16 दिसंबर 2015

ପୁଣି ରିଲାଏନ୍‌ସ୍‌ ବେଇମାନ୍‌

୨୦୧୫ ମସିହା ମାର୍ଚ ମାସରେ ରିଲାଏନ୍‌ସ୍‌ ଏନେର୍ଜୀ ଲାଙ୍ଗୁଡ଼ ଜାକିକି ଓଡ଼ିଶାରୁ ପଳାୟନ କରିଥିଲା। କାରଣ ତାହାର ପ୍ରାୟ ଦୁଇ ଦଶକର ଠକାମି ପରେ ତାହାର ବିଜୁଳି ବେପାର ଲାଇସେନ୍ସକୁ ଓଡ଼ିଶା ସରକାର ବାତିଲ କରିଦେଇଥିଲେ। ମାଛତେଲରେ ମାଛ ଭାଜିକି ଓଡ଼ିଶାକୁ ତଥା ଓଡ଼ିଶାବାସୀଙ୍କୁ ପଟି ମାରିଥିବା ରିଲାଏନ୍ସ କମ୍ପାନୀର ଆଉ ଏକ ଭାଗୁଆଳି ସଂସ୍ଥା ରିଲାଏନ୍ସ ଟେଲିକମ୍‌ ଏବେ ୨୦୧୫ ମସିହା ଡିସେମ୍ବର ୧୨ ତାରିଖରେ ତାହାର 2G ଟେଲିକମ୍‌ ସେବା ଓଡ଼ିଶାରେ ବନ୍ଦ କରି ଦେଇଛି। 
ଅସଲ କଥା ହେଲା ଯେ ସେହି କମ୍ପାନୀ ବଂଗ, ବିହାର, ଓଡ଼ିଶା, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରଖିଥିବା ୯୦୦ ମେଗାହର୍ଜ ସ୍ପେକ୍ଟ୍ରମ୍‌ର ନବୀକରଣ କଲା ନାହିଁ। 3G ଓ 4G ସେବାରୁ ଉତ୍ତମ ଲାଭ ଉଠାଇବା ଲୋଭରେ ଲକ୍ଷଲକ୍ଷ 2G ଗ୍ରାହକଙ୍କ ଅଧିକାର କ୍ଷୁନ୍ନ କଲା। ବିଶେଷତଃ ଓଡ଼ିଶା ଗ୍ରାହକେ ସର୍ବାଧିକ କ୍ଷତିଗ୍ରସ୍ତ ହେଲେ। ସହରାଞ୍ଚଳର ଗ୍ରାହକମାନେ ଡିସେମ୍ବର ୧୨ ତାରିଖରୁ ୧୬ ତାରିଖ ଭିତରେ ନିଜ ରିଲାଏନ୍ସ ନମ୍ବରକୁ ସକ୍ରିୟ ରଖିବାରେ ବିକଳ୍ପର ସନ୍ଧାନ କରିବାରେ କିଛିଟା ସଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ପରିସ୍ଥିତି ଭିନ୍ନ ପ୍ରକାର ହୋଇଛି। ଗାଆଁଲୋକଙ୍କ ପାଖରେ ଦୌଡ଼ାଦୌଡ଼ି କରିବାକୁ ବେଳ ନାହିଁ କି ସୁବିଧା ନାହିଁ। ଅସଲ କଥା ହେଲା ଗତ ୧୦ ଦିନ ମଧ୍ୟରେ କିଛି ଗ୍ରାହକଙ୍କୁ SMS ପଠାଇ ସୂଚନା ଦେଇଥିଲେ ସୁଦ୍ଧା ଅନେକ ଗ୍ରାହକଙ୍କୁ ଆଦୌ ସୂଚନା ଦେଇ ନାହିଁ। ଏଥିପାଇଁ ସେହି କମ୍ପାନୀ ଗଣମାଧ୍ୟମ (ଖବରକାଗଜ, ଟିଭି)ର ସୁଯୋଗ ନେଇ ପାରିଥାଆନ୍ତା। କିନ୍ତୁ ଏପରି କିଛି କରି ନାହିଁ। ବରଂ ଅନ୍ୟ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀମାନଙ୍କ ବିଜ୍ଞାପନରୁ ଏହାର ସୁରାକ ମିଳିଲା। ଏପରିକି ଓଡ଼ିଶାର ଗଣମାଧ୍ୟମ ମଧ୍ୟ ଆଗୁଆ ସୂଚନା ଦେବାର କର୍ତ୍ତବ୍ୟ ସମ୍ପାଦନ କରି ନାହିଁ। ଫଳରେ ଏବେ ଅସୁବିଧାରେ ପଡ଼ିଛନ୍ତି ‘ଗଣ’। ଏକାଧିକ ଅସଂଗଠିତ କ୍ଷେତ୍ର ଭଳି ଟେଲିକମ୍‌ ଉପଭୋକ୍ତା (ବା ଗ୍ରାହକ)ମାନେ ମଧ୍ୟ ଅସଂଗଠିତ। ଏହି ଅନ୍ୟାୟ ବିରୋଧରେ ଏବେ କୌଣସି ରାଜନୀତିକ ନେତା ବା ଦଳ ଅଣ୍ଟା ଭିଡ଼ି ବାହାରିବେ କି? ରିଲାଏନ୍ସର ଅର୍ଥବଳ ଆଗରେ ସେମାନେ ମୁଣ୍ଡ ନୋଇବେନି ବୋଲି ଆମ୍ଭର ବିଶ୍ଵାସ।

