Saturday, October 31, 2015

ହଂପ୍‌ସ୍‌ ବିହୀନ ଜିଲ୍ଲା ଜଗତ୍‌ସିଂହପୁର

ହମ୍ପ୍‌ସ୍‌ / ରମ୍ବଲର୍‌ ବା ସ୍ପିଡ଼୍‌ ବ୍ରେକର ନାମରେ ସଡ଼କ ଉପରେ କିଛି ପ୍ରତିବନ୍ଧକ ଠିଆ କରିବାଟା ବିଭିନ୍ନ କାରଣରୁ ହୋଇଥାଏ। କେବେ ଜନସାଧାରଣ ନିଜେ କରିଥାଆନ୍ତି ତ କେବେ ଏପରି କରିବାକୁ ଦାବି କରିଥାଆନ୍ତି। ବାରମ୍ବାର ଦୁର୍ଘଟଣା ହେଉଛି ବୋଲି ପ୍ରଶାସନ ମଧ୍ୟ ନିଜେ ଏଭଳି ହମ୍ପ୍‌ସ୍‌ କରି ପକାଇଥାଏ।  ବଡ଼ ଆଶ୍ଚର୍ଯ୍ୟର କଥା ଯେ କଟକ-ଜଗତସିଂହପୁର ରାଜ୍ୟ ରାଜପଥ(SH 43)ରେ କୌଣସି ହମ୍ପ୍‌ସ୍‌ ନାହିଁ। ଏହି ୪୦ କିଲୋମିଟର ବିଶିଷ୍ଟ ପିଚୁ ସଡ଼କକୁ ଗତ ୫ ବର୍ଷ ଧରି ଅନୁଧ୍ୟାନ କଲା ପରେ ଏଠାରେ ଦମ୍ଭର ସହ ଏହି କଥା ଲେଖିଛୁ। ସେହି ସଡ଼କ ଦୁଇ ପାଖରେ ଗାଆଁ ଅଛି, ସାହି, ବସ୍ତି, ସ୍କୁଲ, ଶିକ୍ଷାନୁଷ୍ଠାନ, କ୍ଲବ୍‌ଘର, ଦେବୀଘର, ମନ୍ଦିର ଇତ୍ୟାଦି ରହିଛି। କିନ୍ତୁ ଆପଣ ଭାବି ପାରୁଛନ୍ତି କି କାହିଁକି ହମ୍ପ୍‌ସ୍‌ ନାହିଁ। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ ସଡ଼କ ଦୁର୍ଘଟଣା ଜନିତ ଲୋକମୃତ୍ୟୁର କୌଣସି ଖବର ନାହିଁ। ଯଦିବି କେଉଁଠି ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥାଏ, ତେବେ ଓଡ଼ିଶାର ଅନ୍ୟ ପ୍ରାନ୍ତ ଭଳି ଜଗତସିଂହପୁରିଆମାନେ ବି ହମ୍ପ୍‌ସ୍‌ କରିବାକୁ ଜିଦ୍‌ କରି ପାରନ୍ତେ। କିନ୍ତୁ ସେଭଳି ଜିଦ୍‌ କରିବାର ମଧ୍ୟ କୌଣସି ନଜିର ନାହିଁ। କେଉଁ ଶବ୍ଦରେ ଜଗତସିଂହପୁରିଆଙ୍କୁ ପ୍ରଶଂସା କରିହେବ, ତାହା ଯଦି ଆପଣ ଭାବି ପାରୁଛନ୍ତି କୁହନ୍ତୁ। ସେମାନେ ହୁଏତ ସଚେତନ ଓ ଶିକ୍ଷିତ ବୋଲି ଜିଦ୍‌ କରୁ ନାହାନ୍ତି? ଅଳ୍ପ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଫାଇବର୍‌ ସ୍ପିଡ଼୍‌ ବ୍ରେକର ବସାଯାଇଛି। ଯାହାକି ଅସ୍ଥାୟୀ। ଅର୍ଥାତ୍‌ ଯେକୌଣସି ସମୟରେ ତାହାକୁ ଖୋଲି ଦେଇ ହେବ। କିନ୍ତୁ ସ୍ଥାୟୀ ହମ୍ପସ୍‌ ପ୍ରସଙ୍ଗରେ ସତେ ଯେମିତି ସ୍ଥାନୀୟ ଲୋକମାନେ ଏକ ଉଚ୍ଚତର ଚେତନାକୁ ଚାଲି ଯାଇଛନ୍ତି !

ପ୍ରସଙ୍ଗ ଯାହା ବି ହେଉ, ଏହା ହିଁ ବିକାଶର ମାପକାଠି। ଅର୍ଥାତ୍‌ ଜଗତସିଂହପୁରିଆମାନେ ମାନସିକ ଭାବେ ବେଶ୍‌ ବିକଶିତ। କେବଳ ପ୍ରାଶାସନିକ, ଶୈକ୍ଷିକ, ବୈଜ୍ଞାନିକ, ରାଜନୀତିକ ସହଯୋଗ ମିଳିଲେ, ଏହା କୌଣସି ୟୁରୋପୀୟ ରାଷ୍ଟ୍ର ସହ ତାଳ ଦେଇ ପାରିବ। ଏତେ ଶସ୍ତାରେ କ’ଣ ଏତେ ବଡ଼ ମନ୍ତବ୍ୟ ଦେଇ ହେବ? ସିଏତ ଗଲା ପିଚୁ ସଡ଼କ କଥା। ଏଇ ଦେଖୁନାହାନ୍ତି, କଟକ-ପାରାଦ୍ଵୀପ ରାଜ୍ୟ ରାଜପଥ (SH 12)ର କଂକ୍ରିଟ୍‌ ସଡ଼କରେ ମଧ୍ୟ ହମ୍ପସ୍‌ ନାହିଁ। ୮୦ କିଲୋମିଟରରୁ ଅଧିକ ଦୀର୍ଘ ଏହି ସଡ଼କରେ କୌଣସି ହମ୍ପ୍‌ସ୍‌ ନରହିବା, ନିଶ୍ଚିତ ରୂପେ ରାଜ୍ୟର ଅନ୍ୟ ଭାଗରେ ଥିବା ଅଧିବାସୀଙ୍କୁ ବିସ୍ମିତ କରୁଥିବ। କାରଣ ଏବେ ଓଡ଼ିଶାର ସବୁ ଜିଲ୍ଲାକୁ ଜାତୀୟ ରାଜପଥ ଛୁଇଁ ସାରିଲାଣି। ହେଲେ, ଜାତୀୟ ରାଜପଥ ଉପରେ ବି ପୁଳାପୁଳା ସ୍ଥାୟୀ ହମ୍ପ୍‌ସ୍‌। କିନ୍ତୁ ଜଗତ୍‌ସିଂହପୁରିଆମାନେ ଏମିତି କେଉଁ ଉଚ୍ଚତର ଚେତନାରେ ଜୀଉଁଛନ୍ତି ଯେ ହମ୍ପ୍‌ସ୍‌ ନିର୍ମାଣ ଦାବିରୁ ଉର୍ଦ୍ଧ୍ଵକୁ ଚାଲିଯାଇଛନ୍ତି ? ରାଜ୍ୟର ଅନ୍ୟ ଅଞ୍ଚଳବାସୀଙ୍କୁ କାହିଁକି ଏଭଳି ସଦ୍‌ବୁଦ୍ଧି ଆସୁ ନାହିଁ ? କି, ସେମାନଙ୍କ ସମାଜ ଏଭଳି ଗ୍ରହଣଶୀଳତା ପାଇଁ ଯୋଗ୍ୟ ହୋଇ ନାହିଁ ? 

Sunday, October 25, 2015

ଓଡ଼ିଆ ଅସ୍ମିତାର ଏକ ବାସ୍ତବତା

ଗୋଟିଏ ଭାଷା ବଞ୍ଚିବାକୁ ହେଲେ ଅବା ସେହି ଭାଷାକୁ ଲୋକମାନେ ନିଜର ଅସ୍ମିତା ଓ ଅସ୍ତିତ୍ଵର ମାପକାଠି ବୋଲି ମାନୁଥିଲେ, ସେଥିରେ ସବୁପ୍ରକାର ଉପାଦାନ ରହିବା ଜରୁରୀ ଉଦାହରଣ: ବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଓଡ଼ିଆରେ କୌଣସି ଘରୋଇ ଟିଭି ଚ୍ୟାନେଲ ନଥିଲା ଅଥଚ ତେଲୁଗୁ, ବାଙ୍ଗ୍ଲା, ତାମିଲ ଓ କନ୍ନଡ଼ ଭାଷାରେ ଚ୍ୟାନେଲ ସଂଖ୍ୟା ୧୫ ଟପି ସାରିଥିଲା 

କେବଳ ଦକ୍ଷିଣ ଓଡ଼ିଶାକୁ ଯଦି ଧରାଯାଏ, ତେବେ ସେହି ଅଞ୍ଚଳର ହଜାର ହଜାର ତେଲୁଗୁ ବଂଶୋଦ୍ଭବ ତେଲୁଗୁ ଚ୍ୟାନେଲ ଦେଖି ବେଶ୍ଚଇନି ହେଉଥିବା ବେଳେ ଓଡ଼ିଆମାନେ ମନ ମାରି ଓ ମୁହଁ ଶୁଖାଇ ରହିଯାଉଥିଲେ ଅବା ଡିଡି-ଓଡ଼ିଆରେ ଯାହା ବି ଦେଉଥିଲା, ସେଇଥିରେ ଚଳେଇ ନେଉଥିଲେ ଏହି ପରିପ୍ରେକ୍ଷୀରେ ଓଡ଼ିଆମାନଙ୍କର ଅସ୍ମିତା ନିଶ୍ଚିତ ରୂପେ ସଂକଟରେ ଥିଲା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ସେହି ଅଞ୍ଚଳର ପ୍ରେକ୍ଷାଳୟରେ ମୁକ୍ତିଲାଭ ନକରିବା ଏବଂ ଶହଶହ ତେଲୁଗୁ ଚଳଚ୍ଚିତ୍ର, ପ୍ରେକ୍ଷାଳୟଗୁଡ଼ିକୁ କବ୍ଜା କରି ରଖିବା ଭଳି ତେଲୁଗୁ ଟିଭି ଚ୍ୟାନେଲ ମଧ୍ୟ ଅନେକ ତେଲୁଗୁ ବୁଝୁଥିବା ଓଡ଼ିଆ ଲୋକଙ୍କ ଅସ୍ମିତାର ଅଂଶ ପାଲଟି ଯାଇଥିଲା 

ଏବେ ଓଡ଼ିଆମାନଙ୍କ ଇଣ୍ଟରନେଟ୍ବା ଅନ୍ଲାଇନ୍ଆଚରଣ ଉପରେ ଦୃଷ୍ଟି ପକାଇଲେ ମଧ୍ୟ ସେହିଭଳି ଚିତ୍ର ସ୍ପଷ୍ଟ ହୋଇଯାଉଛି ପ୍ରଥମତଃ ଇଣ୍ଟରନେଟ୍ଦୁନିଆର ମହାଦ୍ରୁମଗୁଗୁଲ୍‌’ର ମତ ଅନୁସାରେ ଓଡ଼ିଆରେ ଯଥେଷ୍ଟ କଣ୍ଟେଣ୍ଟ୍ନଥିବାରୁ ଗୁଗୁଲ ସର୍ଚ ଇଂଜିନ୍ତାଲିକାରେ ଓଡ଼ିଆ ଭାଷାକୁ କାଟି ଦିଆଯାଇଛି

Saturday, October 17, 2015

ସତରେ କ’ଣ ଚାଷୀ ଆତ୍ମହତ୍ୟା କରନ୍ତି?

