21 जनवरी 2016

ସେତୁ ବନାମ ଶ୍ରୀମନ୍ଦିର!


ବାଂଶଧାରା ସେତୁ, ଗୁମୁଡ଼ା, ରାୟଗଡ଼ା
ଅଳ୍ପ କିଛି ଦିନ ତଳେ (୨୦୧୬ ଜାନୁଆରି) ଆମ ନୂଆ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ବୈଠକରେ ଜୋର୍‌ ଦେଲେ ଓଡ଼ିଶାର ଦୁଇଟି ସେତୁ ନିର୍ମାଣ ନିଶ୍ଚୟ ସାରିବା ଉପରେ। ତାହା ହେଲା କଟକରେ ଦ୍ଵିତୀୟ କାଠଯୋଡ଼ି ସେତୁ ଏବଂ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ଏହାକୁ ଆମ୍ଭେ ଖବରକାଗଜରୁ ପଢ଼ିବାକୁ ପାଇଲୁ। ସରକାରୀ ସମୀକ୍ଷା ବୈଠକରେ ଏଭଳି ଦୃଢ଼ୋକ୍ତି କରି ମୁଖ୍ୟସଚିବ ମହୋଦୟ ଆମ୍ଭ ଭଳି ଅନେକ ଦେଶପ୍ରେମୀ ପାଠକ ତଥା ନାଗରିକଙ୍କ ହୃଦୟ ଜିଣିବାକୁ ପ୍ରୟାସ କରିଛନ୍ତି। କାରଣ ଏହି ଦୁଇଟି ସେତୁ ନିର୍ମିତ ହେଲେ ଏହା ରାଜ୍ୟର ଅର୍ଥନୀତି, ବାଣିଜ୍ୟ ସାମାଜିକ ସହାବସ୍ଥାନକୁ ବହୁ ମାତ୍ରାରେ ପ୍ରଭାବିତ କରିବ। ହେଲେ ଆଉ ଏକ ଗୁରୁତ୍ଵପୂର୍ଣ ସେତୁ ନିର୍ମାଣକୁ ସାରିବାର ପ୍ରତିଶ୍ରୁତି ଦେବାକୁ ମୁଖ୍ୟସଚିବ ମହୋଦୟ ଭୁଲି ଯାଇଛନ୍ତି। ତାହା ହେଉଛି NH 326 (ଆସିକା- ଦିଗପହଣ୍ଡି- ରାୟଗଡ଼ା-କୋରାପୁଟ- ଜୟପୁର- ମାଲକାନଗିରି- ମୋଟୁ) ର ଗୁମୁଡ଼ା ଛକ ପାଖରେ ରହିଥିବା ବାଂଶଧାରା ସେତୁ। ୭ ଅଗଷ୍ଟ ୨୦୦୭ର ଭୟଙ୍କର ବନ୍ୟାରେ ଭାସିଆସିଥିବା ବିଶାଳ ଅଶ୍ଵତ୍ଥ ଗଛ ମାଡ଼ରେ ସେହି ସେତୁର ଦୁଇଟି ସ୍ଲାବ୍‌ ଗଳି ପଡ଼ିଥିଲା ନଦୀ ଶଯ୍ୟାକୁ। ଏହା ମଧ୍ୟରେ ପ୍ରାୟ ୯ ବର୍ଷ ବିତିଲାଣି, ହେଲେ ସେତୁ ନିର୍ମାଣ ସରି ନାହିଁ। ପ୍ରଥମ ୪ ବର୍ଷ ଯାଇଥିଲା ନିଷ୍ପତ୍ତି ନେବାରେ ଏବଂ ବଜେଟ୍‌ରେ ବ୍ୟୟବରାଦ କରିବାରେ। ଆଶ୍ଚର୍ଯ୍ୟର କଥା ଯେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ପ୍ରଶାସନ ଆଦୌ ତତ୍ପରତା ପ୍ରକାଶ କରୁନାହିଁ। ଏହା ସେତେବେଳେ ରାଜ୍ୟ ରାଜପଥ (SH-17) ଥିଲା। ସମୟଚକ୍ରରେ ଜାତୀୟ ରାଜ୍ୟପଥର ଅଂଶବିଶେଷ ୋଇସାରିଥିଲେ ସୁଦ୍ଧା ସେତୁ ନିର୍ମାଣ ସରିବାର ନାମ ଧରୁ ନାହିଁ। 

