26 फ़रवरी 2016

ରେଳ ମନ୍ତ୍ରୀ ଶୁଣିବେ


୨୫ ଫେବ୍ରୁଆରି ୨୦୧୬, ଗୁରୁବାର ସଂସଦରେ ଉପସ୍ଥାପିତ ହେଲା  ରେଳ ବଜେଟ୍‌ ୨୦୧୬-୧୭। ଦ୍ଵିତୀୟ ବର୍ଷ ପାଇଁ କୌଣସି ନୂଆ ରେଳଗାଡ଼ି ପ୍ରଚଳନର ଖାସ୍‌ ଘୋଷଣା ନକରି ଏକ ସତର୍କ ସରକାରର ସୂଚନା ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ରେଳ ବଜେଟ୍‌ ପାଇଁ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଯାହାକି ଦେଶର ରାଜନୀତିରେ ଏକ ନୂଆ ଓ ନୈତିକତାର ଫର୍ଦ ଯୋଡ଼ିଛି। କାରଣ ବିରୋଧୀ ଦଳ କେବଳ ବିରୋଧ କରିବ ବୋଲି ଏକ ଧାରଣା ଆଜି ସୁଦ୍ଧା ସବୁରି ମନରେ ରହି ଆସିଛି। ବିରୋଧୀ ଦଳରେ ଥାଇ ସୁଦ୍ଧା ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ଆମ୍ଭେ ଏଠାରେ କେତୋଟି ପ୍ରଶ୍ନ ତଥା ପ୍ରସ୍ତାବ ରଖୁଛୁ, ଯାହାକି ହୁଏତ ଆପଣଙ୍କୁ କେହି ବି ମନେପକାଇ ଦେଇନଥିବେ...

(୧) ଚଳନ୍ତା ରେଳଗାଡ଼ିରେ ଦରଜା ଖୋଲା ରହିବାଟା କୌଣସି ସଭ୍ୟ ଦେଶରେ ଦେଖିବାକୁ ମିଳେ ନାହିଁ। ଚଳନ୍ତା ଗାଡ଼ିରୁ ଖସିପଡ଼ି ମୃତ୍ୟୁବରଣ କରିବା ଘଟଣା ତ ଜାପାନରେ କେବେ ବି ଘଟି ନାହିଁ। କିନ୍ତୁ ଗାଡ଼ି ଚାଲିବା ବେଳେ କାହିଁକି ଦରଜା ଖୋଲା ରହିପାରିବାର ଡିଜାଇନ୍‌ କରାଯାଇଛି? ଆମ ଦେଶରେ କ’ଣ ଇଂଜିନିୟର ନାହାନ୍ତି? ଦୟାକରି ଏଭଳି ଲଜ୍ଜାକର ଓ ଦୁଃଖଦାୟକ ବ୍ୟବସ୍ଥା ବନ୍ଦ କରନ୍ତୁ। ଆମ ଦେଶର ପରମ୍ପରା ପାଲଟିଥିବା ମାରୁତି ସୁଜୁକି ଓମ୍‌ନି ଭ୍ୟାନ୍‌ର Sliding Door ଭଳି ଦରଜା ଲଗାଇବାର ବ୍ୟବସ୍ଥା କରନ୍ତୁ; ଯାହାକି ଗାଡ଼ି ଚାଲିଲା ବେଳେ ଆପେ ବନ୍ଦ ହେବା ସହ ତାଲା ବି ପଡ଼ିଯାଉଥିବ। ଜରୁରୀ ପ୍ରସ୍ଥାନ ପାଇଁ ଏକାଧିକ ଝରକା ରହିଥିବା ବେଳେ ଦରଜାର ଉପର ଭାଗକୁ ମଧ୍ୟ ସେଭଳି କରିବାର ସୁବିଧା ରହୁ, ଯାହାକୁ କେବଳ ଗାଡ଼ିରେ ଥିବା ଯାତ୍ରୀ ହିଁ ଖୋଲିପାରିବେ।