ବୈଷ୍ଣବ ଜେନା, ସାମ୍ବାଦିକ, ୯୪୩୭୦୦୭୨୦୦ 
( ସୌଜନ୍ୟ: ‘ସଂଚାର’ ୧୭ ଅକ୍ଟୋବର ୨୦୧୫, ଶନିବାର)

ଓଡ଼ିଶା ରାଜ୍ୟରେ ଗତ ୩ ବର୍ଷରେ ୧୫ଶହ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଖବରକାଗଜରେ ସମ୍ବାଦମାନ ପୃଷ୍ଠା ମଣ୍ଡନ କରୁଛି। ଚଳିତ ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ ୧୦ଜଣ ଚାଷୀ ଆତ୍ମହତ୍ୟା କରିଥିବାର ଜଣାପଡିଛି। କେବଳ ୨୦୧୫ ଅକ୍ଟୋବର ୧୦ ତାରିଖରେ ୪ ଜଣ ଆତ୍ମହତ୍ୟା କରିଥିବାର ସମ୍ବାଦ ପ୍ରକାଶ ପାଇଥିଲା। ଏହା ନିଶ୍ଚିତଭାବେ ଏକ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ଚାଷୀକୁଳ ପାଇଁ ନିନ୍ଦାର ଘଟଣା। ରାଜ୍ୟପାଇଁ ଅପବାଦ। ଏହି ସଂବେଦନଶୀଳ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋର୍ଦାର ହୋଇଛି। ଚିରାଚରିତ ଢଙ୍ଗରେ ଶାସକ ଓ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ କାଦୁଅଫିଙ୍ଗା ବଳବତ୍ତର ରହିଛି। ସରକାର ଏପରି ଅଭିଯୋଗକୁ ସିଧାସଳଖ ସ୍ୱୀକାର କରୁନଥିବା ବେଳେ ବିରୋଧୀ ଦଳ ଓ ଅନ୍ୟ କିଛି ସଂଗଠନ ଏହି ପ୍ରସଙ୍ଗକୁ ସରକାରଙ୍କ ବିରୋଧରେ ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। କେତେକ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ସରକାରଙ୍କୁ ମାନବାଧିକାର କମିଶନ ଓ ଅଦାଲତମାନଙ୍କ ପକ୍ଷରୁ କୈଫିୟତ୍ ତଲବ କରାଯାଇଛି। ସଂପୃକ୍ତ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ଦେବା ପାଇଁ ଦାବି କରାଯାଉଥିବା ବେଳେ ଋଣ ଛାଡ ପାଇଁ ମଧ୍ୟ ଦାବି ଉଠୁଛି। ସେହି ମୃତକଙ୍କ ପରିବାରର ସଦସ୍ୟମାନଙ୍କର ଆକୁଳ କ୍ରନ୍ଦନ ବିଭିନ୍ନ ଟିଭି ଚ୍ୟାନେଲ୍ରେ ପ୍ରଦର୍ଶିତ ହେଉଛି। ନେତାମାନଙ୍କର ଆଶ୍ୱାସନା ଓ ପ୍ରବୋଧନା ମଧ୍ୟ ଘନଘନ ଦେଖା ଯାଉଛି। ସରକାରୀ ଅଫିସରମାନଙ୍କ ଉପରେ ଏହା ଚଡକ ସଦୃଶ ହୋଇପଡୁଛି। ଟିଭି ପରଦାରେ ଜମାଣିଆ ବିତର୍କମାନ ଦେଖିବାକୁ ମିଳୁଛି। ଏସବୁ ସତ୍ତ୍ୱେ ଆମର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସନେ୍ଦହ ରହିଛି। ଚାଷୀମାନେ ଅତ୍ୟନ୍ତ ସାହସୀ, ସେମାନେ ଡରକୁଳା ନୁହଁନ୍ତି। କ୍ରମାଗତ ବିଫଳତା ଅର୍ଥାତ୍ ଶସ୍ୟହାନି ପରେ ମଧ୍ୟ ସେମାନେ ଚାଷ ଛାଡନ୍ତି ନାହିଁ କିମ୍ବା ଜୀବନ ହାରିବା ଭଳି ଚରମ ପଦକ୍ଷେପ ନିଅନ୍ତି ନାହିଁ ବୋଲି ଆମର ଦୃଢ ବିଶ୍ୱାସ ଅଛି। କାରଣ ଓଡ଼ିଶା ଭଳି ଏକ ଦୈବଦୁର୍ବିପାକ ଅଥବା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଚାଷୀମାନେ ପ୍ରତ୍ୟେକ ବର୍ଷ ପ୍ରତିକୁଳ ଅବସ୍ଥାର ସମ୍ମୁଖୀନ ହୁଅନ୍ତି। ସେଥିଯୋଗୁଁ ସେମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ନିଦା ହୋଇଗଲେଣି।

ଏକଥା ଅବତାରଣା କରିବାର କାରଣ ହେଉଛି ଯେ, ଆମ୍ଭେ ମଧ୍ୟ ଗୋଟିଏ ଚାଷୀ ପରିବାରରେ ଜନ୍ମ ହୋଇଛୁ। ଚାଷକାର୍ଯ୍ୟ ସହିତ ଆମର ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ଭୁବନେଶ୍ୱରରେ ରହୁଥିଲେ ବି ଆମଜମିରେ ଫଳୁଥିବା ଧାନରୁ ଚାଉଳ ଓ ଚାଉଳରୁ ହେଉଥିବା ଭାତ ଆମକୁ ସୁଆଦ ଲାଗେ। ଏହାଛଡା ବିରିି, କୋଳଥ, ମୁଗ, ଆଳୁ, ସାରୁ, ଚିନାବାଦାମ, ସୋରିଷ ଓ ଧନିଆ ଆଦି ଅଣାଇଥାଉ। ବିିଭିନ୍ନ ପ୍ରକାର ପନିପରିବା ଓ ଆମ ବିଲ ଗହୀରରୁ ଧରାଯାଉଥିବା ମାଛ ପ୍ରତି ଆମର ଅହେତୁକ ମୋହ ରହିଛି । ଜଣେ ଚାଷୀ ହୋଇ ଜୀବନ ବିତାଇବାକୁ ଆମର ଇଚ୍ଛା ଥିଲା। ମାତ୍ର ତାହା ସମ୍ଭବ ନହେଲେ ବି ପରୋକ୍ଷ ଭାବେ ଆମେ ଚାଷ ସହିତ ସମ୍ପୃକ୍ତ ଅଛୁ । ଗାଁକୁ ଗଲେ ଅଧିକ ସମୟ ଆମେ ଚାଷଜମି ଓ ଭାଗୁଆଳିମାନଙ୍କ ସହିତ କଟାଇଥାଉ। ଏହି ସବୁ କାରଣ ଯୋଗୁଁ ଆମେ ଚାଷୀମାନଙ୍କୁ ବେଶ୍ ଭଲ ଭାବରେ ଚିହ୍ନିଛୁ। ସେମାନଙ୍କର ଦାମ୍ଭିକତାକୁ ଅନୁଭବ କରିଛୁ । ଚାଷୀମାନେ ସେମାନଙ୍କର ବିଫଳତାକୁ ସାମଗ୍ରିକ ବିପର୍ଯ୍ୟୟ ଭାବରେ ଧରନ୍ତି ନାହିଁ। ପ୍ରତ୍ୟେକ ବର୍ଷ କିଛିନା କିଛି ସେମାନେ ସମସ୍ୟା ବା କ୍ଷତିର ସମ୍ମୁଖୀନ ହୁଅନ୍ତି। ପରବର୍ତ୍ତୀ ସମୟରେ ଅକ୍ଷୟ ତୃତୀୟ ପାଳନ କରି ଚାଷ କାର୍ଯ୍ୟରେ ଲାଗିପଡ଼ନ୍ତି । ପୁନର୍ବାର ଆଉ ଗୋଟିଏ ବର୍ଷ ପାଇଁ ଅଣ୍ଟା ଭିଡ଼ନ୍ତି, ଡରିଯାଆନ୍ତି ନାହିଁ । ଅନ୍ୟମାନଙ୍କୁ ମଧ୍ୟ ଚାଷ କାର୍ଯ୍ୟରେ ସାମିଲ୍ ହେବାପାଇଁ ପରାମର୍ଶ ଦିଅନ୍ତି। ଅଳସୁଆ ଚାଷୀଙ୍କୁ ସର୍ବସାଧାରଣରେ ଗାଳି ଦିଅନ୍ତି। ‘ଚାଷ ଅଛି ଯାହାର - କି ଆନନ୍ଦ ତାହାର’ ବୋଲି ଯେଉଁ ପ୍ରବାଦ ଓଡ଼ିଶାରେ ରହିଛି ତାହାର ଅସଲ ପ୍ରତିଫଳନ ସେମାନଙ୍କ ଠାରେ ଦେଖାଯାଇଥାଏ। କସ୍ମିନ୍ କାଳେ କ୍ଷତି ପାଇଁ ଆତ୍ମହତ୍ୟା କରନ୍ତି ନାହିଁ । ଜାଣିଶୁଣି ସେମାନେ ନିଜର ପରିବାରକୁ ଅନାଥ କରନ୍ତି ନାହିଁ ।

ଏହି ପ୍ରସଙ୍ଗରେ ଆମ୍ଭେ ଯେଉଁ ଅଞ୍ଚଳରେ ଜନ୍ମ ହୋଇଛୁ ଏବଂ ଯାହାର ପାଣିପବନରେ ମଣିଷ ହୋଇଛୁ, ସେହି ଅଞ୍ଚଳର ଚାଷୀମାନଙ୍କ କଥା ଉଲ୍ଲେଖ କରିଛୁ। ଆମ ଜନ୍ମସ୍ଥାନ ହେଉଛି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ। ଯାହାକି ଚୀର ବନ୍ୟା ପ୍ରପୀଡିତ। ଆମ ଅଞ୍ଚଳ ସହିତ ବିଞ୍ଝାରପୁର ବ୍ଲକ୍‍ର କିଛି ଅଞ୍ଚଳ ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ୍‍ର କିଛି ଅଞ୍ଚଳ, ରାଜକନିକା ବ୍ଲକ ଓ ରାଜନଗର ବ୍ଲକର ଭୌଗୋଳିକ ଅବସ୍ଥା ସମାନ। ଏହି ଅଞ୍ଚଳ ଦେଇ ରାଜ୍ୟର ତିନି ପ୍ରମୁଖ ନଦୀର ବନ୍ୟାଜଳ ପ୍ରବାହିତ ହୁଏ। ବିଶେଷକରି ଯାଜପୁର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବା ମହାନଦୀର ମୁଖ୍ୟ ଶାଖା ବିରୂପାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ଏବଂ ଖରସ୍ରୋତା ନଦୀର ବାମପାଶ୍ୱର୍ ନଦୀବନ୍ଧର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପ୍ରତି ବର୍ଷ ବନ୍ୟାଜଳ ପ୍ରବାହିତ ହୁଏ। ବିରୂପା ଶାଖା ଦେଇ ମହାନଦୀ ଜଳ, ବ୍ରାହ୍ମଣୀ ନଦୀର ଜଳ ଏବଂ ବୁଢା ନଦୀ ଦେଇ ବୈତରଣୀର ଜଳ ପ୍ରବାହିତ ହୁଏ । ବନ୍ୟା ବିଶେଷଜ୍ଞମାନେ ଏହି ଅଞ୍ଚଳକୁ ଓଡ଼ିଶାର ଫ୍ଲଡ଼୍‌ଗେଟ୍ ବୋଲି କହିଥାଆନ୍ତି । ଏହି ଅଞ୍ଚଳରେ କ୍ରମାଗତ ଭାବେ ବନ୍ୟା ଆସୁଥିବାରୁ ଶାରଦ ଚାଷ ଧୋଇଯାଏ ଏବଂ ତାହାର ପରବର୍ତ୍ତୀ ସମୟରେ ଜମିରେ ବାଲିଚର ଯୋଗୁଁ ରବି ଚାଷ ସେତେ ବେଶୀ ହୁଏ ନାହିଁ। ଅବଶ୍ୟ ଏଭଳି ସ୍ଥିତିରେ କିଛି ପରିବର୍ତ୍ତନ ହେଲାଣି। କାରଣ କେତେକ ଅଞ୍ଚଳରେ ଏବେ ଉଠାଜଳସେଚନ ଓ ବିଦ୍ୟୁତ୍‌କରଣ ଯୋଗୁଁ ରବି-ଧାନ ଚାଷ ହେଲାଣି । ତେବେ ଗତ ଶତାବ୍ଦୀର ୫୦ରୁ ୮୦ ଦଶକ ପର୍ଯ୍ୟନ୍ତ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ସେହି ଅଞ୍ଚଳରେ ଚାଷ ଉପରେ ନିର୍ଭର କରୁଥିବା ଲୋକ ହେଉଛନ୍ତି ଶତକଡା ଶହେ। ତେଣୁ ସବୁ ପରିବାର ପାଇଁ ଥାଏ ତିନିଓଳି ଖାଇବାର ଚିନ୍ତା। ଏହି ଦୃଷ୍ଟିରୁ ଘରର ମୁରବୀ ଅର୍ଥାତ୍ ସଂପୃକ୍ତ ଚାଷୀଟି ଯଥେଷ୍ଟ ଚାପରେ ଥାଆନ୍ତି। ପିଲାମାନଙ୍କୁ ଭଲରେ ମୁଠାଏ ସେମାନେ ଖାଇବାକୁ ଦେଇପାରୁ ନଥିଲେ। ପାଠପଢା ବହି ଦେଇପାରୁନଥିଲେ। କିରୋସିନି ଟିକେ କିଣିବା ପାଇଁ ସାମର୍ଥ୍ୟ ନଥିଲା। ପିଲାମାନେ ଜହ୍ନ ଆଲୁଅରେ ପଢୁଥିଲେ, ନଚେତ୍ ଲେଖାପଢା କରିପାରୁ ନଥିଲେ। ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ପଇସା ନଥିବାରୁ ବହୁ ଯୁବକ ଯୁବତୀ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିଲେ। ସେତେବେଳେ ଆଜିକାଲି ପରି ସରକାରୀ ସହାୟତା ନଥିଲା। ଏବେ ସ୍କୁଲ୍‍ ପିଲାଙ୍କୁ ବହି ଖାତା, ପୋଷାକ, ଚପଲ ଓ ସାଇକେଲ୍ ମିଳୁଛି। ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି।

