Thursday, May 26, 2016

ନିଃସର୍ତ୍ତ ରାଜଭକ୍ତିର ଶପଥ


୨୦୧୬ ମେ ମାସରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମାତ୍ର ଗୋଟିଏରେ ବିଜୟୀ ହୋଇଥିଲେ ସୁଦ୍ଧା ଏହି ଦଳର ତୁଙ୍ଗନେତାମାନେ ବେଶ୍ ଖୁସୀ। କାରଣ ଜାତୀୟ କଂଗ୍ରେସ ମେଣ୍ଟ କରି ସୁଦ୍ଧା ବିପୁଳ ପରାଜୟ ବରଣ କରିଛି। କଂଗ୍ରେସମୁକ୍ତ ଭାରତବର୍ଷ ଗଠନର ଦିନ ପାଖେଇ ଆସୁଥିବା ହୃଦବୋଧ କରି ଭାଜପା ନେତାମାନେ ଖୁସୀ ଅଛନ୍ତି। ରାଜନୀତି କରିବାକୁ ଭାଜପାକୁ ଅନ୍ୟ ଦଳର ନେତାଏ ଯେତେ ଛିଛା କଲେବି ଏହା ଯେ ରାଷ୍ଟ୍ର ସ୍ୱାର୍ଥର ପ୍ରହରୀ, ତାହା ସେ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇ ନଦେଇ ପ୍ରମାଣ କରିସାରିଛି। କେରଳ, ତାମିଲନାଡୁ ଓ ପଶ୍ଚିମବଂଗରେ କଂଗ୍ରେସ ପରାସ୍ତ ହୋଇଛି। କ୍ରମାଗତ ଚଉଠ ଶତାବ୍ଦୀ ଧରି ପଶ୍ଚିମବଂଗରେ ବାମପନ୍ଥୀ ଦଳ ସରକାରରେ ବିରୋଧୀ ଗାଦି ସମ୍ଭାଳିଥିବା ଜାତୀୟ କଂଗ୍ରେସର ଏପରି ଅଧୋଗତି ହେଲା ଯେ ଶେଷରେ ନିଜ ବଇରିକୁ ବନ୍ଧୁ (ମେଣ୍ଟ) କରି ନିର୍ବାଚନ ଲଢ଼ିଲା। ତଥାପି ହାରିଗଲା। ସୂଚନାଦୀପ୍ତ ବଂଗୀୟ ମତଦାତାମାନେ ଠିକ୍ ବୁଝିଥିଲେ ନିର୍ବାଚନର ଖେଳକୁ। ତେଣୁ କଂଗ୍ରେସ ମାତ୍ର ୪୪ଟି ଆସନ ରଖିବାରେ ସମର୍ଥ ହୋଇଛି। ତେବେ ୨୫ ମେ ୨୦୧୬ରେ କୋଲକାତାରେ ଭାରତୀୟ ଗଣତନ୍ତ୍ରରେ ଏକ ନୂଆ ଘଟଣା ଘଟିଛି। ପଶ୍ଚିମବଂଗ ପ୍ରଦେଶ କଂଗ୍ରେସର ସଭାପତି ଅଧୀର ରଂଜନ ଚୌଧୁରୀ ନିଜ ଦଳର ୪୪ ଜଣ ବିଧାୟକଙ୍କ ଠାରୁ ନିଃସର୍ତ୍ତ ରାଜଭକ୍ତିର ଶପଥ (swearing unqualified allegiance) ଆଦାୟ କରି ନେଇଛନ୍ତି । ୧୦୦ ଟଙ୍କିଆ ଷ୍ଟାମ୍ପ୍ ପେପରରେ ସ୍ୱାକ୍ଷରିତ ଏହି ଲିଖିତ ପ୍ରତିଶ୍ରୁତି (undertaking) ଏବେ ସାରା ଦେଶରେ ଗୁଂଜରଣର କାରଣ ହୋଇଛି। ହୁଏତ ତାମିଲନାଡୁର ଆମ୍ମାଙ୍କ ନିର୍ଭର ପ୍ରତିଶ୍ରୁତି ଅପେକ୍ଷା ଅଧୀରଙ୍କ ଏହି ଲିଖିତ ପ୍ରତିଶ୍ରୁତି ଆଦାୟ ଘଟଣା ସାରା ଦେଶରେ ରାଜନୀତିକ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଯିବ। କଂଗ୍ରେସ ବିଧାୟକମାନେ ଲେଖି ଦେଇଛନ୍ତି ଯେ ସେମାନେ ନିଃସର୍ତରେ ସୋନିଆଜୀ ରାହୁଲଜୀଙ୍କ ପ୍ରତି ରାଜଭକ୍ତି ପ୍ରଦର୍ଶନ କରିବେ। ଦଳବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ହେବେ ନାହିଁ। ଯଦି ଦଳ ଛାଡ଼ନ୍ତି, ତେବେ ତୃଣମୂଳ କଂଗ୍ରେସରେ ମିଶିବେ ନାହିଁ। କି ଲୋକହସା କଥା? ଇଏ କ’ଣ ସେଇ ଜାତୀୟ କଂଗ୍ରେସ ଯାହାର ରାଷ୍ଟ୍ରୀୟ ନେତା ଥିଲେ ନେତାଜୀ ସୁଭାଷ?


୪୪ ବିଧାୟକଙ୍କ ସତ୍ୟପାଠରୁ ଆମେ ଓଡ଼ିଶାର ସଚେତନ ନାଗରିକମାନେ ଏୟା ବୁଝିବା ଯେ ଜାତୀୟ କଂଗ୍ରେସ ଆଉ ଭିଡ଼କୁ ନୁହଁ। ସେଠି ଗଣତନ୍ତ୍ର ନାହିଁ କି ବ୍ୟକ୍ତି ସ୍ୱାଧୀନତା ନାହିଁ। ଓଡ଼ିଶାରେ ବିଜୁ ଜନତା ଦଳର ୨୦ ବର୍ଷର କଳା ଶାସନକୁ ଟକ୍କର ଦେବାକୁ କ’ଣ ଏ ଜାତୀୟ କଂଗ୍ରେସ ପାରିବ? ଯଦି ନପାରିବ, ତେବେ ଆମ୍ଭ ମତରେ ବେଳହୁଁ ପାଗ ଭିଡ଼ନ୍ତୁ ଓଡ଼ିଶାର ଛାମୁଆଁ କଂଗ୍ରେସିଆମାନେ। ଗଢ଼ନ୍ତୁ ଆଉ ଏକ କଂଗ୍ରେସ ରାଜ୍ୟସ୍ତରରେ। ମାନେ ନିଚ୍ଛକ ପ୍ରାଦେଶିକ ଦଳ। ଏବେ ପରା ପ୍ରାଦେଶିକ ଦଳର ଫୁଲ୍ ଗ୍ଲାମର ଚାଲିଛି! କଂଗ୍ରେସ ଠାରୁ ଏମିତି ଆଶା କରିବାର ଅର୍ଥ ହେଲା ଓଡ଼ିଶା ଭାଜପା ଜମାରୁ ସଂଗଠନ ପ୍ରତି ଧ୍ୟାନ ନଦେଇ କେବଳ ସୁନେଲି ସ୍ୱପ୍ନରେ ଘୂରି ବୁଲୁଛି। ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ୨୦୧୯ରେ ଯଦି ପୁଣି କ୍ଷମତା ଦଖଲ କରିବ, ସେଥିପାଇଁ ନବୀନଙ୍କ ଭିନ୍ନ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିବା ଦରକାର। ଓଡ଼ିଶାବାସୀ ପୁଣିଥରେ ୯ ଜୁନ୍ ୧୯୮୦ ତାରିଖର ପୂର୍ବସ୍ଥିତିକୁ ଫେରିବାକୁ ଚାହାନ୍ତି ନାହିଁ। ଏହା ଆପଣ ଜାଣନ୍ତି। ସମସ୍ତେ ଜାଣନ୍ତି। ଜାନକୀବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳ ଆରମ୍ଭରୁ ୧୯୮୦ ମସିହାରୁ ଏଯାବତ୍ ଓଡ଼ିଶାରେ ସ୍ଥିର ଶାସନର ପରମ୍ପରା  ଜାରି ରହିଛି। ସତ କଥାଟି ହେଲା ଓଡ଼ିଶାବାସୀ ରାଷ୍ଟ୍ରପତି ଶାସନକୁ ଜମାରୁ ପସନ୍ଦ କରନ୍ତି ନାହିଁ। କାରଣ ୧୯୬୧ (୨୫ ଫେବୃଆରିରୁ ୨୩ ଜୁନ୍), ୧୯୭୧ (୧୧ଜାନୁଆରିରୁ ୩ ଏପ୍ରିଲ), ୧୯୭୩-୭୪ (୩.୩.୭୩ରୁ ୬.୩.୭୪), ୧୯୭୬ (୧୬ରୁ ୨୯ ଡିସେମ୍ବର), ୧୯୭୭ (୩୦ ଏପ୍ରିଲରୁ ୨୬ ଜୁନ୍), ୧୯୮୦ (୧୭ ଫେବୃଆରିରୁ ୯ ଜୁନ୍) ଏହିଭଳି ୬ ଥର ଓଡ଼ିଶା ଭୋଗିଛି ରାଷ୍ଟ୍ରପତି ଶାସନ। ଗଣତନ୍ତ୍ରରେ ରାଷ୍ଟ୍ରପତି ଶାସନକୁ କେହି ପସନ୍ଦ କରନ୍ତି ନାହିଁ। ତେବେ ଏଭଳି ସ୍ଥିର ଶାସନ ଦେବାକୁ ଓଡ଼ିଶାରେ କଂଗ୍ରେସ ଓ ଭାଜପା ପ୍ରସ୍ତୁତ କି? ବିଶେଷଜ୍ଞମାନେ ଏହି ୪୦ ବର୍ଷର ସ୍ଥିର ଶାସନକୁ (୨୦୧୯କୁ ପୂରିବ ୪୦) ନେଇ ବେଶି ଚିନ୍ତିତ।