(୨) ବ୍ରିଟିଶ ଇଣ୍ଡିଆରେ ଥିଲା ଦୁଇଟି ହାଇଦ୍ରାବାଦ। ତେଣୁ ଦୁଇଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ପାଇଁ ରେଳବାଇ ଗୋଟିକୁ ନାମ ଦେଇଥିଲା ହାଇଦ୍ରାବାଦ ଡେକାନ(Hyderabad Deccan)। ଅର୍ଥାତ୍‌ ଦାକ୍ଷିଣାତ୍ୟର ହାଇଦ୍ରାବାଦ। ଦେଶ ବିଭାଜନ ପରେ ଗୋଟିଏ ରହିଲା ସିନ୍ଧୁପ୍ରଦେଶ(ପାକିସ୍ତାନ)ରେ ଏବଂ ଅନ୍ୟଟି ରହିଲା ଆନ୍ଧ୍ରପ୍ରଦେଶ(ଭାରତ)ରେ। ଏବେ ସେଇ ମହାନଗର ରହିଯାଇଛି ବିଭାଜିତ ନୂଆ ପ୍ରଦେଶ ତେଲେଙ୍ଗାନାରେ। କିନ୍ତୁ ଏବେ ବି ରେଳଷ୍ଟେସନର ନାମ ରହିଛି ହାଇଦ୍ରାବାଦ ଡେକାନ ହୋଇ। ସ୍ଵାଧୀନ ଭାରତରେ ଏହା ନିଜର ମୂଳ ନାମ କାହିଁକି ନପାଇବ? ଆମ୍ଭେ କହିବାକୁ ଚାହୁଛୁ ଯେ ସେହି ଷ୍ଟେସନର ନାମ ହାଇଦ୍ରାବାଦ ହେଉ।

(୩) ୧୯୯୩ ଏପ୍ରିଲ୍‌ ପହିଲାରେ କଳାହାଣ୍ଡି ଜିଲ୍ଲାରୁ ଭାଗ ହୋଇ ଗଢ଼ା ହେଲା ନୂଆପଡ଼ା ଜିଲ୍ଲା। ନୂଆପଡ଼ାର ଇଂଲିଶ୍‌ ବନାନ ଥିଲା Nawapara ଆଉ ରେଳଷ୍ଟେସନର ନାମ Nawapara Road। ତତ୍କାଳୀନ ଜିଲ୍ଲାପାଳ ଏହି ନାମର ବନାନ ସଂଶୋଧନ କରାଇ ନୱାପାରାକୁ ନୂଆପଡ଼ା (Nuapada) କରିଥିଲେ ସୁଦ୍ଧା ରେଳବାଇ ଖତିଆନରେ ଓ ଷ୍ଟେସନରେ ତାହାର ସଂଶୋଧନ ଆଜି ସୁଦ୍ଧା ହୋଇ ନାହିଁ। ଏହି ସଂଶୋଧନ କରାଗଲେ ଅବଶ୍ୟ ନୂଆପଡ଼ାର ଷ୍ଟେସନ୍‌ କୋଡ଼୍‌ NPDକୁ ବଦଳାଇବାକୁ ପଡ଼ିବ ନାହିଁ, ଯାହାକି ରେଳବାଇ ଗଣିତରେ ବେଶ୍‌ ଗୁରୁତ୍ଵ ରଖେ। ନୂଆପଡ଼ା ଭଳି ଦେଶର ଏକାଧିକ ସହରର ନାମ ପରିବର୍ତନ ହୋଇଥିଲେ ବି ରେଳବାଇ ସେଗୁଡ଼ିକୁ ସ୍ଵୀକୃତି ଦେବାରେ ବିଳମ୍ବ କରିବା ସମୀଚୀନ ନୁହେଁ।