ଅନ୍ୟ ଗୁରୁତ୍ଵପୂର୍ଣ କଥାଟି ହେଲା, ଏନ୍‌.ଏଚ୍‌.-୩୨୬ ହେଉଛି ରାଜ୍ୟର ଦ୍ଵିତୀୟ ଦୀର୍ଘତମ (୫୧୩.୭ କିଲୋମିଟର ବିଶିଷ୍ଟ) ଜାତୀୟ ରାଜପଥ। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାର ସଂଯୋଗକାରୀ ଏହି ଜାତୀୟ ରାଜପଥର ସଂପ୍ରସାରିତ ଅଂଶ ଉପରେ ହିଁ ଠିଆ ହେବ ଗୁରୁପ୍ରିୟା ସେତୁ । ଯାହାକି ବାଲିମେଳା ଜଳଭଣ୍ଡାର ଦ୍ଵାରା ଦ୍ଵୀପାଞ୍ଚଳରେ ପରିଣତ ହୋଇଥିବା ୭ଟି ଗ୍ରାମପଞ୍ଚାୟତର ୩୦ହଜାରରୁ ବେଶି ନାଗରିକଙ୍କ ସହ ଯୋଗାଯୋଗ ସ୍ଥାପନ କରିବ।

ରାଜ୍ୟରେ ସଂରଚନା (Infrastructure) ବିକାଶ ପ୍ରସଙ୍ଗରେ ଓଡ଼ିଶା ଗଣମାଧ୍ୟମ କୌଣସି ଚର୍ଚା କରୁନଥିବା ବେଳେ ପୁରୀ ସହରରେ ଆଉ ଏକ ବିଶାଳ ମନ୍ଦିର (ଗଣମାଧ୍ୟମ ଭାଷାରେ ଦ୍ଵିତୀୟ ଶ୍ରୀମନ୍ଦିର) ନିର୍ମାଣ କିଭଳି ହୋଇ ନପାରିବ, ତାହା ଉପରେ ବେଶି ଚର୍ଚା ଚଳାଇଛି। ବାସ୍ତବରେ ପୁରୀରେ ଆଉ ଏକ ବିଶାଳ ମନ୍ଦିର ନିର୍ମିତ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପରମ୍ପରା ନାମରେ ସଂସ୍କାରକୁ ସ୍ଥାନ ଦେଉ ନଥିବା ମୁଷ୍ଟିମେୟ ଲୋକଙ୍କ ପତିଆରା କମିଯିବ। କାରଣ ଇସ୍କନ୍‌ (ISCKON)ର ଶ୍ରୀକୃଷ୍ଣ ବଳରାମ ମନ୍ଦିରରେ ପ୍ରବେଶ କରିବାରେ ଜାତି-ଧର୍ମ-ଜାତୀୟତାର କୌଣସି ବାଛବିଚାର ନାହିଁ। ଆଉ ସେତେବେଳେ ହିଁ ମହମ୍ମଦ ଅଜିଜ୍‌ଙ୍କ କଣ୍ଠରେ ପରିବେଷିତ ଲୋକପ୍ରିୟ ଭଜନ ‘‘କାଳିଆ ପାଖରେ ନାହିଁ ଲୋ ଜାତିଅଜାତି…ରଙ୍ଗବତୀ…’’ ସାର୍ଥକ ହେବ।

ଉଭୟ ମୁଦ୍ଦା ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ। କିନ୍ତୁ ମନ୍ଦିର ଏକ ସଂରଚନା ନୁହେଁ। ବରଂ ରାଜ୍ୟରେ ସଡ଼କ-ରେଳପଥ ଭଳି ସଂରଚନାର ଅଭାବ ପୂରଣ ଦିଗରେ ଗଣମାଧ୍ୟମ ରଚନାତ୍ମକ ସହଯୋଗ କରିପାରନ୍ତା। ଅଥଚ ମୁଖ୍ୟ ସଚିବଙ୍କ ପ୍ରତିଶ୍ରୁତି ପାଳନକୁ ସମର୍ଥନ ଜଣାଇବା ପରିବର୍ତ୍ତେ ଓଡ଼ିଶା ଗଣମାଧ୍ୟମ ରାଜ୍ୟ ବିକାଶର ବାଟ ଓଗାଳିବାରେ ବ୍ୟସ୍ତ ରହିବା ଅତ୍ୟନ୍ତ ଦୁଃଖଦାୟକ।

कोई टिप्पणी नहीं:

एक टिप्पणी भेजें