25 सितंबर 2015

ଗରିବଙ୍କ ଚିନି ଛଡ଼ାଇନେଲେ ଓଡ଼ିଶା ସରକାର

୪୦୦ କୋଟି ଟଙ୍କାର ସବ୍‌ସିଡ଼ି ହାତଛଡ଼ା

ନବୀନ ସରକାରଙ୍କ ବିଚିତ୍ର ମାନସିକତା! ପ୍ରାୟ ୫୦ ଲକ୍ଷ ବିପିଏଲ୍ ପରିବାରଙ୍କୁ ଟଙ୍କିକିଆ ଚାଉଳ ଦେବାରେ ସରକାରୀ ରାଜକୋଷରୁ ବର୍ଷକୁ ଖର୍ଚ୍ଚ କରୁଛନ୍ତି ପ୍ରାୟ ୧୨୦୦ କୋଟି ଟଙ୍କା। ଏହାର ଉଦେଶ୍ୟ କାହାରିକୁ ଅଛପା ନାହିଁ। କିନ୍ତୁ ସେହି ଗରିବଙ୍କ ମୁହଁରେ ଟିକିଏ ମିଠା ଦେବାକୁ ସିଧାସଳଖ ନା କରିଦେଇଛନ୍ତି। ଫଳରେ ଚିନି ଯୋଗାଣ ଗତ ଦୁଇବର୍ଷ ହେଲା ଠପ୍ ହୋଇଯାଇଛି। ଚିନି ବାବଦରେ କେନ୍ଦ୍ର ସବ୍‌ସିଡ଼ି ଆକାରରେ ଦେଉଥିବା ୪୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ହାତଛଡ଼ା ହୋଇଯାଇଛି।

କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ମାଧ୍ୟମରେ ଲେଭି ଚିନି ବଣ୍ଟନ ୨୦୧୩ ମେ ମାସରୁ ବନ୍ଦ କରି ଜୁନ୍ ମାସରୁ ପ୍ରଚଳନ କରିଥିଲେ ନୂଆ ଚିନି ନୀତି । ଏହି ନୀତି ଅନୁସାରେ ରାଜ୍ୟ ସରକାର ଖୋଲା ବଜାରରୁ ଚିନି ଖର୍ଦି କରି ଦାରିଦ୍ର୍ୟ ସୀମାରେଖା (ବିପିଏଲ୍) ତଳେ ଥିବା ପରିବାରଙ୍କୁ ଯୋଗାଇବା କଥା । ଏହା ଫଳରେ ଓଡ଼ିଶାର ୧୨ଲକ୍ଷ ୫୩,୫୭୪ ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀଙ୍କ ସମେତ ମୋଟ ୪୯ ଲକ୍ଷ ୪୦ ହଜାର ୮୧୮ ବିପିଏଲ୍ ହିତାଧିକାରୀ ପରିବାର ମାସିକ ଦୁଇ କିଲୋ ଲେଖାଏଁ ଚିନି ପାଇଥାନ୍ତେ, ସୁଲଭ ମୂଲ୍ୟ ଅର୍ଥାତ୍ କିଲୋ ପିଛା ମାତ୍ର ଟ.୧୩.୫୦ ପଇସାରେ । ଏହା ବାହାରେ ପୂଜାପାର୍ବଣରେ ଅଧିକ ଚିନି କୋଟାର ବ୍ୟବସ୍ଥା ରହିଛି । ରାଜ୍ୟରେ ବର୍ଷକୁ ଦରକାର (ପୂଜାପାର୍ବଣ କୋଟା ୩୭୩୦ ମେଟ୍ରିକ ଟନ୍ ସମେତ) ୧ଲକ୍ଷ ୮ହଜାର ୨୧୪ ମେଟ୍ରିକ୍‌ ଟନ୍ ଚିନି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଚିନି ବାବଦରେ କିଲୋ ପିଛା ଟ୧୮.୫୦ ପଇସାର ରିହାତି (ସବ୍‌ସିଡି) ବ୍ୟବସ୍ଥା କରିଛନ୍ତି। ଖାଉଟିମାନେ ଦେବେ କିଲୋ ପିଛା ଟ.୧୩.୫୦। ଏ ବାବଦରେ ରାଜ୍ୟ ସରକାର ପରିବହନ, ବିତରଣ ଓ ଖୁଚୁରା ବିକ୍ରେତାଙ୍କ କମିଶନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିଥାନ୍ତେ। ତାହା ପୁଣି ପରବର୍ତିତ ନିୟମାବଳୀରେ କେନ୍ଦ୍ର ସରକାର ବର୍ଦ୍ଧିତ ଦର ଖାଉଟି ବହନ କରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରି ଦେଇଛନ୍ତି। କିନ୍ତୁ ଟଙ୍କିକିଆ ଚାଉଳ ଯୋଗାଉଥିବା ନବୀନ ସରକାର ଗରିବଙ୍କ ମୁହଁରେ ମିଠା ଟିକକ ଦେବାକୁ ମନା କରିଦେଲେ। ରାଜ୍ୟ ସରକାର ଯଦି ଟଙ୍କିକିଆ ଚାଉଳ ପରି ଚିନି ସଂପୂର୍ଣ୍ଣ ରିହାତି ମୂଲ୍ୟରେ ଦେଇଥାନ୍ତେ, ଏଥିପାଇଁ ବାର୍ଷିକ ମାତ୍ର ୪୨ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିଥାନ୍ତା ବୋଲି ଖାଦ୍ୟ ଯୋଗାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଚିନି ଯୋଗାଣ ବନ୍ଦ ହେବା ଫଳରେ ଗରିବ ଖାଉଟି ଚିନି ଟିକକ ମହଙ୍ଗା ମୂଲ୍ୟରେ ଖୋଲା ବଜାରରୁ କିଣିବାକୁ ବାଧ୍ୟ ହେଉଛି। ଅପରପକ୍ଷରେ ଚିନି ସବ୍‌ସିଡି ବାବଦରେ କିଲୋ ପିଛା ଟ. ୧୮.୫୦ ପଇସା ହାରରେ ଗତ ଦୁଇବର୍ଷ ଧରି ରାଜ୍ୟ ସରକାର ୪୦୦ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।

