Tuesday, July 21, 2015

କ୍ଷତିପୂରଣରେ କଟରକଟର କାହିଁକି ହୁଏ

ସରକାରମାନେ ଚାଷୀଙ୍କୁ ବା ଗରିବଙ୍କୁ କ୍ଷତିପୂରଣ ରାଶି ଦେବା କ୍ଷେତ୍ରରେ ସବୁବେଳେ କଟରକଟର ଲାଗି ରହିଥାଏ। କେବେହେଲେ ଏକ ସୁସ୍ଥ ବୁଝାମଣା ହୋଇପାରେ ନାହିଁ। କାରଣ ଲୋକଙ୍କୁ ଭୂତେଇକି ବା ଭୟ ଦେଖାଇକି କ୍ଷତିପୂରଣ ରାଶି ଦେଇ ସ୍ଵୀକୃତି ଦସ୍ତଖତ ଆଣିବାଟା ସଂପୃକ୍ତ ଅଧିକାରୀମାନଙ୍କର ଏକ ବାହାଦୂରୀ ରୂପେ ବିବେଚିତ ହୋଇଥାଏ। ତେଣୁ ଏ ସଂକ୍ରାନ୍ତ ବିବାଦରୁ ସେହି ପେନ୍‌ସନ୍‌ଭୋଗୀ ପୁନଃନିଯୁକ୍ତ ଅଧିକାରୀମାନେ ପୂରାପୂରି ମଜା ନେଇଥାଆନ୍ତି। ତେବେ ଏ କ୍ଷେତ୍ରରେ ଗାଣିତିକ ହିସାବର ଭୁଲ୍‌ଭଟକା ଯେ ଅନ୍ୟ ଏକ କାରଣ, ଏହା ଆମ ନଜରକୁ ଆକସ୍ମିକ ଭାବେ ଆସିପାରିଛି। 

ନୂଆପଡ଼ା ଜିଲ୍ଲାର ଜଣେ ସାଂବାଦିକ ବଂଧୁ ଏକଦା ଫେସ୍‌ବୁକ୍‌ରେ ପ୍ରଶ୍ନଟିଏ ପଚାରିଥିଲେ। ଯାହାର ଉତ୍ତର ମୋ’ ପୂର୍ବରୁ ଯେତେ ଜଣ ବି ଦେଇ ସାରିଥିଲେ, ସମସ୍ତେ ଭୁଲ୍‌ ଲେଖିଥିଲେ। ଆପଣ ବି ଚେଷ୍ଟା କରି ଦେଖନ୍ତୁ, ହୁଏତ ଆପଣ ବି ସେମିତି ଝୁଣ୍ଟିପାରନ୍ତି! ଆମ୍ଭର କହିବା କଥା ହେଲା, ଭୁଲ୍‌ ଅଙ୍କ କଷା ଯୋଗୁ ଗାଆଁଗହଳିର ମଣିଷମାନେ ବହୁତ ହଇରାଣ ହେଉଛନ୍ତି; ଗରିବରୁ ଗରିବତର ହୋଇଯାଉଛନ୍ତି। 

ଏବେ ପ୍ରଶ୍ନ:
ଦିନେ ସହରତଳି ଅଂଚଳରେ ଥିବା ବାବୁଲା ସାହୁ ଦୋକାନରୁ ଜଣେ ଗ୍ରାହକ ୧୦୦ ଟଙ୍କାର ସଉଦା କରି ୫୦୦ ଟଙ୍କିଆ ନୋଟ୍‌ ଗୋଟିଏ ବଢ଼ାଇ ଦେଲେ। ହେଲେ ବାବୁଲା ପାଖରେ ୫୦୦ ଟଙ୍କାର ଖୁଚୁରା ନଥିଲା। ତେଣୁ ସେ ପଡ଼ିଶା ଦୋକାନୀ ବଗୁଲାଙ୍କୁ ଅନୁରୋଧ କରନ୍ତେ, ସେ ତୁରନ୍ତ ୫୦୦ ଟଙ୍କିଆ ନୋଟ୍‌ଟି ରଖି ୧୦୦ ଟଙ୍କିଆ ୫ ଖଣ୍ଡ ଦେଲେ। ବାବୁଲା ସେତକ ନେଇ  ତହିଁରୁ ୪୦୦ ଟଙ୍କା ସେଇ ଗ୍ରାହକଙ୍କୁ ଫେରାଇ ଦେଲେ।

ପ୍ରାୟ ୧୫ ମିନିଟ୍‌ ପରେ ପଡ଼ିଶା ଦୋକାନୀ ବଗୁଲା ପୃଷ୍ଟି ସେଇ ୫୦୦ ଟଙ୍କିଆ ନୋଟ୍‌ଟି ଆଣି ବିବ୍ରତ ହୋଇ କହିଲେ, ‘‘ଅଇରେ ବାବୁଲା, ତୁ ଯୋଉ ନୋଟ୍‌ ଦେଇଥିଲୁ, ଦେଖ୍, ଚିହ୍ନ୍‌। ଏଇଟା ତ ନକଲି ନୋଟ୍‌। ତୋ’ ନୋଟ୍‌ ରଖ୍, ମତେ ୫୦୦ ଫେରା।’’ ବାବୁଲାର ଚକ୍‌ଚକି ବଣା ହୋଇଗଲା। ତାକୁ ଆଉ ବୁଦ୍ଧିବାଟ କିଛି ଦିଶିଲା ନାହିଁ। ହେଲେ ସେତେବେଳକୁ ତା’ପାଖରେ ୫୦୦ ଟଙ୍କା ଥିଲା ଏବଂ ସେ ବଗୁଲାକୁ ଫେରାଇ ଦେଇ  ଭାଗ୍ୟ ଆଦରିକି ଚୁପ୍‌ ହୋଇ ବସିଲା।

ଏବେ ଆପଣ କୁହନ୍ତୁ, ଏହି ନିର୍ଦିଷ୍ଟ କାରବାରରେ ବାବୁଲା ସାହୁର ପ୍ରକୃତରେ କେତେ ଟଙ୍କା କ୍ଷତି ହେଲା?

ପ୍ରଥମ ଚେଷ୍ଟାରେ କେହି ବି ଏହି ପ୍ରଶ୍ନର ସଠିକ୍‌ ଉତ୍ତର କହିପାରୁ ନାହାନ୍ତି। ତେଣୁ ଆମେ କହିବାକୁ ଚାହୁଁଛୁ ଯେ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ଏହିଭଳି ଦ୍ଵନ୍ଦ୍ଵ ରହୁଛି, ଯାହାର ଶିକାର ହେଉଛି କ୍ଷତିଗ୍ରସ୍ତ ଗରିବ ନାଗରିକ। ପ୍ରାଶାସନିକ ଅଧିକାରୀମାନେ କେବେ ହେଲେ ଠିକ୍‌ ଭାବରେ କ୍ଷତିପୂରଣ ରାଶିର ଆକଳନ କରି ପାରୁ ନାହାନ୍ତି। ଏପରିକି ବର୍ଷ ବର୍ଷ ଧରି କେତେକ ପରିବାରଙ୍କୁ କ୍ଷତିପୂରଣ ମଧ୍ୟ ଦେଉ ନାହାନ୍ତି।

୨୧ ଜୁଲାଇ ୨୦୧୫ରେ ଆମ୍ଭେ ବ୍ଲଗ୍‌ରେ ଉଠାଇଥିବା ପ୍ରଶ୍ନର କେବଳ ଜଣେ ଜବାବ ଦେଇଛନ୍ତି ଏବଂ ତାହା ଭୁଲ୍‌ ଜବାବ। ତଳେ ସଠିକ୍‌ ଜବାବର ବ୍ୟାଖ୍ୟା ଦିଆଗଲା:-
  • ଜାଲ୍‌ ୫୦୦ ଟଙ୍କିଆ ନୋଟ୍‌ରେ ସଂପୃକ୍ତ ଦୋକାନୀ ୨ଥର କାରବାର କରିଥିବାରୁ ୧୦୦୦ ଟଙ୍କା କ୍ଷତି ସହିଲେ
  • ପ୍ରଥମେ ଯେଉଁ ଗ୍ରାହକ ସେହି ନୋଟ୍‌ ଦେଇଥିଲେ, ସେ ୧୦୦ ଟଙ୍କାର ସଉଦା ସହ ୪୦୦ ଟଙ୍କା ନେଇ ଯାଇଛନ୍ତି। ସେ ଆଉ ଫେରିବେନି।
  • ଏଣେ ପଡ଼ୋଶୀ ଦୋକାନୀ ତାହାକୁ ଜାଲ୍‌ ବୋଲି ଚିହ୍ନଟ କରିବା ପରେ ତାଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା। (ଏଇଥି ପାଇଁ ବଡ଼ ନୋଟ୍‌ ଦେଖିଲେ ଦୋକାନୀମାନେ ବେପାର କରିବାକୁ ଚାହୁନାହାନ୍ତି। ନଚେତ୍ କହୁଛନ୍ତି, ଆପଣ ନିଜେ କେଉଁଠି ଖୁଚୁରା କରିକି ଆଣନ୍ତୁ। କିନ୍ତୁ ସଂପୃକ୍ତ ଘଟଣାରେ ବିକ୍ରେତା ଦୋକାନୀ ନିଜେ ରିସ୍କ ନେଇଥିଲେ। ଏଣୁ ଦଣ୍ଡ ଭୋଗିଲେ ଏବଂ ତଣ୍ଡ ଗଣିଲେ।) 
ଏଣୁ ପ୍ରାଶାସନିକ ଅଙ୍କକଷା ବେଳେ ବାସ୍ତବତା ପ୍ରତି ଧ୍ୟାନ ଦିଆଗଲେ, ସମସ୍ୟା ଉପୁଜିବ ନାହିଁ। ତେବେ Notesheet ଉପରେ ଭରସା କରି ଚାଲୁଥିବା, ଏ ଶାସନରେ ଯଦି ଓଡ଼ିଆ କିରାଣୀଙ୍କ English ନୋଟ୍‌ସିଟ୍‌ରେ ବର୍ଣନାତ୍ମକ ଓ ବ୍ୟାକରଣଗତ ଭୁଲଭଟକା ରହିବ, ତେବେ ପରିସ୍ଥିତି କଅଣ ହେବ, ଚିନ୍ତା କରନ୍ତୁ।

Thursday, July 16, 2015

ଆର୍ଥିକ ସାମିଲୀକରଣ ପାଇଁ RBI କମିଟି

ଜୁଲାଇ ୧୫ ତାରିଖ (ବୁଧବାର)ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ମୁମ୍ବାଇର ସଂଚାର ବିଭାଗ ଏକ ପ୍ରେସ୍‌ ଇସ୍ତାହାର ଜାରି କରି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ମଧ୍ୟମ-ମିଆଦୀ ମାର୍ଗ ଉପରେ RBI ଏକ କମିଟି ଗଢ଼ିଥିବା ସୂଚନା ଦେଇଛି। ଏହି କମିଟିର ଉଦ୍ଦେଶ୍ୟ ହେଉଛି ଏକ ୫-ବର୍ଷିଆ (ମଧ୍ୟମ-ମିଆଦୀ) କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା। ବଡ଼ କଥା ହେଲା ଯେ ଏହି କାର୍ଯ୍ୟଯୋଜନା (Action Plan) ଟି ମାପଯୋଗ୍ୟ ହେବ। ଅର୍ଥାତ୍‌ ଯେଉଁ ପଦକ୍ଷେପ ନିଆଯିବ, ସେଗୁଡ଼ିକ କେତେ ମାତ୍ରାରେ କାର୍ଯ୍ୟକାରୀ ହେଲା ବା ହୋଇପାରିଲା, ତାହାକୁ ମାପି ହେଉଥିବ।

ମନେ ପକାଇ ଦିଆଯାଇପାରେ କି RBIର ୮୦ତମ ବାର୍ଷିକୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ ଯେ ଏକ ମଧ୍ୟମ-ରୁ-ଦୀର୍ଘ ମିଆଦୀ ଧାର୍ଯ୍ୟଲକ୍ଷ୍ୟ ଦିଗରେ ଅର୍ଥଲଗାଣକାରୀ ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରି ଏକ ସୁସ୍ଥାୟୀ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବାରେ ଏହି ବ୍ୟାଙ୍କ କାର୍ଯ୍ୟ କରିପାରିବ।


ଏହି କମିଟିର ସର୍ତାବଳୀ ଏହିପରି:-
(i) ଚାଲିଥିବା ପୈଠ ବ୍ୟବସ୍ଥା ଏବଂ ଗ୍ରାହକ ସୁରକ୍ଷା ଢାଞ୍ଚାକୁ ଧ୍ୟାନ ଦେଇ ପ୍ରଚଳିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନୀତି ଉପରେ ପୂର୍ବରୁ ବିଭିନ୍ନ ଗଠିତ କମିଟିର ସୁପାରିଶକୁ ସମୀକ୍ଷା କରିବା।

(ii) ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ବିଭିନ୍ନ ଦେଶର ଅନୁଭୂତିକୁ ଅନୁଧ୍ୟାନ କରି ମୁଖ୍ୟ ଶିକ୍ଷଣଗୁଡ଼ିକୁ ଚିହ୍ନଟ କରିବା; ମୁଖ୍ୟତଃ ପ୍ରଯୁକ୍ତି-ଭିତ୍ତିକ ସେବାପ୍ରଦାନ ମଡ଼େଲ୍‌ଗୁଡ଼ିକୁ ଠାବ କରିବା, ଯାହାକି ଆମ ନୀତି ଓ ଅଭ୍ୟାସକୁ ସଜାଡ଼ି ପାରିବ।

(iii) ନୀତି ଓ ଆନୁଷ୍ଠାନିକ ଢାଞ୍ଚାର ମୌଳିକତାକୁ ସ୍ପଷ୍ଟ କରିବାକୁ ଗ୍ରାହକ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ପ୍ରତି ମଧ୍ୟ ଜୋର୍‌ ଦେବେ। ଏହା ସହିତ ଉଭୟ ଘର ଓ କ୍ଷୁଦ୍ର ବ୍ୟବସାୟ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସେବାପ୍ରଦାନର ଯାନ୍ତ୍ରିକଢାଞ୍ଚା ଉପରେ ନଜର ଦେଇ ଗୃପ୍‌-ଭିତ୍ତିକ ଋଣଯୋଗାଣ ପ୍ରକ୍ରିୟାରେ ନିର୍ଦିଷ୍ଟ ଭାବେ  ଗ୍ରାମାଞ୍ଚଳକୁ ସାମିଲ କରିବା ଉପରେ ଗୁରୁତ୍ଵ ଦେବ।

