24 नवंबर 2015

ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍


‘ବିକଳ୍ପ ବିଶ୍ୱ’ ସଂପାଦକୀୟ ସ୍ତମ୍ଭରେ ୨୦ ନଭେମ୍ବର ୨୦୧୫ର ‘ସମ୍ବାଦ’ରେ  ପ୍ରକାଶିତ
ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍
ଭଗବାନ ପ୍ରକାଶ, bhagbanprakash@gmail.com

ମ ଦେଶର ରାଜନୀତି ରଂଗମଞ୍ଚରେ ଏବେ ଦୁଇଟି ଶବ୍ଦର ବହୁଳ ଅପବ୍ୟବହାର ହେଉଛି ଗୋଟିଏ ହେଲା ହିନ୍ଦୁତ୍ୱବାଦୀଓ ଅନ୍ୟଟି ପାକିସ୍ତାନୀପ୍ରଥମଟି ଜଣକର ଧର୍ମ ଓ ଦ୍ୱିତୀୟଟି ଦେଶ ପ୍ରେମ ତଥା ଜାତୀୟତା ପ୍ରତି ଉପହାସ। ଏବଂ ଉଭୟ ଶବ୍ଦ ନିଜ ନିଜର ପ୍ରକୃତ ଅର୍ଥ ହରାଇ ଏବେ ଗାଳିଭାବରେ ବ୍ୟବହୃତ ହେଉଛନ୍ତି। ତୃତୀୟ ଶବ୍ଦ ବା ଗାଳିଟି ସୁଡ଼ୋ ସେକ୍ୟୁଲାରବା ନକଲି ଧର୍ମନିରପେକ୍ଷବାଦୀ। ଆମ ଦେଶର ସାଧାରଣ ଲୋକଙ୍କ ଅପେକ୍ଷା ଶିକ୍ଷିତ ଲୋକେ ଅଧିକ ଗାଳି ପ୍ରିୟ ଓ ଅସହିଷ୍ଣୁ। ଗଣମାଧ୍ୟମରେ ଏହାକୁ ଅତିରଂଜିତ କରି ପ୍ରକାଶ କରାଯାଏ। ତାକୁ ଦେଖି, ପଢ଼ି, ଶୁଣି ଲୋକେ ଉତ୍ତେଜିତ ହୋଇ ପଡ଼ନ୍ତି। ଧର୍ମ ଓ ଜାତୀୟତା ଉପରେ ପ୍ରଶ୍ନ ଏକ ସ୍ପର୍ଶକାତର ବିଷୟ। ଏହା ଉଭୟ ଉନ୍ମାଦନା ଓ ଉନ୍ମାଦମାନଙ୍କୁ ସୃଷ୍ଟିକରେ ସ୍ଥାନୀୟ ଘଟଣାକୁ ଜାତୀୟ ଓ ଅନ୍ତର୍ଜାତୀୟ ରୂପ ଦେଇଥାଏ। ଏକଦା ‘‘ହିନ୍ଦୁ, ହିନ୍ଦୀ, ହିନ୍ଦୁସ୍ତାନ’’ - ଏହି ପରି ଏକ ରାଜନୈତିକ ସ୍ଲୋଗାନ୍ ଥିଲା କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେ ନାହିଁ କାରଣ ଏହା ଭାରତୀୟ ଦର୍ଶନ ଓ ବିଚାରଧାରାର ପରିପନ୍ଥୀ ଥିଲା

ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟହିନ୍ଦ୍ସ୍ଲୋଗାନ ଦେଲେ, ଏହି ପ୍ରେରଣାଦାୟୀ ଓ ଆକର୍ଷଣୀୟ ବାକ୍ୟାଂଶଟି ଧର୍ମ, ମତ, ପନ୍ଥ ନିର୍ବିଶେଷରେ ସବୁ ଭାରତୀୟଙ୍କ ଜିଭ ଅଗରେ ଲାଖି ରହିଗଲା। ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା, ପ୍ରବକ୍ତା ଆଚାର୍ଯ୍ୟ ବିନୋବା ଭାବେ ଥିଲେ ଜଣେ ପଣ୍ଡିତ ଓ ନିଷ୍ଠାପର ହିନ୍ଦୁ। ନେତାଜୀଙ୍କ ଠାରୁ ଆଉ ଦୁଇ ପାଦ ଆଗେଇ ଯାଇ ସ୍ଲୋଗାନ୍ ଦେଲେ ‘‘ଜୟ ଜଗତ୍’’ଜନପ୍ରିୟ ଉର୍ଦ୍ଦୁ କବି ମହମ୍ମଦ ଆଲାମ ଇକ୍‌ବାଲ୍‌ ଥିଲେ ନିଷ୍ଠାପର ମୁସଲ୍‌ମାନ। ତାଙ୍କର ଦେଶାତ୍ମବୋଧକ ପଦ୍ୟ ‘‘ସାରେ ଜହାଁସେ ଅଛା - ହିନ୍ଦୋସ୍ତାନ ହମାରା’’କୁ ଲୋକେ ଜାତୀୟ ସଂଗୀତ ଭଳି ଗାଆନ୍ତି। ସେମିତି ‘‘ଜୟହିନ୍ଦ୍’’ ସ୍ଲୋଗାନ୍‌ର ପ୍ରକୃତ ରଚୟିତା ଥିଲେ ନେତାଜୀଙ୍କ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ମେଜର ଆବିଦ୍ ହାସାନ ସାଫ୍ରାନି। ସେ ପ୍ରଥମେ ଲେଖିଥିଲେ- ‘‘ଜୟ ହିନ୍ଦୋସ୍ତାନ୍ କି’’ପରେ ଏହାକୁ ଛୋଟ କରି କରାଗଲା-‘‘ଜୟହିନ୍ଦ୍’’

ସେମିତି ହିନ୍ଦୁସ୍ତାନର ମୂଳ ହେଲା ଭୂଗୋଳ ଓ ଇତିହାସ, ଧର୍ମ ନୁହେ। ପାର୍ସୀ ବା ଇରାନୀ ଭାଷାରେ ସିନ୍ଧୁ ନଦୀକୁ କୁହାଯାଏ ହିନ୍ଦୁସ୍ ଏବଂ ସିନ୍ଧୁ ନଦୀର ଦକ୍ଷିଣରେ ଥିବା ହିମାଳୟରୁ ବିନ୍ଧ୍ୟାଚଳ ପଯର୍ୟନ୍ତ ଅଂଚଳକୁ ହିନ୍ଦୋସ୍ତାନ। ଚାଇନିଜ୍ ମାନେ ଏହି ଅଂଚଳକୁ କହନ୍ତି-ହେଣ୍ଟୁ (Hein-tu)ମୋଗଲ ଶାସନ ବେଳେ ହିନ୍ଦୁ ଓ ହିନ୍ଦୋସ୍ତାନ ଶବ୍ଦ ଦୁଇଟିର ବହୁଳ ପ୍ରୟୋଗ ହେଲା। ଷୋଡ଼ଶ ଶତାବ୍ଦୀ ବେଳକୁ ଦକ୍ଷିଣ ଏସିଆରେ କେବଳ ତୁର୍କି ଓ ମୁସ୍‌ଲମାନ୍‌ଙ୍କୁ ଛାଡ଼ି, ଆଉ ସମସ୍ତଙ୍କୁ କୁହାଗଲା ହିନ୍ଦୁ। କାଳକ୍ରମେ ଏହି ବିଦେଶୀ ନାମଟି ସ୍ୱଦେଶୀ ହୋଇଗଲା। ଧର୍ମର ନାଁ ହେଲା ହିନ୍ଦୁ, ଭାଷା ହିନ୍ଦୁସ୍ତାନୀ। ଏହା ପରେ ସବୁ ଭାରତୀୟଙ୍କୁ କୁହାଗଲା ହିନ୍ଦୁସ୍ତାନୀ ଓ ଇଣ୍ଡିଆନ୍। ତେଣୁ ଏବେ ସୁପରଷ୍ଟାର୍ ଶାହାରୁଖ୍ ଖାନ୍ କହିଛନ୍ତି - ମୁଁ ହିନ୍ଦୁ ନୁହେଁ, କିନ୍ତୁ ହିନ୍ଦୁସ୍ତାନୀ। ଅଭିନେତା ସଲମାନ୍ ଖାନ୍ କହନ୍ତି ମୁଁ ଅଧା ହିନ୍ଦୁ, ଅଧା ମୁସଲମାନ୍ କିନ୍ତୁ ପୂରା ହିନ୍ଦୁସ୍ତାନୀ। ମୋଗଲ ବାଦଶାହ ଜାହାଙ୍ଗୀର ବି ଏହିପରି କହୁଥିଲେ। ଦେଶରେ ଏହି ହିନ୍ଦୁସ୍ତାନୀଙ୍କ ସଂଖ୍ୟା ଏବେ ପ୍ରାୟ ୧୨୪ କୋଟି। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ସୱା-ଶୋ କରୋଡ଼୍‌ ଦେଶବାସୀ। ପୃଥିବୀ ପୃଷ୍ଠର ପ୍ରକୃତ ମହାଭାରତ।

