29 जून 2016

ଅରୁନ୍ଧତୀ ହୁଅନ୍ତୁ ରିଜର୍ଭବ୍ୟାଙ୍କ ଗଭର୍ନର

୨୭ ଜୁନ୍ ୨୦୧୬ରେ ଜଣାପଡ଼ିଲା ରିଜର୍ଭ ବ୍ୟାଙ୍କ୍ ଭାବୀ ଗଭର୍ନରମାନଙ୍କ ସଂକ୍ଷିପ୍ତ ତାଲିକା (Short List)। ଏଥିରେ ସ୍ଥାନ ପାଇଛନ୍ତି RBI (ରିଜର୍ଭ ବ୍ୟାଙ୍କ ଅଫ‌ ଇଣ୍ଡିଆ)ର ୩ ଜଣ ଡେପୁଟି ଗଭର୍ନର ଯଥା: ଶ୍ରୀ ଉର୍ଜିତ ପଟେଲ, ଶ୍ରୀ ସୁବୀର ଗୋକର୍ଣ ଓ ଶ୍ରୀ ରାକେଶ ମୋହନ, ଏବଂ ଅନ୍ୟ ଜଣକ ହେଲେ ଷ୍ଟେଟ‌୍ ବ୍ୟାଙ୍କ ଅଫ‌୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀମତୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ। ଏ କଥା ସତ ଯେ RBIର ୩ ଜଣ ଡେପୁଟି ଗଭର୍ନରଙ୍କୁ ସଂକ୍ଷିପ୍ତ ତାଲିକାରେ ରଖାଯାଇଛି, ସେମାନଙ୍କୁ ଖୁସି କରିବାକୁ। କାରଣ ସେମାନେ RBIର ଚାକିରିଆ ହୋଇଥିବାରୁ Governor ପଦକୁ ମଧ୍ୟ ଏକ ଚାକିରି ଭଳି ଭୋଗ କରିବାର ଭୟ ଅଛି। ତେବେ ଦେଶରେ ଜଣେ ଦକ୍ଷ ମହିଳାଙ୍କୁ RBIGovernor କରିବାର ଜରୁରୀ ଆବଶ୍ୟକତା ରହିଛି। କାରଣ ପ୍ରତି ଘରର ଅର୍ଥନୀତି ସମ୍ଭାଳନ୍ତି ଜଣେ ଜଣେ ମହିଳା। ଅବଶ୍ୟ ସେ ନିଶ୍ଚିତ ରୂପେ ଜଣେ ଘରଣୀ ହୋଇଥିବେ ବୋଲି ଆମ୍ଭେ କହୁ ନାହୁଁ। ତେବେ ଦେଶର ଅର୍ଥନୀତିକୁ ସଜାଡ଼ିବା ପାଇଁ ଜଣେ ଦକ୍ଷ ମହିଳାଙ୍କୁ ଏ ଗୁରୁ ଦାୟିତ୍ୱ ଦେବା ନିହାତି ଆବଶ୍ୟକ। ସେ State Bank of Indiaରେ କାର୍ଯ୍ୟ କରିଥିବାରୁ ସାଧାରଣ ଜନତାଙ୍କ ଭଲ ମନ୍ଦ ଓ ଅାର୍ଥିକ ଜୀବନ ଉପରେ ପ୍ରତ୍ୟକ୍ଷ ଜ୍ଞାନ ପାଇଛନ୍ତି। ତେଣୁ ସେ ଦେଶର ଅର୍ଥନୀତିକୁ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ। 

ଅରୁନ୍ଧତୀଙ୍କ ପୂର୍ବରୁ State Bank of Indiaର ଦୁଇ ଜଣ ଅଧ୍ୟକ୍ଷ, କ୍ରମାଗତ ଭାବରେ Reserve Bank of India Governor ହୋଇସାରିଛନ୍ତି। ସେମାନେ ହେଲେ ଶ୍ରୀ ହାରାଭୁ ଭେଙ୍କଟନରସିଂହା ବରଦାରାଜା ଅାୟାଙ୍ଗାର (୧ ମାର୍ଚ ୧୯୫୭ରୁ ୨୮ ଫେବୃଆରି ୧୯୬୨) ଏବଂ ଶ୍ରୀ ପରେଶଚନ୍ଦ୍ର ଭଟ୍ଟାଚାର୍ଯ୍ୟ ( ୧ ମାର୍ଚ ୧୯୬୨ରୁ ୩୦ ଜୁନ୍ ୧୯୬୭)। ୧୯୫୫ ମସିହାରୁ State Bank of India ଏକ ସରକାରୀ ବ୍ୟାଙ୍କ୍ ହୋଇ ସାରିିଲେ ବି ସେତେବେଳେ ଏହା ୋକଙ୍କ ବ୍ୟାଙ୍କରେ ପରିଣତ ହୋଇନଥିଲା। କାରଣ, ଆଜିକାଲି ସରକାରୀ ବ୍ୟାଙ୍କ୍ SBI କହୁଛି Banker of Every Indian (ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ‌) ଏବଂ ୨୦୧୬ ମସିହା ବେଳକୁ ବାସ୍ତବରେ ସେୟା ହୋଇଯାଇଛି। ଏ ପରିପ୍ରେକ୍ଷୀରେ ଅରୁନ୍ଧତୀଙ୍କ ନାମ ସହ କେବଳ ‘ମହିଳା’ ମାର୍କା ବା ‘ଜନତାଙ୍କ ସାଥୀ’ ମାର୍କାରେ ସୀମିତ ନରଖି ସେ ଦେଶର ‘‘ପ୍ରକୃତ ରତ୍ନ’’ ବୋଲି ବିବେଚନା କରିବାରେ ଅତିରଂଜନ ନାହିଁ। 

ଡେପୁଟି ଗଭର୍ନରମାନେ ବରିଷ୍ଠ ଭାବରେ ନିଜର ପ୍ରସ୍ତାବ ବିନିମୟ କରିବାର ସୁଯୋଗ ପାଉଥିବାରୁ ସେମାନଙ୍କର ଦେଶ ପାଇଁ ଅବଦାନ ମାଡ଼ ଖାଇବ ନାହିଁ। କିନ୍ତୁ କେହି ବି ପୁରୁଷ ନିଜକୁ ଯେତେ ବାମାପନ୍ଥୀ ବା ବାମାବାଦୀ ବୋଲି ଦାବି କଲେ ବି ମହିଳାଙ୍କ ଦୂଷ୍ଟିଭଙ୍ଗୀର ସବୁଦିଗକୁ ଧରିପାରିବେ ନାହିଁ। ବିଶ୍ୱବ୍ୟାପୀ ବିଭିନ୍ନ ଗବେଷଣାରୁ ଏହା ସ୍ପଷ୍ଟ ହୋଇସାରିଛି। ଅନ୍ୟ ପକ୍ଷରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ (Financial Inclusion)ରେ ଦେଶର ଜନସଂଖ୍ୟାର ୫୦%ଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା କେବଳ ସମ୍ଭବ ହୋଇପାରିବ, ଜଣେ ମହିଳାଙ୍କ ନେତୃତ୍ୱ ଦ୍ୱାରା। ତେଣୁ ଦେଶରେ ଦ୍ରୁତ ପରିବର୍ତନ ଓ ବିକାଶ ଚାହୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ  ନିଶ୍ଚୟ ଅରୁନ୍ଧତୀଙ୍କୁ ହିଁ ଭାରତର ରିଜର୍ଭ ବ୍ୟାଙ୍କ୍ ର ଗଭର୍ନର କରିବେ ଏହା ନିଃସନ୍ଦେହ। କେବଳ ସେଇ ସୁଦିନ ଓ ନୂଅାଦିନର ମୁହୂର୍ତକୁ ପ୍ରତୀକ୍ଷା।

ଜୟ ହିନ୍ଦ୍...

28 जून 2016

ଇ-ରେଜିଷ୍ଟ୍ରେସନ ଲଣ୍ଠଣ: ୨୦୧୦ ପରେ ୨୦୧୬

ଇ-ଷ୍ଟାମ୍ପିଂ ଓ ଇ-ରେଜିଷ୍ଟ୍ରେସନର ଲଣ୍ଠନ ଦେଖାଇଲେ ଓଡ଼ିଶା ସରକାର। ୨୭ ଜୁନ୍ ୨୦୧୬ରେ କଟକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ରାଜ୍ୟସ୍ତରୀୟ ସଭାରେ ଇ-ଷ୍ଟାମ୍ପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେହିଭଳି ଇ-ରେଜିଷ୍ଟ୍ରେସନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଏହି ବ୍ୟବସ୍ଥା ଦ୍ୱାରା ଜନସାଧାରଣ ଖୁବ୍ କମ୍ ସମୟ ମଧ୍ୟରେ ସେମାନଙ୍କ ଷ୍ଟାମ୍ପ୍ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଦେୟ ଦାଖଲ କରିପାରିବେ। ତେବେ ପୂର୍ବ ପରି ଷ୍ଟାମ୍ପ ଭେଣ୍ଡର ଓ ଫ୍ରାଙ୍କିଙ୍ଗ ମେସିନ ବ୍ୟବସ୍ଥାରେ ଷ୍ଟାମ୍ପ ବିକ୍ରି ବ୍ୟବସ୍ଥା ମଧ୍ୟ ଚାଲୁ ରହିବ ବୋଲି ରାଜସ୍ୱ ମନ୍ତ୍ରୀ ଘୋଷଣା କରିଛନ୍ତି। ଶିଳ୍ପ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ରଖିଛନ୍ତି ଯେ କମ୍ପ୍ୟୁଟରୀକରଣ ଜରିଆରେ ସରକାରୀ କାର୍ଯ୍ୟ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ସପ୍ତମ ସ୍ଥାନ ଅଧିକାର କରିଛି। ଷ୍ଟକ୍ ହୋଲଡିଂ କର୍ପୋରେସନ ନାମକ ମୁମ୍ବାଇର ଏକ କମ୍ପାନୀ ଦାୟିତ୍ୱ ନେଇ ଏହି eRegistrationeStamping ବ୍ୟବସ୍ଥାର ପ୍ରଚଳନ କରାଇଛି। କଟକ, ଭୁବନେଶ୍ୱର ଓ ରାଉରକେଲାର ଉପନିବନ୍ଧକଙ୍କ ଦପ୍ତରରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ପର୍ଯ୍ୟାୟକ୍ରମେ ଏହା ରାଜ୍ୟର ୧୮୫ଟି ନିବନ୍ଧନ ଦପ୍ତରରେ ଲାଗୁ କରାଯିବ।

ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ରାଜସ୍ୱ ମନ୍ତ୍ରୀ, ଓଡ଼ିଶା
ତେବେ ଏହି ବ୍ୟବସ୍ଥା ବାସ୍ତବରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ୨୦୧୦ରେ ତତ୍କାଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅମଳରେ। ୬ ଜାନୁଆରି ୨୦୧୦ରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ଶୁଭାରମ୍ଭ କରିଥିଲେ, ମନ୍ତ୍ରୀଙ୍କ ଉପସ୍ଥିତିରେ। ୬୪ ପ୍ରକାର ଦସ୍ତାବିଜର ସହଜ, ସଟୀକ ଓ ସହଳ ପ୍ରସ୍ତୁତି ସମୟକ୍ରମେ ୧୭୭ଟି ଉପନିବନ୍ଧନ ଦପ୍ତରରେ ହୋଇପାରିବ ବୋଲି କହିଥିଲେ। ବକ୍ତବ୍ୟରେ ନବୀନ ବାବୁ ଆହୁରି କହିଥିଲେ ଯେ ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ଏବଂ ଇଣ୍ଟଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ମିଳିତ ଭାବେ ଗଢ଼ିଥିବା eGovernance Services Limited ଏହି ଇ-ରେଜିଷ୍ଟ୍ରେସନ ସେବା ଯୋଗାଇବ। ଏହି ବ୍ୟବସ୍ଥା ଦ୍ୱାରା ଏକ କଂପ୍ୟୁଟରଭିତ୍ତିକ ପରିବେଶରେ, ଜନସାଧାରଣ ଅଧଘଣ୍ଟାରେ ଜମିବାଡ଼ି କାଗଜାତର ପଞ୍ଜୀକରଣ କରି ବିକ୍ରୀ ଦସ୍ତାବିଜ ପାଇପାରିବେ ଏବଂ ମାତ୍ର ମିନିଟକରେ ମାଲିକାନା ହସ୍ତାନ୍ତର ପ୍ରମାଣପତ୍ର ପାଇପାରିବେ ବୋଲି ସେତେବେଳେ ପ୍ରତିଶ୍ରୁତି ମିଳିଥିଲା।

କୁଆଡ଼େ ଗଲା ସେ ପ୍ରତିଶ୍ରୁତି? ଗଣମାଧ୍ୟମବାଲା ବି କେମିତି ଭୁଲିଗଲେ ଏତେ ସବୁ ଫିକର? ଏତେ ନିକଟ ଇତିହାସକୁ ଫାଙ୍କି ମାରିକି ଗୋଟେ ସରକାର ବାହାବା ନେଇ ଚାଲିଛି। ଅଥଚ ଲୋକମାନେ ଅାଁ କରିକି ସବୁ ଦେଖୁଛନ୍ତି! 