ଟିଭି ମାଧ୍ୟମ ପ୍ରତି ଓଡ଼ିଶାର ମୁଦ୍ରଣ ମାଧ୍ୟମ ଯେତେ ଆଙ୍ଗୁଠି ଦେଖାଇଲେ ସୁଦ୍ଧା ସେଇ ଟିଭି ମାଧ୍ୟମ ହିଁ ଓଡ଼ିଶାର ଜନମତକୁ ପ୍ରଭାବିତ କରି ଚାଲିଛି। କାରଣ ୫ଟଙ୍କା ଦେଇ ଯିଏ ଦିନକୁ ଖଣ୍ଡେ ଖବରକାଗଜ କିଣି ପାରୁ ନାହିଁ, ସେ ଦିନକୁ ୧୦ଟଙ୍କା ଖର୍ଚ କରି ଟିଭି କେବୁଲରେ ପ୍ରିମିଅମ୍ ପ୍ୟାକ‌୍ ଦେଖୁଛି। ୫ ଛାଡି ୧୦ଟଙ୍କା ଯାଚିଲେ ବି ଯେଉଁ ଜାଗାରେ ଖବରକାଗଜ ପହଞ୍ଚିବାର ପ୍ରଶ୍ନ ଉଠୁନାହିଁ, ସେଠାରେ ପହଞ୍ଚୁଛି ଟିଭି ସିଗନାଲ୍। ଲେଖିପଢ଼ି ଜାଣି ନଥିଲେ ବି ଟିଭିରୁ ଖବର ଓ ଆଲୋଚନା ବୁଝିପାରୁଛନ୍ତି ସମସ୍ତ ଓଡ଼ିଆ ଓ ଅଣଓଡ଼ିଆ ନାଗରିକ। ଏକଦା ଓଡ଼ିଶାରେ ମୁଦ୍ରଣ ମାଧ୍ୟମକୁ ନୂଆ ପରିଭାଷା ଦେଇଥିବା ସୌମ୍ୟରଂଜନ ପଟ୍ଟନାୟକ ଏବେ ଓଡ଼ିଶାବାସୀଙ୍କ ଟିଭି ଦେଖା ରୁଚି ଓ ସଉକକୁ ନୂଆ ପରିଭାଷା ଦେବାକୁ ବଜାରକୁ ଓହ୍ଲାଇଛନ୍ତି। ଓଡ଼ିଆ ଟିଭି ଯେ ଜନମତର ବାହକ, ଏଇ ସ୍ପନ୍ଦନକୁ ଠିକ‌୍ ବୁଝିପାରି ୨୦୧୭ ସୁଦ୍ଧା ଓଡ଼ିଶାର ସବୁ ବ୍ଲକ୍ ମୁଖ୍ୟାଳୟରେ ଇଷ୍ଟର୍ନ ମିଡ଼ିଆ ଡିଜିଟାଲ କେବୁଲ ସଂଯୋଗ ପହଞ୍ଚାଇବାକୁ ପଣ କରିଛନ୍ତି। ଏମିତି ଟିଭି କେବୁଲ ସେବା ଆରମ୍ଭ କରି ଓଡ଼ିଶାର ଏକମାତ୍ର ବୃହତ୍ ଶିଳ୍ପପତିଙ୍କ ବ୍ୟବସାୟ କେବଳ ବଡ଼ ସହରଗୁଡ଼ିକରେ ସୀମିତ ରହିଥିବା ବେଳେ ତାହାକୁ ଏକ ଶୀତଳ ଆହ୍ୱାନ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ତଥା ପୂର୍ବତନ ଭାଜପା ନେତା ସୌମ୍ୟବାବୁ। ଏକଦା ତାମିଲନାଡୁର ଏକ ପରିବାର ଟିଭି କେବୁଲ ବେପାର କରୁ କରୁ ରାଜ୍ୟ ରାଜନୀତିକୁ ନିଜ ହାତମୁଠାରେ ରଖିବା ସହ କେନ୍ଦ୍ର ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଥିଲେ। ସମ୍ଭବତଃ ସେଇ ଗୁଟି ଗଡ଼ାଇବାକୁ ଯାଉଛନ୍ତି ସୌମ୍ୟବାବୁ। ପଡ଼ୋଶୀ ପଶ୍ଚିମବଂଗରେ ଭାରତୀୟ ଗଣତନ୍ତ୍ରକୁ ସତ୍ୟପାଠ କରିବାକୁ ପଡ଼ିଥିବା ବେଳେ ଓଡ଼ିଶାରେ ‘‘ଓଡ଼ିଆରେ ଓଡ଼ିଶା ଶାସନ’’ର ଅଧ୍ୟାଦେଶ ଆଗାମୀ ଦିନରେ ଜନମତକୁ ଭୁଲାଇ ପାରୁଛି କି, ରାଜନୀତି ପଶାପାଲିରେ ନୂଆ ଗୁଟି ଗଡୁଛି, ତାହାକୁ ନାଗରିକ ମହଲ ଟାକି ବସିଛନ୍ତି।

Saturday, May 21, 2016

ସରକାରଙ୍କୁ ବାଧୁନି ଓମ‌୍‌ଫେଡ଼‌୍ ସରମ

ଯେଉଁ ରାଜ୍ୟରେ ଲକ୍ଷ ଲକ୍ଷ ଶିଶୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି, ସେହି ରାଜ୍ୟରେ ହଜାର ହଜାର ଲିଟର ଗୋଦୁଗ୍ଧ ଢାଳି ନଷ୍ଟ କରିବା ଭଳି ଘଟଣା ବାରମ୍ବାର ଘଟିବାରେ ଲାଗିଛି। ୧୨ ମେ ୨୦୧୬, ଗୁରୁବାରର ଘଟଣା ଅନେକ ଦେଶପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ବରଗଡ଼ ସହରର ଗାନ୍ଧୀଛକରେ ଢଳାଯାଇଥିବା କ୍ଷୀରର ଦୃଶ୍ୟ ଏଠାରେ ଦେଖିପାରୁଥିବେ। ଦୁଗ୍ଧଚାଷୀମାନେ OMFEDକୁ ବିକିବାକୁ ଆଣିଥିବା କ୍ଷୀରକୁ ଖରାପ ମାନର କହି OMFEDର କର୍ମଚାରୀମାନେ ଫେରାଇ ଦେବାରୁ ଏଭଳି ହୃଦୟବିଦାରକ ଦୃଶ୍ୟ ସୃଷ୍ଟି ହୋଇଥିଲା। ତେବେ ଏହି ଅସନ୍ତୋଷ ଦିନକର ନୁହଁ। ପ୍ରାୟ ୧୫ ବର୍ଷରୁ ଅଧିକ କାଳ ଧରି ଏହି ସମସ୍ୟା ଲାଗି ରହିଛି। ଅଳ୍ପ ଦିନ ପୂର୍ବରୁ କେନ୍ଦ୍ରାପଡ଼ାର ଦୁଗ୍ଧଚାଷୀମାନେ ରାସ୍ତାରେ କ୍ଷୀରସବୁକୁ  ଢାଳି ଦେଇ ସମାନ ପ୍ରକାର ପ୍ରତିବାଦ ଜଣାଇଥିଲେ। ବଡ଼ ସମସ୍ୟା ହେଲା, ‘ଓମ୍‌ଫେଡ଼୍‌’କୁ ଏକ ବିଶାଳ ସମବାୟ ଶିଳ୍ପରେ ପରିଣତ କରିବାକୁ ଏବେର ରାଜ୍ୟସରକାରଙ୍କର କୌଣସି ଏଜେଣ୍ଡା ନାହିଁ କି ବଜେଟ୍ ମଧ୍ୟ ନାହିଁ। କିନ୍ତୁ ଦୁଗ୍ଧ ସମବାୟରେ ଆଦିବାସୀ ମହିଳା ଙ୍କୁ ସାମିଲ କରିବାକୁ ଅଜବ ଚିନ୍ତା ଢୁକିଥିଲା ‘ଓମ୍‌ଫେଡ଼୍‌’ର ମୁଣ୍ଡିଆଳ ବିଷ୍ଣୁପଦ ସେଠୀଙ୍କ ମୁଣ୍ଡରେ। ତାହାକୁ ପ୍ରତିବାଦ କରି ସେତେବେଳେ ଆମ୍ଭେ ଅନଲାଇନ୍ ସ୍ୱର ଉଠାଇଥିଲୁ ୧୮ ଜୁନ୍ ୨୦୧୫ରେ। ସେଇ ବିଷୟ  ଉପରେ କ୍ଲିକ‌୍ କରି ତାହାକୁ ପଢ଼ନ୍ତୁ।

ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କୁ ବଦଳି କଲା ଭଳି ‘ଓମ୍‌ଫେଡ଼୍‌’ର ମୁଣ୍ଡିଆଳଙ୍କୁ ମଧ୍ୟ ବଦଳି କରୁଛି ଓଡ଼ିଶା ପ୍ରଶାସନ। ଫଳରେ କେବେକେବେ ଅପଦାର୍ଥମାନେ ମଧ୍ୟ ସେଇ ପଦବୀ ସବୁରେ ଜୁଟି ଯାଉଛନ୍ତି। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଆଜୀବନ ଦାୟିତ୍ୱରେ ରଖା ଗଲେ OMFED ଆଜି AMULକୁ ଟପି ସାରନ୍ତାଣି। ୧୯୮୫ ମସିହାରେ ଡ. ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଜନ୍ମ ନେଇଥିଲା ଏହି ବିଶାଳ ଦୁଗ୍ଧ ସମବାୟ ‘ଓମ୍‌ଫେଡ଼୍‌’। ଏହାର ପୂରାନାମ ‘‘ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ଼୍’’ ଏବଂ OMFED ଶବ୍ଦ ଆନୀତ ହୋଇଛି ଏହାର ଇଂଲିଶ୍ ପୂରାନାମ Odisha State Cooperative Milk Producers' Federation Limited ରୁ। ଗତ ୩୧ ବର୍ଷ ମଧ୍ୟରେ ଓଡ଼ିଶାର ଘରେ ଘରେ ‘ଓମ୍‌ଫେଡ଼୍‌’ ହୋଇଯାଇଛି କ୍ଷୀରର ଏକ ପ୍ରତିଶବ୍ଦ। ହେଲେ ‘ଅମୂଲ’ ଭଳି ଗୁଣ୍ଡକ୍ଷୀର ଆକାରେ ପ୍ୟାକେଟରେ ବଜାରକୁ ଆସିପାରିନାହିଁ। ଦୂରଦ୍ରଷ୍ଟା ମୁଣ୍ଡିଆଳ ଡ. ହୃଷିକେଶ ପଣ୍ଡାଙ୍କୁ ରାଜ୍ୟ ପ୍ରଶାସନ ‘ଓମ୍‌ଫେଡ଼୍‌’ରୁ ବିଦା କରିବା ପରଠୁ ଅଧୋଗତି ହେଉଛି ସିନା ଉନ୍ନତିର ନାମଗନ୍ଧ ନାହିଁ।

ଓଡ଼ିଶାର ପରମଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୋଇପାରିବା ପାଇଁ ଜାନକୀବାବୁ ଗଢ଼ିଥିଲେ ଗାଈ କ୍ଷୀରର ଏହି ବିଶାଳ ସମବାୟ କମ୍ପାନୀ। ଅସଲ କଥା ହେଲା ଶ୍ରୀମନ୍ଦିରରେ ଯେଉଁ ଘିଅ ଲାଗି ହୁଏ, ତାହା କେବଳ ଗୁଆଘିଅ। ଅର୍ଥାତ୍ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ। ଓଡ଼ିଶାର ଏକ ସରକାରୀ ସଂସ୍ଥାର ଉତ୍ପାଦ ଯଦି ବଡ଼ଦେଉଳରେ ନଲାଗିବ, ତେବେ ସେ ସଂସ୍ଥା ଓ ତହିଁର ଉତ୍ପାଦନ କେଉଁ କାମକୁ। ଏହି ନହସରେ ସମ୍ଭବତଃ ଗଢ଼ାଯାଇଛି ବିଶ୍ୱର ଏକମାତ୍ର ଦୁଗ୍ଧ ସମବାୟ, ଯାହା କେବଳ ଗାଈ କ୍ଷୀରକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରୁଛି। କିନ୍ତୁ ଏହି ଗର୍ବ ଆମର ଗୌରବରେ ପରିଣତ ହୋଇପାରୁନାହିଁ। କାରଣ ଏହା ଏକ ରପ୍ତାନୀ ଭିତ୍ତିକ ଶିଳ୍ପର ସ୍ଥାନ ନେଇ ପାରି ନାହିଁ।

