକ୍ଷା ଶଠତାପୂର୍ଣ୍ଣ, ବିଜ୍ଞାନସମ୍ମତ ନୁହେଁ , ଯଥେଷ୍ଟ ନୁହେଁ କି ବିଶ୍ଵାସଯୋଗ୍ୟ ନୁହେଁ। ଦେଖାଯାଇଛି ଯେ ଏହାର ପ୍ରଭାବ, ବିପଦ ଆଦି ଆକଳନ କରିବାକୁ ଯେତେ ପରୀକ୍ଷା ଆବଶ୍ୟକ, ସେସବୁ କରାଯାଇନାହିଁ । ଯାହା ବି ପରୀକ୍ଷା କରାଯାଇଛି, ସେଥିରେ ସମସ୍ତ ନିୟମ ସଠିକ ପାଳନ କରାଯାଇନାହିଁ। ଆହୁରି ମଧ୍ୟ ଦେଖାଯାଇଛି ଯେ ପରୀକ୍ଷାରୁ ମିଳିଥିବା ତଥ୍ୟ ଓ ତାହାର ନିଷ୍କର୍ଷ ଭିତରେ ତାଳମେଳ ନାହିଁ। ତଥ୍ୟ ସଠିକ ବିଶ୍ଳେଷଣ କରାଯାଇନାହିଁ। ହସ୍ତଗତ ହୋଇଥିବା ସ୍ୱଳ୍ପ ତଥ୍ୟକୁ ନେଇ କେତେଜଣ ଦରଦୀ ଅଭିଜ୍ଞଙ୍କ ବିଶ୍ଳେଷଣ ଅନୁଯାୟୀ ପରୀକ୍ଷା ଶଠତାପୂର୍ଣ୍ଣ, ବିଜ୍ଞାନସମ୍ମତ ନୁହେଁ, ଯଥେଷ୍ଟ ନୁହେଁ କି ବିଶ୍ଵାସ ଯୋଗ୍ୟ ନୁହେଁ।

୨୧. ଏଥିରେ ବ୍ୟକ୍ତିଗତ ସ୍ଵାର୍ଥ ନିହିତ– GM ସୋରିଷର ଆବେଦକମାନଙ୍କ ମଧ୍ୟରୁ ଜଣେ GEACର ସଦସ୍ୟ ଅଟନ୍ତି । ସୂଚନା ଅଧିକାର ଆଇନ ଜରିଆରେ ପ୍ରାପ୍ତ ସୂଚନା ଅନୁଯାୟୀ ପରୀକ୍ଷା ପାଇଁ ସର୍ତ୍ତାବଳୀ ବି ପ୍ରସ୍ତୁତକାରୀମାନେ ନିଜେ ପ୍ରସ୍ତୁତ କରିଥିଲେ । ପ୍ରସ୍ତୁତକାରୀଙ୍କ କହିବା ଅନୁସାରେ ପରୀକ୍ଷାଟି ବିଧିବଦ୍ଧ ଭାବରେ ICAR ଅନ୍ତର୍ଭୁକ୍ତ Directorate of Rapeseed Mustard Research (DRMR)ଦ୍ଵାରା ପରିଚାଳନା ଓ ପର୍ଯବେକ୍ଷଣ କରାଯାଇଛି। ମାତ୍ର DRMR ଏହା ଅସ୍ଵୀକାର କରିଛନ୍ତି । ଏପରି ପରିସ୍ଥିତିରେ ସାଧାରଣ ଲୋକ GM ସୋରିଷର ଉପକାରିତା ବିଷୟରେ କରାଯାଉଥିବା ଦାବିଗୁଡିକୁ ବିଶ୍ଵାସ କରିବେ କେମିତି?

୨୨. ସୁପ୍ରିମ କୋର୍ଟର Technical Expert Committee ଏହାକୁ ମନା କରିଛନ୍ତି। GM ଫସଲର ଅବଶ୍ୟମ୍ଭାବୀ ବିପଦ ଆକଳନ ଓ ପ୍ରଚଳନ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରାଧିନ । GM ଫସଲ ସମ୍ବନ୍ଧିତ ଏକ ଜନସ୍ଵାର୍ଥ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ଵାରା ହିଁ Technical Expert Committee ନିଯୁକ୍ତ କରଯାଇଥିଲା। TECର ଛଅ ଜଣ ବୈଜ୍ଞାନିକଙ୍କ ଛଅଟି ଅଲଗା ଅଲଗା ରିପୋର୍ଟ ଦେଇଛନ୍ତି । ସେଥିମଧ୍ୟରୁ ପାଞ୍ଚଟି ରିପୋର୍ଟରେ ଅନେକ କାରଣ ଦର୍ଶାଇ ଭାରତରେ ତୃଣନାଶକ ସହନଶୀଳ GM ଫସଲ ପ୍ରଚଳନ ନିଷିଦ୍ଧ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଗୋଟିଏ ରିପୋର୍ଟରେ ବୈଜ୍ଞାନିକ ଜଣଙ୍କ GM ଫସଲ ପ୍ରଚଳନ ସପକ୍ଷରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯୋଗ୍ୟଯେ ଏହି ବୈଜ୍ଞାନିକଜଣଙ୍କ GM ଉଦ୍ୟୋଗର ପୃଷ୍ଠପୋଷକତାରେ ଗଠିତ ଏକ ଅନୁଷ୍ଠାନ ସହ ସମ୍ପୃକ୍ତ ଅଛନ୍ତି। ଏହି Technical Expert Committee ବ୍ୟତୀତ କୃଷି ମନ୍ତ୍ରଣାଳୟ ଦ୍ଵାରା ଗଠିତ Task Force ମଧ୍ୟ ସେହି ଏକ ମତ ଦେଇଛନ୍ତି।

