03 जून 2015

ନମ୍ବର ପୋର୍ଟେବିଲିଟିର ନୂଆ ପ୍ରତିଶୃତି

ନୂଆ କେନ୍ଦ୍ର ସରକାର ଡିସେମ୍ବର ୨୦୧୪ରେ ଘୋଷଣା କରିଥିଲେ, ସଂପୂର୍ଣ ମୋବାଇଲ ନମ୍ବର ପୋର୍ଟେବିଲିଟି ବା ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ ପୋର୍ଟେବିଲିଟି ସୁବିଧା ଲାଗୁ ହେବ ମେ ୨୦୧୫ରେ । ଅଥଚ ୨ ଜୁନ୍‍ ୨୦୧୫ରେ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଘୋଷଣା କଲେ ଯେ ଜୁଲାଇ ୨୦୧୫ରେ ଏହା ଲାଗୁ ହେବ । ମେ ମାସରେ ମନ୍ତ୍ରୀ ମହାଶୟଙ୍କୁ ଆମ୍ଭେ ତିନିଥର ଟୁଇଟ୍‍ କରିସାରିବା ପରେ ମଧ୍ୟ କୌଣସି ଜବାବ ଦେଇ ନଥିଲେ । ଏଠାରେ ମନେ ପକାଇ ଦେବାକୁ ଚାହୁଁ ଯେ ଗତ ୟୁପିଏ ସରକାରର ମନ୍ତ୍ରୀ କପିଲ ସିବଲ ମଧ୍ୟ ୩ ଥର ଏଭଳି ପ୍ରତିଶୃତି ଦେଇ ବିଫଳ ହୋଇଥିଲେ । ଏହାର କାରଣ ହେଉଛି - ମୋବାଇଲ ଅପରେଟର ଆସୋସିଏସନ୍ ସବୁବେଳେ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍‌ଭ୍ରାନ୍ତ କରିଚାଲିଛି । ତେଣୁ ଏନ୍.ଡି.ଏ.-୨ ସରକାର ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିବା ନେଇ ତଥାପି ସନ୍ଦେହ ରହିଛି । କାରଣ ଜୁଲାଇ ମାସର କେତେ ତାରିଖରୁ କାର୍ଯ୍ୟକାରୀ ହେବ, ତାହା ପ୍ରକାଶ କରି ନାହାନ୍ତି । ୬ ମାସ ମଧ୍ୟରେ ମୋବାଇଲ ଅପରେଟରମାନେ ନିଜନିଜ ସଫ୍ଟୱେର ତଥା ଡାଟାବେସ୍‍କୁ ପ୍ରସ୍ତୁତ କରି ପାରିଲେ ନାହିଁ, ଏବେ କିଭଳି ମାସକ ମଧ୍ୟରେ ତାହା ସମ୍ଭବ କରିପାରିବେ?

ଜନସାଧାରଣଙ୍କର ଦାବି ଥିଲା ଦେଶବ୍ୟାପୀ ରୋମିଂମୁକ୍ତ ନିରନ୍ତର ଦୂରସଂଚାର ସେବା ହେବ ମୋବାଇଲଫୋନ୍ ଜରିଆରେ । ଅର୍ଥାତ୍‍ ଗୋଟିଏ ରାଷ୍ଟ୍ର, ଗୋଟିଏ ଦର । ଆଉ ଇନ୍‍କମିଂ କଲ୍‍ ମାଗଣା । କିନ୍ତୁ ତାହାକୁ ମୋବାଇଲ ଟେଲିକମ୍ ଅପରେଟରମାନେ କରାଇ ଦେଉ ନାହାନ୍ତି । ସ୍ପେକ୍ଟ୍ରମ୍ ବେପାର କାରଣରୁ ସରକାର କେବଳ ସେମାନଙ୍କ କଥାରେ ଥେଇଥେଇ ହେଉଛନ୍ତି । ଇ-ଗଭର୍ନାନ୍‌ସ୍‌, ଏମ୍-ଗଭର୍ନାନ୍‌ସ୍‌ ଓ ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ ନୀତି ଓ କାର୍ଯ୍ୟକ୍ରମ ତଥା ଶାସନ ସଂସ୍କାର ପାଇଁ ଜୀବନବ୍ୟାପୀ ପ୍ରତ୍ୟେକ ନାଗରିକଙ୍କର ଗୋଟିଏ ମୋବାଇଲ ନମ୍ବର ରହିବା ଜରୁରୀ । ବୋଧହୁଏ, ସରକାର ପୋଷିଥିବା ଉପଦେଷ୍ଟା ବା କନସଲଟାଣ୍ଟ୍‍ମାନଙ୍କର ଏହା ପ୍ରତି ଆଦୌ ନିଘା ନାହିଁ। ଏଣେ ଇଣ୍ଟରନେଟ୍ କନେକ୍ସନ୍ ନାମରେ ଅନେକ ଉପଭୋକ୍ତା ପ୍ରତି ୩ ମାସରେ ଗୋଟିଏ ଲେଖାଏଁ ସିମ୍ କାର୍ଡ଼ ଫୋପାଡ଼ୁଛନ୍ତି । ଢିଲା ନୀତିନିୟମ ଯୋଗୁ ଏଭଳି ହେଉଛି ଏବଂ ଏହା ଦ୍ୱାରା ଦେଶର ନିରାପତ୍ତା ମଧ୍ୟ ବିପନ୍ନ ହୋଇ ପଡୁଛି ।