(iv) ଏକ ଅନୁଚାଳନାକ୍ଷମ ଆର୍ଥିକ ସାମିଲୀକରଣ ପାଇଁ ମଧ୍ୟମ-ମିଆଦୀ କାର୍ଯ୍ୟଯୋଜନାର ଉପଦେଶ ଦେବେ, ଯେଉଁଥିରେ ପୈଠ, ଜମା, ଋଣ, ସାମାଜିକ ସୁରକ୍ଷା, ହସ୍ତାନ୍ତରଣ, ପେନ୍‌ସନ୍‌ ଓ ବୀମା ଭଳି ବିଭିନ୍ନ ଉପାଦାନଗୁଡ଼ିକ ସଂପୃକ୍ତ ଥିବ।

(v) ଅନ୍ୟ କିଛି ସଂଶ୍ଳିଷ୍ଟ ମୁଦ୍ଦାକୁ ପରୀକ୍ଷାନିରୀକ୍ଷା କରିବା।


ଗଠିତ କମିଟିର ରୂପରେଖ ଏହିପରି:
(i). ଅଧ୍ୟକ୍ଷ: ଶ୍ରୀ ଦୀପକ ମହାନ୍ତି, ନିର୍ବାହୀ ନିର୍ଦେଶକ, ଭାରତର ରିଜର୍ଭ ବ୍ୟାଙ୍କ

ସଦସ୍ୟଗଣ:
(ii). ପ୍ରଫେସର ଅଶୋକ ଗୁଲାଟି, ଇନ୍‌ଫୋସିସ୍‌ ଚେୟାର କୃଷି ପ୍ରଫେସର, Indian Council for Research on International Economic Relations (ICRIER)
(iii) ଡକ୍ଟର ଅସ୍‌ଲୀ ଡେମିରଗୁ-କୁଣ୍ଟ, ଡାଇରେକ୍ଟର ଅଫ୍‌ ରିସର୍ଚ, ବିଶ୍ଵ ବ୍ୟାଙ୍କ, ୱାଶିଂଟନ୍‌ ଡିସି
(iv) ଶ୍ରୀ ଅଭୟ ପ୍ରସାଦ ହୋତା*, ଏମ୍‌ଡି ଓ ସିଇଓ, National Payments Corporation of India
(v) ଶ୍ରୀ ପରେଶ ସୁକ୍‌ଠଣ୍‌କର, ଉପ ପରିଚାଳନା ନିର୍ଦେଶକ, HDFC Bank Ltd.
(vi) ଶ୍ରୀ କିଶୋର ପି. ଖରାଟ, ନିର୍ବାହୀ ନିର୍ଦେଶକ, ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ
(vii) ଶ୍ରୀ ସୁବ୍ରତ ଗୁପ୍ତା, ଚିଫ୍‌ ଜେନେରାଲ ମ୍ୟାନେଜର, ନାବାର୍ଡ଼
(viii) ଶ୍ରୀ ପୱନ୍‌ ବକ୍ସି, ମୁଖ୍ୟ (ଗରିବଙ୍କୁ ଆର୍ଥିକ ସେବା କାର୍ଯ୍ୟକ୍ରମ), ବିଲ୍ ଓ ମେଲିଣ୍ଡା ଗେଟ୍‌ସ୍‌ ଫାଉଣ୍ଡେସନ୍‌
(ix) ଶ୍ରୀ ସୁଦର୍ଶନ ସେନ୍‌, ପ୍ରିନ୍‌ସିପାଲ ଚିଫ୍‌ ଜେନେରାଲ ମ୍ୟାନେଜର, ବ୍ୟାଙ୍କିଂ ନିୟାମକ ବିଭାଗ, ରିଜର୍ଭ ବ୍ୟାଙ୍କ
(x) ଶ୍ରୀ ଅରୁଣ ପଶ୍ରିଚା, ଚିଫ୍‌ ଜେନେରାଲ ମ୍ୟାନେଜର, ଗ୍ରାହକ ଶିକ୍ଷା ଓ ସୁରକ୍ଷା ବିଭାଗ, ରିଜର୍ଭ ବ୍ୟାଙ୍କ
(xi) ଶ୍ରୀମତୀ ନନ୍ଦା ଏସ୍‌ ଡାଭେ, ଚିଫ୍‌ ଜେନେରାଲ ମ୍ୟାନେଜର, ପୈଠ ଓ ବନ୍ଦୋବସ୍ତ ବ୍ୟବସ୍ଥା ବିଭାଗ, ରିଜର୍ଭ ବ୍ୟାଙ୍କ
(xii) ଡକ୍ଟର Y.K. ଗୁପ୍ତା, ନିର୍ଦେଶକ, ପରିସଂଖ୍ୟାନ ଓ ସୂଚନା ପରିଚାଳନା ବିଭାଗ, ରିଜର୍ଭ ବ୍ୟାଙ୍କ
(xiii) ଡକ୍ଟର ଶୈବାଳ ଘୋଷ, ଉପଉପଦେଷ୍ଟା (ଗବେଷଣା), Centre for Advanced Financial Research & Learning (CAFRAL)

ସଦସ୍ୟ-ସଚିବ
(xiv) ଶ୍ରୀ ଅବନୀନ୍ଦ୍ର ଉଦ୍‌ଗାତା*, ପ୍ରିନ୍‌ସିପାଲ୍‌ ଚିଫ୍‌ ଜେନେରାଲ ମ୍ୟାନେଜର, ଆର୍ଥିକ ସାମିଲୀକରଣ ଓ ବିକାଶ ବିଭାଗ, ରିଜର୍ଭ ବ୍ୟାଙ୍କ


ଜରୁରୀ ବିବେଚନା କଲେ ଏହି କମିଟି ବିଭିନ୍ନ ଅଂଶଗ୍ରାହୀ/ଗୃପ୍‌/ଅନୁଷ୍ଠାନ/ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ି ପାରିବେ। ଏହି କମିଟି ପ୍ରଥମ ବୈଠକର ଚାରି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ଆଶା ରଖାଯାଇଛି।

(* ୟେ ଯଥାକ୍ରମେ A.P. ହୋତା ଓ A. ଉଦ୍‌ଗାତା ନାମରେ ଜଣାଶୁଣା। ଓଡ଼ିଆରେ ଠାର ନାମ ଲେଖିବା ପରମ୍ପରା ନଥିବାରୁ ପୂରା ନାମ ଲେଖିଛୁ।)


ଆମ୍ଭର ମନ୍ତବ୍ୟ:

୧. ଗୋଟିଏ ସର୍ବଭାରତୀୟ ସ୍ତରର ୧୪ ଜଣିଆ କମିଟିରେ ୧୩ ଜଣ ଭାରତୀୟଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଅଧିକାରୀ ସ୍ଥାନ ପାଇବା ଏକ ଗର୍ବର କଥା।
୨. କମିଟିର ଅଧ୍ୟକ୍ଷ ଓ ସଦସ୍ୟ-ସଚିବ ଭଳି ଗୁରୁତ୍ଵପୂର୍ଣ ପଦରେ ଓଡ଼ିଆ ବ୍ୟକ୍ତି ରହିବା ମଧ୍ୟ ଏକ ଖୁସୀର କଥା। ସବୁଠୁ ଗରିବ ରାଜ୍ୟ ଭାବରେ ଏଭଳି ହେବାର ଆବଶ୍ୟକତା ମଧ୍ୟ ଥିଲା। ଏହାକୁ ଦେଶର ଶାସନମୁଖ୍ୟ ସମ୍ଭବତଃ ବୁଝିସାରିଥିବାରୁ ଏଭଳି ଆୟୋଜନ ହୋଇଅଛି।
୩. ଓଡ଼ିଆମାନେ ଏତେ ଗୁରୁତ୍ଵପୂର୍ଣ କମିଟିରେ ସ୍ଥାନ ପାଇବା ଦ୍ଵାରା ଆମେ ଯେମିତି କୁରୁଳି ଉଠୁଛୁ। ସେମାନେ ଯଦି ସେମିତି ଓଡ଼ିଶା ପ୍ରତି ବିଶେଷ ଧ୍ୟାନ ଦେବେ, ତେବେ ଖୁବ୍‌ ଭଲ ହେବ।
୪. ଆର୍ଥିକ ସାମିଲୀକରଣ କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଶାର ଅଗ୍ରଣୀ ସଂଗଠନ ତରଫରୁ ସୁପାରିଶମୂଳକ ଦଲିଲ ଦାଖଲ ହେଲେ, ଏହି କମିଟିକୁ ତାହା ବେଶ୍‌ ସହାୟକ ହେବ, ଏକ ସୁଦକ୍ଷ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ।
୫. ଓଡ଼ିଶାର ବିଭିନ୍ନ ସଂଗଠନ ଏହି ବ୍ୟକ୍ତିବିଶେଷ ତିନି ଜଣଙ୍କୁ ଆମନ୍ତ୍ରିତ କରି ଆଲୋଚନା କରିବା ସହ ଲିଖିତ ଦଲିଲ୍ ପ୍ରଦାନ କରିବା ଜରୁରୀ ବୋଲି ଆମ୍ଭେ ଅନୁଭବ କରୁଛୁ।


ବିମଳ ପ୍ରସାଦ, bimal.odisha@yahoo.in, 09439828178

Wednesday, July 15, 2015

ରତନ ଟାଟାଙ୍କ ଦେଶପ୍ରେମ

(ସତ ହେଲେ ବି ଗପ)

ହୋଟେଲ୍‌ ତାଜ୍‌, ମୁମ୍ବାଇ (୨୭.୧୧.୨୦୦୮)
୨୬ ରୁ ୨୮ ନଭେମ୍ବର ୨୦୦୮ ପର୍ଯ୍ୟନ୍ତ ୩ ଦିନ ଧରି ପାକିସ୍ତାନୀ ଆତଙ୍କବାଦୀଙ୍କ ସଶସ୍ତ୍ର ଆକ୍ରମଣରେ ମୁମ୍ବାଇ ମହାନଗରୀର ବ୍ୟାପକ କ୍ଷତି ହୋଇଥିଲା। ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ଟାଟା ଗ୍ରୁପ୍‌ର ‘ହୋଟେଲ୍‌ ତାଜ୍‌’। କିଛି ସପ୍ତାହ ପରେ ଏହି ଜଳିପୋଡ଼ି ଛାରଖାର ହୋଇଯାଇଥିବା ଏହି ହୋଟେଲ ସମେତ ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଥିବା ତାଜ୍‌ ଗ୍ରୁପ୍‌ ହୋଟେଲ୍‌ ସମୂହର ପୁନଃନିର୍ମାଣ ପାଇଁ ଏକ ଗ୍ଲୋବାଲ୍‌ ଟେଣ୍ଡର ଆହ୍ଵାନ କରାଗଲା।  ଯେଉଁଥିରେ କେବଳ ହୋଟେଲ୍‌ ତାଜ୍‌, ମୁମ୍ବାଇର ବଜେଟ୍‌ ଥିଲା ୫୦୦ କୋଟି ଟଙ୍କା। 

ଏହି ପୁନଃନିର୍ମାଣ କାମ ପାଇବାକୁ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଟେଣ୍ଡର ଦାଖଲ ହେଲା; ଯେଉଁଥିରେ ମୁଷ୍ଟିମେୟ ପାକିସ୍ତାନୀ ମଧ୍ୟ ଥିଲେ। ନିଜ ଟେଣ୍ଡର ସପକ୍ଷରେ ଲବି କରିବାକୁ ସେହି ପାକିସ୍ତାନୀ ଶିଳ୍ପପତି ଦିହେଁ ସିଧା ଆସିଥିଲେ ଟାଟା ଗ୍ରୁପ୍‌ର ମୁଖ୍ୟାଳୟ ବମ୍ବେ ହାଉସ୍‌ରେ ରତନ ଟାଟାଙ୍କୁ ଭେଟିବାକୁ।  ଅଥଚ ସାକ୍ଷାତ କରିବା ପାଇଁ ଆଗରୁ କୌଣସି ଅନୁମତି ନେଇ ନଥିଲେ।  ସେମାନେ ବମ୍ବେ ହାଉସ୍‌ର ଅଭ୍ୟର୍ଥନା କକ୍ଷରେ କିଛି ଘଣ୍ଟା ଅପେକ୍ଷା କରିବା ପରେ ଏକ ସୂଚନା ଆସିଲା ଯେ ରତନ ଟାଟା ଏବେ ବ୍ୟସ୍ତ ଅଛନ୍ତି ଏବଂ ସାକ୍ଷାତ କଥାବାର୍ତ୍ତା ପାଇଁ ପ୍ରାକ୍‌-ଅନୁମତି ପାଇ ନଥିବା କୌଣସି ବ୍ୟକ୍ତିଙ୍କୁ ସେ ଭେଟିବେ ନାହିଁ।

ନିରାଶ ହୋଇକି ସେହି ପାକିସ୍ତାନୀ ଶିଳ୍ପପତି ଦିହେଁ ନୂଆଦିଲ୍ଲୀ ଯାଇ ସେଠାରେ ପାକିସ୍ତାନୀ ଉଚ୍ଚାୟୁକ୍ତଙ୍କ ଜରିଆରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ। ସେହି ମନ୍ତ୍ରୀ ବେଶ୍‌ ଉତ୍ସାହିତ ହୋଇ ତୁରନ୍ତ ଫୋନ୍‌ କଲେ ରତନ ଟାଟାଙ୍କୁ ଏବଂ ଅନୁରୋଧ କଲେ ସଂପୃକ୍ତ ପାକିସ୍ତାନୀ ଟେଣ୍ଡର ଦାଖଲକାରୀଙ୍କୁ ଟିକେ ସାକ୍ଷାତ କରିବାକୁ ସମୟ ଦିଅନ୍ତୁ। ଏହା ଶୁଣି ରତନ ଟାଟା ଉତ୍ତର ଦେଲେ, ‘‘ଆପଣ ନିର୍ଲଜ୍ଜ ହୋଇପାରନ୍ତି, ମୁଁ ନୁହେଁ’’ ଏବଂ ଏତିକି କହି ଫୋନ୍‌ ରଖିଦେଲେ। ସେଇଠି ସରିଗଲା ପାକିସ୍ତାନୀ ଠିକାଦାରଙ୍କ ଟେଣ୍ଡର ଦାଖଲର ଖେଳ।

କିଛି ମାସ ପରେ ପାକିସ୍ତାନ ସରକାର ବିପୁଳ ସଂଖ୍ୟାରେ ୪-ଚକିଆ ଟାଟା ସୁମୋ ଗାଡ଼ି ଆମଦାନୀ କରିବା ପାଇଁ ଏକ ଅର୍ଡ଼ର ଦେଲେ । ହେଲେ ଗୋଟିଏ ବି ସୁମୋ ଗାଡ଼ି ସେହି ଦେଶକୁ ରପ୍ତାନୀ କରିବାକୁ ରତନ ଟାଟା ରୋକ୍‌ଠୋକ୍‌  ମନା କରିଦେଲେ। 

