Saturday, May 30, 2015

ଚିଟ୍‌ଫଣ୍ଡ୍‌ ମହାଠକେଇ ଓ ତଦନ୍ତର ଖିଅ

ଠକ ଚିଟ୍‌ଫଣ୍ଡ୍‌ ସଂସ୍ଥାମାନଙ୍କ ଠାରୁ ନିଜ ଧନ ଫେରିପାଇବାକୁ ଆଶା ବାଂଧି ବସିଥିବା ଲକ୍ଷଲକ୍ଷ ଜମାକାରୀଙ୍କ ମଧ୍ୟରୁ ଅନେକଙ୍କ ସତ୍ୟପାଠ(Affidavit)କୁ ଚିଟ୍‌ଫଣ୍ଡ୍‌ ତଦନ୍ତ ଆୟୋଗ ଗ୍ରହଣ କରି ନାହାନ୍ତି। ଏହା ଜମାକାରୀମାନଙ୍କୁ ଜଣା ନାହିଁ। ଲକ୍ଷାଧିକ ସତ୍ୟପାଠ ଇତି ମଧ୍ୟ​‌ରେ ନାକଚ ହୋଇ ଗଲାଣି। ସେଗୁଡ଼ିକ ଆଉ ଶୁଣାଣି ପ୍ରକ୍ରିୟାକୁ ଆସିପାରିବ ନାହିଁ। ପ୍ରାଥମିକ ଯାଞ୍ଚ ବେଳେ ତହିଁରୁ ଅନେକ ସତ୍ୟପାଠ, ଆଇନ ଅନୁସାରେ ନାକଚ ହେବାରୁ ମୂଳ ସତ୍ୟପାଠ ବିଡ଼ାରୁ ସେଗୁଡ଼ିକୁ ବାହାର କରି ଦିଆଯାଇଛି। ଆଇନ ଅନୁଯାୟୀ ସତ୍ୟପାଠ ଶ୍ରେଣୀଭୁକ୍ତ ହେଉନଥିବା ବା ଭୁଲ୍‌ଭଟକା ଥିବା ସତ୍ୟପାଠକୁ ଆୟୋଗ ଗ୍ରହଣ କରିପାରିବେ ନାହିଁ। 

ଖାରଜ ହୋଇଯାଇଥିବା କିଛି ସତ୍ୟପାଠରେ ଆବେଦନକାରୀଙ୍କ ଦସ୍ତଖତ ନାହିଁ। ଆଉ କିଛି କେବଳ ସାଦାକାଗଜରେ ୩ଟଙ୍କିଆ ଷ୍ଟାଂପ୍‌ପେପରରେ ଲେଖାଯାଇଛି, ଅଥଚ ସତ୍ୟପାଠ ହୋଇନାହିଁ। କିଛି ସତ୍ୟପାଠରେ ଠକେଇ ହୋଇଥିବା ଧନର ପରିମାଣ ଲେଖା ନାହିଁ। କେତେକରେ ଚିଟ୍‌ଫଣ୍ଡ୍‌ ସଂସ୍ଥାର ନାମ ସୁଦ୍ଧା ନାହିଁ। କିଛି ଆବେଦନକାରୀ ନି​‌ଜେ କେତେ ଧନ ବିନିଯୋଗ କରିଛନ୍ତି, ତାହା ଲେଖି ନାହାନ୍ତି। କିନ୍ତୁ ପରିପକ୍ଵତା ପରେ କେତେ ପାଇଥାଆନ୍ତେ, ସେହି ପରିମାଣ ଲେଖିଛନ୍ତି। କିଛି ସତ୍ୟପାଠରେ ଠକେଇ ସଂପର୍କରେ କୌଣସି ବିବରଣୀ ଓ ରେକର୍ଡ଼ ନାହିଁ। କିଛି ସତ୍ୟପାଠରେ ନାମ, ଠିକଣା, ବିବରଣୀ ସୁଦ୍ଧା ଠିକ୍‌ ଭାବେ ଦିଆଯାଇନାହିଁ।

ଆୟୋଗଙ୍କ ବିଚାର ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ଏହି ଜମାକାରୀମାନେ କିଭଳି ନ୍ୟାୟ ପାଇବେ, କେମିତି ଫେରିପାଇବେ ସେମାନଙ୍କ ଟଙ୍କା, ଏଥିନେଇ ଆଶଙ୍କା ଉପୁଜିଛି। ଚିଟ୍‌ଫଣ୍ଡ୍‌ରେ ନିବେଶ କରି ସର୍ବସ୍ଵାନ୍ତ ହୋଇଥିବା ଅନେକ ବ୍ୟକ୍ତି ସତ୍ୟପାଠ ଦାଖଲର ବିଧି ବାବଦରେ ଗୋଟାପଣେ ଅଜ୍ଞ। ସତ୍ୟପାଠ ଦାଖଲର ବିଧିବିଧାନ ଉପରେ ବାରଂବାର ବିଜ୍ଞପ୍ତି ଜାରି ପରେ ମଧ୍ୟ ଅନେକେ ଠିକ୍‌ ଢଙ୍ଗରେ ତଥ୍ୟ ଦେଇ ନାହାନ୍ତି। ତେଣୁ ଠିକ୍‌ରେ ସତ୍ୟପାଠ ଦାଖଲ ହୋଇପାରି ନାହିଁ। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ସରକାର ଓ ଆୟୋଗ କି ପ୍ରକାର ନିଷ୍ପତ୍ତି ନେବେ, ତାହା ପ୍ରଶ୍ନବାଚୀ ହୋଇଯାଇଛି।

ଚିଟ୍‌ଫଣ୍ଡ୍‌ ତଦନ୍ତ ଆୟୋଗଙ୍କ ପାଖରେ ସତ୍ୟପାଠ ଦାଖଲର ନିର୍ଧାରିତ ସମୟ ଥିଲା ୫ ଅଗଷ୍ଟ ୨୦୧୩ରୁ ୩୧ ଅକ୍ଟୋବର ୨୦୧୩। ଆଉ ଏହି ସମୟ ଭିତରେ ୧୦ ଲକ୍ଷରୁ ଅଧିକ ସତ୍ୟପାଠ ଆସିଥିଲା। ଦାଖଲ ଅବଧି ସରିବା ପରେ ବି ପ୍ରତିଦିନ ସତ୍ୟପାଠ ଆସୁଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆସିଥିବା ସତ୍ୟପାଠର ଗଣତି ସରିବାକୁ ଯାଉଛି। ସେଗୁଡ଼ିକର କଂପ୍ୟୁଟରୀକରଣ ମଧ୍ୟ ଆରମ୍ଭ ହୋଇଛି। ୫ ଅଗଷ୍ଟ ୨୦୧୩ରୁ ୧୭ ସେପ୍ଟେମ୍ବର ୨୦୧୩ ପର୍ଯ୍ୟନ୍ତ ପ୍ରାୟ ୪ ଲକ୍ଷ ବୈଧ ସତ୍ୟପାଠର କଂପ୍ୟୁଟର ସ୍କାନିଂ ସରିଛି। ଏହା ପରେ ଡାଟା ଏଣ୍ଟ୍ରି ହୋଇ ଜମାକାରୀ ବର୍ଗୀକରଣ, କମ୍ପାନୀ ବର୍ଗୀକରଣ ହେବ ଏବଂ ବିଧିବଦ୍ଧ ଶୁଣାଣି କରାଯିବ। କେବଳ ଅକ୍ଟୋବର ମାସରେ ଡାକରେ ଆସିଥିବା ସତ୍ୟପାଠଗୁଡ଼ିକର ଗଣତି ହେବା ବାକି ରହିଛି। ଆଉ ଏହି ଯାଞ୍ଚ ଓ ଗଣତି ଭିତରେ ହିଁ ଅଯୋଗ୍ୟ ସତ୍ୟପାଠକୁ ବାଦ୍‌ ଦିଆଯାଇଛି। 

ଚିଟ୍‌ଫଣ୍ଡ୍‌ ସଂସ୍ଥା ଦ୍ଵାରା ଲକ୍ଷଲକ୍ଷ ଜମାକାରୀ ସର୍ବସ୍ଵାନ୍ତ ହୋଇ ରାଜରାସ୍ତାକୁ ଆସିବା ପରେ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ୨୦୧୩ ଜୁଲାଇରେ ନିଷ୍ପତ୍ତି ନେଇଥିଲେ। ୯ ଜୁଲାଇ ୨୦୧୩ରେ ଜଷ୍ଟିସ୍‌ ରାଧାକୃଷ୍ଣ ପାତ୍ରଙ୍କ ଅକ୍ଷ୍ୟକ୍ଷତାରେ ରାଜ୍ୟ ସରକାର ବସାଇଥିବା ଚିଟ୍‌ଫଣ୍ଡ୍‌ ତଦନ୍ତ ଆୟୋଗ ୫ ଅଗଷ୍ଟ ୨୦୧୩ରୁ କାର୍ଯ୍ୟାରମ୍ଭ କରିଥିଲେ। ଚାରି ପର୍ଯ୍ୟାୟରେ ଏହି ଆୟୋଗ, ସତ୍ୟପାଠ ଦାଖଲର ଅବଧି ବଢ଼ାଇଥିଲେ। ପ୍ରଥମେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ ପାଇଁ ଜମାକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ପରେ ଏହି ଅବଧି କ୍ରମେ ସେପ୍ଟେମ୍ବର ୮ ଓ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିଲା। ଶେଷରେ ଡାକଦ୍ଵାରା ସତ୍ୟପାଠ ଗ୍ରହଣ ଅବଧି ୩୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ବଢ଼ା ଯାଇଥିଲା।

ଜଷ୍ଟିସ୍‌ ରାଧାକୃଷ୍ଣ ପାତ୍ରଙ୍କ ଅନ୍ତେ ଆୟୋଗର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।  ୪ ଫେବୃଆରି ୨୦୧୫ରେ ଅଧ୍ୟକ୍ଷ ଦାୟିତ୍ଵ ନେଇଥିବା ଜଷ୍ଟିସ୍ ମଦନମୋହନ ଦାସ କହିଛନ୍ତି ଯେ ଯୋଗ୍ୟ ବିବେଚିତ ସତ୍ୟପାଠଗୁଡ଼ିକର ଏବେ କଂପ୍ୟୁଟରୀକରଣ ଚାଲିଛି। ଖାରଜ ହୋଇଥିବା ସତ୍ୟପାଠର ପୁନଃଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ସେସବୁର ଦାଖଲକାରୀ/ଜମାକାରୀଙ୍କୁ ତ୍ରୁଟି ସୁଧାରିବା ପାଇଁ ପୁଣି ସୁଯୋଗ ଦିଆଯାଇପାରେ। ତେବେ ଯେଉଁ ସତ୍ୟପାଠରେ ନାମ ନାହିଁ ବା ଠକେଇ ସଂକ୍ରାନ୍ତ ବିବରଣୀ ନାହିଁ, ସେଭଳି ସତ୍ୟପାଠକୁ ଗ୍ରହଣ କରାଯାଇପାରିବ ନାହିଁ। ବାତିଲ ହୋଇଥିବା ସତ୍ୟପାଠର ଜମାକାରୀମାନେ ହୁଏତ ଦ୍ଵିତୀୟ ଥର ଆବେଦନ କରି ଥାଇ ପାରନ୍ତି।

ଖୁବ୍‌ ଶୀଘ୍ର ଚିଟ୍‌ ଫଣ୍ଡ୍‌ ତଦନ୍ତ ଆୟୋଗଙ୍କର ଏକ ସ୍ଵତନ୍ତ୍ର ​‌ୱେବ୍‌ସାଇଟ୍‌ ଖୋଲାଯିବ। ଏଥିରେ ଆୟୋଗଙ୍କ କାର୍ଯ୍ୟ ବିବରଣୀ, ଜମାକାରୀଙ୍କ ପାଇଁ ସୂଚନା, ବିଜ୍ଞପ୍ତି, ଜମାକାରୀଙ୍କ ନାମ ତାଲିକା, ବିଭିନ୍ନ ଜରୁରୀ ନୋଟିସ୍‌ ଇତ୍ୟାଦି ପ୍ରକାଶ ପାଇବ। ତେବେ ଏହି ​‌ୱେବ୍‌ସାଇଟ୍‌ ଓଡ଼ିଆରେ ହେବ କି ଗତାନୁଗତିକ ଭାବେ ଇଂଲିଶ୍‌ରେ ହେବ, ସେହି ସଂକ୍ରାନ୍ତରେ କୌଣସି ସୂଚନା ମିଳି ନାହିଁ।

(ଏହାର ମୂଳ ରିପୋର୍ଟ ୨୯ ମେ ୨୦୧୫, ଶନିବାରର ପ୍ରମେୟ, ଭୁବନେଶ୍ଵର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା)