ଦେଶକୁ ଯଦି ଗୋଟିଏ ଟେଲିକମ୍ ସର୍କଲରେ ପରିଣତ କରାଯାଇ ନପାରିବ, ତେବେ ଆମେ ଦେଶକୁ ଆଗକୁ ନେବା ମୁସ୍କିଲ ହୋଇ ପଡ଼ିବ । ଏଣେ ୪ଜି ଓ ୩ଜି ଜ୍ଞାନକୌଶଳ ହିଁ ଯୋଗାଯୋଗ କ୍ଷେତ୍ରରେ ଏକ ସରଳ ଓ ବୈପ୍ଳବିକ ସମାଧାନ ହୋଇପାରୁଥିବା ବେଳେ ୨ଜି ସ୍ପେକ୍ଟ୍ରମ୍ ଦୁର୍ନୀତିରୁ ଆଜି ପର୍ଯ୍ୟନ୍ତ ପରଦା ଉଠି ପାରୁନାହିଁ। ଦେଶରେ କେବଳ ୪ଜି ଓ ୩ଜି ହ୍ୟାଣ୍ଡସେଟ୍ ଉତ୍ପାଦନର ଆବଶ୍ୟକତା ଥିବା ବେଳେ ୨ଜି ହ୍ୟାଣ୍ଡସେଟ୍ ଉତ୍ପାଦନ ଉପରେ ସରକାର କୌଣସି ଅଙ୍କୁଶ ଲଗାଇନାହାନ୍ତି । ଡିଜିଟାଲ ଇଣ୍ଡିଆ ପାଇଁ ସ୍ୱପ୍ନ ଦେଖିଥିବା ଏନ୍‍ଡିଏ-୨ ସରକାର ଯଦି ଦୂରସଂଚାର କ୍ଷେତ୍ରକୁ ଅବହେଳା କରିବ, ତେବେ ବିଶ୍ୱସ୍ତରରେ ଭାରତ ଉପହସିତ ହେବ । ତେବେ ଜୁଲାଇ ମାସରେ ସଂପୂର୍ଣ ପୋର୍ଟେବିଲିଟି ଲାଗୁ ହେବା ତ ମିଛ, ତାହାକୁ ଅଗଷ୍ଟ ୧୫ ତାରିଖ ବୋଲି ଧରି ନେଇ ଦେଶବାସୀ ଅପେକ୍ଷା କରନ୍ତୁ ବୋଲି ଆମ୍ଭେ ଆକଳନ କରିପାରିବା । 

ଏନ୍‍.ଡି.ଏ.-୧ର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଜୟ ବିଜ୍ଞାନର ନାରା ଦେଇଥିଲେ; ଦେଖାଯାଉ ଏନ୍.ଡି.ଏ.-୨ ସରକାର ତାହାକୁ କିଭଳି ଆଗକୁ ନେଉଛି?

ବିମଳ ପ୍ରସାଦ, ଭ୍ରାମ୍ୟଭାଷ: 9937353293

कोई टिप्पणी नहीं:

एक टिप्पणी भेजें