୨୩. ଆଇନ ଅନୁସାରେ ଉତ୍ତରଦାୟୀ ହେବେ କିଏ ? ଏପର୍ଯନ୍ତ ନିର୍ଦ୍ଦିଷ୍ଟ ହୋଇନାହିଁ। GM ସୋରିଷ ହେଉ ବା ଅନ୍ୟ କୌଣସି ଫସଲ ହେଉ, ଏହାର ଉତ୍ତରଦାୟିତ୍ଵ ସମ୍ପର୍କରେ ବିଧିବଦ୍ଧ ଅନୁଶାସନ/ବ୍ୟବସ୍ଥା ଆଦୌ ନଥାଇ ବି ଆବେଦନଗୁଡିକ ବିଚାର କରାଯାଉଛି, ସ୍ଵୀକୃତି ଦେବା ବା ନଦେବା ପାଇଁ ବିଚାର ହେଉଛି। ଏହି ବ୍ୟବସ୍ଥା ନଥିଲେ, ପରେ କ୍ଷତିପୂରଣ ଦେବା, ଜୋରିମାନା କରିବା, କ୍ଷତିଗ୍ରସ୍ତଙ୍କ ବିଚାର କରିବା ବା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାହାକୁ କୁହାଯିବ ? ଯେହେତୁ ଜନସାଧାରଣ ଓ ତାଙ୍କ ପରିବେଶ ହିଁ GM ଫସଲର କୁପ୍ରଭାବର ଶିକାର ହେବେ, ତେଣୁ ଏପ୍ରକାର ଫସଲ ପ୍ରଚଳନ ହେଲେ ଉତ୍ତରଦାୟିତ୍ଵ କିଏ ନେବେ – ନିୟନ୍ତ୍ରକଗଣ (?)ନା ଫସଲ ପ୍ରସ୍ତୁତକାରୀ (?)ନା ସରକାର (?)। ଏଥିପାଇଁ କାର୍ଯ ପ୍ରକ୍ରିୟା/ପଦ୍ଧତି ଓ ଆଇନ-ଧାରା ସବୁକିଛି ପ୍ରଥମରୁ ହିଁ ସ୍ପଷ୍ଟ ରହିବା ଜରୁରୀ ଅଟେ । ମାତ୍ର ଏହା ଏ ପର୍ଯନ୍ତ କରାଯାଇନାହିଁ, ଅଥଚ, ଫସଲ ପ୍ରଚଳନ ପାଇଁ ଅନୁମତି ଦେବାକୁ ବିଚାର ହେଉଛି।

୨୪. ଏହି GM ସୋରିଷର ଆବଶ୍ୟକତା ଆଦୌ ନାହିଁ। ଅଧିକ ଅମଳ ନାମରେ ଉତ୍ପାଦକ ଓ ଉପଭୋକ୍ତା, ଉଭୟଙ୍କ ଉପରେ ଏହି ନୂଆ କୌଶଳ ଲଦି ଦିଆଯାଉଛି । ପରନ୍ତୁ, ଠିକ୍ ଯେମିତି ଏହି GM ଫସଲ କରିବା ଦ୍ଵାରା ଅମଳ ବୃଦ୍ଧିର କିଛି ପ୍ରମାଣ ନାହିଁ କିମ୍ବା ଅନ୍ୟ ହାଇବ୍ରିଡ କିସମ ଚାଷ ଯୋଗୁଁ ଉତ୍ପାଦନ ସ୍ତରରେ ବିଶେଷ କିଛି ପ୍ରଭାବ ପଡିନାହିଁ, ଚାଷ ପ୍ରକ୍ରିୟାରେ ସ୍ୱଳ୍ପ କେତୋଟି ପରିବର୍ତ୍ତନ ଆଣି ପାରିଲେ, ଅମଳ ପରିମାଣ ଯଥେଷ୍ଟ ବୃଦ୍ଧି ଘଟୁଥିବାର ପ୍ରମାଣ ମିଳିସାରିଛି। ଯାହାକି SMI (System of Mustard Intensification)।  କରଦାତାମାନଙ୍କର ଶହେ କୋଟି ଟଙ୍କା ଏମିତି ଅନାବଶ୍ୟକ, ହାନିକରକ କୌଶଳ ପିଛା ନଷ୍ଟ ନକରି ବରଂ ଏହି ସବୁ କୃଷି ପ୍ରକ୍ରିୟା ପ୍ରତି ଦୃଷ୍ଟି ଦେଇ ଏଥିରେ ସମ୍ବଳ ବିନିଯୋଗ କଲେ ସମସ୍ତଙ୍କ ମଙ୍ଗଳ ହୁଅନ୍ତା।

୨୫. ଜିନ୍ ପରିବର୍ତ୍ତନ କୌଶଳ ବିନା ବି ଭାରତର ତୈଳ ଉତ୍ପାଦନ ଯଥେଷ୍ଟ ପରିମାଣରେ ବୃଦ୍ଧି କରାଯାଇ ପାରିବ। ପ୍ରଥମତଃ, ଦେଶର ତୈଳ ଉତ୍ପାଦନ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବାକୁ ହେଲେ GM କୌଶଳ ନୁହେଁ, ରାଜନୈତିକ ସଙ୍କଳ୍ପବଦ୍ଧତା ଦରକାର। ସୋରିଷ ଚାଷ ପାଇଁ ପ୍ରୋତ୍ସାହନ, System of Mustard Intensification (SMI) ପ୍ରକ୍ରିୟା ଅନୁସରଣ, ଫସଲ ପର୍ଯାୟ କ୍ରମରେ ଧାନ ଚାଷ ପରେ ଖାଲି ପଡୁଥିବା ଜମିରେ ସୋରିଷ ଚାଷ ଆଦି ଅବଲମ୍ବନ କରି ସୋରିଷ ଉତ୍ପାଦନ ବଢାଇ ହେବ। ଜରୁରୀକାଳୀନ/ ସୁରକ୍ଷାଦାୟକ ଜଳସେଚନ ବ୍ୟବସ୍ଥା ସହିତ ଗୋଷ୍ଠୀ ପରିଚାଳିତ ଜଳ ସଦ୍‌ବ୍ୟବହାର ଦ୍ଵାରା ଚିନାବାଦାମ, ସୋୟାବିନ ପରି ଅନ୍ୟ କେତୋଟି ତୈଳବୀଜ ଉତ୍ପାଦନରେ ଉନ୍ନତି ଅଣାଯାଇପାରିବ। ସରକାରୀ ନୀତି ଦୃଷ୍ଟିରୁ, ତୈଳବୀଜ ରପ୍ତାନି-ଆମଦାନୀ ନୀତି ଆମ ଦେଶର ଚାଷୀଙ୍କୁ ସୁହାଇବା ପରି ହେବା ଉଚିତ। ଜମି ଉପଯୋଗ ନୀତି ମଧ୍ୟରେ ଅଧିକ ଜମିରେ ସୋରିଷ ଚାଷ କରିବାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସେହିପରି ଚାଷୀଙ୍କୁ ତୈଳବୀଜର ଉଚିତ ମୂଲ୍ୟ ଦେବା ଓ ସରକାରୀ କ୍ରୟ ନୀତି ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଆନୁଷ୍ଠାନିକ ଭାବରେ ବର୍ତ୍ତମାନ ପ୍ରଚଳନ ହେଉଥିବା ତୈଳବୀଜ ଚାଷ ପଦ୍ଧତିକୁ ବାସ୍ତବ କୃଷି କ୍ଷେତ୍ରରେ ସଠିକ ପ୍ରୟୋଗ କରିପାରିଲେ ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇବ ନିଶ୍ଚୟ । ଯଦି ଭାରତ ସରକାର ପ୍ରକୃତରେ ତୈଳବୀଜ ଉତ୍ପାଦନ ବଢାଇବାକୁ ଚିନ୍ତିତ, ତେବେ ସୁସ୍ଥାୟୀ ଫଳାଫଳ ନିମନ୍ତେ ଉପରଲିଖିତ ପ୍ରକ୍ରିୟାଗୁଡ଼ିକୁ ସବିଶେଷ ଅନୁସନ୍ଧାନ କରି କାର୍ଯରେ ପରିଣତ କରିପାରିବେ ।