କିନ୍ତୁ ଏତେ ବର୍ଷ ଧରି ଜମିବାଡ଼ି ପଞ୍ଜୀକରଣରେ ଯେଉଁ ଦୁର୍ନୀତି ଚାଲିଥିଲା, ତାହା ବନ୍ଦ ହେବ କି ଜାରି ରହିବ, ତାହା ଉପରେ କେହି ବକ୍ତା ସେଦିନ କଟକରେ କିଛି କହିନାହାନ୍ତି। ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପ୍ରସଙ୍ଗ ମଧ୍ୟ କେହି ଉଚ୍ଚାରଣ କରି ନାହାନ୍ତି। ୨୦୧୦ର ସେହି ବ୍ୟବସ୍ଥା କାହିଁକି ବନ୍ଦ ହେଲା? କିରାଣୀମାନଙ୍କ ଉପୁରି ଆୟ ବନ୍ଦ ହୋଇଯିବାରୁ ସେମାନେ ବିଦ୍ରୋହ କଲେ ଏବଂ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଥିଲେ। ଏବେ ପୁଣି ଯେଉଁ ବ୍ୟବସ୍ଥା ହୋଇଛି, ତାହାକୁ ମଧ୍ୟ ବନ୍ଦ କରିଦେବେ। କାରଣ ଏହା ଏକମାତ୍ର ସରକାରୀ କାରବାର, ଯେଉଁଥିରେ ସାମିଲ ଥିବା ଦୁର୍ନୀତିରେ ଜନସାଧାରଣ ସଂପୃକ୍ତ। ଅର୍ଥାତ୍ ସାଧାରଣଜନତା ସଚ୍ଚୋଟ ନୁହନ୍ତି। ଜମି ବିକିଲାବାଲା ସରକାରୀ ଧାର୍ଯ୍ୟ ଦର ଠାରୁ ବହୁତ ବେଶି ଟଙ୍କାରେ ବିକୁଥିଲେ ସୁଦ୍ଧା କିଣିଲାବାଲା ସରକାରଙ୍କୁ କମ୍ ଟିକସ ଦେବା ଉଦ୍ଦେଶ୍ୟରେ ଦୁର୍ନୀତି କରେ। ଏହା ସମସ୍ତେ ଜାଣନ୍ତି। ଏହାକୁ ଭିତ୍ତି କରି କିରାଣୀ ଓ ଦଲାଲମାନେ ଏମିତି ଜାଲ ବିଛାଇବେ ଯେ ଲୋକମାନେ Offline ବ୍ୟବସ୍ଥାକୁ ଫେରିଯିବାକୁ ବାଧ୍ୟ ହେବେ। ହୁଏତ ଗତାନୁଗତିକ ରୀତିରେ Link Failର ଦ୍ୱାହି ମଧ୍ୟ ଦେଇ ପାରନ୍ତି।

କେବଳ ସଫ୍ଟୱେର ତିଆରି କରି ଚାଲୁ କରିଦେଲେ, ବ୍ୟବସ୍ଥାରେ ସୁଧାର ଆସେ ନାହିଁ। ଏଥିପାଇଁ ବ୍ୟବହାରକାରୀମାନଙ୍କ ଅଭ୍ୟାସ ଭାଙ୍ଗିବା ସହ ସେମାନଙ୍କ ଗତାନୁଗତିକ ଢାଞ୍ଚା ଓ ଅାଚରଣ ପରିବର୍ତନ (Behavioural Change) ଲୋଡ଼ା ହୋଇଥାଏ। ଏଠାରେ ବ୍ୟବହାରକାରୀ ବୋଇଲେ ଉପନିବନ୍ଧନ ଦପ୍ତରଗୁଡ଼ିକର କିରାଣୀ, ଚପରାଶିମାନେ ପରମ ବଦମାସ୍। ସେମାନଙ୍କୁ ଛଟେଇ, ବାଧ୍ୟତାମୂଳକ ଅବସର ପ୍ରଦାନ ବା ଅନ୍ୟ ନିକମା ବିଭାଗରେ ଚାକିରି ଶେଷ ପର୍ଯ୍ୟନ୍ତ ଥଇଥାନ କରାଯିବା ଦରକାର। ଯୁବସୁଲଭ ଉତ୍ସାହ ଥିବା ପ୍ରଗତିଶୀଳ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେଇ କଡ଼ା ନିରୀକ୍ଷଣ ମଧ୍ୟରେ କାର୍ଯ୍ୟନିବିଷ୍ଟ କରାଯାଇପାରେ। ଯିଏ ରସଗୋଲା ପ୍ରତିଦିନ ଖାଉଥିଲା, ତା’ ପାଟିରୁ ନିଶ୍ଚୟ ସେହି ସମୟରେ ଲାଳ ଗଡ଼ିବ, ତେଣୁ କଡ଼ା ନିରୀକ୍ଷଣ ଦରକାର ଏବଂ ଏହା କରି ପାରିବା ପାଇଁ କିଛି ସଚ୍ଚୋଟ ବ୍ୟକ୍ତି ମଧ୍ୟ ଦରକାର। ସଚ୍ଚୋଟ ବ୍ୟକ୍ତି ପାଇବା କଷ୍ଟକର ହେଲେ ସୁଦ୍ଧା ଏକ ପରମ୍ପରା ସୃଷ୍ଟି ହେଲେ, ସବୁ କିଛି ହୋଇପାରିବ। ପଡ଼ୋଶୀ ପଶ୍ଚିମବଂଗରେ ନୂଆ ନୂଆ ବିକଳ୍ପ ସଫଳ ହୋଇଚାଲିଥିବା ବେଳେ ଭାରତର ପ୍ରଥମ ରାଜ୍ୟ (ସପ୍ତମ ନୁହେଁ) ଓଡ଼ିଶାରେ କାହିଁକି ନହେବ?

ଦେଖିବାକୁ ରହିଲା ଓଡ଼ିଶାର କେଉଁ କେଉଁ ମୁଦ୍ରଣ-ଗଣମାଧ୍ୟମ ମନେ ପକାଇକି ନିଜନିଜ ସଂପାଦକୀୟ ଲେଖରେ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି!

27 जून 2016

କଟକ ବନ୍ୟାକୁ ଉପାୟ ଅଛି

କଟକରେ ଜଳବନ୍ଦୀ ସ୍ଥିତି (ସୌଜନ୍ୟ: Orissa Post)
୨୬ ଜୁନ୍ ୨୦୧୬, ରବିବାର ଥିଲା, କଟକରେ ଆଦ୍ୟ ଆଷାଢ଼ର ପହିଲି ଜମାଣିଆ ବର୍ଷାର ଦିନ। ହେଲେ ସଡ଼କରେ ଓ ଗଳିରାସ୍ତାରେ ପାଣି ଚାଲିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଘାଣ୍ଟି ହୋଇଥିଲେ ନଗରବାସୀ। ଏକାଧିକ ରୋଗସଂକ୍ରମଣରେ ପଡ଼ି ଅଣ୍ଟା ସଳଖି ନଥିବା କଟକ ପାଇଁ ପୁଣି ଏକାଧିକ ରୋଗ ପ୍ରତିଷେଧକର ଆହ୍ୱାନ ପାଲଟିଗଲା। ମହାନଦୀ ଓ କାଠଯୋଡ଼ି ନଦୀର ତ୍ରିକୋଣଭୂମିରେ ଥିବା କଟକ ନଗରର ଦୁଇଟି ଯାକ ନଦୀ ଶୁଖିଲା ଥିଲେ ବି ସହରବାସୀ କଲବଲ ହେଲେ ଏକ ଅଜବ ବନ୍ୟାସ୍ଥିତିରେ। 

ନଦୀର ପାଣି ଉଛୁଳିଲେ, ତାକୁ କହନ୍ତି ‘ବଢ଼ି’ ବା ନଈବଢ଼ି। କିନ୍ତୁ ନଦୀ ନଥାଇ କୌଣସି ପ୍ରାକୃତିକ ଜଳ ନିଷ୍କାସନ ପଥରେ ବହୁତ ପାଣି ଜମିରହିଲେ ବା ଜଳ ପ୍ରବାହ ଅତ୍ୟଧିକ ହେଲେ ତାହାକୁ କହନ୍ତି ‘ବଦଳ’। ଏହି ବଦଳକୁ ଇଂଲିଶରେ Flash Flood କୁହାଯାଉଛି। କଟକ ନଗରରେ ବନ୍ୟା ଭୟ ଦିନେ ଦୁଇ ଦିନର ନୁହେଁ, ଏହା ବର୍ଷବର୍ଷର। ଶହଶହ ବର୍ଷର। ସେଇଥି ପାଇଁ ତ ବାଇମୁଣ୍ଡି କାହାଣୀ। କାଠଯୋଡ଼ି ପଥରବନ୍ଧ। ବାଇମୁଣ୍ଡି ମାର୍ଗ। ୧୯୪୮ରେ ଓଡ଼ିଶାର ରାଜଧାନୀକୁ କଟକରୁ ଭୁବନେଶ୍ୱରକୁ ଉଠାଇ ଆଣିବା ପରେ ବି କଟକ, ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇ ରହିଛି। ରହିବ ବୋଧେ ଅାହୁରି କେତେ ଦଶନ୍ଧି। ଆଧୁନିକ ଯୁଗରେ ୧୯୮୨ ମସିହାରେ କଟକ ନଗରକୁ ରକ୍ଷା କରିବା ପାଇଁ ମହାନଦୀର ଶାଖା ନଦୀ ଦେବୀ ନଦୀରେ ଥିବା ଦଳେଇଘାଇ ଭଙ୍ଗାଯାଇଥିଲା। ଏହା କାହା ମୁହଁରେ ଅଭିଯୋଗ ତ କାହା ପାଇଁ ଅଭିମାନ ତ, ଅାଉ କାହା ପାଇଁ ଅଭିଶାପ ଭଳି ରହିଯାଇଛି। କାରଣ ଏବେ ବି ଅନେକେ ସେହି କାଳରାତ୍ରିର ଦୃଶ୍ୟ ଓ ଦୁଃଖକୁ ଭୁଲି ନାହାନ୍ତି। କିନ୍ତୁ ଏହି ଇଣ୍ଟରନେଟ, ସୂଚନା-ବିଜ୍ଞାନ ଓ ସୂଚନାବନ୍ତ ଯୁଗରେ କେବେ ବି ଦଳେଇଘାଇକୁ ଭାଙ୍ଗିବାକୁ ଦେବେନି ଜଗତସିଂହପୁର ଜିଲ୍ଲାବାସୀ। କଟକ ନଗରକୁ ବନ୍ୟାରୁ ବଞ୍ଚେଇବାର ଦାୟିତ୍ୱ ହୀରାକୁଦ ବନ୍ଧ ଉପରେ ଓ ସାମଗ୍ରିକ ଭାବେ ରାଜ୍ୟ ପ୍ରଶାସନ ଉପରେ। ୧୫ ଅଗଷ୍ଟ ୧୯୯୪ରେ କଟକ ଏକ ନଗରନିଗମରେ ପରିଣତ ହେବା ପରେ ଅଧିକ ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ନ୍ୟସ୍ତ ହୋଇଛି ‘‘କଟକ ନଗରନିଗମ’’ ଉପରେ।