ଅନେକ କଥା ମୋର କହିବାକୁ ଅଛି। ଆପଣ ବି ଥରେ ଭାବନ୍ତୁ, ଏ ଦେଶ ପାଇଁ ଏ ରାଜ୍ୟ ପାଇଁ ଅନ୍ତତଃ କିଛି ସମୟ ଦିଅନ୍ତୁ। ସ୍ୱର ମିଳାନ୍ତୁ। ନିଶ୍ଚୟ ଏକ ସ୍ୱାଭିମାନୀ ଓ ସଂସ୍କୃତି ସମ୍ପନ୍ନ ଜାତିରେ ପରିଣତ ହୋଇପାରିବା। ‘ଓମ୍‌ଫେଡ଼୍‌’କୁ କେବଳ ସ୍ଲୋଗାନରେ ନୁହେଁ, ବାସ୍ତବରେ ଓଡ଼ିଶାର ଗୌରବରେ ପରିଣତ କରିପାରିବା

ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୪୩୯୮୨୮୧୭୮

Saturday, May 14, 2016

ଗୁରୁପ୍ରିୟା ସେତୁ - କିଛି ସଂକେତ ଓ ସମ୍ଭାବନା

ଗୁରୁପ୍ରିୟା ସେତୁ ଡିଜାଇନ୍‌ରେ ତ୍ରୁଟି: ମାଓବାଦୀ ଉପଦ୍ରୁତ ମାଲକାନଗିରି ଜିଲ୍ଲାର ଦ୍ଵୀପାଞ୍ଚଳବାସୀଙ୍କ ଜୀବନରେଖା କୁହାଯାଉଥିବା ଗୁରୁପ୍ରିୟା ସେତୁର ୪ଟି ପାଇଲ୍‌ ନିର୍ମାଣ ଆରମ୍ଭରୁ ଦୁର୍ବଳ ଥିବା ଏପ୍ରିଲ୍‌ ୨୦୧୬ରେ ଜଣାପଡ଼ିଥିଲା। ୧୨ ମେ ୨୦୧୬ରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ସଭାପତି ପ୍ରଭାତ ଦାଶ ଅଭିଯୋଗ କରିଛନ୍ତି ଯେ ଗୁରୁପ୍ରିୟା ସେତୁ ଡିଜାଇନ୍‌ରେ ଗୁରୁତର ତ୍ରୁଟି ରହିଛି। ତାଙ୍କର ଯୁକ୍ତି ହେଉଛି, ଜଳଭଣ୍ଡାରର ଜଳଧାରଣ କ୍ଷମତା ଏବଂ ଏହାର ଜଳସଂରକ୍ଷଣ ବ୍ୟବସ୍ଥା ଉପରେ କୌଣସି ଆଞ୍ଚ ନଆଣି ଗୁରୁପ୍ରିୟା ସେତୁ ନିର୍ମାଣ କରାଯିବା ଉଚିତ। ପୂର୍ବରୁ ଯେଉଁମାନେ ଗୁରୁପ୍ରିୟା ସେତୁ ପାଇଁ ଟେଣ୍ଡର ପକାଇଥିଲେ, ସେମାନେ ଏହି ବ୍ୟବସ୍ଥାକୁ ଆଖି ଆଗରେ ରଖିକି ଦେଇଥିଲେ। ଏବେ କୋଲକାତାର ରୟାଲ କମ୍ପାନିକୁ ଏହି କାମ ଦିଆଯାଇଛି। କିନ୍ତୁ ଏହି କମ୍ପାନି ଯେଉଁ ପଦ୍ଧତିରେ ସେତୁ ନିର୍ମାଣ କରୁଛି, ତାହା ଜଳଭଣ୍ଡାରର ଅଶେଷ କ୍ଷତି ଘଟାଉଛି। କାରଣ ଏବେ ଜଳଭଣ୍ଡାରକୁ ଦୁଇ ପାଖରୁ ପୋତା ଚାଲିଛି। କେବଳ ମଝିରେ ମାତ୍ର ୧୫୦ ମିଟର ଛାଡ଼ି ଦିଆଯାଇଛି। ପ୍ରଶ୍ନ ଉଠୁଛି, ଜଳଭଣ୍ଡାର ପ୍ରାୟ ୮୦୦ ମିଟର ବା ତାହା ଠାରୁ ଅଧିକ ଅଂଶ ମାଟିରେ ପୋତି ଦିଆଯିବା କେଉଁ ଇଂଜିନିୟରିଂ ବ୍ୟବସ୍ଥାର ନିୟମ? ଏପରି ପୋତାଯିବାକୁ ଅନୁମତି ଦିଆଗଲା କିପରି? ପୋତା ହୋଇଥିବା ମାଟି ଜଳଭଣ୍ଡାରରୁ କିପରି ନିଷ୍କାସିତ ହେବ? ତାହାର କୌଣସି ଯୋଜନା ହୋଇଛି କି? ଯଦି ଜଳଭଣ୍ଡାର ପୋତି ଦିଆଯିବା ଦ୍ଵାରା କୌଣସି ସମସ୍ୟା ହେଉ ନାହିଁ, ତେବେ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଇ ତାହା ସୃଷ୍ଟି କରାଯାଉଥିଲା କାହିଁକି?

ସ୍ଥାନୀୟ ଅଧିବାସୀଙ୍କ ବହୁ ସ୍ଵାର୍ଥ ତ୍ୟାଗ ପରେ ଏକ ପୂର୍ଣାଙ୍ଗ ଜଳଭଣ୍ଡାର ଠିଆ ହୋଇଛି। କିନ୍ତୁ ଏବେ ସରକାରୀ କଳ, ପ୍ରାଶାସନିକ ଅଧିକାରୀଙ୍କ ଅଦୂରଦର୍ଶିତା, ନୀଚ ମନୋଭାବ ଓ ଭୟଙ୍କର ଦୁର୍ନୀତିର ଫଳ ସ୍ଵରୂପ ଏହି ଜଳଭଣ୍ଡାର ପୋତା ଚାଲିଛି। ଗୁରୁପ୍ରିୟା ସେତୁର ମୂଳଦୁଆ ପାଇଲ୍‌ ଖମ୍ବ ଉପରେ ରହିବ। ଇଂଜିନିୟରିଂ ଡିଜାଇନ୍‌ ଅନୁଯାୟୀ ଯେଉଁଠି ଜଳଭଣ୍ଡାର ମଧ୍ୟରେ ପାଇଲ୍‌ କରାଯାଏ, ସେତେବେଳେ ମୋଟ ପାଇଲ୍‌ର ଏକ ତୃତୀୟାଂଶ ଦୃଢ଼ ସ୍ତର ମଧ୍ୟରେ ରହିବା କଥା। ଗୁରୁପ୍ରିୟା ସେତୁ ନିର୍ମାଣ ସ୍ଥଳରେ ଜଳଭଣ୍ଡାରର ଗଭୀରତା ପ୍ରାୟ ୧୬ ମିଟର। ସେତୁର ସ୍ଲାବ୍‌ ଯଦି ଆଉ ୧୦ କି ୧୨ ମିଟର ଉପରକୁ ରହେ, ତେବେ ପାଇଲର ଲମ୍ବ ଦୃଢ଼ସ୍ତର ଠାରୁ ଉପର ପର୍ଯ୍ୟନ୍ତ ହେଲା ୨୮ ମିଟର। ତେଣୁ ପାଇଲ୍‌ ଦୃଢ଼ ସ୍ତର ଭିତରେ  ଅତି କମ୍‌ରେ ୯.୩ ମିଟର ରହିବା କଥା। ଗୁରୁପ୍ରିୟା ସେତୁର ମୋଟ ପାଇଲ୍‌ ଲମ୍ବ ହେଉଛି ୩୨ ମିଟର। ତେଣୁ ଇଂଜିନିୟରିଂ ନିୟମ ଅନୁସାରେ ଅତି କମ୍‌ରେ ୧୦.୬ ମିଟର ଦୃଢ଼ ସ୍ତର ଭିତରେ ରହିବା କଥା। କିନ୍ତୁ ଜଣାପଡ଼ିଛି ଯେ ପାଇଲ୍‌ଗୁଡ଼ିକ ମାତ୍ର ୩ ମିଟର ଦୃଢ଼ ସ୍ତମ୍ଭ ଭିତରେ ରଖାଯାଇଛି। ଠକାମି ସେତିକିରେ ଅଟକି ନାହିଁ। ଶୁଣାଯାଉଛି ଯେ ଉଭୟ କୁଳ ପାଖରୁ ଦୀର୍ଘ ୪୦୦ ମିଟର ଲମ୍ବର ମାଟି ପୋତାଯାଇଛି ଏବଂ ପାଇଲ୍‌ଗୁଡ଼ିକର ଲମ୍ବ ବା ମୂଳ ସେହି ପୋତା ହୋଇଥିବା ମାଟି ଭିତରେ ହିଁ ସୀମିତ ରହିଛି। ଏହା ଆଦୌ ଦୃଢ଼ସ୍ତର ବା ପାଣି ତଳେ ଥିବା ମାଟିର ପଥର ଭିତରକୁ ଯାଇ ନାହିଁ। କାରଣ ଯେଉଁ ମେସିନ୍‌ ଦ୍ଵାରା ମାଟି ଉପରେ ପାଇଲ୍‌ ପକାଯାଉଛି, ତାହା ପୁରୁଣାକାଳିଆ। ସେହି ମେସିନ୍‌ ମାଧ୍ୟମରେ ପଥର କାଟିବା ଆଦୌ ସମ୍ଭବ ନୁହେଁ।

କାହା ଚାପରେ ସରକାର, ରୟାଲ କମ୍ପାନି କରୁଥିବା ସବୁ ଭୁଲ୍‌ ଓ ବେନିୟମ କାର୍ଯ୍ୟକୁ ବରଦାସ୍ତ କରୁଛନ୍ତି? କିଛି ବଡ଼ ଧରଣର କ୍ଷତି ହେବା ପୂର୍ବରୁ ଗୁରୁପ୍ରିୟା ସେତୁ ଉପରେ ସରକାର ଏକ ବୃହତ୍ତର ବିତର୍କ କରନ୍ତୁ।

୧୩ ମେ ୨୦୧୬ରେ ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ଉପରୋକ୍ତ ପ୍ରସଙ୍ଗର ବହୁ ପୂର୍ବରୁ ଆମ୍ଭେ ୨୧ ଜାନୁଆରି ୨୦୧୬ରେ ମତ ରଖିସାରିଛୁ, ଯାହାର ଶିରୋନାମ ସେତୁ ବନାମ ଶ୍ରୀମନ୍ଦିର! ଏହି ଶିରୋନାମା ଉପରେ କ୍ଲିକ୍‌ କରି  ପଢ଼ିଲେ ଜାଣିବେ, ଓଡ଼ିଶା ପାଇଁ କେଉଁ ସେତୁ କେତେ ଗୁରୁତ୍ଵପୂର୍ଣ। ସେହିଭଳି ୨୭ ଫେବ୍ରୁଆରି ୨୦୧୬ରେ ଆମ୍ଭେ ଲେଖିଥିଲୁ କେବେ ବଦଳିବ ଦ୍ଵୀପାଞ୍ଚଳବାସୀଙ୍କ ଭାଗ୍ୟ? ଏହି ଶିରୋନାମା ଉପରେ କ୍ଲିକ୍‌ କରି ଆପଣ ପଢ଼ିଲେ ଜାଣିବେ ଯେ କିପରି ସରକାର ବ୍ଲକ୍‌ ପୁନର୍ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରି ସୁଦ୍ଧା ତାହାକୁ ପୁଣି ଚାପି ଦେବାକୁ ବସିଛନ୍ତି। 