(୪) ସ୍ଵଚ୍ଛ ଭାରତ କଥା ଏତେ ଉଚ୍ଚ ସ୍ଵରରେ ସ୍ଵୟଂ ପ୍ରଧାନମନ୍ତ୍ରୀ କହୁଥିଲେ ସୁଦ୍ଧା ସବୁଠୁ ବେଶି ଗନ୍ଧିଆ କରୁଥିବା ସଂଗଠନ ହେଉଛି ଭାରତୀୟ ରେଳବାଇ। ସ୍ଵଚ୍ଛ ଭାରତ ମିଶନ ପୂର୍ବରୁ ସଂପୂର୍ଣ ପରିମଳ ଯୋଜନା ଚାଲିଥିବା ବେଳେ ଓଡ଼ିଶାର ଜଣେ ଯୁବକ ଶ୍ରୀ ଅଖଣ୍ଡ ଏନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ଗୁହାରି କରିଥିଲେ। ଜାତୀୟ ମାନବାଧିକାର ଆୟୋଗ ଏହା ଉପରେ ଭାରତୀୟ ରେଳବାଇଙ୍କୁ ପ୍ରଶ୍ନ କରନ୍ତେ, ରେଳବାଇ କର୍ତ୍ତୃପକ୍ଷ ଜବାବ ରଖିଥିଲେ, ୨୦୨୨ ମସିହା ସୁଦ୍ଧା ସବୁ ରେଳଗାଡ଼ିରୁ ସେଇ ଗନ୍ଧିଆ ଶୌଚାଳୟ ବ୍ୟବସ୍ଥା ଉଠାଇ ଦିଆଯିବ। କିନ୍ତୁ ବାର୍ଷିକ ଟାର୍ଗେଟ୍‌ କ’ଣ, ତାହା ଏହି ବଜେଟ୍‌ରେ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ପ୍ଲାଟ୍‌ଫର୍ମରେ ମଳମୂତ୍ରମୟ ଓ ଗନ୍ଧମୟ ହେବାଟା କୌଣସି ସଭ୍ୟ ଦେଶରେ ଦେଖାଯାଏ ନାହିଁ। ଆମକୁ ସଭ୍ୟ ପରିଚୟ ଦେବା ପାଇଁ ରେଳବାଇ କେବେ ସଚେତନ ହେବ?

(୫) ଅନୁଗୁଳ-ସମ୍ବଲପୁର ରୁଟ୍‌ ଓ ଯଖପୁରା-କେନ୍ଦୁଝର-ବଡ଼ବିଲ ରୁଟ୍‌ କାର୍ଯ୍ୟକ୍ଷମ ହେବା ପରେ ମଧ୍ୟ ଓଡ଼ିଶାର ଯାତ୍ରୀମାନେ ଦିଲ୍ଲୀ ଯାତ୍ରା ପାଇଁ କାହିଁକି ବଂଗ, ବିହାର, ଉତ୍ତରପ୍ରଦେଶ ଭ୍ରମଣ କରିବେ? ଆଉ ସବୁବେଳ ବିଳମ୍ବର ଶିକାର ହୋଇ ବିପୁଳ କ୍ଷତି ସହୁଥିବେ? ବିପୁଳ ସମୟ ଅପଚୟ କରୁଥିବେ? ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର-ବିଳାସପୁର ରୁଟ୍‌ରେ ଏବଂ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ କେନ୍ଦୁଝର ରୁଟ୍‌ରେ କାହିଁକି ଆଜି ସୁଦ୍ଧା ଚାଲୁ ନାହିଁ? କ’ଣ ରେଳବାଇ ଜାଣିବାକୁ ଚାହୁଁଛି ଓଡ଼ିଶାରେ ଜାଠ ଭଳି ବଳିଷ୍ଠ ଭେଣ୍ଡିଆ ଅଛନ୍ତି କି ନାହିଁ ?

ଓଡ଼ିଶାବାସୀଙ୍କ ସହିଷ୍ଣୁତା ଓ ନିରୀହତାର ସୁଯୋଗ ଉଠାଇବା ବନ୍ଦ କରନ୍ତୁ। ଓଡ଼ିଶାରୁ ବିପୁଳ ରାଜସ୍ଵ ଉଠାଇବାର ନ୍ୟୂନତମ ପ୍ରତିଦାନ ଓଡ଼ିଶାବାସୀଙ୍କୁ ମିଳୁ।


ବିମଳ ପ୍ରସାଦ, ଭୁବନେଶ୍ଵର

कोई टिप्पणी नहीं:

एक टिप्पणी भेजें