ବିଦେଶରୁ ଆସିଥିବା ହିନ୍ଦୁଶବ୍ଦଟି ପ୍ରାୟ ଅଢ଼େଇ ହଜାର ବର୍ଷ ପୁରୁଣା ଥିଲା ବେଳେ, ‘ହିନ୍ଦୁତ୍ୱଶବ୍ଦଟିର ସୃଷ୍ଟି ୧୯୨୩ ମସିହାରେ। ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲ୍‌ରେ ଥିଲା ବେଳେ ବିନାୟକ ଦାମୋଦର ସାଭରକର ହିନ୍ଦୁତ୍ୱ: କିଏ ସେ ହିନ୍ଦୁ?ଶୀର୍ଷକ ପୁସ୍ତିକା ଲେଖିଥିଲେ। ଏଥିରେ ସେ ଏକ ହିନ୍ଦୁ ରାଷ୍ଟ୍ର ଓ ଅଖଣ୍ଡ ଭାରତର ପରିକଳ୍ପନା କରିଥିଲେଯେତେବେଳେ ଭାରତ ଦିଖଣ୍ଡ ହୋଇଗଲା ଓ ଧର୍ମଭିତ୍ତିରେ ପାକିସ୍ତାନ ଓ ଧର୍ମ ନିରପେକ୍ଷ ଭାରତ ସୃଷ୍ଟିହେଲା, ସାଭରକରଙ୍କ ଅନୁଗାମୀମାନେ ନିଜକୁ ପ୍ରତାରିତ ଭାବିଲେ। ପାକିସ୍ତାନରୁ ଲକ୍ଷ ଲକ୍ଷ ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନେ ଭାରତକୁ ପଳାଇ ଆସିବା ପରେ ଏହି ସମସ୍ୟା ଆହୁରି ଉଷ୍ମ ଓ ଜଟିଳ ହେଲା। ସ୍ୱଭାବରେ ସହିଷ୍ଣୁ ଓ ଧର୍ମପରାୟଣ ହିନ୍ଦୁମାନଙ୍କୁ ଆଉ ଥରେ ଏକାଠି କରିବାକୁ ଉଦ୍ୟମ ହେଲା ଧର୍ମ ନାମରେ। ଗାନ୍ଧୀଙ୍କ ବିଚାର ସାଭରକରଙ୍କ ଠାରୁ ଅଲଗା ଥିଲା। ସେ ହିନ୍ଦୁ ଧର୍ମର ଅନ୍ତର୍ନିହିତ ସତ୍ୟ, ଅହିଂସା, ତ୍ୟାଗ, ସର୍ବ ଧର୍ମ ସମ ଭାବ, ସର୍ବତ୍ର ଭୟ ବର୍ଜନ ଇତ୍ୟାଦି ମୂଲ୍ୟବୋଧଗୁଡ଼ିକ ଦ୍ୱାରା ସବୁ ହିନ୍ଦୁସ୍ତାନୀଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରୁଥିଲେ। ସର୍ବୋଦୟ ଓ ସ୍ୱରାଜ୍ୟ ବିଚାରଧାରା ଏଇଥିରୁ ସୃଷ୍ଟି। ଉଭୟେ ଥିଲେ ପ୍ରଚଣ୍ଡ ଦେଶପ୍ରେମୀ ଓ ନିଷ୍ଠାପର ହିନ୍ଦୁ। କିନ୍ତୁ ବିଚାର ଅଲଗା- ହିନ୍ଦୁ ଓ ହିନ୍ଦୁତ୍ୱ ଭଳି। ୟଙ୍ଗ୍ ଇଣ୍ଡିଆରେ ଗାନ୍ଧୀ ଲେଖିଛନ୍ତି : ମୋ ଧର୍ମକୁ ମୁଁ ନିଜ ସ୍ତ୍ରୀ ଭଳି ଭଲପାଏ। ଏହାର ଅର୍ଥ ନୁହେଁ ଯେ ମୋ ସ୍ତ୍ରୀ ଭଳି ମୋ ଧର୍ମରେ କୌଣସି ଦୋଷତ୍ରୁଟି ନାହିଁ ସେ ସବୁକୁ ସୁଧାରିବା ମୋର କର୍ତ୍ତବ୍ୟ। ଛାଡ଼ି ପଳାଇବା ନୁହେଁ କିଏ ସେ ପ୍ରକୃତ ହିନ୍ଦୁ? ଦି ଧାଡ଼ି ପଦ୍ୟରେ ଏହାର ସରଳ ଉତ୍ତର ଦେଇଛନ୍ତି ଉତ୍କଳମଣି ଗୋପବଂଧୁ। ‘‘ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ - ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ’’ ପୁଣି ଲେଖିଛନ୍ତି: 
ଛାଡ଼ ଏବେ ମନୁ ଭେଦ ଅଭିମାନ 
ବେଦ କୋରାନରେ କର ସମଜ୍ଞାନ 
ହିନ୍ଦୁ ମୁସଲ୍‌ମାନ ବୌଦ୍ଧ ଖ୍ରୀଷ୍ଟିଆନ 
ଶିଖ ଜୈନ ସବୁ ଭାରତ ସନ୍ତାନ 
ଯେତେ ଧର୍ମ, ଯେତେ ବର୍ଣ୍ଣ, ଜାତି, କୁଳ 
ଭାରତ ଜନନୀ ସମସ୍ତଙ୍କ ମୂଳ।

ସାଭରକରଙ୍କ ହିନ୍ଦୁତ୍ୱ ପୁସ୍ତିକାର ପ୍ରାୟ ୨୦ବର୍ଷ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଏହି ମହାନ୍ ହିନ୍ଦୁ  ସନ୍ନ୍ୟାସୀ ତାଙ୍କ ଓଜସ୍ଵିନୀ ଭାଷଣ ମାଧ୍ୟମରେ ଅସଲି ହିନ୍ଦୁତ୍ୱର ପ୍ରଚାର ଓ ନକଲି ହିନ୍ଦୁତ୍ୱ ଉପରେ ବାରମ୍ବାର ପ୍ରହାର କରିଥିଲେ। କହୁଥିଲେ ଅସଲି ହିନ୍ଦୁ, ଧର୍ମ ପ୍ରଚାର ଓ ଧର୍ମପରିବର୍ତ୍ତନରେ ବିଶ୍ୱାସ କରେ ନାହିଁ। ନିଜ ବିଚାର ଧାରାକୁ ଅନ୍ୟ ଉପରେ ଲଦି ଦିଏ ନାହିଁ। ସେମିତି କୌଣସି ଧର୍ମ ଏତେ ସନ୍ଥ, ସନ୍ନ୍ୟାସୀ ଓ ଦାର୍ଶନିକ, ମୁନି, ଋଷିଙ୍କୁ ଜନ୍ମ ଦେଇନାହିଁ, ଏତେ ଶାସ୍ତ୍ର ରଚନା କରିନାହିଁ, ମୋକ୍ଷ ବା ମୁକ୍ତିକୁ ଜୀବନର ସର୍ବୋତ୍ତମ ଲକ୍ଷ୍ୟ ବୋଲି ଘୋଷଣା କରିନାହିଁ। କିନ୍ତୁ ତା ସହ ଅନ୍ୟ କୌଣସି ଧର୍ମରେ ଏତେ ଭେଦଭାବ, କୁସଂସ୍କାର, ଅନ୍ଧବିଶ୍ୱାସ, ରୀତି, ନୀତି, ଆନୁଷ୍ଠାନିକ ବିଧିବିଧାନ ନାହିଁ। ଏଗୁଡ଼ିକ ହିନ୍ଦୁଧର୍ମର ପ୍ରକୃତ ଆତ୍ମା ଓ ଶରୀରକୁ ଆବୃତ କରି ରଖିଛନ୍ତି।