ସଂପୂର୍ଣ ମନ୍ତବ୍ୟ ତଳେ:
(୧) ମାଲକାନଗିରି ଜିଲ୍ଲାର ସେହି ଦ୍ଵୀପାଞ୍ଚଳର ୩୦ହଜାରରୁ ଅଧିକ ଲୋକସଂ୍ୟା ବିଶିଷ୍ଟ ସେହି ୭ଟି ଗ୍ରାମପଞ୍ଚାୟତ ଓ ୧୫୨ଟି ରାଜସ୍ଵଗ୍ରାମକୁ ନେଇ ଏକ ନୂଆ ବ୍ଲକ୍‌ ଘୋଷଣା କରାଯିବା ବିଧେୟ। ମୟୂରଭଂଜ ଜିଲ୍ଲାରେ ଏତେ କୁନି କୁନି ବ୍ଲକ୍‌ ଗଢ଼ିଥିଲେ ଡ. ହରେକୃଷ୍ଣ ମହତାବ ୬୦ ଦଶକରେ। ଉଦ୍ଦେଶ୍ୟ ଥିଲା ଦ୍ରୁତ ବିକାଶ ଓ ବିଶେଷ ଭାବେ ଧ୍ୟାନଦେଇପାରିବାର ସୁଯୋଗ। ଏବେ ପଞ୍ଚାୟତ ପୁନର୍ଗଠନ ପାଇଁ ବ୍ୟାକୁଳ ହେଉଥିବା ରାଜ୍ୟ ସରକାର ନୂଆକରି ପଣସପୁଟ ବ୍ଲକ୍‌ ଗଢ଼ିବାରେ ଅସୁବିଧା କେଉଁଠି? ଅନ୍ୟ ପକ୍ଷରେ ଶାସକ ଦଳ ଯଦି ୨୦୧୭ ପଞ୍ଚାୟତ ନିର୍ବାଚନର ଭୋଟ୍‌ ହାତେଇବାକୁ ଚାହୁଁଛି, ନୂଆ ବ୍ଲକ୍‌ ଗଠନ କରିବା ନିହାତି ଦରକାର। ଏହା ଫଳରେ ମୂଳ ଭୂଖଣ୍ଡ ଉପରେ ନିର୍ଭରଶୀଳତା କମିବା ସହ ସେତୁ ଉପରେ ମଧ୍ୟ ନିର୍ଭରଶୀଳତା କମିବ। ଅନ୍ୟ ପକ୍ଷରେ ରାଜ୍ୟରେ ବ୍ଲକ୍‌ ସଂଖ୍ୟା ୩୧୫ ହେଲେ, ତାହା ଶୁଭ ଅଙ୍କ ୫ର ଗୁଣିତକ ହେବ। ଯାହାକି ରାଜ୍ୟର ଭାଗ୍ୟଫଳ ଉପରେ ସୁପ୍ରଭାବ ପକାଇବ।

(୨) ଜଳଭଣ୍ଡାର ମଧ୍ୟରେ ମାମୁଲି ଜ୍ଞାନକୌଶଳ ସମ୍ପନ୍ନ ସେତୁ ନିର୍ମାଣର ଧୃଷ୍ଟତା ନକରି ତାହାକୁ ବୋଟ୍‌ ଚଳାଚଳର ଦୁଇଟି ଘାଟରେ ପରିଣତ କରିବା ଅଧିକ ପ୍ରାସଙ୍ଗିକ ୋଧ ହେଉଛି। ଫଳରେ ଏହି ସେତୁ ଭବିଷ୍ୟତରେ କୌଣସି ପ୍ରତିବନ୍ଧକ ୋଇ ଠିଆ ହେବ ନାହିଁ। 

(୩) ଯଦି ସେତୁ ନିର୍ମାଣ ଜରୁରୀ ହେଉଥାଏ, ତେବେ ତାହା ହାଓଡ଼ା ବ୍ରିଜ୍‌ (ବିଦ୍ୟାସାଗର ସେତୁ) ଶୈଳୀରେ ହେବା ଆବଶ୍ୟକ। ମୂଳ ହାଓଡ଼ା ବ୍ରିଜ‌୍ (ରବୀନ୍ଦ୍ର ସେତୁ)କୁ ବନାଇଥିଲେ ବ୍ରିଟିଶ ଇଂଜିନିୟରଗଣ। କିନ୍ତୁ ସ୍ଵାଧୀନ ଭାରତରେ ତଥା ଗତ ଶତାବ୍ଦୀର ଶେଷ ଦଶକରେ ସେହି କୋଲକାତାର ହୁଗୁଳି ନଦୀ (ଗଂଗା ନଦୀର ଶାଖା) ଉପରେ ସମାନ ଶୈଳୀରେ ନିର୍ମିତ ହୋଇ ସାରିଥିବା ବିଦ୍ୟାସାଗର ସେତୁର ଅନୁକରଣ କରି ଅବଶିଷ୍ଟ ୧୫୦ ମିଟର ଜଳ ଉପରେ ସେତୁର ନିର୍ମାଣକୁ ଏକ ଦର୍ଶନୀୟ ରୂପ ଦିଆଯାଇପାରିବ। ଯାହା ଫଳରେ ମାଲକାନଗିରି ଜିଲ୍ଲା କେବଳ ଏକାଧିକ ରାଜ୍ୟର ବିଜୁଳି ଉତ୍ପାଦନକାରୀ ହୋଇ ରହିବ ନାହିଁ, ବରଂ ଗୁରୁପ୍ରିୟା ସେତୁ ପାଇଁ ଏକ ଦର୍ଶନୀୟ ସ୍ଥାନରେ ପରିଣତ ହୋଇପାରିବ

ଏବେ ବି ସମୟ ଅଛି ଏହି ବିକଳ୍ପଗୁଡ଼ିକୁ ଏକ ସଙ୍ଗେ ବା ଯୋଡ଼ାୱାରୀ ପ୍ରୟୋଗ କରି ରାଜ୍ୟର ଭାଗ୍ୟ ବଦଳାଯାଇପାରିବ। କାରଣ ଅପନ୍ତରା କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ସବୁ ଗାଆଁକୁ ସବୁଦିନିଆ(ସବୁ ଋତୁରେ) ସଂଯୋଗ ସଡ଼କ ନିର୍ମିତ ହୋଇସାରିଥିବା ବେଳେ ରାଜ୍ୟକୁ ଆଲୋକିତ କରୁଥିବା ଗୋଟିଏ ଜିଲ୍ଲା କାହିଁକି ଆଢୁଆଳରେ ଓ ଅନ୍ଧାରରେ ରହିବ?

ବିମଳ ପ୍ରସାଦ, ଭୁବନେଶ୍ଵର

Thursday, May 12, 2016

ଅଲାଜୁକ ବିଶ୍ଵବିଦ୍ୟାଳୟ କର୍ତୃପକ୍ଷଙ୍କ ଅଫ୍‌ଲାଇନ୍‌ ପ୍ରୀତି

୩ ମେ ୨୦୧୬, ମଙ୍ଗଳବାର ହ୍ୟାକ୍‌ ହେଲା www.utkaluniversity.ac.in ଏବଂ ୯ ମେ ୨୦୧୬, ସୋମବାର ହ୍ୟାକ୍‌ ହେଲା ଇ-ନାମଲେଖା ୱେବ୍‌ସାଇଟ୍‌। କିନ୍ତୁ ଏ ବ୍ୟବସ୍ଥାକୁ ତୁରନ୍ତ ସଜାଡ଼ିବା ପରିବର୍ତ୍ତେ ଅଫ୍‌ଲାଇନ୍‌ରେ ନାମଲେଖା ହେବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଦେଲେ। ୪ ବର୍ଷ ଧରି ଚାଲିଥିଲା ଅନ୍‌ଲାଇନ୍‌ ନାମଲେଖା ବ୍ୟବସ୍ଥା। ଏକ ସ୍ଵଚ୍ଛ ବ୍ୟବସ୍ଥା। ଯେଉଁଠି ଜଣେ ଯୋଗ୍ୟ ବିଦ୍ୟାର୍ଥୀ କେବଳ ଗୋଟିଏ ମହାବିଦ୍ୟାଳୟରେ ନାମଲେଖାଇ ପାରୁଥିଲା। କିନ୍ତୁ ଏବେ ଅଫ୍‌ଲାଇନ୍‌ ନାମଲେଖା ବ୍ୟବସ୍ଥା ଦ୍ଵାରା ଜଣେ ବିଦ୍ୟାର୍ଥୀ ୩ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ବନିପାରିବ। ଦୁର୍ନୀତି ହୋଇପାରିବ ଏବଂ କିରାଣି, ଚପରାଶି ସମେତ ଅଧ୍ୟାପକ, ଅଧ୍ୟକ୍ଷଙ୍କର ପକେଟ୍‌ ଗରମ ହୋଇପାରିବ। ଅର୍ଥାତ୍‌ ବିଜୁଳିବତୀ ଯୁଗରୁ ପୁଣି ଫେରିଯିବୁ ଲଣ୍ଠନ ଯୁଗକୁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସ୍ନାତକୋତ୍ତର ପରିଷଦ (ପିଜି କାଉନସିଲ) ଅଧ୍ୟକ୍ଷ ପ୍ରଫେସର ରଂଜନ କୁମାର ବଳ, ପରିଷଦ ବୈଠକରେ କହିଛନ୍ତି, ‘‘ଇ-ନାମଲେଖା ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇନାହିଁ। ୯ ମେ ୨୦୧୬ ସୋମବାର ଦିନ ୩ଟା ୩୯ରେ ହ୍ୟାକରମାନେ ହ୍ୟାକ୍‌ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିବା ପରେ ଇ-ନାମଲେଖା ୱେବ୍‌ସାଇଟ୍‌କୁ ବନ୍ଦ କରି ଦେଇଛୁ। ଏ ନେଇ କ୍ରାଇମ୍‌ ବ୍ରାଞ୍ଚକୁ ଜଣାଇଛୁ। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ କୌଣସି ତଥ୍ୟ ନଷ୍ଟ ହୋଇ ନାହିଁ। ସବୁ ସୁରକ୍ଷିତ ଅଛି। ଏବେ ସୁଦ୍ଧା ୧୩,୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।’’

ଏଥିରୁ ଜଣାପଡ଼ୁଛି ଯେ ପୁଣି ଅଫ୍‌ଲାଇନ୍‌ ନାମଲେଖା କରାଇବା ପଛରେ କିଛି ଅଭିସନ୍ଧି ରହିଛି। ହ୍ୟାକିଂ କେବଳ ଏକ ନାଟକ। କିନ୍ତୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୂରାଇଛନ୍ତି। ଏହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଅସଲ କଥା ହେଲା, ଏହା ଏକ ସରକାରୀ ବିଶ୍ଵବିଦ୍ୟାଳୟ ହୋଇଥିବାରୁ ଏହାର ୱେବ୍‌ସାଇଟ୍‌ର ସିକ୍ୟୁରିଟି ଅଡ଼ିଟ୍‌ ହେବା ନିଶ୍ଚିତ। କିନ୍ତୁ ସିକ୍ୟୁରିଟି ଅଡ଼ିଟ୍‌ରେ ଦେଢ଼ ଲକ୍ଷ ବା ଦୁଇଲକ୍ଷ ଟଙ୍କା ଖର୍ଚ ନକରି ଏବେ ସାରା ବିଶ୍ଵବିଦ୍ୟାଳୟ ତଥା ରାଜ୍ୟକୁ ନିନ୍ଦିତ କରିବାର ଉଦ୍ୟମ ଆରମ୍ଭ ହୋଇଛି। ଇ-ନାମଲେଖା ସାଇଟ୍‌ର କାର୍ଯ୍ୟ କରିଥିବା ଏକ ଘରୋଇ କମ୍ପାନୀ ପ୍ରାୟ ୪ଲକ୍ଷ ଟଙ୍କା ପ୍ରାପ୍ୟର ୮୦ ଭାଗ ନେଇସାରିଥିବା ବେଳେ ଏଭଳି ପରିସ୍ଥିତି କାହିଁକି ଉପୁଜିଲା ତାହା ଉପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କିଛି କହୁନାହାନ୍ତି। ତେବେ ‘‘ଅଫ୍‌ଲାଇନ୍‌ ନାମଲେଖା’’ ରୂପକ ଗୋଳିଆପାଣିକୁ ୧୧ ମେ ୨୦୧୬ରେ ‘‘ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ’’ (ABVP) ନିନ୍ଦା କରିଛି। ଏବିଭିପିର ବାଣୀବିହାର ନଗର ସଂଯୋଜକ ପ୍ରଭୁଦତ୍ତ ସାମଲ ହତା ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅଫ୍‌ଲାଇନ୍‌ ନାମଲେଖାକୁ ବିରୋଧ କରିଛନ୍ତି।

