05 जून 2015

୩ ବର୍ଷରେ ୨୫୦ ଆଦର୍ଶ ଗାଆଁ

୨୦୧୫ରୁ ପରବର୍ତୀ ୩ ବର୍ଷ ମଧ୍ୟରେ ରାୟଗଡ଼, କଳାହାଣ୍ଡି, କଂଧମାଳ ଜିଲ୍ଲାର ୫ଟି ବ୍ଲକ୍‌ ଅଧୀନରେ ଥିବା ୫୫୦ଟି ଗାଆଁର ୨୫ହଜାର ପରିବାରର ଜୀବନଧାରଣ ମାନରେ ପରିବର୍ତନ ଆସିବ। ତହିଁରୁ ୨୫୦ଟି ଗାଆଁକୁ ଆଦର୍ଶ ଗାଆଁରେ ପରିଣତ ଉଦ୍ଦେଶ୍ୟରେ South Odisha Initiative (ସାଉଥ୍‌ ଓଡ଼ିଶା ଇନିସିଏଟିଭ୍‌) କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଓ ଟାଟା ଟ୍ରଷ୍ଟ୍‌ସ୍‌ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ଵାକ୍ଷରିତ ହୋଇଛି।

ରାଜ୍ୟ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ବିଭାଗୀୟ ସଚିବ ଡିକେ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ଜୀବିକା ମିଶନ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଓ ଟାଟା ଟ୍ରଷ୍ଟ୍‌ସ୍‌ ସେକ୍ରେଟାରୀ ବି.ଏସ୍‌. ତାରାପୋରୱାଲାଙ୍କ ମଧ୍ୟରେ MoU ସ୍ଵାକ୍ଷରିତ ହୋଇଛି। ଏ ଅବସରରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ସମେତ ଦାରିଦ୍ର୍ୟ ଦୂରୀକରଣ, କର୍ମନିଯୁକ୍ତି ସୃଷ୍ଟି ଓ ତୃଣମୂଳ ସ୍ତରର ଲୋକମାନଙ୍କୁ ସୁଦୃଢ଼ କରିବାକୁ ସରକାର ବହୁ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ଏହି ସାଉଥ୍‌ ଓଡ଼ିଶା ଇନିସିଏଟିଭ୍‌ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବ। ଶ୍ରୀ ତାରାପୋରୱାଲା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପାଇଁ ତାଙ୍କ ସଂସ୍ଥା ୧୦୫ କୋଟି ଟଙ୍କା ବିନିଯୋଗ କରିବ। ୩ ବର୍ଷ ପାଇଁ ହୋଇଥିବା MoU ମାଧ୍ୟମରେ ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ଓ ବିଷମକଟକ, କଳାହାଣ୍ଡି ଜିଲ୍ଲାର ଲାଂଜିଗଡ଼ ଓ ଥୁଆମୂଳରାମପୁର ଏବଂ କଂଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ୍‌ର ୫୫୦ ଗାଆଁର ୨୫,୦୦୦ ପରିବାର ଉପକୃତ ହେବେ। ସେମାନଙ୍କୁ ଶିକ୍ଷା ବିଶୁଦ୍ଧ ପିଇବାପାଣି, ସ୍ଵାସ୍ଥ୍ୟ ସେବା ଓ ଉନ୍ନତ ପରିମଳ ସୁବିଧା ଯୋଗାଇ ଦିଆଯିବ। ଏହି ପରିବାରଗୁଡ଼ିକର ବାର୍ଷିକ ଆୟକୁ ପ୍ରାୟ ୩ ଗୁଣ ବୃଦ୍ଧି କରାଯାଇ ବାର୍ଷିକ ହାରାହାରି ୭୫,୦୦୦ ଟଙ୍କାରେ ପହଞ୍ଚାଯିବ। ଏବେ ସେମାନଙ୍କ ଆୟ ବାର୍ଷିକ ହାରାହାରି ୨୯,୦୦୦ ଟଙ୍କା ରହିଛି। ଏହା ବ୍ୟତୀତ ୨୫୦ଟି ଗାଆଁକୁ ଆଦର୍ଶ ଗାଆଁରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୁଝାମଣାପତ୍ର ସ୍ଵାକ୍ଷର ସଭାରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଟ୍ରଷ୍ଟ୍‌ସ୍‌ର ସହକାରୀ ନିର୍ଦେଶକ ବିଶ୍ଵନାଥ ସିହ୍ନା, ଆଞ୍ଚଳିକ ମ୍ୟାନେଜର ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
(ସୌଜନ୍ୟ: ପ୍ରମେୟ, ୪ ଜୁନ୍‌ ୨୦୧୫,  ଗୁରୁବାର)

कोई टिप्पणी नहीं:

एक टिप्पणी भेजें