ପଟାପୋଲ, କଟକ (ସୌଜନ୍ୟ: The Telegraph)
ବୈଷୟିକ ଦୃଷ୍ଟିରୁ ଦେଖିଲେ, ଏକ ସମତଳ ଭୂମି ଉପରେ ଗଢ଼ି ଉଠିଛି କଟକ ନଗର। ଜଳବିଭାଜିକା (Watershed) ତତ୍ତ୍ୱ ଅନୁସାରେ ଏଠାରେ ଜଳନିଷ୍କାସନ ଏକ ବଡ଼ ଆହ୍ୱାନ। ପାହାଡ଼ିଅା ହୋଇଥିଲେ, ଗୋଟିଏ ନିର୍ଦିଷ୍ଟ ଦିଗରେ ବର୍ଷାଜଳ ବୋହିଯାଉଥାଆନ୍ତା ନିର୍ବିରୋଧରେ। ଏଠାରେ ପାଣି ବୋହି ନଯାଇ ଜମାହୋଇ (water logging) ରହିବାର ଆଶଙ୍କା ସବୁବେଳେ ଥାଏ। ତଥାପି ଏକ ବିରାଟ ସଫଳତା ଦେଖିବାକୁ ମିଳିଥିଲା କଟକରେ, ୨୦୧୨ ମସିହାରେ। ସେହି ବର୍ଷ ରାଜ୍ୟସାରା ବନ୍ୟା ହେଲା। ଏପରିକି କଟକ ନଗରରେ ଘସି ହୋଇକି ନଦୀରେ ବନ୍ୟା ଜଳ ଯାଇ ତଳମୁଣ୍ଡରେ ଲୋକଙ୍କୁ କିଲିବିଲି କଲା। ଅଥଚ ନିଘୋଡ଼ ନିଦରେ ଶୋଇପାରିଥିଲେ କଟକ ନଗରବାସୀ। କେମିତି ହେଲା ଏହା ସମ୍ଭବ? କୌଣସି ଗଣମାଧ୍ୟମ ସେହି ସଫଳତାକୁ ରିପୋର୍ଟ କରି ନାହାନ୍ତି। ଯଦିଚ ସେତେବେଳକୁ ଖବର ପ୍ରସାରଣକାରୀ ଗଣ୍ଡାଏ ଓଡ଼ିଆ ଟିଭି ଚ୍ୟାନେଲ ଗଢ଼ି ଉଠିସାରିଥିଲା। ଯାହା ମନେ ପଡୁଛି କଟକ ନଗରନିଗମ, ନିଜର କମିଶନର ରୂପେ ପାଇଥିଲା ଜଣେ ଓଡ଼ିଆ ଅଫିସରଙ୍କୁ। ଖାଣ୍ଟି କଟକିଆଙ୍କୁ। ଯାହାଙ୍କ ନାମ ରବି ନାରାୟଣ ନନ୍ଦ। ବଦଳ ପାଣିକୁ ନିୟନ୍ତ୍ରଣ କରିବାରେ ତାଙ୍କର ସୂତ୍ର ବି ଭାରୀ ସରଳ ଓ ସହଜ। ବର୍ଷା ଋତୁ ଆସିବା ପୂର୍ବରୁ କଟକରେ ନିଷେଧାଦେଶ ଜାରି ହେଲା ପଲିଥିନ୍ ବା ଜରି ବ୍ୟବହାର ଉପରେ। ବଜାର ବା ଦୋକାନରୁ ଜିନିଷପତ୍ର କିଣାକିଣି କଲେ ଆଉ ପଲିଥିନ୍ ବ୍ୟାଗ୍ ରେ କାରବାର ହେଲା ନାହିଁ। ଆଶ୍ଚର୍ଯ୍ୟର କଥା ହେଲା, କଟକ ନଗରବାସୀ ଏହି ନିଷ୍ପତ୍ତିକୁ ବିନା ତର୍କରେ ମାନିନେଲେ ଏବଂ ବନ୍ଦ ହୋଇଗଲା ପଲିଥିନ୍ ବ୍ୟବହାର। କେବଳ କାଗଜ ବ୍ୟାଗ‌୍ ଓ ଠୁଙ୍ଗାରେ କାରବାର ହେଲା। 

ସାନ ନିଷ୍ପତ୍ତି, ହେଲେ ଏହାର ଦାନ ମହାନ। କାରଣ ଏହି ପଲିଥିନ‌୍ ହେଉଛି ଅସଲ ବଦମାସ୍। ଅନେକ ବଦଳ (Flash Flood)ର କାରଣ ପାଲଟେ, ଅନେକ ପୋଲକୁ ଭାଙ୍ଗେ, ଏଇ ପଲିଥିନ୍ ଗୁଡ଼ିକର ସମ୍ମିଶ୍ରଣ। ଏହା ସହ ସବୁ ମୁଖ୍ୟ ନିଷ୍କାସନ ନାଳଗୁଡ଼ିକୁ ଆବର୍ଜନାମୁକ୍ତ କରି ଆବର୍ଜନାଗୁଡ଼ିକୁ ନଗର ବାହାରେ ଫିଙ୍ଗାଯାଇଥିଲା। ପଲିଥିନ‌ ନିଷେଧ କରି ସହରର କଂକ୍ରିଟ‌-ନିର୍ମିତ ମୁଖ୍ୟ ନିଷ୍କାସନ ନାଳ ସଂଯୁକ୍ତ ଉପନାଳଗୁଡ଼ିକର ଦୁଇ ପାଖରେ ଠିଅା କରାଗଲା ଜାଲ ଓ ବାଉଁଶତାଟ। ବର୍ଷା ପରେ ସେଇ ଜାଲ ଓ ତାଟରେ ଲଟକୁଥିଲା ଅତୀତର ବ୍ୟବହୃତ ପଲିଥିନ‌ ଜରି ବା ଲୁଚାଛପାରେ ବ୍ୟବହୃତ ଜରି ଓ ବିଭିନ୍ନ ଗୁଟଖା ପାନ୍ ମସଲାର ଜରି। ଜରି ଛାଣି ହୋଇ ରହିଯିବାରୁ ସବୁ ମୁଖ୍ୟନାଳରେ ପାଣି ଚାଲିଲା ସରସର୍। ରାସ୍ତା ସବୁ ଶୁଖିଲା ପଡ଼ିଲା ଏବଂ ନଗରବାସୀ ନିଶ୍ଚିନ୍ତରେ ଦିନ କାଟିଲେ। ଲୋକେ ଭୁଲି ବି ଗଲେ, ଏତେ ବଡ଼ ସଫଳତାକୁ। ଅନ୍ୟ ରାଜ୍ୟରେ ହୋଇଥିଲେ, ଏହା ଏକ ସଫଳ କାହାଣୀ (Case study) ରୂପେ କାହିଁ କୁଆଡ଼େ ଘୂରି ବୁଲିଥାଆନ୍ତା। କମିଶନର ସମ୍ବର୍ଧିତ ହୋଇଥାଆନ୍ତେ। ଖୁସିର କଥା ଯେ ସେତେବେଳକୁ ମେୟର ଥାଆନ୍ତି, ସୌମେନ୍ଦ୍ର ଘୋଷ। ସେ ମଧ୍ୟ ଏ ପ୍ରାଶାସନିକ ନିଷ୍ପତ୍ତି ଉପରେ ପ୍ରତିବନ୍ଧକର କାରଣ ପାଲଟି ନଥିଲେ। ଜଣେ ସମଝଦାର ଲୋକପ୍ରତିନିଧି ଭାବରେ ସେ ମଧ୍ୟ ଇତିହାସରେ ସ୍ମରଣୀୟ ହୋଇରହିଯିବେ।

କଥା ଏତିକି। କଟକ ନଗରବାସୀ ଶପଥ କରିବା ଦରକାର ଯେ ସେମାନେ କୌଣସି ପ୍ରକାର ଜରି ଓ ପଲିଥିନ୍ ବ୍ୟବହାର କରିବେ ନାହିଁ, ଏ ସଭ୍ୟତା ଥିବା ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି। ଯେଉଁ ଠିକାଦାର ଓ ଶ୍ରମିକ ସେବେ କାମ କରିଥିଲେ ଜାଲ ଓ ତାଟ ଲଗାଇବାରେ, ସେଇମାନଙ୍କୁ ପୁଣି ଖୋଜି ବାହାର କରାଗଲେ, ଏକ ନୂଆ ଉପଲବ୍ଧି ହେବ ଓଡ଼ିଶାରେ ସହରୀ ବନ୍ୟା ନିୟନ୍ତ୍ରଣରେ।

ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୯୩୭୩୫୩୨୯୩

25 जून 2016

ନାହାନ୍ତି ମଣିମାଳା, କଥା ରହିଲା କାଳକାଳ

୧୫ ଜୁନ୍ ୨୦୧୬, ବୁଧବାର। ଓଡ଼ିଶାରେ ଗଣମାଧ୍ୟମରେ ଏକ ଅଘଟଣ ଘଟିଲା। ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ମଣିମାଳା ଦେବୀଙ୍କ ଦେହାନ୍ତ ଖବର କେତୋଟି ଓଡ଼ିଆ ନ୍ୟୁଜ୍ ଟିଭି ଚ୍ୟାନେଲରେ ପ୍ରଚାରିତ ହେଲା। ପରଦିନ ଖବରକାଗଜରେ ବାହାରିଲା ଯେ ସେ ଗୁରୁତର ଅସୁସ୍ଥ ଅବସ୍ଥାରେ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିନାହାନ୍ତି। ତେବେ ଯାହା ଯାହା ସବୁ ହୋଇଯାଇଛି, ସେହି ଘଟଣା ଓ ତାହାର ଦିଗଗୁଡ଼ିକ ତଳେ ବିନ୍ଦୁୱାରୀ ଚର୍ଚା କରୁଛୁ:-

(୧) ଗୋଟିଏ ଚ୍ୟାନେଲରେ କ’ଣ ଗୋଟେ ଖବର breaking ରୂପରେ ଚାଲିଲେ ବା News Update ରୂପେ ଚାଲିଲେ, ତାହାକୁ ଅନ୍ୟ ଚ୍ୟାନେଲମାନେ ତୁରନ୍ତ ନକଲ କରିପକାନ୍ତି। ସେମାନଙ୍କ ଲକ୍ଷ୍ୟ ଥାଏ, ଆଗରେ ରହିବେ। ନିଜ ଉତ୍ସରୁ ଯାଞ୍ଚ ନକରି ଖବରକୁ Breaking, News Update ବା Tickerରେ ପକାଇଥାଅାନ୍ତି। ଏପରିକି ନିଜ ଉତ୍ସ ମଧ୍ୟ ପର ଚ୍ୟାନେଲର ପରଦାରୁ ଦେଖି ଖବରକୁ ଫୋନରେ ଡାକି ଦିଅନ୍ତି ନିଜ ଚ୍ୟାନେଲର ସଂପୃକ୍ତ ଡେସ୍କକୁ। କିନ୍ତୁ କୌଣସି ମୃତ୍ୟୁ ଖବରରେ ଏଭଳି ବିକଳିଆ ହୋଇ ନକଲ କରାଯାଏନାହିଁ। ଏହି ନୀତି (Ethics)ରୁ ବିଚ୍ୟୁତ ହୋଇଛନ୍ତି ଏକାଧିକ ଚ୍ୟାନେଲ। ଲାଗୁଥିଲା, ଜଣେ ଏତେ ବଡ଼ କଳାକାରଙ୍କ ମୃତ୍ୟୁ ହୋଇଯାଉ ବୋଲି ସତେ ଯେମିତି ଟିଭିବାଲା ଟାକି ବସିଥିଲେ! ତେବେ ଏହା ଧରାପଡ଼ିଗଲା ଯେ ଟିଭି ଚ୍ୟାନେଲରେ ଅପରିପକ୍ୱ କର୍ମୀମାନଙ୍କର ଗହଳି ଲାଗିଛି। ଟିଭିବାଲାଙ୍କର ନିଜ ଚ୍ୟାନେଲରେ ପ୍ରସାରିତ ଖବର ପ୍ରତି ଦାୟିତ୍ୱ ନାହିଁ କି ଉତ୍ତରଦାୟିତ୍ୱ (Accountability) ନାହିଁ।

(୨) ଏଭଳି ଦାୟିତ୍ୱହୀନତା ଓ ଉତ୍ତରଦାୟିତ୍ୱହୀନତା ପାଇଁ ସଂପୃକ୍ତ ଚ୍ୟାନେଲମାନେ କ୍ଷମା ପ୍ରାର୍ଥନା ମଧ୍ୟ କରି ନାହାନ୍ତି। ବୋଧେ ଭାବି ନେଇଛନ୍ତି, ମୁଦ୍ରଣ ମାଧ୍ୟମର printing mistake ଭଳି ଏହାକୁ ଲୋକେ (ପାଠକେ) ଚଳାଇନେବେ ଏବଂ କ୍ଷମା ପ୍ରାର୍ଥନା ଜରୁରୀ ନୁହେଁ। ଏହା ମଧ୍ୟ ଟିଭିବାଲାଙ୍କ ଦାୟିତ୍ୱହୀନ ଆଚରଣକୁ ଦୃଢ଼ କରିଛି।