ପରବର୍ତ୍ତୀ କାଳରେ ଦାର୍ଶନିକ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ ତାଙ୍କର ‘‘ହିନ୍ଦୁ ଜୀବନ ଦର୍ଶନ (୧୯୨୬) ପୁସ୍ତକରେ ଲେଖିଛନ୍ତି ହିନ୍ଦୁଧର୍ମ ବିବିଧ ବିଚାରଧାରାର ଏକ ସଂଘ ଯାହାଙ୍କୁ ଐକ୍ୟ ସୂତ୍ରରେ ବାନ୍ଧି ରଖିଛନ୍ତି ବେଦାନ୍ତ, ଉପନିଷଦ, ବ୍ରହ୍ମସୂତ୍ର ଓ ଭଗବତ୍‌ଗୀତା, ଆତ୍ମା, ପରମାତ୍ମା ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା ଓ ପୁନର୍ଜନ୍ମରେ ବିଶ୍ୱାସ ଏବଂ ଏହାର ସମୃଦ୍ଧ ତର୍କ-ବିତର୍କ ପରମ୍ପରା। ପ୍ରକୃତ ଅର୍ଥରେ ଏହା ଧର୍ମ ନୁହେଁବରଂ ଏକ ଜୀବନ ଶୈଳୀ। ଏଇଥିପାଇଁ ଗତ ତିନି ହଜାର ବର୍ଷ ହେଲା ଚୀନ୍, ଜାପାନ୍, ତିବ୍ବତ, ଥାଇଲାଣ୍ଡ, କାମ୍ବୋଡ଼ିଆ, ନେପାଳ, ଭୁଟାନ, ବର୍ମା, ଶ୍ରୀଲଙ୍କାରେ ବସବାସ କରୁଥିବା ପୃଥିବୀର ଅର୍ଧାଧିକ ଲୋକ ଭାରତକୁ ଆଧ୍ୟାତ୍ମିକ ଆଶ୍ରୟସ୍ଥଳ ବୋଲି ଭାବନ୍ତି। ଚାଇନିଜ୍ ବୌଦ୍ଧ ମାନେ ଭାରତକୁ କହନ୍ତି ଇଣ୍ଡୋରେନ୍ ଅର୍ଥାତ୍ ପ୍ରାଚୀନ ଦେବଭୂମି। ଜାପାନୀମାନେ କହନ୍ତି ‘‘ତେଂଜିକୁ’’ ବା ସ୍ୱର୍ଗ ପରି ଦେଶ। ସେଇ ଇଣ୍ଡୋରେନ୍ବା ତେଂଜିକୁପଛରେ ଥିବା ଉଦାର ବିଚାରଧାରା ହେଉଛି ହିନ୍ଦୁତ୍ୱର ପ୍ରକୃତ ପରିଚୟ। ସେଇଥିପାଇଁ ଦଲାଇଲାମା ଓ ତସ୍‌ଲିମା ନସରିନ୍ ଏଠାରେ ଆଶ୍ରୟ ନେଇଛନ୍ତି। ପାର୍ସୀ ଓ ଇହୁଦୀମାନେ ନିଜ ଦେଶ ଛାଡ଼ି ଏଠି ରହୁଛନ୍ତି। କାରଣ ଭାରତ ହିନ୍ଦୁ ରାଷ୍ଟ୍ର ନୁହେ- ହିନ୍ଦୁସ୍ତାନ। ଏଇଥିପାଇଁ ମୁସଲିମ ବହୁଳ କାଶ୍ମୀର, ଖ୍ରୀଷ୍ଟିଆନ ବହୁଳ ନାଗାଲାଣ୍ଡ ଓ ବୌଦ୍ଧ ବହୁଳ ସିକିମ୍ ଭାରତର ଅଙ୍ଗ ହୋଇ ରହିଛିରାମକୃଷ୍ଣ ପରମହଂସ କହୁଥିଲେ ସ୍ନେହୀ ମା ଯେମିତି ନିଜ ପିଲାଙ୍କ ରୁଚି ଅନୁସାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରଷିଥାନ୍ତି, ହିନ୍ଦୁ ବିଚାରଧାରା ଭିନ୍ନ ମତାବଲମ୍ବୀମାନଙ୍କ ବିଚାରକୁ ସମ୍ମାନ ଦେଇଥାଏ। ସେଇ ଦୃଷ୍ଟିରୁ ବସୁଧୈବ କୁଟୁମ୍ବକମ୍ ଓ ହିନ୍ଦୁରାଷ୍ଟ୍ର ମଧ୍ୟରେ ବିରୋଧାଭାଷ ରହିଚି। ଗାନ୍ଧୀ କହୁଥିଲେ ମୁଁ ଗୋ ରକ୍ଷାରେ ବିଶ୍ୱାସ କରେ କିନ୍ତୁ ଆଇନ୍ ଦ୍ୱାରା ମୋ ଧର୍ମର ଖାଦ୍ୟ ଅଭ୍ୟାସକୁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଲଦିବାକୁ ଚାହେଁ ନାହିଁ।

ଚର୍ଚ୍ଚରେ କ୍ୟାଣ୍ଡଲ ଜାଳିଲେ, ମସ୍‌ଜିଦ୍‌ ଆଗରେ ମଥା ନୁଆଁଇଲେ, ଗୁରୁଦ୍ୱାରରେ କରସେବା କଲେ, ଜଣେ ହିନ୍ଦୁର ହିନ୍ଦୁତ୍ୱ ଚାଲିଯାଏ ନାହିଁ। କିନ୍ତୁ ଲେଖକଙ୍କ ମୁହଁରେ କଳା ବୋଳିଲେ, କବିଙ୍କୁ କୁହାଇ ନଦେଲେ, ସଙ୍ଗୀତଜ୍ଞଙ୍କୁ ଗାଇବାକୁ ନଦେଲେ, ହେତୁବାଦୀଙ୍କୁ ହତ୍ୟା କଲେ ଅସଲି ହିନ୍ଦୁତ୍ୱର ମର୍ଯ୍ୟାଦା ନଷ୍ଟ ହୁଏ। ସେମିତି ଯେଉଁ ମୁସଲମାନଙ୍କ ବିଚାର ଓ ଅଭ୍ୟାସ ଆମ ଠାରୁ ଭିନ୍ନ, ତାଙ୍କୁ ପାକିସ୍ତାନୀ କହିବା ଏବଂ ତାଙ୍କ ଜନସଂଖ୍ୟା ବୃଦ୍ଧି ବିରୁଦ୍ଧରେ କହିବା ଦ୍ୱାରା ହିନ୍ଦୁତ୍ୱର ସମ୍ମାନ ବଢ଼ିଯାଏ ନାହିଁ। ଜନସଂଖ୍ୟା ବୃଦ୍ଧିର ଅର୍ଥନୈତିକ କାରଣ, ଗରିବୀ ଓ ନିରକ୍ଷରତା। ଏମିତି ହିନ୍ଦୁଙ୍କ ଅପେକ୍ଷା ମୁସ୍‌ଲିମ୍‌ ସଂପ୍ରଦାୟରେ ଗରିବ ଓ ନିରକ୍ଷରଙ୍କ ସଂଖ୍ୟା ଅଧିକ ଏବଂ ମହିଳାଙ୍କ ସାମାଜିକ ସ୍ଥିତି ଅଧିକ ଦୁର୍ବଳ। ଜନସଂଖ୍ୟା ବୃଦ୍ଧି ସହ ଧର୍ମର ସମ୍ପର୍କ ନାହିଁ।