ଏହି ଧୋକାବାଜ୍‌ ଟେଲିକମ୍‌ କମ୍ପାନୀର ଟେଲିକମ୍‌ ବେପାର ହେଉଛି ଏକ ଅସହିଷ୍ନୁତାର ନମୁନା। କାରଣ Airtel ଭଳି ଏହା ଏକ ଅଙ୍ଗୀକାରବଦ୍ଧ କମ୍ପାନୀ ନୁହେଁ। ବରଂ Airtelର ପ୍ରଗତିରେ ଅସହିଷ୍ନୁ ହୋଇ ଟେଲିକମ୍‌ ବେପାରରେ ପଶିଛି। ଲୋକଙ୍କୁ ଗ୍ରାହକ ବନେଇ, ଧପେଇବା ଓ ଲୁଟିବାର ଏକ ପ୍ରକ୍ରିୟା ଜାରି ରଖିଛି। ରିଲାଏନ୍ସ ଡିଜିଟାଲ (ପୂର୍ବରୁ ବିଗ୍‌ ଟିଭି ଡିଟିଏଚ୍‌) ମଧ୍ୟ ସେହିଭଳି ଏକ ଅସହିଷ୍ନୁ ପ୍ରକଳ୍ପ। ଭାରତର ଲୋକପ୍ରିୟ ଡିଟିଏଚ୍‌ ଭିତରେ ରିଲାଏନ୍ସ ଡିଜିଟାଲ ନାହିଁ। କେବଳ ଏକ ସୁଯୋଗ ମାଡ଼ିବସିବାକୁ ଲାଇସେନ୍ସ କରିକି ପ୍ରତିଦ୍ଵନ୍ଦ୍ଵିତାରୁ ନିଜକୁ ଦୂରେଇ ରଖିଛି। ଏହା ଦ୍ଵାରା ଟିଭି ଦର୍ଶକ/ଉପଭୋକ୍ତାଙ୍କୁ କୌଣସି ସୁବିଧା ହେଉନାହିଁ। ବରଂ ରିଲାଏନ୍ସ ଡିଟିଏଚ୍‌ ଫୋପାଡ଼ିକି ଅନ୍ୟ ଡିଟିଏଚ୍‌ ଆପଣାଉଛନ୍ତି ଗ୍ରାହକମାନେ। 