Friday, May 29, 2015

ଜେଲ୍‌ରେ ଥିବା ଚିଟ୍‌ଫଣ୍ଡ ଲୁଟେରାଙ୍କୁ ପତ୍ନୀଙ୍କ ଚିଠି

ପ୍ରିୟତମ,

ଦୂରରେ ଥାଇ ତୁମକୁ ପ୍ରଣାମ ଜଣାଉଛି। ଜେଲଖାନାରୁ ତୁମେ ଲେଖିଥିବା ଚିଠି ପାଇଛି। ତା’ପୂର୍ବରୁ ଟେଲିଭିଜନ ପରଦାରେ ତୁମକୁ ଦେଖି ବେଶ୍‌ ଖୁସି ହୋଇଥିଲି। ସେଦିନ ତୁମକୁ କାରାଗାରରୁ କଚେରିକୁ ଅଣାଯାଇଥିଲା। ଶେର୍‌ୱାନି ପିନ୍ଧି ତୁମେ ଖୁବ୍‌ ସୁନ୍ଦର ଦିଶୁଥିଲ; ଠିକ୍‌ ଜ୍ୱାଇଁପୁଅ ଭଳି। ତୁମ ମୁଖମଣ୍ଡଳରେ ହତାଶା ବା ବ୍ୟସ୍ତତାର ଲେଶମାତ୍ର ଚିହ୍ନ ନଥିଲା। ଶାସ୍ତ୍ରାନୁସାରେ ଦୁଃଖ ଆସିଲେ ବି ଯେଉଁ ବ୍ୟକ୍ତିଙ୍କ ମନରେ ଉଦ୍‌ବେଗ ଜାତ ହୁଏ ନାହିଁ, ତାଙ୍କୁ ସ୍ଥିରବୁଦ୍ଧି କୁହାଯାଏ। ଶାସ୍ତ୍ରର ଏହି ମହାନ୍‌ ଉକ୍ତି ତୁମଠାରେ ପ୍ରତିଫଳିତ ହୋଇଥିବା ସେଦିନ ଲକ୍ଷ୍ୟ କରିଥିଲି।

ତା’ପରେ ଖବରକାଗଜରୁ ପଢ଼ିଲି ଯେ ତୁମେ ବାହାରେ ଯେମିତି ଥିଲ, ଭିତରେ ବି ସେମିତି ଅଛ। ତୁମ ପାଇଁ ଜେଲ୍‌ଖାନାରେ ଅଲଗା ରୋଷେଇ ହେଉଛି। ତୁମର ପ୍ରିୟ ସିଗାରେଟ୍‌ ବି ତୁମକୁ ମିଳି ଯାଉଛି। ଏସବୁ ଜାଣି ଭାରୀ ଖୁସି ହେଲି। ମୋ’ରାଣ, ଆମ ପାଇଁ ଆଦୌ ବ୍ୟସ୍ତ ହେବ ନାହିଁ। ତୁମେତ ଆମ ପାଇଁ ଅମାପ ସମ୍ପତ୍ତି ରଖି ଦେଇଛ। ବସି ଖାଇଲେ ନଈବାଲି ସିନା ସରିଯିବ, ମାତ୍ର ତୁମେ ରଖିଥିବା ଅମାପ ଧନ ସରିବ ନାହିଁ। ଖାଲି ଆମେ ନୁହେଁ, ଆମର ଆଗାମୀ ତିନି ପିଢ଼ି ବସି ଶୋଇ ଚଳିଯିବେ। ତୁମର ପୁଅ ତ ତୁମ ଠାରୁ ବେଶି ପାରଙ୍ଗମ ହୋଇ ଯାଇଛି। ଲୋକମାନେ କହୁଛନ୍ତି ବାପ୍‌ ସେ ଜ୍ୟାଦା
ବେଟା

ଦିନେ ତୁମେ ସୁଖରେ ବୁଡ଼ି ରହିଥିଲ। ଜନତାଙ୍କ ପଇସାରେ ତାରକା ହୋଟେଲରେ ଖାଉଥିଲ। ଉଡାଜାହାଜରେ ବିଦେଶ ବୁଲୁଥିଲ। ବାର୍‌ରେ ସୁନ୍ଦରୀମାନଙ୍କୁ ଆଣି ନଚାଉଥିଲ। ଆଜି ଏସବୁରେ ଅବଶ୍ୟ ବାଧା ଦେଖା ଦେଇଛି। ମାତ୍ର ଏ ଅବସ୍ଥା ଚୀରଦିନ ପାଇଁ ରହିବ ନାହିଁ। ଆଜି ନହେଲେ, କାଲି ତୁମକୁ ନିଶ୍ଚୟ ଜାମିନ ମିଳିଯିବ। କାରଣ ଆମ ଦେଶରେ ଜାମିନ ହେଉଛି ବିଧି ଓ ଜେଲ୍‌ ହେଉଛି ବ୍ୟତିକ୍ରମ। ଥରେ ଜାମିନ ପାଇଗଲେ କଥା ସରିଯିବ। ମାମଲା ତା’ ବାଟରେ ଚାଲିଥିବ। ବର୍ଷ ପରେ ବର୍ଷ ବିତିଯିବ। ଆମ ଜୀବଦ୍ଦଶାରେ ମାମଲା ସରିବ ନାହିଁ।

ଜନତାଙ୍କ ଠାରୁ ଝୁଣିଥିବା ଟଙ୍କା ତୁମେ ତ ଏକା ଖାଇ ଯାଇ ନାହଁ। ବଦାନ୍ୟ ଚିତ୍ତରେ ତୁମେ ଏହାର ସିଂହଭାଗ ରାଜନ୍ୟବର୍ଗଙ୍କ ମଧ୍ୟରେ ବଣ୍ଟନ କରିଛ। ସେଥିଲାଗି ତ ସେମାନେ ଏବେ ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି। ଜନତାଙ୍କ ଠାରୁ ଟିକସ ଆକାରରେ ଆସିଥିବା ଅର୍ଥରେ ଏହି ପାଣ୍ଠି କରାଯାଇଛି। ତୁମେ ସେମାନଙ୍କ ଠାରୁ ଲୁଟିଥିବା ଟଙ୍କା ଏହି ପାଣ୍ଠିରୁ ହିଁ ଭରଣା କରାଯିବ ବୋଲି କୁହାଯାଉଛି। ଚମତ୍କାର ପନ୍ଥା!

ହଇହେ, ମୋତେ ବାହା ହେଲା ପରେ ହିଁ ତୁମ ଭାଗ୍ୟ ବଦଳିଥିଲା। ତୁମ ଘରକୁ ଅର୍ଥର ସ୍ରୋତ ଛୁଟିଥିଲା।
‘ଅର୍ଥ’ର ପ୍ରାଚୁର୍ଯ୍ୟ ତୁମକୁ ଅବଶ୍ୟ ‘ଅନ୍ୟ’ ଦିଗକୁ ଟାଣି ନେଇଥିଲା। ସେ ପ୍ରବୃତ୍ତିର ଚରିତାର୍ଥ ପାଇଁ ତୁମେ..... ହଉ ଛାଡ଼, ସେ ଲାଜର କଥା। ଜେଲ୍‌ଖାନାରୁ ମୁକୁଳିବା ପରେ ମୁଁ କିନ୍ତୁ ତୁମକୁ ଏକ ପ୍ରସିଦ୍ଧ ଆଶ୍ରମକୁ ପଠାଇଦେବି। ସେଠାରେ ରହି ତୁମେ ଖାଲି ଧର୍ମ ଅର୍ଜନ କରିବ। ଶେଷରେ ଧର୍ମ, ଅର୍ଥ, ଓ କାମ ତୁମକୁ ମୋକ୍ଷ ପଥରେ ନେଇଯିବ। ମୁଁ ତୁମକୁ ବହୁତ ଭଲ ପାଏ। ତେଣୁ ତୁମ ପାଇଁ ଏତକ ନିଶ୍ଚୟ କରିବି।

ତୁମ ଯୋଗୁଁ ସାରା ଜୀବନର କଷ୍ଟଲବ୍ଧ ସଂଚିତ ଧନକୁ ହରାଇଥିବା ସାଧାରଣ ଲୋକର ଆଖିର ଲୁହ କିନ୍ତୁ ବ୍ୟର୍ଥ ଯିବ ନାହିଁ। ତୁମେ ଲୁଟିଥିବା ଧନକୁ ଫେରି ପାଇବା ପାଇଁ ସେମାନେ ଚଳାଇଥିବା ସଂଗ୍ରାମ ଅବଶ୍ୟ ଫଳପ୍ରସୂ ହେବ। ରାଜା ଗାଦିଚ୍ୟୁତ ହେବେ ଓ ଗାଦିଚ୍ୟୁତ ହୋଇ ସେ ଦେଶାନ୍ତର ଗମନ କରିବେ। ପାରିଷଦବୃନ୍ଦ ପାତାଳରେ ପଶିବେ। ସେଥିରେ ଅବଶ୍ୟ ଆମର ଯାଏ କେତେ, ଆସେ କେତେ?


(ଇତି)
ତୁମ ଆଦରର
ମୁଁ



ଲେଖକ: ଡକ୍ଟର ନାରାୟଣ ମହାନ୍ତି, drnarayanmohanty@gmail.com 
(ସୌଜନ୍ୟ: ସମ୍ବାଦ, ୮ ମେ ୨୦୧୫, ଶୁକ୍ରବାର, ମୂଳ ଶିରୋନାମା:- ଚିଟ୍‌ଫଣ୍ଡିଆ ନେତାଙ୍କୁ ପତ୍ନୀଙ୍କ ଚିଠି)

ନବକଳେବର ଓ ଓଡ଼ିଶାର ମହତ

ହୁଏତ ଆପଣମାନେ ମୋର ଗବେଷଣାତ୍ମକ ବ୍ଲଗ୍‌ http://bimalprasad.blogspot.in/2015/04/e-governance.html ପଢ଼ିଥିବେ। 

ଯଦି ପଢ଼ି ନାହାନ୍ତି, ଏଠାରେ ଏକ କଂଚା ଉଦାହରଣ ଦେଉଛି, ଟିକିଏ ପରଖି ନିଅନ୍ତୁ। କିଛି ଦିନ ହେଲା ନବକଳେବର websiteକୁ ଦେଖୁଛି। ହେଲେ ସେଥିରେ କୌଣସି ନୂଆ ବିଷୟ ଯୋଗ ହେଉ ନାହିଁ କି ମୂଳ ତ୍ରୁଟିଗୁଡ଼ିକ ସଜଡ଼ା ଯାଉ ନାହିଁ। ସେହି ସାଇଟ୍‌ର  http://www.nabakalebara.gov.in/contactus ଲିଙ୍କ୍‌ରୁ ତଳ କଂଟେଣ୍ଟ୍‌ ତକ ଆଣି ପେଷ୍ଟ କରିଛି। ସେଥିରେ କେତୋଟି ତ୍ରୁଟି ଅଛି ଦେଖନ୍ତୁ - 

Contact Us
Orissa Computer Application Centre
(Technical Directorate of I.T. Deptt, Govt. of Orissa) 
N-1/7-D, Acharya Vihar
P.O.- RRL, Bhubaneswar - 751013 
EPBX: 674-2567280/2567064/2567295/2588283
Fax: +91-674-2567842 
http://www.nabakalebar.in
E-mail ID: contact@nabakalebar.in

ତ୍ରୁଟିଗୁଡ଼ିକ:
୧. ଏବେ ବି Orissa ଲେଖା ହେଉଛି। ତାହା ପୁଣି ଦୁଇଥର ପ୍ରୟୋଗ ହୋଇଛି।
୨. 2588283 ଏହି ଫୋନ୍‌ ନମ୍ବରଟି କାହାରିକୁ ଦିଆଯାଇ ନାହିଁ, ତଥାପି Websiteରେ ଦିଆଯାଇଛି।
୩. ଫାକ୍ସ ନମ୍ବର ତଳେ ଯେଉଁ ଡୋମେନ୍‌ ନେମ୍‌ ଦିଆଯାଇଛି, ତାହାର କୌଣସି ଅର୍ଥ ନାହିଁ। ଅର୍ଥାତ୍‌ ତାହା(http://www.nabakalebar.in) ସକ୍ରିୟ ନାହିଁ।
୪. ସେହିଭଳି ଇମେଲ ଆଇଡି ମଧ୍ୟ ସକ୍ରିୟ ନାହିଁ। ଯାହାକି contact@nabakalebar.in ରୂପେ ଦର୍ଶାଯାଇଛି।
କେବଳ ୮ଟି ଠିକଣା ଧାଡ଼ିରେ ଏତେ ତ୍ରୁଟି। ପୂରା website କେତେ ଉପଯୋଗୀ ହୋଇଥିବ ଅନୁମାନ କରନ୍ତୁ। ଏହି ତ୍ରୁଟି ଦ୍ଵାରା ଆମ ରାଜ୍ୟ ଓଡ଼ିଶା, ବିଶ୍ଵ ଦରବାରରେ ଲଜ୍ଜିତ ହେଉ ନାହିଁ କି? ସରକାରୀ ସଂସ୍ଥା ଯଦି ସରକାରଙ୍କୁ ବଦ୍‌ନାମ୍‌ କରିବାକୁ କାର୍ଯ୍ୟ କରିବ, କାହାକୁ କହିବା? ସବୁଠୁ ଦୁଃଖଦ କଥାଟି ହେଲା, ସେହି websiteର ଓଡ଼ିଆ ବା ହିନ୍ଦୀ ରୂପ ନାହିଁ। 