ଅସଲି ହିନ୍ଦୁତ୍ୱ କେବେହେଲେ ନୂଆ ବିଚାର ଧାରାର ଗଳା ଚିପି ନାହିଁ। ବରଂ ବୌଦ୍ଧ, ଜୈନ ଓ ଶିଖ ଭଳି ତିନିଟି ନୂଆ ଧର୍ମକୁ ଜନ୍ମ ଦେଇଛି, ଇସ୍‌ଲାମ ଓ ଖ୍ରୀଷ୍ଟିଆନିଟିକୁ ପ୍ରଭାବିତ କରିଛି। ଯେମିତି ବ୍ରାହ୍ମଣ ଓ ବ୍ରାହ୍ମଣବାଦ ଅଲଗା, ସମାଜବାଦ ଓ ସମାଜବାଦୀ ଅଲଗା, ମାର୍କ୍ସ ଓ ମାର୍କ୍ସବାଦୀ ଅଲଗା, ଧର୍ମ ଓ ଧର୍ମାନ୍ଧତା ଅଲଗା, ଖିର ଓ ପାଣି ଅଲଗା ସେମିତି ହିନ୍ଦ୍ ଓ ହିନ୍ଦୁତ୍ୱ ଅଲଗା। ହିନ୍ଦୁମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରବର୍ତ୍ତକ ବା ପ୍ରଫେଟ୍ ନାହାନ୍ତି, ଯୀଶୁ, ମହମ୍ମଦ, ବୁଦ୍ଧଙ୍କ ଭଳି। ନିର୍ଦ୍ଦିଷ୍ଟ ଏକ ଦେବତା, ଧର୍ମଗ୍ରନ୍ଥ ବା ଏକପ୍ରକାର ଧାର୍ମିକ ରୀତିନୀତି ନାହିଁ। ଅଷ୍ଟମ ଶତାବ୍ଦୀରୁ କ୍ରମାଗତ ଆକ୍ରମଣ, ଲୁଣ୍ଠନ, ବିଦେଶୀ ଶାସନ ଓ ସଂସ୍କୃତିର ପ୍ରଭାବ ସତ୍ତ୍ୱେ ଭାରତରେ ଅଛନ୍ତି ଶତକଡ଼ା ୮୪ ଭାଗ ହିନ୍ଦୁ ଏବଂ ପୃଥିବୀରେ ଖ୍ରୀଷ୍ଟିଆନ୍ ଓ ମୁସଲିମ୍‌ଙ୍କ ପରେ ଜନସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଛନ୍ତି ହିନ୍ଦୁ। ଏହା ସମ୍ଭବପର ହୋଇଛି ଏହି ଧର୍ମର ଅନ୍ତର୍ମୁଖୀ ବିଚାରଧାରା ଯୋଗୁଁ। ବୈଦିକ ଯୁଗରେ ହିନ୍ଦୁମାନଙ୍କର ମନ୍ଦିର ବି ନଥିଲା। ଜ୍ଞାନୀ ଓ ଧାର୍ମିକ ବ୍ୟକ୍ତିଙ୍କର ସଂଜ୍ଞା ଥିଲା-ଯେ ସମସ୍ତଙ୍କୁ ନିଜ ଭିତରେ ଓ ନିଜକୁ ସମସ୍ତଙ୍କ ଭିତରେ ଦେଖିଥାନ୍ତି - ମହାତ୍ମା ସର୍ବଭୂତାତ୍ମା। ଗାନ୍ଧୀ ଥିଲେ ଏଇ ଉଦାରପନ୍ଥୀ ହିନ୍ଦୁତ୍ୱ ବିଚାରଧାରାର ପ୍ରତୀକ। ସେ କହୁଥିଲେ ଅହିଂସା, ସହିଷ୍ଣୁତା ଓ ଜୀବେ ଦୟା ଉପରେ ପ୍ରତିଷ୍ଠିତ ପ୍ରକୃତ ହିନ୍ଦୁତ୍ୱର କୌଣସି ଭୌଗୋଳିକ ସୀମା ନାହିଁ। ଅପରପକ୍ଷେ ଗଡ୍‌ସେ ଥିଲେ ଦେଶପ୍ରେମୀ କିନ୍ତୁ କଠୋରପନ୍ଥୀ ହିନ୍ଦୁ। ନେହେରୁଙ୍କର ଈଶ୍ୱର ଓ ଧର୍ମ ଉପରେ ଆସ୍ଥା ନ ଥିଲା। ତେବେ ଗଡ୍‌ସେ ହେତୁବାଦୀ ନେହେରୁଙ୍କୁ ନ ମାରି ଧାର୍ମିକ ହିନ୍ଦୁ ଗାନ୍ଧୀଙ୍କୁ ମାରିଲେ କାହିଁକି? କାରଣ ଜୟ ହିନ୍ଦ୍ଦର୍ଶନକୁ ହତ୍ୟା ନ କଲେ ଜୟ ହିନ୍ଦୁବିଚାରର ବିକାଶ ହୋଇପାରିବ ନାହିଁ।

19 नवंबर 2015

ଛଅଟି କୁନିଗପ

(୧) ଥରେ ଗାଆଁର ସବୁ ଲୋକ ନିଷ୍ପତ୍ତି କଲେ ବର୍ଷା ହେବା ପାଇଁ ପ୍ରାର୍ଥନା କରିବେ। ଯେଉଁ ଦିନ ପ୍ରାର୍ଥନା କାର୍ଯ୍ୟକ୍ରମ ହେଲା, ସେଦିନ ସବୁଲୋକ ଆସିଲେ। କିନ୍ତୁ କେବଳ ଜଣେ ବାଳକ, ସାଙ୍ଗରେ ଗୋଟିଏ ଛତା ଆଣି ଆସିଥିଲା।
ତାହା ହିଁ ଈଶ୍ଵରବିଶ୍ଵାସ

(୨) ଆପଣ ଯେତେବେଳେ କୁନି ଛୁଆଟିକୁ ଧରି ଉପରକୁ ଉଠେଇ ଫିଙ୍ଗି ଦିଅନ୍ତି, ସେତେବେଳେ ଛୁଆଟି ଖିଲିଖିଲି ହୋଇ ହସି ଉଠେ। କାରଣ ସେ ଜାଣିଥାଏ ଯେ ତଳକୁ ଖସିଲା ବେଳକୁ ଆପଣ ତାକୁ ନିଶ୍ଚୟ ଧରିପକାଇବେ। 
ତାହାକୁ କୁହାଯାଏ ବିଶ୍ଵାସ

(୩) ପ୍ରତି ରାତିରେ ଆମେ ବିଛଣାକୁ ଯାଉ, କୌଣସି ଭରସା ନଥାଏ, ସକାଳକୁ ଜୀବନ୍ତ ଥିବୁ କି ନାହିଁ ! କିନ୍ତୁ ତାହା ସତ୍ତ୍ଵେ ମଧ୍ୟ ଆମେ ଆମ ମୋବାଇଲ୍‌ ଫୋନ୍‌ରେ ଆଲାର୍ମ ସେଟ୍‌ କରିଥାଉ, ଜଲ୍‌ଦି ଉଠିବା ପାଇଁ। 
ତାହା ହିଁ ଆମମାନଙ୍କର ଆଶା

(୪) ଆଗାମୀ କାଲି ପାଇଁ ଆମେ ବହୁତ ବଡ଼ବଡ଼ ଯୋଜନା କରି ପକାଉ, ଅଥଚ ଭବିଷ୍ୟତରେ କ’ଣ ହେବ, ତାହା ଉପରେ ଆମର ଲେଶ ମାତ୍ର ଜ୍ଞାନ ନଥାଏ। 
ଏହାକୁ କୁହାଯାଏ ଆତ୍ମବିଶ୍ଵାସ

(୫) ଆମେ ଦେଖୁ ସଂସାର କରିକି ସମସ୍ତେ କେମିତି କିଲିବିଲି ହେଉଛନ୍ତି, ତଥାପି ଆମେ ବାହା ହେଉ। ଉତ୍ସବ ପାଳୁ। 
ତାହା ହିଁ ପ୍ରେମ

(୬) ଜଣେ ବରିଷ୍ଠ ବ୍ୟକ୍ତିଙ୍କ କୁର୍ତା ଉପରେ ଲେଖା ଥିଲା - ‘‘ମୁଁ ୬୦ ବର୍ଷୀୟ ନୁହେଁ, ବରଂ ୪୪ ବର୍ଷର ଅଭିଜ୍ଞତା ଥିବା ଜଣେ ଷୋହଳ ବର୍ଷୀୟ ଭେଣ୍ଡିଆ।’’ 
ଏହାକୁ ହିଁ କୁହାଯାଏ ମନୋବୃତ୍ତି

17 नवंबर 2015

ସୋହେଲା ଚାଷୀ ସମାବେଶ

ବରଗଡ଼ ଜିଲ୍ଲାରେ ଉଭୟ ଜଳସେଚିତ ଓ ଅଣସେଚିତ ଅଞ୍ଚଳ ରହିଥିବାରୁ ଚାଷ ଓ ଚାଷୀଙ୍କୁ ନେଇ ବରଗଡ଼ ରାଜନୀତି ସବୁବେଳେ ସ୍ପର୍ଶକାତର। ଆଉ ସର୍ବାଧିକ ଚାଷୀ ଆତ୍ମହତ୍ୟା ସେଇ ଜିଲ୍ଲାରେ ହୋଇଥାଏ। ଏପରିକି ଅନେକ ଚାଷୀ ନିଜ ଜମିବାଡ଼ି ବିକୁଥିବାରୁ ବରଗଡ଼ ଜିଲ୍ଲାରେ ତେଲୁଗୁ ଚାଷୀ ପରିବାରମାନଙ୍କର ସାମ୍ରାଜ୍ୟ ବଢ଼ିବାରେ ଲାଗିଛି। ଅର୍ଥାତ୍‌ ବରଗଡ଼ ଜିଲ୍ଲାର ଚାଷୀମାନେ ଦରିଦ୍ର ହେବାର ପ୍ରକ୍ରିୟା ଏବର ନୁହେଁ। ବେଶ୍‌ ପୁରୁଣା। 