ଏବେ ସମୟ ଆସିଛି ଏକ ଅଭିନବ ବିଦ୍ରୋହ କରିବାର। ଓଡ଼ିଶାରୁ ସବୁପ୍ରକାର ରିଲାଏନ୍ସ ବେପାରକୁ ଖେଦିବାର। ରିଲାଏନ୍ସ ଟେଲିକମ୍‌ ଓଡ଼ିଶାର ପ୍ରଥମ ମୋବାଇଲ୍‌ ଫୋନ୍‌ ସେବାପ୍ରଦାନକାରୀ। ୧୯୯୮ରେ ବେପାର ଆରମ୍ଭ କରିଥିବା ଏହି କମ୍ପାନୀ ହ୍ୟାଣ୍ଡସେଟ୍‌ ଓ କଲ୍‌ ରେଟ୍‌ରେ ଏତେ ଲୁଟୁଥିଲା ଯେ ୨୦୦୦ ମସିହାରେ BSNL ମୋବାଇଲ ସେବା  ଆରମ୍ଭ କରିବା ପରେ, ଅଣନିଃଶ୍ଵାସୀ ରିଲାଏନ୍ସ ଗ୍ରାହକମାନେ BSNLକୁ ଖପ୍‌ଖାପ୍‌ ଡେଇଁବାରେ ଲାଗିଲେ। ଫଳରେ 98610 ସିରିଜ୍‌ର ନମ୍ବର ରଖିବାର ମୋହ ମିଳେଇଗଲା ପବନରେ। ବରଂ 94370 ସିରିଜ୍‌ ହିଁ ମର୍ଯ୍ୟାଦାର ପ୍ରତୀକ ହୋଇଗଲା। ୨୦୦୨ରେ ଯେତେବେଳେ Airtel ଓ Tata Indicom ଓଡ଼ିଶାକୁ ଆସିଲେ, ସେତେବେଳେ ଦୁଇ କମ୍ପାନୀର ପ୍ରଚାରଦୂତ ଥିଲେ ଯଥାକ୍ରମେ ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀ। ହେଲେ Airtelର 99370 ସିରିଜ୍‌ ନମ୍ବରର ମାୟା ଅନେକ ମୋବାଇଲ-ମନସ୍କ ଗ୍ରାହକଙ୍କୁ କିମିଆ କରିବାକୁ ଲାଗିଲା। ଫଳରେ ରାଜ୍ୟର ଏକ ନମ୍ବର ତଥା ସର୍ବବୃହତ୍‌ ଦୂରସଂଚାର କମ୍ପାନୀ ହେବାକୁ ମାତ୍ର ୪ ବର୍ଷ ଲାଗିଲା। ଏପରିକି ୨୦୦୮ ମସିହାରୁ ଏୟାରଟେଲ୍‌, ଭାରତର ନମ୍ବର 1 ଦୂରସଂଚାର କମ୍ପାନୀ ରୂପେ ନିଜର ସ୍ଥାନ ବଜାୟ ରଖିଛି। ହେଲେ ରିଲାଏନ୍ସ ଯେତେ ଛେଚି କୁଟି ହେଲେ ବି ତିନି ନମ୍ବର ସ୍ଥାନକୁ ମଧ୍ୟ ଆସି ପାରୁ ନାହିଁ। UPA-2 ସରକାର ବେଳେ ଗଫଲତି କରି 3G ସ୍ପେକ୍ଟ୍ରମ୍‌ ହାତେଇଥିଲା ରିଲାଏନ୍ସ। ତାହାକୁ ଆଜି ସୁଦ୍ଧା ସାରା ଦେଶରେ କାମରେ ଲଗାଇ ପାରୁ ନଥିବାରୁ ସେହି ସ୍ପେକ୍ଟ୍ରମ୍‌ ହାତଛଡ଼ା ନକରିବା ପାଇଁ 2G ବେପାରରେ ପୂର୍ଣଛେଦ ଟାଣିବାକୁ ନିଷ୍ପତ୍ତି କଲା। ହେଲେ, ଏତେ ବଡ଼ ଦେଶରେ ଲକ୍ଷ ଲକ୍ଷ ଗ୍ରାହକ କାହିଁକି ହଇରାଣ ହେବେ ? ପୁଣି ଖାସ୍‌ କରି ଓଡ଼ିଶାରେ ଏହି ସଂକଟ ଏତେ ଗୁରୁତର କାହିଁକି ହେଲା ?

୨୦୧୨ ମସିହାରେ ମଧ୍ୟ ଓଡ଼ିଶାରୁ ୨ଟି ନୂଆ ଟେଲିକମ୍‌ କମ୍ପାନୀ ପେଡିପୁଟୁଳା ବାନ୍ଧିକି ବିଦାୟ ନେଇଥିଲେ। ସେ ଦୁଇଟି ହେଉଛି UninorSTel । 2G ସ୍ପେକ୍ଟ୍ରମ୍‌ ଦୁର୍ନୀତି ମାମଲାରେ ଫସିଥିଲେ ସେହି ଦୁଇ ନୂଆ କମ୍ପାନୀ। ସେମାନଙ୍କର ଲାଇସେନ୍ସ ରଦ୍ଦ ହେବା ପରେ ଅଳ୍ପ କେତୋଟି ସହରରେ ଆରମ୍ଭ କରିଥିବା ଟେଲିଯୋଗାଯୋଗ ସେବାରୁ ବିଦାୟ ନେଇଥିଲେ। ହେଲେ ସେମାନେ ଏମିତି ଧୋକାବାଜି କରି ନଥିଲେ। ବରଂ ଖୁବ୍‌ ଆଗରୁ ସବୁ ଗ୍ରାହକଙ୍କୁ ସୂଚନା ଦେଇଥିଲେ। ହେଲେ, ଏତେ ବଡ଼ ଓ ପୁରୁଣା କମ୍ପାନୀ ହୋଇ ସୁଦ୍ଧା ରିଲାଏନ୍ସ ବେଇମାନୀ କରିବାଟା ଅତ୍ୟନ୍ତ ଦୁଃଖଦାୟକ ।