(୩) ସବୂଠୁ ବଡ଼ ଲଜ୍ଜାଜନକ କଥା ଥିଲା, ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରରୁ ଶୋକବାର୍ତା। ଏ କଥା ସମସ୍ତେ ଜାଣନ୍ତି ଯେ ଭାରତର ଏକ ମାତ୍ର ବିସ୍ମୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ, ଯିଏକି ମୋବାଇଲ ଫୋନ‌୍ (ସ୍ମାର୍ଟଫୋନ‌୍ କହିଲେ ଭୁଲ୍ ହେବ) ବ୍ୟବହାର କରନ୍ତି ନାହିଁ। କାରଣ ତାଙ୍କର କୌଣସି ଯୋଗାଯୋଗ ମୋବାଇଲ ନମ୍ବର ନାହିଁ। ସେହି ଭଳି ସେ କୌଣସି ଟାବ୍ ବା ଲ୍ୟାପଟପ୍ କମ୍ପ୍ୟୁଟର ମଧ୍ୟ ବ୍ୟବହାର କରନ୍ତି ନାହିଁ। ତେଣୁ ନିଶ୍ଚିତ ରୂପେ ଏହା ତାଙ୍କର Twitter Handler ହିଁ ଟ୍ୱିଟ୍ କରିଛନ୍ତି। କିନ୍ତୁ ଏହା ନବୀନଙ୍କ ଜ୍ଞାତସାରରେ ହେବାର ଥିଲା। ଜୁନ୍ ୧୫ ତାରିଖ ରାତି ୮ଟାରେ ନବୀନଙ୍କ ଟ୍ୱିଟରରୁ ପଠାଯାଇଥିବା ଶୋକବାର୍ତା ପରବର୍ତୀ ସମୟରେ ଲିଭାଇ ଦିଆଯାଇଥ‌ିଲେ ସୁଦ୍ଧା କଥା ରହିଗଲା, କାଳକାଳକୁ।

(୪) କିଏ ଜୀବନ୍ତ କି ମୃତ, ତାହା କେବଳ ଜଣେ ଅଭିଜ୍ଞ ଡାକ୍ତର ହିଁ ଘୋଷଣା କରିବେ। ସେଥିପାଇଁ ଗଣମାଧ୍ୟମ ରିପୋର୍ଟରେ ଥାଏ- ‘‘ଡାକ୍ତର ତାଙ୍କୁ ମୃତ ଘୋlଷଣା କରିଥିଲେ।’’ ପୁଲିସବାଲା, ଗାଅାଁଲୋକ, ସାହିପଡ଼ିଶା ବା ତାନ୍ତ୍ରିକ କହିବେ ନାହିଁ କିଏ ମୃତ, କିଏ ଜୀବନ୍ତ। ଅବଶ୍ୟ ହାସପାତାଳବାଲା ମୃତଦେହକୁ ICUରେ/ ଭେଣ୍ଟିଲେଟରେ ପକାଇ ରଖି ଅଧିକ ରୁମ୍ ଭଡ଼ା ଅାଦାୟ କରିବାକୁ ନିନ୍ଦନୀୟ କାମ କରିଥିବାର ବହୁବାର ଅଭିଯୋଗ ହୋଇଛି। କିନ୍ତୁ ତାହା ଅର୍ଥ ନୁହେଁ ଯେ ଦାପ୍ତରିକ ଭାବେ ଜଣେ ଚିକିତ୍ସକ କାହାକୁ ମୃତ ଘୋଷଣା କରିବା ପୂର୍ବରୁ ତାଙ୍କୁ ମୃତ ବୋଲି ଖବର ପ୍ରଚାର କରାଯାଇପାରିବ। ଏପରିକି ମୃତ ବୋଲି ଡାକ୍ତର କାହାକୁ ଘୋଷଣା କରିଥିଲେ ବି ଶାସକୀୟ ସଂକଟ କାରଣରୁ ମଧ୍ୟ ସରକାରୀ ଭାବେ ମୃତ୍ୟୁ ଘୋଷଣା ବିଳମ୍ବିତ ହୋଇଥାଏ। ଯେମିତିକି ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପୂର୍ବାହ୍ଣରେ ହୋଇଥିଲେ ସୁଦ୍ଧା ଆକାଶବାଣୀ (AIR)ରେ ଘୋଷଣା ହୋଇଥିଲା ସନ୍ଧ୍ୟାରେ, ପୁତ୍ର ରାଜୀବ ଗାନ୍ଧୀ ନୂଅାଦିଲ୍ଲୀରେ ପହଞ୍ଚିବା ପରେ। ସେତେ ବେଳେ ଅବଶ୍ୟ ଘରୋଇ ଟିଭି ଚ୍ୟାନେଲ ନଥିଲା।

(୫) ଟିଭିରୁ ବିନା ଭିଡ଼ିଓବାଲା ପାଠ୍ୟ(Text)  ଖବର  ଦେଖି କିଛି ଚଳଚ୍ଚିତ୍ର ଜଗତର କଳାକାର ବି ପହଞ୍ଚିଥିଲେ ସଂପୃକ୍ତ ‘କର ହାସପାତାଳ’ରେ। କିନ୍ତୁ ଯେତେବେଳେ ସତସତିକା ପରଦିନ ଅର୍ଥାତ୍ ଜୁନ୍ ୧୬ ତାରିଖରେ ମଣିମାଳା ଦେବୀଙ୍କୁ ଡାକ୍ତର ମୃତ ଘୋଷଣା କଲେ, ସେତେବେଳେ କୌଣସି କଳାକାର ହାସପାତାଳକୁ ଆସିଲେ ନାହିଁ। ‘‘ଆଜି ପୁଣି କାଳେ ଠୋକର ଖାଇବେ ଭାବିକି କେହି ଆସିଲେ ନାହିଁ; କିନ୍ତୁ ଜଣେ ଗୁରୁତର ଅସୁସ୍ଥ ସାଥୀଙ୍କୁ ଦେଖିବା ପାଇଁ ହାସପାତାଳକୁ ଆସିବାରେ କୌଣସି ସମସ୍ୟା ନାହିଁ। ଅବଶ୍ୟ ବିଭିନ୍ନ କାରଣରୁ ହାସପାତାଳ କର୍ତୃପକ୍ଷ ହୁଏତ ରୋଗୀଶଯ୍ୟା ପର୍ଯ୍ୟନ୍ତ ଯିବାକୁ ଅନୁମତି ନଦେଇ ପାରନ୍ତି। ମାତ୍ର ପହଞ୍ଚିଥିଲେ ସର୍ବସାଧାରଣରେ ଏକ ସଦ୍ଭାବନା ସୃଷ୍ଟି ହୋଇଥାଅାନ୍ତା। ସମ୍ବେଦନଶୀଳତାକୁ ବୁଝିଥାଆନ୍ତେ ଲୋକମାନେ, ସମ୍ମାନ ବି କରିଥାଆନ୍ତେ କଳାକାର ସମାଜକୁ। ହେଲେ ସବୁ କିଛି ଗୁଡ଼ୁମ୍ ହୋଇଗଲା। 

(୬) ଏବେ ବି ଓଡ଼ିଆ ଚଳଚ୍ଚିତ୍ରର ନାୟିକମାନେ ଆମଦାନୀ ହେଉଛନ୍ତି କୋଲକାତାରୁ, ବଂଗରୁ। କହିବା କଥା ହେଲା, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆଦ୍ୟାବସ୍ଥାରେ ବଂଗୀୟ ବଂଶୋଦ୍ଭବମାନେ ହିଁ ସବୁ କ୍ଷେତ୍ରରେ ସ୍ମରଣୀୟ ଅବଦାନ ରଖିଯାଇଛନ୍ତି। ପରବର୍ତୀ କାଳରେ ଦକ୍ଷିଣୀ ପ୍ରଯୋଜକ, ନିର୍ଦେଶକ, ଟେକ୍ନିସିଆନ, କଣ୍ଠଶିଳ୍ପୀ, ନର୍ତକୀମାନଙ୍କର ମଧ୍ୟ ଅନେକ ଅବଦାନ ରହିଛି ଓଡ଼ିଆ ଚଳଚ୍ଚିତ୍ରକୁ ଆଗକୁ ନେବାରେ। କଥାଟି ହେଲା ମଣିମାଳା ଦେବୀ ଥିଲେ ଜଣେ ବଂଗୀୟ ବଂଶୋଦ୍ଭବ। ସେ କେନ୍ଦ୍ରାପଡ଼ା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ। ତେବେ ମୃତ୍ୟୁ ପରେ ତାଙ୍କ ପୁଅଙ୍କ କ୍ଷୋଭକୁ ଶୁଣିଲେ ବା ପଢ଼ିଲେ, ପୂଜ୍ୟପୂଜାରେ ବିଶ୍ୱାସ ରଖୁଥିବା କୌଣସି ବି ନାଗରିକ ମୂକ ପାଲଟିଯିବେ। ଓଡ଼ିଶା କେବଳ ଖାଣ୍ଟି ଓଡ଼ିଆମାନଙ୍କୁ ନେଇ ଗଢ଼ା ହୋଇ ନାହିଁ କି ଆଗକୁ ବଢୁ ନାହିଁ। ଅନେକ ମାରୱାଡ଼ି, ଗୁଜରାଟୀ, ପଞ୍ଜାବୀ, ମରାଠୀ, ଏପରିକି ବିଦେଶୀ ଲୋକଙ୍କର ମଧ୍ୟ ଓଡ଼ିଶାର ବିକାଶରେ ଭୂମିକା ରହିଛି। ତେଣୁ ସେହି ବ୍ୟକ୍ତିତ୍ୱ ମାନଙ୍କ ପ୍ରତି ସମ୍ମାନବୋଧ ଓ ସମ୍ମାନ ଜ୍ଞାପନ ମଧ୍ୟ ଆମେ ଓଡ଼ିଆମାନେ ଶିଖିବା ଦରକାର। ଯାହା କି ମଣିମାଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା ନାହିଁ।

(୭) ଲେଖକ ଜଣେ ଗଡ଼ଜାତିଆ ହୋଇଥିବାରୁ ବିଶ୍ୱାସ କରେ ଯେ ବୋଧହୁଏ ଜେଜେମାଅା ବୟସର ମଣିମାଳା ଦେବୀଙ୍କ ଅଭିଶାପ ପଡ଼ିଗଲା ‘ଓଲିଉଡ଼୍’ (ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ) ଉପରେ। ଯାହା ଫଳରେ ଏକାଧିକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଏବେ ଚିଟ‌ଫଣ୍ଡ୍ ଠକେଇରେ ସଂପୃକ୍ତ ଥିବାର ଧରା ପଡ଼ିଥିବା ବେଳେ, ‘‘କାଷ୍ଟିଙ୍ଗ‌୍ କାଉଚ’’ କଳଙ୍କ ମଧ୍ୟ ଓଲିଉଡ଼୍ କୁ ଘାଣ୍ଟି ପକାଇଲାଣି। ଯାହାବି କଳଙ୍କ ଯୋଡ଼ି ହୋଇଯାଇଛି, ସବୁ ହୋଇଛି ଏଇ ୧୦ ଦିନରେ। ମୃତ୍ୟୁ ପରର ଜୀବନ ଉପରେ ଗବେଷଣା କରୁଥିବା ବିଜ୍ଞାନୀମାନେ ମାନନ୍ତି ଯେ ‘ଆତ୍ମା’ ବୋଲି ଗୋଟେ ଜିନିଷ ଅଛି। ତେଣୁ ଆମ୍ଭର ପରାମର୍ଶ ହେଉଛି - ଯାହା ହୋଇଗଲାଣି, ତାହାକୁ ଉପଶମ କରିବା ପାଇଁ ମଣିମାଳାଙ୍କ ଏକାଦଶାହ ଓ ଦ୍ୱାଦଶାହରେ ଯୋଗ ଦେଇ ବା ସ୍ୱତନ୍ତ୍ର ଉତ୍ସବ ଆଯୋଜନ କରି ଓଲିଉଡ ଲୋକମାନେ ହୋମଯଜ୍ଞ କରନ୍ତୁ। ହଜାର ହଜାର ଲୋକଙ୍କୁ ଭୋଜିଭାତ ଦିଅନ୍ତୁ। ନଚେତ ପୂର୍ବଓଡ଼ିଶାରେ ହୁଏତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବର୍ତମାନ ରୁଗ୍ଣ ହୋଇପଡ଼ିବ ଅକାଳରେ। ଯାହାକି ଓଡ଼ିଶା ସଂସ୍କୃତିର ଏକ ଅଙ୍ଗ ଅକାମୀ ହୋଇଗଲା ଭଳି କଥା ହେବ।

ସାମ୍ବାଦିକେ ମଧ୍ୟ ଅନୁତପ୍ତ ହୁଅନ୍ତୁ, ଦାୟିତ୍ୱସମ୍ପନ୍ନ ହୁଅନ୍ତୁ
ଆଉ ବେଳହୁଁ ପାଗ ବାନ୍ଧନ୍ତୁ, ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସମସ୍ତେ।  
ନମସ୍ତେ।

(ଲେଖକ ଜଣେ ସିନେସାମ୍ବାଦିକ ନୁହନ୍ତି। ତେବେ ଓଡ଼ିଶାକୁ ଭଲ ପାଆନ୍ତି...)