ମାତୃଭୂମି ପ୍ରତି ରତନ ଟାଟାଙ୍କର ଯେଉଁ ସମ୍ମାନ, ତାହା ଏହି କାହାଣୀରୁ ବାରି ହୋଇଯାଉଛି। ଏବେର ରାଜନେତାମାନେ ଏଥିରୁ ଶିଖିବା ଦରକାର। ବିପୁଳ ଧନ ଠୁଳ ପାଇଁ ଦେଶକୁ ବିକିଦେବାକୁ ପଛାଉ ନଥିବା ନେତାଏ ସତରେ ଯଦି ବଦଳି ପାରନ୍ତେ, ଏ ଦେଶ ସୁନା ହୋଇଯାଆନ୍ତା।

ସୌଜନ୍ୟ: ହ୍ଵାଟ୍‌ସ୍‌ଆପ୍‌ ସୋସିଆଲ ମିଡ଼ିଆ,  ଭାଷାନ୍ତର: ବିମଳ ପ୍ରସାଦ, ଭୁବନେଶ୍ଵର

Monday, July 13, 2015

ନବକଳେବର ରଥଯାତ୍ରା ୨୦୧୫

ଚଳିତ ବର୍ଷ (୨୦୧୫) ଜୁଲାଇ ୧୮ ତାରିଖ ଶନିବାରେ ହେବ ନବକଳେବର ରଥଯାତ୍ରା। ଯାହା ଯାହା ସବୁ ଘଟିଯାଇଛି, ତାହାକୁ ଉଖାରିବାକୁ ଚାହୁନାହୁଁ। ତେବେ ତଳ ବିନ୍ଦୁଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ନିବେଦନ:-

୧. ଇଂଲିଶ୍‌ ସାମ୍ବାଦିକମାନେ ରଥଯାତ୍ରାକୁ Car Festival ଲେଖିବେ ନାହିଁ। କିହୋ, କମକୁଟା ରଙ୍ଗୀନ୍‌ କପଡ଼ା ବେଷ୍ଟିତ ପ୍ରାୟ ୪୦ ଫୁଟ ଉଂଚା କାଠନିର୍ମିତ ଯାନସବୁ କ’ଣ ଆପଣଙ୍କୁ Car ଭଳି ଦେଖାଯାଉଛି?? ଓଡ଼ିଆ ଭାଷାଗତ ଉଚ୍ଚାରଣ ଅନୁସାରେ ରୋମାନ ଲିପିରେ ଏହା ହେବ Rathajatra କିଂବା ସର୍ବଭାରତୀୟ ବା ହିନ୍ଦୀ ଉଚ୍ଚାରଣ ଅନୁସାରେ ଲେଖାଯାଇପାରିବ Rathyatra। ଏଣୁ ଠିକ୍‌ ଲେଖିବେ ଏବଂ ପାଠକେ ଠିକ୍‌ ପଢ଼ିବାକୁ ସହଯୋଗ କରିବେ। ଅନୁଗ୍ରହ କରି ଆମ ସଂସ୍କୃତି ଓ ଭାଷାକୁ ବିକୃତ କରିବେ ନାହିଁ?

୨. ସେହିଭଳି ସିଂହଦ୍ଵାରକୁ Lion's Gate, ବଡ଼ଦାଣ୍ଡକୁ Big Street ଭଳି ଅନୁବାଦ କରି ରିପୋର୍ଟ କରିବେ ନାହିଁ କି କଥାବାର୍ତା ହେବେ ନାହିଁ। ଦୁଃଖର କଥା ଯେ ସିଂହଦ୍ଵାର ପାଖରେ ଥିବା ଶତାଧିକ ଦୋକାନରେ Lion's Gate ଠିକଣା ଲେଖା ରହିଛି।  ଇଂଲିଶ୍‌ ଭାଷାର ଗୋଲାମ ହେବାର ପରମ୍ପରା ପରିହାର କରିବା ପ୍ରତି ସମସ୍ତେ ଧ୍ୟାନ ଦେବେ। ଏହା ପ୍ରତି ଧ୍ୟାନ ନଦେଇ ଗୋପବଂଧୁଙ୍କ ପ୍ରତିମୂର୍ତି କାହିଁକି ସ୍ଥାନାନ୍ତରିତ ହେଲା? ଭଳି ହୀନ ରାଜନୀତିରେ ମାତିବା ଆଦୌ ଶୁଭଙ୍କର ନୁହେଁ।  

୩. ସେହି ଭଳି ଅନେକ ଜ୍ଞାନୀଗୁଣୀ ଲୋକ ସ୍ଵର ଉତ୍ତୋଳନ କରିଛନ୍ତି ଯେ ଠାକୁରଙ୍କ ନାମ ପୂର୍ବରୁ Lord ଶବ୍ଦ ବ୍ୟବହାର ଅପମାନସୂଚକ। କାରଣ ବ୍ରିଟିଶ ଶାସନରେ ଭାଇସ୍‌ରୟମାନଙ୍କ ନାମ ପୂର୍ବରୁ ଏହି Lord ଶବ୍ଦ ଲାଗୁଥିଲା।  ତେଣୁ ଏହାକୁ God କହିବା ଓ ଲେଖିବା ଉଚିତ।

୪. ଏମିତି ଏକାଧିକ ପଦ ବା ଶବ୍ଦକୁ ଅନ୍ୟ ଭାଷାରେ ପ୍ରକାଶ କଲା ବେଳେ ଆମ ଜଗନ୍ନାଥ ସଂସ୍କୃତିର ମୌଳିକତା ପ୍ରତି ଧ୍ୟାନ ଦେବେ। ଓଡ଼ିଶାର ଲୋକସଂସ୍କୃତିର ପରିଚୟ ପାଲଟିଥିବା ରଙ୍ଗବତୀ ଗୀତକୁ ବିକୃତ କରାଯାଇଥିବାରୁ ଏବେ ବି ବିବାଦ ଥମି ନଥିବା ବେଳେ ଅତୀତରେ ଜଗନ୍ନାଥ ସଂସ୍କୃତିକୁ ନେଇ ଯେଉଁଭଳି ଭୁଲ୍‌ ପାଇଁ ରାଜରାସ୍ତାକୁ ସଂସ୍କୃତିପ୍ରେମୀମାନେ ଆସି ନାହାନ୍ତି, ଏଥର ରଥଯାତ୍ରା ଅବସରରେ ମଧ୍ୟ କୌଣସି ସ୍ଵର ଉଠିବ ନାହିଁ ବୋଲି ଭାବି ବେଫିକର ହେବେ ନାହିଁ ।

୫. ରଥଯାତ୍ରାରେ କେତେ ଦର୍ଶନାର୍ଥୀ ବା ଭକ୍ତ ସମାଗମ ହେଲା, ତାହା ଉପରେ ଆଦୌ ମନଗଢ଼ା ସଂଖ୍ୟା ନଦେଇ ଆପଣଙ୍କ ଅଙ୍କକଷାର ବାସ୍ତବ ନମୁନା ଦର୍ଶାଇବେ। ଗୋଟିଏ ଖବରକାଗଜ ଲେଖିଥିବ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା ତ ଆଉ ଗୋଟିଏ ଲେଖିଥିବ ୧୪ ଲକ୍ଷ, ଅନ୍ୟ ଗୋଟିଏରେ ବାହାରିଥିବ ୧୯ ଲକ୍ଷ, ଆଉ ଗୋଟିଏ ଲେଖିଥିବ ୨୩ ଲକ୍ଷ। ହିସାବରେ ଏତେ ବଡ଼ ବଡ଼ ଅନ୍ତର କାହିଁକି? ଏହା କ’ଣ ଗଣମାଧ୍ୟମର ମିଛ କହିବାର ଏକ ସର୍ବକ୍ଷମଣୀୟ ଧାରା? କେଉଁ ଆଧାରରେ ଏମିତି ଭଳିକି ଭଳି ସଂଖ୍ୟା ପ୍ରକାଶ ପାଏ? ରିପୋର୍ଟରମାନଙ୍କ ମଧ୍ୟରେ ହୁଏତ ସମନ୍ଵୟର ଅଭାବ ଥାଇ ପାରେ, କିନ୍ତୁ ଖବରଡେସ୍କରେ ଯେଉଁମାନେ କାମ କରନ୍ତି, ସେମାନେ ସଚେତନ ରହିବା ଦରକାର। ନଚେତ୍ ଗଣମାଧ୍ୟମ ସାମୂହିକ ଭାବେ ନିଷ୍ପତ୍ତି ନେଉ, କେତେ ସଂଖ୍ୟକ ଭକ୍ତ ସମାଗମ ହୋଇଛନ୍ତି ତାହାର ହିସାବ ଦେବାକୁ। (ଦ୍ରଷ୍ଟବ୍ୟ: ଉକ୍ତ ହାସ୍ୟାସ୍ପଦ ବିବରଣୀର ଉଦାହରଣ ପାଇଁ ବିଗତ ବର୍ଷଗୁଡ଼ିକର ରଥଯାତ୍ରା ବାସି ଦିନର ଖବରକାଗଜ ରିପୋର୍ଟ)

୬. ପ୍ରତି ବର୍ଗଫୁଟରେ କେତେ ଜଣ ଠିଆ ହୋଇପାରିବେ ଏବଂ ବଡ଼ଦାଣ୍ଡ ବା ଏହାର ଅଂଶବିଶେଷ କେତେ ବର୍ଗଫୁଟ, ଏଭଳି ହିସାବ କରି ମଧ୍ୟ ଭକ୍ତମାନଙ୍କ ଆକଳନ କରାଯାଇପାରିବ। ତେଣୁ ଆଜିର ବିଜ୍ଞାନ ଯୁଗରେ ପାଠକ ବା ଦର୍ଶକମାନଙ୍କ ଆବେଗ ସହ ଖେଳିବା ଭଳି ମିଛ ସୂଚନା ଦେବାରୁ ବିରତ ରୁହନ୍ତୁ।

୭. ରଥଯାତ୍ରାର ଟିଭି ଧାରାବିବରଣୀ ଦେଉଥିବା ପଣ୍ଡିତମାନେ ଅନାବଶ୍ୟକ ଶ୍ଳୋକ ଆବୃତ୍ତି ଅପେକ୍ଷା ବାସ୍ତବ ଘଟଣାବଳୀର ତଥ୍ୟଗତ ଓ ତତ୍ତ୍ଵଗତ ବର୍ଣନାରେ ମନ ଦେବାକୁ ଅନୁରୋଧ। ନିର୍ଧାରିତ ସମୟ ଠାରୁ ବିଭିନ୍ନ ରୀତିଗୁଡ଼ିକ ସମାପନରେ କେତେ କ’ଣ ବିଳମ୍ବ ଘଟୁଛି, ବା ଆଗୁଆ ହୋଇଯାଉଛି ତାହାର ସୂଚନା ଦେବା ଦରକାର। କେଉଁ କେଉଁ ରେଳଗାଡ଼ି ବିଳମ୍ବ ହୋଇଯାଇଛି, ତାହାର ସୂଚନା ଦେବା ଦରକାର।

୮. ରଥଯାତ୍ରା ସଂଧ୍ୟାରେ ଫେରିବା ବେଳେ ବସ୍‌ବାଲାଏ ଯାତ୍ରୀମାନଙ୍କୁ ଯେମିତି ମାଲ୍‌ ଭଳି ଖୁନ୍ଦିଖାନ୍ଦି ଆଣନ୍ତି, ତାହା କେବଳ ଅନୁଭବୀ ହିଁ ଜାଣିପାରିବ। ବାହାସ୍ପୋଟ ମାରୁଥିବା ସରକାରୀ କମିଟିମାନେ ଏହାର ସମାଧାନ ପାଇଁ ହୁଏତ କିଛି ବି କରି ନଥିବେ, ଏହାର ସ୍ପଷ୍ଟ ଚିତ୍ର ବି ଗଣମାଧ୍ୟମରେ ଆସିବା ଦରକାର। ସେଇ ନିକମା କମିଟିମାନଙ୍କୁ ଏଠାରେ ଆଗୁଆ ସତର୍କ କରାଇବାର କୌଣସି ମୂଲ୍ୟ ନାହିଁ। 


୯. ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କିଭଳି ପ୍ରତି ୨୦ ମିନିଟ୍‌ରେ ଗୋଟିଏ ଲେଖାଏଁ ଟ୍ରେନ୍‌ ପୁରୀରୁ ଭୁବନେଶ୍ଵର ଓ ବ୍ରହ୍ମପୁର ଆଡ଼କୁ ଦୌଡ଼ିବ, ତାହାର ସ୍ଥିତି ଯାଞ୍ଚ ପ୍ରତି ଗଣମାଧ୍ୟମ ସତର୍କ ଧ୍ୟାନ ଦେଲେ, ରଥଯାତ୍ରା ଉତ୍ସବର ସାମଗ୍ରିକ ଆୟୋଜନ ସୁଚାରୁ ହୋଇପାରିବ।

ଗୋଟିଏ ସଂସ୍ଥା କରୁ ନିର୍ବାଚନ ପରିଚାଳନା

ଭୋଟର ତାଲିକା ବିଭ୍ରାଟ ପଛରେ ଏକ ବ୍ୟବସ୍ଥାଗତ ତ୍ରୁଟି ରହିଛି । ତାହା ହିଁ ଏହି ଆଲୋଚନାର ଗୋଟିଏ ଦିଗ । ଗଣତନ୍ତ୍ରରେ ନିର୍ବାଚନ ନିଶ୍ଚିତ । ସମସ୍ତ ନାଗରିକ ନିଜନିଜର ସ୍ୱାଧୀନ ଓ ଗୋପନୀୟ ମତ ଦେବା ପରେ ଗଣନା ଅନୁସାରେ ସର୍ବାଧିକ ମତପ୍ରାପ୍ତ ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି । ଏହି ବ୍ୟବସ୍ଥାକୁ ନେଇ ଗତ ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି ଏକ ବିଡ଼ମ୍ବନା ପ୍ରତି ହୁଏତ ଅଧିକ ସଂଖ୍ୟାରେ ସଚେତନ ନାଗରିକ ଧ୍ୟାନ ଦେଇ ନାହାନ୍ତି । ତାହା ହେଉଛି - ପ୍ରତି ରାଜ୍ୟ ସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀରାଜ୍ୟ ନିର୍ବାଚନ ଆୟୋଗପ୍ରଥମ ସଂଗଠନଟି ଜଣେ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ଏକ ବିଭାଗୀୟ ପରିଚିତି ହୋଇଥିବା ବେଳେ ଦ୍ୱିତୀୟଟି ସୃଷ୍ଟି ହୋଇଛି ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁଯାୟୀ ଏକ ସ୍ୱୟଂଶାସିତ ସଂଗଠନ ।