ଶେଷ କଥା:

ଉପର ଅନୁଚ୍ଛେଦଗୁଡିକରେ ବର୍ଣ୍ଣନା କରାଯାଇଥିବା କେତୋଟି କାରଣ ଆଧାରରେ GM ସୋରିଷ ଫସଲର ପ୍ରଚଳନ ପାଇଁ ଭାରତ ସରକାର ଅନୁମତି ଦେବାକୁ ଆମେ ବିରୋଧ କରୁ। ଶୁଣାଯାଉଛି ଯେ ହାଇବ୍ରିଡ GM ସୋରିଷକୁ ରଦ୍ଦ କରି ମୂଳ ପ୍ରକ୍ରିୟାକୁ ଅନୁମତି ଦିଆଯିବ। ଏହା ଏକ ପ୍ରବଞ୍ଚନା ମାତ୍ର ହେବ । କାରଣ ମୂଳ ପ୍ରକ୍ରିୟା ଅନୁସରଣରେ ପରବର୍ତ୍ତୀ ଫସଲ ମଧ୍ୟ ତୃଣନାଶକ ସହନଶୀଳ ହିଁ ହେବ, ଏହା ସହିତ ଅନ୍ୟାନ୍ୟ ସବୁ ସମସ୍ୟା/ଆଶଙ୍କା ଯେମିତିକୁ ସେମିତି ରହିବ ।

ବିଟି କପା ଓ ବିଟି ବାଇଗଣକୁ ବିରୋଧ କରିବା ପରି ଆମ କୃଷି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟରେ ଜିନ୍ ପରିବର୍ତ୍ତିତ ଦ୍ରବ୍ୟର ଅନୁପ୍ରବେଶକୁ ଆଜି ମଧ୍ୟ ବିରୋଧ କରୁଛୁ । ବିଟି କପା ସମ୍ବନ୍ଧୀୟ ସମସ୍ତ ପ୍ରତିଶୃତି ଓ ବଡ ବଡ କଥାର ସତ୍ୟତା ଆଜି ୧୫ ବର୍ଷ ପରେ ଜଣାପଡିଯାଇଛି। ବେଆଇନ ବିଟି କପା ଚାଷ ଏତେ ମାତ୍ରାରେ ପ୍ରସାର ହୋଇଗଲା ଯେ ନିୟନ୍ତ୍ରକମାନେ ଆଉ ନିୟନ୍ତ୍ରଣ କରି ନ ପାରି ବିଟି କପା ବ୍ୟବସାୟିକ ପ୍ରଚଳନ ପାଇଁ ଅନୁମତି ଦେଇଥିଲେ । ଆଜି କପା ଉତ୍ପାଦନ ପରିମାଣ ସ୍ଥାଣୁ ହୋଇଯାଇଛି । ମୂଳ କପା ଫସଲ କୀଟ ବୋଲ୍-ୱାର୍ମ କୀଟନାଶକ ନିରୋଧକ ହୋଇଯାଇଛି, ନୂଆ-ନୂଆ କୀଟର ପ୍ରଭାବ ବହୁ ମାତ୍ରାରେ ବଢି ଯାଇଛି। କୀଟନାଶକ ବ୍ୟବହାର ପରିମାଣ ବହିଗୁଣିତ ହୋଇଛି। ବିଶ୍ଵର କପା ଉତ୍ପାଦନକାରୀ ୭୨ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୩୧। ଆହୁରି ୨୩ଟି ଦେଶ GM କପା ଚାଷ ନ କରି ବି ଉତ୍ପାଦନରେ ଆମ ଠାରୁ ବହୁ ଆଗରେ ଅଛନ୍ତି।

ବିଟି ବାଇଗଣ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କର TEC ଏକ ସଦ୍ୟ ବିଶ୍ଳେଷଣ କରି କହିଛନ୍ତି ଯେ ଜିନ୍ ପରିବର୍ତ୍ତନ କୌଶଳକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିତାଦେଶ ଦେବା ସମ୍ପୂର୍ଣ ଠିକ୍ ଓ ବିଜ୍ଞାନସମ୍ମତ ଥିଲା । ନିର୍ବାଚନ ସମୟରେ ଗୋଟିଏ ପ୍ରତିଶୃତି ଦେଇ ସରକାର ଗଠନ କଲା ପରେ ଅନ୍ୟ କିଛି କରିବାର ଦେଖି ଏବଂ ଏମିତି ବାରମ୍ବାର ଖାଦ୍ୟ ଓ କୃଷି ବ୍ୟବସ୍ଥା ମଧ୍ୟକୁ ବିଜ୍ଞାନ-ବିରୋଧୀ ଜିନ୍ ପରିବର୍ତ୍ତିତ ଦ୍ରବ୍ୟ ଜୋରଜବରଦସ୍ତ ଭର୍ତ୍ତି କରିବାର ଉଦ୍ୟମକୁ ବିରୋଧ କରି କରି ଦରଦୀ ନାଗରିକମାନେ କ୍ଲାନ୍ତ।