୨୮ ମେ ୨୦୧୫ ଗୁରୁବାର ଦିନ ୧୨ଟା ବେଳେ ଆମ୍ଭେ ଟେଲିଫୋନ୍‌ କଲୁ ଉପରୋକ୍ତ ନମ୍ବରଗୁଡ଼ିକରେ। କିନ୍ତୁ କେବଳ ଜଣେ କନିଷ୍ଠ receptionist ଓ ଚପରାଶି ଫୋନ୍‌ ଧରିଲେ। କୌଣସି କିରାଣୀ ବା ଅଧିକାରୀ ଫୋନ୍‌ ଧରିଲେ ନାହିଁ। ତେଣୁ ଅସଲ ଅଧିକାରୀଙ୍କ ସହ କଥା ହୋଇ ପାରିଲୁ ନାହିଁ। ଆଗରୁ ମଧ୍ୟ ଅନ୍ୟ website ଦେଖି ଫୋନ୍‌ କରିଛୁ। କିନ୍ତୁ କୌଣସି ଅଧିକାରୀଙ୍କ ସହ କଥାବାର୍ତାର ସୁଯୋଗ ମିଳେ ନାହିଁ। ସମ୍ଭବତଃ ସାଧାରଣ ନାଗରିକଙ୍କ ସହ ଏହି ସଂସ୍ଥାର ଅଧିକାରୀମାନେ କଥା ହେବାକୁ ଡରୁଛନ୍ତି। 

ଏହି ଇମେଲ କେବେ ହେଲେ ମିଛରେ ପରିଣତ ହୋଇପାରିବ ନାହିଁ, ଅନ୍ତତଃ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ। କାରଣ ସରକାରୀ ଫାଇଲ୍‌ ଘୂରି ଘୂରି ଅନୁମୋଦନ ପାଇଲେ ହିଁ ଏଭଳି ପାଠର ଶୁଦ୍ଧିକରଣ ହୋଇପାରିବ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କ ସତ୍ୟପାଠଗୁଡ଼ିକର ଡାଟାବେସ୍‌ ମଧ୍ୟ ଏହି ସଂସ୍ଥା ଓକାକ୍‌ (OCAC) କରୁଛି। ହେଲେ ସେ ଠିକାରେ ଏକ ହାଇଦ୍ରାବାଦୀ ସଂସ୍ଥାକୁ କାମ ଧରେଇଛି। ଯାହାକି ୨୦୧୬ ଶେଷ ସୁଦ୍ଧା ହୁଏତ ପ୍ରଥମ draft ଡାଟାବେସ୍‌ ପ୍ରସ୍ତୁତ କରିବ।

ମନେ ଅଛି କି? ଏହି website ପାଇଁ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ୍‌ ନବୀନ ପଟ୍ଟନାୟକ ଯାଇ ଦିଲ୍ଲୀ ଦରବାରରେ ଗୁହାରିଆ ହୋଇଥିଲେ। ଏଭଳି ହେବାର କୌଣସି ଆବଶ୍ୟକତା ନଥିଲା। କାରଣ ଏଥିପାଇଁ କୌଣସି କେନ୍ଦ୍ରୀୟ ଅନୁଦାନ ଅନାବଶ୍ୟକ। ତେବେ ସେହି website କେତେ ଦକ୍ଷ ଓ ଉପାଦେୟ, ତାହାକୁ ଏବେ ଯାଂଚ କରନ୍ତୁ ଆପଣମାନେ।

କେତେ ଦିନ ଆଉ ଭାଗ୍ୟକୁ ଆଦରିକି ରହିବା? ମୁହଁ ଖୋଲି କହିଦେଲେ ଖରାପ ଭାବିବେ, ଆମ କ୍ୟାରିଅର ଖରାପ ହୋଇଯିବ - ଏମିତି ଆଶଙ୍କା କରି ଚୁପ୍‌ ବସିବା। 

ରେଳଗାଡି ଦୁର୍ଘଟଣାର ହିତ

ଜାମ୍ମୁ-ନୂଆଦିଲ୍ଲୀ-ମୁରୀ-ରାଉରକେଲା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହେବା ଦ୍ଵାରା ଏହାର ଏକ ପ୍ରକାର ବିଜ୍ଞାପନ ହୋଇଯାଇଛି। ମାନେ, ଏହାର ଲୋକପ୍ରିୟତା ଏଣିକି ବଢ଼ିବ। ପ୍ରାୟ ୨ ଦଶନ୍ଧି ତଳେ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସୁପରଫାଷ୍ଟ୍‌ ସେହି ଉତ୍ତରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଶହଶହ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ବହୁସଂଖ୍ୟକ ଓଡ଼ିଆ ଯାତ୍ରୀ ଥିଲେ। ତେବେ ସେହି ଦୁର୍ଘଟଣା ପରେ ପୁରୁଷୋତ୍ତମ ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ର ଦୈର୍ଘ୍ୟ ବଢ଼ିଲା। ମାନେ, ଲୋକପ୍ରିୟତା ବଢ଼ିବାରୁ ଯାତ୍ରୀସଂଖ୍ୟା ବଢ଼ିଲା। ଆପଣ ଦେଢ଼ମାସ ପୂର୍ବରୁ ଟିକେଟ୍‌ କାଟିଲେ ବି ଏହି ସୁପରଫାଷ୍ଟ୍‌ ଗାଡ଼ିରେ ବର୍ଥ ପାଇବା ନିଶ୍ଚିତ ନୁହେଁ। କିନ୍ତୁ ରାଉରକେଲା-ଜାମ୍ମୁ ଏକ୍ସପ୍ରେସ୍‌ ସବୁଦିନ ଫାଙ୍କା। ଦେଢ଼ଦିନ ଦିନ ପୂର୍ବରୁ ବି ନିଶ୍ଚିତ ବର୍ଥ ମିଳିବ ଅଗ୍ରୀମ ସଂରକ୍ଷିତ ଟିକେଟରେ। 

ଆଉ ଏକ କଥା ହେଲା, ଓଡ଼ିଶାରୁ ବାହାରୁଥିବା ଅନେକ ଟ୍ରେନ୍‌ର ନାମକରଣ ହୋଇନାହିଁ। ଅନ୍ୟ ରାଜ୍ୟରେ ଧାଉଁଥିବା ଟ୍ରେନ୍‌ଗୁଡ଼ିକର କିଭଳି ଝାକାସ୍‌ ଝାକାସ୍‌ ନାମ ସବୁ ରହିଛି, ମନେ ପକାନ୍ତୁ। ରାଉରକେଲାରୁ ବାହାରୁଥିବା ଏହି ଟ୍ରେନ୍‌ର ନାମ ଯଦି ବେଦବ୍ୟାସ ଏକ୍ସପ୍ରେସ୍‌ ରଖାଯାଆନ୍ତା, ବଢ଼ିଆ ହୁଅନ୍ତା।

ଗଣତନ୍ତ୍ରରେ ଗୋଲଟେବୁଲ୍‌ ଲୋଡ଼ା

୨୦୦ ବର୍ଷର ବ୍ରିଟିଶ ଶାସନ ପରେ ବି ଭାରତୀୟମାନେ ସେମାନଙ୍କ ଠାରୁ ଭଲଗୁଣଗୁଡ଼ିକ ଶିଖିବାରେ ବିଫଳ ହୋଇଛନ୍ତି। ସେମାନେ ଆମକୁ ଶିଖାଇ ଦେଇ ଯାଇଛନ୍ତି ଗୋଲଟେବୁଲ ବୈଠକ (Roundtable)ଅଥଚ ସ୍ଵାଧୀନ ଭାରତରେ ତାହାକୁ ଆମେ ଭୁଲିଯାଇଛେ! ଆମଦେଶର ଅଧିକାଂଶ ସଭାସ୍ଥଳରେ ଗୋଟିଏ ମଂଚ ଥାଏ, ତହିଁରେ ବକ୍ତାମାନେ ବସନ୍ତି ଏବଂ ଶ୍ରୋତାମାନେ ସେମାନଙ୍କ ସାମ୍ନାରେ ତଳେ ବସିଥାଆନ୍ତି। ଏହାକୁ ଅଡିଟୋରିଅମ୍‌ ବା ପ୍ରେକ୍ଷାଳୟ କୁହାଯାଇପାରିବ। କିନ୍ତୁ ତାହା କେବେହେଲେ ଆଲୋଚନାସ୍ଥଳ ନୁହେଁ। ସେଠାରେ ଆଲୋଚନାଚକ୍ର, କର୍ମଶାଳା, ବିମର୍ଷ, ପ୍ରଶିକ୍ଷଣ ଆଦୌ ଆୟୋଜିତ ହେବା କଥା ନୁହେଁ। ଭୁବନେଶ୍ଵରରେ ଥିବା ଜୟଦେବଭବନର ମୁଖ୍ୟ ଅଡ଼ିଟୋରିଅମ୍‌, ଇଡ଼କଲ୍‌ ଅଡିଟୋରିଅମ୍‌, ଲୋହିଆଭବନ, ରୋଟାରୀଭବନ, ଭଂଜକଳାମଣ୍ଡପ, ରବୀନ୍ଦ୍ରମଣ୍ଡପ ଇତ୍ୟାଦିରେ କେବଳ ଡ୍ରାମା, ନାଟକ, ଚଳଚ୍ଚିତ୍ର ପ୍ରଦର୍ଶନ ଅବା ଭାଷଣବାଜି ହୋଇପାରିବ। ବିଭିନ୍ନ ପାରାୟଣ, ପ୍ରବଚନ ବା Motivational Speech କାର୍ଯ୍ୟକ୍ରମ ହୋଇପାରିବ। କିନ୍ତୁ ତାହା କେବେ ହେଲେ କର୍ମଶାଳା, ଆଲୋଚନାଚକ୍ର, ବିମର୍ଷ, ପ୍ରଶିକ୍ଷଣ/ତାଲିମ୍‌ ପାଇଁ ଉପଯୁକ୍ତ ନୁହେଁ।

ଗଣତନ୍ତ୍ରରେ ବହୁଳ ଉଚ୍ଚାରିତ ଶବ୍ଦ ହେଉଛି ଅଂଶଗ୍ରହଣ (Participation)ଆଉ ଏହାକୁ ସାକାର କରିପାରିବ ଗୋଲଟେବୁଲଆମ୍ଭେ ଏହି କଥା ବାରମ୍ବାର ଇ-ଗୃପ୍‌ରେ କହୁଛୁ ଏବଂ ଆୟୋଜକ ବଂଧୁମାନଙ୍କୁ ମଧ୍ୟ ଫୋନ୍‌ରେ ଓ ସାକ୍ଷାତରେ କହୁଛୁ। କିଛି ମାତ୍ରାରେ ସଫଳତା ମିଳିଛି। ହେଲେ ସେତିକିରେ ମୋ ଦେଶର ଭାଗ୍ୟ ପରିବର୍ତନ ହୋଇପାରିବ ନାହିଁ। ଗୋଲଟେବୁଲ ହେଲା ଯେଉଁଠି ପରସ୍ପରକୁ ସମସ୍ତେ ଦେଖିପାରିବେ। ସେଠାରେ ବକ୍ତା ଓ ଶ୍ରୋତାର ସଂପର୍କ ନଥାଏ; ଅହଂକାର ନଥାଏ, ସମସ୍ତେ ସମାନ, ଯାହା ଗଣତନ୍ତ୍ରର ମୂଳତତ୍ତ୍ଵ। ଉଚ୍ଚନୀଚ୍ଚ ନଥାଏ। କାରଣ ସମସ୍ତେ ଗୋଟିଏ ଉଚ୍ଚତାରେ ବସିଥାଆନ୍ତି। ପରସ୍ପର ସହ ଆଖି ମିଶିବା ଦ୍ଵାରା ଦୂରତ୍ଵ କମିଯାଏ। ପରସ୍ପରକୁ ବୁଝିହୁଏ। ଭୋଜି ଖାଇବାକୁ ଆସିଥିବା ପ୍ରତିଭାଗୀମାନେ ବାରି ହୋଇପଡ଼ନ୍ତି। ଶୀତଳୀକୃତ ସଭାକକ୍ଷର ମଜା ନେବାକୁ ଆସିଥିବା ବ୍ୟକ୍ତିମାନେ ବାରି ହୋଇ ପଡ଼ନ୍ତି। ଅବଶ୍ୟ ଯେତେବେଳେ ତାଲିମ (ପ୍ରଶିକ୍ଷଣ) ସଭା ହୁଏ, ତାହା ଯଦି କିଛି ପ୍ରତିଭାଗୀଙ୍କ ଜୀବନର ପ୍ରଥମ ତାଲିମ ହୋଇଥାଏ, ସେଠାରେ ଆବାକାବା ହେଲା ଭଳି ମୁଖଭଙ୍ଗୀ କେତେକଙ୍କ ଠାରେ ଦେଖାଯିବା ସ୍ଵାଭାବିକ। ଆଉ ତାହାକୁ ଦେଖି ଅନ୍ୟ ପ୍ରତିଭାଗୀମାନେ ଓ ପ୍ରଶିକ୍ଷକମାନେ ସଂପୃକ୍ତ ପ୍ରଶିକ୍ଷାର୍ଥୀଙ୍କ ସମସ୍ୟା ଜାଣିବାକୁ ଇଚ୍ଛା କରିଥାଆନ୍ତି। କିଂବା ମନସ୍ତାତ୍ତ୍ଵିକ ଦୃଷ୍ଟିରୁ ସେହି ପ୍ରଶିକ୍ଷାର୍ଥୀ ବା ପ୍ରତିଭାଗୀଙ୍କର ଅସୁବିଧା କ’ଣ ଜାଣି ପାରିଥାଆନ୍ତି।