24 जून 2016

ବଜାରରେ ବିଲାତିବାଇଗଣର ନାଲି ଆଖି

ଏବେ ରାଜ୍ୟବାସୀଙ୍କୁ କନ୍ଦାଉଛି ଟମାଟୋ ବା ବିଲାତିବାଇଗଣ ବା ପାତଲଘଣ୍ଟାର ବଜାର ଦର। କେଉଁଠି ୬୦ ତ କେଉଁଠି ୮୦ ଟଙ୍କାରେ କିଣିବାକୁ ପଡୁଛି କେଜିଏ ଟମାଟୋ। ୨ ବର୍ଷ ତଳେ ପିଅାଜ ନିଅଣ୍ଟ ପଡ଼ିବାରୁ ବଜାର ଦର ସେମିତି ୮୦ ଛୁଇଁଥିଲା କେଜି ପିଛା। ଆଳୁ ବି ଠିକ୍ ସେମିତି କନ୍ଦାଇଥିଲା ରାଜ୍ୟବାସୀଙ୍କୁ। ହେଲେ ଓଡ଼ିଶା, ପଶ୍ଚିମବଂଗ ଓ ଓଡ଼ିଶାକୁ ରପ୍ତାନୀ କରୁଥିବା ଅନ୍ୟ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ିଥିବାରୁ ବଜାର ଦର ନିୟନ୍ତ୍ରଣରେ ଅଛି। ସେହିଭଳି ପିଆଜ ଉତ୍ପାଦନ କେବଳ ମହାରାଷ୍ଟ୍ରରେ ଏତେ ବେଶି ହୋଇଗଲା ଯେ ସେଠାକାର ଚାଷୀମାନେ ଏବର୍ଷ କେଜି ପିଛା ମାତ୍ର ୨ଟଙ୍କାରେ ବିକି ମୁଣ୍ଡରେ ହାତ ଦେଇଛନ୍ତି। ଓଡ଼ିଶାର ପିଆଜ ଚାଷୀ ମଧ୍ୟ ଆଳୁ ଭଳି ଦମ‌୍ ଦେଖାଇଛନ୍ତି, ଉତ୍ପାଦନରେ।

ହେଲେ ବଜାରରେ ବିଲାତିବାଇଗଣ ଏକ ଜରୁରୀ ପରିବା ବୋଲି ଏବେ ସରକାରୀ ବାବୁମାନେ ଓ ମାନ୍ୟବର ମନ୍ତ୍ରୀମାନେ ଜାଣିବେ। ଆପଣମାନେ ଜାଣନ୍ତି କୌଣସି ବିଲାତି ଜିନିଷ ବା ମଣିଷଙ୍କୁ ଶ୍ରୀମନ୍ଦିରରେ ପୂରେଇ ନଦେବାର ଏକ ପରମ୍ପରା ରହିଛି। ସେଇ କ୍ରମରେ ବିଲାତି ଅାଳୁ (ପଟାଟୋ)ବିଲାତିବାଇଗଣ(ଟମାଟୋ) ଶ୍ରୀମନ୍ଦିରରେ ପଶେ ନାହିଁ କି ମହାପ୍ରସାଦ ଅନ୍ନ ବ୍ୟଞ୍ଜନରେ ସାମିଲ ହୁଏ ନାହିଁ। ଭୁବନେଶ୍ୱରରେ ଥିବା ଶ୍ରୀଲିଙ୍ଗରାଜ ଓ ଶ୍ରୀ ଅନନ୍ତବାସୁଦେବଙ୍କ ଖନ୍ଦାଶାଳରେ ମଧ୍ୟ ସେହି ବିଲାତି ପରିବାଗୁଡ଼ିକର ପ୍ରବେଶାଧିକାର ନାହିଁ। କିନ୍ତୁ ଭାରତ ସ୍ୱାଧୀନ ହେବା ପରେ ଦେଶସାରା କୌଣସି ଅଞ୍ଚଳରେ ଲୋକମାନେ ଏହି ଦୁଇ ବିଲାତି ମାୟାରୁ କ୍ଷାନ୍ତ ହୋଇପାରି ନାହାନ୍ତି। ବିଲାତ କହିଲେ ଆମେ ପ୍ରଥମତଃ ବ୍ରିଟେନକୁ ବୁଝିଥାଉ। ହେଲେ ଟମାଟୋ ମାମଲାରେ ଯୁକ୍ତରାଷ୍ଟ୍ର ଆମେରିକାର ଗୋଲାମ ହୋଇସାରିଛୁ ୨୦ ବର୍ଷ ହେଲା। ଦେଶ ସ୍ୱାଧୀନ ହେଲା ପରେ ଭାରତର ମାଟି-ପାଣି-ପବନରେ ବଢ଼ିଥିବା କିଛି ଟମାଟୋ କିସମକୁ ଆମେ କହୁଥିଲୁ ଦେଶି ଟମାଟୋ। କିନ୍ତୁ ଇଣ୍ଡୋ-ଆମେରିକୀୟ ସଙ୍କର ଜାତୀୟ ଟମାଟୋର କିଛି କିସମ ଭାରତୀୟ ବଜାରକୁ ଆସିବା ପରେ ଖାଉଟିମାନେ ଖଟାଳିଆ ଦେଶି ଟମାଟୋକୁ ଆଉ ଆଦର କରୁ ନାହାନ୍ତି। କହିବା ବାହୁଲ୍ୟ, ଯେଉଁ ଟମାଟୋର ଦର ୮୦ ଟଙ୍କା ହୋଇଯାଇଛି ବୋଲି ଟିଭିବାଲା ଓ ଖବରକାଗଜବାଲା ହେଡ଼ଲାଇନ୍ କରି ହାଉ ହାଉ ହେଉଛନ୍ତି, ତାହା ହେଉଛି ଇଣ୍ଡୋ-ଆମେରିକୀୟ ସଙ୍କର ଜାତୀୟ ମିଠାଳିଆ ମାଂସଳ ଲାଲ୍ ଟହଟହ ଟମାଟୋର କିସମ। ସବୁ ଘରେ ଓ ହୋଟେଲରେ ସାଲାଡ଼ର ମୁଖ୍ୟ ଉପାଦାନ ସେଇ ନାଲି ମାଂସଳ ଟମାଟୋ।

ଦୁଃଖର କଥା ଯେ ଚଳିତ ବର୍ଷ(୨୦୧୬) ଓଡ଼ିଶାର ପାତଲଘଣ୍ଟା(ଟମାଟୋ) ଖଣି କୁହାଯାଉଥିବା ବରଗଡ଼ ଜିଲ୍ଲାର ଚାଷୀମାନେ କେଜିକୁ ୨ଟଙ୍କାରେ ହାଟରେ ବିକିଛନ୍ତି ଏବଂ ହାଟରୁ ଫେରିଲା ବେଳେ ବଳକା ୨-୩ କେଜି ଟମାଟୋକୁ ବୁଲା ଗୋରୁ ମୁହଁରେ ପିଙ୍ଗି ଦେଇ ଘରକୁ ଲୁହ ଓ କୋହରେ ଫେରିଛନ୍ତି। କିନ୍ତୁ ଏହା କୌଣସି ଗଣମାଧ୍ୟମରେ ହେଡ଼ଲାଇନ୍ ହୋଇନାହିଁ। ଯଦିଚ କାଁଭାଁ ଟୁକୁରା ଖବର ବାହାରିଛି; ହେଲେ ବରଗଡ଼ର ପାତଲଘଣ୍ଟା ଚାଷୀଙ୍କ ଅବସ୍ଥା ଦେଖି କେହି ଆହା କହିନାହାନ୍ତି। ଅଭାବେ ସ୍ୱଭାବ ନଷ୍ଟ। ଟଙ୍କା ଖଟେଇ ବିଯୁକ୍ତାତ୍ମକ ଆୟ ପାଇଥିବା ଚାଷୀ ଯଦି ଆତ୍ମହତ୍ୟା କରେ, ତାହାକୁ ରାଜ୍ୟ ମନ୍ତ୍ରୀ କହିବେ, ଘରେ ଝଗଡ଼ା ଯୋଗୁ ସେ ମଲା। ଆଉ ପୁଣି କେଉଁ ନେତା କହିବେ, କାହିଁକି ଅମରଲଡୁ ଖାଇଦେଉନାହାନ୍ତି, ଆଉ ମୋଟେ ମରିବେନି। ବଡ଼ ବିଚିତ୍ର ଏ ରାଜ୍ୟ! 

ଆପଣଙ୍କୁ ହୁଏତ ଏହା ଏକ ରମ୍ୟରଚନା ଭଳି ଏଯାଏଁ ଲାଗୁ ଥାଇପାରେ। କିନ୍ତୁ ଭାବିଲେ, ଓଡ଼ିଶାର ରାଜଧାନୀ ନଗରରେ ୧୫ ଲକ୍ଷ ଖାଉଟି, କେଜି ପିଛା ୪୦ ଟଙ୍କା ବା ଅଧିକ ଦାମ୍ ରେ ଟମାଟୋ କିଣୁଥିବେ, ଅଥଚ ସେଇ ରାଜ୍ୟର ବରଗଡ଼ ଜିଲ୍ଲାର ବିସ୍ତୃତ ଅଞ୍ଚଳର ଚାଷୀମାନେ ହାଟରେ କେଜି ପିଛା ୪ଟଙ୍କାରେ ବିକି ଦାରୁଣ ଦୁଃଖରେ ଦିନ କାଟୁଥିବେ। ଏହାକୁ କେମିତି ସହିବ କେଉଁ ସ୍ୱାଭିମାନୀ ଓଡ଼ିଆର ଛାତି? ମୋ ଭଳି ହୁଏତ ଅାପଣଙ୍କ ଭିତରେ ପ୍ରଶ୍ନ ଆସୁଥିବ, ରାଜ୍ୟ ସରକାରଙ୍କ ଭଳିକି ଭଳି କୃଷିଜାତ ଦ୍ରବ୍ୟ ବିପଣନ ସଂସ୍ଥାମାନେ କରୁଛନ୍ତି କ’ଣ? ଶୋଇପଡ଼ିଛନ୍ତି କି? 

ବରଗଡ଼ ରୋଡ଼‌୍ ରେଳଷ୍ଟେସନ ସହ ଭୁବନେଶ୍ୱର ରେଳଷ୍ଟେସନର ପ୍ରତ୍ୟକ୍ଷ ଯୋଗାଯୋଗ ସଂପର୍କ ଅଛି। ଏଣେ ରାଜ୍ୟରେ ଗୋଟେ ବାଣିଜ୍ୟ ଓ ପରିବହନ ବିଭାଗ ବି ଅଛି। ଅଥଚ ସମନ୍ୱୟ ରହିପାରୁନି। ଆଉ କ’ଣ କ’ଣ ଉପଯୁକ୍ତ ବିଭାଗ ଓ ସଂସ୍ଥା ଥାଇ ଓଡ଼ିଶାରେ ମୋଟା ଅଙ୍କ ଦରମାରେ ଅଫିସର ପୋଷା ହେଉଛନ୍ତି, ସେ ବିଷୟରେ ଅଧିକ କହିବିନି। 