ଅନ୍‌ଲାଇନ୍‌ରେ ନାମଲେଖାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ବିଫଳ ହୁଅନ୍ତି, ତେବେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅପଦସ୍ଥ ହେବା ସହ ବିଶ୍ଵବିଦ୍ୟାଳୟ ଉପରେ ବିଦ୍ୟାର୍ଥୀମାନଙ୍କ କ୍ରୋଧ ବହୁଗୁଣିତ ହୋଇଯିବ। ଏପଟେ ଦେଶର ଶ୍ରେଷ୍ଠ ୧୦୦ ବିଶ୍ଵବିଦ୍ୟାଳୟ ଭିତରେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ଥାନ ନପାଇବାରୁ ଅଭିଭାବକ, ଜନତା ତଥା ଛାତ୍ର ତାତିକି ଥିବା ବେଳେ ଅଫ୍‌ଲାଇନ୍‌ ନାମଲେଖାକୁ ପୁଣି ପ୍ରଶ୍ରୟ ଦେବାର ମସୁଧା କରି ରାଜ୍ୟରେ ଏକ ବିଶାଳ ଛାତ୍ର ଆନ୍ଦୋଳନକୁ ହୁଇସିଲ୍‌ ମାରି ଡାକିବା ଭଳି କଥା ହୋଇଛି।

ଜଣାପଡ଼ିଛି ଯେ ଉତ୍କଳ ବିଶ୍ଵବିଦ୍ୟାଳୟ ନାମଲେଖା ଡୋମେନ୍‌ର SSL (Security Socket Layer) ସାର୍ଟିଫିକେଟ୍‌ ନଥିଲା। ଯାହା ଫଳରେ ଏହାର ହ୍ୟାକିଂର ଆଶଙ୍କା ଉପୁଜିଥିଲା। ସେ ଯାହାବି ହେଉ, କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତାର ଶିକାର ମେଧାବୀ ବିଦ୍ୟାର୍ଥୀମାନେ ନହୁଅନ୍ତୁ।

ଖୁସୀର କଥା ଯେ ୫ ବର୍ଷ ଧରି ଚାଲିଥିବା +୨ ଶ୍ରେଣୀଗୁଡ଼ିକର ଇ-ନାମଲେଖା ୱେବ୍‌ସାଇଟ୍‌ର ରକ୍ଷଣାବେକ୍ଷଣ କରୁଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ଘରୋଇ କମ୍ପାନୀ CSM Technologies ଅଧିକ ସତର୍କତା ଅବଲମ୍ବନ କରିଛି। ଏପରିକି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହବନ୍ଧିତ କନିଷ୍ଠ ମହାବିଦ୍ୟାଳୟଗୁଡ଼ିକରେ ନିର୍ବିଘ୍ନରେ ଇ-ନାମଲେଖା ହୋଇପାରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି।

ଚଳିତ ବର୍ଷ, ଗତ ଶିକ୍ଷା ବର୍ଷର ଚୂଡ଼ାନ୍ତ ପରୀକ୍ଷାଫଳଗୁଡ଼ିକୁ ଏପ୍ରିଲ ମାସରେ ପ୍ରକାଶ କରି ଉତ୍କଳ ବିଶ୍ଵବିଦ୍ୟାଳୟ ସାରା ଦେଶରେ ଏକ ରେକର୍ଡ଼ କରିଥିଲେ ସୁଦ୍ଧା ସଂପ୍ରତି ଅଫ୍‌ଲାଇନ୍‌ ନାମଲେଖାକୁ ସୁଯୋଗ ଦେଲେ, ତାହା ନିଶ୍ଚିତ ରୂପେ ଏହାର NAAC ମାନ୍ୟତାକୁ ପ୍ରଭାବିତ କରିବ। ତେଣୁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବିଶ୍ଵବିଦ୍ୟାଳୟ ପରିଚାଳନାର ଦାୟିତ୍ଵ ଓ ନେତୃତ୍ଵ ଦିଆଯିବାର ଜରୁରୀ ଆବଶ୍ୟକତା ଦେଖା ଦେଇଛି। ନଚେତ୍‌ ରାଜ୍ୟର ସ୍ଵାଭିମାନ ଓ ସମ୍ମାନ ପ୍ରତି ଅଧିକ ବିପଦ ମାଡ଼ି ଆସିବ।

Wednesday, May 11, 2016

କାହାପାଇଁ ଖାଦ୍ୟ ଆୟୋଗ

୮ ମେ ୨୦୧୬, ସୋମବାର ଘୋଷିତ ହେଲା ଓଡ଼ିଶାର ପ୍ରଥମ ଖାଦ୍ୟ ଆୟୋଗ (Odisha Food Commission)ର ଅଧ୍ୟକ୍ଷ ଓ ୨ଜଣ ସଦସ୍ୟଙ୍କ ନାମ। ସରକାରୀ ବିଜ୍ଞପ୍ତିକୁ ଉଦ୍ଧାର କରି ଗଣମାଧ୍ୟମ ପ୍ରକାଶ/ପ୍ରସାର କଲା ଯେ ଏହି ଆୟୋଗର ଅଧ୍ୟକ୍ଷ ପାଇବେ ମୁଖ୍ୟଶାସନ ସଚିବ (Chief Secretary) ପାହ୍ୟାର ମର୍ଯ୍ୟାଦା ଏବଂ ଦୁଇ ଜଣ ସଦସ୍ୟ ପାଇବେ ପ୍ରମୁଖ ସଚିବ (Principal Secretary) ପାହ୍ୟାର ମର୍ଯ୍ୟାଦା। ମର୍ଯ୍ୟାଦା ଅର୍ଥ ସମାନପ୍ରକାର ଦରମା, ଭତ୍ତା ଓ ବିପୁଳ ସୁବିଧାସୁଯୋଗର ରାଜସୁଖ। ଅସଲ କଥାଟି ହେଲା, ସରକାରଙ୍କ ଠାରୁ ତିନିଜଣଯାକ କ’ଣ ପାଇବେ, ତାହା ଗଣମାଧ୍ୟମ କହିଲା। କିନ୍ତୁ ଗଣ ବା ଜନତା ସେହି ତିନି ଜଣଙ୍କ ଠାରୁ କ’ଣ ପାଇବେ, ତାହା କୌଣସି ଗଣମାଧ୍ୟମ କହିଲେ ନାହିଁ। 

ଓଡ଼ିଶାରେ ପ୍ରଥମ କରି ଖାଦ୍ୟ ଆୟୋଗ ଗଢ଼ା ହେଲା, ଅଥଚ କୌଣସି ଗଣମାଧ୍ୟମ ସ୍ଵତନ୍ତ୍ର ପୃଷ୍ଠା, ସ୍ଵତନ୍ତ୍ର ଆଲ୍ଲେଖ୍ୟ ଅବା ସଂପାଦକୀୟ ଲେଖ ଅବା ଅଧାଘଣ୍ଟିଆ ଅବା ଘଣ୍ଟାକିଆ ଆଲୋଚନା ପ୍ରସାର କରି ନାହାନ୍ତି। ବୋଧହୁଏ ଓଡ଼ିଶା ଗଣମାଧ୍ୟମ ଜାଣେ ଯେ ଏଭଳି ଖାଦ୍ୟ ଆୟୋଗ ଦ୍ଵାରା ରାଜ୍ୟବାସୀଙ୍କର କୌଣସି ଉପକାର ହେବ ନାହିଁ। ତେଣୁ ସ୍ଵତନ୍ତ୍ର ଧ୍ୟାନ ଦେଲେ କେତେ ନଦେଲେ କେତେ?

ଅନ୍ୟ ପକ୍ଷରେ ବିଜ୍ଞାପନରେ ଯେତେ ବଡ଼ ବଡ଼ ସର୍ତ ସବୁ ବାହାରିଥିଲା, ସେଗୁଡ଼ିକ ଫୁ ହୋଇଗଲା। ଶେଷକୁ ସେଇ ଅବସରପ୍ରାପ୍ତ ଚାକିରିଆଙ୍କୁ ପୋଷା ହେଲା। ପ୍ରଫେସର ସିପ୍ରା ମଲ୍ଲିକ କେବଳ ଏକ ବ୍ୟତିକ୍ରମ। ପ୍ରଥମତଃ ତାଙ୍କର ଅବସର ବୟସ ହୋଇନାହିଁ, ଦ୍ଵିତୀୟତଃ ସେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା, ତୃତୀୟତଃ ସେ ଅନୁସୂଚିତ ଜାତିର ଏବଂ ଚତୁର୍ଥତଃ ଅଧ୍ୟାପନାର ଦୀର୍ଘକାଳର ଅଭିଜ୍ଞତା ରହିଛି। ତେବେ ଅବସରପ୍ରାପ୍ତ ଚାକିରିଆଙ୍କୁ ପୁଣି ଚାକିରିରେ ଥଇଥାନର ଅର୍ଥ କ’ଣ? ଅବସର ବା Retirementର ସଂଜ୍ଞା କ’ଣ? ଜଣେ ଚାକିରିଆ ପ୍ରାୟତଃ ୬୦ ବର୍ଷ ବୟସ ପରେ ଉଭୟ ଶାରୀରିକ ଓ ମାନସିକ ଭାବରେ ଅଧିକ କର୍ତବ୍ୟ କରିବାକୁ ଅସମର୍ଥ ହୋଇଥାଆନ୍ତି ବୋଲି ଆମ ଦେଶରେ ଅବସରଗ୍ରହଣର ବୟସ ୬୦ ଧାର୍ଯ୍ୟ କରାଯାଇଛି। ତଥାପି ଦୁଇଜଣ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ପୁଣି ଥଇଥାନ କରିବାର ଉଦ୍ଦେଶ୍ୟ ବୋଧହୁଏ ସେୟା, ଯାହା ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷଙ୍କ ଠାରୁ ୨୦୧୬ ଏପ୍ରିଲ ୨୮ ତାରିଖରେ ରାଜ୍ୟବାସୀ ପାଇଛନ୍ତି।

ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଜଣେ ପୂର୍ବତନ ପ୍ରଶାସକ (IAS) ଏବଂ ଅନୁସୂଚିତ ଜନଜାତି ବର୍ଗର। କିନ୍ତୁ ସେ କ’ଣ ଜନଜାତିମାନଙ୍କ ଖାଦ୍ୟ ଜଡ଼ିତ ସ୍ଵାର୍ଥକୁ ସୁରକ୍ଷା ଦେଇପାରିବେ? ଜନଜାତିମାନଙ୍କ ବିକାଶ ଓ ସ୍ଵାର୍ଥ ପାଇଁ ଆଜିସୁଦ୍ଧା କୌଣସି ଜନଜାତି ନେତା କାର୍ଯ୍ୟ କରି ନାହାନ୍ତି। ଏହା ଇତିହାସରେ ବହୁବାର ପ୍ରମାଣିତ। ଜନଜାତିବହୁଳ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଜନଜାତି ମୁଖ୍ୟମନ୍ତ୍ରୀମାନେ ବାରମ୍ବାର ବିଫଳ ହେବା ପରେ ଶେଷରେ ଜଣେ ଅଣ-ଜନଜାତି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ରାଜ୍ୟ ଚାଲିଛି। ସଂପ୍ରତି ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ପାଇଁ ଯେତେ ବ୍ୟକ୍ତି ସ୍ଵର ଉଠାଉଛନ୍ତି, ଲେଖୁଛନ୍ତି, ନେତୃତ୍ଵ ନେଉଛନ୍ତି, ସମସ୍ତେ ଅଣଜନଜାତି ବର୍ଗର। ପ୍ରଖ୍ୟାତ ମନୋବିଜ୍ଞାନୀ ଚିତ୍ତରଂଜନ ଦାସଙ୍କ ଭାଷାରେ ଜନଜାତି ବର୍ଗର ରୋଜଗାରିଆ ବା ଚାକିରିଆମାନେ ଜଣେ ଜଣେ ଦିକୁ। ସାନ୍ତାଳୀ ଶବ୍ଦ ‘ଦିକୁ’ ଅର୍ଥ ସାହେବ। ପ୍ରତ୍ୟେକ ଦିକୁ ନିଜ ଜାତିର ଲୋକମାନଙ୍କ ଠାରୁ ଦୂରେଇଯିବାରେ ଆନନ୍ଦ ପାଏ ଏବଂ ତାହାକୁ ଜୀବନର ସଫଳତା ମଣେ। ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ମଧ୍ୟ ସେଥିରୁ ଭିନ୍ନ ନୁହନ୍ତି।

ଖାଦ୍ୟ ଆୟୋଗ ଏକ ଅପିଲେଟ୍‌ କର୍ତ୍ତୃପକ୍ଷ। ଏହା ବ୍ୟତୀତ ବିଭିନ୍ନ ପ୍ରାସଙ୍ଗିକ ମୁଦ୍ଦାରେ ସ୍ଵତଃପ୍ରବୃତ୍ତ (Proactive) ମୁଣ୍ଡ ପୂରାଇବା ଏବଂ ଆଦେଶନାମା (Order) ଜାରି କରିବା କ୍ଷମତା ଏହି ଆୟୋଗର ରହିଛି। କିନ୍ତୁ ଏହି କ୍ଷମତାଗୁଡ଼ିକର କସରତ ଆୟୋଗ କରିବ ନାହିଁ। କାରଣ ସେପରି କଲେ ସରକାର ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସରକାରଙ୍କୁ ସୁରକ୍ଷା ଦେବାକୁ ଆୟୋଗ ଜଗି ରହିବ। ତେବେ ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ବା ନିର୍ଦିଷ୍ଟ ଭାବରେ ଖାଦ୍ୟ ଅଧିକାର ପାଇଁ କାମ କରୁଥିବା ହଜାର ହଜାର ସମାଜକର୍ମୀଙ୍କ ଟାର୍ଗେଟ୍‌ରୁ ଖସି ଯାଇପାରିବେ ନାହିଁ। ଗୀତାରେ କୁହାଯାଇଛି, ‘‘ଯାହା ହେଉଛି, ଭଲ ହେଉଛି।’’ କାରଣ ସରକାର ଯେଉଁ ମାପକାଠିରେ ଶ୍ରୀ ଜାମୁଡ଼ାଙ୍କୁ ଅଧ୍ୟକ୍ଷ କରିଥାଆନ୍ତୁ ନା କାହିଁକି, ଏବେ ରାଜ୍ୟବାସୀ ତଥା ପଣ୍ଡିତମାନେ ସ୍ପଷ୍ଟ ଭାବରେ ଜାଣିବାର ସୁଯୋଗ ପାଇବେ ଯେ ଜଣେ ଜନଜାତି ବର୍ଗର ଦିକୁ କିପରି ଜନଜାତିଙ୍କ ସ୍ଵାର୍ଥ ସପକ୍ଷରେ କିଛି କରିବାକୁ ଅରାଜି ବା ଅସମର୍ଥ। ଏହା ପ୍ରମାଣିତ ହେଲେ ତାଙ୍କର ଅନ୍ୟତମ ପରିଚୟ ଗୋଷ୍ଠୀ IAS ମାନଙ୍କୁ ମଧ୍ୟ ଅପମାନ ହେବ।

ଅନ୍ୟତମ ସଦସ୍ୟ ମନୋଜ ପଣ୍ଡା ହେଉଛନ୍ତି ରାଜ୍ୟ ସରକାରଙ୍କ ଆଶଙ୍କା ଓ ଆତ୍ମରକ୍ଷାର ଏକ ନଗ୍ନ ନମୁନା। ସେ CBI ଅଦାଲତରେ ବିଚାରପତି ଥିଲେ ଏବଂ ସରକାରଙ୍କୁ ଚିଟ୍‌ଫଣ୍ଡ୍‌ ମହାଠକେଇ ରୂପକ ମହାକଳଙ୍କରୁ ଉଦ୍ଧାର କରିବାରେ ସାହାଯ୍ୟ କରିବେ। କାରଣ ସେହି ମାମଲାକୁ CBI ଘାଣ୍ଟୁଛି ୨୦୧୪ ମସିହାରୁ। ତେବେ ଏହି ସଦସ୍ୟପଦ ହାସଲଟା ଶ୍ରୀ ପଣ୍ଡାଙ୍କ ଲୋଭ କି ଲାଭ ତାହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଓଡ଼ିଶାରେ ବିହାର-ପଶ୍ଚିମବଂଗ ଭଳି ଭୟଙ୍କର ରାଜନୀତି ଯେ ଅଭିନୀତ ହେବାକୁ ଯାଉଛି, ତାହା ଏହି ସଦସ୍ୟ ପଦ ଚୟନରୁ ଜଳଜଳ ଦେଖାଗଲାଣି। ତେଣେ କେନ୍ଦ୍ରସରକାର ଯାଚୁଥିବା ଜଳଭରା ଟ୍ୟାଙ୍କରମାଳା ଟ୍ରେନ୍‌କୁ ରାଜ୍ୟସରକାର ଆତ୍ମସମ୍ମାନର ଦ୍ଵାହି ଦେଇ ଗ୍ରହଣ କରିବାକୁ ମନା କରୁଛନ୍ତି।

ଖାଦ୍ୟ ଆୟୋଗରେ ଶ୍ରୀ ପଣ୍ଡାଙ୍କ ସଦସ୍ୟତା ଏବେ ବିଚାରଶୀଳ ନାଗରିକମହଲକୁ ଚକିତ କରିଦେଇଛି। କିନ୍ତୁ ତଥ୍ୟାଭିଜ୍ଞମହଲ, ଏହାର ଭିତିରି ରହସ୍ୟ ଜାଣିଥିବାରୁ ଆଦୌ ବିବ୍ରତ ନୁହଁନ୍ତି। ବରଂ ମଜା ଦେଖିବାକୁ ଟାକି ରହିଛନ୍ତି। ମେ ମେ ଦାସଙ୍କୁ ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନରୁ ବହିଷ୍କାର କରିବା ପାଇଁ ରାଜ୍ୟସାରା ଦାବି ହେଉଥିବା ବେଳେ ଖୁବ୍‌ ଶୀଘ୍ର ଏଭଳି ଅନୁଭୂତି ଅର୍ଜିବାକୁ ଯାଉଛନ୍ତି ଶ୍ରୀ ପଣ୍ଡା। କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ହଜାରହଜାର ମାମଲା ଦଏର ହେବ, ଯାହା କେବଳ ନଥିରେ ଗୁନ୍ଥା ହୋଇ ପଡ଼ି ରହିବ ସିନା, ଫଇସଲା ହୋଇପାରିବ ନାହିଁ।

କ’ଣ ଥିଲା ଏ ରାଜ୍ୟ, କଣ ହେଲା ଆଜ! ଉତ୍କଳର ନେତା ସ୍ଵୟଂ ନାରାୟଣ କହି ଆତ୍ମପ୍ରବୋଧନା ବ୍ୟତୀତ ଆଉ କିଛି ଉପାୟ ନାହିଁ।

(ଜନସ୍ଵାର୍ଥ ଉଦ୍ଦେଶ୍ୟରେ ଯେକୌଣସି ଗଣମାଧ୍ୟମ ବା ବ୍ୟକ୍ତି ଏହାକୁ ଅବିକଳ ପୁନଃବ୍ୟବହାର କରିପାରିବେ। ଲେଖକଙ୍କ ଅନୁମତି ଅନାବଶ୍ୟକ)

ବିମଳ ପ୍ରସାଦ, ଭୁବନେଶ୍ଵର

Friday, May 6, 2016

ଭୁବନେଶ୍ୱର ବିମାନବନ୍ଦର ଭାଗ୍ୟଲିପି



୫ ମେ ୨୦୧୬ ତାରିଖରେ ନୂଆଦିଲ୍ଲୀଗାମୀ ବିସ୍ତାରା ବିମାନରେ କୌଣସି ବିଶାଳ ପକ୍ଷୀ ମାଡ଼ ହେବା ଯୋଗୁ ବିମାନର ନୋଜ୍ ଭାଙ୍ଗିଗଲା। ହେଲେ ଏ ଦୁର୍ଘଟଣା ଏକ ଆନ୍ତର୍ଜାତିକ ଖବର ହେଲା ନାହିଁ। କାରଣ ‘‘ଦୈବ ଦୁର୍ଘଟଣା’’ ଘଟିଲା ନାହିଁ କି କେହି ମୃତାହତ ହେଲେ ନାହିଁ। ବିଡ଼ମ୍ବନା ହେଲା, ୩୦ ବର୍ଷ ତଳୁ ଭୁବନେଶ୍ୱରର ବରିଷ୍ଠ ଓ ବୟୋଜ୍ୟେଷ୍ଠ ନାଗରିକମାନେ କହି ସାରିଛନ୍ତି ଯେ ସାରା ବିଶ୍ୱରେ ଭୁବନେଶ୍ୱର ବିମାନବନ୍ଦର (ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର) ଏକ ମାତ୍ର ବ୍ୟତିକ୍ରମ, ଯାହାକି ସହର ଠାରୁ ଦୂରରେ ରହିବା ବଦଳରେ ସହରର ମଧ୍ୟଭାଗରେ ରହିଛି। ବିଭିନ୍ନ କାରଣରୁ ସହର ଠାରୁ ବିମାନବନ୍ଦରକୁ ଦୂରରେ ରଖାଯାଏ। ସେଥିପାଇଁ କୌଣସି ସଭ୍ୟ ଦେଶରେ ସହର ଠାରୁ ୩/୪ କିଲୋମିଟର ଦୂରରେ ବା ସହର ମଧ୍ୟରେ ବିମାନବନ୍ଦର ପ୍ରତିଷ୍ଠା କରାଯାଇନଥାଏ। ଅଥଚ କୋଟି କୋଟି ଟଙ୍କା ବିନିଯୋଗ କରି ସେହି ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିଣତ କରାଯାଇସାରିଲାଣି!