ସେତେବେଳେ ସେହି ଚାଷୀ ପରିବାରଗୁଡ଼ିକରେ ଝିଅ ବିବାହ କଷ୍ଟକର ହୋଇପଡୁଥିଲା, ଏପରିକି ବିବାହ ଅପେକ୍ଷାରେ ଥିବା ଯୁବତୀମାନଙ୍କ ମଧ୍ୟରୁ ଅର୍ଧେକ ଶାୟା-ବ୍ଲାଉଜ୍ ପିନ୍ଧି ପାରୁ ନଥିଲେ, କେବଳ ଶାଢୀଟିଏ ଗୁଡେଇ ହୋଇ ପଡୁଥିଲେ। କାହାଘରେ କଂସା-ପିତଳର ବାସନ କୁସନ ରହିଲା ନାହିଁ । ଗୃହକର୍ତାମାନେ ବାଡିରେ ବଞ୍ଚିଥିବା ବହୁ ପୁରୁଣା ଗଛକୁ ଅଦର ଦରରେ ବିକିଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେହି ଫସଲ ଅମଳ କରିପାରୁ ନଥିବା ଚାଷୀମାନେ ଚାଷରୁ ଓହରି ନଥିଲେ। ଏହି ପରିପ୍ରେକ୍ଷୀରେ କେତେକ ଘଟଣା ଅବିଶ୍ୱାସ ହେଲେ ବି ସତ। ଏହି ଅଞ୍ଚଳବାସୀଙ୍କର ସବୁ ଦିନେ ଦୁଃଖ ଥିଲେ ବି ପାଇଁ ବୈଶାଖରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ତିରୋଟ ସମୟ। ଭଲରେ ରହିବା, ଶୋଇବା, ଖାଇବା ତଥା ମଳମୂତ୍ର ତ୍ୟାଗ କରିବା ପାଇଁ କଠିନ ସଂଗ୍ରାମ କରିବାକୁ ପଡେ। ଗୃହପାଳିତ ଗାଈଗୋରୁ ଓ ଛେଳି ମେଣ୍ଢା ମଧ୍ୟ ଖାଇବାକୁ ପାଆନ୍ତି ନାହିଁ। କେତେକ ନିର୍ଦିଷ୍ଟ ଗାଆଁର ଲୋକମାନଙ୍କର ପ୍ରାତଃଭୋଜନ ଥିଲା କନ୍ଦମୂଳ ପୋଡ଼ା। ମଧ୍ୟାହ୍ଣ ଭୋଜନରେ କୋଳଥ କିମ୍ବା ବିରି ଜାଉ। ତାହା ସହିତ ତରକାରୀ ସ୍ୱପ୍ନ। ଶୁଖିଲା ଲଙ୍କାକୁ ପୋଡ଼ି, ଲୁଣ ସହିତ ଦଳି ଖାଇବାକୁ ହୁଏ । ଜଣେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ କହିବା ଅନୁସାରେ ମାତ୍ର ଅଧସେର ଚାଉଳରେ ରନ୍ଧା ହେଉଥିବା ଭାତକୁ ପରିବାରର ୮ଜଣ ବାଣ୍ଟି କରି ଖାଉଥିଲେ। 

ଆମ ଅଞ୍ଚଳରେ ବାଇଗଣ ଓ ଟମାଟୋ ଚାଷ ହେଉଥିଲେ ବି ତାହା ରାସ୍ତାଘାଟ ଅଭାବରୁ ବାହାରକୁ ଯାଇପାରୁନଥିଲା। କେତେକ ପରିବାରର ସଦସ୍ୟ ରାତିରେ ଏହି ଦୁଇଟି ପରିବା ସିଝା ଖାଇ ଶୋଇ ପଡନ୍ତି। ହାଇସ୍କୁଲ କଲେଜ ପିଲାମାନେ ସାବୁନ୍, ସର୍ଫ ବା ଟୁଥ୍ପେଷ୍ଟ୍‍ ଜାଣି ନଥିଲେ। ୧୯୮୦ ମସିହା ପର୍ଯ୍ୟନ୍ତ ବରୀ ବ୍ଲକ୍‍ର ରାମଚନ୍ଦ୍ରପୁରଠାରେ ସ୍ଥାପତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଙ୍କ ମଧ୍ୟରୁ ପ୍ରାୟ ଅର୍ଧେକ ଥିଲେ ହାଫ୍‌ପ୍ୟାଣ୍ଟ୍‍ ପିନ୍ଧା । ଚଡି ବା ଜଙ୍ଘିଆ ନଥିଲା । ଚପଲ ଆଦୌ ନଥିଲା। କଲେଜ ପଢୁଆ ଝିଅମାନେ ଗୋଟିଏ ଫ୍ରକ୍‍କୁ କିମ୍ବା ଶାଢୀକୁ ଧୋଇ ଶୁଖାଇ ପିନ୍ଧି ଆସୁଥିଲେ। ୧୦ କିଲୋମିଟର ଦୂରରୁ ପିଲାମାନେ ଚାଲିଚାଲି ଆସୁଥିଲେ ଏହି ଅଞ୍ଚଳରେ କାଁଭାଁ କେହି ସାଇକେଲ୍ ଚଢୁଥିଲେ। ଗୋଟିଏ ଦୁଇଟି ରେଡିଓ ଗାଁରେ ଥିଲା। ସହରକୁ ଯିବା ପାଇଁ ବସ୍ ଖଣ୍ଡେ ଧରିବାକୁ ହେଲେ ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡ଼ୁଥିଲା। ବର୍ଷାଦିନେ ଡଙ୍ଗା ହିଁ କେବଳ ମାଧ୍ୟମ।

ରବି ଋତୁରେ ହେଉଥିବା କିଛି କିଛି ଫସଲ ଉପରେ ଅଧିକ ନିର୍ଭରଶୀଳ ଥାଆନ୍ତି ଚାଷୀ । ବିଶେଷ କରି ବିରି, ମୁଗ, ଧନିଆ ଓ ଚିନା ଚାଷ ଉପରେ ଭରସା। ଚିନା ଏକ ପ୍ରକାର ସୁଆଁ ବା ଘାସ ଜାତୀୟ ଫସଲ। ତାହାର ଶସ୍ୟ ଶାଗୁଦାନା ପରି । ତାହାର ଭାତ କିମ୍ବା ଜାଉ କିଛି ସହାୟକ ହୋଇଥାଏ। ଏବେ ସେହି ଚାଷ ନାହିଁ। ତେବେ ଏହି ରବି ଫସଲକୁ ନେଇ ଚାଷୀମାନେ ୧୫ କିଲୋମିଟର ପର୍ଯ୍ୟନ୍ତ ହାଟକୁ ଯାଆନ୍ତି ଓ ବଦଳରେ ଧାନ ଆଣନ୍ତି। ଶିକାଭାର କାନେ୍ଧଇ ଚାଷୀମାନେ ଦୌଡନ୍ତି। ବହୁ ସମୟରେ ଧାନ ମିଳେ ନାହିଁ। ନିରାଶ ହୋଇ ଫେରିବାକୁ ହୁଏ । ଏହି ପରିପ୍ରେକ୍ଷୀରେ ଅବସ୍ଥା ଅନୁମେୟ । ଉପାସ ଆଉ ଉପାସ। ଚୂଲୀ କାହିଁକି ବା ଜଳିବ? ହାଇସ୍କୁଲ୍ କଲେଜ ପଢୁଆ ପିଲାମାନେ ମଧ୍ୟ ବାପା-ଦାଦାଙ୍କ ସହିତ ଫସଲ ମୁଣ୍ଡେଇ ମୁଣ୍ଡେଇ ଦୌଡନ୍ତି। ତାହାର ପ୍ରତିବଦଳରେ ଧାନ ଆଣି ସଙ୍ଗେ ସଙ୍ଗେ ସିଝେଇ ଶୁଖେଇ କିମ୍ବା ଭାଜିଲା ପରେ କୁଟି ଚାଉଳ କରନ୍ତି। ଚାଷୀମାନଙ୍କ ଦେହରେ ସାର୍ଟ ଖଣ୍ଡେ ନଥାଏ। ସେମାନେ ଲୁଙ୍ଗି ପିନ୍ଧନ୍ତି। ଗାମୁଛା ଖଣ୍ଡେ କାନ୍ଧରେ ପଡିଥାଏ କିମ୍ବା ଅଣ୍ଟାରେ ବନ୍ଧା ହୋଇଥାଏ। ବନ୍ଧୁବାନ୍ଧବ ଗଲେ ସାହିପଡିଶା ଘରୁ ସାର୍ଟ ଓ ଧୋତି ମାଗିବାକୁ ପଡେ । ଏକ ନିର୍ଦିଷ୍ଟ ଗାଁରେ ୧୯୭୦ ମସିହାରେ ମାତ୍ର ୪ ଖଣ୍ଡ ସାର୍ଟ ଥିଲା । ସେଥିରେ ଗ୍ରାମର ୧୦୦ଜଣ ପୁରୁଷ ଲୋକ ଚଳୁଥିଲେ । ଶୀତ ସମୟରେ ଅବସ୍ଥା ଦୟନୀୟ । ଶୀତ ପ୍ରକୋପରୁ ରକ୍ଷା କରିବା ପାଇଁ ହେଁସ କିମ୍ବା ଅଖାଘୋଡାଇ ହୁଅନ୍ତି । ଖଜୁରୀପତ୍ରରେ ବୁଣା ଚଟେଇ ମଧ୍ୟ କାମରେ ଲାଗେ ।

ସେକାଳରେ ମଧ୍ୟ ଋଣ ଭାର ଥିଲା। ସବୁ ଚାଷୀ ସମବାୟ ସଂସ୍ଥାରୁ ଅଳ୍ପ ବହୁତ ଋଣ ଆଣିଥିଲେ। ମହାଜନ ଠାରୁ ମଧ୍ୟ ଋଣ ଆଣୁଥିଲେ। କଣ୍ଟ କବଲା କରୁଥିଲେ। ବହୁ ଚାଷୀଙ୍କ ଜମି ଏହି କାରଣରୁ ଯାଇଛି। ବହୁ ଚାଷୀ ଜୀବନରେ ଥରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିପାରି ନାହାଁନ୍ତି। ରୋଗ ବେମାରରେ ପଡିଲେ ତୁଟୁକା ଔଷଧ ଉପରେ କେବଳ ଭରସା । ଅପର ପକ୍ଷରେ ଆଜିକାଲିର ଚାଷୀମାନଙ୍କ ଘରେ ବିଜୁଳି ଜଳୁଛି। ସାଇକେଲ ଅଛି । ଟିଭି ଅଛି । ଏକାଧିକ ହଳ ପୋଷାକ ଅଛି । ଗୋଡରେ ଜୋତା ଅଛି । ଟଙ୍କାକରେ ଚାଉଳ ମିଳୁଛି, କୃଷୀବୀମା ଅଛି । ସ୍ୱାସ୍ଥ୍ୟ ବୀମା ଅଛି । ଋଣ ଛାଡ଼ ହେବାର ସମ୍ଭାବନା ଅଛି। ଅତୀତରେ ଏ ସବୁ ନଥିଲା। ପିଲାମାନଙ୍କର ପୋଷାକ ପରିଚ୍ଛେଦ ବି କମ୍ ନୁହେଁ। ଏହା ଛଡା ଘରେ ଗାଈଗୋରୁ, ଛେଳି, ମେଣ୍ଢା ଓ କୁକୁଡା ଅଛନ୍ତି। ଏଗୁଡ଼ିକର ବଜାର ମୂଲ୍ୟ କମ୍ ନୁହେଁ। ଏହାସତ୍ତ୍ୱେ ସେମାନେ ଆତ୍ମହତ୍ୟା କରୁଛନ୍ତି। ଯଦି ଅତୀତର ସେହି ଫ୍ଲଡଗେଟ୍ ଅଞ୍ଚଳର ଚାଷୀମାନେ ଏଭଳି ଦାରିଦ୍ର୍ୟ, ଶସ୍ୟହାନି ଓ ଋଣଭାରର ବିକଳ୍ପ ଭାବେ ଆତ୍ମହତ୍ୟାକୁ ଧରି ନେଇଥାଆନ୍ତେ, ତେବେ ବରୀ, ବିଞ୍ଝାରପୁର, ଆଳି, ରାଜକନିକା, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ହଜାର ହଜାର ଚାଷୀ ଆତ୍ମହତ୍ୟା କରି ଥାଆନ୍ତେ। ଅନୁରୂପ ଭାବେ ଉତ୍ତର ବାଲେଶ୍ୱର, ଭଦ୍ରକର ବୈତରଣୀ ଅବବାହିକା, ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି ଅଞ୍ଚଳର ଚାଷୀମାନେ ମଧ୍ୟ ହଜାର ହଜାର ସଂଖ୍ୟାରେ ଆତ୍ମହତ୍ୟା କରିଥାଆନ୍ତେ। ସେମାନଙ୍କ ଭୀରୁତା ଓ ଦୁର୍ବଳ ମାନସିକତା ପରବର୍ତୀ ପିଢିକୁ ଆଦୌ ମାନସିକ ଶକ୍ତି ଯୋଗାଇ ନଥାନ୍ତା। ନୂଆ ପିଢି ରାଜ୍ୟ, ଦେଶ ତଥା ବିଦେଶରେ ପ୍ରଭାବଶାଳୀ ହୋଇପାରି ନଥାନ୍ତେ ।