ଅାଇଏଏସ‌୍ ଅଫିସରମାନେ ତାଲିମ ନେବା ପାଇଁ ବିଦେଶ ଯାତ୍ରା କରୁଥିବା କଥା ହୁଏତ ଆପଣମାନେ ଖବରକାଗଜରୁ ପଢ଼ିଥିବେ। Agro marketing, Supply Chain Management ଭଳି ବଡ଼ ବଡ଼ କଥା ସବୁ ଶିଖିକି ଆସିବେ। କିନ୍ତୁ ଏଠି କେବଳ AC Quarter, AC Car, AC Chamberରେ ଦିନ କଟିବ। କିନ୍ତୁ ରାଜ୍ୟ ପାଇଁ ଅବଦାନ ଶୂନ। ସେଇ ଅପଦାର୍ଥମାନେ ତାଲିମ (Training) ନାମରେ ବିଦେଶରେ ଯାଇ କ’ଣ କରନ୍ତି, କାହାକୁ ଅଛପା ନାହିଁ। ବିଦେଶୀ ବ୍ୟାଙ୍କରେ କଳାଟଙ୍କା ଥଇଥାନ ପାଇଁ କ’ଣ ସବୁ ହୁଏ, ତାହା କୌଣସି ଗଣମାଧ୍ୟମରେ ପ୍ରକାଶ ପାଏ ନାହିଁ। କାରଣ ପ୍ରମାଣ ଯୋଗାଡ଼ କରିବା ଭାରୀ କଷ୍ଟ। ଯଦି ବିଦେଶୀ ଗଣମାଧ୍ୟମ ଓ Wikileaks ଭଳି ସଂସ୍ଥା ସହ ଦେଶୀ ଗଣମାଧ୍ୟମ ଗୁପ୍ତଚର ସାମ୍ବାଦିକତା କରିବେ, ତେବେ ସେମାନଙ୍କ ବିଦେଶ ଭ୍ରମଣର ବାସ୍ତବତା ହୁଏତ ଧରାପଡ଼ିପାରନ୍ତା। 

ଏବେ ଫେରିବା ଟମାଟୋ ପ୍ରସଙ୍ଗକୁ। ଯଦି ଏକ ଆଧୁନିକ ଓ ଲାଭଖୋର-ବଣିଜ ପ୍ରବଣ ସମାଜରେ ବିଭିନ୍ନ ବିଭାଗ ଓ ସ୍ୱୟଂଶାସିତ ସରକାରୀ ସଂସ୍ଥାମାନେ କିଛି କାମ କରି ନପାରିବେ, ତେବେ ଏ ରାଜ୍ୟକୁ କୌଣସି ଚୀନ‌ା ଏଜେନ୍ସୀ ହାତରେ ଟେକି ଦେବା ସବୁଠୁ ଭଲ। ନଚେତ‌୍ ଏ ଅଜବ ରାଜ୍ୟର ପ୍ରାଣୀମାନଙ୍କୁ ପରଖିବାକୁ ପଡ଼ୋଶୀ ଦେଶରୁ କାଳେ କାଳେ ଫାହିୟାନ‌୍ ଓ ହୁଏନସାଂ ମାନେ ସାମ୍ବାଦିକ ବା ‘ପରିବ୍ରାଜକ’ ରୂପରେ ଆସୁଥିବେ ସରକାରୀ ଗସ୍ତରେ।

23 जून 2016

କ’ଣ ସତରେ ବାଗ୍‌ଚି ଖୋଜିବେ ଦକ୍ଷତା ବିକାଶର ଚେର?

୧୦ ବର୍ଷ ଧରି ଓଡ଼ିଆ ଦର୍ଶକଙ୍କୁ ମନୋରଂଜନ ଓ ହାସ୍ୟରସର ଖୋରାକ ଯୋଗାଇ ଲକ୍ଷଲକ୍ଷ ଲୋକଙ୍କ ମନକୁ ସୁସ୍ଥ ରଖିବାରେ ଅବଦାନ ରଖିଥିବା ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ସତପଥୀ ଏବେ ନିନ୍ଦିତ। କାରଣ ସେ ନିଜ ଲୋକପ୍ରିୟତାକୁ ବିକି ଗରିବ ଲୋକଙ୍କ ଠାରୁ ଚିଟ୍ ଫଣ୍ଡ୍ ପାଇଁ ଧନ ଝଡ଼େଇବାର କର୍ମ ସହ ଅନେକ ଅପକର୍ମ କରିଥିଲେ ବୋଲି ମିଡ଼ିଆବାଲା କହିଲେଣି, ଲେଖିଲେଣି। କିନ୍ତୁ ଏ ସବୁ ପୋଷ୍ଟମର୍ଟମ୍। ଏଥିରେ ସାଧାରଣ ଲୋକଙ୍କର ପଇସାକର ଫାଇଦା ହେବ ନାହିଁ। 

ସୁବ୍ରତ ବାଗଚି (Subroto Bagchi)
ଆମେ ଆଗୁଆ କହିବାକୁ ପସନ୍ଦ କରୁ ଏବଂ ଏଠାରେ ଆଉ କିଛି କଥା ଆଗୁଆ କହିବୁ, ଯାହା ଦ୍ୱାରା ଜନସାଧାରଣ ଆଗୁଆ ସଚେତନ ହୋଇପାରିବେ। କାରଣ ସର୍ବନାଶ ହେବା ପୂର୍ବରୁ କହିବାରେ ବାହାଦୂରୀ ଅଛି। ଏଇ ଯେମିତି ଟିଟିଲାଗଡ଼ ଜନ୍ମିତ ଗୁଜରାଟୀ ସାମ‌୍ ପିଟ୍ରୋଡ଼ାଙ୍କୁ ଅବୈତନିକ କ୍ୟାବିନେଟ୍ ପାହ୍ୟା ଦେଇଥିଲେ ଏବଂ ନିକଟରେ ପାଟଣାଗଡ଼ ଜନ୍ମିତ ଦିଲ୍ଲୀ-ବେଙ୍ଗାଲୁରୁବାସୀ ସୁବ୍ରତ ବାଗଚିଙ୍କୁ ମଧ୍ୟ ଅବୈତନିକ ଭାବେ ଓଡ଼ିଶା ସରକାର କ୍ୟାବିନେଟ‌୍ ପାହ୍ୟା ଦେଇ ଅତିଥି ଚର୍ଚା କରୁଛନ୍ତି।  ଅବଶ୍ୟ ବର୍ଷକୁ ସେ ମାତ୍ର ଟଙ୍କାଟେ ଦରମା ନେବେ ବୋଲି ବିଭିନ୍ନ ରିପୋର୍ଟରେ ବାହାରିଛି। ଯେମିତି ରାଜତନ୍ତ୍ର ଅମଳରେ ରାଣୀ-ରାଜକୁମାରୀମାନେ ଫୁଲ ଶୁଂଘି ଦିନ କାଟୁଥିଲେ। ସେ ଯେଉଁ ଗାଡ଼ିରେ ବସିକି ଯୁଆଡ଼େ ଗଲେ ବି ଗାଡ଼ି ଉପରେ ଚିକିମିକି ନାଲିବତୀ ଘୂରି ଘୂରି ଜଳିବ। ମାନେ, ବାଟ ଛାଡ଼, ଆସୁଛନ୍ତି ସାହେବ, ପାଖେଇ ଯାଅ, ଅଟକି ଯାଅ। ନଚେତ‌୍ ପୁଲିସମାମୁଁମାନେ ତାଙ୍କ ଭଉଣୀ ଓ ଭାଣିଜୀଙ୍କୁ ସମ୍ମାନ ଦେବା ଭୁଲିଯିବେ। ମାନେ ରାସ୍ତାରେ ଜାମ୍ କରୁଥିବା ଲୋକଙ୍କ ମାଆଭଉଣୀଙ୍କ ନାମରେ ଗାଳି ଦେବେ। ଏସବୁ ଜାଣିଛନ୍ତି ଆପଣମାନେ। ଯାହା ଭାବି ନାହାନ୍ତି ବା ଜାଣିନାହାନ୍ତି, ସେଇଥିରୁ କିଛି ପାଠ ନମ୍ବରିଂ କରିକି ତଳେ ଦେଲୁ। ପଢ଼ିବେ ଓ ଭୁଲ ଥିଲେ ମୋତେ ବି ଗାଳି ଦିଅନ୍ତୁ, ବିନ୍ଦାସ୍।

(୧) Odisha Skill Development Authorityର ସେ ମୁଖ୍ୟ। ଓଡ଼ିଶା ସରକାର ସଂସ୍ଥାର ନାମକରଣ ମୌଳିକ ଭାବରେ ଇଂଲିଶରେ କରିଥିଲେ ହେଁ, ତାହାକୁ ଓଡ଼ିଆରେ ଅନୂବାଦ କରି କହିପାରିବା ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ। ତେବେ ଓଡ଼ିଶାର ଶାସନ ଓଡ଼ିଆରେ କରିବାର ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ, ତାହାର ମାନେ କ’ଣ। ବିହାର ପୁଲ ନିର୍ମାଣ ନିଗମ,  ଭାରତ ସଂଚାର ନିଗମ, କେନ୍ଦ୍ରୀୟ ବିଦ୍ୟାଳୟ ହେଉଛି ମୌଳିକ ଭାବେ ଭାରତୀୟ ଭାଷାରେ ନାମକରଣ ହୋଇଥିବା ସଂସ୍ଥା। ଓଡ଼ିଶାର ଅଣଓଡ଼ିଅା ବ୍ୟୁରୋକ୍ରାଟ୍ ଓ ସେମାନଙ୍କ ଦୟାରେ ଚଳୁଥିବା ଭକୁଆ ମନ୍ତ୍ରୀମାନେ ଏଥିରୁ ଶିଖିବେ ବୋଲି ଆଶା କରୁ। ସୁବ୍ରତ ବାବୁ କ’ଣ ଭାବନ୍ତି କେବଳ ଇଂଲିଶ ହିଁ ପେଟପୋଷିବାର ଭାଷା? ସେଇଥିରେ ଦକ୍ଷତା ବିକାଶ ହେଲେ ଓଡ଼ିଶାର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଣ ଓ ଥଇଥାନ କରାଯାଇପାରିବ ଏବଂ କରାଯିବା ଉଚିତ? ଏହି ଆଭିମୁଖ୍ୟ ପ୍ରଥମେ ସ୍ପଷ୍ଟ କରନ୍ତୁ।

(୨) ଏକଥା ସବୁ ସଚେତନ ନାଗରିକ ଜାଣନ୍ତି ଯେ ଓଡ଼ିଶା ବା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସୁବ୍ରତ ବାଗଚିଙ୍କର ଅବଦାନ ଶୂନ। ତାଙ୍କୁ କୌଣସି ଓଡ଼ିଆ ଲୋକ ଯୋଗାଯୋଗ କରିବାକୁ ଚାହିଲେ ସେ ଦେଖା ଦିଅନ୍ତି ନାହିଁ। ଇମେଲ ଲେଖିଲେ ନିଜେ ଜବାବ ନଦେଇ ଜଣେ କନ୍ନଡ଼ ମହିଳା କର୍ମଚାରୀଙ୍କୁ ଯୋଗାଯୋଗ କରିବାକୁ ଇମେଲ ଫରୱାର୍ଡ଼ କରିଦିଅନ୍ତି। ଏହା ଦ୍ୱାରା ସେ ଓଡ଼ିଆ ଲୋକଙ୍କର କନ୍ନଡ଼ ଓ ଇଂଲିଶ‌୍ ଦକ୍ଷତା ପରଖିବାକୁ ଚାହାନ୍ତି କି? ଏବେ ଏହାର ଉତ୍ତର ଆଦାୟ କରିବାର ସମୟ ଆସିଛି।

(୩) ୨୩ ସେପ୍ଟେମ୍ବର ୨୦୧୫ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜାଗା ଉପରେ ଖୋଲିଛି Mindtree Kalinga (ମାଇଣ୍ଡଟ୍ରି କଳିଙ୍ଗ)। କିଛି ମାଇଣ୍ଡ୍ କରିବେନି, ପ୍ରଶ୍ନ ହେଲା ନିଜେ Mindtreeର ସହ-ପ୍ରତିଷ୍ଠାତା ଭାବରେ କେତେ ଜଣ ଦକ୍ଷତାସଂପନ୍ନ ଓଡ଼ିଆଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେଇଛନ୍ତି? ମୋଟ ନିଯୁକ୍ତ କର୍ମଚାରୀ/ଅଧିକାରୀମାନଙ୍କର ତାହା କେତେ ପ୍ରତିଶତ? ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ଅଧିକାରୀମାନଙ୍କର କେତେ ପ୍ରତିଶତ ହେଉଛନ୍ତି ଓଡ଼ିଅା? ସେହିଭଳି ‘‘ମାଇଣ୍ଡଟ୍ରି କଳିଙ୍ଗ’’ରେ କେତେ ପ୍ରତିଶତ ସେହି ତିନି ସ୍ତରରେ ଓଡ଼ିଆ ଅଛନ୍ତି ଏବଂ ସେମାନଙ୍କ ଶତକଡ଼ା କେତେ?

(୪) ମାଇଣ୍ଡଟ୍ରି କଳିଙ୍ଗ କେବଳ ଏଠୁ ସଫ୍ଟୱେର ରପ୍ତାନୀ କରିବ କି ଆଉ କିଛି ଉପକାର ହେବ ଓଡ଼ିଶାର? ଓଡ଼ିଶାର ଇ-ଗଭର୍ନାନ୍ସ ପାଇଁ ଏ କମ୍ପାନୀର କ’ଣ ଭୂମିକା ରହିବ?