ଏହା ବିଜ୍ଞାନର କଥା ନୁହେଁ, ବରଂ ଏକ କାଣ୍ଡଜ୍ଞାନର କଥା ଯେ ଯେଉଁଠି ଜନବସତି ରହିବ, ସେଠାରେ ଜଳାଶୟ ରହିବ; ଗଛବୃଚ୍ଛ ରହିବ; ପଶୁପକ୍ଷୀ ରହିବେ। ତେବେ ଏକ ବିମାନବନ୍ଦର ପାଇଁ ପଶୁଙ୍କ ଅପେକ୍ଷା ବଡ଼ ଶତ୍ରୁ ହେଉଛି ପକ୍ଷୀ। ବିମାନରେ ପକ୍ଷୀ ମାଡ଼ ହେଲେ ଯେ ବଡ଼ଧରଣର ଦୁର୍ଘଟଣା ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହି ଦୁର୍ଘଟଣାଟି ଭୁବନେଶ୍ୱର ଠାରୁ ୭୦ କି.ମି. ଦୂରରେ ଘଟିଛି। ଏକଥା ମଧ୍ୟ ଭୁଲିଯିବା କଥା ନୁହେଁ ଯେ ଭୁବନେଶ୍ୱର ପାଖରେ ଦୁଇ ଦୁଇଟି ହ୍ରଦ ରହିଛି - ଚିଲିକା ଓ ଅଂଶୁପା। ଗୋଟିଏ କଳିଙ୍ଗସାଗର ସଂଲଗ୍ନ ଲୁଣିଜଳ ହ୍ରଦ ତ ଅନ୍ୟଟି ସ୍ଥଳଭାଗରେ ଥିବା ଏକ ବିଶାଳ ମଧୁରଜଳ ହ୍ରଦ। ତେଣୁ ବିମାନବନ୍ଦରର ସ୍ଥାନାନ୍ତରଣ ପାଇଁ ଯେଉଁ ଯୋଜନା ରହିଛି, ସେଥିପାଇଁ ନୂଅା ସ୍ଥାନ ଚିହ୍ନଟ ବେଳେ ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ମଜା କଥା ହେଉଛି ଖୋଦ‌୍ ଭୁବନେଶ୍ୱରର ଛାତି ଉପରେ ରହିଛି ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟ। ଯେଉଁଠି ଶହ ଶହ ପଶୁଙ୍କ ସହ ହଜାରହଜଜାର ପକ୍ଷୀ ବସବାସ କରୁଛନ୍ତି। ଏଣୁ ବିମାନ-ସୁଖ ପାଇଁ ଭୁବନେଶ୍ୱର ଅଞ୍ଚଳର ପଶୁପକ୍ଷୀମାନଙ୍କୁ ନିପାତ କରିଦେଲେ ହିଁ ଓଡ଼ିଶା ଆକାଶରେ ସ୍ୱଚ୍ଛନ୍ଦରେ ବିମାନ ଉଡ଼ାଣ ହୋଇପାରିବ। କିନ୍ତୁ ଏହା ଗୋଟାପଣେ ଅସମୀଚୀନ।

ଭୁବନେଶ୍ୱର ବିମାନବନ୍ଦର, ଅନ୍ତର୍ଜାତୀୟ ମାନ୍ୟତା ପାଇବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ଏଠାରୁ ଅାନ୍ତର୍ଜାତିକ ବିମାନ ଉଡ଼ାଣକୁ ସୁଯୋଗ ନଦେବା ପଛରେ ଯାହା କାରଣ ଥାଉ ନା କାହିଁକି ଏହା ସଂପୂର୍ଣ ଅସୁରକ୍ଷିତ ବୋଲି କେହି ବି ଅନୁଭବ କରିପାରିବେ। ଭୁବନେଶ୍ୱରସ୍ଥ ବରମୁଣ୍ଡା ଗାଆଁର ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ମନ୍ଦିର ଓ ବିମାନବନ୍ଦର ମଧ୍ୟରେ ରହିଛି କେବଳ ୪ ଲେନ୍ ବିଶିଷ୍ଟ ପୂର୍ତବିଭାଗ ସଡ଼କ। ବରମୁଣ୍ଡା ଗାଅାଁ ଉପରେ ହିଁ ବିମାନଗୁଡ଼ିକ ତଳମୁହାଁ ହୋଇ ଅବତରଣ ଉଦ୍ଦେଶ୍ୟରେ ନିଜର ବେଗ ମନ୍ଥର କରିଥାଏ। କୌଣସି ଶିକ୍ଷିତ ନାଗରିକ ଏହାକୁ ନିଜ ଆଖିରେ ଦେଖିଲେ ହିଁ ଜାଣିପାରିବ କେତେ ଅସୁରକ୍ଷିତ ଆମ ସ୍ୱପ୍ନର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ସବୁଦିନେ ଭଗବାନ ଏ ରାଜ୍ୟକୁ ସୁରକ୍ଷା ଦେବେ ନାହିଁ। ଆଉ ଦୁର୍ଘଟଣା ସବୁଦିନେ ହେବ ନାହିଁ। ଗୋଟିଏ ବଡ଼ଧରଣର ଅଘଟଣରେ ବ୍ୟାପକ କ୍ଷୟକ୍ଷତି ହେଲା ପରେ ତଦନ୍ତ କମିଟି ଏୟା ହିଁ ରିପୋର୍ଟ ଦେବ, ଯାହା ଆମ୍ଭେ ଏଠାରେ ଦର୍ଶାଇଛୁ। ସେତେ ବେଳକୁ ଲଜ୍ଜା ମୁଣ୍ଡାଇବ ସାରା ଓଡ଼ିଶା।

୪ ବର୍ଷ ତଳେ ବରମୁଣ୍ଡା ଗାଅାଁରେ କାଉମାନଙ୍କୁ ମାରି ଚିକେନ‌ ରୋଲ‌ ପାଇଁ ମାଂସ ବିକ୍ରୀ କରାଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମ ପ୍ରଚାର କରିଥିଲେ। କିନ୍ତୁ ପରେ ଜଣାଗଲା ଯେ ତାହା ଥିଲା ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ପକ୍ଷୀମାରଣ ଅଭିଯାନର ଅଂଶବିଶେଷ। ସମ୍ମାନ ଦୃଷ୍ଟିରୁ ତାହାକୁ ଆଉ ଗଣମାଧ୍ୟମ ପ୍ରଚାର କରି ନଥିଲେ ସୁଦ୍ଧା ସାଧାରଣ ନାଗରିକ କିନ୍ତୁ ଉତ୍ସୁକ ହୋଇ ଖବର ପାଇଯାଇଥିଲେ। ଅବଶ୍ୟ ବିଲୁଆ, ଘୁଷୁରି, କୁକୁର ଆଦି ପଶୁଙ୍କୁ ମାରିବା/ଘଉଡ଼ାଇବା କାମ ବିମାନବନ୍ଦର କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ଅବଗତିରେ ସମ୍ପନ୍ନ କରୁଛନ୍ତି। ଏସବୁ ଦୃଷ୍ଟିରୁ ଅତି ବେଶିରେ ୨ ବର୍ଷ ମଧ୍ୟରେ ବିମାନବନ୍ଦରକୁ ଭୁବନେଶ୍ୱର ସହର ମଧ୍ୟରୁ ଅନ୍ୟୂନ ୩୦ କିଲୋମିଟର ଦୂରକୁ ଉଠାଇ ଦିଅାଯିବା ଜରୁରୀ। ଖୋର୍ଧା ଟାଉନ‌୍ ରେଳଷ୍ଟେସନ ଠାରୁ ୧୦ କିମି ଦୂରରେ ନୂଆ ବିମାନବନ୍ଦର ପ୍ରତିଷ୍ଠା ହେବା ନେଇ ଯାହା ଶୁଣାଯାଉଛି, ତାହା ଚୂଡ଼ାନ୍ତ ରୂପ ପାଇବା ଦରକାର। ଆଜିକାଲି ବୃହତ୍ ଇନଫ୍ରା କମ୍ପାନୀମାନେ ବିବିଧ ନିର୍ମାଣ କାମକୁ ଦକ୍ଷତାର ସହ ସମୟବଦ୍ଧ ସମାପନ କରିପାରୁଥିବାରୂୁ ଯୋଜନା ସେହିଭଳି ହେବା ଆବଶ୍ୟକ।

୧୭ ଏପ୍ରିଲ ୧୯୬୨ରେ ପ୍ରତିଷ୍ଠିତ ହୋଇ ୩୦ ଅକ୍ଟୋବର ୨୦୧୩ରେ ଅନ୍ତର୍ଜାତୀୟ ବିମାନବନ୍ଦରର ମାନ୍ୟତା ପାଇସାରିଥିବା ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦ ଜୁଲାଇ ୨୦୧୫ରେ ହବ‌୍ ଏଣ୍ଡ୍ ସ୍ପୋକ୍ ମଡେଲରେ ଏୟାର ଇଣ୍ଡିଅା ପକ୍ଷରୁ ଆନ୍ତର୍ଜାତିକ ବିମାନ ସେବାର ଲଲିପପ୍ କୁ ଓଡ଼ିଶାବାସୀ ଚାଖି ସାରିଛନ୍ତି। ଏବେ ଦେଖିବାକୁ ରହିଲା ଭୁବନେଶ୍ୱରର ଭାଗ୍ୟଲିପିରେ ଅାନ୍ତର୍ଜାତିକ ଉଡ଼ାଣ ସତ ହେଉଛି କି ଏହାକୁ ପୁନର୍ଗଠିତ ଆନ୍ଧ୍ରପ୍ରଦେଶର ବାଣିଜ୍ୟ-ରାଜଧାନୀ ବିଶାଖାପାଟଣା ଗିଳି ପକାଉଛି!

ବିମଳ ପ୍ରସାଦ, bimal.odisha@yahoo.in

Thursday, May 5, 2016

କାହା ଦିହରେ ଯାଉନି ଅନ୍‌ଲାଇନ୍‌ ଅଟୋ ସେବା?