ତେବେ ଅସଲ କଥା ହେଲା ଏହା ଆମ ଦେଶର ସ୍ଥପତି (Architecture)ଯନ୍ତ୍ରୀ (Engineer)ମାନେ ବୁଝିଥିବା ଓ ବୁଝୁଥିବା ଦରକାର। Interior Decoratorମାନେ ମଧ୍ୟ ଏହାକୁ ବୁଝୁଥିବା ଦରକାର। ନଚେତ୍‌ ଆମ ଦେଶ ସୁଧୁରି ପାରିବ ନାହିଁ। ଏବେ ଅପେକ୍ଷା କରୁଛି ଆପଣଙ୍କ କ୍ରିୟା ଓ ପ୍ରତିକ୍ରିୟାକୁ।

ବିମଳପ୍ରସାଦ, ୯୪୩୯୮୨୮୧୭୮

Thursday, May 21, 2015

ଦକ୍ଷତା ଓ ଜୀବିକା ବିକାଶ​‌ରେ OPJCC

ଓ.ପି. ଜିନ୍ଦଲ କମ୍ୟୁନିଟି କଲେଜ (OPJCC), ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କର ଦକ୍ଷତାକୁ ମାନ୍ୟତା ଦେବା ଏବଂ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଲଡିଂ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ (OB&OCWB) ସହିତ ବୁଝାମଣାପତ୍ର ସ୍ଵାକ୍ଷର କରିଛି। ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ନିର୍ମାଣ ଶ୍ରମିକ ଯୋଜନାର ଉଦ୍ୟୋଗୀମାନଙ୍କର ଏହି କଲେଜ ଏକ Recognization of Prior Learning (RPL)ର ଏକ ମାନ୍ୟତାପ୍ରାପ୍ତ ତାଲିମ ସଂସ୍ଥା। ରାଜ୍ୟ ଶ୍ରମ କମିଶନର ଶାଳିନୀ ପଣ୍ଡିତ ଏବଂ ଓ.ପି. ଜିନ୍ଦଲ କମ୍ୟୁନିଟି କଲେଜର ନିର୍ଦେଶକ ମରିୟମ୍‌ କାର୍ଟରଙ୍କ ମଧ୍ୟ​‌ରେ ସ୍ଵାକ୍ଷରିତ ବୁଝାମଣା କ୍ରମେ ଶ୍ରମିକ କଲ୍ୟାଣ ବୋର୍ଡ଼ (ସେସ୍‌ ୧୯୯୬) ଅଧୀନରେ ପଂଜୀକୃତ ହୋଇଥିବା ଓଡ଼ିଶାର ହଜାର ହଜାର ନିର୍ମାଣ ଶ୍ରମିକମାନେ ଉପକୃତ ହେବେ।

ବୁଝାମଣାରେ ବର୍ଣିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ - ଜାତୀୟ ଦକ୍ଷତା ଯୋଗ୍ୟତା ରୂପରେଖ (NSQF)ର  ମିଳିତ ସହଯୋଗରେ ବାର୍‌ ବେଣ୍ଡିଙ୍ଗ୍‌, ମାସନାରୀ(ରାଜମିସ୍ତ୍ରୀ), ସଟରିଙ୍ଗ୍‌, କାଠକାମ, ପାଇପ୍‌ ମିସ୍ତ୍ରୀ, ରଙ୍ଗମିସ୍ତ୍ରୀ ଓ ସ୍କାଫୋଲ୍‌ଡିଙ୍ଗ୍‌ ଧଂଦାରେ ଦୁଇ ପ୍ରକାର ପ୍ରବେଶ ସ୍ତର ରହିଛି। ଏପ୍ରିଲ୍‌ ୨୦୧୮ ପର୍ଯ୍ୟନ୍ତ ବୈଧ ଏହି ବୁଝାମଣାର ସର୍ତ ଅନୁସାରେ ଓପିଜେସି ସାରା ରାଜ୍ୟରେ ରହିଥିବା ନିର୍ମାଣ ସ୍ଥଳଗୁଡ଼ିକରେ ତାଲିମ ପ୍ରଦାନ କରିବ। ଜାତୀୟ ବୃତ୍ତିଗତ ମାନକ ଅନୁଯାୟୀ ସଂପୃକ୍ତ ବିଭାଗରେ କାର୍ଯ୍ୟରତ ଶ୍ରମିକମାନଙ୍କର ରହିଥିବା ଏବେର ଦକ୍ଷତାକୁ ପ୍ରଯୁକ୍ତି, ବ୍ୟାବହାରିକ ତଥା କାର୍ଯ୍ୟସ୍ଥଳ ଆବଶ୍ୟକତା ଅନୁଯାୟୀ ସୁଦୃଢ଼ କରାଯିବ। ମନ୍ତ୍ରଣାଳୟ ସହିତ ଅନୁବନ୍ଧିତ ସହଭାଗୀ ସଂସ୍ଥାମାନଙ୍କ ସହିତ OPJCC ମୂଲ୍ୟାୟନ ନିମିତ୍ତ ସମନ୍ବୟ ରକ୍ଷା କରିବା ସହ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ସରକାରୀ ପ୍ରମାଣପତ୍ର ପ୍ରଦାନ କରିବ।

କାର୍ଯ୍ୟରତ ଶ୍ରମିକମାନଙ୍କର ଉପଯୁକ୍ତ ନିଯୁକ୍ତି, ନିରାପତ୍ତା ମାନକ ପାଳନ ଏବଂ ଉତ୍ପାଦକତା ନିମନ୍ତେ ନିର୍ମାଣ ଶିଳ୍ପରେ ଦକ୍ଷତାକୁ ମାନ୍ୟତା ଦେବା ଅତ୍ୟନ୍ତ ଆବଶ୍ୟକ। ମାନ୍ୟତାପ୍ରାପ୍ତ ଶ୍ରମିକମାନେ ଭାରତରେ ଓ ବିଦେଶରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ହୋଇପାରିବେ। ରାଷ୍ଟ୍ରୀୟ ଆଭିମୁଖ୍ୟ Make in India କୁ ଆଗକୁ ନେବାକୁ ଓଡ଼ିଶା ସରକାରଙ୍କ ସହିତ ସହଭାଗୀ ହେବା ବାସ୍ତବିକ ଜିନ୍ଦଲ ଫାଉଣ୍ଡେସନ ପାଇଁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଏକ ମହତ୍ତ୍ଵପୂର୍ଣ ସୁଯୋଗ ବୋଲି ସୁଶ୍ରୀ କାର୍ଟର କହିଛନ୍ତି। 

(ସୌଜନ୍ୟ: ସର୍ବସାଧାରଣ, ଭୁବନେଶ୍ଵର, ୨୧ ମେ ୨୦୧୫, ଗୁରୁବାର, ପୃଷ୍ଠା-୭) 

ମନ୍ତବ୍ୟ:
୨୫ ମାର୍ଚ ୨୦୧୫ରେ ଏଭଳି ସମାନ ମର୍ମରେ ଆମ୍ଭେ ଖାଂଟି ଓଡ଼ିଆ କମ୍ପାନୀ IMFAର ସହଯୋଗୀ ବଂଶୀଧର ଓ ଈଲା ପଣ୍ଡା ଫାଉଣ୍ଡେସନ (BIPF)କୁ ସର୍ବସାଧାରଣରେ ଏକ ଇମେଲ ଲେଖିଥିଲୁ। ଯାହାର ଜବାବ ୬ ମେ ୨୦୧୫ରେ ଦେଇଥିଲେ ଫାଉଣ୍ଡେସନର ନିର୍ବାହୀ ଉପସଭାପତି (Executive Vice President) ଶ୍ରୀଯୁକ୍ତ ତ୍ରିଜୀବ ହୋତା । ଆମ୍ଭ ଇମେଲ୍ ଓ ଶ୍ରୀଯୁକ୍ତ ହୋତାଙ୍କ ଜବାବୀ ଇମେଲର ଅବିକଳ ପାଠ୍ୟ ତଳେ ଦିଆଯାଇଛି। ତେବେ ଏତିକି କଥା ସ୍ଵୀକାର କରିବାକୁ ହେବ ଯେ ସେଭଳି ପତ୍ରାଳାପ ଦ୍ଵାରା ସୂଚନା, ସ୍ଵଚ୍ଛତା ଓ ଉତ୍ତରଦାୟିତ୍ଵ ସବୁକିଛି ପ୍ରତିଫଳିତ ଓ କ୍ରିୟାନ୍ୱିତ ହୋଇପାରିଛି। ଦେଶସେବା ପାଇଁ ଏଭଳି ପ୍ରତିଦ୍ଵନ୍ଦ୍ଵିତାକୁ ଆସନ୍ତୁ ସ୍ଵାଗତ କରିବା ଏବଂ ଆଉ ଜଗିବା, ଯେପରି ଉପରୋକ୍ତ ସଂସ୍ଥା ନିଜ କର୍ତବ୍ୟ ଓ ଚୁକ୍ତିରେ ଖିଲାପ ନକରେ।


ବିଷୟ: ଶହଶହ ରାଜମିସ୍ତ୍ରୀ ଆବଶ୍ୟକ...                                              ତାରିଖ: ୨୫ ମାର୍ଚ ୨୦୧୫
ପ୍ରାପକ:
ଶ୍ରୀମତୀ ଶୈଫାଳିକା ପଣ୍ଡା

ସି.ଇ.ଓ., ବଂଶୀଧର ଏଣ୍ଡ୍ ଇଲା ପଣ୍ଡା ଫାଉଣ୍ଡେସନ, ଭୁବନେଶ୍ୱର


ମହାଶୟା

ନମସ୍କାର ।

ଆପଣଙ୍କ ସଂଗଠନ ଓଡ଼ିଶାରେ ଗରିବ ଗୋଷ୍ଠୀମାନଙ୍କ ମଧ୍ୟରେ ଜୀବିକା ପନ୍ଥାର ବିକାଶ ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଦେଉଥିବା ଜାଣିବାକୁ ପାଇଲୁ । ତେବେ ଦୁଇଟି ପେସାର ପ୍ରଶିକ୍ଷିତ କାରିଗରର ଘୋର ଅଭାବ ରହିଛି ଆମ ରାଜ୍ୟରେ, ତାହା ହେଉଛି - ରାଜମିସ୍ତ୍ରୀ (ମ୍ୟାସନ) ଓ ପାଣିପାଇପ୍ ମିସ୍ତ୍ରୀ(ପ୍ଲମ୍ବର) । ଓଡ଼ିଶା ଏକ ଉପକୂଳବର୍ତୀ ତଥା ଗ୍ରୀଷ୍ମବହୁଳ ରାଜ୍ୟ ହୋଇଥିବାରୁ ଏଠାରେ ଆବାସିକ ଘରଗୁଡ଼ିକ ପକ୍କାଘର ହେବା ଦରକାର । ବିଳମ୍ବରେ ହେଲେ ସୁଦ୍ଧା ରାଜ୍ୟସରକାର ସମସ୍ତଙ୍କ ପାଇଁ ପକ୍କାଘର ସୁନିଶ୍ଚିତ କରିବାକୁ ବିଜୁ ପକ୍କାଘର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମକୁ ସଫଳ ରୂପ ଦେବା ପାଇଁ ଯଥେଷ୍ଟ ରାଜମିସ୍ତ୍ରୀ ଓ ପାଇପ୍ ମିସ୍ତ୍ରୀ ରାଜ୍ୟରେ ନାହାନ୍ତି । ଯଦି ଆପଣଙ୍କ ସଂଗଠନ, ପ୍ରଶିକ୍ଷଣ ଜରିଆରେ ରାଜ୍ୟରେ ରାଜମିସ୍ତ୍ରୀ ଓ ପାଇପ୍ ମିସ୍ତ୍ରୀଙ୍କ ସଂଖ୍ୟା ବଢ଼ାଇ ପାରିବ, ତେବେ ଦୁଇଟି ଉପକାର ମିଳିବ । ପ୍ରଥମତଃ ଶହଶହ ନୂଆ ମିସ୍ତ୍ରୀଙ୍କ ଜୀବିକାପନ୍ଥା ସୁନିଶ୍ଚିତ ହୋଇପାରିବ ଏବଂ ଦେଶନିର୍ମାଣରେ ସେମାନେ ଲାଗି ପାରିବେ । 