ଏହି ଜିଲ୍ଲାର ସୋହେଲା ଠାରେ ୨୦୧୫ ନଭେମ୍ବର ୧୯ରେ ଚାଷୀ ସମାବେଶ କରିବ ବିଜୁ ଜନତା ଦଳ। କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କୃଷକ ସମାବେଶ ଆୟୋଜନ କରିବା ପରେ ବିଜୁ ଜନତା ଦଳ ବି କୃଷକଙ୍କୁ ନେଇ ରାଜନୀତିକ ମାଇଲେଜ୍‌ ପାଇବାକୁ ଚାହୁଁଛି। କିନ୍ତୁ ଚଳିତ ବର୍ଷ ମରୁଡ଼ି ପଡ଼ିଥିବାରୁ ପରିସ୍ଥିତି ସଙ୍ଗିନ ରହିଛି। ବରଗଡ଼ ଜିଲ୍ଲାରେ କୃଷକ ସଂଗଠନମାନେ ବେଶ୍‌ ଦୃଢ଼। ଏଭଳି ସ୍ଥିତିରେ ବରଗଡ଼ର ଏକ ପେଣ୍ଠସ୍ଥଳ ଓ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗୁରୁତ୍ଵପୂର୍ଣ ବଜାର ଅଞ୍ଚଳ ସୋହେଲାରେ ଚାଷୀ ସମାବେଶ କରିବାକୁ ବିଜୁ ଜନତା ଦଳ କାହିଁକି ବାହାରିଛି? ନିଜର କେଉଁ ଶକ୍ତିର ପରୀକ୍ଷା କରିବାକୁ ଚାହୁଁଛି? ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶା ସରକାର, ବିରୋଧୀ ଶୂନ୍ୟ ହୋଇଯାଇଛି। ଦୁଇ ଜାତୀୟ ଦଳ କଂଗ୍ରେସ ବା ଭାଜପାର କୌଣସି କାଟତି ନାହିଁ। ଅର୍ଥାତ୍‌ ଯଦି ଏବର୍ଷ ଓଡ଼ିଶାର ବିଧାନସଭା ନିର୍ବାଚନ ହୁଏ, ବିଜଦ ୧୦୦ଟି ଆସନ ଟପି ନପାରିଲେ ସୁଦ୍ଧା କ୍ଷମତା ଦଖଲରେ କିଛି ସମସ୍ୟା ହେବ ନାହିଁ।

ବରଗଡ଼-ସମ୍ବଲପୁର-ନୂଆପଡ଼ା-କଳାହାଣ୍ଡି ଅଞ୍ଚଳର କୃଷକ ସଂଗଠନମାନେ କୌଣସି ରାଜନୀତିକ ଦଳର ପକେଟ୍‌ରେ ନାହାନ୍ତି। ତେଣୁ ଏହି ଚାଷୀ ସମାବେଶ, ପ୍ରଚଣ୍ଡ ବିରୋଧକୁ ସାମନା କରିବା ନିଶ୍ଚିତ। ଏହା ହୁଏତ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଗୃହମନ୍ତ୍ରୀ ଖୋଦ୍‌ ନବୀନ ବାବୁ ନିଜ ଗୁଇନ୍ଦା ବାହିନୀ ଠାରୁ ପାଇ ସାରିଥିବେ। ତେଣୁ ବ୍ୟାପକ ଖାକିପିନ୍ଧା ସୁରକ୍ଷା କର୍ମୀ ମୁତୟନ ହେବା ନିଶ୍ଚିତ। ଯଦି ଜମା ହୋଇଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା, ସମବେତ ଚାଷୀମାନଙ୍କ ସଂଖ୍ୟା ଠାରୁ ଅଧିକ ହୁଏ, ଏହାକୁ କିପ୍ରକାର ଚାଷୀ ସମାବେଶ କୁହାଯିବ? ଏହା ସତ ଯେ ଗମନାଗମନ ଦୃଷ୍ଟିରୁ ସୁବିଧା ହୋଇଥିବାରୁ ସୋହେଲାକୁ ଟ୍ରକ୍‌, ବସ୍‌, ଓ ଟ୍ରାକ୍ଟରରେ ମଣିଷ ବୁହା ହେବେ। ତେବେ ଏହା ବରଗଡ଼ିଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ଵର ଅଗ୍ନି ପରୀକ୍ଷା କି ନୂଆ ଡିଜିପି କୱଁର ବ୍ରଜେଶ ସିଂହଙ୍କ ପାରିଲାପଣିଆର ଅଗ୍ନିପରୀକ୍ଷା, ତାହା ଦେଖିବାକୁ ରହିଲା। ଯଦି ଏହି ଚାଷୀ ସମାବେଶ ସଫଳ ହୁଏ, ତେବେ ପରାଜିତ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା ଟିକେଟ୍‌ ପକ୍କା ହୋଇଯିବ।

ବରଗଡ଼ର କୃଷକ ସଂଗଠନମାନେ ଲିଫ୍‌ଲେଟ୍‌ ଛାପିବାକୁ ଲାଗିଲେଣି, ଯେଉଁଥିରେ କେତେକ ମୌଳିକ ପ୍ରଶ୍ନ ଉଠାଯାଇଛି:
୧. ଭାଗଚାଷୀମାନଙ୍କୁ ରାଜ୍ୟ ସରକାର କ’ଣ ସତରେ ଚିହ୍ନଟ କରିବେ?
୨. ଋଣଛାଡ଼ ବା ସୁଧଛାଡ଼ ପାଇଁ ମାପକାଠି ଘୋଷଣା କରିପାରିବେ କି?
୩. ଜଳସେଚନ ଜନିତ ସଂକଟରୁ ମୁକ୍ତି ପାଇଁ ବିକଳ୍ପ କ’ଣ ଅଛି? ଖୋଦ୍‌ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିଜ ପାଖରେ ରଖି, ଚାଷୀମାନଙ୍କୁ ୧୫ ବର୍ଷ ଭିତରେ ତଳିତଳାନ୍ତ କରି ନାହାନ୍ତି କି?
୪. ପ୍ୟାକେଜ୍‌ ଘୋଷଣା ନାମରେ ଯେଉଁ ହାୱା କରୁଛନ୍ତି, ତାହା କ’ଣ କ୍ଷତିଗ୍ରସ୍ତ ଚାଷୀ ପାଖରେ ପହଞ୍ଚିବ?
୫. କେବଳ ସଂଖ୍ୟାରେ କାହିଁକି ଫାଙ୍କି ମାରୁଛନ୍ତି? ସାହସ ଅଛି ତ ମରୁଡ଼ିଗ୍ରସ୍ତ ୨୧ଟି ଜିଲ୍ଲାର ନାମ ଓ ୧୩୯ଟି ବ୍ଲକ୍‌ର ନାମ ତାଲିକା ପ୍ରକାଶ କରୁ ନାହାନ୍ତି କାହିଁକି?

ଏମିତି ଅନେକ ପ୍ରଶ୍ନର ବିଭିନ୍ନ ରଙ୍ଗୀନ୍‌ ପ୍ରଚାରପତ୍ର କାଗଜ ଉଡ଼ିବ ଗୁରୁବାର ସୋହେଲା ଆକାଶରେ। ଗୁରୁବାରକୁ ଅନ୍ନଦାତ୍ରୀ ମହାଲକ୍ଷ୍ମୀଙ୍କ ବାର ରୂପେ ଓଡ଼ିଆ ପରମ୍ପରାରେ ବିଶ୍ଵାସ କରାଯାଏ। ସେହି ଗୁରୁବାରେ ଏ ସମାବେଶ କରି ବି.ଜ.ଦ. ଲକ୍ଷ୍ମୀଛଡ଼ା ହେବାର ବାଟ ଖୋଲୁ ନାହିଁ ତ?