ମୁଖ୍ୟ ନିର୍ବାଚନ ଅଧିକାରୀ ବା ଚିଫ୍‍ ଇଲେକ୍ଟୋରାଲ ଅଫିସର(ସିଇଓ) ଦାୟିତ୍ୱ ସାଧାରଣତଃ ଜଣେ ଭାରତୀୟ ପ୍ରାଶାସନିକ ସେବା ପାହ୍ୟାର ଅଧିକାରୀ ବହନ କରିଥାଆନ୍ତି। ପ୍ରତି ରାଜ୍ୟରେ ଏଭଳି ଜଣେ ଜଣେ ଅଧିକାରୀଙ୍କ ଅଧୀନରେ ଅନେକ ଅଧିକାରୀ, କର୍ମଚାରୀ କାମ କରିଥାଆନ୍ତି । ଏମାନେ ମୁଖ୍ୟତଃ ରାଜ୍ୟ ସ୍ତରରେ ବିଧାନସଭା ଓ ଲୋକସଭା ନିର୍ବାଚନର ପରିଚାଳନା କରିଥାଆନ୍ତି । ଓଡ଼ିଶାରେ ଏହି ସାଂଗଠନିକ ଅନୁଭାଗଟି ଗୃହବିଭାଗ ଅଧୀନରେ କାର୍ଯ୍ୟ କରିଥାଏ । ତେବେ ୫ ବର୍ଷରେ ଥରେ ନିର୍ବାଚନ ପରିଚାଳନା ପାଇଁ ଏହା କାମ କରିଥାଏ। କିନ୍ତୁ ଗତ ଦୁଇ ଦଶକ ଧରି ବ୍ୟୟସଂକୋଚନ ପାଇଁ ଉଭୟ ଲୋକସଭା ଓ ବିଧାନସଭାର ନିର୍ବାଚନ ଏକସଂଗେ କରିବାଟା ଦେଶରେ ଏକ ପରମ୍ପରା ହୋଇଯାଇଛି । ଯଦିଓ ଏଭଳି ନିୟମ ବା କଟକଣା ନାହିଁ। ତେଣୁ କେବଳ ୫ ବର୍ଷରେ ମାତ୍ର ୫ ମାସ ପାଇଁ ତତ୍ପର ହେବାକୁ ପଡୁଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ । ହେଲେ ପୂରା ୫ ବର୍ଷ ପର୍ଯ୍ୟନ୍ତ ଦରମା ଓ ସୁବିଧାସୁଯୋଗ ପାଉଛନ୍ତି ଶତାଧିକ କର୍ମଚାରୀ ଓ ଅଧିକାରୀ । ଆଜିକାଲିର ଇ-ଗଭର୍ନାନ୍‍ସ୍‍ ଯୁଗରେ ବି ଏହି ବ୍ୟବସ୍ଥାରେ ସଂସ୍କାର ଆସିନାହିଁ ।

ତେଣେ ପ୍ରତି ରାଜ୍ୟରେ ରହିଛି ରାଜ୍ୟ ନିର୍ବାଚନ ଆୟୋଗ ବା ଷ୍ଟେଟ୍‍ ଇଲେକ୍ସନ୍‍ କମିଶନ(ଏସ୍‍.ଇ.ସି.) । ଯାହା କେବଳ ୧୯୯୩ ମସିହାରୁ ଗଢ଼ା ହୋଇ ପଞ୍ଚାୟତିରାଜ (ଗ୍ରାମାଞ୍ଚଳ ସ୍ୱାୟତ୍ତଶାସନ)ନଗରପଞ୍ଚାୟତ (ସହରାଞ୍ଚଳ ସ୍ୱାୟତ୍ତଶାସନ)ର ନିର୍ବାଚନ ପରିଚାଳନା କାର୍ଯ୍ୟ କରୁଛି । ଏହା ଏକ ସ୍ୱୟଂଶାସିତ ସଂଗଠନ ରୂପେ ରାଜ୍ୟ ନିର୍ବାଚନ ଆୟୁକ୍ତ (ଷ୍ଟେଟ୍‍ ଇଲେକ୍ସନ୍‍ କମିଶନର)ଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ବଜେଟ୍‍ ଉପରେ ନିର୍ଭରଶୀଳ । ଗ୍ରାମପଞ୍ଚାୟତ, ପଞ୍ଚାୟତସମିତି, ଜିଲ୍ଲାପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଓ ନଗରନିଗମ ନିର୍ବାଚନର ପରିଚାଳନା ଏହି ଆୟୋଗ କରିଥାଏ । ନିୟମତଃ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହୋଇଥାଏ ଏବଂ କାଁଭାଁ କେଉଁଠି ଉପନିର୍ବାଚନର ଆବଶ୍ୟକତା ପଡ଼ିଥାଏ । ଏମିତିରେ ମୋଟାମୋଟି ଭାବେ ପ୍ରାୟ ବର୍ଷଟେ କାମ ଥାଏ ଏବଂ ଆଉ ୪ ବର୍ଷ କେବଳ ବସିବସି ଦରମା ଓ ସୁବିଧାସୁଯୋଗ ହାତେଇଥାଆନ୍ତି, ଏହାର ଅଧିକାରୀ ଓ କର୍ମଚାରୀମାନେ ।

ଉଭୟ ସଂଗଠନ ରାଷ୍ଟ୍ରୀୟ ସ୍ତରରେ ଭାରତର ନିର୍ବାଚନ ଆୟୋଗ (ଇଲେକ୍ସନ୍‍ କମିଶନ ଅଫ୍‍ ଇଣ୍ଡିଆ)ଙ୍କ ପାଖରେ ଉତ୍ତରଦାୟୀ । ହେଲେ ସି.ଇ.ଓ. ବନାଉଥିବା ଭୋଟରତାଲିକା ହିଁ ପ୍ରାଦେଶିକ ସ୍ତରରେ ମାନକ ଭୋଟର ତାଲିକା ରୂପେ ବିବେଚିତ । ସେହି ତାଲିକା ପ୍ରକାରେ ବିଧାନସଭା ଓ ଲୋକସଭା ନିର୍ବାଚନ ହୋଇଥାଏ । ଏହା ସହ ଭୋଟରମାନଙ୍କ ପାଇଁ ଫଟୋ ପରିଚୟପତ୍ର ପ୍ରସ୍ତୁତି ଓ ଇସ୍ୟୁ ଏହି ସଂଗଠନ କରିଥାଏ । ଏଣୁ ସଂଶ୍ଳିଷ୍ଟ ଭୋଟରକାର୍ଡ଼ ପୋର୍ଟାଲକୁ ମଧ୍ୟ ଏହି ସଂଗଠନ ପରିଚାଳନା କରେ ।

ସେହିପରି ପଞ୍ଚାୟତ ନିର୍ବାଚନ ବା ସହର ସ୍ୱାୟତ୍ତଶାସନ ନିର୍ବାଚନ ପାଇଁ ଏସ୍‍.ଇ.ସି. ମୂଳ ଭୋଟରତାଲିକାରେ ସଂଯୋଗ ତାଲିକା ବା ନୂଆ ଭୋଟରଙ୍କ ନାମତାଲିକା ଯୋଡ଼ିବାର କ୍ଷମତା ପାଇଛନ୍ତି । ଯାହାକି ତାଙ୍କ ପରିଚାଳିତ କୌଣସି ନିର୍ବାଚନ ପୂର୍ବରୁ ହୋଇଥାଏ । ଏପରିକି ସମଗ୍ର ଭୋଟର ତାଲିକାକୁ ଏସ୍‍.ଇ.ସି. ଆଉଥରେ ଛାପିଥାଆନ୍ତି । କିନ୍ତୁ ଯେଉଁ ଅତିରିକ୍ତ ତାଲିକା କରିଥାଆନ୍ତି, ତାହାକୁ ସି.ଇ.ଓ. ଗ୍ରହଣ କରନ୍ତି ନାହିଁ । ଏହି କାରଣରୁ ନୂଆ ଭୋଟରଙ୍କ ନାମ ଅମୁକ ନିର୍ବାଚନରେ ଥିଲା ବେଳେ ସମୁକ ନିର୍ବାଚନରେ କେମିତି କଟିଗଲା ବୋଲି ଚାରିଆଡ଼େ ଅସନ୍ତୋଷ ଉପୁଜେ । କିନ୍ତୁ ଏହା ଏକ ପ୍ରାଶାସନିକ ନୀତିଗତ ବ୍ୟବସ୍ଥା।

ଏଠାରେ ଆମ୍ଭେ କହିବାକୁ ଚାହୁଛୁ ଯେ ୨୨ ବର୍ଷ ଧରି ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟ କରିବା ପରେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାହା ସହ ମିଶାଇ ଦିଆଯାଉ ଏବଂ ସୁସ୍ଥ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଏହି ସ୍ୱୟଂଶାସିତ ସଂଗଠନ କାର୍ଯ୍ୟ କରୁ । ପ୍ଳାନିଂ କମିଶନ, ୟୁନିଭର୍ସିଟି ଗ୍ରାଣ୍ଟ୍‍ କମିଶନ ଓ ରେଳବାଇ ବୋର୍ଡ଼ର ପୁନର୍ଗଠନ କରିଥିବା ମୋଦି ସରକାର ମଧ୍ୟ ଏହି ନିର୍ବାଚନ ପରିଚାଳନାକାରୀ ସଂଗଠନର ଅଯଥା ବ୍ୟୟ ବନ୍ଦ କରିବାକୁ ସଂସ୍କାରମୂଳକ ପଦକ୍ଷେପ ନିଅନ୍ତୁ।

ସୌଭାଗ୍ୟର କଥା ଯେ ଭାରତର ନିର୍ବାଚନ ଆୟୋଗଙ୍କ ଉପଦେଷ୍ଟା ଥିବା ଓଡ଼ିଶାର ପରିଚିତ ବ୍ୟକ୍ତିତ୍ୱ ଭଗବାନ ପ୍ରକାଶଙ୍କ ସହ ଆମ୍ଭେ ଏହି ମର୍ମରେ ୬ ମାସ ତଳୁ ଆଲୋଚନା କରିସାରିଛୁ। ସେ ଏହା ଉପରେ ବିଚାର କରିବାକୁ କଥା ଦେଇଛନ୍ତି । ହେଲେ ଏହା ଉପରେ ନାଗରିକ ସହମତି ଓ ଦାବି ପ୍ରକାଶ ପାଇଲେ, କେବଳ ଔପଚାରିକ ଘୋଷଣା ଦ୍ୱାରା ସଂସ୍କାର ସମ୍ଭବ ହୋଇପାରିବ । କାରଣ, ଭାରତର ନିର୍ବାଚନ ଆୟୋଗଙ୍କ କ୍ଷମତା ପରିସରରେ ରହିଛି ଉଭୟ ସଂଗଠନର ସମ୍ମିଶ୍ରଣ ଓ ପୁନର୍ଗଠନ ପ୍ରସଙ୍ଗ । ଯଦି କେନ୍ଦ୍ର ସରକାର ଗୋଟାପଣେ ନିର୍ବାଚନ ବାବଦ ବ୍ୟୟ ବହନ କରିବେ ରାଜ୍ୟ ନିର୍ବାଚନ ଆୟୋଗ ଜରିଆରେ, ତେବେ ନିରପେକ୍ଷ ନିର୍ବାଚନ ପରିଚାଳନାର ଏକ ନୂଆଯୁଗ ଆରମ୍ଭ ହୋଇପାରିବ ।

ବିମଳ ପ୍ରସାଦ, ମଠକରଗୋଳା - ୭୫୯୦୨୪, ଢେଙ୍କାନାଳ ଜିଲ୍ଲା, ଓଡ଼ିଶା, ଭ୍ରାମ୍ୟଭାଷ: ୯୪୩୯୮୨୮୧୭୮

Friday, July 10, 2015

ଇଚ୍ଛାଧୀନ କୋଟା ବନାମ ଟ୍ରାନ୍ସପାରେନ୍ସି ପୋର୍ଟାଲ

ଏଇ କିଛି ବର୍ଷ ହେଲା ଇଚ୍ଛାଧୀନ କୋଟା ପଦଟି ଓଡ଼ିଶା ଗଣମାଧ୍ୟମର ଏକ ବହୁ ଉଚ୍ଚାରିତ ପଦ ହୋଇଯାଇଛି । ଯଦିଓ ଏହା ଏକ ଅନୁଦିତ ଶବ୍ଦ, ତେବେ ଓଡ଼ିଆ ଗଣମାଧ୍ୟମ ଏହାକୁ ଅନୁବାଦ କରି ନାହିଁ; ବରଂ ସମାଲୋଚନା କରି ଏଭଳି ଶବ୍ଦ ପ୍ରୟୋଗ କରିଛି। ବୁଝିବାକୁ ହେବ ଯେ ମୂଳ ଶବ୍ଦ ଡିସ୍‌କ୍ରେସ୍‌ନାରି କୋଟା(Discretionary Quota)ର ଅର୍ଥ ହେଉଛି ବିବେକାଧିକାର ଭାଗ। ଅର୍ଥାତ୍‍ ସଂପୃକ୍ତ ଅଧିକାରୀ ଓ ମନ୍ତ୍ରୀଙ୍କର ବିବେକାଧିକାର ବଳରେ ନିଜ ପାଇଁ ଅଥବା ଅନ୍ୟ ପାଇଁ  ପ୍ଳଟ୍‍(ଘରଡିହ), ଫ୍ଲାଟ୍‍(କୋଠା) ରଖିବାର ବିଧି । କିନ୍ତୁ ସେହି ନେତା ଓ ବାବୁମାନେ ନିଜ ବିବେକ ଅପେକ୍ଷା ନିଜ ଇଚ୍ଛାକୁ ହିଁ ପ୍ରୟୋଗ କରିଛନ୍ତି । ଫଳତଃ ଓଡ଼ିଆ ଗଣମାଧ୍ୟମ ଯଥାର୍ଥରେ ତାହାକୁ ଇଚ୍ଛାଧୀନ କୋଟା ବୋଲି ଲେଖୁଛି - କହୁଛି। ନଚେତ୍‍ ଗୋଟିଏ ଗୋଟିଏ ପରିବାର ଭାଗରେ ଏକାଧିକ ପ୍ଳଟ୍‍ ବା ଫ୍ଲାଟ୍‍ କେମିତି ପଡ଼ି ଥାଆନ୍ତା!