ଉପଯୁକ୍ତ ପରିମାଣରେ ଓ ଉପଯୁକ୍ତ ଦକ୍ଷତାସଂପନ୍ନ ରାଜମିସ୍ତ୍ରୀ ଅଭାବରୁ ରାଜ୍ୟରେ ଏକାଧିକ ନିର୍ମାଣାଧୀନ କଂକ୍ରିଟ୍ ସେତୁ ଭୁଶୁଡ଼ି ପଡ଼ିଲାଣି। ଅନ୍ୟ ପକ୍ଷରେ ରାଜ୍ୟରେ ଗମନାଗମନ ସୁବିଧା କରିବାକୁ ରାଜ୍ୟ ସରକାର “ବିଜୁ ସେତୁ ଯୋଜନା” ଜାରି କରିଛନ୍ତି । କିନ୍ତୁ ଯଥେଷ୍ଟ ସଂଖ୍ୟାରେ ଯୋଗ୍ୟ ରାଜମିସ୍ତ୍ରୀ ରାଜ୍ୟରେ ନମିଳିଲେ ଆମେ କ’ଣ ପର ରାଜ୍ୟ ଉପରେ ନିର୍ଭର କରି ଏ ରାଜ୍ୟକୁ ଗଢ଼ି ପାରିବା? ଓଡ଼ିଶାର ଏକମାତ୍ର ବୃହତ୍ କମ୍ପାନୀ ‘ଇମ୍ପା’ର ସାମାଜିକ ଦାୟିତ୍ୱବୋଧକୁ ସୁନିଶ୍ଚିତ କରୁଥିବା “ବଂଶୀଧର ଏଣ୍ଡ୍ ଇଲା ପଣ୍ଡା ଫାଉଣ୍ଡେସନ”ର ଅଳ୍ପ ଟିକିଏ ଉଦ୍ୟମ ହେଲେ ଏ ରାଜ୍ୟର ବିକାଶ ହୋଇପାରିବ। ଯାହାକି ଆମେ ଟାଟା, ଜିନ୍ଦଲ ବା ରିଲାଏନ୍ସ ଠାରୁ ଆଶା କରିପାରିବୁ ନାହିଁ । ଓଡ଼ିଶାର ବିକାଶରେ ମଧ୍ୟ ଇମ୍ପାର ଅବଦାନ ରହିଛି ବୋଲି ଆପଣଙ୍କ ଉଦ୍ୟୋଗ ପରିବାରର ଅନ୍ୟତମ ଗଣମାଧ୍ୟମ ସଂସ୍ଥା ‘ଓଟିଭି’ ପରଦାରେ ଆମ୍ଭେ ବିଜ୍ଞାପନ ଆକାରେ ବାରମ୍ବାର ଦେଖିବାକୁ ପାଉଛୁ।

ତେଣୁ ଏଠାରେ ଆପଣଙ୍କୁ ଆମ୍ଭେ ପ୍ରସ୍ତାବ ଦେଉଅଛୁ କି ରାଜ୍ୟରେ ବାତ୍ୟା, ବନ୍ୟା ଓ ଘରପୋଡ଼ି ପ୍ରତିରୋଧକ ପକ୍କାଘର ନିର୍ମାଣ ଏବଂ ଶହଶହ ସେତୁ ନିର୍ମାଣ ପାଇଁ ରାଜମିସ୍ତ୍ରୀ ସୃଷ୍ଟି କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ। ଏବେ କେବଳ ‘ଗ୍ରାମ ବିକାଶ’ ନାମକ ଭୁବନେଶ୍ୱର ଫରେଷ୍ଟପାର୍କରେ ଥିବା ଏକ ସଂଗଠନ ରାଜମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରୁଛି। ଆପଣଙ୍କର ଫାଉଣ୍ଡେସନ ଏକ ବଡ଼ ସଂଗଠନ ହୋଇଥିବାରୁ ଏହି ରାଜମିସ୍ତ୍ରୀ (ଏବଂ ପ୍ଲମ୍ବର ମଧ୍ୟ) ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରିପାରିବ।

ଆପଣ ଜାଣି ଖୁସି ହେବେ ଯେ ସାରା ବିଶ୍ୱକୁ କେବଳ କେନ୍ଦ୍ରାପଡ଼ିଆ ପ୍ଲମ୍ବରମାନଙ୍କ ଅବଦାନ ବହୁତ। ଏହି ପେସାକୁ ଓଡ଼ିଶାର ଏକ ଅସ୍ମିତାରେ ପରିଣତ କରିବା ପାଇଁ ବି.ଇ.ପ. ଫାଉଣ୍ଡେସନ୍ ଭଳି ସଂଗଠନମାନେ ଉଲ୍ଲେଖନୀୟ କାର୍ଯ୍ୟ କରିପାରିବେ। ଅସ୍ମିତା ବୋଇଲେ ରାଜ୍ୟ ବାହାରେ କେବଳ ଜଗନ୍ନାଥ ମନ୍ଦିର ବା ସମ୍ବଲପୁରୀ ଖଦି ବସ୍ତ୍ରକୁ ଓଡ଼ିଆମାନେ ନିଜର ଅସ୍ମିତା ଭାବେ ପ୍ରକଟ କରି ପାରୁଛନ୍ତି। 

ଏହି ଗୁରୁତ୍ୱପୂର୍ଣ ଇମେଲଟି କାଳେ ଆପଣଙ୍କ ଦପ୍ତରର ପ୍ରାଶାସନିକ ଭିଡ଼ ଭିତରେ ଚାପି ହୋଇଯିବ, ସେଥିପାଇଁ ରାଜ୍ୟର କେତୋଟି ସକ୍ରିୟ ଇଗୃପରେ ମଧ୍ୟ ଏହାକୁ ସେୟାର କରିଛି। ଏ ଚିଠି ପ୍ରେରଣରେ ଗୋପୀନୟତା ଅବଲମ୍ବନ କରି ଆପଣଙ୍କ ଆଡ଼ୁ ଇପ୍ସିତ ମହନୀୟତାକୁ ଚାପି ରଖିବାର ଉଦେଶ୍ୟ ଆମ୍ଭର ନାହିଁ। “ଏବେ ଆମର ସେମିତି କିଛି ଯୋଜନା ନାହିଁ, ଯଦି କିଛି ନିଷ୍ପତ୍ତି ହୁଏ, ତେବେ ପରେ ଆମେ ଆପଣଙ୍କୁ ଜଣାଇବୁ” ଭଳି ପଳାୟନପନ୍ଥୀ ଜବାବ ଦେବେ ନାହିଁ ବୋଲି ବିଶ୍ୱାସ କରୁଛି।



ଜବାବ ପ୍ରତୀକ୍ଷାରେ ଶୁଭକାମନା ସହ

ବିମଳପ୍ରସାଦ, bimal2001@gmail.com, 9439828178



ଶ୍ରୀଯୁକ୍ତ ତ୍ରିଜୀବ ହୋତା, EVP, BIPF ୬ ମେ ୨୦୧୫ରେ ଲେଖିଥିବା ଜବାବ ତଳେ ଦିଆଯାଇଛି -


Dear Bimalprasadji,
Referring to your trailing mail and the conversation we had in this connection I would like to put up the following information. 

Out of the four different focus area this foundation is working, 'Skill Development' is one and as such we have no problem in taking up your cause which we too appreciate.

We are opening a Skill center at Sukinda along with a ITI which is going to start from 2016 August. The construction of infrastructure is going on at fast pace and application for affiliation to NCVT ,adhering to the norms and standards stipulated by Quality Council of India shall be initiated in Feb 2016. Mason Skill is one of the short term course we are going to introduce there. We are also recognized  PIA for implementing DDU-GKY programme under Ministry of Rural Development. Under this scheme training is imparted to Rural youths free of all costs. We shall check up if    Mason is included in the present Skill programme in Odisha under this scheme.That will be more useful for the poor rural community.

Thanks for taking initiative for thisnsocial cause.

Regards.
T C Hota l Executive Vice President
Bansidhar & Ila Panda Foundation
IMFA Building, Bhubaneswar – 751010, Odisha, India
Tel :+91 674 3051000 l Mobile: +91 9937006868
www.bipf.org.in

ଚାଲୁ ହେଲା WiFi କୋଣାର୍କ ଦେଉଳ

ଜୁନ୍‌ ୨୦୧୫ରୁ ଯାହା ଆରମ୍ଭ ହେବାର ଥିଲା, ତାହା ଆଗୁଆ ଆରମ୍ଭ ହୋଇଛି। ଫଳରେ ବିବିଧ ପରୀକ୍ଷା ନିରୀକ୍ଷା ସହ ଜୁନ୍‌ ମାସ ବେଳକୁ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇଥିବ। ଯାହା ହେଉ, ଏହାକୁ ବାରଂବାର ମନେ ପକାଇବା ଦ୍ଵାରା ଏହା ନିଶ୍ଚିତ କାର୍ଯ୍ୟକାରୀ ହୋଇଛି। ସଂଲଗ୍ନ ଖବରଟି ପ୍ରକାଶ ପାଇଛି ଆଜି(୨୧.୦୫.୨୦୧୫)ର ପ୍ରମେୟ ଦୈନିକୀ, ଭୁବନେଶ୍ଵର ସଂସ୍କରଣର ପୃଷ୍ଠା ୧୩ରେ।

Friday, May 15, 2015

କେତେ ସୁରକ୍ଷିତ ସୁଷୁରିବଜାଳି ସୁରକ୍ଷା ଆଇନ

ସୂଚନା  ଅଧିକାର ଆଇନ କାର୍ଯ୍ୟକାରିତାକୁ ୧୦ ବର୍ଷ ପୂରିଛି । ଠିକ୍‍ ୧୦ ବର୍ଷ ଆଗରୁ ଏହା ବିଧେୟକ ରୂପେ ରାଜ୍ୟସଭାର ଅନୁମୋଦନ ପାଇଥିଲା । ସାରା ଦେଶରେ ଶାସକୀୟ ସ୍ୱଚ୍ଛତା ପ୍ରତିଷ୍ଠା, ଦୁର୍ନୀତିର ପର୍ଦାଫାଶ ଏବଂ ଶାସନକୁ ଉତ୍ତରଦାୟୀ କରିବା କ୍ଷେତ୍ରରେ ଏହା ଏକ ନୂଆ ପଦକ୍ଷେପ ଥିଲା । ପରେ ଅବଶ୍ୟ ୨୦୧୩ରେ ଲୋକପାଳ ଓ ଲୋକାୟୁକ୍ତ ଆଇନ ଏବଂ ୨୦୧୪ରେ ସୁଷୁରିବଜାଳି ସୁରକ୍ଷା ଆଇନ(Whistleblower Protection Act) ଲାଗୁ ହୋଇଛି । ଯାହାକି ସୂଚନା ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଅଧିକ ବଳ ଓ ସାହସ ଯୋଗାଇଛି । ଏହା ସହ ୨୦୧୧ରେ ମିଳିତ ଜାତିସଂଘର ଦୁର୍ନୀତି ସଂକ୍ରାନ୍ତ ଘୋଷଣାନାମାକୁ ଭାରତ ସ୍ୱୀକାର କରିଛି । ତେବେ ଏହାର ୪ ବର୍ଷ ପରେ ମଧ୍ୟ ୟୁପିଏ ବା ଏନ୍‍ଡିଏ ସରକାର କେହି ବି ଏହାର କାର୍ଯ୍ୟକାରିତା ଉପରେ ମନ ଦେଉ ନାହାନ୍ତି ।

ଛକ ଉପରେ ଟ୍ରାଫିକ୍‍ ୱାର୍ଡ଼େନ୍‍ ବା ନିଶାର୍ଦ୍ଧରେ ରାତ୍ରିଜଗୁଆଳି ହୁଇସିଲ୍‍ ବା ସୁଷୁରି ବଜାଇଲେ ଆମ୍ଭେ ସତର୍କ ହେଉ ଅଥବା ଆମ୍ଭର ଧ୍ୟାନ ଆକର୍ଷିତ ହୋଇଥାଏ । ସେହିଭଳି ଶାସନ-ପ୍ରଶାସନରେ ହେଉଥିବା ତ୍ରୁଟି ଉପରେ ଧ୍ୟାନ ଆକର୍ଷଣ କରିବା ବା ସତର୍କ କରାଇଦେବା କାମଟି ଯେଉଁମାନେ କରନ୍ତି ସେଇମାନଙ୍କୁ କୁହାଯାଉଛି ସୁଷୁରିବଜାଳି । ଆଉ ସେଇ ମାନଙ୍କ ସୁରକ୍ଷା ପାଇଁ ବାସ୍ତବରେ ଏହି ଆଇନ ଉଦ୍ଦିଷ୍ଟ ଥିଲେ ସୁଦ୍ଧା କ'ଣ ରହିଛି ଏବେର ଆଇନରେ, ତାହା ଏଠାରେ ଆଲୋଚ୍ୟ ।