ଆଜିକାଲି ଯେତେ ଯାହା ହେଲେ ବି ଗଣମାଧ୍ୟମର କ୍ୟାମେରାକୁ କେହି ଫାଙ୍କି ପାରିବେ ନାହିଁ। ଯେଉଁମାନେ କ୍ୟାମେରାରେ ରେକର୍ଡ଼ ହେବେ, ସେମାନେ ପ୍ରକୃତରେ ଚାଷୀ କି କଲେଜ ଛୁଆ ତାହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଏବେଠୁ ଓଡ଼ିଶାର ଓଡ଼ିଆ ଲୋକେ ଟୁପୁରୁଟାପୁରୁ ହେଲେଣି ଯେ ପଡ଼ୋଶୀ ଛତିଶଗଡ଼ରୁ ଓଡ଼ିଆ ଚାଷୀ ବୁହା ହୋଇ ଆସିବେନି ତ? କାରଣ ବରଗଡ଼ର କୃଷକ ସଂଘମାନେ ଏତେ ସଂଗଠିତ ଯେ ସେମାନେ ଏତେ ଶସ୍ତାରେ ନିଜକୁ ବିକିବେ ନାହିଁ। ଯାହା ଜଣାପଡୁଛି ୧୮ ତାରିଖ ସକାଳ ଠାରୁ ରାତି ଭିତରେ ଟଙ୍କା ଉଡ଼ିବ। ଆଉ ଯିଏ ଧରିବ, ସେ ନିଶ୍ଚୟ ମୋଟରବାଇକ୍‌ରେ ବା ୪ ଚକିଆରେ ଆସି ସମାବେଶ ସ୍ଥଳରେ ଉପସ୍ଥାନ ଦେବ। ଏହି ବ୍ଲଗ୍‌ର ପ୍ରଚାର ପରେ ଅବଶ୍ୟ ବି.ଜ.ଦ. ଏହାକୁ ଏକ ଚ୍ୟାଲେଞ୍ଜ୍‌ ଭାବେ ଗ୍ରହଣ କରିବ ଏବଂ ବିପୁଳ ସଂଖ୍ୟାରେ ଲୋକଙ୍କୁ ଠୁଳ କରିବ। ଏପରିକି ଗାଡ଼ି ପାର୍କିଂ ମଧ୍ୟ ଏକ ସମସ୍ୟା ହୋଇପାରେ। ତେବେ ଏହା ପ୍ରଥମ ଘଟଣା ହେବ, ଯେଉଁଠି ବିରୋଧୀ ଦଳର କୌଣସି କର୍ମୀ ନୁହେଁ, ବରଂ ଖୋଦ୍‌ ଉତ୍‌କ୍ଷିପ୍ତ କୃଷକମାନେ ହିଁ ସରକାରୀ ଦଳର ନେତା ଓ ମନ୍ତ୍ରୀମାନଙ୍କୁ କଡ଼ା ଜବାବ ଦେବେ। ବିରୋଧ କରିବେ।

କେହି କେହି ଚୁଟ୍‌କୁଲା କହି ବୁଲିଲେଣି ଯେ ବରଗଡ଼ର ଚାଷୀ ନିଜ ସ୍ଵାଭିମାନ ବିକିକି କେବେ ହେଲେ ଏ ସମାବେଶକୁ ଆସିବ ନାହିଁ। ବରଂ ପୁଲିସ୍‌ କର୍ମୀମାନେ ଧୋତି ପିନ୍ଧି ଓ ମୁଣ୍ଡରେ ଠେକା ବାନ୍ଧି ଆସି ଚାଷୀ ଭୂମିକାରେ ଅଭିନୟ କରିବେ। ଯେହେତୁ ଏବେ ନିର୍ବାଚନ ହେବାର ନାହିଁ, ତେଣୁ ବି.ଜ.ଦ. ଏତେ ବିଚଳିତ ହେବାର ଆବଶ୍ୟକତା ନଥିଲା। ତଥାପି ଦେଖିବାକୁ ରହିଲା ବିରୋଧୀ ଦଳର ନେତା ସୁବଳ ସାହୁ କି ବସନ୍ତ ପଣ୍ଡା, କିଏ ଏହି ସମାବେଶର ବିରୋଧାତ୍ମକ ସ୍ଵରକୁ ନିଜ ଅଣ୍ଟିରେ ପୂରାଇବାରେ ସଫଳ ହେଉଛନ୍ତି?

10 नवंबर 2015

ସୁଭାଷ ବୋଷ୍‌ ବନାମ ସାମ୍‌ ପିଟ୍ରୋଡ଼ା

ଓଡ଼ିଆ ଅସ୍ମିତା (Identity) ସଂକ୍ରାନ୍ତରେ ୨୫ ଅକ୍ଟୋବର ୨୦୧୫ରେ ଆମ୍ଭେ ଲେଖିଥିବା ବ୍ଲଗ୍‌କୁ ଶତାଧିକ ବ୍ୟକ୍ତି ପଢ଼ିଛନ୍ତି। ଏବେ ସେହିଭଳି ଏକ ଉତ୍ତପ୍ତ ପ୍ରସଙ୍ଗରେ ଚର୍ଚା କରିବାକୁ ଚାହୁଛି।

ନେତାଜୀ ସୁଭାଷଚନ୍ଦ୍ର ବୋଷ ଜନ୍ମ ହୋଇଥିଲେ କଟକ  ଓଡ଼ିଆବଜାରରେ। ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅବଦାନ କ’ଣ ଥିଲା, ଏହା କୌଣସି ଶିକ୍ଷିତ ଭାରତୀୟଙ୍କୁ ବୁଝାଇବା ଅନାବଶ୍ୟକ। ସମ୍ଭବତଃ ସେଇଥିପାଇଁ ତାଙ୍କୁ ବାସ୍ତବରେ ‘ନେତାଜୀ’ ଆଖ୍ୟା ଦିଆଯାଇଛି। ଆଉ କିଏ କ’ଣ ଆଖ୍ୟା ପାଆନ୍ତୁ ପଛକେ, କିନ୍ତୁ ଏ ଦେଶରେ ‘ନେତାଜୀ’ ଜଣେ। କିନ୍ତୁ ତାଙ୍କୁ ଆମେ ସେତେବେଳେ ଓଡ଼ିଆ ରୂପେ ତାଙ୍କୁ ମାନ୍ୟତା ଦେଇ ନାହୁଁ କି ତାଙ୍କ ନେତୃତ୍ଵରେ ଚାଲିଥିବା ସ୍ଵାଧୀନତାସଂଗ୍ରାମକୁ ମଧ୍ୟ ସ୍ଵୀକୃତି ଦେଇ ନାହୁଁ। ବରଂ ଖୋଜି ବୁଲିଥିଲୁ, ଗୁଜୁରାଟରେ ଜନ୍ମିତ ମୋହନଦାସ କରମଚାନ୍ଦ ଗାନ୍ଧୀ ଓରଫ ମହାତ୍ମା ଗାନ୍ଧୀ ଓରଫ ବାପୁଜୀଙ୍କୁ। ଯେଉଁ ଯେଉଁ ଜାଗାରେ ଗାନ୍ଧୀଙ୍କ ପାଦ ପଡ଼ିଛି, ତାହାକୁ ତୀର୍ଥକ୍ଷେତ୍ର ରୂପେ ଏବେ ବି ଯତ୍ନ କରି ସାଇତି ରଖିଛୁ। କିନ୍ତୁ ଭୁଲି ଯାଇଛୁ ନେତାଜୀଙ୍କୁ। ଏପରିକି ଭୁବନେଶ୍ଵରର AIIMS (ନିଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)କୁ ନେତାଜୀଙ୍କ ନାମରେ କରିବାକୁ ମଧ୍ୟ ବିରୋଧ କରିଛୁ। ଅର୍ଥାତ୍‌ ଓଡ଼ିଶା ନିଜ ଦେହରେ ଥିବା ସୁବାସିତ କସ୍ତୁରୀକୁ ଖୋଜି ନପାରି ଅନ୍ୟ ଜାଗାରେ ସନ୍ଧାନ କରିଛି। ଇତିହାସରୁ ଜଣା ପଡ଼େ ଯେ ସେ କାଳରେ ମଧ୍ୟ ଓଡ଼ିଆ ନେତାମାନେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରୂପେ ନେତାଜୀଙ୍କୁ ସହି ପାରୁ ନଥିଲେ। ଯେଉଁ ରୋଗ ଏବେ ବି ଭାରତୀୟ ଜାତୀୟ କଂଗ୍ରେସ (ରାଜନୀତିକ ଦଳ)ର କର୍ମୀମାନଙ୍କ ମଧ୍ୟରେ ରହିଛି। ପ୍ରଦେଶ କଂଗ୍ରେସରେ ମଧ୍ୟ ଯିଏବି ସଭାପତି ହେଲେ, ଅନ୍ୟମାନେ ଅସହନଶୀଳ ହୋଇ ପଡୁଛନ୍ତି। ନେତାଜୀ ସୁଭାଷ ଲଢ଼ି କରି ସ୍ଵାଧୀନତା ଆଣିବାକୁ ଆହ୍ଵାନ ଦେଇଥିଲେ। କିନ୍ତୁ ଅହିଂସାରେ ଲଢ଼ିବା ପାଇଁ ଓଡ଼ିଆମାନେ ଗାନ୍ଧିଜୀଙ୍କୁ ମୁଣ୍ଡରେ ବସାଇଥିଲେ। ସମ୍ଭବତଃ ତାହାର ପ୍ରତିଫଳ ହେଉଛି ଆଜିର କୋଢ଼ିଆ ଓଡ଼ିଆ ଓ ଟଙ୍କିକିଆ ଚାଉଳ। ଲଢ଼େଇ କରି ପାଇବା ନୁହେଁ, ଘରେ ବସି ପାଇବାର ଐିତିହାସିକ ପ୍ରବୃତ୍ତି ଓଡ଼ିଆଙ୍କର ଏବେ ବି ରହିଛି। ଯେଉଁଠି ଭାଷା ଅପେକ୍ଷା ପେଟ ବେଶି ଗୁରୁତ୍ଵପୂର୍ଣ।