ରିଲାଏନ୍ସ ପାଖରେ 1800 Mhz ବ୍ୟାଣ୍ଡ୍‌ର ଯେତିକି ସ୍ପେକ୍ଟ୍ରମ୍‌ ଅଛି, ତାହା ଓଡ଼ିଶା ଓ ଉତ୍ତର-ପୂର୍ବର ସବୁ 2G ଗ୍ରାହକଙ୍କୁ ଧରି ରଖିବାକୁ ଅକୁଳାଣ ହେଉଛି। ତେଣୁ ତରବରିଆ ଭାବେ କିଛି ଗ୍ରାହକଙ୍କୁ MNP (ମୋବାଇଲ ନମ୍ବର ପୋର୍ଟେବିଲିଟି) କରିବାକୁ ନିବେଦନ କରିଛି। କିନ୍ତୁ ନମ୍ବର ପୋର୍ଟେବିଲିଟି ପାଇଁ ଯେଉଁ ୧୦ ଦିନ ସମୟ ଲାଗିବ, ଯେଉଁ ଦୌଡ଼ାଦୌଡ଼ି କରିବାକୁ ପଡ଼ିବ, ଯୋଗାଯୋଗ ରଖିବାରେ ନିଜ ଆତ୍ମୀୟ-ବନ୍ଧୁ-ପରିଜନମାନଙ୍କ ଠାରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡ଼ିବ, ତାହାର ଭରଣା କିଏ କରିବ? ସେହି କମ୍ପାନୀରେ Corporate Communication ଇତ୍ୟାଦି ଭଳିକି ଭଳି Communication ବିଶେଷଜ୍ଞମାନେ ଅଫିସର ଚାକିରିରେ ମୋଟା ଅଙ୍କ ଦରମାରେ ଥିବେ। ହେଲେ ସେମାନେ କଲେ କ’ଣ? ଏହା ହେଉଛି ଏ ଦେଶର ବିଡ଼ମ୍ବନା। ଜନସାଧାରଣ ତଥା ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବାର ସର୍ବନିମ୍ନ ସୂତ୍ର ଜାଣୁ ନଥିବା ଓ ସାଧୁତା ନଥିବା ଅଫିସରମାନେ ଏତେ ବଡ଼ ଅପରାଧ ପାଇଁ ଦାୟୀ ନୁହଁନ୍ତି କି?

Made in China ଡୁଆଲ ସିମ୍‌ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ ଓଡ଼ିଶା ବଜାରକୁ ତଥା ଭାରତର ବଜାରର ପରିଭାଷା ବଦଳାଇଦେଇଛି। ଭାରତୀୟଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି, ହେଲେ ଏବେ ବି ଓଡ଼ିଶାର ଗ୍ରାମାଞ୍ଚଳରେ ଲକ୍ଷଲକ୍ଷ ନାଗରିକ ସିଙ୍ଗଲ୍‌ ସିମ୍‌ ମୋବାଇଲଫୋନ୍‌ ବ୍ୟବହାର କରୁଛନ୍ତି। ଯେଉଁମାନେ ଏହି Reliable ରିଲାଏନ୍ସ୍‌ ଉପରେ ଭରସା କରି ନମ୍ବର ରଖିଥିଲେ, ସେମାନେ କି କଲବଲ ହେଉଥିବେ, ଟିକେ ଭାବନ୍ତୁତ?