୨୦୧୦ରେ ଯେତେବେଳେ ସଂସଦରେ ଏହା ବିଧେୟକ ରୂପେ ଉପସ୍ଥାପିତ ହେଲା, ତାହାର ଏକ ଲମ୍ବା ନାମ ଥିଲା:- Public Interest Disclosure & Protection for Persons Making the Disclosures Bill। ଅର୍ଥାତ୍‍ ଜନସ୍ୱାର୍ଥ ପ୍ରକଟନ ଏବଂ ପ୍ରକଟନକାରୀ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷା ବିଧେୟକକେବଳ ଏହି ନାମକରଣରୁ ବୁଝା ପଡ଼ିଯାଉଥିଲା ଏହି ବିଧେୟକର ଉଦ୍ଦେଶ୍ୟ ଓ ବିଷୟବସ୍ତୁ । ଅତଏବ ଜନସ୍ୱାର୍ଥ ଉଦ୍ଦେଶ୍ୟରେ ଯିଏ ଯାହାବି ଖୋଳତାଡ଼ କରି ତାହାକୁ କୌଣସି ସର୍ବସାଧାରଣ ସଂଚାର ମାଧ୍ୟମରେ ପ୍ରକଟନ କରନ୍ତି, ସେ କାହାର ନା କାହାର ଆକ୍ରୋଶ ଓ କ୍ରୋଧର ଶିକାର ହେବା ନିଶ୍ଚିତ । ସେହି ଦାଉରୁ ସୁରକ୍ଷା ପାଇବାକୁ ସଂପୃକ୍ତ କୌଣସି ନାଗରିକ ବା ବେସରକାରୀ ସଂଗଠନ ହକ୍‍ଦାର ଅଟନ୍ତି । କେବଳ ଭାରତରେ ହିଁ ସରକାର ବାହାରେ କୌଣସି ସୁଷୁରିବଜାଳିଙ୍କୁ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ଦିଆଯାଇଛି ।

ଅନ୍ୟ ପକ୍ଷରେ ସୂଚନା ଅଧିକାର ଆଇନରେ ଆବଶ୍ୟକ ସଂଶୋଧନ ନହେଲେ ଉଭୟ ଆଇନ ମଧ୍ୟରେ ସଂଗତି ପ୍ରତିଷ୍ଠା ହୋଇ ପାରିବ ନାହିଁ । ୟୁପିଏ ସରକାର ଏହା କରିବାରେ ବିଫଳ ହୋଇଥିଲା । ଏବେର ଏନ୍‍ଡିଏ ସରକାର ମଧ୍ୟ ସେ କ୍ଷେତ୍ରରେ କିଛି ଭିନ୍ନ ନୁହେଁ । ସତ୍ୟେନ୍ଦ୍ର ଦୁବେ, ଗଣେଶ ପଣ୍ଡା(ବୁବୁ), ମଂଜୁନାଥ, ଓ କୃପାସିନ୍ଧୁ ସାହୁଙ୍କ ବଳିଦାନ ପରେ ମଧ୍ୟ ସରକାରଙ୍କ ଚେତା ପଶି ନାହିଁ । ଏବେର ପ୍ରସ୍ତାବିତ ଆଇନଗତ ବ୍ୟବସ୍ଥା ଲାଗୁ ହେଲେ, ପ୍ରତ୍ୟେକ ସୁଷୁରିବଜାଳି ଅଭିଯୋଗର ୩୨ଟି ଯାଞ୍ଚ ହୋଇ ସାରିବା ପରେ ହିଁ ତାହାର ତଦନ୍ତ ଆରମ୍ଭ ହେବ । ଧାରା-୪ ଅଧୀନରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ(ସିଭିସି) ପରଖି ଦେଖିବ ଯେ ଧାରା ୪(୧)(କ) ଠାରୁ ୪(୧)(ଝ) ପର୍ଯ୍ୟନ୍ତ ୩୨ଟି ଯାଞ୍ଚକୁ ସନ୍ତୁଷ୍ଟ କରୁଛି ତ? ସନ୍ତୁଷ୍ଟ କଲେ ହିଁ ସିଭିସି ତହିଁର ତଦନ୍ତ ଆରମ୍ଭ କରିବ । ଅଥଚ ଏଭଳି କ୍ଷେତ୍ରରେ ରୋଟାରିଆନ୍‍ମାନଙ୍କୁ କେବଳ ୪ଟି ଯାଞ୍ଚରେ ଉତ୍ତୀର୍ଣ ହେବାକୁ ପଡ଼ିବ ।

ବାଙ୍ଗ୍‌ଲାଦେଶରେ ୨୦୧୧ରେ ପ୍ରଣୀତ ସୁଷୁରିବଜାଳି ସୁରକ୍ଷା ଆଇନରେ ଅନେକ ଆନ୍ତର୍ଜାତୀୟ ସର୍ତର ଅଭାବ ଥାଇ ସୁଦ୍ଧା ତାହା ଭାରତର ଆଇନ ତୁଳନାରେ ଅଧିକ ଜନବାଦୀ ହୋଇପାରିଛି । ଆମ ଦେଶର ଆଇନରେ ଅଛି ଯେ (୧)କୌଣସି ସୁଷୁରିବଜାଳି, ଦୁର୍ନୀତି ବିରୋଧରେ ଅଭିଯୋଗ କରିପାରିବ ନାହିଁ; ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରି ଅଭିଯୋଗ ବାଢ଼ି ପାରିବେ ନାହିଁ । (୨)ଅଥଚ ଲୋକପାଳ ଆଇନ ଅଧୀନରେ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ନାମରେ ଲୋକପାଳଙ୍କ ଠାରେ ଦୁର୍ନୀତି ଅଭିଯୋଗ ଆଣିପାରିବେ । ତେବେ ସୁଷୁରିବଜାଳି ସୁରକ୍ଷା ଆଇନ ଅଧୀନରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଆୟୋଗ କ'ଣ କରିବ, ସେ ବିଷୟରେ କିଛି ନିର୍ଦେଶ ନାହିଁ । (୩) ତିନିଟି ସର୍ବଭାରତୀୟ ସମ୍ଭ୍ରାନ୍ତ ସେବା ଶ୍ରେଣୀର ଅଧିକାରୀମାନଙ୍କ ବିରୋଧରେ ଅଭିଯୋଗ ହେଲେ, ସେଥିପାଇଁ ଲୋକପାଳଙ୍କ ନିର୍ଦେଶ ମିଳିଲେ ହିଁ ସିଭିସି ତଦନ୍ତ କରିପାରିବ। (୪) ମାନବାଧିକାର ଉଲ୍ଲଂଘନ ବା କୌଣସି ବେନିୟମ କାର୍ଯ୍ୟକଳାପ ଦ୍ୱାରା ପରିବେଶ, ଜନସ୍ୱାସ୍ଥ୍ୟ ଓ ଜନସୁରକ୍ଷା ପ୍ରଭାବିତ ହେବା ବିରୋଧରେ ସୁଷୁରିବଜାଳି ସୁରକ୍ଷା ଆଇନ ନିରବ ରହିଛି । ନାଗରିକ ସଂଗଠନମାନେ ବହୁ ଦାବି କରି ସୁଦ୍ଧା ଏହି ଅସଲ ମୁଦ୍ଦାଟି ଆଇନରେ ସାମିଲ ହୋଇପାରି ନାହିଁ । (୫) କୌଣସି ନିମ୍ନ ଅଦାଲତର ମନ୍‍ମାନି ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସଂପୃକ୍ତ ରାଜ୍ୟ ହାଇକୋର୍ଟର ଅନୁମତି ଲୋଡ଼ା । (୬) ଅନେକ ରାଜ୍ୟରେ ଆଜି ସୁଦ୍ଧା ଲୋକପାଳ ଓ ଲୋକାୟୁକ୍ତ ବା ରାଜ୍ୟ ଭିଜିଲାନ୍ସ ଆୟୋଗ ଗଢ଼ା ଯାଇ ନାହିଁ । ଫଳରେ ସୁଷୁରିବଜାଳି ସୁରକ୍ଷା ଆଇନ ଅଧୀନରେ କୌଣସି ମୋକଦ୍ଦମାର ବିଚାରଣାକୁ ରାଜ୍ୟ ସରକାର ଇଚ୍ଛା ମୁତାବକ କୌଣସି ସଂସ୍ଥାକୁ ନ୍ୟସ୍ତ କରିପାରିବେ । ଏହା ଏକ ଏକଚାଟିଆ ବ୍ୟାପାର । (୭) କୌଣସି ସୁଷୁରିବଜାଳି ଅଭିଯୋଗର ତଦନ୍ତ ଯଦି ଧାର୍ଯ୍ୟ ୩ମାସ ମଧ୍ୟରେ ନସରିଲା, ତାହେଲେ କ'ଣ ହେବ, ଏହା ଉପରେ କିଛି ଉଲ୍ଲେଖ ନାହିଁ । (୮) ସଂସଦୀୟ କମିଟି ଓ ଲ କମିଶନ(୨୦୦୬ରେ)ଙ୍କ ସୁପାରିଶ ସତ୍ତ୍ୱେ ମଧ୍ୟ ସୁଷୁରିବଜାଳି ସୁରକ୍ଷା ଆଇନରେ ସୁଷୁରିବଜାଳିଙ୍କ Victimizationର ସଂଜ୍ଞା ଦିଆଯାଇ ନାହିଁ । (୯) ଯଦିଓ ସଂସଦୀୟ କମିଟି ସୁପାରିଶ କରିଥିଲେ, ତଥାପି ସୂଚନା ଅଧିକାର ବ୍ୟବହାରକାରୀ, ଯିଏକି ପ୍ରକୃତରେ ଜଣେ ସୁଷୁରିବଜାଳିରେ ରୂପାନ୍ତରିତ ହୋଇଥାନ୍ତି, ତାଙ୍କର ସୁରକ୍ଷା ପାଇଁ ସୁଷୁରିବଜାଳି ସୁରକ୍ଷା ଆଇନରେ କିଛି ବ୍ୟବସ୍ଥା ନାହିଁ । (୧୦) ସେହି ଭଳି ସୁଷୁରିବଜାଳିଙ୍କୁ ସ୍ୱେଚ୍ଛାକୃତ ଭାବେ ଅତିରିକ୍ତ ସୂଚନା ଯୋଗାଉଥିବା ବ୍ୟକ୍ତି, ଜଣେ ସାକ୍ଷୀ ରୂପେ ବିବେଚିତ ହେବା ପୂର୍ବରୁ କୌଣସି ସୁରକ୍ଷା ପାଇବ ନାହିଁ । (୧୧) ପ୍ରାଇଭେଟ୍‍ କ୍ଷେତ୍ରର କୌଣସି ଅପକର୍ମ ଉପରେ ପଦକ୍ଷେପ ପାଇଁ ଏହି ଆଇନରେ କିଛି ବି ପ୍ରାବଧାନ ନାହିଁ । ଯଦିଓ ଦ୍ୱିତୀୟ ପ୍ରାଶାସନିକ ସଂସ୍କାର ଆୟୋଗ ଏହାକୁ ସାମିଲ କରିବାକୁ ସୁପାରିଶ କରିଥିଲେ । ଏପରିକି ବିଧେୟକ ଉପସ୍ଥାପନ କରିଥିବା ସାଂସଦମାନେ ମଧ୍ୟ ଆଇନକୁ ସଂପ୍ରସାରିତ କରିବାକୁ ପାଟି କରିଥିଲେ । (୧୨) କୌଣସି ଅଭିଯୋଗ ସଂକ୍ରାନ୍ତ ସୂଚନାକୁ ଗଣମାଧ୍ୟମରେ ପ୍ରକାଶ କରିବାକୁ ମଧ୍ୟ ସଂପୃକ୍ତ ସୁଷୁରିବଜାଳିଙ୍କୁ ଅନୁମତି ନାହିଁ ।

ନିକଟରେ ସୁପ୍ରିମ୍‍କୋର୍ଟଙ୍କ ଏକ ରାୟ ଅନୁସାରେ ନିଜ ନାମ ଗୋପନ ରଖି ମଧ୍ୟ କେହି ସୁଷୁରିବଜାଳି ବୋଲାଇ ପାରିବେ ନାହିଁ । ଏବେ ଏହି ଆଇନରେ କିକି ସଂଶୋଧନ କରିବାର ପ୍ରସ୍ତାବ ରହିଛି, ତାହାକୁ ପ୍ରକାଶ କରିବାକୁ ଏହି ଆଇନ ପ୍ରସ୍ତୁତକାରୀ ନୋଡ଼ାଲ ବିଭାଗ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବାରଣ କରିଥିବାରୁ ଆଇନର ପରବର୍ତ୍ତୀ ରୂପରେଖ ଜାଣିବା କଷ୍ଟକର ହୋଇପଡୁଛି ।

(ଏହି ଲେଖାଟି ମେ ୨୦୧୫ରେ ତିନିଟି ଖବରକାଗଜ ଯଥା: ‘ସମାଜ’, ‘ସର୍ବସାଧାରଣ’ ଓ ‘ଜାଗ୍ରତଓଡ଼ିଶା’ର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ। ସଂପୃକ୍ତ ଗଣମାଧ୍ୟମଗୁଡ଼ିକର ସଂପାଦକୀୟ ବିଭାଗ ପାଖରେ ଆମ୍ଭେ କୃତଜ୍ଞ।)