ଜଣେ ଓଡ଼ିଶା ଜନ୍ମିତ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହୋଇଥିଲେ। ସେ ହେଲେ ଭି.ଭି. ଗିରି। ବ୍ରହ୍ମପୁର ସହରରେ ଜନ୍ମିତ ଡକ୍ଟର ବରାହଗିରି ଭେଙ୍କଟ ଗିରି ହୋଇଥିଲେ ଭାରତର ଚତୁର୍ଥ ରାଷ୍ଟ୍ରପତି। ସେ ଏକମାତ୍ର ନେତା, ଯିଏକି ଉଭୟ କାମଚଳା ରାଷ୍ଟ୍ରପତି ଓ ନିୟମିତ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରିଛନ୍ତି। ସେ ଭାରତରତ୍ନ ସମ୍ମାନ ମଧ୍ୟ ପାଇଛନ୍ତି। ସେ ଶ୍ରମିକ ଆନ୍ଦୋଳନର ଜଣେ କର୍ଣଧାର ଥିଲେ। ସେ ଖଲିକୋଟ କଲେଜରେ ପାଠ ପଢ଼ିଥିଲେ ଏବଂ ପରେ ଦେଶବିଦେଶରେ ଅଧ୍ୟୟନ ଓ ଆନ୍ଦୋଳନର ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ଵ ହୋଇପାରିଥିଲେ।କିନ୍ତୁ ଆମେ ତାଙ୍କୁ ଓଡ଼ିଆ ପରିଚୟ ଦେଇ ପାରି ନାହୁଁ।

ଓଡ଼ିଶାର ଟିଟିଲାଗଡ଼ ସହରରେ ଜନ୍ମଗ୍ରହଣ କରିଥିବା ସତ୍ୟନାରାୟଣ ଗଙ୍ଗାରାମ ପିଟ୍ରୋଡ଼ା, ଯିଏକି ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାରେ ଚାକିରି କରିବା ପରେ ନିଜ ନାମକୁ ସାମ୍‌ (ପ୍ରଥମ ଓ ଦ୍ଵିତୀୟ ନାମର ଯଥାକ୍ରମେ  ପ୍ରଥମ ଅକ୍ଷର ଓ ଶେଷ ଅକ୍ଷରକୁ ନେଇ)ପିଟ୍ରୋଡ଼ା କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ପରେ ଭାରତରେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ତାଙ୍କର ଉପଦେଷ୍ଟା ହୋଇ ବିପୁଳ ସମ୍ମାନ ଓ ସମ୍ବଳ ଠୁଳେଇଛନ୍ତି। ୟାଙ୍କୁ ଓଡ଼ିଆ ପରିଚୟ ଦେବା ପାଇଁ ବ୍ୟାକୁଳ ହୋଇଛୁ। କିନ୍ତୁ ସେ କେବେହେଲେ ଧରାଛୁଆଁ ଦେଇ ନାହାନ୍ତି। ଏବେ ନିଜ ଜୀବନୀ ପୁସ୍ତକ (Dreaming Big) ଉନ୍ମୋଚନ କରିବାକୁ ଆସିଥିଲେ ଭୁବନେଶ୍ଵର। ସ୍ଵୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁସ୍ତକର ଉନ୍ମୋଚନ କଲେ। ସମ୍ଭବତଃ ଏହା ଥିଲା ଓଡ଼ିଶାର ଏକମାତ୍ର ପୁସ୍ତକ ଉନ୍ମୋଚନ ସଭା ଯେଉଁଠି ସମସ୍ତ ଗଚ୍ଛିତ ପୁସ୍ତକ ୧୦ ମିନିଟ୍‌ରେ ବିକ୍ରି ହୋଇଯାଇଥିଲା। ଦୁଃଖର କଥା ଯେ ଆମେ ତାଙ୍କୁ ଓଡ଼ିଆ ପରିଚୟ ଦେବାକୁ ବ୍ୟାକୁଳ ହେଉଥିଲେ ବି ସେ ଓଡ଼ିଆ ପରିଚୟରେ ବଞ୍ଚିବାକୁ ନାପସନ୍ଦ କରୁଥିଲେ। ଏବେ ଏତେ ନାଟକବାଜିର କାରଣ ହେଲା, ଜୀବନଯାକ ପ୍ରଚୁର ଯଶ, ସମ୍ମାନ ଓ ଧନ ଭିତରେ ଜୀବନ କାଟିଥିବା ବ୍ୟକ୍ତିତ୍ଵଙ୍କର ଜୀବନ ଏବେ ଖାଁଖାଁ ଲାଗୁଛି। ସେ ଚାହାନ୍ତି ଦେଶର ସଂସଦରେ ଚୌକିଟିଏ ପାଇବା ପାଇଁ। ଏଥିପାଇଁ ନିଜର ଟିଟିଲାଗଡ଼ିଆ ପରିଚୟ ମନେ ପଡ଼ିଲା। ଓଡ଼ିଶାରେ ଏକାଧିକ ରାଜ୍ୟସଭା ସଦସ୍ୟ ଖୁବ୍‌ ଶୀଘ୍ର ପୂରଣ ହେବ। ଆଉ ସେଇଥିରୁ ଗୋଟାକୁ ଧରି ପକାଇବେ ସାମ୍‌ ପିଟ୍ରୋଡ଼ା।

ଦୁର୍ଭାଗ୍ୟ ଯେ ସାମ୍‌ ପିଟ୍ରୋଡ଼ା ଆଦୌ ଓଡ଼ିଆ କହି ପାରନ୍ତି ନାହିଁ। ସେ ଓଡ଼ିଆ ମନେ ରଖିବାକୁ କେବେ ବି ଇଚ୍ଛା କରି ନାହାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ସବୁ ସହରରେ ଓଡ଼ିଆ ସଂଘ ଅଛି। କିନ୍ତୁ କୌଣସି ସଂଘରେ ସେ ସାମିଲ ହୋଇ ନଥିଲେ। କିନ୍ତୁ ନେତାଜୀ ସୁଭାଷ ଓ ଭାରତରତ୍ନ ଭି.ଭି. ଗିରି ଶିଖିଥିଲେ ଓଡ଼ିଆ ଏବଂ ଓଡ଼ିଆ ଭାଷାରେ କଥାବାର୍ତା କରିପାରୁଥିଲେ। ଅଥଚ ସେ ଦିହିଁଙ୍କୁ ଆମେ ଓଡ଼ିଆ ଅସ୍ମିତାରେ କେବେ ବି ଦେଖି ନାହୁଁ। ଏବେ ସାମ୍‌ ପିଟ୍ରୋଡ଼ାଙ୍କୁ ଆମେ ଓଡ଼ିଆ ଅସ୍ମିତାରେ ଦେଖି ପାରିବୁ ତ? ଦେଖିବା ଆବଶ୍ୟକ ଅଛି ତ? ସେ ଓଡ଼ିଶା ପାଇଁ ଯଦିଓ କିଛି କରି ନାହାନ୍ତି, ତଥାପି ଆପଣ ବିଚାର କରନ୍ତୁ, ତାଙ୍କୁ ରାଜ୍ୟସଭାକୁ ପଠାଇବେ କି ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଓଡ଼ିଆ ଅସ୍ମିତା କାୟମ ରଖିବାକୁ ବ୍ୟଗ୍ର ହେବେ?