Thursday, October 15, 2015

ନିଜସ୍ୱ ଯୋଜନା ନିଜକୁ ଅସମ୍ଭାଳ

ହିସାବ କହୁଛି କେବିକେ ଓ ପଶ୍ଚିମ ଓଡ଼ିଶାକୁ ସରକାରୀ ଅବହେଳା
କେନ୍ଦ୍ରୀୟ ଯୋଜନା ସହ ସମାନ୍ତରାଳ ଭାବେ ରାଜ୍ୟ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଇତିମଧ୍ୟରେ କେନ୍ଦ୍ର ସରକାର ୮ଟି ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାର ଅନୁଦାନ କାଟଛାଣ୍ଟ କରିବାକୁ ବସିଛନ୍ତି । କିନ୍ତୁ ନବୀନ ସରକାର ଦୃପ୍ତ ସ୍ୱରରେ କହିଛନ୍ତି ଯେ ବନ୍ଦ ଯୋଜନା ଗୁଡିକୁ ନିଜେ ନିଜସ୍ୱ ସମ୍ବଳରୁ ଚଳାଇବେ । କିନ୍ତୁ କେନ୍ଦ୍ରୀୟ ଯୋଜନା ଗୁଡିକ ପଛେ ଥାଉ, ରାଜ୍ୟର ନିଜସ୍ୱ ଯୋଜନା ବିଶେଷ କରି ପଶ୍ଚିମ ଓଡ଼ିଶା ଓ କେବିକେ ଜିଲ୍ଲା ଗୁଡିକ ପାଇଁ ଉଦ୍ଦିଷ୍ଟ କେତେକ ରାଜ୍ୟ ଯୋଜନାର ଅବସ୍ଥା ଶୋଚନୀୟ ଥିବା ବେଳେ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର କିପରି ଚଳାଇବେ ବୋଲି ପ୍ରଶ୍ନ ଉଠିଲାଣି ।  

ଗାନ୍ଧୀ ଜୟନ୍ତୀ ଦିନ ଠାରୁ ନବୀନ ସରକାରଙ୍କ କେନ୍ଦ୍ର ଅବହେଳା ବିରୋଧୀ ଅଭିଯାନ ଆରମ୍ଭ ହୋଇଛି । ବିହାର, ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ପ୍ୟାକେଜ୍ କେନ୍ଦ୍ର ଘୋଷଣା କରିଥିବା ବେଳେ ଓଡ଼ିଶା ପ୍ରତି ପାତରଅନ୍ତର ନୀତି! ୮ଟି କେନ୍ଦ୍ରୀୟ ଯୋଜନା ସମୂଳେ ବନ୍ଦ, ୩୩ଟି କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାର ଅନୁଦାନ ପ୍ରଦାନରେ କେନ୍ଦ୍ର-ରାଜ୍ୟ ଅଂଶଧନ କାଟଛାଣ୍ଟ ଆଦିକୁ ବିରୋଧ ସମେତ ବିଭିନ୍ନ ପ୍ରସଙ୍ଗ କ୍ଷମତାସୀନ ବିଜେଡି ଉଠାଇଛି । କେନ୍ଦ୍ର ବିରୋଧୀ ଏଭଳି ପୁରୁଣା ରଣକୌଶଳକୁ ଦୋହରାଇଛିି । ତେବେ ଏସବୁ ପ୍ରସଙ୍ଗ ଗୁଡିକ କେତେଦୂର ଦାନା ବାନ୍ଧିବ ତାହା ଆଗାମୀ ଦିନରେ ଜଣାପଡ଼ିବ । ତେବେ ଏଥର ବିଜେଡିର ଅଭିଯାନକୁ ପ୍ରତିହତ କରିବାକୁ ବିଜେପି ସମାନ୍ତରାଳ ଭାବେ ରାଜ୍ୟ ବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଦେଇଛି ।

ଏଥର ଦେଖିବା କେନ୍ଦ୍ର ବିରୋଧୀ ଅଭିଯାନ ପଛରେ ରହିଥିବା ଯୁକ୍ତିର ଦମ୍ କେତେ ଏବଂ ନିଜସ୍ୱ ଯୋଜନା ଗୁଡିକୁ ଚଳାଇବା ଦିଗରେ ରାଜ୍ୟ ସରକାର କେତେ ପାରଦର୍ଶୀ । କେବଳ ଗୋଟିଏ ବର୍ଷ (ଗତବର୍ଷର) ଖର୍ଚ୍ଚ ରାଶିର ହିସାବନିକାଶ କଲେ ପ୍ରମାଣିତ ହେଉଛି ଯେ କେନ୍ଦ୍ର ନୁହେଁ ରାଜ୍ୟ ସରକାର ହିଁ ପଶ୍ଚିମ ଓଡ଼ିଶା ଓ କେବିକେ ଜିଲ୍ଲାଗୁଡିକ ପ୍ରତି ଅବହେଳା କରିଛନ୍ତି । କିନ୍ତୁ କେବିକେ ଓ ପଶ୍ଚିମ ଓଡ଼ିଶା ପ୍ରୀତି ଦେଖାଇ ଯେଉଁ ନିର୍ବାଚନୀ ସଫଳତା ପାଇଛନ୍ତି, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ସେସବୁର ପ୍ରତିଫଳନ ହେଉନାହିଁ ।
ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟାବଳୀରୁ ଜଣାଯାଏ ଯେ ୨୦୧୪-୧୫ରେ ରାଜ୍ୟର ନିଜସ୍ୱ ଯୋଜନା ବିଜୁ କେବିକେ ବାବଦରେ ୧୨୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ତହିଁରୁ ମାତ୍ର ୫.୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥାତ୍ ଖର୍ଚ୍ଚ ହାର ୪.୩୦ ପ୍ରତିଶତ । ଏହି ବର୍ଷରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବଲାଙ୍ଗୀର ଜିଲ୍ଲା ଗୁଡିକୁ ଟଙ୍କାଏ ବି ଅନୁଦାନ ଦିଆଯାଇନାହିଁ। ସେହିଭଳି ୨୪୪୨ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ବେଳେ ମାତ୍ର ୮୨ଟି କାର୍ଯ୍ୟ ସଂପୂର୍ଣ ହୋଇଛି । ଏତେ ସ୍ୱଳ୍ପ ରାଶିର ଅନୁଦାନ ମଞ୍ଜୁରୀର ରହସ୍ୟ ଜଣାପଡ଼ିଛି ଯେ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଗୁଡିକର ତାଲିକା ସହିତ ଅନୁଦାନ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ୍ ଯାଇଥିଲା । କିନ୍ତୁ ଫାଇଲ ଗଦା ଭିତରେ ଏହି ପ୍ରକଳ୍ପ ପ୍ରସ୍ତାବ ଥିବା ଫାଇଲ ବହୁଦିିନ ଧରି ଅନୁମୋଦନ ଅପେକ୍ଷାରେ ପଡ଼ିରହିଲା । ଶେଷରେ ସ୍ୱଳ୍ପ ଅନୁଦାନ ରାଶି ମଞ୍ଜୁର କରିବାକୁ ବାଧ୍ୟ ହେଲେ ସରକାର । ବାସ୍ତବ ପକ୍ଷେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଲୋକବଳ, ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି ଏବଂ ଭିତ୍ତିଭୂମି ଦରକାର, ସରକାର ସେତିକି ବ୍ୟବସ୍ଥା କରିବାରେ ଢିଲା । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଚଳିତବର୍ଷ ଠାରୁ କେବିକେ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରେ ୧୯୯୫ରୁ ଚାଲିଥିବା ପରିବର୍ଦ୍ଧିତ ଦୀର୍ଘସୂତ୍ରୀ କାର୍ଯ୍ୟ ଯୋଜନା (RLTAP) ବନ୍ଦ କରିଦେଇଛନ୍ତି । ଫଳରେ ଓଡ଼ିଶା ବାର୍ଷିକ ୨୫୦ କୋଟି ଟଙ୍କା ହରାଇଛି । ତେବେ ସରକାର ଦୀର୍ଘ ଦେଢ଼ବର୍ଷ କାଳ ନୀରବ ରହିବା ପରେ ଏବେ ସେହି ଯୋଜନାକୁ ବିଜୁ କେବିକେ ଯୋଜନାରେ ସାମିଲ କରି ଅଧିକ ୧୩୦ କୋଟି ଟଙ୍କା ନିବେଶ କରି କେବିକେ ଜିଲ୍ଲା ଗୁଡିକରେ ବିକାଶ ପ୍ରକ୍ରିୟା ଜାରି ରଖିବାକୁ ଘୋଷଣା କରିଛନ୍ତି ।

ସେହିପରି ବିଜୁ କନ୍ଧମାଳ ଓ ବିଜୁ ଗଜପତି ଯୋଜନା । ୨୦୦୯-୧୦ରେ ଆରମ୍ଭ ହୋଇଥିବା କନ୍ଧମାଳ ଯୋଜନାରେ କେବଳ ପ୍ରଥମ ବର୍ଷରେ ସଂପୂର୍ଣ ଅନୁଦାନ ମୋଟ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପରବର୍ତୀ କୌଣସି ବର୍ଷରେ ସଂପୂର୍ଣ ଅର୍ଥ ରାଶି ଖର୍ଚ୍ଚ ହୋଇପାରିନାହିଁ । ୨୦୧୪-୧୫ରେ ୧୮ କୋଟି ଟଙ୍କାରୁ ଖର୍ଚ୍ଚ ହୋଇଥିଲା ମାତ୍ର ୬.୮୮ କୋଟି । ବିଜୁ ଗଜପତି ଯୋଜନା ପାଇଁ ପ୍ରତି ବର୍ଷ ୧୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଥାଏ । କିନ୍ତୁ ସେହି ଅର୍ଥ ଖର୍ଚ୍ଚ ହୋଇପାରେ ନାହିଁ । ୨୦୧୪-୧୫ରେ ମାତ୍ର ୨.୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଅର୍ଥାତ୍ ଖର୍ଚ୍ଚ ହାର ୩୮ ପ୍ରତିଶତ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକାରିତା ମଧ୍ୟ ସନ୍ତୋଷଜନକ ନୁହେଁ। ଏହି ପରିଷଦକୁ ସରକାର ବର୍ଷକୁ ୧୦୦ କୋଟି ଟଙ୍କା ମଂଜୁର କରିଥାନ୍ତି । ସେହି ଅର୍ଥ ପୁନର୍ବାର ପରିଷଦ ଏହା ଅଧୀନ ୧୧ଟି ଜିଲ୍ଲାକୁ ପ୍ରକଳ୍ପ ପ୍ରସ୍ତାବ ହିସାବରେ ଆବଣ୍ଟନ କରିଥାନ୍ତି । ୨୦୧୪-୧୫ରେ ପରିଷଦ ମଞ୍ଜୁର କରିଥିବା ୯୩.୨୬ କୋଟି ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୩୧.୪୨ କୋଟି ଟଙ୍କା । ତହିଁରୁ ମାତ୍ର ୬.୮୪ କୋଟି ଟଙ୍କାର ବିନିଯୋଗପତ୍ର ମିଳିଛି । ସେହିପରି ରହିଛି ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟ ରାଜ୍ୟ ଯୋଜନା ଗୁଡିକର ସ୍ଥିିତିି । ଅପରପକ୍ଷରେ ୨୦୧୪-୧୫ରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ଗୁଡିକର କାର୍ଯ୍ୟକାରିତା କଥା ଦେଖାଯାଉ । ପଛୁଆ ଅଂଚଳ ଅନୁଦାନ ପାଣ୍ଠି (BRGF, ଏବେ ବନ୍ଦ)ରେ ମିଳିଥିଲା ୩୯୬.୮୩ କୋଟି । କିନ୍ତୁ ଖର୍ଚ୍ଚ ହୋଇଛି ୧୭୯.୪୬ କୋଟି ଟଙ୍କା । ଆଦିବାସୀ ଉପଯୋଜନା ବାବଦରେ ମିଳିଥିବା ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ୨୦୦ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୧୨୯.୪୮ କୋଟି । 