ବିଶ୍ଵର ବିଭିନ୍ନ ପ୍ରାନ୍ତରେ GM କାନୋଲା (ସୋରିଷ ପରି ଆଉ ଏକ ତୈଳବୀଜ) ଚାଷ ଜମି ପରିମାଣ ହ୍ରାସ ପାଉଥିବା ବେଳେ ଏବଂ ଏହା ପ୍ରଚଳନ କରି ପଶ୍ଚାତପ କରୁଥିବା ବେଳେ ଭାରତ ସରକାର ଏହାର ବ୍ୟବସାୟିକ ପ୍ରଚଳନ ପାଇଁ ଅନୁରକ୍ତି ପ୍ରକାଶ କରୁଛନ୍ତି ! ଏବେ ତ ଆମର ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ତୃଣନାଶକର କୁପ୍ରଭାବ ବିଷୟରେ ନିର୍ଦ୍ଦିଷ୍ଟ ପ୍ରମାଣ ମିଳିସାରିଲାଣି । ନିକଟ ଅତୀତରେ, ବିଟି ବାଇଗଣ ଉପରେ ରହିତାଦେଶ ଜାରି ହେବା ପରେ, GM ଫସଲର ଅନେକ କୁପ୍ରଭାବ ବିଷୟରେ ଆହୁରି ପ୍ରମାଣ ମିଳିସାରିଲାଣି। ମାତ୍ର ମାନ୍ୟବର ସୁପ୍ରିମକୋର୍ଟ ଓ ସୂଚନା ଅଧିକାର ଆଇନ କମିଶନଙ୍କର ନିୟନ୍ତ୍ରକମାନଙ୍କୁ ଆଦେଶ ସତ୍ତ୍ୱେ ଏହି GM ସୋରିଷର ଜୈବସୁରକ୍ଷା ନେଇ କିଛି ତଥ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଏଯାବତ ଦିଆଯାଇ ନାହିଁ। ଅତୀତରେ ବି ନିୟନ୍ତ୍ରକମାନେ ଅନ୍ୟ GM ଦ୍ରବ୍ୟ ପାଇଁ ଆପୋଷ ବୁଝାମଣା କରିନେଇଥିଲେ। ବିଶ୍ଵାସ ଜନ୍ମାଇବା ଭଳି କିଛି ସେମାନେ ଇତି ମଧ୍ୟରେ କରିନାହାନ୍ତି ଯେ ଆମେ ତାଙ୍କୁ ଭରସା କରିପାରିବା ! ତେଣୁ ଆମ ସ୍ୱାସ୍ଥ୍ୟ ଓ ପରିବେଶକୁ ଅଦରକାରୀ, ଅବାଞ୍ଛିତ, ଆଶଙ୍କାଜନକ କୌଶଳ ଓ ତା’ର ପ୍ରଭାବରୁ ସୁରକ୍ଷିତ ରଖିବାକୁ ଆମେ ପ୍ରତ୍ୟେକେ ସକ୍ରିୟ ହେବା ଶ୍ରେୟସ୍କର।

ଏହି GM ସୋରିଷକୁ ବିରୋଧ କରନ୍ତୁ। ଆମ ଖାଦ୍ୟ, କୃଷି ଓ ପରିବେଶ ମଧ୍ୟରେ GM ଦ୍ରବ୍ୟ ଅନୁପ୍ରବେଶକୁ ବିରୋଧ କରନ୍ତୁ । ଆସନ୍ତୁ, ସମସ୍ତେ ମିଶି ଚାଷୀ ଦ୍ଵାରା ନିୟନ୍ତ୍ରିତ, ନିରାପଦ, ମିତବ୍ୟୟୀ ଓ ସୁସ୍ଥାୟୀ କୌଶଳ ମାଧ୍ୟମରେ ଭାରତୀୟ କୃଷି ବ୍ୟବସ୍ଥାକୁ ଦୃଢ କରିବା । ସବୁ ଜିନ୍ ପରିବର୍ତ୍ତିତ ଫସଲ ସହ ଏହି ନିର୍ଦ୍ଦିଷ୍ଟ GM ସୋରିଷକୁ ବିରୋଧ କରି ପରିବେଶ ବିଭାଗୀୟ ମନ୍ତ୍ରୀଙ୍କୁ ପିଟିସନ ପଠାଇପାରିବେ ।

ଠିକଣା: moefcc@nic.in
ସର୍ବସାଧାରଣ ସ୍ଵାର୍ଥରେ GM-ମୁକ୍ତ ଭାରତ ପାଇଁ ସଙ୍ଗଠନ Coalition for a GM-Free India ଦ୍ଵାରା ପ୍ରକାଶିତ।
ଅଧିକ ଜାଣିବା ପାଇଁ ପଢନ୍ତୁ: www.indiagminfo.org

Friday, August 12, 2016

ଭାରତକୁ ମାଡ଼ି ନଆସୁ GM ସୋରିଷ ବିପଦ

ଜିଏମ୍ ସୋରିଷର ବିପଦକୁ ନେଇ ଆଲୋଚନାଚକ୍ର
ସ୍ଥାନ: ରେଡ୍‌କ୍ରସ୍‌ଭବନ, ଭୁବନେଶ୍ୱର
ସମୟ: ୨୧ ଅଗଷ୍ଟ୨୦୧୬, ରବିବାର, ପୂର୍ବାହ୍ଣ ୧୦ଟା ୩୦