ଅନୁସନ୍ଧାନରୁ ଜଣାଯାଇଛି ଯେ ୨୦୦୨ରୁ ୨୦୧୩ ମେ’ ମାସ ପର୍ଯ୍ୟନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ମାଧ୍ୟମରେ କିଲୋ ପିଛା ଟ.୧୩.୫୦ ମୂଲ୍ୟରେ ଦୁଇ କିଲୋ ଚିନି ଯୋଗାଇ ଦିଆଯାଉଥିଲା। ଷ୍ଟୋରେଜ୍ ଏଜେଣ୍ଟଙ୍କୁ କୁଇଣ୍ଟାଲ ପିଛା ଟ.୧୩୨୯.୩୮ ଏବଂ ଖୁଚୁରା ବିକ୍ରେତାଙ୍କୁ ଟ.୧୩୩୧.୬୩ରେ ଲେଭି ଜରିଆରେ ଚିନି ଯୋଗାଯାଉଥିଲା। ଖାଉଟିଙ୍କୁ ଦେବାକୁ ପଡୁଥିଲା କିଲୋ ପ୍ରତି ଟ୧୩.୫୦ ଏବଂ ସବ୍‌ସିଡି ଅର୍ଥ ଟ୧୮.୫୦ ପଇସା - ଏହି ରୂପେ କିଲୋ ପିଛା ୩୨ ଟଙ୍କା ହେଉଛି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି ଯେ ଏହା ବାହାରେ ଚିନି ପରିବହନ, ବିତରଣ ଓ ଅନ୍ୟାନ୍ୟ ବାବଦରେ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ, ତାହା ଖାଉଟିମାନେ ହିଁ ଭରଣା କରିବାର ବ୍ୟବସ୍ଥା ରହିଛି। ସେ ପୁଣି ଏକ ଲିଖିତ ବିବୃତିରେ କହିଛନ୍ତି ଯେ ଚିନିର ଅତିରିକ୍ତ ଖର୍ଚ୍ଚକୁ ଖାଉଟିମାନଙ୍କ ଠାରୁ ଭରଣା କରିବା ପାଇଁ ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ସରକାର ରାଜି ହୋଇ ନଥିବାରୁ ରାଜ୍ୟ ସରକାର ଖୋଲା ବଜାରରୁ ଚିନି କ୍ରୟ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦେଇପାରୁନାହାଁନ୍ତି। ଅପରପକ୍ଷରେ ଖାଦ୍ୟ ଯୋଗାଣ ବିଭାଗର ଜଣେ ପଦାଧିକାରୀ କହିଛନ୍ତି ଯେ ଚିନି ଯୋଗାଣ ଜଟିଳ କାରବାର। ଏଥିପାଇଁ ବିଭାଗର ଆବଶ୍ୟକ ମାନବ ସମ୍ବଳ ନାହିଁ କି ଲଜିଷ୍ଟିକ ସହଯୋଗ ମଧ୍ୟ ଉପଲବ୍ଧ ନାହିଁ। ତଥାପି ଚିନି ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ପାଇଁ ସର୍ବଶେଷ ପଦକ୍ଷେପ ଅନୁଯାୟୀ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରାଳୟକୁ ବିଭାଗ ପକ୍ଷରୁ ପ୍ରଭେଦ ଥିବା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ଅନୁରୋଧ କରାଯାଇଥିଲା । ଇତିମଧ୍ୟରେ ସଂପୃକ୍ତ ମନ୍ତ୍ରାଳୟ ସେହି ଅର୍ଥ, ଖାଉଟିଙ୍କ ଠାରୁ ଭରଣା କରିହେବ ବୋଲି ସମ୍ମତି ଦେଇଛି। ଫଳରେ ଚିନି ବାବଦରେ ଟଙ୍କାଏ ବି ସରକାରଙ୍କ ହାତରୁ ଖର୍ଚ୍ଚ ହେବ ନାହିଁ । ଏଣୁ ଚିନି ପୁନଃଯୋଗାଣ କରିବାକୁ ବିଭାଗ ପକ୍ଷରୁ ୨୦୧୫ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବରେ ବିପିଏଲ୍ ପରିବାର ପିଛା ମାସିକ ୧ କିଲୋ ୭୫୦ ଗ୍ରାମ ଚିନି ଦିଆଯିବ । ଏଣୁ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ବିଭାଗୀୟ ନୋଟ୍ ସିଟ୍‌ରେ ଅନୁରୋଧ କରାଯାଇଥିଲା । କିନ୍ତୁ ମୁଖ୍ୟ ଶାସନ ସଚିବ, ଏହା ସମ୍ଭବ ନୁହେଁ ଦର୍ଶାଇ ତୃତୀୟ ମହଲାକୁ ଫାଇଲ୍ ପଠାଇ ଦେଇଥିଲେ । ୭ ଏପ୍ରିଲ୍ ୨୦୧୫ରେ ମୁଖ୍ୟମନ୍ତ୍ରୀ ଚିନି ନଦେବା ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ ।