ଏହି ଚର୍ଚ୍ଚାରେ ଆମ୍ଭେ ଓଡ଼ିଶାର ପୁରୁଣା ରାଜଧାନୀ କଟକ ଓ ନୂଆ ରାଜଧାନୀ ଭୁବନେଶ୍ୱର ଉପରେ ବେଶି ଧ୍ୟାନ ଦେଇଛୁ । ରାଜ୍ୟର ବେଶି ଲୋକ ଏହି ଦୁଇ ସହରକୁ ନିଜର ସ୍ଥାୟୀ ଠିକଣା କରିବାକୁ ଚାହୁଛନ୍ତି । ଅର୍ଥାତ୍‍ କୋଠାଘରଟିଏ ହେଲେ ସେଇଠି ମୁଣ୍ଡ ଗୁଂଜିବେ ବା ବାସ କରିବେ । କିନ୍ତୁ ବାସସ୍ଥାନ ଏବେ ବ୍ୟବସାୟ ଓ ଆୟପନ୍ଥାରେ ପରିଣତ ହୋଇଯିବାଟା ସଚେତନ ନାଗରିକଙ୍କୁ ଅସୁବିଧାରେ ପକାଇଛି । ଯେଉଁମାନେ ଆଶାୟୀ ରହିଥିଲେ ଖଣ୍ଡେ ଡିହ ବା ଗୋଟାଏ ଘର ପାଇବା ପାଇଁ, ସେମାନେ ସେମିତି ବର୍ଷ ବର୍ଷ ଧରି ଆଶାୟୀ ହୋଇ ରହିଯାଉଥିବା ବେଳେ କ୍ଷମତାରେ ଥିବା ଥୋକେ ବ୍ୟକ୍ତି ଏକାଧିକ ଡିହ ଓ ପ୍ଳଟ୍‍ ହାତେଇଛନ୍ତି । ଏସବୁର ପୁଷ୍ଟି ହୋଇସାରିଥିଲେ ସୁଦ୍ଧା ଏଭଳି ଧନ୍ଦା ବହୁ ବର୍ଷ ଧରି ଚାଲିଛି ବୋଲି କଥା ଉଠିଛି । ଯାହାକୁ ସରକାର ଗ୍ରହଣ କରି ତଦନ୍ତ ନିର୍ଦେଶକ ଦେଇଛନ୍ତି । ଆଉ ଏହି ତଦନ୍ତ ସତରେ ହେବ କି? ଯଦି ତଦନ୍ତ ହୁଏ, ତଦନ୍ତ ସରିବ କି? ଯଦି ତଦନ୍ତ ସରେ ରିପୋର୍ଟ ବାହାରିବ କି? ରିପୋର୍ଟ ପାଇଲା ପରେ ରାଜ୍ୟ ସରକାର ତାହାକୁ ସର୍ବସାଧାରଣରେ ପ୍ରକାଶ କରିବେ କି, ଗତାନୁଗତିକ ଭାବେ ଶୀତଳଭଣ୍ଡାରରେ ପକାଇ ରଖିବେ? ଏମିତି ଅନେକ ପ୍ରଶ୍ନ ଓ ସଂଶୟରେ ଛନ୍ଦି ହୋଇ ପଡ଼ିଛି ସଭ୍ୟସମାଜ । 

ଏଠାରେ ଆମେ ଯେଉଁ ଟ୍ରାନ୍ସପାରେନ୍ସି ପୋର୍ଟାଲ କଥା କହୁଛୁ, ତାହା ପ୍ରଥମେ ରନ୍ଧନ ଗ୍ୟାସ୍‍ ବଣ୍ଟନ ପ୍ରସଙ୍ଗରେ ଆସିଥିଲା । ଅର୍ଥାତ୍‍ କେଉଁମାନଙ୍କ ନାମରେ ରନ୍ଧନ ଗ୍ୟାସ୍‍(ଏଲ୍‍.ପି.ଜି.)ର ଖାଉଟିକାର୍ଡ଼ ଅଛି, ତାହା ୱେବ୍‍ସାଇଟ୍‍ରେ ପ୍ରକାଶ ପାଉ ବୋଲି ଦାବି ହୋଇଥିଲା । ପୋର୍ଟାଲ ଅର୍ଥ ଯେଉଁ ୱେବ୍‍ସାଇଟ୍‍ରେ ବିଭିନ୍ନ ଡାଟାବେସ୍‍ ସଂଲଗ୍ନ ରହିଥାଏ ଏବଂ ଯହିଁରୁ ଇଣ୍ଟରନେଟ୍‍ ବ୍ୟବହାରକାରୀ ଖୋଜି ପାଇବାର ସୁବିଧା ରହିଥାଏ । ଏଲ୍‍.ପି.ଜି. ସିଲିଣ୍ଡରର ହଠାତ୍‍ ଗୁରୁତର ଅଭାବ ଦେଖାଦେବାରୁ ଏଭଳି ବ୍ୟବସ୍ଥା କିଛି ମାତ୍ରାରେ କରାଯାଇ ନକଲି ଗ୍ରାହକଙ୍କୁ ବାଦ୍‍ ଦିଆଯାଇଥିଲା । ତିନିଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀ ଟ୍ରାନ୍ସପାରେନ୍ସି ପୋର୍ଟାଲ କରି ସ୍ୱଚ୍ଛତା ଦେଖାଇବାକୁ ପ୍ରୟାସ କରିଥିଲେ । କହିବା ବାହୁଲ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ଳଟ୍‍ ଓ ଫ୍ଲାଟ୍‍ ଯୋଗାଉଥିବା ବିଭିନ୍ନ ବିଭାଗ ଓ ସ୍ୱୟଂଶାସିତ ସଂସ୍ଥାର ଯଦି ସ୍ୱଚ୍ଛତା (Transparency) ପୋର୍ଟାଲ ରହିଥାଆନ୍ତା, ତେବେ ସେହି ଭାଷା ଜାଣିଥିବା ଦେଶର କୌଣସି ବି ନାଗରିକ ସହଜରେ ସେହି ଅସଲ ସୂଚନା ପାଇପାରନ୍ତେ । ଅର୍ଥାତ୍‍ କେଉଁମାନେ ପ୍ଳଟ୍‍ ବା ଫ୍ଲାଟ୍‍ ନେଇଛନ୍ତି, ତାହା ନିଜ ଘରେ ବସି ମଧ୍ୟ ଜାଣି ହୁଅନ୍ତା । ଏହା ହେଉଛି ସୂଚନା ପ୍ରଯୁକ୍ତିର ଶକ୍ତି ।

ଗୋଟିଏ ଆପ୍ତବାକ୍ୟ ଅଛି - ସୂଚନା ହିଁ ଶକ୍ତି । କିନ୍ତୁ ସଂପୃକ୍ତ ଦପ୍ତରଗୁଡ଼ିକ ଏବେ ବି ସେଇ ପୁରୁଣା କାଳିଆ କାଗଜ ଫାଇଲରେ ଚାଲୁ ଥିବାରୁ ବ୍ୟାପକ ଦୁର୍ନୀତି ହୋଇ ପାରୁଛି । ଆଉ କୌଣସି ଗୁମର ଭେଦ କରିବାକୁ ହେଲେ ଟାସ୍କଫୋର୍ସ ବା ତଦନ୍ତ କମିଶନ ବସାଇବାକୁ ପଡୁଛି । ଅର୍ଥାତ୍‍ ଆଙ୍ଗୁଠି ଟିପରେ ଯାହା ହୋଇପାରନ୍ତା, ସେଥିପାଇଁ ବାହୁବଳ ଓ କରତ ଲୋଡ଼ା ପଡୁଛି । ସୂଚନା ପ୍ରଯୁକ୍ତି ବା ସୂଚନା-ସଂଚାର-ପ୍ରଯୁକ୍ତିକୁ ଏବେ ବି ଗଣତନ୍ତ୍ରର ଖୁମ୍ବମାନେ ଜୋର୍‍ ଦେଇ ନାହାନ୍ତି। ଏବେ ଚିଟ୍‌ଫଣ୍ଡ୍‍ ମହାଠକେଇ ପରେ ସତ୍ୟପାଠ ଦାଖଲକାରୀମାନଙ୍କର ଯେଉଁ ଡାଟାବେସ୍‍ ତିଆରି ଚାଲିଛି, ତାହା କରାଯିବା ପାଇଁ ମଧ୍ୟ ଆମ୍ଭେ ବ୍ୟକ୍ତିଗତ ଭାବେ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲୁ । ଯଦି ସଂପୃକ୍ତ ଚିଟ୍‍ଫଣ୍ଡ୍‍ କମ୍ପାନୀମାନେ ଇଣ୍ଟରନେଟ୍‍ରେ ଜମାକାରୀଙ୍କ ସବିଶେଷ ତଥ୍ୟ ରଖିଥାଆନ୍ତେ, ତେବେ ସମାଧାନ କରିବା ପାଇଁ ଏତେ ହଟହଟା ହେବାକୁ ପଡ଼ନ୍ତା ନାହିଁ କି କମିଶନ ବସେଇକି ଅର୍ଥଶ୍ରାଦ୍ଧ କରିବାକୁ ପଡ଼ନ୍ତା ନାହିଁ । ଏଠାରେ ମନେ ପକାଇଦେବା ଉଚିତ ହେବ ଯେ ଜାତୀୟ ସ୍ତରର ସବୁ ବ୍ୟାଙ୍କ୍‍ ଓ ବୀମା କମ୍ପାନୀ ସେମାନଙ୍କ ଉପଭୋକ୍ତାମାନଙ୍କ ତଥ୍ୟକୁ ପୋର୍ଟାଲରେ ବା ଇଣ୍ଟରନେଟ୍‍ରେ ରଖିଛନ୍ତି । ତାହାକୁ ପ୍ରତି ମୁହୂର୍ତ୍ତରେ ଉପଭୋକ୍ତାମାନେ ମଧ୍ୟ ବ୍ୟବହାର କରିପାରୁଛନ୍ତି । ଯାହାକୁ କୁହାଯାଉଛି ଅନ୍‍ଲାଇନ୍‍ ସେବା କିନ୍ତୁ ବିଡ଼ିଏ, ସିଡ଼ିଏ, ଇଡ଼୍‍କୋ ଓ ସାଧାରଣ ପ୍ରଶାସନ ବିଭାଗର କୌଣସି ଅନ୍‍ଲାଇନ୍‍ ସୁବିଧା ବା ସ୍ୱଚ୍ଛତା ପୋର୍ଟାଲ ନାହିଁ । ତେଣୁ କେଉଁଠି ହରିଲୁଟ୍‍ କି ଦୁର୍ନୀତିର ଅଭିଯୋଗ ଉଠିଲେ ପୁରୁଣାକାଳିଆ ଢାଞ୍ଚାରେ କମିଟି, କମିଶନ ଅଥବା ଟାସ୍କଫୋର୍ସ ବସାଇବାକୁ ପଡୁଛି ।

ବାସ୍ତବରେ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଚାହାନ୍ତି ଯେ ଶାସନ କେବଳ ଫାଇଲ୍‍ରେ ଚାଲୁ । ଯାହା ଫଳରେ ସେମାନେ ଗୋଳିଆପାଣିର ଫାଇଦା ନେଇ ଉପୁରି ଆୟ କରିପାରିବେ । କାଗଜରେ ବା ଏ ଟେବୁଲ ସେ ଟେବୁଲ ହୋଇ ଫାଇଲ ଘୂରିବା ବଦଳରେ ସବୁ ଯେମିତି ବିନା କାଗଜରେ ଓ ଇଣ୍ଟରନେଟ୍‍ ଜରିଆରେ ହୋଇପାରିବ, ସେଥିପାଇଁ ବିଗତ କେନ୍ଦ୍ର ସରକାରମାନେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏବେର ଏନ୍‍ଡିଏ ସରକାର ମଧ୍ୟ ଅଧିକ ଗୁରୁତ୍ୱ ଦେଉଛି । ହେଲେ ଆମ ରାଜ୍ୟ ଓଡ଼ିଶାରେ ତାହାର ପ୍ରଭାବ ପଡୁ ନାହିଁ । ତେବେ ସମାଧାନ ପନ୍ଥା ହେଉଛି ଯେ ୧୯୯୫ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ଜମି ଆବଣ୍ଟନ ତଥ୍ୟକୁ ଯଦି ଅନ୍‍ଲାଇନ୍‍ ଡାଟାବେସ୍‍ରେ ରଖାଯିବ, ତେବେ ଅଭିଯୋଗକାରୀ ନାଗରିକମାନଙ୍କୁ ସମ୍ଭାଳିବା ସହଜ ହେବ । ତେଣୁ ଚିଟ୍‍ଫଣ୍ଡ୍‍ ଡାଟାବେସ୍‍ ଭଳି ଏକ ଡାଟାବେସ୍‍ ପ୍ରସ୍ତୁତ ହେବା ଦରକାର। ତେବେ ଏହି କାର୍ଯ୍ୟରେ ଟାଇପିଷ୍ଟ୍‍ମାନଙ୍କୁ ଲଗାଇ ଦେଇ ସୂଚନାପ୍ରଯୁକ୍ତି ପେସାଦାରମାନେ ଅନ୍ୟ ଧନ୍ଦାରେ ମାତିଲେ, ଏହା ମଧ୍ୟ ବେଙ୍ଗା ହୋଇଯିବ।

ବିମଳ ପ୍ରସାଦ, bimal.odisha@yahoo.in

Wednesday, July 8, 2015

ଓଡ଼ିଶା ଦୁର୍ବିପାକ ତାଲିକାରେ ୨୦ଟି ବିପର୍ଯୟ

ଆଉ ଦିନ କେଇଟା ପରେ ବନ୍ୟାର ଭୟ ଘାରିବ, ନଦୀର ତଳମୁଣ୍ଡରେ ଥିବା ଲୋକଙ୍କୁ। ଏଣେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ସ୍ଵାଭାବିକ ଭାବେ ଏହି ଜନବାଦୀ ଲେଖକ ମଧ୍ୟ ଚିନ୍ତିତ। ଆସନ୍ତୁ ନଜର ପକାଇବା କିଛି ଠୋସ୍‌ ତଥ୍ୟ ଓ ସୂଚନା ଉପରେ...