ଅତୀତରେ ଆମେ ଜିନ୍ ପରିବର୍ତିତ ବାଇଗଣ ପ୍ରଚଳନର ପ୍ରଚେଷ୍ଟାକୁ ମିଳିତ ଭାବରେ ପ୍ରତିବାଦ କରି ତା ଉପରେ ପ୍ରତିବନ୍ଧକ ଲଗେଇବାରେ ସଫଳ ହୋଇଥିଲେ। ପରବର୍ତୀ ସମୟରେ ପଛ ଦ୍ୱାର ଦେଇ ପୁଣି ଥରେ ଜିଏମ୍ ବିହନ ପ୍ରଚଳନ ପାଇଁ BRAI ନାମକ ବିଲ୍ ସଂସଦରେ ଆଗତ କରିବାର ଚେଷ୍ଟା ହୋଇଥିଲା। ଦେଶବ୍ୟାପୀ ବିରୋଧ କାରଣରୁ ସେ ବିଲ୍‌ ମଧ୍ୟ ଆଗତ ହୋଇପାରି ନଥିଲା। ୨୦୧୪ ସଂସଦ ନିର୍ବାଚନ ବେଳେ ବର୍ତମାନ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଦଳ ନିଜ ଇସ୍ତାହାରରେ ଜିଏମ୍ ଫସଲକୁ ବିରୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ସରକାରକୁ ଆସିବା ପରେ ଜିଏମ୍ ବିହନର ପ୍ରଚଳନ ପାଇଁ ଚେଷ୍ଟା ଜାରି ରଖିଛି। ବିଭିନ୍ନ ଚାଷୀ ସଂଗଠନ, କିଛି ପ୍ରଗତିଶୀଳ ରାଜନୈତିକ ଦଳ ଓ ନାଗରିକ ସଂଗଠନମାନଙ୍କ ବିରୋଧ କାରଣରୁ ଏ ସରକାରକୁ ପଛଘୁଞ୍ଚା ଦେବାକୁ ଏଯାଏଁ ବାଧ୍ୟ ହେବାକୁ ପଡିଛି। କିନ୍ତୁ ନୀତିଗତ ଭାବରେ ଭାଜପା ଜିଏମ୍ ସପକ୍ଷରେ ଓ କେନ୍ଦ୍ରସରକାର କର୍ପୋରେଟ୍ ସ୍ୱାର୍ଥରେ ଯେ କୌଣସି ମୁହୂର୍ତରେ ଜିଏମ୍ ସୋରିଷ ପ୍ରଚଳନର ନିଷ୍ପତ୍ତି ନେଇ ପାରନ୍ତି। ଜିଏମ୍ ସୋରିଷର ପ୍ରଚଳନ ପାଇଁ ସରକାର ଖୁବ୍ ବ୍ୟସ୍ତ ସେ କଥା ବିଭିନ୍ନ ସୂତ୍ରରୁ ଜଣାପଡୁଛି। ସୋରିଷ, ଓଡିଶା କାହିଁକି ସାରା ଭାରତର ଖାଦ୍ୟ ସଂସ୍କୃତିରେ ଏକ ବିଶିଷ୍ଟ ଭୂମିକା ତୁଲାଉଛି। ସୋରିଷ, ଖାଇବା ତେଲ ଓ ବିଭିନ୍ନ ରନ୍ଧନ ପ୍ରକ୍ରିୟାରେ ବ୍ୟବହାର ହେବା ଛଡା ଔଷଧୀୟ ଗୁଣ ପାଇଁ ଆମର ଦୈନନ୍ଦିନ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ। ଖାଦ୍ୟରେ, ବେସରରେ, ପ୍ରସାଦରେ ଯେଉଁ ସୋରିଷ ସାଧାରଣ ଉପାଦାନ ରୂପେ ରହି ଆସିଛି, ତାହାରି ଜରିଆରେ ଆମ ଖାଦ୍ୟ ଥାଳି ଓ ସଂସ୍କୃତିରେ ବିଷ ଗୋଳି ଦେବା ପାଇଁ ଆମ ସରକାର ଓ କର୍ପୋରେଟ୍ ଗୋଷ୍ଠୀ ଚକ୍ରାନ୍ତ ଜାରି ରଖିଛନ୍ତି। ଆଉ ଜିଏମ୍ ସୋରିଷକୁ ଏକ ଅନୁକୂଳ ଖୁଣ୍ଟି ଭଳି ସେମାନେ ବାଛିଛନ୍ତି। ଥରେ ଜିଏମ୍ ସୋରିଷ ପ୍ରଚଳିତ ହେଲେ ତାପରକୁ ଅନ୍ୟ ଫସଲରେ ଜିଏମ୍‌ର ପ୍ରବେଶ ନିଷ୍କଣ୍ଟକ ହୋଇଯିବ। ଅଣଖାଦ୍ୟ ଫସଲ ଭାବେ ବିଟି କପା କେମିତି ସାରା ଭାରତରେ ଆତ୍ମହତ୍ୟାର ବୀଜ ପାଲଟିଛି, ତାହା ଆମେ ସଭିଁଏ ଜାଣୁ। ପରିସ୍ଥିତିକୁ ନଜରରେ ରଖି ଜିଏମ୍ ବିହନ ବା ଫସଲ ପ୍ରଚଳନର ସଫଳ ବିରୋଧ ପାଇଁ ଆମକୁ ଦଳମତ ନିର୍ବିଶେଷରେ ପ୍ରସ୍ତୁତ ହେବାକୁ ପଡିବ। ଚାଷୀର ବିହନ ଆତ୍ମନିର୍ଭରତା, ନାଗରିକ ମାନଙ୍କର ବିଷମୁକ୍ତ ଖାଦ୍ୟ ଭୋଜନ ଅଧିକାର ଏବଂ ସାମଗ୍ରିକ ଭାବରେ ଭାରତର କୃଷି ଓ ଖାଦ୍ୟ ବ୍ୟବସ୍ଥା ଉପରେ ମୁଷ୍ଟିମେୟ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ନିୟନ୍ତ୍ରଣର ଅନ୍ୟ ନାମ ହେଲା ଜିଏମ୍। ଏ ସଂପର୍କରେ ଆଲୋଚାନାଚକ୍ର ସହ ଜିଏମ୍ ସୋରିଷ ପ୍ରଚଳନର ବିରୋଧକୁ ରାଜ୍ୟ ଓ ଦେଶରେ ବ୍ୟାପକ କରିବା ପାଇଁ ଏକ ରଣନୀତି ସ୍ଥିର କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆଗାମୀ ଅଗଷ୍ଟ ୨୧ ତାରିଖ ଦିନ ଭୁବନେଶ୍ୱରର ରେଡ଼୍‌କ୍ରସ୍ ଭବନରେ ଅନୁଷ୍ଠିତ ହେବ। ଏଥିରେ ଏଲାଏନ୍ସ ଫର ସଷ୍ଟେନେବୁଲ ଏଣ୍ଡ ହୋଲିଷ୍ଟିକ୍ ଏଗ୍ରିକଲଚର୍‌ - ଇଣ୍ଡିଆର ରାଷ୍ଟ୍ରୀୟ ସଂଯୋଜିକା କବିତା କୁରୁଗୁଣ୍ଟି ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କୃଷକ ସଂଗଠନ, ନାଗରିକ ସଂଗଠନ, ସାମାଜିକ ସଂଗଠନ ତଥା ରାଜ୍ୟର ପ୍ରଗତିଶୀଳ ରାଜନୈତିକ ଦଳଗୁଡିକର ପ୍ରତିନିଧିମାନଙ୍କୁ ମଧ୍ୟ ଭାଗ ନେବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆପଣଙ୍କର ଉପସ୍ଥିତି ଏକାନ୍ତ କାମ୍ୟ।