(୫) ସବୁ କମ୍ପାନୀ ନିଜ ରାଜ୍ୟରେ କର୍ପୋରେଟ‌୍ ସାମାଜିକ ଦାୟିତ୍ୱବୋଧ(CSR) ଅଧୀନରେ ବ୍ୟୟ କରୁଥିବା ବେଳେ ସେ କ’ଣ କେଉଁଠି କରିଛନ୍ତି, ହିସାବ ଦେବେ କି? ୩୭୦୦ କୋଟି ଟଙ୍କାର କାରବାର କରୁଥିବା ଏକ ବିଶାଳ କମ୍ପାନୀର ସହପ୍ରତିଷ୍ଠାତା ହୋଇଥିବାରୁ ସେ କେତେ ମାତ୍ରାରେ ଥିଲେ ନିଜ ଜନ୍ମମାଟି-ମନସ୍କ, ତାହା ନିଶ୍ଚିତ ବିଚାର୍ଯ୍ୟ। ସେହି ଭଳି ଏବେର ମାଇଣ୍ଡଟ୍ରି କଳିଙ୍ଗCSR ନୀତି କ’ଣ, ତାହା ସ୍ପଷ୍ଟ କରିବେ କି? ସେଥିରେ ଓଡ଼ିଶାର କେଉଁ ମୁଦ୍ଦାଗୁଡ଼ିକୁ ନେଇଛନ୍ତି?

(୬) ସବୁଠୁ ହାସ୍ୟାସ୍ପଦ ଓ ଅାଶ୍ଚର୍ଯ୍ୟ କଥାଟି ହେଉଛି, ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ(OSDA)ଙ୍କର ନିଜର ୱେବସାଇଟ‌୍ ନଥାଇ ମଧ୍ୟ ଏହାର ଉଦ୍‌ଘାଟନ ହୋଇଯାଇଛି। ଯାହାକି ୧ ମେ ୨୦୧୬ରୁ କାର୍ଯ୍ୟାରମ୍ଭ କରିଛି। ଗୋଟିଏ ବିଶ୍ୱସ୍ତରୀୟ ସଫ୍ଟୱେର କମ୍ପାନୀର ସହପ୍ରତିଷ୍ଠାତା ଭାବରେ ଏତିକି କାଣ୍ଡଜ୍ଞାନ କୁଆଡ଼େ ଉଭେଇଗଲା? ଯଦି ବି ବିଳମ୍ବରେ ୱେବସାଇଟ‌୍ ହୁଏ, ତାହା କାହିଁକି ଇଂଲିଶ୍ ଭାଷାରେ ହେବ, ଦୟାକରି କହିବେକି? (ଆରମ୍ଭରୁ କହୁଛୁ ଯେ ଘଟଣା ଘଟିସାରିବା ପରେ ଛାନଭିନ‌୍ କରିବାରେ ପଇସାକର ମୂଲ୍ୟ ନାହିଁ।) ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବା ଯଦି ଅଭିସନ୍ଧି ହୋଇଥାଏ, ତେବେ ଆମେ ବୁଝିଯିବୁ ଗୁମର।

(୭) ୨ ବର୍ଷ ତଳେ ରାଜ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନୂଆ କରି ଖୋଲିଛି। ଏହା ଠାରୁ ଭିନ୍ନ ଭାବରେ ଏକ ସ୍ୱାଧୀନ ସଂସ୍ଥାର ଭୂମିକାରେ କ’ଣ ପାର୍ଥକ୍ୟ ରହିବ? ବିଭାଗୀୟ ବ୍ୟବସ୍ଥାରେ କ’ଣ କିଛି ନାହିଁ ଓଡ଼ିଆ ଯୁବକଙ୍କ ଦକ୍ଷତାର ଆବଶ୍ୟକତା ପରଖିବାକୁ? ସେହି ଭଳି ଦେଢ଼ ବର୍ଷ ତଳେ ଗଢ଼ାଯାଇଥିବା ରାଜ୍ୟ ନିଯୁକ୍ତି ମିଶନ (State Employment Mission)ଭୂମିକା ଓ ଦାୟିତ୍ୱ ତେବେ କ’ଣ? ସେଥିରେ ପଂଝେ ଲୋକ କ’ଣ ତାହେଲେ AC କୋଠରୀରେ ବସି ଦରମା ସୁବିଧା ସୁଯୋଗ ଟାଣୁଛନ୍ତି? ସେହିଭଳି  ଓଡ଼ିଶା ଜୀବିକା ମିଶନ (Odisha Livelihood Mission)  ମଧ୍ୟ ଗୋଟିଏ ବହୁ ବର୍ଷ ଧରି ନାମ ବଦଳି ବଦଳି କାମ କରୁଛି। ସେହି ମିଶନ ଓ ମିଶନ ଶକ୍ତି - ଏଗୁଡ଼ିକ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କିଏ କରିବ? ଏ ସବୁର ଜ୍ଞାନ ସୁବ୍ରତ ବାବୁଙ୍କୁ ଦିଆଗଲାଣି କି? 

(୮) ୩୦ଟି ଜିଲ୍ଲାକୁ ବୁଲି ବୁଲି ଓଡ଼ିଆ ଯୁବକଙ୍କ ଦରକାରୀ ଦକ୍ଷତା ଠାବ କରି ସରକାରଙ୍କୁ ସୁପାରିଶ କରିବା ହେଉଛି, ସୁବ୍ରତ ବାବୁଙ୍କ ବଡ଼ କାମ। ଯାହାକି ପ୍ରକାଶିତ ବିଭିନ୍ନ ଖବରରେ ପ୍ରକାଶ ପାଇଛି। ତେବେ ସେ ୩୦ଟି ଜିଲ୍ଲାକୁ ବୁଲିବାକୁ କେତେ ବର୍ଷ ନେବେ ଏବଂ କେବେ ସୁପାରିଶ ରିପୋର୍ଟ ଦାଖଲ କରିବେ? ଏହା ଏକ ସ୍ୱାଭାବିକ ପ୍ରଶ୍ନ। କାରଣ, ଲକ୍ଷ୍ୟ କରାଯାଇଛି ଯେ ଜିଲ୍ଲାପାଳମାନେ ୩ବର୍ଷ କୌଣସି ସାନ ଜିଲ୍ଲା(୭୦ ପଞ୍ଚାୟତବାଲା)ରେ କାର୍ଯ୍ୟ କରି ମଧ୍ୟ ଜିଲ୍ଲାର ସବୁ ପଞ୍ଚାୟତକୁ ଅନ୍ତତଃ ଥରଟେ ଗସ୍ତ କରିପାରି ନାହାନ୍ତି। ମିଛ ଗସ୍ତ ରିପୋର୍ଟ ଓ ସତ ଗସ୍ତ ରିପୋର୍ଟ ମିଶାଇଲେ ମଧ୍ୟ ଏହି ଅାଶଙ୍କାର ମୁକାବିଲା କେହି କରି ନାହାନ୍ତି। ଯଦି ସୁବ୍ରତ ବାବୁ ସବୁ ଜିଲ୍ଲା ବୁଲିବେ, ତେବେ ବର୍ଷରେ କେତେ ଦିନରେ ସାରିବେ? ଶାସକ ଦଳର ୨୦୩୬ ସ୍ୱପ୍ନ ସହ ମତ ମିଳାଇ ଦେବେ ନି ତ?

(୯) ମଟରଗାଡ଼ି ଚାଲି ପାରୁନଥିବା ଅଞ୍ଚଳକୁ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯିବେ କି? ଗାଡ଼ିରୁ ଓହ୍ଲାଇ ୧ ବା ୨ କିଲୋମିଟର ଚାଲିବେ କି? ଭଲ ପାଗ ବେଳେ ଗସ୍ତ କରି ସେ ଲୋକଙ୍କର କେଉଁ ଦୁଃଖକୁ ଦେଖିପାରିବେ? ସାମ‌୍ ପିଟ୍ରୋଡ଼ା ବାବୁ କେତେ ବୁଲିଲେଣି, ଆମେ ଜାଣୁ। ବିଧି ଓ ବିଜ୍ଞାନ ଧାର୍ଯ୍ୟ କରିସାରିଛି ଅବସରର ବୟସ। ତଥାପି ଯଦି ନିଜ ଜନ୍ମମାଟିର ସେବା କରିପାରିବେ ବୋଲି ସୁବ୍ରତ ବାବୁ ବିଶ୍ୱାସ କରୁଛନ୍ତି, ତେବେ କେବଳ ସମ୍ବାଦପତ୍ରର ସଂପାଦକୀୟ ପୃଷ୍ଠା କାହିଁକି, ସରକାରଙ୍କ ଉତ୍କଳ ପ୍ରସଙ୍ଗ ବା Odisha Reviewରେ ଲେଖନ୍ତୁ, ନିଜ ସଂସ୍ଥାର ୱେବସାଇଟରେ ଲେଖନ୍ତୁ।

(୧୦) ଅବସରପ୍ରାପ୍ତ ବୟସରେ ଜଣେ ବହୁତ ବଡ଼ ରେଳବାଇ ଅଧିକାରୀ କଲ୍ୟାଣ ଜେନା, ଓଡ଼ିଆମାନଙ୍କୁ କିଭଳି ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ, ଓଡ଼ିଆମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ଓଡ଼ିଆମାନଙ୍କୁ ନିନ୍ଦା କରିଥିଲେ, ତାହା କୌଣସି ସ୍ୱାଭିମାନୀ ଓଡ଼ିଆ କ’ଣ କେବେ ଭୁଲି ପାରିବ? ଓଡ଼ିଶାରେ ଜନ୍ମ ହୋଇ ପାଠ ପଢ଼ି, ସରକାରୀ କିରାଣୀ ଚାକିରି କରି, ଚାକିରି ଛାଡ଼ି ଏତେ ଏତେ ପ୍ରାଇଭେଟ‌୍ କମ୍ପାନୀରେ ଗୁରୁ ଦାୟିତ୍ୱ ନେବା ପରେ ଜଣେ ଅବସରପ୍ରାପ୍ତ ବ୍ୟକ୍ତିତ୍ୱ ସୁବ୍ରତ ବାଗଚି ଯଦି ଓଡ଼ିଶାର ଇତିହାସ, ଭୁଗୋଳ, ସମାଜ ଓ ଅର୍ଥନୀତି ଉପରେ ଜ୍ଞାନ ଅର୍ଜନ କରିବାକୁ ସରକାରୀ ପାଣ୍ଠିରେ ୩୦ ଜିଲ୍ଲା ବୁଲିବେ, ତେବେ ସେ ଜୀବନସାରା କରିଛନ୍ତି କ’ଣ ଏ ରାଜ୍ୟ ପାଇଁ? ଏ ପ୍ରଶ୍ନ ତ ଉପରର ସବୁ ପ୍ରଶ୍ନକୁ ଘୋଡ଼ାଇ ପକାଉଛି, କ’ଣ କହୁଛନ୍ତି?

