05 मई 2015

ଆରପାରିରେ ଶ୍ରମିକ ଯୋଗୀ

ଚାଲିଗଲେ ଶ୍ରମିକ ଯୋଗୀ। ମାତ୍ର ୭୫ ବର୍ଷ ବୟସରେ ସେ ଆରପାରିରେ। ନୟାଗଡ଼ ଜିଲ୍ଲାର କେଶରପୁର ଗାଆଁରେ ଲଣ୍ଡା ହୋଇଯାଇଥିବା ମୁଣ୍ଡିଆ (ଖୋର୍ଧା, ନୟାଗଡ଼, ପୁରୀ ଅଞ୍ଚଳରେ ‘ପାହାଡ଼’କୁ ଲୋକେ ‘ମୁଣ୍ଡିଆ’ କହନ୍ତି)କୁ ପୁଣି ସବୁଜିମାରେ ଭରି ଦେବାରେ ଯେଉଁମାନେ ନେତୃତ୍ଵ ନେଇଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ ଶ୍ରମିକ ଯୋଗୀ। ଯାହାଙ୍କର ଅସଲ ନାମ ହେଉଛି ଯୋଗିନାଥ ସାହୁବୃକ୍ଷ ଓ ଜୀବର ବଂଧୁ ପରିଷଦ ନାମକ ଏକ ସଂଗଠନ ଜରିଆରେ ସେ ସାଥୀମାନଙ୍କ ସହିତ ବନସୁରକ୍ଷାର ବାର୍ତା ପ୍ରଚାରରେ ବ୍ରତୀ ଥିଲେ। ବନ ସୁରକ୍ଷା ପାଇଁ ଓଡ଼ିଶାର ପାରମ୍ପରିକ ସୂତ୍ର ‘ଠେଙ୍ଗାପାଳି’କୁ ପୁନଃ ଜୀବନ୍ୟାସ ଦେଇଥିଲେ ଶ୍ରମିକ ଯୋଗୀ ଓ ସାଥୀମାନେ। ଯାହାକୁ ଏବେ ରାଜ୍ୟର ୧୨ହଜାର ଗାଆଁର ଲୋକମାନେ ଅନୁସରଣ କରି ବନ୍ୟସଂପଦର ପୁନରୁଦ୍ଧାର କରି ପାରିଛନ୍ତି। ଏକଦା ଦେଶବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିଲେ ଏହି ବୁଦ୍ଧଗ୍ରାମ କେଶରପୁରକୁ ନୂଆ ଜଙ୍ଗଲ ଦେଖିବା ପାଇଁ। ଆଉ ଭଳିକି ଭଳି ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ଶୁଣିବା ପାଇଁ।

ସ୍ଵର୍ଗତ ଶ୍ରମିକ ଯୋଗୀ ଥିଲେ ଜଣେ ସେବାନିବୃତ୍ତ ଶିକ୍ଷକ। ହଠାତ୍‌ ତାଙ୍କ ହୃତ୍‌କ୍ରିୟାରେ ସମସ୍ୟା ଉପୁଜିବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହାସପାତାଳରେ ଭର୍ତି କରାଯାଇଥିଲା। ୪ ମେ ୨୦୧୫ ସୋମବାର ପୂର୍ବାହ୍ଣ ୧୧ଟା ୩୦ ମିନିଟ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜୀବିତ ଥିବା ବେଳେ ସମ୍ମାନ ତ ଦେଇ ପାରି ନାହେଁ। ଅନ୍ତତଃ ଓଡ଼ିଶାରେ ବନସୁରକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି ନେତାଙ୍କ ଅନ୍ତେ ଓଡ଼ିଶା ରାଜ୍ୟ ବନ ଓ ପରିବେଶ ବିଭାଗ ତାଙ୍କ ସ୍ମୃତିରେ କିଛି କାର୍ଯ୍ୟକ୍ରମ ଜାରି କରିବେ ବୋଲି ଆମ୍ଭେ ପ୍ରସ୍ତାବ ଦେଉଛୁ।

कोई टिप्पणी नहीं:

एक टिप्पणी भेजें