ନିବେଦକ

ସରୋଜ

ଏଲାଏନ୍ସ ଫର ସଷ୍ଟେନେବୁଲ ଏଣ୍ଡ ହୋଲିଷ୍ଟିକ୍ ଏଗ୍ରିକଲଚର୍‌ - ଇଣ୍ଡିଆ ଓ ଦେଶୀ ବିହନ ସୁରକ୍ଷା ମଂଚ, ଓଡ଼ିଶା

ଯୋଗାଯୋଗ: ୮୮୯୫୧୫୭୦୬୬

ସବିଶେଷ ଅବଧାରଣା ପାଇଁ / For details about GM Mustard and similar organisms
http://bharatbasi.blogspot.in/2016/08/25-reasons-to-say-no-to-gm-mustard.html

Saturday, August 6, 2016

ଜାତୀୟ ଖାଦ୍ୟ ସୁରକ୍ଷା ପଡ଼ିକାର୍ଡ଼ ସର୍ତାବଳୀ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ର ହିତାଧିକାରୀ ଚୟନ ସହ ନୂଆ ପଡ଼ିକାର୍ଡ଼ ଦିଆଯିବା ପାଇଁ ରାଜ୍ୟ ସରକାର ରେଡ଼ିଓ ବା ଟିଭି ଚ୍ୟାନେଲଗୁଡ଼ିକ ଜରିଆରେ ବେଶି ପ୍ରଚାର ନକରି ପ୍ରଚାରପତ୍ର ତଥା ପ୍ରାଚୀରପତ୍ର ଜରିଆରେ ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ୨୦୧୪ ଶେଷ ସୁଦ୍ଧା ପରିବାର ପଞ୍ଜୀକରଣ ତଥା ଆବେଦନ ପତ୍ର ଦାଖଲ କରିବାକୁ ନିର୍ଦେଶ ଥିଲା। ପଞ୍ଜୀକରଣ କେନ୍ଦ୍ର ରୂପେ ପଞ୍ଚାୟତ କାର୍ଯ୍ୟାଳୟ ଧାର୍ଯ୍ୟ ହୋଇଥିବା ବେଳେ ସଂପର୍କ ଅଧିକାରୀ ଥିଲେ ସ୍ଥାନୀୟ ଅଙ୍ଗନଓ୍ଵାଡ଼ି କର୍ମୀ। ପୁରୁଣା ପଡ଼ିକାର୍ଡ଼ ସବୁ ଅଚଳ ହୋଇଯିବ ବୋଲି ମଧ୍ୟ ସତର୍କ କରାଯାଇଥିଲା।

କେଉଁ ପରିବାରମାନେ  ସ୍ୱତଃ କାର୍ଡ଼ ପାଇବେ:

୧. ବାସହୀନ ପରିବାର।

୨. ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା ପରିବାର।


୩. ସମସ୍ତ ଆଦିମ ଅଧିବାସୀ (Primitive Tribal Group) ପରିବାର ସମୂହ


୪. ଯେଉଁ ପରିବାରର କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବେ।


୫. ଯେଉଁ ପରିବାରର କୌଣସି ସଦସ୍ୟ ଶତକଡ଼ା ୪୦ ଭାଗରୁ ଅଧିକ ଶାରୀରିକ ବିକଳାଙ୍ଗ ହୋଇଥିବେ।


କେଉଁ ପରିବାର କାର୍ଡ଼ ପାଇବେ ନାହିଁ:

୧. ପରିବାରର କୌଣସି ସଦସ୍ୟ ରେଜିଷ୍ଟ୍ରିଭୁକ୍ତ ତିନିଚକିଆ ଯାନ(ଦୁଇ ବା ତତୋଽଧିକ)/ଚାରିଚକିଆ/ଭାରୀ ଯାନ/ ମାଛଧରା ଡଙ୍ଗାର ମାଲିକ ହୋଇଥିଲେ।
 

୨. ପରିବାର ସଦସ୍ୟଙ୍କ ନାମରେ ଯନ୍ତ୍ରଚାଳିତ  କୃଷିସରଞ୍ଜାମ (ଟ୍ରାକ୍ଟର, ହାର୍ଭେଷ୍ଟର) ଇତ୍ୟାଦି ରହିଥିଲେ।
 

୩. ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରିଥିଲେ କିମ୍ବା ପୌରପାଳିକା ବା ପୌରସଂସ୍ଥାରେ ନିୟମିତ ଚାକିରିଆ ହୋଇଥିଲେ। ସରକାରୀ ଅନୁଦାନପ୍ରାପ୍ତ ସ୍ୱୟଂଶାସିତ ସଂସ୍ଥାର ଚାକିରିଆ ହୋଇଥିଲେ। ପ୍ରୋତ୍ସାହନ(incentive) ବା ମାନଦେୟ (Honorarium) ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବ ନାହିଁ। ବେସରକାରୀ ସଂସ୍ଥାର ଚାକିରିଆ ହୋଇ  ସହରାଞ୍ଚଳରେ ଟ.୧୫,୦୦୦/-ରୁ ବେଶି ଏବଂ ଗ୍ରାମାଞ୍ଚଳରେ ଟ.୧୦,୦୦୦/-ରୁ ବେଶିଦରମା ପାଉଥିଲେ।
 