बिमल प्रसाद , +91 9439828178 

Friday, May 8, 2015

ସୋସିଆଲ ମିଡ଼ିଆର କାୟା

ସୁରମା ମିଶ୍ର, ସଂପାଦିକା, ‘ପଶ୍ଚିମାଞ୍ଚଳ’, ରାଉରକେଲା
ସୋସିଆଲ ମିଡ଼ିଆ ହେଉଛି ଏକ ବିଜ୍ଞାପନ ପ୍ରଚାରକ ମାଧ୍ୟମ। ଇଣ୍ଟରନେଟ୍‌ ଦ୍ଵାରା ପରିଚାଳିତ ବାର୍ତା ପ୍ରସାରଣର ଏକ ତ୍ଵରିତ ବ୍ୟବସ୍ଥା। ଏହା ଦ୍ରୁତଗାମୀ ଓ ଦୃଶ୍ୟମାନ ହେଉଥିବାରୁ ବେଳେବେଳେ ଏହାର କିଛିଟା ଖବର, ଜୀବନକୁ ହଲଚଲ କରିଦିଏ। ସମ୍ବାଦର ସତ୍ୟତା ଖୋଜିବା ପୂର୍ବରୁ ଅନେକ ଦୁର୍ଘଟଣା ଘଟିଯାଏ। ସମ୍ବେଦନଶୀଳ ସମ୍ବାଦ ଯଦି ଶୀଘ୍ର ଏବଂ ବ୍ୟାପକ ହୁଏ, ତା’ହେଲେ ସମାଜ ଦୋହଲି ଉଠିବା ସ୍ଵାଭାବିକ। ଗଣମାଧ୍ୟମ କୌଣସି ଘୋଡ଼ାଦୌଡ଼ ପ୍ରତିଯୋଗିତା ନୁହେଁ। ଏହା ସମାଜର ସବୁଠାରୁ ବିଶ୍ଵସନୀୟ ସ୍ତମ୍ଭ। ସେଥିପାଇଁ ପ୍ରିଣ୍ଟ୍‌ ମିଡ଼ିଆ ଓ ଇଲେକ୍‌ଟ୍ରୋନିକ୍‌ ମିଡ଼ିଆଗୁଡ଼ିକ ଉପରେ କଟକଣା ରହିଛି। କିଛି ସମ୍ବାଦ ସତ୍ୟ ହେଲେ ମଧ୍ୟ ଯାହା ସମାଜକୁ କ୍ଷତି ଘଟାଏ, ତାହା ଉପରେ ଅଙ୍କୁଶ ଲାଗିଛି। ସମ୍ବାଦ ପରିବେଷଣ ନିମନ୍ତେ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ। ଏହା ବ୍ୟତୀତ ସମ୍ବାଦ ନିରୀକ୍ଷଣ ନିମନ୍ତେ ସଂପାଦକ ନିଯୁକ୍ତି ହେଉଥିବାରୁ ଏହି ସଂସ୍ଥାଗୁଡ଼ିକର ଦୁର୍ଘଟଣା ସମ୍ଭାବନା ଖୁବ୍‌ କମ୍‌।

ତେବେ ସୋସିଆଲ ମିଡ଼ିଆକୁ ବିଜ୍ଞାପନ ବ୍ୟବସାୟର ମାଧ୍ୟମ କରାଯାଉଥିବାରୁ ନିଜର ଲାଭକୁ ଦୃଷ୍ଟିରେ ରଖି ପ୍ରଚାର ପ୍ରସାର ପାଇଁ ତା’ର ସବୁ ଦ୍ଵାରା ଉନ୍ମୁକ୍ତ ରଖିଛି।ଏହା ବ୍ୟତୀତ ସମ୍ବାଦ, ପ୍ରବେଶର କୌଣସି ନିଷିଦ୍ଧ ପଥ ନଥିବା କିଂବା ସମ୍ବାଦ ନିରୀକ୍ଷକ ବା ସଂପାଦକ ନିଯୁକ୍ତି କରୁ ନଥିବାରୁ କିଛିଟା ସମ୍ବାଦ ସାମାଜିକ ଦୃଷ୍ଟିରେ ହୀନ ମନେ ହେଉଛି। ସେହିଭଳି ଆଜିର ସମାଜ ମଧ୍ୟ ପ୍ରଚାର ପ୍ରସାର ଉପରେ ଅଧିକ ବିଶ୍ଵାସ ରଖୁଥିବାରୁ ଏହି ମିଡ଼ିଆଟି ଦାମ୍ଭିକ ହୋଇ ଚାଲିଛି ଏବଂ ସୋସିଆଲ ନେଟ୍‌ଓ୍ବର୍କିଂର ସହଯୋଗୀ ହୋଇ ଆଗକୁ ମାଡ଼ି ଚାଲିଛି। ଇଣ୍ଟରନେଟ୍‌ ହେଉଛି ସାଂପ୍ରତିକ ସମାଜର ହୃତ୍‌ପିଣ୍ଡ ଭଳି ଏକ କ୍ରିୟାଶୀଳ ଅଙ୍ଗ। ଏହାକୁ ନେଇ ସଭ୍ୟ ସମାଜ ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଏହା ବିନା ସତେ ଯେମିତି ସମୟ ସ୍ତବ୍ଧ ହୋଇଯିବ।

ଫେସ୍‌ବୁକ୍‌, ହ୍ବାଟ୍‌ସ୍‌ଆପ୍‌, ଟୁଇଟର - ସୋସିଆଲ ମିଡିଆର ଏହିଭଳି ଅନେକ ଅଙ୍ଗ ଥିବା ବେଳେ ‘ଫେସ୍‌ବୁକ୍‌’ ଆଜି ବନ୍ଧୁତାର ହାତ ମିଳାଇ ଶତାବ୍ଦୀର ସମ୍ରାଟ ହେବାକୁ ଯାଉଛି।

ଫେସ୍‌ବୁକ୍‌ ଫର୍ଦରେ ଯୋଡ଼ିହେବା କୌଣସି ଅପରାଧ ନୁହେଁ। ତାରି ଭିତରେ ଅନେକ କିଛି ସମ୍ଭାବନା ଲୁଚି ରହିଛି।ନିଃସଙ୍ଗତାର ଏହି ସାଥୀଟି ଅନେକ ସାଥୀ ସଂଗଠନ କରିବା ସହିତ ସାଂପ୍ରତିକ ବିଷୟକୁ ନେଇ ଆଲୋଚନା, ତର୍କବିତର୍କ ଆଦି ପାଇଁ ସୁଯୋଗ ସୃଷ୍ଟି କରୁଛି। ଭାବର ଆଦାନପ୍ରଦାନ ସହ ନିଜର କଳାକୃତି, ଚିନ୍ତାଧାରା ଓ ଫଟୋଚିତ୍ରକୁ ପ୍ରେରଣ କରିପାରୁଥିବାରୁ ଦୂରରେ ରହୁଥିବା ଆତ୍ମୀୟ ସ୍ଵଜନ ଓ ବଂଧୁଙ୍କର ନିକଟତର ହୋଇପାରୁଛି। ବିନାମୂଲ୍ୟରେ ଫେସ୍‌ବୁକ୍‌ରେ ଯୋଡ଼ିହେବା ସହ କଂପ୍ୟୁଟର ଓ ମୋବାଇଲ ଫୋନ୍‌ ଭିତରେ ଏହାର ସୁବିଧା ଥିବାରୁ ଏହି ମାଧ୍ୟମଟି ଅଧିକ ଆକର୍ଷଣୀୟ ହୋଇଯାଇଛି। ଏହାର ଚାହିଦା ଆଜି ସର୍ବାଧିକ। ଏହା ପ୍ରଚାର ପ୍ରସାରର ଏକ ବୃହତ୍ତମ ମାଧ୍ୟମରେ ପରିଣତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ଏହି ସୋସିଆଲ ମିଡ଼ିଆ ସହିତ ଯୋଡ଼ି ହୋଇ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି।

ଅତୀତରେ ମଣିଷର ଶୁଭସକାଳ କପେ ଚାହା, ଖଂଡ଼େ ଖବରକାଗଜରୁ ଆରଂଭ ହେଉଥିଲା। ଆଜି କିନ୍ତୁ ଶୁଭସକାଳ ଆରମ୍ଭ​‌‌ ହେଉଛି ଫେସ୍‌ବୁକ୍‌ ବାର୍ତାରୁ। ଅଧୁଆ ମୁହଁରୁ ନିଜ ମୋବାଇଲଫୋନ୍‌କୁ ଅଣ୍ଡାଳି ହେଉଛି ମଣିଷ। ମୋବାଇଲ ଫୋନ୍‌ର ବୋତାମ ଉପରେ ବାରଂବାର ଅଙ୍ଗୁଳି ଟିପି ଉତ୍କଣ୍ଠାର ସହ ଫେସ୍‌ବୁକ୍‌ ପୃଷ୍ଠା ଓଲଟାଉଛି। ସତେ ଯେମିତି ତା’ରି ଭିତ​‌ରେ ତା’ ପାଇଁ ଅନେକ କିଛି ସାଇତା ରହିଛି। ଖାଲି ସେତିକି ନୁହେଁ, ଗୁଡ଼୍‌ମର୍ନିଙ୍ଗ୍‌ ଠାରୁ ଆରମ୍ଭ କରି ଗୁଡ଼୍‌ନାଇଟ୍‌ ପର୍ଯ୍ୟନ୍ତ ତା’ ସାଥୀରେ ଛାଇ ଭଳି ଲାଗିଛି। କେତେ ଜଣ ତାକୁ ଲାଇକ୍‌ କଲେଣି, କି କମେଣ୍ଟ୍‌ ଆସିଛି, ତା’ ରୂପଚର୍ଯ୍ୟାର କେତେ ପ୍ରଶଂସକ ଅଛନ୍ତି, ଏହାକୁ ନେଇ ସେ ଖୁବ୍‌ ବ୍ୟସ୍ତ।ଏଣେ ଫେସ୍‌ବୁକ୍‌ ସଭ୍ୟସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ ଏହାର ବ୍ୟବହାର ଜାଣୁ ନଥିବା ବ୍ୟକ୍ତି ଦୁର୍ଘଟଣାର ସମ୍ବାଦଟିଏ ଦେଖିଲେ ମଧ୍ୟ ଲାଇକ୍‌ ବୋତାମ ଟିପି ଦେଉଛନ୍ତି; ଯାହାକି ହାସ୍ୟାସ୍ପଦ।

ଲାଇକ୍‌, କମେଣ୍ଟ୍‌, ସେୟାର ତିନୋଟି ଅପ୍ସନ୍‌ ରଖି ଫେସ୍‌ବୁକ୍‌ ଆଜି ତା’ର କାୟା ବିସ୍ତାର କରିବାକୁ ଲାଗିଛି। ତେବେ ତା’ର କିଛି ଉଚ୍ଛୃଙ୍ଖଳ ଘଟଣା ସମାଜର ଯେଉଁଭଳି କ୍ଷତି ଘଟାଉଛି,ତାହା ନିଶ୍ଚିତ ରୂପେ ଅକ୍ଷମଣୀୟ। ଫେସ୍‌ବୁକ୍‌ ଫାସରେ ଛନ୍ଦି ହୋଇ ଯାଉଛି କିଶୋର ବୟସ। ନିଜର ପାଠ୍ୟପୁସ୍ତକ ଭୁଲି ଫେସ୍‌ବୁକ୍‌ ପୃଷ୍ଠା ଭିତରେ ଘାଣ୍ଟି ହେଉଛି। ସେ ଏତେ ଉଦ୍‌ବିଗ୍ନ ଯେ ସାମ୍ନାରେ ବସିଥିବା ଗୁରୁଜନଙ୍କ ପ୍ରତି ମଧ୍ୟ ତା’ର ହିତାହିତ ଜ୍ଞାନ ରହୁ ନାହିଁ। ତରୁଣୀଟିଏ ଶ୍ରୀରାମଚନ୍ଦ୍ରଙ୍କ ଭଳି ବରପାତ୍ରଟିଏ ଖୋଜୁ ଖୋଜୁ ରାବଣ ହାବୁଡ଼ରେ ପଡ଼ିଯାଉଛି। ସେହିଭଳି ଫେସ୍‌ବୁକ୍‌ ଚାଟିଂ, ପୋଖରୀ ତୁଠର ଚୁଗୁଲି ବୁଢ଼ୀକୁ ବି ଟପିଗଲାଣି। ସବୁଠାରୁ ଦୁଃଖଦ ଓ ଲଜ୍ଜାର ବିଷୟ ହେଉଛି ନାରୀର ଅଶ୍ଳୀଳ ଚିତ୍ରକୁ ପ୍ରଦର୍ଶନ କରିବା। ଯଦି ଏହି ଉନ୍ମାଦନାର ପକ୍ଷ ଛେଦନ କରା ନଯାଏ, ତା’ହେଲେ ସମୟକୁ ସଂଭାଳିବା କଷ୍ଟସାଧ୍ୟ ହୋଇଯିବ। କୋଟିକୋଟି ଲୋକ ବ୍ୟବହାର କରୁଥିବା ମିଡ଼ିଆ ଉପରେ ଆଇନର ମଧ୍ୟ କଡ଼ା ଦୃଷ୍ଟି ରହୁ। ସେହିଭଳି ଏହି ମାଧ୍ୟମକୁ ପ୍ରବେଶ କରୁଥିବା ଜନତା ମଧ୍ୟ ସଜାଗ ରୁହନ୍ତୁ। ଡ୍ରାଇଭରଟିଏ ଗାଡ଼ି ଚଳାଇବାରେ ଯେତେ ଦକ୍ଷ ହେଲେ ମଧ୍ୟ ସେ ଯଦି ସତର୍କ ନହୁଏ, ତା’ହେଲେ ଦୁର୍ଘଟଣା ସୁନିଶ୍ଚିତ।