ସୁଭାଷ ବୋଷ ଓ ସାମ୍‌ ପିଟ୍ରୋଡ଼ା ପ୍ରସଙ୍ଗରେ କେତେକ ରୋଚକ ସାମଞ୍ଜସ୍ୟ ରହିଛି। ସୁଭାଷ ବୋଷ୍‌ଙ୍କୁ ଏଡ଼ାଇ ଯାଇ ଗୁଜୁରାଟର ଗାନ୍ଧୀଙ୍କୁ କୋଳେଇ ନେଇଥିବା ବେଳେ ଏବେ ଓଡ଼ିଆକୁ ଆଦୌ ମନେ ନରଖି ନିଜକୁ ଗୁଜୁରାଟୀ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କୁ ଓଡ଼ିଆ ଅସ୍ମିତାର ମୁକୁଟ ପିନ୍ଧାଇବାକୁ ଆମେ କୁଲୁକୁଲୁ ହେଲୁଣି !

ନିଷ୍ପତ୍ତି ଆପଣଙ୍କର....

06 नवंबर 2015

ଓଡ଼ିଆ ହୁଅନ୍ତୁ ମୁଖ୍ୟ ଶାସନସଚିବ ଓ ଆରକ୍ଷୀ ମହାନିର୍ଦେଶକ

ଆଜି (୬.୧୧.୨୦୧୫) ‘ସମ୍ବାଦ’ରେ ବାହାରିଛି କିଏ ହେବେ ଓଡ଼ିଶାର ଆଗାମୀ ମୁଖ୍ୟ ଶାସନ ସଚିବ। ଏଇ ନଭେମ୍ବର ୩୦ ତାରିଖରେ ଶ୍ରୀ ଗୋକୁଳଚନ୍ଦ୍ର ପତି ଅବସର ଗ୍ରହଣ କରିବେ, ତେଣୁ ପରବର୍ତୀ ମୁଖ୍ୟ ଶାସନସଚିବଙ୍କୁ ନେଇ ଚର୍ଚା ଆରମ୍ଭ ହୋଇଛି। ସମ୍ବାଦପତ୍ର ଦର୍ଶାଇଛି ଯେ ଏହି ଦୌଡ଼ରେ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଉପେନ୍ଦ୍ରନାଥ ବେହେରା ଆଗରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରଙ୍ଗଲାଲ ଜାମୁଡ଼ା, ଏସ୍‌. ଶ୍ରୀନିବାସନ୍‌, ଅନୀତା ଅଗ୍ନିହୋତ୍ରୀ, ଅଳକା ପଣ୍ଡା, ଆଇ. ଶ୍ରୀନିବାସ, ଅଶୋକ କୁମାର ତ୍ରିପାଠୀ, ଯୁଗଳ କିଶୋର ମହାପାତ୍ର ଓ ତାରା ଦତ୍ତ। ସଂପୃକ୍ତ ସମ୍ବାଦପତ୍ର ଯାହା ଚର୍ଚା କରୁ ନା କାହିଁକି, ଯଦି ଓଡ଼ିଶାର ବିକାଶ କଥା ଚିନ୍ତା କରାଯାଏ. ତେବେ ବ୍ୟୁରୋକ୍ରାଟ୍‌ ଭିତ୍ତିକ ଶାସନ ଯେତିକି ପ୍ରଶଂସନୀୟ, ସେତିକି ପ୍ରଶଂସନୀୟ ହେଉଛି କେହି ଓଡ଼ିଆ ବ୍ୟୁରୋକ୍ରାଟ୍‌, ମୁଖ୍ୟ ଶାସନ ସଚିବ ପଦରେ ବସିବା। ତେଣୁ ବିନା ବିତର୍କରେ ଜଣେ ଓଡ଼ିଆ ଅଧିକାରୀ ହିଁ ଏହି ପଦରେ ବସିବା ଦରକାର। କାରଣ ଅଣଓଡ଼ିଆ ଅଧିକାରୀମାନଙ୍କର ଲକ୍ଷ୍ୟ କେବେ ହେଲେ ଓଡ଼ିଶାର ବିକାଶ ହୋଇ ପାରିବ ନାହିଁ। ତେଣୁ ସଂପୃକ୍ତ ସମ୍ବାଦପତ୍ର ଦୁଇ ଜଣ ଓଡ଼ିଆ ଅଧିକାରୀଙ୍କୁ ପ୍ରତିଦ୍ଵନ୍ଦ୍ଵୀ ଭାବେ ଦର୍ଶାଇ ଏକ ପ୍ରଶଂସନୀୟ କାମ କରିଛି। ଅତୀତରେ କେରଳୀ ଆଇଏଏସ୍‌ ଅଧିକାରୀ ହେଉଥିଲେ, ଓଡ଼ିଶାର ମୁଖ୍ୟ ଶାସନସଚିବ। ସେମାନେ ଥିଲେ ଦୂରଦ୍ରଷ୍ଟା। କିନ୍ତୁ ଏବେ ଓଡ଼ିଶା ଭାଗରେ ଆଦୌ କେହି କେରଳୀ ଅଧିକାରୀ ପଡୁ ନାହାନ୍ତି। ତେଣୁ କେହି ପୁରୁଷଙ୍କୁ ଯଦି ମୁଖ୍ୟ ଶାସନ ସଚିବ କରାଯିବ, ସେ ନିଶ୍ଚିତ ଭାବରେ ଜଣେ ଓଡ଼ିଆ ବ୍ୟକ୍ତି ହୁଅନ୍ତୁ।

ଏଠାରେ ଅନ୍ୟ ଏକ ଯୁକ୍ତି ଅଛି, ଦେଖାଯାଇଛି ଯେ କିଛି ମହିଳା ଅଧିକାରୀ ଅଛନ୍ତି ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣ ନାଗରିକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଉଦାହରଣ: ଅପରାଜିତା ଷଡ଼ଙ୍ଗୀ, ଅନୀତା ଅଗ୍ନିହୋତ୍ରୀ, ଅନୁ ଗର୍ଗ, ଉଷା ପାଢ଼ୀ। ଗୋଟିଏ ସମାଜରେ ଉଭୟ ମହିଳା ଓ ପୁରୁଷଙ୍କର ସମାନ ଅଧିକାର ଓ କର୍ତବ୍ୟ ରହିଛି - ଏହି କଥାକୁ ଯଦି ସରକାର ବୁଝୁଥିବେ, ତେବେ ‘‘ମାଆକୁ ସମ୍ମାନ, ଗାଆଁକୁ କାମ’’ର ସ୍ଲୋଗାନ ଦେଉଥିବା ଶାସକ ଦଳର ନେତାମାନେ ପ୍ରଥମ କରି ଜଣେ ମହିଳାଙ୍କୁ ମୁଖ୍ୟ ଶାସନସଚିବ କରି ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରନ୍ତୁ। ଅବଶ୍ୟ ଚର୍ଚିତ ଦୁଇ ମହିଳା ଅଧିକାରୀ ଓଡ଼ିଆ ନହେଲେ ସୁଦ୍ଧା ଜେଣ୍ଡର ସମାନତାକୁ ଧ୍ୟାନ ଦେଇ ଜଣକୁ ମୁଖ୍ୟ ଶାସନ ସଚିବ କରାଯାଉ।

ଅନ୍ୟ ପକ୍ଷରେ ଏଇ ମାସରେ ଡିଜିପି ମଧ୍ୟ ଅବସର ଗ୍ରହଣ କରିବେ। ଓଡ଼ିଶା ଇତିହାସରେ ସବୁଠୁ କଳଙ୍କିତ ଆଇପିଏସ୍‌ ସଂଜୀବ୍‌ ମାରିକ୍‌ଙ୍କୁ ଓଡ଼ିଶାର ଡିଜିପି କରାଯିବାଟା ପ୍ରତ୍ୟେକ ଶିକ୍ଷିତ ଓଡ଼ିଆଙ୍କ ପାଇଁ ଏକ ଦୁଃଖଦ ଅଧ୍ୟାୟ। ଓଡ଼ିଆ ଅଧିକାରୀଙ୍କୁ ଡିଜିପି କରାଯିବାର ଯେଉଁ ପରମ୍ପରା ଜାରି ରହିଥିଲା, ସେହି ପରମ୍ପରାକୁ ପୁଣି ଥରେ ଫେରାଇ ଅଣାଯାଉ। ପୁଲିସ ସଂଗଠନରେ ଚାଲି୍‌ଥିବା ବଟି ଆଦାୟ ବ୍ୟବସ୍ଥା ବନ୍ଦ ପାଇଁ ହୁଏତ ଜଣେ ଓଡ଼ିଆ ଅଧିକାରୀ ହିଁ ସାହସ କରିବେ, ତେଣୁ ଜଣେ ଓଡ଼ିଆ ଅଧିକାରୀଙ୍କୁ ହିଁ ଡିଜିପି କରାଯାଉ।