୪. ପରିବାରର କୌଣସି ସଦସ୍ୟଙ୍କ ଉଦ୍ୟୋଗ, ସରକାରଙ୍କ ପାଖରେ ରେଜିଷ୍ଟ୍ରଭୁକ୍ତ ହୋଇ ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ କରୁଥିଲେ।
 

୫. ସହରାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କର ମାସିକ ଆୟ ଟ.୧୫,୦୦୦/-ରୁ ବେଶି ଏବଂ ଗ୍ରାମାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ.୧୦,୦୦୦/-ରୁ ବେଶି ହେଉଥିଲେ।
 

୬. ପରିବାରର କୌଣସି ସଦସ୍ୟ ଆୟକର ବା ବୃତ୍ତିକର ଦେଉଥିଲେ।
 

୭. ପରିବାରର ବିଜୁଳି ବ୍ୟୟ ୨ କିଲୋଓ୍ଵାଟ୍‌ ବା ତହିଁରୁ ବେଶି ହେଉଥିବା ସଂଯୋଗ ଥିଲେ କିମ୍ବା ବିଗତ ବର୍ଷରେ ହାରାହାରି ମାସିକ ୩୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରୁଥିଲେ।
 

୮. ସହରାଞ୍ଚଳ ନିବାସୀ ପରିବାରର କୌଣସି ସଦସ୍ୟ ମାସିକ ଟ.୧୫,୦୦୦/-ରୁ ବେଶି ପେନ୍‌ସନ୍‌ ପାଉଥିଲେ ଏବଂ ଗ୍ରାମାଞ୍ଚଳରେ ସେହିଭଳି କୌଣସି ସଦସ୍ୟ ଟ.୧୦,୦୦୦/-ରୁ ବେଶି ପେନ୍‌ସନ୍‌ ପାଉଥିଲେ।
 

୯. ପରିବାରର ତିନି ବଖରା ପକ୍କାଘର/ କୋଠାଘର ଥିଲେ। (ଏହି ସର୍ତ୍ତକୁ ୨୦୧୫ ମସିହାରେ ଯୋଗ କରିଥିଲା ପ୍ରଶାସନ)

ଉପରୋକ୍ତ ମାନଦଣ୍ଡରେ ବାଦ୍‌ ପଡୁ ନଥିବା ସବୁ ପରିବାର ନୂଆ ପଡ଼ିକାର୍ଡ଼ ପାଇଁ ଆବେଦନ କରିବାକୁ ଅନୁରୋଧ  କରାଯାଇଥିଲା।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ହେଲ୍‌ପ୍‌ ଲାଇନ୍‌ ନମ୍ବର: ୧୮୦୦-୩୪୫୬୭-୨୪

(ଉତ୍ସ: ଭୁବନେଶ୍ୱରରେ ହସ୍ତଗତ ହୋଇଥିବା ଏକ ପ୍ରଚାରପତ୍ରର ସଂପାଦିତ ଉଦ୍ଧୃତାଂଶ)

Tuesday, August 2, 2016

ୱେଷ୍ଟ ବେଙ୍ଗଲ୍‌ର ନାମ ବଦଳିବା ପକ୍କା

ପଶ୍ଚିମ ବଂଗ (ଆଲିପୁରଦ୍ଵାର ଜିଲ୍ଲା ଏଥିରେ ନାହିଁ)
ଓଡ଼ିଶାର ପଡ଼ୋଶୀ ରାଜ୍ୟ ୱେଷ୍ଟ ବେଙ୍ଗଲର ନାମ ବଦଳିବ। ସଂପୃକ୍ତ ରାଜ୍ୟ କ୍ୟାବିନେଟ୍‌ ଏହି ନାମ ପରିବର୍ତନ ପ୍ରସ୍ତାବକୁ ସ୍ଵୀକୃତି ଦେଇଛି। ଏହା ବିଧେୟକ ଆକାରେ ରାଜ୍ୟ ବିଧାନସଭାର ଅନୁମୋଦିତ ହେଲା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ସେଠାରେ ଅନୁମୋଦନ ପାଇଲା ପରେ ହିଁ ନୂଆ ନାମ କାର୍ଯ୍ୟକାରୀ ହେବ। 

ଏହା ଏକମାତ୍ର ଭାରତୀୟ ରାଜ୍ୟ, ଯାହାର ଆଜି ସୁଦ୍ଧା ଦୁଇଟି ନାମ ରହିଆସିଛି। ଇଂଲିଶ୍‌ରେ West Bengal ଏବଂ ସ୍ଥାନୀୟ ଭାଷାରେ ‘ପଶ୍ଚିମ ବଂଗ’ ବା ପଶ୍ଚିମ ବେଙ୍ଗଲ। ଏପରିକି ଓଡ଼ିଆ ପୁସ୍ତକ, ଫଳକ ଓ ଦଲିଲରେ ପଶ୍ଚିମ ବଂଗ ଲେଖାଯାଉଥିବା ଦେଖିବାକୁ ମିଳିଥାଏ। ଏହା ଔପନିବେଶିକ ପରମ୍ପରାର ଏକ ଅବାଞ୍ଛିତ ସ୍ମାରକୀ। କାରଣ ପୂର୍ବ ଭାରତରେ ଥିବା ଏକ ରାଜ୍ୟର ନାମ ପଶ୍ଚିମବଂଗ ବା West Bengal ହେବାଟା କେବଳ ଏକ ଗୋଲାମୀ ମାନସିକତା ଛଡ଼ା ଅନ୍ୟ କିଛି ନୁହେଁ। ତେବେ ଆଶ୍ଚର୍ଯ୍ୟର କଥା ଯେ ଇଂଲିଶ୍‌ରେ ନୂଆ ନାମ Bengal ରଖା ଯାଇଥିବା ବେଳେ ସ୍ଥାନୀୟ ବାଙ୍ଗ୍‌ଲା ଭାଷାରେ ‘ବଂଗ’, ‘ବଂଗଭୂମି’, ‘ବଂଗପ୍ରଦେଶ’ ଅବା ‘ବାଙ୍ଗ୍‌ଲା’ ହେବା ନେଇ ଦ୍ଵନ୍ଦ୍ଵ ଉପୁଜିଛି। କିନ୍ତୁ ସବୁ ଭାଷାରେ ଗୋଟିଏ ନାମ ହେବା କଥା, ଠିକ୍‌ ‘କୋଲକାତା’ ପରି।