ଯେଉଁ ସରକାର ଟଙ୍କିକିଆ ଚାଉଳ ପାଇଁ ରାଜକୋଷରୁ ବାର୍ଷିକ ୧୨୦୦ କୋଟି ଟଙ୍କା ବର୍ବାଦ କରିବାକୁ ପଛେଇ ନାହାନ୍ତି, ଚିନି ଦେବା କ୍ଷେତ୍ରରେ ସେ କାହିଁକି ହାତବାନ୍ଧି ବସିଛନ୍ତି ? ଏହା ବିପିଏଲ୍ ହିତାଧିକାରୀଙ୍କ ଅଧିକାରଭୁକ୍ତ ନୁହେଁ କି? ସେମାନେ କ’ଣ ନବୀନ ସରକାରଙ୍କ ପାଇଁ ଭୋଟ୍‌ଦାତା ନୁହଁନ୍ତି ? ଗରିବଙ୍କ ପାଇଁ ଚିନି କ’ଣ ଏକ ବିଳାସ ସାମଗ୍ରୀ ? ୨୦୧୪ ନିର୍ବାଚନ ବେଳକୁ ଏହି ପ୍ରସଙ୍ଗକୁ ରାଜ୍ୟ କଂଗ୍ରେସ କେଉଁ କାରଣରୁ ଅଣଦେଖା କଲା ? କେନ୍ଦ୍ର ସରକାର ସବ୍‌ସିଡି ଚିନି ଯୋଗାଣ ପାଇଁ ପ୍ରଭେଦ ମୂଲ୍ୟ ଖାଉଟିଙ୍କ ଠାରୁ ଭରଣା କରିବାକୁ ରାଜି ହୋଇଥିଲେ ବି ନବୀନ ସରକାର ଏହାକୁ ଗ୍ରହଣ ନ କରିବାର କାରଣ କ’ଣ ? ଆଗାମୀ ଦିନରେ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ହେବା ସହିତ କେନ୍ଦ୍ର ସରକାର PDSରେ ଚିନି ଯୋଗାଣ ଆଳରେ ଯଦି ନଗଦ ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରିବାର ବ୍ୟବସ୍ଥା କରିଦିଅନ୍ତି, ତାହା ବିଜୁ ଜନତା ଦଳକୁ ଶକ୍ତ ଧକ୍କା ହୁଅନ୍ତା ବୋଲି କୁହାଯାଉଛି । ସମ୍ଭବତଃ ଏହି କାରଣରୁ ନବୀନ ସରକାର ଚିନି ଯୋଗାଣ କାର୍ଯ୍ୟକ୍ରମରେ ଦୁଇବର୍ଷ ଧରି ଚୁପ୍ ବସିଛନ୍ତି ! 

(ସୌଜନ୍ୟ: ‘ସମ୍ବାଦ’, ୨୪ ସେପ୍ଟେମ୍ବର ୨୦୧୫, ଗୁରୁବାର)

कोई टिप्पणी नहीं:

एक टिप्पणी भेजें