ସେହିପରି ସମନ୍ୱିତ କାର୍ଯ୍ୟ ଯୋଜନା (IAP, ଏବେ ବନ୍ଦ)ରେ ୫୪୦ କୋଟିରୁ ଖର୍ଚ୍ଚ ହୋଇଛି ୩୬୦ କୋଟି । ଜାତୀୟ ସହରାଞ୍ଚଳ ନବୀକରଣ ମିଶନ (NURM)ରେ ୬୦୦.୭୧ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୩୦୦.୩୫ କୋଟି ଟଙ୍କା । କାଳେ କେନ୍ଦ୍ରୀୟ ଯୋଜନା ଅନୁଦାନ ଖର୍ଚ ନକଲେ ଏବଂ ବିନିଯୋଗ ପତ୍ର ଦାଖଲ ନକଲେ, ତାହା ଫେରିଯିବ, ତାକୁ ଦୃଷ୍ଟିରେ ରଖି ତ୍ୱରିତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥାଏ । କିନ୍ତୁ ରାଜ୍ୟ ଯୋଜନାଗୁଡ଼ିକ ଉପରେ ସରକାର ସେଭଳି ଗୁରୁତ୍ୱ ଦେଉ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ ନିଜର ଯୋଜନାଗୁଡ଼ିକ ତୁଲାଇବା, ଖୋଦ୍‍ ସରକାରଙ୍କୁ ଅସମ୍ଭାଳ । କେବଳ ଆତ୍ମରକ୍ଷା ପାଇଁ ଆକ୍ରମଣ ନ୍ୟାୟରେ ନବୀନ ସରକାର ଯେଉଁଭଳି କେନ୍ଦ୍ର ଅବହେଳା ପ୍ରସଙ୍ଗର ଦୋହରା ଅଭିଯାନ ଆରମ୍ଭ କରିଛନ୍ତି, ତାହା ମୁହଁ ଭୁରୁଡ଼ି ଭଳି ମନେ ହେଉଛି ।

କେବିକେ ମୁଖ୍ୟଙ୍କ ଜିଲ୍ଲା ଗସ୍ତ ଉପରଠାଉରିଆ 
କେବିକେ ଅଧୀନ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡ଼ାରେ ଦାରିଦ୍ର୍ୟ ଦୂରୀକରଣ, ଭିତ୍ତିଭୂମି ବିକାଶ, ଲୋକଙ୍କ ଜୀବନ ଜୀବିକା, ମୌଳିକ ସେବା ସୁବିଧା ଆଦିର ସମୀକ୍ଷା ନିମନ୍ତେ ମୁଖ୍ୟ ପ୍ରଶାସକ ସଂପୃକ୍ତ ଜିଲ୍ଲାଗୁଡିକ ଗସ୍ତ କରିଥାନ୍ତି । କିନ୍ତୁ ଏହି ଗସ୍ତ ଲୋକଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂକ୍ରାନ୍ତରେ ଅବଗତ ହେବା କିମ୍ବା ସମସ୍ୟା ଗୁଡିକର ବାସ୍ତବ ଚିତ୍ର ଉପଲବ୍ଧ କରି ବାସ୍ତବଧର୍ମୀ ସମାଧାନ ସୂତ୍ର ବାହାର କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ୨୦୧୪-୧୫ରେ କେବିକେ ମୁଖ୍ୟ ପ୍ରଶାସକଙ୍କ ଗସ୍ତ ସୂଚୀକୁ ଦେଖିଲେ ଯେ କେହି ଏହା ଜାଣିପାରିବେ । ୨୦୧୪ ମେ, ଅଗଷ୍ଟ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ଏବଂ ୨୦୧୫ ଜାନୁଆରି ମାସରେ ମୁଖ୍ୟ ପ୍ରଶାସକ ୮ଟି କେବିକେ ଜିଲ୍ଲା ଗସ୍ତ କରିଥିଲେ । ତାଙ୍କ ଗସ୍ତ କାର୍ଯ୍ୟକ୍ରମରେ ଗୋଟିଏ ବି ଜିଲ୍ଲାରେ ଏକାଧିକ ଦିନ ବିତାଇ ନାହାନ୍ତି । ବରଂ କଳାହାଣ୍ଡି ଓ ନୂଆପଡ଼ା ଭଳି ଦାଦନ ପ୍ରବଣ ୨ଟି ଜିଲ୍ଲା ଏବଂ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଗୋଟିଏ ଦିନରେ ପରିଦର୍ଶନ କରି ସେ ନିଜ କର୍ତବ୍ୟ ସଂପାଦନ କରି ଦେଇଛନ୍ତି ।

ସୌଜନ୍ୟ: ସମ୍ବାଦ, ୧୩ ଅକ୍ଟୋବର ୨୦୧୫

Tuesday, October 13, 2015

ମହାବାତ୍ୟା ପରର ମଣିଷ

(ସାପ୍ତାହିକ ‘ସମାଜ’ ୨୮ ଜୁନ୍‌ ୨୦୦୦ ସଂଖ୍ୟାର ପୃଷ୍ଠା ୧୪ ଓ ୧୫ରେ ପ୍ରକାଶିତ; ଲେଖକ: ବିମଳ ପ୍ରସାଦ)
୧୯୯୯ ଅକ୍ଟୋବର ୧୭, ୧୮ ଏବଂ ୨୯,୩୦ ତାରିଖରେ ଦୁଇ ଥରରେ ବାତ୍ୟା ବହିଗଲା। ୨୯ ଓ ୩୦ ତାରିଖର ବାତ୍ୟାକୁ ମହାବାତ୍ୟା ଆଖ୍ୟା ଦିଆଗଲା। ଏଥିରେ ବେଶି ମଣିଷ ବିପନ୍ନ ହୋଇଥିଲେ। ପୂର୍ବ ଉପକୂଳ ଓଡ଼ିଶାରେ ଯେଉଁ ଅଭୂତପୂର୍ବ କ୍ଷତି ଘଟିଲା, ତା’ର ଚିହ୍ନ ଏବେ ବି ଅନେକ ଅଞ୍ଚଳରେ ସ୍ପଷ୍ଟ ହୋଇ ରହିଛି। ସେଦିନ ନଭେମ୍ବର ୬ ତାରିଖ ୧୯୯୯ ମସିହା। ଗୋଟିଏ ମିନିଟ୍ରକ୍‌ରେ ଚାଉଳ, ଡାଲି, ଆଳୁ, ଚୂଡ଼ା, ଗୁଡ଼, ଲୁଗାପଟା ଓ ଔଷଧ ସମେତ ଆହୁରି କିଛି ସାମଗ୍ରୀ ଧରି ଦୁଇଟି ଟ୍ରେକରରେ ଆମେ ବାହାରିଲୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ର ମଲ୍ଲିକାପୁର ଗାଆଁକୁ। ପହଞ୍ଚିଲା ବେଳକୁ ସଂଜ ନଇଁ ଆସିଲାଣି। ଦୁଇ ଦିନ ଆଗରୁ ସ୍ଥିର କରି ସାରିଥିଲୁ ଯେ ଗୋଟିଏ ଶିବିରରେ ସବୁ କର୍ମୀ ରହିବେ ଏବଂ ସେଇଠି ସବୁ ସାମଗ୍ରୀ ରହିବ। ସେଇଠାରୁ ସିଧାସଳଖ ଲୋକମାନଙ୍କ ପାଖକୁ ଯାଇ ରନ୍ଧା ହୋଇ ଖାଦ୍ୟ ଦିଆଯିବ। ତେଣୁ ବାଟରେ ବିପନ୍ନ ମଣିଷଙ୍କ ‘‘ଆମକୁ ଦିଅ, ଆମକୁ ଦିଅ’’ ଚିତ୍କାରକୁ ଏଡ଼ାଇ ଆସିବାକୁ ପଡ଼ିଲା। ଜଗତସିଂହପୁର-ବାଲିକୁଦା ରାସ୍ତାରୁ ଭାଙ୍ଗି ଅଣଚଉଡ଼ା ରାସ୍ତାରେ ମଲ୍ଲିକାପୁର ଯିବା ବେଳେ ଗାଡ଼ିଗୁଡ଼ିକର ବେଗ ହଠାତ୍‌ ମନ୍ଥର ହୋଇଗଲା। ଆଗରେ ବାଲିକୁଦା ମହିଳା ମହାବିଦ୍ୟାଳୟ। ସେଠାରେ ଦୁଇ ଶତାଧିକ ମଣିଷ ସେବେ ଯାଏଁ  ଆଶ୍ରିତ ହୋଇ ରହିଥାଆନ୍ତି। ସେମାନେ କିଛି ରିଲିଫ୍‌ ସାମଗ୍ରୀ ପାଇବା ପାଇଁ ପାଟି କରୁଥାଆନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସତର ଅଠର ବର୍ଷୀୟ ଯୁବତୀ ଅଣ୍ଟାରେ ଗାମୁଛା ବାନ୍ଧି ଆଗକୁ ବାହାରି ପଡ଼ି କହିଲେ, ‘‘ଆମେ ଏଠି ଏତେ ଲୋକ କ’ଣ ଭୋକରେ ମରିବୁ?’’ ଆମେ ସେଇମାନଙ୍କ ପାଇଁ ଆସିଛୁ ଓ ଆଣିଛୁ ବୋଲି ଜାଣିବା ପରେ ସେମାନେ ଆଶ୍ଵସ୍ତ ହେଲେ ଏବଂ ଆମେ ମଲ୍ଲିକାପୁରରେ ପହଞ୍ଚିଗଲୁ। 

ବିପନ୍ନ ମଣିଷମାନଙ୍କ ବିଶୃଙ୍ଖଳ ଆକାଂକ୍ଷାକୁ ସାମନା କରି ନପାରି ‘ଟେଲ୍‌କୋ’ର ଜଣେ ପଦସ୍ଥ ଅଧିକାରୀ ସରୋଜ ଘୋଷ ଫେରି ଯାଉଥିଲେ ଭୁବନେଶ୍ଵର। ସାଥୀରେ ଅନ୍ୟ ବନ୍ଧୁମାନଙ୍କ ସହ ଫେରାଇ ନେଉଥିଲେ ଆଣିଥିବା ସାମଗ୍ରୀ  ସବୁ। ଜଗତସିଂପୁର ସହରରେ ଆମେ ଅଟକିଥିବା ବେଳେ ଗୋଟିଏ ଚାହା ଦୋକାନରେ ଆମର ପରିଚୟ ପାଇଲା ପରେ  ଖୁବ୍‌ ଆତ୍ମବିଶ୍ଵାସରେ ଓ ଆନନ୍ଦରେ ଆମକୁ ଶ୍ରୀ ଘୋଷ ସବୁ ସାମଗ୍ରୀ ଦେବାକୁ ଅନୁରୋଧ କଲେ।  ଅନୁରୋଧ ରକ୍ଷା କରି ତାଙ୍କଠୁ ବିସ୍କୁଟ, ପାରୋଟି, କଦଳୀ, ପାଣି, ଲୁଗାପଟା ଗଣ୍ଠିଲି ଆଣି ମିନିଟ୍ରକ୍‌ରେ ବୋଝେଇ କରିଥିଲୁ। ସେଇ ୬ ତାରିଖ ଶନିବାର ସଂଧ୍ୟାରେ ସବୁ ପାଁରୋଟି, ପାଚିଲା କଦଳୀ, ବିସ୍କୁଟ୍‌ ଆଖପାଖ ଗାଆଁରେ ବାଣ୍ଟି ଦେଲୁ। ତିନି ଚାରି ଦିନ ନଡ଼ିଆ ଖାଇ ଓ ପଇଡ଼ ପାଣି ପିଇ ଏବଂ ଗଜା ହୋଇଯାଇଥିବା ମୁଗ ଓ ବିରିକୁ ଭାଜି ଖାଇଥିବା ମଣିଷମାନେ ପାରୋଟି, କଦଳୀକୁ ଘରେ ସାଇତିବାର ଅବକାଶ ପାଇ ନଥିଲେ।