୫ ମେ ୨୦୧୬, ଗୁରୁବାର। ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିବସ ପାଲଟିଗଲା। କାରଣ ଅନ୍‌ଲାଇନ୍‌ରେ ଅଟୋରିକ୍ସା ମଗାଇବା ବ୍ୟବସ୍ଥା ଏବଂ ଅଟୋରିକ୍ସା କୈନ୍ଦ୍ରିକ ଯାତ୍ରୀପରିବହନ ବ୍ୟବସାୟରେ ଘରୋଇ କମ୍ପାନୀମାନଙ୍କ ପ୍ରବେଶକୁ ପ୍ରତିବାଦ କରି ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘର ବନ୍ଦ ଡାକରା ସଫଳ ହୋଇଛି। ପୁରୀ, ଜଟଣୀ, ଖୋର୍ଧା, କଟକ, ଭୁବନେଶ୍ୱର, ରାଉରକେଲା ଅଞ୍ଚଳଗୁଡ଼ିକ ସମେତ ନୟାଗଡ଼ ଜିଲ୍ଲାରେ ଅଟୋରିକ୍ସା ଚଳାଚଳ ପୂରାପୂରି ୧୨ ଘଣ୍ଟାର ବନ୍ଦ ପାଳିଛନ୍ତି। ଏହାକୁ ସମର୍ଥନ ଜଣାଇ ଟ୍ୟାକ୍ସି ମହାସଂଘ ମଧ୍ୟ ଏଥିରେ ସାମିଲ ହୋଇଛି। ଫଳରେ ଅଟୋରିକ୍ସା ସୁବିଧା ପ୍ରତି ନିର୍ଭରଶୀଳ ନାଗରିକମାନେ ଘୋର ଅସୁବିଧାରେ ପଡ଼ିଛନ୍ତି। ଲକ୍ଷାଧିକ ଯାତ୍ରିବାହୀ ଅଟୋରିକ୍ସା ସହ ସହସ୍ରାଧିକ ଟାକ୍ସି ବନ୍ଦ ହେବାରୁ ହଜାର ହଜାର ବ୍ୟକ୍ତି ଓ ପରିବାର ନିଜର ଦୈନନ୍ଦିନ ଜୀବନ ତଥା ଯୋଜନାବଦ୍ଧ ଜୀବନରେ ଦୁର୍ଦଶା ଭୋଗିଛନ୍ତି। କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ଏ ସୂଚନା ବା ଖବର ରଖିଥିବା / ପାଇଥିବା/ ପଢ଼ିଥିବା ନାଗରିକମାନେ ବିକଳ୍ପ ବ୍ୟବସ୍ଥା କରି ନେଇଛନ୍ତି। ହେଲେ ଅନ୍ୟମାନେ ଶିକ୍ଷା ପାଇଛନ୍ତି। ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ନାଗରିକମାନଙ୍କୁ ହଇରାଣ କରିବା ପାଇଁ ଉଭୟ ଅଟୋରିକ୍ସା ଓ ଟ୍ୟାକ୍ସି ସଂଘ ଯେଉଁ ୧୨-ଘଣ୍ଟିଆ (ସକାଳ ୫ଟାରୁ ସଂଧ୍ୟା ୫ଟା) ବନ୍ଦ ପାଳନ କଲେ, ତାହା ଦ୍ୱାରା ଅନ୍‌ଲାଇନ୍ ଅଟୋ ବରାଦ ବ୍ୟବସାୟ ତଥା ଘରୋଇ କମ୍ପାନୀଙ୍କ ପ୍ରବେଶକୁ ଅଧିକ ବିଜ୍ଞାପିତ କରିଛି। ୨୦୧୬ ଏପ୍ରିଲ ୨୧ ତାରିଖରେ ଭୁବନେଶ୍ୱରର ଧାରଣାସ୍ଥଳ (ଗଣମାଧ୍ୟମ ଭାଷାରେ ‘ଲୋଅର ପିଏମଜି’)ରେ ଅଟୋରିକ୍ସା ସଂଘ ଏଭଳି ନୂଆ ପ୍ରଚଳିତ ଅଟୋରିକ୍ସା ବରାଦ ତଥା ସେବା ବ୍ୟବସ୍ଥାକୁ ବିରୋଧ ପ୍ରଦର୍ଶନ କରି ସାରିଛି। ଏପରିକି ସଂପୃକ୍ତ ଘରୋଇ କମ୍ପାନୀର ଅଟୋରିକ୍ସା ଡ୍ରାଇଭରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଭଳି ହୀନ ପଦ୍ଧତି ଅବଲମ୍ବନ କରି ମଧ୍ୟ ବିଫଳ ହେବା ପରେ ଆଜି ୧୨-ଘଣ୍ଟିଆ ସେବା ବନ୍ଦ କରି ଗ୍ରାହକ ସମାଜ ଉପରେ ରାଗ ସାରିଛି

ଖୁଚୁରା ବ୍ୟବସାୟ କ୍ଷେତ୍ରରେ କେତୋଟି ନିର୍ଦିଷ୍ଟ କମ୍ପାନୀର ପ୍ରବେଶ ପରେ ସେହିଭଳି ଖୁଚୁରା ବ୍ୟବସାୟୀମାନେ ସଂଘବଦ୍ଧ ହୋଇ ତାହାର ବିରୋଧ କରୁଥିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। କାରଣ ଯାହା ଭଲ, ତାହା ନିଶ୍ଚୟ ଚାଲିବ। ବୃହତ୍‌ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗ୍ରାହକ ନିଜ ଇଚ୍ଛା ମୁତାବକ ସାମଗ୍ରୀ ପସନ୍ଦ କରି ନିଜ ଝୁଡ଼ିରେ ଭର୍ତି କରି ପାରୁଛି। ବାରମ୍ବାର ମାଗିବାକୁ ପଡୁ ନାହିଁ। କିହୋ ଗ୍ରାହକ ଗଣିବ ଦାମ୍ ଆକାରରେ ଟଙ୍କା। କିନ୍ତୁ ସାମଗ୍ରୀର ଗୁଣବତ୍ତା ଦେଖିବା ପୂର୍ବରୁ କେବଳ ସାମଗ୍ରୀକୁ ନିଜ ହାତକୁ ଆସିବା ପାଇଁ ମାଗିବ କାହିଁକି? ସାମଗ୍ରୀ ତାଲିକା ବନାଇବାରେ ସମୟ ଦେବ କାହିଁକି? ସେହିଭଳି ଯଦି ଘରୁ ଫୋନ୍‌ କଲେ ବା ମୋବାଇଲ ଆପ୍(App)ରେ କେତୋଟି ସ୍ପର୍ଶ(Touch) ଦେଇଦେଲେ ଘର/ଦପ୍ତର ଅଗଣାକୁ ଗାଡ଼ିବାଲା ତୁରନ୍ତ ଆସିଯାଉଛି ଏବଂ ମନଲାଖି ଭଡ଼ାରେ ତଥା ସ୍ୱଚ୍ଛ ହିସାବରେ ଦେଣନେଣ ହୋଇପାରୁଛି; ସେଭଳି କ୍ଷେତ୍ରରେ ପୁରୁଣାକାଳିଆ ବ୍ୟବସ୍ଥାରେ ଗ୍ରାହକ କାହିଁକି ଶୋଷିତ/ ଲାଞ୍ଛିତ ହେବ? ଅନେକ କ୍ଷେତ୍ରରେ ଗତାନୁଗତିକ ପୁରୁଣାକାଳିଆ ଅଟୋରିକ୍ସା ସେବାରେ ଗ୍ରାହକ-ଯାତ୍ରୀମାନେ ମାଡ଼ ଖାଉଛନ୍ତି, ଏପରିକି ଅପମାନିତ ମଧ୍ୟ ହେଉଛନ୍ତି। ଅର୍ଥାତ୍ ନିଜର ସମ୍ମାନହାନି ହେଉଛି ବା ସାମାଜିକ ମର୍ଯାଦା ଉପରେ ଆଞ୍ଚ ଆସୁଛି।

ଓଡ଼ିଶା ସରକାର ଗୋଲାପୀ ଅଟୋ (Pink Auto)ର ଗୋଲାପୀ ଚିତ୍ର ଦେଖାଇଥିଲେ। ତାହା କୁଆଡ଼େ ଫୁସ‌୍ ହୋଇଗଲା। ଏବେ ସିଟିବସ୍ ସେବା ମଧ୍ୟ ସମୁଦ୍ରକୁ ଶଂଖେ ଭଳି। ରାଜଧାନୀ ଭୁବନେଶ୍ୱରରେ ଯଥେଷ୍ଟ ମାତ୍ରାରେ ସିଟିବସ୍ ଚଳାଚଳ କରୁ ନଥିବାରୁ ନାଗରିକମାନେ ଅଟୋରିକ୍ସା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ହେଲା ରୁଟ୍ ନିର୍ଣୟ। କୋଲକାତା ମହାନଗରୀର ୩କୋଟି ଜନସଂଖ୍ୟା ବିଶିଷ୍ଟ ବିଶାଳ କାୟା ପାଇଁ ୬୦୦ଟି ରୁଟ୍ ନଥିବା ସ୍ଥଳେ ଭୁବନେଶ୍ୱର ନଗରର ୧୩ ଲକ୍ଷ ଜନସଂଖ୍ୟା ପାଇଁ ରୁଟ୍ ସଂଖ୍ୟା ୬୦୦ ଟପି ଯାଇଛି! କୋଲକାତାରେ ସିଟିବସ‌୍ ଏକ ସଂସ୍କୃତି ହୋଇଯାଇଛି। ପ୍ରତ୍ୟେକ ସଂଭ୍ରାନ୍ତ ପରିବାରର ସବୁ ସଦସ୍ୟଙ୍କୁ ଜଣାଥାଏ ଏକାଧିକ ରୁଟ‌୍ ନମ୍ବର। ନିହାତି ଜାଣିଥାଆନ୍ତି ନିଜ ଘରଠୁ ପ୍ରତ୍ୟେକ ଗୁରୁତ୍ୱପୂର୍ଣ ସ୍ଥାନର ରୁଟ‌୍ ନମ୍ବର। ଅର୍ଥାତ‌୍ କେତେ ନମ୍ବର ବସ୍‌ରେ ଯାଇ ଗନ୍ତବ୍ୟରେ ପହଞ୍ଚିପାରିବେ, ସେଇ ନମ୍ବରଗୁଡ଼ିକ ନିଶ୍ଚିତ ମନେ ରଖିଥାଆନ୍ତି। କିନ୍ତୁ ଭୁବନେଶ୍ୱରରେ ସଂଭ୍ରାନ୍ତ କ’ଣ, ନିମ୍ନ ମଧ୍ୟବିତ୍ତ ପରିବାରର ସଦସ୍ୟ ମଧ୍ୟ ଜାଣନ୍ତି ନାହିଁ ବସ୍ ରୁଟ‌୍ ନମ୍ବର। ତଥାପି ଆମେ ସ୍ମାର୍ଟସିଟିର ସ୍ୱପ୍ନରେ ମସଗୁଲ।

ଓଡ଼ିଶାର କୌଣସି ଖବରକାଗଜ ୟୁନିକୋଡ଼୍ ଅକ୍ଷରରେ ଇଣ୍ଟରନେଟରେ ଖବର ସାଇତି ରଖୁ ନଥିବାରୁ ଏଭଳି ସମାଲୋଚନାତ୍ମକ ଖବରଗୁଡ଼ିକ ଗୋଟିଏ ଗୋଟିଏ ଐତିହାସିକ ଦଲିଲ ଭଳି ଭବିଷ୍ୟତରେ କାମରେ ଆସିବ। ଏହି ବିଶ୍ୱାସରେ ଗୁଗଲ ପୃଷ୍ଠାରେ ଏହି ପ୍ରବନ୍ଧଟିକୁ ରଖିଲୁ। ଘରୁଆ ଅଟୋବାଲାଙ୍କ ଉତ୍ପାତ ଓ ଔଦ୍ଧତ୍ୟ ବନ୍ଦ ହେବା ପର୍ଯ୍ୟନ୍ତ ବିକଳ୍ପ ପରିବହନ ସେବା ବ୍ୟବସ୍ଥାଗୁଡ଼ିକୁ ନାଗରିକଗଣ ଅବଶ୍ୟ ପସନ୍ଦ କରିଚାଲିବେ। କାରଣ ତାହା ହିଁ ଗଣତନ୍ତ୍ର ଓ ସାର୍ବଜନୀନ ସେବାର ପ୍ରକୃଷ୍ଟ ନମୁନା।


ବିମଳ ପ୍ରସାଦ, ଭୁବନେଶ୍ୱର