ଓଡ଼ିଶା ସରକାର ଯେଉଁ ବିପର୍ଯୟଗୁଡ଼ିକୁ ଦୁର୍ବିପାକ ତାଲିକାରେ ସାମିଲ କରିଛନ୍ତି, ସେଗୁଡ଼ିକ ହେଉଛି :- 1. Cyclone (ବାତ୍ୟା), 2. Drought (ମରୁଡ଼ି), 3. Earthquake (ଭୂମିକଂପ), 4. Fire (ଅଗ୍ନିକାଂଡ଼), 5. Flood (ବନ୍ୟା), 6. Tsunami (ସୁନାମି), 7. Hailstorm (ତୋଫାନ/ଝଡ଼ବର୍ଷା), 8. Landslide (ଭୂସ୍ଖଳନ/ଅତଡ଼ା ଧସିବା), 9. Avalanche (ବରଫପାତ), 10. Cloudburst (ଅଚାନକ ଅତିପ୍ରବଳ ବର୍ଷା), 11. Pest Attack (କୀଟସଂକ୍ରମଣ/ପଙ୍ଗପାଳ ଆକ୍ରମଣ), 12. Cold Wave (ଶୀତଲହରୀ), 13.Lighting (ବଜ୍ରପାତ), 14. Heatwave (ଗ୍ରୀଷ୍ମଲହରୀ), 15. Whirl Wind (ଘୂର୍ଣିବାତ୍ୟା), 16. Tornado (ଘୂର୍ଣିଝଡ଼), 17. Heavy Rain (ପ୍ରବଳବର୍ଷା), 18. Drowning (ପାଣିରେ ବୁଡ଼ି ମୃତ୍ୟୁ), 19. Boat Accident (ଡଙ୍ଗାବୁଡ଼ି/ ଡଙ୍ଗା ଦୁର୍ଘଟଣା), 20. Snake bite (ସାପକାମୁଡ଼ାଜନିତ ମୃତ୍ୟୁ)

ଓଡ଼ିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତୃପକ୍ଷ(OSDMA)ଙ୍କ ନିର୍ବାହୀ କମିଟିର ନିଷ୍ପତ୍ତି କ୍ରମେ ୧ ଏପ୍ରିଲ୍‌ ୨୦୧୫ରୁ ଶେଷ ୮ଟି ବିପର୍ଯୟକୁ ଦୁର୍ବିପାକ ତାଲିକାରେ ସାମିଲ କରିଛି। ଏହା ସହିତ ଅନୁକମ୍ପାମୂଳକ କ୍ଷତିପୂରଣ ରାଶିକୁ ସର୍ବାଧିକ ୪ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛନ୍ତି।  କିନ୍ତୁ ଏହି କ୍ଷତିପୂରଣ ରାଶି ସୂଚୀରେ ଗ୍ରୀଷ୍ମଲହରୀ ଜନିତ ଅଂଶୁଘାତ ବ୍ୟତୀତ ଅନ୍ୟ ୧୯ଟି ବିପର୍ଯୟ ଜନିତ ମୃତକ ବା କ୍ଷତିଗ୍ରସ୍ତଙ୍କ ପ୍ରତି ଲାଗୁ ହେଉଛି। ଯଦି ଅଂଶୁଘାତରେ କେହି ମରିଯାଆନ୍ତି, ତାଙ୍କ ପରିବାର ସଦସ୍ୟଙ୍କୁ ମାତ୍ର ୫୦ହଜାର ଟଙ୍କାର ଅନୁକମ୍ପା-କ୍ଷତିପୂରଣ ମିଳିବ। ଏସବୁ କ୍ଷତିପୂରଣ ରାଶିକୁ ରାଜ୍ୟ ବିପର୍ଯୟ ରାହତ୍‌ ପାଣ୍ଠି(SDRF-State Disaster Relief Fund) ବହନ କରିବ।

ମନ୍ତବ୍ୟ: 
୧. ବଜ୍ରପାତକୁ ଅନୁକମ୍ପାମୂଳକ କ୍ଷତିପୂରଣ ଦେବାର ତାଲିକାରେ ସାମିଲ କରି ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ତେବେ ବଜ୍ରପାତର ନିରାକରଣ ପାଇଁ କୌଣସି ଚିନ୍ତା କରିଥିବା ଭଳି ଲାଗୁ ନାହିଁ। କାରଣ ବିଦ୍ୟୁତ୍‌ ସରବରାହ ଥିବା ଗାଆଁରେ ସାଧାରଣତଃ ଗାଆଁ ଭିତରେ ବଜ୍ରପାତଜନିତ ମୃତ୍ୟୁକୁ ରୋକାଯାଇପାରିବ। ବିଦ୍ୟୁତ୍‌ ତାରଖୁଣ୍ଟଗୁଡ଼ିକ ନିୟମିତ ବ୍ୟବଧାନରେ ଲୁହା ଖୁଣ୍ଟ ହେବା ଦରକାର। କିନ୍ତୁ ଦୁର୍ନୀତି ଓ କିଳାପୋତେଇ ଏବଂ ପ୍ରଯୁକ୍ତିଗତ ଅଜ୍ଞତା ଯୋଗୁ ସିମେଣ୍ଟ ଖୁଣ୍ଟ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୋବାଇଲ୍‌ ଫୋନ୍‌ ପାଇଁ ଉଦ୍ଦିଷ୍ଟ ଟାୱାରଗୁଡ଼ିକରେ ଉପଯୁକ୍ତ ଗଜ୍‌ ବିଶିଷ୍ଟ ତମ୍ବାତାରରେ ବଜ୍ରପାତ ସହଣୀୟ ବ୍ୟବସ୍ଥା କରାଗଲେ, ତାହା ସଂପୃକ୍ତ ଗ୍ରାମକୁ ମଧ୍ୟ ସୁରକ୍ଷା ଦେବ। (ଅଥଚ ଆଜି ସୁଦ୍ଧା ଏଭଳି ଟାୱାରଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କ୍ଷତିକାରକ ବୋଲି ପ୍ରଚାର ଚାଲିଛି ଏବଂ ଅଭିଯୋଗ ମଧ୍ୟ ଉଠୁଛି। ଏ ସଂକ୍ରାନ୍ତ ଆଚରଣରେ ପରିବର୍ତନ ହେବା ଆବଶ୍ୟକ।) 

୨. କ୍ରମିକ ୯ରେ ଥିବା ବରଫପାତ କ’ଣ କେବେ ଓଡ଼ିଶାରେ ହେବ? ନୂଆଦିଲ୍ଲୀରେ ବୈଠକରେ ଭାଗ ନେଇ ଆମ ରାଜ୍ୟର ପ୍ରଶାସକମାନେ ଏଭଳି ଅବାଂଛିତ ବିଷୟକୁ ତାଲିକାରେ ଯୋଡ଼ିଛନ୍ତି।

୩. ବର୍ଷା ଜଡ଼ିତ ବିପର୍ଯୟଗୁଡ଼ିକ ସମାନ ପ୍ରକାର ଭଳି ଲାଗୁଛି। ତାଲିକାକୁ ଜଟିଳ କରିବା ପାଇଁ ଏବଂ କ୍ଷତିପୂରଣ ଆଶାୟୀଙ୍କୁ ହଇରାଣ କରିବାକୁ ଏହା ଉଦ୍ଦିଷ୍ଟ ବୋଲି ପ୍ରତୀତ ହେଉଛି। ପ୍ରବଳବର୍ଷା ହେବାରୁ ବନ୍ୟା ହୁଏ। ଆଉ ବନ୍ୟା ବେଳେ ବର୍ଷାବିତ୍ପାତରେ ପ୍ରାଣହାନି ଘଟିଥିବା ନାଗରିକଙ୍କ ପରିବାରଙ୍କୁ ଏ ଦପ୍ତର ସେ ଦପ୍ତର ଧାଇଁବାକୁ ପଡ଼ିପାରେ।

୪. ସାପକାମୁଡ଼ା ଏକ ବିପର୍ଯୟ ହୋଇଥିବା ବେଳେ ହାତୀ ଓ ଭାଲୁ ଆଦି ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକୁ ବିପର୍ଯୟରେ ସାମିଲ କରାଯାଇନାହିଁ। ଏହା ବନବିଭାଗର ବିଷୟଭୁକ୍ତ ନହୋଇ ଏକକ ପରିଚାଳନା ସୂତ୍ରରେ ବିପର୍ଯ୍ୟୟ ପରିଚାଳନା  ବିଭାଗ ଅଧୀନରେ ରହିବା କଥା। ହୁଏତ ଢେଙ୍କାନାଳ,  ଅନୁଗୁଳ, କେନ୍ଦୁଝର, ମୟୂରଭଂଜ, ଗଜପତି, କନ୍ଧମାଳ, ରାୟଗଡ଼, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକରେ ବନ୍ୟଜନ୍ତୁ ଆକ୍ରମଣରେ ମରୁଥିବା ନାଗରିକମାନେ ହତଭାଗା ରୂପେ ଗଣାହେବେ। ସେମାନେ କ୍ଷତିପୂରଣ ପାଇବେ କି ନାହିଁ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

୫. ଏଥିରେ ମୁଖ୍ୟତଃ ପ୍ରାକୃତିକ ବିପର୍ଯୟ ଉପରେ ଧ୍ୟାନ ଦିଆଯାଇଥିବା ବେଳେ ମନୁଷ୍ୟକୃତ ବା ଆକସ୍ମିକ ବିପର୍ଯୟକୁ ଅଣଦେଖା କରାଯାଇଛି। ଚଳନ୍ତା ବସ୍‌ରେ ନିଆଁଲାଗି ୩୪ ଜଣ ଜଳିଗଲେ, ଏହାର ଭରଣା ଓ ପ୍ରତିକାର କ’ଣ ଅନ୍ୟ ଏକ ବିଭାଗ କରିବ? ଗ୍ୟାସ୍‌ ଦୁର୍ଘଟଣା, ଖାଦ୍ୟ ବିଷାକ୍ତୀକରଣ, ଉଚ୍ଚଅଟାଳିକା ଭୁଶୁଡ଼ିବା, ବିଶାଳ ଗଛ ଉପୁଡିବା,  ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌ ଆଘାତ ଭଳି ବିପର୍ଯୟକୁ ତାଲିକାରେ ସାମିଲ କରାଯାଇନାହିଁ। 

ଆମ୍ଭେ ବାରମ୍ବାର ଦାବି କରି ଆସୁଛୁ ଯେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ଏକ ସ୍ଵତନ୍ତ୍ର ବିଭାଗ କରାଯାଉ। ଓଡ଼ିଶା ଏକ ସମୁଦ୍ରକୂଳିଆ ବା ବିପର୍ଯୟପ୍ରବଣ ରାଜ୍ୟ ହୋଇଥିବାରୁ ରାଜସ୍ଵ ବିଭାଗ ଅଧୀନରେ ଏହାକୁ ରଖା ନଯାଉ। ଫାୟାର ବ୍ରିଗେଡ଼୍‌କୁ ବିପର୍ଯୟ ପରିଚାଳନା ବାହିନୀ ରୂପେ ଗୃହବିଭାଗ ଅଧୀନରୁ କାଢ଼ି ଆଣି ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ରଖାଯାଉ। ଏବେ କେବଳ ଫାୟାର ବ୍ରିଗେଡ଼୍‌ କର୍ମୀମାନଙ୍କ ଜର୍ସିରେ Fire & Disaster ବୋଲି ଲେଖି ଦେଇ ଫାଙ୍କି ମାରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ଏକକ ପରିଚାଳନାଭୁକ୍ତ ହେଲେ ବ୍ୟୟ ସଂକୋଚନ ହେବା ସହ ଅନାବଶ୍ୟକ ହାକିମାତିକୁ କମ୍‌ କରାଯାଇପାରିବ। 

ସୂଚନାଯୋଗ୍ୟ ଯେ ବ୍ରିଟିଶ ଇଣ୍ଡିଆରେ ବ୍ଲଡ଼ି ଇଣ୍ଡିଆନ୍‌ମାନେ ଆନ୍ଦୋଳନ କରିବାକୁ ଯାଇ କେତେକ ଅଫିସ୍‌ କଚେରୀରେ ନିଆଁ ଲଗାଇ ଦେଉଥିଲେ। ସେହି ନିଆଁକୁ ଲିଭାଇବା ପାଇଁ ଏବଂ ଉତ୍ତ୍ୟକ୍ତ ଲୋକଙ୍କୁ ସମ୍ଭାଳିବା ପାଇଁ ବ୍ରିଟିଶ୍‌ ସରକାର ସହରର ଅନତିଦୂରରେ ପୁଲିସ୍‌ ଥାନା ଓ ଦମ୍‌କଳ କେନ୍ଦ୍ର ବସାଉଥିଲେ। ଏବେ ସ୍ଵାଧୀନ ଭାରତରେ ପରିସ୍ଥିତି ବଦଳିଛି, ତତ୍ତ୍ଵ ବଦଳିଛି ଏବଂ ବିଚାରବୋଧ ମଧ୍ୟ ବଦଳିଛି। ତେଣୁ ପୁଲିସ୍‌ ଅଧୀନରେ ଅଗ୍ନିଶମ ସଂସ୍ଥା ରହିବାର ଆବଶ୍ୟକତା ନାହିଁ। 
bimal.odisha@yahoo.in

ରଙ୍ଗବତୀର ବିକୃତୀକରଣ ଅକ୍ଷମଣୀୟ

ଓଡ଼ିଶାର ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’ର ରିମିକ୍ସ ଏଇ ଜୁଲାଇ ୨୦୧୫ରେ ବିଶେଷ ଭାବେ MTV ଚ୍ୟାନେଲରେ ଏବଂ YouTube ୱେବ୍‌ ଚ୍ୟାନେଲରେ ମଧ୍ୟ ବ୍ୟାପକ ଭାବେ ପ୍ରଚାରିତ ଓ ପ୍ରସାରିତ ହୋଇଛି। ଏଥିରେ ମୂଳଗୀତକୁ ବିକୃତ କରାଯିବା ସହ ସେଥିରେ ଓଡ଼ିଶାର ସମ୍ମାନସୂଚକ ପ୍ରାଦେଶିକ ସଂଗୀତ ‘ବଂଦେ ଉତ୍କଳ ଜନନୀ’କୁ ମଧ୍ୟ ଫେଣ୍ଟା ଯାଇଥିବାରୁ ଅନେକ ସ୍ଵାଭିମାନୀ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ଏପରିକି ମୂଳ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆ, ସଂଗୀତକାର ପ୍ରଭୁଦତ୍ତ ପ୍ରଧାନ ଓ କଣ୍ଠଶିଳ୍ପୀ ଜିତେନ୍ଦ୍ରିୟ ହରିପାଲ ପ୍ରମୁଖ ଅପମାନିତ ହୋଇଥିବା ଅନୁଭବ କରି କୋଟିଏ ଟଙ୍କାର ମାନହାନି ମୋକଦ୍ଦମା କରିଛନ୍ତି।

ଏଭଳି ରିମିକ୍ସ ଦ୍ଵାରା ଓଡ଼ିଶାର ସଂଗୀତ ବିଶ୍ଵବ୍ୟାପୀ ହୋଇପାରିଛି ବୋଲି କେତେକ ବ୍ୟକ୍ତି ଯୁକ୍ତି କରୁଛନ୍ତି। କିନ୍ତୁ ସ୍ଵାଭିମାନୀ ବ୍ୟକ୍ତିମାନେ ଏହାକୁ ଗ୍ରହଣ କରୁନାହାନ୍ତି। ଗ୍ରହଣ ନକରିବା ମଧ୍ୟ ସ୍ଵାଭାବିକ କଥା। ଆଶ୍ଚର୍ଯ୍ୟର କଥା ଯେ ମୁମ୍ବାଇର କୋକ୍ ଷ୍ଟୁଡ଼ିଓରେ ରେକଡିଂ ହୋଇଥିବା ରିମିକ୍ସ ଗୀତକୁ ଦୁଇ ଜଣ ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ସୋନା ମହାପାତ୍ର ଗାଇଛନ୍ତି।

(ବାମରୁ) ଜିତେନ୍ଦ୍ରିୟ ହରିପାଲ, କ୍ରିଷ୍ଣା ପଟେଲ,
ମିତ୍ରଭାନୁ ଗୌନ୍ତିଆ, ପ୍ରଭୁଦତ୍ତ ପ୍ରଧାନ
ଓଡ଼ିଶାରେ ଓଡ଼ିଆ ଗୀତରେ ଅଶ୍ଳୀଳତା ଓ ବିକୃତିକୁ ନେଇ ବହୁବାର ସ୍ଵର ଉଠିଛି। ସିନେମା ଭଳି ସଂଗୀତ ପାଇଁ ମଧ୍ୟ ସେନସର ବୋର୍ଡ଼ ବସୁ ବୋଲି ଜନସାଧାରଣ ଦାବି କରିଛନ୍ତି। ଅବଶ୍ୟ ଓଡ଼ିଶାରେ ସଂସ୍କୃତିର କୌଣସି ଦାପ୍ତରିକ(Official) ପରିଭାଷା ନଥିବାରୁ ସମସ୍ୟା ଉପୁଜୁଛି। ଅଥଚ ଓଡ଼ିଶାରେ ଏକ ସଂସ୍କୃତି ବିଭାଗ ରହିଛି!

ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ପ୍ରାର୍ଥନା ଗୀତ ‘‘ଆହେ ଦୟାମୟ ବିଶ୍ଵବିହାରୀ’’ (ଶିକ୍ଷକ ରାମକୃଷ୍ଣ ନନ୍ଦଙ୍କ ରଚିତ)କୁ ବିକୃତ କରି ‘‘ଆହେ ଦୟାମୟ ବିଶ୍ଵବିହାରୀ, ମତେ କିଆଁ କଲ ଏତେ ସୁନ୍ଦରୀ...’’ ମୁଖଡ଼ାରେ କଟକର ବାପୁ ଗୋସ୍ଵାମୀ ଲେଖିଥିବା ଗୀତକୁ ସ୍ଵର ଓ ସଂଗୀତରେ ସଜେଇଥିଲେ ଗୁଡ଼୍‌ଲି ରଥ। ୨୦୧୦ରେ ଏହା ଯେତେବେଳେ ବଜାରକୁ ଆସିଲା କୌଣସି ଲୋକ ଏହାକୁ ବରଦାସ୍ତ କଲେ ନାହିଁ। କାରଣ ସେହି ଗୀତଟି ଥିଲା ଓଡ଼ିଶାର ସବୁ ପ୍ରକାର ବିଦ୍ୟାଳୟର ଏକ ସାଧାରଣ ପ୍ରାର୍ଥନା ଗୀତ। ବହୁ ଆନ୍ଦୋଳନ ହେବା ପରେ ସେହି ଆଲ୍‌ବମ୍‌ ମୁକ୍ତିଲାଭ କରିବାର ୧ ମାସ ମଧ୍ୟରେ ଶ୍ରୀ ରଥ ଭୁବନେଶ୍ଵରରେ ଆଉ ଏକ ଗଣମାଧ୍ୟମ ସମ୍ମିଳନୀ ଡକାଇ ସର୍ବସାଧାରଣରେ କ୍ଷମା ମାଗିବା ସହ ବଜାରରୁ ସମସ୍ତ ସିଡ଼ି ଫେରାଇ ନେବାର ପ୍ରତିଶ୍ରୁତି ଦେବା ପରେ ସବୁ ସମସ୍ୟାର ଅନ୍ତ ଘଟିଥିଲା। ଏହା ଥିଲା ଓଡ଼ିଶାର ସଂଗୀତ ଇତିହାସରେ ଏକ ବଡ଼ ଧରଣର ସ୍ଵାଭିମାନ ଓ ସଂସ୍କୃତି ସୁରକ୍ଷାର ଲଢ଼େଇ।

ରଙ୍ଗବତୀ ରିଟର୍ନସ୍‌ ଆଲ୍‌ବମ୍‌ରେ ‘‘ବନ୍ଦେ ଉତ୍କଳ ଜନନୀ’’କୁ ମିକ୍ସ କରାଯିବା ଏକ ପାଗଳାମି। ଅଥଚ ଏହାକୁ ଉଭୟ ଋତୁରାଜ ଓ ସୋନା ଗ୍ରହଣ କରିବା ପରିବର୍ତେ ବିତଣ୍ଡା ଯୁକ୍ତି କରିବାରେ ଲାଗିଛନ୍ତି। କାରଣ ଉଭୟେ ଜାଣନ୍ତି ନାହିଁ ‘ସଂସ୍କୃତି’ ଗୋଟାଏ କ’ଣ ଚିଜ! ଆଉ ୩୬ ବର୍ଷ ଧରି ପ୍ରତ୍ୟେକ ସଂଗୀତପ୍ରେମୀ ଓଡ଼ିଶାବାସୀଙ୍କ ମନରେ ଛାଇରହିଥିବା ରଙ୍ଗବତୀକୁ ଅସମ୍ମାନ କରିବା ଏକ ଅପରାଧ ନିଶ୍ଚୟ।

ସଂଗୀତକୁ ନେଇ ବିବାଦ, ଓଡ଼ିଶାରେ ନୂଆ ନୁହେଁ। ଲୋକପ୍ରିୟ କଣ୍ଠଶିଳ୍ପୀ ବାଦଲ କୁମାର ଓରଫ ବାଦଲ ଆଚାର୍ଯ୍ୟ ମଧ୍ୟ ପ୍ରାୟ ୨୧ ବର୍ଷ ତଳେ ବିକାଶ ଶୁକ୍ଳଙ୍କ ସଂଗୀତ ନିର୍ଦେଶନାରେ ଏକ ଭଜନ ଗାଇଥିଲେ ‘‘ନାନୀ ବଡ଼ଦାଣ୍ଡେ ଭିଡ଼ ଭାରୀ, ଟିକେ ହାଉଲେ ଯିବୁ...’’। ସେତେ ବେଳେ ଓଡ଼ିଶାରେ ଟିଭି ଚ୍ୟାନେଲର ପ୍ରଭାବ ନଥିଲା। କେବଳ ଥିଲା ଦୂରଦର୍ଶନରେ କିଛି ଓଡ଼ିଆ କାର୍ଯ୍ୟକ୍ରମ। ତେଣୁ କେବଳ ଖବରକାଗଜ ଜରିଆରେ କମ୍‌ ପ୍ରତିବାଦ ପ୍ରକାଶ ପାଇଥିଲା। ବାଦଲ ଆଚାର୍ଯ୍ୟ ତ୍ରୁଟି ସ୍ଵୀକାର କରିଥିଲେ ମଧ୍ୟ ବଜାରରୁ ତହିଁର କ୍ୟାସେଟ୍‌ ହଟି ନଥିଲା। (ସେତେବେଳେ ସିଡ଼ି ଯୁଗ ବି ଜୋର୍‌ ଧରି ନଥିଲା।)

୧୯୯୦ ମସିହା ପୂର୍ବରୁ ବିପୁଳ ସଂଖ୍ୟାରେ ଦ୍ଵିଅର୍ଥବୋଧକ ଲଘୁସଂଗୀତ (ଆଧୁନିକ ଗୀତ ନାମରେ)ର କ୍ୟାସେଟ୍‌ ଓ ଏଲ୍.ପି. ରେକର୍ଡ଼ ମୁକ୍ତିଲାଭ କରୁଥିଲା କଟକ ସହରରୁ। ଏଭଳି ଗୀତର କଣ୍ଠଶିଳ୍ପୀ ଭାବରେ ଜଣାଶୁଣା ଥିଲେ ମହମ୍ମଦ ସାଜିଦ୍‌, ମମତା ସାହୁ ଓ ଗୀତା ଦାଶ। କ୍ରମେ ଓଡ଼ିଆ କମର୍ସିଆଲ୍‌ ଆଧୁନିକ ଗୀତର ଶ୍ରୋତା ବଢ଼ିବାରୁ ଆପତ୍ତିଜନକ ପଦ ଓ ପଙ୍‌କ୍ତି ଥିବା ଗୀତଗୁଡ଼ିକର ସଂଖ୍ୟା କମିବାର ଧାରା ଆରମ୍ଭ ହୋଇଥିଲା। ସଂଗୀତ ଜଗତର ପ୍ରବାଦପୁରୁଷ ଅକ୍ଷୟ ମହାନ୍ତିଙ୍କ ନାମରେ ମଧ୍ୟ ଅଶ୍ଳୀଳତାର ଅଭିଯୋଗ ଉଠିଛି। ହେଲେ ସେ ଜଣେ ପୂରାକାଳୀନ ସଂଗୀତଜ୍ଞ ତଥା ଗୀତିକାର ଭାବରେ ନିଜ ପଂକ୍ତିକୁ ସାବ୍ୟସ୍ତ କରିପାରୁଥିଲେ। କାରଣ ତାଙ୍କର ସାରସ୍ଵତ ପ୍ରତିଭା ଓ ସାମାଜିକ ଗବେଷଣା ବଳରେ ସ୍ଵରଚିତ ଗୀତରେ ରଖିପାରୁଥିଲେ ଶାଣିତ ଟିପ୍ପଣୀ। ତାଙ୍କର ଏକ ଲୋକପ୍ରିୟ ଗୀତରେ ଗଡ଼ଗଡ଼ିଆଘାଟର ଯୁବତୀର ଜବାବ ଥିଲା- ‘‘ତୋ ବାପାର ଯାଉଛି କିସ, ହେଲି ନହେଲି ମୁଁ ବାହା...?’’ ଏହି ଗୀତରେ ସେ ମହାନଦୀକୂଳିଆ ଅଞ୍ଚଳର ବିବାହ ସମସ୍ୟା ଓ ଯୁବତୀମାନଙ୍କ ଆଚରଣ ଉପରେ ଇଙ୍ଗିତ କରିଛନ୍ତି।

ହେଲେ ଏଇ ଶତାବ୍ଦୀରେ ବିଭୁକିଶୋର ଗାଇଥିବା ‘‘ନବମ ଶ୍ରେଣୀ ଝିଅଟା ଛାତିକୁ ମୋ’ ହଟ୍‌ କରୁଛି’’ ଗୀତଟି ଯେତିକି ଶସ୍ତା ଲୋକପ୍ରିୟତା ଗୋଟାଇଛି, ସେତିକି ନିନ୍ଦିତ ହୋଇଛି। ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗୀତ ଗାୟନ ପାଇଁ ପସନ୍ଦ କରିଥିବାରୁ ଗାୟକ ବିଭୁକିଶୋର କେବେ ବି କୌଣସି ସାମ୍ବାଦିକଙ୍କୁ ସାମ୍ନା କରି ଅନୁତପ୍ତ ହୋଇ ନାହାନ୍ତି। 

ତେବେ ଏତେ ଇତିହାସ ବଖାଣିବାର ଗୋଟିଏ ଉଦ୍ଦେଶ୍ୟ ହେଲା କଣ୍ଠଶିଳ୍ପୀ ଶ୍ରୀମତୀ ସୋନା ମହାପାତ୍ର ଓ ସଂଗୀତ ନିର୍ଦେଶକ ରାମ୍‌ ସଂପତ୍‌ ନିଶ୍ଚିତ ରୂପେ ଅନୁତପ୍ତ ହେବା ସହ ସର୍ବସାଧାରଣରେ କ୍ଷମା ମାଗିବା ଦରକାର ଏବଂ ‘ରଙ୍ଗବତୀ ଟିଟର୍ନସ୍‌’ର ପ୍ରସାରଣ MTV ସମେତ ବିଭିନ୍ନ ଚ୍ୟାନେଲ୍‌ରୁ ବନ୍ଦ ହେବା ସହ ଇଣ୍ଟରନେଟ୍‌ରୁ ତାହାକୁ ହଟାଯିବା ଜରୁରୀ।

ବିମଳ ପ୍ରସାଦ, bimal.odisha@yahoo.in

Monday, July 6, 2015

ଭୁବନେଶ୍ଵରରୁ ବିଦେଶକୁ ଉଡାଣ

ଭୁବନେଶ୍ଵରରେ ଥିବା ବିଜୁପଟ୍ଟନାୟକ  ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ୩୦ ଅକ୍ଟୋବର ୨୦୧୩ରେ ମିଳିବା ପରେ ୧୦ ଜୁଲାଇ ୨୦୧୫ରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ କରିବ ବୋଲି ୨୭ ଜୁନ୍‌ ୨୦୧୫ରେ ଖବର ପ୍ରକାଶ ପାଇଥିଲା। ଆଜି(୬ ଜୁଲାଇ ୨୦୧୫) ବିଭିନ୍ନ ଖବରକାଗଜରେ ବାହାରିଛି ଯେ ତାହା ଗୋଟାପଣେ ଏକ ଭିନ୍ନ ଖବର। ଅର୍ଥାତ୍‌ ହାଇଦ୍ରାବାଦ ଦେଇ ନୁହେଁ, ବରଂ ନୂଆ ଦିଲ୍ଲୀ ଦେଇ ଏବଂ ତାହା ଆବୁଧାବିକୁ ନୁହେଁ, ବରଂ ଦୁବାଇକୁ ଉଡାଣ କରିବ। ତେବେ ଏହି ବ୍ୟବସ୍ଥାରେ ୬ ଘଣ୍ଟାର ଯାତ୍ରା ପାଇଁ ୧୦ ଘଣ୍ଟା ଲାଗିବ। କାରଣ ଭୁବନେଶ୍ଵରରୁ ବା ଭୁବନେଶ୍ଵରକୁ ଟିକଟ କାଟିଥିବା ଯାତ୍ରୀଙ୍କୁ ୪ଘଣ୍ଟା ଜଗିବାକୁ ପଡ଼ିବ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରରେ।  ଆଉ ବିଧିବିଧାନଗୁଡ଼ିକ ଏହିପରି:

୧.  ଦୁବାଇଗାମୀ ଯାତ୍ରୀମାନଙ୍କ କଷ୍ଟମ ଓ ଇମିଗ୍ରେସନ ଯାଞ୍ଚ ସୁବିଧା ଭୁବନେଶ୍ଵରରେ ସରିଥିବ।
୨. ଯାତ୍ରୀମାନଙ୍କୁ ଭୁବନେଶ୍ଵର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ-ଦୁବାଇ ପାଇଁ ଦୁଇଟି ବୋଡ଼ିଂ ପାସ୍‌ କରିବାକୁ ହେବ।
୩.  ଦୁବାଇଗାମୀ ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆର AI 078ରେ ଦିନ ୨ଟା ବେଳେ ଉଡାଣ ଧରିବାକୁ ହେବ। ଯାହାକି ଦିନ ୪ଟା ୨୫ରେ ନୂଆଦିଲ୍ଲୀରେ ଅବତରଣ କରିବ। ଏହି ବିମାନଟି ପୂର୍ବରୁ AI 874 ଥିଲା। ନୂଆଦିଲ୍ଲୀରୁ ଦୁବାଇକୁ ରାତି ୮ଟା ୩୦ରେ  ଅସଲ ଅନ୍ତର୍ଜାତୀୟ ବିମାନଟି  ଉଡାଣ କରିବ।
୪. ଦୁବାଇରୁ ଆସିଥିବା ଭୁବନେଶ୍ଵରଗାମୀ ଯାତ୍ରୀମାନେ ପାହାନ୍ତା ୪ଟା ୨୫ରେ ନୂଆଦିଲ୍ଲୀରେ ଅବତରଣ କରିବେ। ସେଠାରୁ AI 077 ବିମାନରେ  ସକାଳ ୭ଟା ୫ରେ ଉଡାଣ ଧରି ସକାଳ ୯ଟା ୫ରେ ଭୁବନେଶ୍ଵରରେ ଅବତରଣ କରିବେ। ପୂର୍ବରୁ ଏହି ବିମାନର ନମ୍ବର ଥିଲା AI 877। 
୫. ଏହି ପ୍ରକାର ବ୍ୟବସ୍ଥାକୁ କୁହାଯାଉଛି Hub & Spoke (ହବ୍‌ ଏଣ୍ଡ୍ ସ୍ପୋକ୍‌) ବିମାନ ଚଳାଚଳ ବ୍ୟବସ୍ଥା।
୬. Star Alliance ନାମକ ଏକ ଅନ୍ତର୍ଜାତୀୟ ଦଲାଲୀ ସଂଘରେ ଏୟାର ଇଣ୍ଡିଆ ଯୋଗ ଦେଇଥିବାରୁ ଜର୍ମାନୀ ବ୍ୟତୀତ ଅନ୍ୟ ୧୨୧ ଦେଶକୁ ଏଭଳି ବିମାନ ଯାତ୍ରା କରିହେବ।

ଏଠାରେ ଆମ୍ଭେ ମନ୍ତବ୍ୟ ଦେବାକୁ ଚାହୁ ଯେ ବିମାନ ଚଳାଚଳକୁ ଲାଭଜନକ ଓ ସୁରକ୍ଷିତ କରିବା ପାଇଁ ଏହା ଏକ ବ୍ୟବସ୍ଥା। ସାଇକେଲ ଚକ ହବ୍‌ରେ ଯେମିତି ସ୍ପୋକ୍‌ ସବୁ ରିମ୍‌ର ସବୁଭାଗକୁ ବିଛେଇ ହୋଇ ରହିଥାଏ। ଏଠାରେ ସେମିତି ନୂଆଦିଲ୍ଲୀ ହେଉଛି ହବ୍‌ ଏବଂ ସ୍ପୋକ୍‌ ହେଉଛି ଭୁବନେଶ୍ଵର ଭଳି ରାଜ୍ୟ ରାଜଧାନୀ ଓ ଅନ୍ୟ ସହରରେ ଥିବା ବିମାନବନ୍ଦରଗୁଡ଼ିକ। ତେବେ ଏଥିପାଇଁ ଆଉ ଅନ୍ତର୍ଜାତୀୟ ମାନ୍ୟତାର କିଛି ଅର୍ଥ ନାହିଁ।  ଯଦି ନିଜ ସୁବିଧା ଅନୁସାରେ ଭୁବନେଶ୍ଵର-ଦୁବାଇ ଯାତ୍ରା ପାଇଁ ଅଲଗା ଅଲଗା ଟିକେଟ୍‌  କାଟିଲେ ଲାଗୁଥିବା ଦେୟ, ଏବେର ବ୍ୟବସ୍ଥାରେ କାଟୁଥିବା ଟିକେଟ୍‌ ଦର ସହ ସମାନ ହେଉଥାଏ, ତେବେ  ଏହା ଏକ ବଡ଼ ଭଣ୍ଡାମି ରୂପେ ବିବେଚିତ ହେବ।

ହବ୍‌ ଏଣ୍ଡ ସ୍ପୋକ୍‌ ଭଳି ବ୍ୟବସ୍ଥା ଦୁଇ ଦଶକ ଧରି ଓଡ଼ିଶାର ଘରୋଇ ବସ୍‌ ମାଲିକମାନେ ଅବଲମ୍ବନ କରି ଆସୁଛନ୍ତି। ଯାହା ଫଳରେ ସେମାନେ ଲାଭ କରିବା ସହ ସରକାରୀ ବସ୍ ସେବାକୁ ସଂକୁଚିତ କରିବାରେ ସଫଳ ହୋଇଛନ୍ତି। ଯଦିଓ ଏହା ସେମାନଙ୍କର ଏକ ସରକାରୀ ଅନୁମୋଦିତ ବ୍ୟବସ୍ଥା ନୁହେଁ, କିନ୍ତୁ ଏହା ଦ୍ଵାରା ସେମାନେ ଟ୍ରିପ୍‌ ପରିଚାଳନା କରି ଲାଭ ବାହାର କରିପାରୁଛନ୍ତି। ଏଥିପାଇଁ ବସ୍‌ବାଲାଏ ନେଟ୍‌ୱର୍କ ଓ ଲିଙ୍କ୍ ଭଳି ଶବ୍ଦ ବ୍ୟବହାର କରି ଆସୁଛନ୍ତି। 

ଉଦାହରଣ: ଭୁବନେଶ୍ଵର-କଟକ ମଧ୍ୟରେ ବହୁତ ସଟଲ୍ ବା ଲୋକାଲ ବସ୍‌ ଚାଲୁଛି। କିନ୍ତୁ ସେହି ବସ୍‌ରେ ବାରିପଦା, ବାଲେଶ୍ଵର, କେନ୍ଦୁଝର, ଅନୁଗୁଳ, ତାଳଚେର ଆଦି ସ୍ଥାନର ନାମ ସବା ଉପରେ ଲେଖାଥାଏ। ଅର୍ଥାତ୍‌ ସେହି ବସ୍‌ଗୁଡ଼ିକ ଉଲ୍ଲିଖିତ ସ୍ଥାନକୁ ଯାତ୍ରା କରିବାର ପ୍ରଶ୍ନ ଉଠୁ ନାହିଁ। କିନ୍ତୁ ସେହି ଗାଡ଼ିର ଷ୍ଟାଫ୍‌ ଆପଣଙ୍କୁ ଉଲ୍ଲିଖିତ ସ୍ଥାନକୁ ଯାଉଥିବା ବସ୍‌ରେ କଟକରୁ ବା କୌଣସି ଛକ ସ୍ଥାନରୁ ଉଠାଇବାର ସୁବିଧା କରିବେ। ଏଥିରେ ଆପଣଙ୍କର ସମୟ ନଷ୍ଟ ହେବ ନାହିଁ କି ବସ୍‌ ଫେଲ୍‌ ହେଲେ ବୋଲି ପସ୍ତେଇବେ ନାହିଁ। ଏହିଭଳି ସୁବିଧା ଓଡ଼ିଶାର ସବୁ ଅଞ୍ଚଳରେ ଅଛି ଏବଂ ଏହା କେବଳ ଘରୋଇ ବସ୍‌ରେ ମିଳେ। ଅବଶ୍ୟ ଏକଥା ସତ ଯେ ଏଭଳି ତାତ୍ତ୍ଵିକ ଢଙ୍ଗରେ କେହି ଆଜି ସୁଦ୍ଧା ରିପୋଟିଂ କରି ନାହାନ୍ତି। ତେଣୁ Hub & Spoke କୁ ବୁଝିବାରେ କଷ୍ଟ ହେବା କଥା ନୁହେଁ।

Friday, July 3, 2015

୩ ଜୁଲାଇ ୨୦୧୫ ଶୁକ୍ରବାର ଠାରୁ NMNP

ଆଜି(୩ ଜୁଲାଇ ୨୦୧୫) ଠାରୁ ଆରମ୍ଭ ହେଲା NMNP (National Mobile Number Portability)। ହେଲେ ଏହା କେବଳ ବଛାବଛା ନମ୍ବର ନେଇଥିବା ଲୋକଙ୍କ ଲୋଭକୁ ସନ୍ତୁଷ୍ଟ କରିବାରେ ତଥା ସଂଖ୍ୟାଜ୍ୟୋତିଷରେ ବିଶ୍ଵାସ କରୁଥିବା ଉପଭୋକ୍ତାଙ୍କ ପାଇଁ ଉପାଦେୟ ହେବ। ନଚେତ୍‌ ଖାସ୍‌ କିଛି ଉପକାରରେ ଆସିବ ନାହିଁ। କାରଣ ସେହି ନମ୍ବରକୁ ମୋବାଇଲ୍‌ ଫୋନ୍‌ରେ ପକାଇ ଅନ୍ୟ ରାଜ୍ୟକୁ ଗଲେ ରୋମିଂ ବାବଦରେ ଗଣିବାକୁ ପଡ଼ିବ। ତେବେ ସ୍ଥାୟୀ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଉପଭୋକ୍ତାଙ୍କୁ ଆଉ ନୂଆ ନମ୍ବର ବିଷୟରେ ଆତ୍ମୀୟ, ପରିଜନ, ବଂଧୁ, ସାଙ୍ଗ, ସହକର୍ମୀଙ୍କୁ ଆଉ ସୂଚନା ଦେବାକୁ ପଡ଼ିବ ନାହିଁ। କାରଣ ପୁରୁଣା ନମ୍ବରକୁ କାଏମ ରଖିପାରିବେ। ଅନ୍ୟ ପକ୍ଷରେ ଡୁଆଲ ସିମ୍‌ର ମାୟାରୁ ମୁକ୍ତ ହୋଇପାରିବେ ନାହିଁ। କାରଣ ରୋମିଂ ଖର୍ଚର ଚିନ୍ତା ତାଙ୍କୁ ଘାରିବ। ଏବେ ଆମ୍ଭର ଅନ୍ୟ କିଛି ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ।

(୧) ସୀମାବର୍ତୀ ଅଂଚଳର ଲୋକମାନଙ୍କ ପାଇଁ କେବଳ ବିଏସ୍‌ଏନ୍‌ଏଲ୍‌ ଭରସା। ଓଡ଼ିଶାର ଦନ୍ତୁରିତ ସୀମାରେ ଯାତାୟତ କରୁଥିବା ମୋବାଇଲ ଗ୍ରାହକମାନେ ଅନ୍ୟ ରାଜ୍ୟର ସଂକେତ ପରିସରକୁ ଗଲେ ରୋମିଂ ବାବଦରେ ଗଣିବେ। କିନ୍ତୁ BSNL ନଂବର ହୋଇଥିଲେ, ଚିନ୍ତା ନାହିଁ। କାରଣ ରୋମିଂ ଇନ୍‌କମିଂ ପୂରାପୂରି ମାଗଣା।

(୨) ଯେଉଁମାନେ ନିରନ୍ତର ଭାବେ ଏ ରାଜ୍ୟ ସେ ରାଜ୍ୟ ବୁଲୁଛନ୍ତି। ସେମାନେ ସେମିତି ଗତାନୁଗତିକ ଭାବେ ରୋମିଂ ଫ୍ରି ପ୍ୟାକ୍‌ ସକ୍ରିୟ କରି ରଖିବେ। କାରଣ ଗୋଟିଏ ରାଜ୍ୟରେ ସେ କ’ଣ ସ୍ଥିର ହୋଇ ରହିବେ କି? ଯଦି ରହିବେ, ତାହା ମୋବାଇଲ ଫୋନ୍‌ କ’ଣ? 

(୩) ଯଦି ଭୁବନେଶ୍ଵରରେ ମୋବାଇଲ ନମ୍ବର ନେଇଥିବା ବ୍ୟକ୍ତି କିଛି ବର୍ଷ ପରେ ରାୟପୁର ଯାଆନ୍ତି, ତେବେ ସେ ତାହାକୁ ଛତିଶଗଡ଼ ସର୍କଲର ନମ୍ବର କରିପାରିବେ। ନୂଆ ନମ୍ବର ନେବା ଦରକାର ହେବ ନାହିଁ। କେବଳ ଏତିକି ସୁବିଧା ହେବ ନୂଆ ବ୍ୟବସ୍ଥାରେ।

(୪) ଉପଭୋକ୍ତାମାନଙ୍କ ଦାବି ଥିଲା, One Nation, One Number. ଅର୍ଥାତ୍‌ ଦେଶର ଯୁଆଡ଼େ ଗଲେ ବି କଲ୍‌ ଗ୍ରହଣ କରିପାରିବେ, ଅନ୍ୟକୁ କଲ୍‌ ପାରିବେ, ଠିକ୍‌ ନିଜ ରାଜ୍ୟରେ ଯେମିତି କରୁଥିଲେ ଏବଂ ଯେତିକି ଖର୍ଚ କରୁଥିଲେ। କିନ୍ତୁ ଆଜିଠାରୁ ପ୍ରଚଳିତ NMNP ଉପଭୋକ୍ତାଙ୍କ ପାଇଁ ଏକ ଅତିରିକ୍ତ ବୋଝ। କାରଣ ସେମାନଙ୍କୁ ପୁଣି ସେମିତି ଦୁଇଟି ସିମ୍‌ ରଖି ଏ ରାଜ୍ୟରୁ ସେ ରାଜ୍ୟ ଭ୍ରମଣଶୀଳ ହେବାକୁ ପଡ଼ିବ। 

(୫) ପ୍ରାଇଭେଟ୍‌ ଟେଲିକମ୍‌ ଅପରେଟରମାନେ ପ୍ରତି ସର୍କଲରେ ଅଲଗା ଅଲଗା କମ୍ପାନୀ ଗଢ଼ାଇ ଆପାତତଃ ଶେୟାର ଆଧାରରେ ବେପାରକୁ ଟେକି ଦେଇଛନ୍ତି। ତେଣୁ ପୂରାପୂରି ଅଲଗା ଅଲଗା ଲାଭ ହିସାବ ହେଉଛି।ଏହି କାରଣରୁ ସାରା ଦେଶକୁ ଗୋଟିଏ ସର୍କଲ ପ୍ରସ୍ତାବରେ ରାଜି ହେଉ ନାହାନ୍ତି।

(୬) ସବୁ ଅପରେଟର ଯଦି ବିନା ସର୍ତରେ ରୋମିଂ ଇନ୍‌କମିଂ ମାଗଣା ଲାଗୁ କରିବେ, ତେବେ ସବୁଠୁ ବଡ଼ ସମସ୍ୟାର ସମାଧାନ ହେବ। ଅଣ-ବିଏସ୍‌ଏନ୍‌ଏଲ୍‌ ନମ୍ବରଧାରୀମାନେ ଆଉ ରୋମିଂରେ ଥିବା ବେଳେ କଲ୍‌ ଗ୍ରହଣ କରିବାକୁ ଡରିବେ ନାହିଁ କି ନିଜ ମୋବାଇଲ୍ ପରଦାରେ ଇନ୍‌କମିଂ କଲ୍‌ ଦେଖି ଆଉ ତାହାକୁ କାଟି ପକାଇବେ ନାହିଁ।