ଶେଷ ପ୍ରଶ୍ନକୁ ଯିଏ ବୁଝିଯିବେ, ସେ ହୁଏତ କହି ପାରନ୍ତି, ଅନ୍ୟ ସବୁ ପ୍ରଶ୍ନ ବେକାର। ସେଗୁଡ଼ିକରେ ଦକ୍ଷତା ନାହିଁ।

ମାନ୍ୟବର ସୁବ୍ରତ ବାଗଚିଙ୍କ ଭଳି ଦକ୍ଷ ଓ ସଫଳ ବ୍ୟକ୍ତିତ୍ୱଙ୍କ ପାଇଁ ଦେଢ଼ ମାସ ବି ଖୁବ୍ ଲମ୍ବା ସମୟ କିଛି କରି ଦେଖାଇବା ପାଇଁ। କାରଣ ସମାନ ପ୍ରକାର କାମ ସେ ନିଜ କର୍ମମୟ ଜୀବନରେ କରି ସାରିଛନ୍ତି। ଆଶା କରେ ଏହି ପ୍ରବନ୍ଧରେ ଥିବା ପ୍ରଶ୍ନଗୁଡ଼ିକ ନିଶ୍ଚୟ ତାଙ୍କ ପାଖରେ ପହଞ୍ଚିବ ଏବଂ ତାଙ୍କୁ ପ୍ରକୃତିସ୍ଥ କରିବ।


07 जून 2016

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ଓଡ଼ିଶା ସରକାର ନିଜ ପୂର୍ବ ଘୋଷଣା ଅନୁସାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାକୁ ବିଧିବଦ୍ଧ ଭାବରେ ବିଜ୍ଞାପନ ଦେଇ ସାଧାରଣ
କୋଲକାତା ବୁଲିଥିବା ଅନ୍ୟରାଜ୍ୟର ଏକ ଯାତ୍ରୀଦଳ
ଲୋକଙ୍କୁ ଅବଗତ କରିଛନ୍ତି। ୫ ଜୁନ୍ ୨୦୧୬ରେ ବିଭିନ୍ନ ଓଡ଼ିଆ ଖବରକାଗଜରେ ଏହା ଉପରେ ବିଜ୍ଞାପନ ପ୍ରକାଶ ପାଇଛି। ଏବେ ନଜର ପକାଇବା ଏ ଯୋଜନାର ରୂପରେଖ ଉପରେ:--

ଯୋଜନାର ନାମ:- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ IRCTC ସହଯୋଗରେ କାର୍ଯ୍ୟକାରୀ ହେଉଅଛି।

ହିତାଧିକାରୀଙ୍କ ଯୋଗ୍ୟତା:- ୧. ଓଡ଼ିଶାର ସ୍ଥାୟୀ ବାସିନ୍ଦା, ୨.ବୟସ ୬୦ରୁ ୭୫ ବର୍ଷ ମଧ୍ୟରେ; ୩. ଦରିଦ୍ର(BPL) ପରିବାରକୁ ଗସ୍ତ ଖର୍ଚର ସଂପୂର୍ଣ ରିହାତି; ୪.ଅନ୍ୟ ପରିବାର (APL)ର ୬୦ରୁ ୭୦ ବର୍ଷୀୟମାନେ କେବଳ ୫୦% ରିହାତି ପାଇବେ; ୫. ଏବଂ ଅନ୍ୟ ପରିବାର (APL)ର ୭୦ରୁ ୭୫ ବର୍ଷୀୟମାନେ ୭୫% ରିହାତି ପାଇବେ; ୬. ଆୟକରଦାତାମାନେ ଏହି ଯୋଜନା ପ୍ରଯୁଜ୍ୟ ନୁହେଁ; ୭.ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବେ; ୮.କୌଣସି ସଂକ୍ରାମକ ରୋଗ (ଯକ୍ଷ୍ମା, କୁଷ୍ଠ, ଶ୍ୱାସରୋଗ, ହୃଦରୋଗ..)ରେ ଆକ୍ରାନ୍ତ ନଥିବେ।

ଆବେଦନ ପ୍ରଣାଳୀ:- ନିର୍ଧାରିତ ଫର୍ମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ/ବ୍ଲକ୍ ଅଧିକାରୀ/ଜିଲ୍ଲାପାଳ/ପର୍ଯ୍ୟଟନ ବିଭାଗ ୱେବସାଇଟ (odishatourism.gov.in)ରୁ ଆଣି ନିଜର ଫଟୋଗ୍ରାଫ୍, ପରିଚୟପତ୍ର, ସ୍ଥାୟୀଠିକଣାର ପ୍ରମାଣ, ବୟସ ପ୍ରମାଣର ନକଲ ସହ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପାଖରେ ଦାଖଲ କରିବେ। ଦାଖଲ ଶେଷ ତାରିଖ ୫ ଜୁଲାଇ ୨୦୧୬

ଚୟନ ପ୍ରଣାଳୀ:- ପର୍ଯ୍ୟଟନ ଅଧିକାରୀ ଦରଖାସ୍ତଗୁଡ଼ିକୁ ତନଖି କରି ଆବେଦକମାନଙ୍କୁ ଜିଲ୍ଲା କୋଡ଼‌/କ୍ରମିକସଂଖ୍ୟା ଜଣାଇବେ। ବହୁତ ଆବେଦକ ହୋଇଗଲେ ଯୋଗ୍ୟମାନଙ୍କୁ ଲଟେରି ଦ୍ୱାରା ଚୟନ କରାଯିବ।

ତୀର୍ଥାଟନ ପ୍ରଣାଳୀ:- ଓଡ଼ିଶାକୁ ତିନିଟି ଅଞ୍ଚଳରେ ଭାଗ କରାଯାଇଛି। ଏଥିପାଇଁ ଓଡ଼ିଶାର ତିନିଟି ସହରକୁ ଗସ୍ତ ଅାରମ୍ଭ ସ୍ଥଳ ରୂପେ ବଛାଯାଇଛି। ରେଳଷ୍ଟେସନ ଥିବା ସେହି ସହର ଗୁଡ଼ିକ ହେଉଛି ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁର। ଏହି ଯୋଜନାର ପ୍ରଥମ ଗସ୍ତର ରୂପରେଖ ଧାର୍ଯ୍ୟ ହୋଇ ସାରିଛି। ତାହା ତଳମତେ:

ଗସ୍ତ କ୍ରମ
ସଂପୃକ୍ତ ଜିଲ୍ଲା
ଗନ୍ତବ୍ୟ କ୍ରମ
ଯାତ୍ରା ଅବଧି
ଯାତ୍ରୀପିଛା ବ୍ୟୟ ଟଙ୍କାରେ
କଳାହାଣ୍ଡି, ନୂଆପଡ଼ା, ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ
ବ୍ରହ୍ମପୁର, ରାମେଶ୍ୱରମ୍, ମଦୁରାଇ, ବ୍ରହ୍ମପୁର
୯ ଦିନ
୧୮,୦୦୦/-
କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଧା
ଭୁବନେଶ୍ୱର, ବାରଣାସୀ, ଆହ୍ଲାବାଦ, ଭୁବନେଶ୍ୱର
୭ ଦିନ
୧୪,୦୦୦/-
ଢେଙ୍କାନାଳ, ଅନୁଗୋଳ, ବଲାଙ୍ଗୀର, ସୁବର୍ଣପୁର, ସମ୍ବଲପୁର, ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼
ସମ୍ବଲପୁର, ହରିଦ୍ୱାର, ରିଷିକେଷ, ସମ୍ବଲପୁର
୮ ଦିନ
୧୬,୦୦୦/-
ଚୟନିତ ଯାତ୍ରୀମାନଙ୍କୁ ନିଜ ଘରଠୁ ସରକାରୀ ଯାତ୍ରାରମ୍ଭ ସ୍ଥଳ ପର୍ଯ୍ୟନ୍ତ ସରକାରଙ୍କ ନିର୍ଧାରିତ ଏକ୍ସପ୍ରେସ୍ ବସଭଡ଼ା ଓ ଟ୍ରେନ‌ ସ୍ଲିପର
ଅନ୍ୟ ରାଜ୍ୟର ବରିଷ୍ଠ ନାଗରିକଙ୍କର ଏକ ଦଳ
ଶ୍ରେଣୀ ଭଡ଼ା ମିଳିବ। ତୀର୍ଥଯାତ୍ରା ଟ୍ରେନ‌୍ ବାହାରିବା ଷ୍ଟେସନ ପାଖରେ ଯାତ୍ରୀମାନଙ୍କ ରହଣୀ ଓ ଭୋଜନ ବ୍ୟବସ୍ଥା ବିଭାଗ କରିବ। ଯାତ୍ରୀମାନେ କେବଳ ୩ଥାକିଆ ଶୟନଶ୍ରେଣୀରେ ଯାତ୍ରା କରିବେ। ସମସ୍ତ ତୀର୍ଥଯାତ୍ରୀଙ୍କୁ ଟ୍ରାଭେଲ କିଟ୍ (ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ) ଓ ପରିଚୟପତ୍ର ଦିଆଯିବ। ଯାତ୍ରା କାଳରେ ସକାଳ ଓ ସଂଧ୍ୟାରେ ଜଳଖିଆ, ନିରାମିଷ ଦିବାଭୋଜନ ଓ ରାତିଭୋଜନ ମିଳିବ। ରେଳଷ୍ଟେସନରୁ ତୀର୍ଥସ୍ଥାନକୁ ନେବା, ଆଣିବା ପାଇଁ ପରିବହନ ବ୍ୟବସ୍ଥା ବିଭାଗ କରିଥିବ।


ଆମ୍ଭର ମନ୍ତବ୍ୟ:-
୧. କିନ୍ତୁ ଏହି ସୂଚନା କିଭଳି ଟେଲିଭିଜନ ଗଣମାଧ୍ୟମରେ ଅଧିକ ଅଞ୍ଚଳରେ ଓ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ତାହା ଉପରେ ପ୍ରଶାସନ ଚିନ୍ତା କରି ନାହିଁ। ଅତଏବ ଏହି ବିଜ୍ଞାପନ କେବଳ ଶିକ୍ଷିତ ଓ ସହରୀ ଲୋକଙ୍କ ମଧ୍ୟରେ ସୀମିତ ରହିଯିବ।

୨. ଆମ ଦେଶରେ ମୁସଲମାନମାନଙ୍କୁ ହଜ‌୍ ଯାତ୍ରା ପାଇଁ ସଂପୂର୍ଣ ମାଗଣାରେ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ପ୍ରଥମ କରି ଦେଶର ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ତୀର୍ଥଯାତ୍ରା ପାଇଁ କୌଣସି ଏକ ସରକାର ଚିନ୍ତା କରିଛି। ଯଦିଓ ଏହା ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୌଣସି ଉଲ୍ଲେଖ ନାହିଁ। ତେବେ ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ବି.ଜ.ଦ. ସରକାରର ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ।


୩. ଅଧିକ ଲୋକଙ୍କ ପାଖରେ ଏ ସୂଚନା ପହଞ୍ଚି ନଥିବାରୁ ଶେଷରେ ମନ୍ତ୍ରୀ, ବିଧାୟକ ଓ ଅଫିସରମାନଙ୍କ ସୁପାରିଶ ଥିବା ଲୋକମାନେ ହିଁ ତୀର୍ଥଯାତ୍ରାର ଫାଇଦା ଉଠାଇବାର ଆଶଙ୍କା ରହିଛି। 


୪. ବିଭାଗ ଯେଭଳି ସର୍ତ୍ତ ରଖିଛି, ତାହା ଦ୍ୱାରା କେବଳ କୃଷକ ପରିବାରର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାର ସୁଯୋଗ ପାଇବା କଥା। କିନ୍ତୁ ବାସ୍ତବରେ ଯଦି ଏଭଳି ନହୋଇ, ସରକାରୀ ଚାକିରିରୁ ଅବସର ନେଇଥିବା କିଛି ବ୍ୟକ୍ତି ଏହାର ସୁଯୋଗ ନିଅନ୍ତି, ତାହା ମଧ୍ୟ ରାଜ୍ୟ ପାଇଁ ହିତକାରକ ନୁହେଁ।


୫. ପ୍ରତି ଆଞ୍ଚଳିକ ତୀର୍ଥଯାତ୍ରୀ ଦଳରେ ଆକଳିତ ଯାତ୍ରୀ ସଂଖ୍ୟା କେତେ, ସେସଂକ୍ରାନ୍ତରେ କୌଣସି ସଂଖ୍ୟା ଉଲ୍ଲେଖ ନାହିଁ, ସରକାରୀ ବିଜ୍ଞାପନରେ। ଅଥଚ, ଆବେଦକ ଅଧିକ ହୋଇଗଲେ, ଲଟେରି ଉଠାଣ ଦ୍ୱାରା ହିତାଧିକାରୀ ଚୟନ ହେବ ବୋଲି ସର୍ତ ରହିଛି। ଏହା ହିଁ ଏକ ଅସ୍ୱଚ୍ଛ ନିୟମ।


୬. ପ୍ରତି ଦଳ ସହ ଯେଉଁ ସହଚର ନିଯୁକ୍ତ ହେବେ, ସେମାନେ ତାଲିମପ୍ରାପ୍ତ, କି ଯାହାକୁ ଇଚ୍ଛା ତାକୁ ନିଆଯିବ, ତାହା ଉପରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। 


୭. ଯେତେ ସୁସ୍ଥତା ଦାବି କଲେ ବି ୭୦ ବର୍ଷୀୟ ଗାଉଁଲି କୃଷକଙ୍କୁ ଯଦି ନିରାପଦ ଓ ସୁଖକର ଯାତ୍ରାର ଅନୁଭୂତି ଦିଆଯାଇପାରିବ, ତାହା ନିଶ୍ଚିତ ରୂପେ କୌଣସି ସରକାର ପକ୍ଷରୁ ଏକ ବିସ୍ମୟକର ଭେଟି ରୂପେ ବିବେଚିତ ହେବ।


ଏଭଳି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା କାମନା ସହ


ବିମଳ ପ୍ରସାଦ, ଭୁବନେଶ୍ୱର, bimal.odisha@yahoo.in