ପରଦିନ ଠାରୁ ପାଞ୍ଚଟି ଗାଆଁ(ନରିଲୋ, ନରଣପୁର, ବଡ଼ାଘର, ଗବଡିହ, ମଲ୍ଲିକାପୁର)ରେ ରନ୍ଧାଖାଦ୍ୟ ପରିବେଷଣର କାର୍ଯ୍ୟକ୍ରମ ଚାଲିଲା।  ଖାଦ୍ୟ ରାନ୍ଧିବାରେ ଗାଆଁଲୋକେ ବେଶ୍‌ ସହଯୋଗ କରୁଥିଲେ। ସବୁଯାକ ଗାଆଁରେ ଦିନକୁ ଥରଟେ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ହୋଇଥିଲା। ମାତ୍ର ସର୍ତ ଥିଲା ଯେ  ସମସ୍ତେ ପଙ୍ଗତରେ ବସିବେ।  ପ୍ରଥମ ଦିନଟା ଗାଆଁଗୁଡ଼ିକର ପ୍ରାୟ ୩୦ ପ୍ରତିଶତ ଲୋକ ପଙ୍ଗତକୁ ନଆସି ଘରକୁ ନେଇଗଲେ। କିନ୍ତୁ ଯେଉଁମାନେ ପଙ୍ଗତରେ ନବସିବେ ଏବଂ ଯେଉଁମାନଙ୍କର ଅଭାବ ନାହିଁ, ସେମାନଙ୍କୁ ଆମେ ରିଲିଫ୍ ଦେବାକୁ ଆଣି ନାହୁଁ ବୋଲି ସ୍ପଷ୍ଟ ଜଣାଇଲା ପରେ, ପରବର୍ତ୍ତୀ ଦିନଗୁଡ଼ିକରେ ରନ୍ଧାଖାଦ୍ୟ ପଙ୍ଗତରେ ପରିବେଷଣ ପରେ ସରି ଯାଉଥିଲା। ଲୋକମାନେ ଦିନକୁ ଦିନ ସ୍ଵାଭାବିକ, ସୁସ୍ଥ ଓ ମନସ୍କ ହେଉଥିବାର ଲକ୍ଷ୍ୟ କରି ଏବଂ ସରକାରୀ ରିଲିଫ୍‌ର ସୁଅକୁ ଲକ୍ଷ୍ୟ କରି ୫ ଦିନ ପରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ବନ୍ଦ କରି ଦେଲୁ। କେହି ଆପଣାର ଦୁଃସ୍ଥତାରେ ସଢ଼ିବେନି। ସମସ୍ତଙ୍କ ଭଙ୍ଗାଘରେ ବି ଚୂଲୀ ଜଳିବ। ଏଇ କଥାକୁ ଧାରଣାରେ ରଖି ଲୋକଙ୍କୁ କାମରେ ଲଗାଇବାର ଉପାୟ ସ୍ଥିର କରାଗଲା। ଗାଆଁ ଗାଆଁରେ ବୈଠକ କରିବା ପରେ  ଦୁଇଟି ଗାଆଁରେ ଲୋକେ ‘‘କାମ ପାଇଁ ଖାଦ୍ୟ’’ ପ୍ରସ୍ତାବରେ ରାଜି ହେଲେ। ପରଦିନଠୁ ଗାଆଁ ସଫେଇ, ଘର ଉଠା, ପୋଖରୀ ସଫେଇ, ମନ୍ଦିର ପରିସର ସଫେଇ, ରାସ୍ତା ମରାମତି ଇତ୍ୟାଦି କାମ ଆଗେଇ ଚାଲିଲା। ଯେଉଁମାନେ କାମକୁ ଆସିଲେ, ସେଇମାନଙ୍କୁ ସଂଧ୍ୟା ପୂର୍ବରୁ ସେଦିନର ନିର୍ଧାରିତ ସାମଗ୍ରୀ ଦିଆଗଲା।  ନିଜନିଜର ପରିଶ୍ରମ ଅନୁସାରେ ପ୍ରତ୍ୟେକ ପରିବାରରେ ଯେପରି ଖାଦ୍ୟଶସ୍ୟ ସଞ୍ଚିତ ହୋଇପାରିବ, ସେଥିପାଇଁ ପ୍ରତ୍ୟେକ ପରିବାରର ସଦସ୍ୟ ଯେପରି ଦଳ ମଧ୍ୟରେ ରହିବେ, ସେଥିପାଇଁ ଧ୍ୟାନ ଦିଆଯାଇଥିଲା। 

୧୪ ବର୍ଷରୁ ଅଧିକ ବୟସର ସୁସ୍ଥ ଲୋକମାନଙ୍କୁ କାମ ଦଳରେ ରଖାଯାଉଥିଲା। ଦିନେ ଦୁଇ ଦିନ ପରେ ମହିଳାମାନେ ମଧ୍ୟ କାମରେ ଯୋଗ ଦେବାର ଦେଖାଗଲା।  ଶ୍ରମ ମୂଲ୍ୟ ରୂପେ ବିଭିନ୍ନ ଦିନରେ ବଣ୍ଟାଯାଉଥିବା ରିଲିଫ୍‌ ସାମଗ୍ରୀଗୁଡ଼ିକ ମଧ୍ୟରେ ଚୁଡ଼ା, ଗୁଡ଼, ଚାଉଳ, ଡାଲି, ଆଳୁ, ମହମବତୀ, ଦିଆସିଲି ଇତ୍ୟାଦି ରହିଥିଲା। ତିଦି ଚାରିଦିନ ଭିତରେ ଆଖପାଖ ଗାଆଁର ଲୋକେ ‘‘କାମ ପାଇଁ ଖାଦ୍ୟ’’ ସ୍କିମ୍‌ର ସୁରାକ ପାଇ ଆମକୁ ଆବେଦନ କଲେ। କ୍ରମେ CYSD କର୍ମୀମାନଙ୍କ ସହିତ କାର୍ଯ୍ୟରତ ସ୍ଵେଚ୍ଛାସେବୀମାନଙ୍କ ସଂଖ୍ୟା ବଢ଼ାଇଲୁ। ଗାଆଁର ଅବସ୍ଥା, ଗ୍ରାମବାସୀମାନଙ୍କ ମାନସିକ ଅବସ୍ଥାକୁ ଲକ୍ଷ୍ୟ କରି ଏହି ସ୍କିମ୍‌କୁ ଲାଗୁ କରେଇଲୁ। ସାନବଡ଼ ଧନୀ, ଗରିବର ଭେଦ ଭୁଲି ସମସ୍ତେ କାମ କଲେ ଏବଂ ନିର୍ଧାରିତ ଦେୟ ମଧ୍ୟ ଗ୍ରହଣ କଲେ। ଦିନ କେଇଟାରେ ଘରଗୁଡ଼ିକ ପୁଣି ତା’ର ପୂର୍ବ ରୂପ ପାଇ ଠିଆ ହୋଇଗଲା। କେଉଁଠି ଘାଇ ଉପରେ ପୋଲ ହୋଇ ପାରିଲା ତ, କେଉଁଠି ବିଦ୍ୟାଳୟ ଗୃହ ସଫାସୁତରା ହୋଇ ବ୍ୟବହାର ଉପଯୋଗୀ ହୋଇଗଲା। କେଉଁଠି ବି ରାସ୍ତା, କେନାଲ, ନାଳ ସବୁ ସଫା ହୋଇ ପୂର୍ବ ଅବସ୍ଥାକୁ ଫେରି ଆସି ପାରିଲା। ଯେଉଁ ଗାଆଁର ଲୋକେ ଏହି ଚିନ୍ତନ ସହ ମିଶି ନିଜ ଗାଆଁର ଅସୁବିଧା ଦୂରୀକରଣ କଥା ଭାବି ପାରୁ ନଥିଲେ, ସେମାନେ ପଛରେ ପଡ଼ି ଯାଉଥିଲେ। ମହାବାତ୍ୟା ପରେ, ଏକତା ଥିବା ଗାଆଁଗୁଡ଼ିକ ଚଟାପଟ୍‌ ଚିହ୍ନା ପଡ଼ିଯାଉଥିଲା।  ଏକତା ନଥିଲେ ସୁଦ୍ଧା ଯେପରି ଗାଆଁର ବାସିନ୍ଦାମାନଙ୍କ ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା ଓ ସ୍ଥିରତା ପରିଲକ୍ଷିତ ହେଉଥିଲା। ହାନିକାରକ କଜିଆର ଅବକାଶ ନଥିଲା।  ଭେଦଭାବ ଭୁଲି ଯେପରି ପାରସ୍ପରିକ ସହଯୋଗିତା ଓ ସହଭାଗିତା ମାଧ୍ୟମରେ ଲୋକେ କାମରେ ଲାଗୁଥିଲେ, ତାହା ଅବଶ୍ୟ ଶିକ୍ଷଣୀୟ ଓ ସ୍ମରଣୀୟ।  ଏପରିକି ବିଶେଷ କ୍ଷତିର ସମ୍ମୁଖୀନ ହୋଇ ନଥିବା ପକ୍କାଘରର ମଣିଷମାନେ ମଧ୍ୟ କାମରେ ସାମିଲ ହେଉଥିଲେ। ସମ୍ଭବତଃ ଏପ୍ରକାର ସହାବସ୍ଥାନ ଯୋଗୁଁ ଏତେ ବଡ଼ ବିପତ୍ତି ବେଳେ ନିଃସ୍ଵ ଓ ନିଃସହାୟ ମଣିଷମାନେ ବି ନିଜ ନିଜର ସାଧାରଣ ଜୀବନଯାପନର ପୁନଃସ୍ଥାପନ ବେଶ୍‌ ସୁରୁଖୁରୁରେ କରିପାରିଲେ। ତଥାପି ଲୋକମାନେ ନିଜର ମହାବାତ୍ୟା ପୂର୍ବର ଜୀବନଧାରା ଫେରି ପାଇବା ସଂପର୍କରେ ସେମାନଙ୍କର ଆଶା ଓ ଆଶଙ୍କା ସବୁକୁ ଆମେ ଠୁଳ କରିବାରେ ଲାଗି ପଡ଼ିଥିଲୁ।

ଗ୍ରାମାଞ୍ଚଳରେ କଚାଘର ରହିବା ସ୍ଵାଭାବିକ। କିନ୍ତୁ ବିଜ୍ଞାନର ଅଗ୍ରଗତି ଓ ସ୍ଥାନୀୟ ଲୋକଙ୍କ ସ୍ଵଚ୍ଛଳ ଆର୍ଥିକ ସ୍ଥିତି ସତ୍ତ୍ୱେ ଏତେ ପରିମାଣରେ କଚାଘର, ରାଜ୍ୟ ବାହାରର ସ୍ଵେଚ୍ଛାସେବୀଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିବା ସଙ୍ଗେ ସଙ୍ଗେ ଆମକୁ ବି ବିସ୍ମିତ କରିଥିଲା। କାରଣ ସନ୍ଧାନ କରି ଜାଣିଥିଲୁ ଯେ  ସେହି ଅଞ୍ଚଳରେ ବାଲି, ପଥର, ଚିପ୍‌ସ୍‌ ନାହିଁ। ଏପରିକି ମାଟିକାନ୍ଥ ବା ଇଟା ତିଆରି  ପାଇଁ ମଧ୍ୟ ପ୍ରକୃଷ୍ଟ ମାଟି ନାହିଁ। ଗୃହନିର୍ମାଣ ସାମଗ୍ରୀ ସବୁ ପ୍ରାୟ ୮୦-୯୦ କିଲୋମିଟର ଦୂରରୁ ଆସୁଥିବାରୁ ଦର ଅତ୍ୟଧିକ ହୋଇଥାଏ। ‘ବାସଗୃହ’ ମଣିଷର ମୌଳିକ ଆବଶ୍ୟକତା। ସାକ୍ଷର, ନିରକ୍ଷର ସମସ୍ତେ ଏକଥା ଜାଣନ୍ତି। ସଭ୍ୟ ଦୁନିଆରେ ମାଟିଘର ବା କଚାଘର , କେବେ ବାସଗୃହରେ ଗଣା ନୁହେଁ; ଏକଥା ଆମ ପ୍ରଶାସନ ଓ ନୀତିପ୍ରଣେତାମାନଙ୍କୁ ଅଜଣା ନାହିଁ। ଅଥଚ ନିୟନ୍ତ୍ରିତ ବଜାର ଦରରେ ଗୃହନିର୍ମାଣ ସାମଗ୍ରୀ ଯୋଗାଣ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଅତୀତରେ ଉଦ୍ୟମ କରାଯାଇନାହିଁ କି ମହାବାତ୍ୟା ପରେ ମଧ୍ୟ ଜ୍ଞାନୋଦୟ ହେଉନାହିଁ। ଏକଥା ଚର୍ଚା କଲା ବେଳେ ଲୋକମାନଙ୍କର ଉତ୍ସୁକତା ବେଶ୍‌ ବଢ଼ି ଯାଉଥିଲା। କଚାଘରର ଯନ୍ତ୍ରଣାକୁ ଆଗାମୀ ଦିନରେ ସେମାନେ ଭୁଲିଯିବାକୁ ଚାହୁଥିଲେ।