ଚିଟ୍‌ ଫଣ୍ଡ୍‌ ସଂସ୍ଥା ହଠାତ୍‌ ଭଡ଼ାଘର ଛାଡ଼ି ଦେଇ ଭିତରେ ଲୁଙ୍ଗି ଗାମୁଛା ଶୁଖାଇକି ନିଖୋଜ ହୋଇଗଲେ, କେତେ ନାଟ ଲାଗିଯାଉଛି; ହେଲେ ରିଲାଏନ୍ସ କାହିଁକି ସେଥିରୁ ବାଦ୍‌ ଯିବ? ସେ ବଦ୍‌ମାସ୍‌ କମ୍ପାନୀ ଏବେ ବି ଗଣମାଧ୍ୟମରେ କ୍ଷମା ମାଗି ନାହିଁ। ଏୟା କ’ଣ ଏକ ସଭ୍ୟ ଦୁନିଆର, ଏକ ସଭ୍ୟ ଦେଶର ନମୁନା? ଓଡ଼ିଶା ସର୍କଲରେ ଯିଏ ରିଲାଏନ୍ସ ମୁଖ୍ୟ ଅଛନ୍ତି, ତାଙ୍କୁ ଓଡ଼ିଶାବାସୀ ଆଦୌ ପ୍ରଶ୍ନ ନକରିବା ବା ନଗୋଡ଼ାଇବା କ’ଣ ଓଡ଼ିଶାବାସୀଙ୍କ ସହିଷ୍ନୁତାର ଲକ୍ଷଣ ବୋଲି ଧରାଯିବ?

ଏକବିଂଶ ଶତାବ୍ଦୀରେ ମଧ୍ୟ ଏଭଳି ବଡ଼ଧରଣର ଠକେଇ ହେଉଛି ଏବଂ ଆମେ ଆଖି ମିଟିମିଟି କରି ଦେଖୁଛୁ; ଅଥଚ ମୁହଁ ଖୋଲି ପାରୁନୁ କି ପଦେ ପ୍ରତିକ୍ରିୟା ଲେଖୁ ନାହୁଁ! ଅବଶ୍ୟ, ଆଇନଅଦାଲତର ଆଶ୍ରୟ ନେଲେ, ରିଲାଏନ୍ସକୁ ପାରିହେବନି। କାରଣ ତା’ ପାଖରେ ପ୍ରବଳ ଟଙ୍କା ଅଛି। ତେଣୁ ଆଇନ ତା’ସପକ୍ଷରେ ଯିବ। ତେବେ ଟାଣୁଆ ଓକିଲ ହେଲେ ହିଁ ଆମ୍ଭର ନୈରାଶ୍ୟ, ମିଛ ପ୍ରମାଣିତ ହୋଇଯିବ। କିନ୍ତୁ ଓଡ଼ିଶାରେ ଓକିଲ କାହାନ୍ତି, ଏତେ ବଡ଼ ଘଟଣାରେ ଲଢ଼ିବାକୁ? ଯିଏବି ଅଛନ୍ତି ବୋଲି ଆପଣ କହୁଛନ୍ତି, ସେମାନେ ମୂଲଚାଲ ହେବାକୁ ବେଶି ସମ୍ବଳ ବା ସମୟ ଲାଗିବନି। ତାମିଲ ଓ ତେଲୁଗୁ ଓକିଲଙ୍କ ଦୃଢ଼ଆତ୍ମପ୍ରତ୍ୟୟ ଓ ଆଇନପଟୁତା ସମ୍ପନ୍ନ ଓକିଲ ଯଦି ଏ ରାଜ୍ୟରେ ଥାଆନ୍ତେ, ତେବେ ଆମର(ଓଡ଼ିଶାର) ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦା କେତେ ନା କେତେ ଉପରେ ଥାଆନ୍ତା। କିନ୍ତୁ ତାହା ଆଜି ସୁଦ୍ଧା ସମ୍ଭବ ହୋଇ ନାହିଁ। କାରଣ, କୌଣସି ଓଡ଼ିଆ ଓକିଲ ଆଜି ସୁଦ୍ଧା ଭାରତର ସମ୍ବିଧାନ ବା କୌଣସି କେନ୍ଦ୍ରୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରି ନାହାନ୍ତି। ରାଜନେତା ଓ ଓକିଲ ପରେ ରହିଲେ ୟୁନିଅନ୍‌ ନେତା। ବିଭିନ୍ନ ୟୁନିଅନ୍‌ଗୁଡ଼ିକ ଦିନକୁ ଦିନ ଭୁଶୁଡୁଥିବା ବେଳେ ଏହି ଉପଭୋକ୍ତା ଆନ୍ଦୋଳନକୁ କେହି ନେତୃତ୍ଵ ଦେଇ ପାରିବେ କି? ଆପଣ କ’ଣ ଭାବୁଛନ୍ତି?

ବନ୍ଦେ ଉତ୍କଳ ଜନନୀ


ନିବେଦକ: ବିମଳ ପ୍ରସାଦ, ଭୁବନେଶ୍ଵର
କଥା ହୁଅନ୍ତୁ: 9937353293

कोई टिप्पणी नहीं:

एक टिप्पणी भेजें