୨୦୧୧ରେ ବାମପନ୍ଥୀ ସରକାର ସମୟରେ ସେବେର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏହି ନାମ ପରିବର୍ତନ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ରାଜ୍ୟର ନାମ ରଖିଥିଲେ ‘‘ପଶ୍ଚିମ ବଂଗ’’। କିନ୍ତୁ ସେ ଏ ପ୍ରକ୍ରିୟାକୁ ସଂପୂର୍ଣ କରିପାରି ନଥିଲେ।  ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଭାରତରେ ରହିଥିବା ଅଂଶର ନାମ ରହିଥିଲା West Bengal ଏବଂ ଯାହା East Bengal ହୋଇଥିଲା ତାହା ବାଙ୍ଗ୍‌ଲାଦେଶର ଅଂଶ ହୋଇଯାଇଥିଲା। ଏପରିକି ଇଷ୍ଟ ବେଙ୍ଗଲ ଶବ୍ଦ କେବେ ବି ସରକାରୀ ଭାବରେ ବ୍ୟବହୃତ ହୋଇ ନଥିଲା। ପରବର୍ତ୍ତୀ ସମୟରେ ଭାରତୀୟ ଲେଖକ ସୁନୀଲ ଗଂଗୋପାଧ୍ୟାୟ ମତ ଦେଇଥିଲେ ଯେ ଯଦି ‘ଇଷ୍ଟ ବେଙ୍ଗଲ’ ବୋଲି କିଛି ନାହିଁ, ତେବେ ‘ୱେଷ୍ଟ ବେଙ୍ଗଲ’ କେମିତି ରହିବ?

ଦେଶ ବିଭାଜନ ବେଳେ ପଞ୍ଜାବକୁ ମଧ୍ୟ ବ୍ରିଟିଶ ସରକାର ଦୁଇ ଭାଗ କରି ‘‘ପୂର୍ବ ପଞ୍ଜାବ’’ ଓ ‘‘ପଶ୍ଚିମ ପଞ୍ଜାବ’’ ନାମ ଦେଇଥିଲେ। କିନ୍ତୁ ଭାରତ ସରକାର ଓ ପାକିସ୍ତାନ ସରକାର ନିଜ ନିଜର ସେହି ରାଜ୍ୟର ନାମ କେବଳ ‘ପଞ୍ଜାବ’ ରୂପେ ଗ୍ରହଣ କଲେ। ହେଲେ ସେବେଠୁ ରହିଯାଇଛି ୱେଷ୍ଟ ବେଙ୍ଗଲ ବା ପଶ୍ଚିମ ବେଙ୍ଗଲ।

ମୁଖ୍ୟମନ୍ତ୍ରୀ ମମତା ଦିଦି କହିଛନ୍ତି ଯେ ଦେଶର ରାଜ୍ୟ ତାଲିକା ଇଂଲିଶ୍‌ ବର୍ଣମାଳା ଅନୁସାରେ ଲେଖାଯାଉଥିବାରୁ West Bengal ରହିଯାଉଛି ୨୯ ନମ୍ବରରେ। ତେଣୁ ରାଜ୍ୟର ନାମ ‘ବଂଗ’ ହେଲେ ପ୍ରଥମ ୫ଟି ରାଜ୍ୟ ଭିତରେ ରହିବ। Bangaକୁ ବାଙ୍ଗ୍‌ଲାରେ Bongo ରୂପେ ଉଚ୍ଚାରଣ କରାଯାଇଥାଏ ଏବଂ ଏହା ଏକ ବାଦ୍ୟଯନ୍ତ୍ରର ନାମ ହୋଇଥିବାରୁ ରାଜ୍ୟର ଭାଜପା ସାଂସଦ ବାବୁଲ ସୁପ୍ରିୟ ଏହାକୁ ବିରୋଧ କରୁଛନ୍ତି। କାରଣ ସେ ନିଜେ ଜଣେ ସଂଗୀତଜ୍ଞ ହୋଇଥିବାରୁ ଏକ ବାଦ୍ୟଯନ୍ତ୍ରର ନାମକୁ ନିଜ ରାଜ୍ୟର ନାମ ରୂପେ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ‘ବାଙ୍ଗ୍‌ଲା’ ମଧ୍ୟ ରାଜ୍ୟର ନାମ ହୋଇପାରିବ ନାହିଁ। କାରଣ ସେହି ରାଜ୍ୟରେ ଦେଶୀ ମଦର ଅନ୍ୟନାମ ହେଉଛି ‘ବାଙ୍ଗ୍‌ଲା’। ଲେଖକ ନବନୀତ ଦେବସେନ୍‌ କହିଛନ୍ତି ଯେ ‘ବଂଗ’ ନାମଟା ଭଲ, ହେଲେ ବେଶି ଲଣ୍ଡା ଲଣ୍ଡା ଲାଗୁଛି।

ଆମ୍ଭ ମତରେ ‘ବଂଗଭୂମି’ (Bangabhumi) ବା ‘ବଂଗପ୍ରଦେଶ’ (Bangapradesh) - ଏଥିରୁ ଗୋଟିଏ ଶବ୍ଦକୁ ରାଜ୍ୟର ନାମ ରୂପେ ଉଭୟ ଇଂଲିଶ୍‌ ଓ ଭାରତୀୟ ଭାଷାରେ ଗ୍ରହଣ କରାଗଲେ ଉତ୍ତମ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ମମତା ଦିଦି ବୁଝିବା ଦରକାର। କାରଣ ‘ବାଙ୍ଗ୍‌ଲାଦେଶ’ ଆଧୁନିକ ବିଶ୍ଵରେ ପରିଚିତ ହୋଇ ସାରିଥିବାରୁ, ‘ବାଙ୍ଗ୍‌ଲା’ ନାମରେ ଯଦି ଏକ ଭାରତୀୟ ରାଜ୍ୟ ହୁଏ, ଏହା ୟୁରୋପୀୟ, ଆମେରିକୀୟ ଓ ଆଫ୍ରିକୀୟମାନଙ୍କୁ ଦ୍ଵନ୍ଦ୍ଵରେ ପକାଇବାର ଅଧିକ ଆଶଙ୍କା ରହିଛି।