ଅନୁସୂଚିତ ଜାତିର ଲୋକମାନେ ଶତପ୍ରତିଶତ ଭୂମିହୀନ ଓ ଶ୍ରମିକ ଶ୍ରେଣୀର।  ଏକଥା କେବଳ ବାଲିକୁଦାରେ ନୁହେଁ, ସମଗ୍ର ବାତ୍ୟା ପ୍ରପୀଡ଼ିତ ଉପକୂଳ ଅଞ୍ଚଳରେ ଲକ୍ଷ୍ୟ କରିବାର ମଉକା ପାଇଛୁ। ରୟତ ଓ ସାଆନ୍ତମାନଙ୍କ ସହ ଯୁଝିବାର କୌଣସି ନଜିର ନାହିଁ କି ଭବିଷ୍ୟତରେ ପ୍ରଶ୍ନ କରିବାର ବପୁ ମଧ୍ୟ ସେମାନଙ୍କର ନାହିଁ।  ଏପରିକି ନିଜର ଘରଡିହ ନଥିବା  ପରିବାର ସଂଖ୍ୟା ମଧ୍ୟ ଅଗଣିତ। ଏମାନେ ବଞ୍ଚିଛନ୍ତି କଟକ, ଭୁବନେଶ୍ଵରରେ ରହୁଥିବା ଜମିମାଲିକମାନଙ୍କ ଦାନରୁ ମିଳିଥିବା ଡିହ ଉପରେ।  ଶିକ୍ଷିତ ଅଞ୍ଚଳରେ ଯେ ଲକ୍ଷ ଲକ୍ଷ ଲୋକ ପଦାନତ ହୋଇ ରହିଛନ୍ତି - ଏ କଥା ଆମେ ଜାଣିଲୁ ମହାବାତ୍ୟା ପରେ। ସେମାନେ ନୀରବ ହେତୁ ଗରିବ କି  ଗରିବ ହେତୁ ନୀରବ, ଏ କଥା ସମୟ କହିବ ଓ ଆପଣମାନେ କହିବେ।


ସଂପ୍ରତି ଥଇଥାନ କାମରେ ଆମ ପରି ଅନେକ ସ୍ଵେଚ୍ଛାସେବୀ ସଂଗଠନ ଲାଗିଛନ୍ତି। ଭଲ ହୁଅନ୍ତା, ଯଦି ସ୍ଵେଚ୍ଛାସେବୀ ସଂଗଠନମାନେ ଉପକୂଳ ଓଡ଼ିଶାରେ ମଧ୍ୟ ଆସ୍ଥାନ ଜମେଇ ପାରନ୍ତେ, ତେବେ ରାଜ୍ୟରେ ସାମାଜିକ ବିପ୍ଳବ ତ୍ଵରାନ୍ୱିତ ହୁଅନ୍ତା ଏବଂ ବିପର୍ଯ୍ୟୟ ପୂର୍ବର ମଣିଷ ଓ ପରର ମଣିଷ ମଧ୍ୟରେ ବ୍ୟବଧାନ କମିବାର ପଟ ପ୍ରସ୍ତୁତ ହୋଇଯାଆନ୍ତା।

Thursday, October 8, 2015

ମରୁଡ଼ି କ୍ଷତି ଆକଳନରେ ଝୁଣ୍ଟିବ ଓଡ଼ିଶା ସରକାର

ବୃଷ୍ଟିହୀନତା କାରଣରୁ ଚଳିତ ବର୍ଷ (୨୦୧୫ରେ) ଓଡ଼ିଶାରେ ମରୁଡ଼ି ହୋଇଛି। ଅର୍ଥାତ୍‍ ଖରିଫ୍‍ ଫସଲ ହାନି ହୋଇଛି। ହେଲେ କ୍ଷତି ଆକଳନ କରିବା ଏବଂ ଚାଷୀମାନଙ୍କୁ କ୍ଷତିପୂରଣ ଦେବାରେ ପ୍ରଶାସନ ଅତୀତରେ ଦକ୍ଷତା ଦେଖାଇ ନଥିବାରୁ ଚଳିତ ବର୍ଷର ମରୁଡ଼ି ସମସ୍ୟା ମଧ୍ୟ ଚାଷୀକୁଳକୁ ଚିନ୍ତାରେ ପକାଇବ ବୋଲି ଆଶଙ୍କା କରା ଯାଉଛି। ବିପର୍ଯୟ ପରିଚାଳନାରେ ସଫଳତା ପାଇଁ ଓଡ଼ିଶା ପ୍ରଶାସନ ପୁରସ୍କୃତ ହୋଇଥିଲେ ସୁଦ୍ଧା ମରୁଡ଼ି ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କୃଷକ ସଂଗଠନମାନଙ୍କ ଆହ୍ୱାନକୁ ସାମ୍ନା କରିବାକୁ ପଡ଼ୁଛି। ଚଳିତ ବର୍ଷ ବର୍ଷାଋତୁରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ କମ୍‍ ବର୍ଷିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଥିଲା । ଏପରିକି ଚଳିତ ବର୍ଷ ଜୁନ୍‍ ମାସରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ରଜଛୁଟି ମଧ୍ୟ ବାତିଲ କରାଯାଇଥିଲା । ଏଣେ କେନ୍ଦ୍ର ସରକାର ମଧ୍ୟ ମରୁଡ଼ି ପରିସ୍ଥିତି ପ୍ରତି ସଜାଗ ରହିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ଆଗୁଆ ସତର୍କ କରାଇଛି । ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ମରୁଡ଼ି-ଭଳି ପରିସ୍ଥିତି ରହିଛି ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଖରିଫ୍‍ ଫସଲର କ୍ଷତି ଆକଳନ ପାଇଁ ତଳସ୍ତରର ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିବା କହିଛନ୍ତି । ତେବେ ଖରିଫ୍‍ ଫସଲ ପାଇଁ ଉଦ୍ଦିଷ୍ଟ ଜଳସେଚନ ବ୍ୟବସ୍ଥା କାହିଁକି ଦକ୍ଷତାର ସହ କାମ କଲା ନାହିଁ ତାହା ଉପରେ କୌଣସି ସଫେଇ ଦେଇ ନାହାନ୍ତି । ଜଳସମ୍ପଦ ବିଭାଗ ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ଏହା ଉପରେ ବିରୋଧୀ ଦଳ ଓ ନାଗରିକ ସଂଗଠନମାନେ ପ୍ରଶ୍ନବାଣ ଛାଡ଼ିବା ଥୟ।

ଗତାନୁଗତିକ ଧାରାରେ ରାଜସ୍ୱ ନିରୀକ୍ଷକ(ଆର୍‍.ଆଇ.)ମାନଙ୍କ ରିପୋର୍ଟ ଆଧାରରେ ଯେଉଁ ରିପୋର୍ଟ ରାଜ୍ୟ ରାଜଧାନୀକୁ ଆସେ ସେହି ପ୍ରକ୍ରିୟାରେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀର କୌଣସି ଭୂମିକା ନଥାଏ । ତେଣୁ ଏହା ଏକ ତ୍ରୁଟିପୂର୍ଣ ପ୍ରକ୍ରିୟା ବୋଲି ଅଭିଯୋଗ ହୁଏ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର କୌଣସି ମରୁଡ଼ି ସହାୟତା ରାଶି ଖଲାସ କରିବା ପୂର୍ବରୁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ପଠାଇବାର ପରମ୍ପରା ରହିଛି । ଯେହେତୁ କ୍ଷତି ଆକଳନ ପ୍ରକ୍ରିୟା କୌଣସି ବୈଜ୍ଞାନିକ ପଦ୍ଧତିି ଉପରେ ଆଧାରିତ ନୁହେଁ, ତେଣୁ ଏଥର ରାଜ୍ୟ ପ୍ରଶାସନ ଅଡ଼ୁଆରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ମରୁଡ଼ି ମୁକାବିଲା ବା ମରୁଡ଼ି ପରିଚାଳନା ମୁଖ୍ୟତଃ ଜାତୀୟ ମରୁଡ଼ି ପରିଚାଳନା ମାର୍ଗଦର୍ଶିକା ଅନୁସାରେ ହେବ। ଯାହାକି ଜାତୀୟ ମରୁଡ଼ି ପରିଚାଳନା କର୍ତ୍ତୃପକ୍ଷ (NDMA)ଙ୍କ ଅଧୀନରେ ପରିଚାଳିତ । NDMA ତଥ୍ୟ ଅନୁସାରେ ଚଳିତ ଶତାବ୍ଦୀରେ ୨୦୦୨ ଓ ୨୦୦୯ରେ ମରୁଡ଼ି ହୋଇଥିଲା। ଏବେ ୨୦୧୫ରେ ଓଡ଼ିଶାରେ ମରୁଡ଼ି ହୋଇଛି। NDMAର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ରାଜ୍ୟ ସ୍ତରରେ ଗଢ଼ା ହେଉଥିବା SDMAର ମୁଖିଆ ମୁଖ୍ୟମନ୍ତ୍ରୀ। ଆଉ ଜିଲ୍ଲା ସ୍ତରରେ DDMA, ଯାହାର ମୁଖ୍ୟ କାମ ହେଲା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ।

ଗତ ୧୭ ବର୍ଷ ଧରି ଲକ୍ଷ୍ୟ କରାଯାଉଛି ଯେ ଓଡ଼ିଶାରେ ଅକ୍ଟୋବର ମାସରେ ହିଁ ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଭଳି ବିତ୍ପାତ ହେଉଛି। ତେଣୁ ଅକ୍ଟୋବର ୩୧ ତାରିଖ ପରେ ହିଁ ଓଡ଼ିଶାର ସାଂପ୍ରତିକ ଦୁର୍ବିପାକ ତଥା ମରୁଡ଼ିର ଅସଲ ଚିତ୍ର ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଇ ପାରେ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ଉପଯୁକ୍ତ ବାର୍ତାବିନିମୟ ହୋଇ ନଥିଲେ ତାହାର ପରିଣାମ ନିରୀହ ଚାଷୀଙ୍କୁ ହିଁ ଭୋଗିବାକୁ ପଡ଼ିବ । ଚଳିତ ବର୍ଷ ଓଡ଼ିଶାର ବଜେଟ୍‍ ଅଧିବେଶନ ପରେ ‘‘୧୪ଶ ଅର୍ଥ ଆୟୋଗଙ୍କ ସୁପାରିଶ’’ ପ୍ରକାଶ ପାଇବା ସମେତ କେନ୍ଦ୍ରୀୟ ଅନୁଦାନ ସଂକୋଚନ କାରଣରୁ ୨୦୧୫-୧୬ ରାଜ୍ୟ ବଜେଟ୍‍ ଚୁଡ଼ାନ୍ତ ନୁହେଁ। ତେଣୁ ଆଗାମୀ ନଭେମ୍ବର-ଡିସେମ୍ବରର ବିଧାନସଭା ଶୀତ ଅଧିବେଶନରେ ହିଁ ଅତିରିକ୍ତ ବଜେଟ୍‍ ଉପସ୍ଥାପିତ ହେବ । ଆଉ ସେତିକି ବେଳକୁ ଚାଷୀ ଜାଣିପାରିବ ତାର ଫସଲ କେତେ ମାତ୍ରାରେ ଉଜୁଡ଼ିଛି । ୨୦୧୩ର ଫାଇଲିନ୍‍ କ୍ଷତିପୂରଣ ଓ ୨୦୧୪ର ହୁଡ଼୍‍ହୁଡ଼୍‍ କ୍ଷତିପୂରଣ ହାସଲର ଅସୁବିଧାକୁ କେହି ଭୁଲି ନାହାନ୍ତି। କ୍ଷତିପୂରଣ ରାଶିକୁ ବ୍ୟାଙ୍କ୍‍ଚେକ୍‍ରେ ଦିଆଯାଇଥିଲା ଏବଂ ତାହାକୁ ପ୍ରଶାସନ ବାଣ୍ଟୁବାଣ୍ଟୁ ୩ ମାସ ଟପି ଗଲା । ବ୍ୟାଙ୍କିଙ୍ଗ୍‍ କଟକଣା ଅନୁସାରେ ୯୦ ଦିନ (୩ ମାସ) ପରେ ସେହି ଚେକ୍‍ ଅକାମୀ ହୋଇଯାଏ । ଅତଏବ ଏଭଳି କ୍ଷତିପୂରଣ ରାଶି ହସ୍ତାନ୍ତର ଧାରାରେ ପାରଦର୍ଶିତା ଆସିବାର ଆବଶ୍ୟକତା ରହିଛି । ସମୟଚକ୍ରରେ ଜନଧନ ଯୋଜନା ଅଧୀନରେ ପ୍ରତି ପରିବାର ମୁଖ୍ୟଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ୍‍ ସୁନିଶ୍ଚିତ ହୋଇଥିବାରୁ, ଅନ୍‍ଲାଇନ୍‍ ପୈଠ ଆକାରେ ମଧ୍ୟ କ୍ଷତିପୂରଣ ଭରିହେବ। କିନ୍ତୁ କ୍ଷତି ଆକଳନ ପ୍ରକ୍ରିୟାରେ ଆକାଉଣ୍ଟ୍‍ ନମ୍ବର ଡାଟାବେସ୍‍ ପ୍ରସ୍ତୁତ ହେଉ ନଥିବାରୁ ଏହା ଅସମ୍ଭବ ମନେ ହୁଏ । ବିଶେଷଜ୍ଞ ମତ ଦିଅନ୍ତି ଯେ ତାରିଖ ଉଲ୍ଲେଖ ନକରି ଚେକ୍‍ ବାଣ୍ଟିବା ସବୁଠୁ ସରଳ ସମାଧାନ । ତେଣେ ଦାବି ହେଉଛି ଯେ ଯେଉଁମାନେ କ୍ଷତିପୂରଣ ପାଉଛନ୍ତି, ସେମାନେ ସମସ୍ତେ ଚାଷୀ ନୁହଁନ୍ତି, ସେମାନଙ୍କ ମଧ୍ୟରୁ ଅର୍ଧାଧିକ ହେଉଛନ୍ତି ଜମି ମାଲିକ (ରୟତ) । ଫଳରେ ପ୍ରକୃତ ଚାଷୀ, ଯିଏକି ଭାଗଚାଷୀ ରୂପେ ଶ୍ରମ ଓ ସମ୍ବଳ ଖଟାଉଛନ୍ତି, ସେ କିଛି ପାଉ ନାହାନ୍ତି ।

କମ୍ରେଡ଼୍‌ମାନେ କହିବେ, ମରୁଡ଼ି କେବଳ ଫସଲହାନିରେ ସୀମିତ ନୁହେଁ। ମରୁଡ଼ି ଦ୍ଵାରା କୃଷକ ପରିବାରଗୁଡ଼ିକର ମେରୁଦଣ୍ଡ ଦୋହଲିଯାଏ। ଯେମିତିକି ସେମାନଙ୍କ ଛୁଆମାନେ ସ୍କୁଲରେ ପାଠ ପଢ଼ିବାରେ ଆର୍ଥିକ ଅଭାବରେ ପଡ଼ନ୍ତି । ୨୦୧୪ରେ ଏକାଧିକ ଛାତ୍ରୀ ଓ ଛାତ୍ର, ଖାତା-ବହି-ପେନ୍‌ସିଲ୍‌ ଅଭାବରୁ ଆତ୍ମହତ୍ୟା କରିଥିବା ହୁଏତ ଆପଣଙ୍କର ମନେ ଥିବ। ଏଥରର ମରୁଡ଼ି ହୁଏତ ହଜାର ହଜାର ଛାତ୍ରଛାତ୍ରୀଙ୍କର ଆଖିର ଲୁହ ପାଲଟିବ! କିଏ ରି-ଆଡ଼ମିସନ କରି ନପାରି ଅବା କିଏ ପରୀକ୍ଷା ପାଇଁ ଫର୍ମପୂରଣ କରି ନପାରି ମୃତ୍ୟୁପଥକୁ ଶ୍ରେୟସ୍କର ମଣିବେ। ଆପଣ କ’ଣ ସେଇ ଦୁଃଖ ଦେଖି କବିତା ଲେଖିବାକୁ ଅପେକ୍ଷା କରିବେ?

ଓଡ଼ିଶା ସରକାର କେବଳ ମହାତ୍ମାଗାନ୍ଧୀ ନରେଗା ଅଧୀନରେ ପ୍ରତ୍ୟେକ ଜବ୍‍କାର୍ଡ଼ଧାରୀଙ୍କ ପାଇଁ ମୋଟ କାର୍ଯ୍ୟଦିବସ ଅଧିକାର ୧୫୦ ଦିନରୁ ୨୦୦ ଦିନକୁ ବଢ଼ାଇଥିବା ଘୋଷଣା କରିଛନ୍ତି । ତାହା କ'ଣ ନୂଆଁଖାଇ ଠାରୁ ଦୀପାବଳୀ ମଧ୍ୟରେ ଅନ୍ୟ ରାଜ୍ୟକୁ ହେଉଥିବା ଦାଦନ ଚାଲାଣକୁ ରୋକିପାରିବ? ତେବେ ମରୁଡ଼ି ପରବର୍ତ୍ତୀ ସ୍ଥିତିରେ ସରକାର ହରଡ଼ଘଣାରେ ପଡ଼ିବାଟା ନିଶ୍ଚିତ ଜାଣି ଦୁଇଟି ସୂତ୍ର ଆପଣାଇଲେଣି । ପ୍ରଥମତଃ କେନ୍ଦ୍ର ଉପରେ ଦୋଷ ଲଦିବା ଏବଂ ଦ୍ୱିତୀୟତଃ ଜନତାଙ୍କ ଆସ୍ଥାକୁ କାୟମ ରଖି ପ୍ରଥମ ଯୁକ୍ତି ସପକ୍ଷରେ ଜନମତ ବଢ଼ାଇବା। ହେଲେ, ଏଥିପାଇଁ ରାଜ୍ୟ ଶାସକଦଳ କରୁଥିବା ଜନସଂପର୍କ ଯାତ୍ରା, ଯେମିତି ଫସଲ ଉଜୁଡିଥିବା ହଜାର ହଜାର କୃଷକଙ୍କ ମହାଯାତ୍ରାର କାରଣ ନହେଉ, ଏହା ଆମ୍ଭର କାମନା।

(ବି.ଦ୍ର. ଏହି ବିଷୟବସ୍ତୁକୁ ଜନସ୍ଵାର୍ଥ ଉଦ୍ଦେଶ୍ୟରେ ଯେକୌଣସି ଗଣମାଧ୍ୟମ ପ୍ରୟୋଗ ଓ ପ୍ରସାର କରିପାରିବେ। ସୌଜନ୍ୟ ଦୃଷ୍ଟିରୁ ଅବଗତ କଲେ, କୃତଜ୍ଞ ହେବୁ) 

ବିମଳ ପ୍ରସାଦ, ୯୪୩୯୮୨୮୧୭୮

Friday, October 2, 2015

ଶାସ୍ତ୍ରୀ ଜୟନ୍ତୀର ସତ୍ୟତା

ଜଣେ ସଚ୍ଚୋଟ ଓ ନୀତିବାଦୀ ପ୍ରଧାନମନ୍ତ୍ରୀ ରୂପେ ଲାଲବାହାଦୂର ଶାସ୍ତ୍ରୀଙ୍କର ବେଶ୍‌ ଲୋକପ୍ରିୟତା ରହିଛି। ୯ ଜୁନ୍‌ ୧୯୬୪ରୁ ୧୧ ଜାନୁଆରି ୧୯୬୬ ପର୍ଯ୍ୟନ୍ତ  ଅର୍ଥାତ୍‌ ରହସ୍ୟଜନକ ମୃତ୍ୟୁବରଣ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ ଶାସ୍ତ୍ରୀଜୀ। ମୋଟ ୧ ବର୍ଷ ୨୧୬ ଦିନ ପାଇଁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇ ସୁଦ୍ଧା ପ୍ରତିଟି ଭାରତୀୟଙ୍କ ହୃଦୟରେ ସ୍ଥାନ ଦଖଲ କରିଥିଲେ। ଅବଶ୍ୟ ସେ ପ୍ରକୃତ ଲୋକପ୍ରିୟତା ସାଉଁଟି ଥିଲେ, ଯେତେବେଳେ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସେ ରେଳ ମନ୍ତ୍ରୀ ଥିବା ବେଳେ ଏକ ରେଳ ଦୁର୍ଘଟଣାକୁ ନିଜର ନୈତିକ ତୃଟି ବିବେଚନା କରି  ଇସ୍ତଫା ଦେଇଥିଲେ।

୯ ଜୁନ୍‌ ୧୯୬୪ରେ ତାଙ୍କୁ  ପ୍ରଧାନମନ୍ତ୍ରୀ ରୂପେ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ଶପଥପାଠ କରାଇବା ପରେ ଶାସ୍ତ୍ରୀଜୀଙ୍କ ସମର୍ଥକଙ୍କ ସଂଖ୍ୟା ବହୁଗୁଣିତ ହୋଇଯାଇଥିଲା। କେତେକ ସ୍ତାବକ ଦିନେ ଶାସ୍ତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ଜନ୍ମ ତାରିଖ ପଚାରିଲେ। କାରଣ ଥିଲା, ସବୁ ବଡ଼ବଡ଼ ଲୋକଙ୍କର ଜନ୍ମଦିନ ପାଳନ କରାଯାଇଥାଏ, ତେଣୁ ଶାସ୍ତ୍ରୀଜୀଙ୍କର ମଧ୍ୟ ଜନ୍ମଦିନକୁ ସରକାରୀ ଭାବେ ପାଳନ କରାଯିବା ଦରକାର। ଏୟା ଧାରଣା ରଖି ସେହି ସ୍ତାବକମାନେ ଯାଇଥିଲେ। କିନ୍ତୁ ଶାସ୍ତ୍ରୀଜୀ ଉତ୍ତର ଦେଲେ, ‘‘ମୋର ଜାତକ ନାହିଁ। ତେଣୁ ଜନ୍ମ ତାରିଖ ଜାଣିବା କଷ୍ଟକର। ଯେଉଁ ତାରିଖ ସ୍କୁଲ ପ୍ରମାଣପତ୍ରରେ ଅଛି, ତାହାକୁ ନାମଲେଖା ବେଳେ ଗୁରୁଜୀ ହିସାବ କରି ହୁଏତ କ’ଣ ଗୋଟେ ତାରିଖ ପକାଇ ଦେଇଛନ୍ତି।’’

ସ୍ତାବକମାନେ ଏଭଳି ଉତ୍ତରକୁ ଆଦୌ ହଜମ କରି ପାରିଲେ ନାହିଁ ବା ଗ୍ରହଣ କରି ନିରବ ରହି ପାରିଲେ ନାହିଁ। ତେଣୁ ବାରମ୍ବାର ପଚାରିଲେ। କିନ୍ତୁ ଶାସ୍ତ୍ରୀଜୀ ନିଜକୁ ଜଣେ ସାଧାରଣ କଂଗ୍ରେସ କର୍ମୀ ବା ଭାରତର ନାଗରିକ ରୂପେ ବିବେଚନା କରୁଥିଲେ। ନିଜକୁ ଆଦୌ ମହାପୁରୁଷ ମଣୁ ନଥିଲେ। କିନ୍ତୁ ସ୍ତାବକ ଗୋଷ୍ଠୀ ଏଣେ ନଛୋଡ଼ବନ୍ଧା। ହେଲେ ବାପା ତ ଟିପଣା ରଖି ନାହାନ୍ତି କି କୌଣସି ଜାତକ କରି ନାହାନ୍ତି, ତେଣୁ ଜନ୍ମ ତାରିଖ କେମିତି ଜଣା ପଡ଼ିବ ! ଶେଷକୁ ଏହି ଅକଳିଆ ପରିସ୍ଥିତିରୁ ମୁକୁଳିବା ପାଇଁ ଶାସ୍ତ୍ରୀଜୀ ଉତ୍ତର ଦେବାକୁ ମନ କଲେ ଏବଂ ଉତ୍ତର ଦେଲେ - ‘‘ଅକ୍ଟୋବର ୨।’’

ଏହି ଉତ୍ତର ଶୁଣି ସ୍ତାବକମାନେ ଆଚମ୍ବିତ ହୋଇ ପଡ଼ିଲେ ଏବଂ ଉତ୍ସୁକତାର ସହ ପଚାରିଲେ, ‘‘ଏବେ ତ ମନା କରୁଥିଲେ, ପୁଣି ଜନ୍ମ ତାରିଖ କୋଉଠୁ ପାଇଲେ?’’ ଶାସ୍ତ୍ରୀଜୀ ବେଶ୍‌ ସଚ୍ଚୋଟ ସ୍ଵରରେ ଉତ୍ତର ଦେଲେ, ‘‘ସେଦିନ ପରା ଗାନ୍ଧିଜୀଙ୍କ ଜନ୍ମଦିବସ।’’ ଏବେ ସ୍ତାବକମାନଙ୍କର ଚେତା ପଶିଲା ଯେ ଶାସ୍ତ୍ରୀଜୀଙ୍କର କୌଣସି ଅହଂକାର ନାହିଁ ବା ସେ ନିଜକୁ ଆଦୌ ମହାପୁରୁଷ ବୋଲି ବିବେଚନା କରୁ ନାହାନ୍ତି।  ଆଉ ଏ ଦେଶର ପ୍ରଧାନମନ୍ତ୍ରୀ ହେବାଟାକୁ ସେ ଏକ କ୍ଷମତା ଅପେକ୍ଷା ଏକ କର୍ତ୍ତବ୍ୟ ବୋଲି ବିବେଚନା କରୁଛନ୍ତି। ତେଣୁ ତାଙ୍କର ଜୟନ୍ତୀ ପାଳନ ନୁହେଁ, ବରଂ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହେବା ଉଚିତ।

ଏହା ଗପ ହେଲେ ବି ସତ କଥା। ସେଇଥି ପାଇଁ ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିଲେ ବି ଶାସ୍ତ୍ରୀ ଜୟନ୍ତୀ କେବଳ ପ୍ରତୀକାତ୍ମକ ଭାବେ କାଁ ଭାଁ ପାଳିତ ହୁଏ। ଅବଶ୍ୟ କ୍ୟାଲେଣ୍ଡରରେ ‘ଶାସ୍ତ୍ରୀ ଜୟନ୍ତୀ’ ଲେଖା ହୋଇଥିବା ଦେଖିବାକୁ ମିଳେ। ଆପଣ ଏବେ ବିଚାର କରନ୍ତୁ ଏବଂ ନିଜର ଚେତନାକୁ ମାର୍ଗଦର୍ଶନ ଦିଅନ୍ତୁ।