ଆଜିର ସୁପର ବ୍ରେନ୍‌ ଯୁବସମାଜ ଲ୍ୟାପ୍‌ଟପ୍‌, ଟେବ୍‌ଲେଟ୍‌ ଓ ବିଭିନ୍ନ ପ୍ରକାର ମୋବାଇଲ ଧରି ଯେଉଁ ମେଣ୍ଢାପଲ ଭଳି ହେଲେଣି, ତାହାର କୁପ୍ରଭାବର ଆକଳନ ହେବା ଦରକାର। ପ୍ରାକୃତିକ ବ୍ୟବସ୍ଥା ଠାରୁ ଦୂରେଇ ରହି ଯୁବସମାଜ ପାଇଁ କୃତ୍ରିମ ପୃଥିବୀର ଅଭିଯାନ ହିଁ ସମାଜକୁ ଶାସ୍ତି ଦେଉଛି ଏବଂ ବିଜ୍ଞାପନ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଯୋଗାଉଛି। ସେହିଭଳି ଏହି ମାଧ୍ୟମକୁ ଏତେ ମାତ୍ରାରେ ଆବର୍ଜନା ପ୍ରବେଶ କଲାଣି ଯେ ଏହାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେଲେ ଫେସ୍‌ବୁକ୍‌ ବଂଦ ହୋଇଯିବାର ଆଶଂକା ଦେଖା ଦେଲାଣି। ଫେସ୍‌ବୁକ୍‌ ଖୋଲିବା ପାଇଁ କୌଣସି ଆଇଡେଣ୍ଟିଫିକେସନ୍ ଲୋଡ଼ା ହେଉ ନଥିବାରୁ ଅପରାଧୀକୁ ଧରିବା ଅସହଜ ହେଉଛି। କିଛି ନହେଲେ ମଧ୍ୟ ଫୋନ୍‌ ନଂବର ରେଜିଷ୍ଟ୍ରେସନ ଲାଗୁ କରାଗଲେ ଜନତା ସାବଧାନ ହୁଅନ୍ତେ ଏବଂ କିଛି ମାତ୍ରାରେ ଏହାର ଅପବ୍ୟବହାର କମି ପାରନ୍ତା।

(ଏହି ନିବଂଧଟି ୧ ମେ ୨୦୧୫ରେ ଭୁବନେଶ୍ଵରରେ ଅନୁଷ୍ଠିତ 
State level Seminar on DIGITAL ODISHA: Challenges & Opportunitiesରେ ଉପସ୍ଥାପିତ)

Thursday, May 7, 2015

କଟକ-ଭୁବନେଶ୍ଵର ଥାନାର ସ୍ଥାୟୀ ମୋବାଇଲ ନମ୍ବର

ଓଡ଼ିଶା ପୁଲିସ ପ୍ରଥମ କରି Closed User Group (CUG) ଭ୍ରାମ୍ୟଭାଷ ବ୍ୟବହାର ପାଇଁ ପ୍ରୟାସ ଆରମ୍ଭ କରିଛି। ଏହା ଆରମ୍ଭ ହୋଇଛି ଭୁବନେଶ୍ଵର କମିଶନରେଟ୍‌ ପୁଲିସ କାର୍ଯ୍ୟପରିସର ମଧ୍ୟରେ। ଏଣିକି ଆଉ ଥାନାବାବୁ ଅଥବା ବରିଷ୍ଠ ଅଧିକାରୀମାନଙ୍କ ନମ୍ବର ବଦଳିବ ନାହିଁ। କିନ୍ତୁ ସେମାନଙ୍କୁ ବ୍ୟକ୍ତିଗତ ଯୋଗାଯୋଗ ପାଇଁ ଏହି ନମ୍ବର ବ୍ୟବହାର କରାଯିବା ଅନୁଚିତ। କାରଣ ଏହା ସଂପୃକ୍ତ ପଦବୀ ପାଇଁ ପ୍ରଦତ୍ତ ସ୍ଥାୟୀ ନମ୍ବର। 
Designation
Cell No.
Designation
Cell No.
Police Commissioner
8280338300
Infocity PS
8280338325
Addl. Police Commissioner
8280338301
Chandrasekharpur PS
8280338326
DCP (Head Quarters)
8280338304
R.I., Bhubaneshwar
8280338327
DCP (Traffic)
8280338305
KATAK

BHUBANESHWAR

DCP
8280338303
DCP, Bhubaneshwar
8280338302
ACP, Zone 1
8280338328
ACP, Zone 1
8280338306
ACP, Zone 2
8280338329
ACP, Zone 2
8280338292
ACP, Zone 3
8280338330
ACP, Zone 3
8280338293
ACP, Zone 4
8280338331
ACP, Zone 4
8280338294
ACP, Zone 5
8280338332
ACP, Zone 5
8280338295
ACP, Zone 6
8280338334
ACP, Zone 6
8280338296
ACP, Traffic
8280338335
ACP, Teraffic
8280338297
THANA BABUs

THANA BABUs

Traffic PS
8280338336
Traffic PS, AG Square
8280338298
Choudwar PS
8280338337
Traffic PS, CSPur
8280338299
Jagatpur PS
8280338338
Capital PS
8280338307
Malgodown PS
8280338339
Kharavelanagar PS
8280338308
Mangalabag PS
8280338340
WOMEN PS
8280338309
Cantonment PS
8280338341
Dhauli PS
8280338310
Dargahbazar PS
8280338342
Shri Lingaraj PS
8280338311
Women PS
8280338343
Air Field PS
8280338312
Lalbag PS
8280338344
Jatani PS
8280338313
Bidanasi PS
8280338345
Tamando PS
8280338314
Marakatnagar PS
8280338346
Khandagiri PS
8280338315
CDA Phase-2 PS
8280338347
Badagada PS
8280338316
Sadar PS, Katak
8280338348
Laxmisagar PS
8280338317
Baranga PS
8280338349
Balianta PS
8280338318
Chauliaganj PS
8280338350
Balipatana PS
8280338319
Kandarpur PS
8280338351
Nayapalli PS
8280338320
Purighat PS
8280338352
Mancheshwar PS
8280338321
Madhupatna PS
8280338353
Saheednagar PS
8280338322
Badambadi PS
8280338354
Chandaka PS
8280338323
RI, Katak
8280338355
Nandankanan PS
8280338324
Bhubaneshwar- Katak
Police

ପ୍ରଥମ ଦଫାରେ ୬୩ ଜଣ ପଦାଧିକାରୀଙ୍କୁ ସିମ୍ ବଣ୍ଟା ଯାଇଛି। ଏହା ହେଉଛି ବିଏସ୍‌ଏନ୍‌.ଏଲ୍‌. 3G ସିମ୍‌। ହେଲେ ଅଧିକାରୀମାନଙ୍କୁ ଉପଯୁକ୍ତ ଆଣ୍ଡ୍ରଏଡ଼୍‌ ହ୍ୟାଣ୍ଡ୍‌ସେଟ୍‌ ଦିଆଯାଇ ନଥିବାରୁ ଖୁବ୍‌ ଶୀଘ୍ର ଉପଯୁକ୍ତ ହ୍ୟାଣ୍ଡ୍‌ସେଟ୍‌ ଦେବେ ବୋଲି ଜରାପଡ଼ିଛି। ଯେଉଁଥିରେ ଓଡ଼ିଶା ପୁଲିସ୍‌ App, Facebook, WhatsApp ରହିବ। ଜନସାଧାରଣ ନିଜ ଆବଶ୍ୟକତାନୁସାରେ କଲ୍‌ କରି ଜଣାଇବା ସହ SMS ପଠାଇପାରିବେ। ଫଟୋ ଓ ଭିଡ଼ିଓ ପଠାଇ ମଧ୍ୟ ଜଣାଇପାରିବେ। ପୁଲିସକୁ ପରାମର୍ଶ ଦେଇପାରିବେ। ସବୁଯାକ ନମ୍ବରର ଗୋଟିଏ WhatsApp ଗୃପ୍‌ ହେବ। ତେଣୁ କୌଣସି ବାର୍ତା, ଫଟୋ, ଭିଡ଼ିଓ ସମସ୍ତଙ୍କ ପାଖରେ ପହଞ୍ଚିବ। ଅତି ଜରୁରୀ ପରିସ୍ଥିତିରେ ତଳିଆ ଅଧିକାରୀ ମଧ୍ୟ ଫୋନ୍‌ କଲ୍‌ ଗ୍ରହଣ କରିବେ।

ଏହି ନମ୍ବରଗୁଡ଼ିକ କମିସନରେଟ୍‌ ପୁଲିସର ୱେବ୍‌ସାଇଟ୍‌, ଫେସ୍‌ବୁକ୍‌ ଓ ହ୍ୱାଟ୍‌ସ୍‌ଆପ୍‌ ଗୃପ୍‌ରେ ରହିବ। ଯେକୌଣସି ବ୍ୟକ୍ତି ସେଠାରୁ ନମ୍ବର ସଂଗ୍ରହ କରିପାରିବେ।

ଆମ୍ଭର ମନ୍ତବ୍ୟ:
୧. ସିୟୁଜି ନମ୍ବରରେ ପରସ୍ପର ମଧ୍ୟରେ ଅସୀମିତ କଥା ହେବାର ସୁବିଧା ରହିଥାଏ। ତେଣୁ ପୁଲିସ ଅଧିକାରୀମାନେ ନିଜ ବେପାର ଓ ଉପୁରି ପାଇଁ କଥା ହେବାରେ ଏହି ମାଗଣା ଟକ୍‌ଟାଇମ୍‌କୁ ଭରପୂର ଉପଯୋଗ କରିବାର ଆଶଙ୍କା ରହିଛି।

୨. ଯୌବନଦୀପ୍ତ ଅଧିକାରୀମାନେ ପ୍ରେମାଳାପରେ ମଧ୍ୟ ଫୋନ୍‌କୁ ବ୍ୟସ୍ତ ରଖିବେ। ପ୍ରେମିକାମାନେ ମଧ୍ୟ ନିଷ୍କଣ୍ଟକ ଭାବରେ ଆଳାପ କରିବା ପାଇଁ ଜାଣି ଜାଣି ଏହି ସରକାରୀ ନମ୍ବରକୁ ବ୍ୟସ୍ତ ରଖିପାରନ୍ତି।

୩. ପୁଲିସ୍‌ ସଂଗଠନ ‘‘ଖଜୁରୀଗଛର ....ପାହାଚ ପାହାଚ’’ ହୋଇଥିବାରୁ ଉପରୋକ୍ତ ଆଶଙ୍କାକୁ ଟାଳିବା ପାଇଁ କୌଣସି ନିରୀକ୍ଷଣ ବ୍ୟବସ୍ଥା ଚେଷ୍ଟା କଲେ ବି କାର୍ଯ୍ୟକାରୀ ହେବ ନାହିଁ।

୪. ଫେସ୍‌ବୁକ୍‌ ଓ ହ୍ୱାଟ୍‌ସ୍‌ଆପ୍‌ App, ସଂପୃକ୍ତ ଅଧିକାରୀମାନଙ୍କୁ ଚଗଲା କରିପାରେ। ଅର୍ଥାତ୍‌ ଅକାମରେ ବ୍ୟସ୍ତ ରଖିପାରେ। ଯାହାକି ସାଧାରଣନାଗରିକଙ୍କୁ ବିବ୍ରତ କରିବାର କାରଣ ହୋଇପାରେ।

୫. ସବୁଠୁ ବିପଜ୍ଜନକ ହେଉଛି - ହ୍ୟାଣ୍ଡ୍‌ସେଟ୍‌ ଖରାପ ହୋଇଛି, ବ୍ୟାଟେରି ଖରାପ ହୋଇଛି ବାହାନାରେ କେହି କେହି ଫୋନ୍‌କୁ ବନ୍ଦ ରଖି ଦେଇ ପାରନ୍ତି।

୬. ଠକିବାର ବାଟଗୁଡ଼ିକ ଯଦି ସୁରୁଖୁରୁ​‌ରେ ନଚାଲେ, ତେବେ ଅଧିକାରୀମାନେ କିଛି ନା କିଛି ବାହାନା କରି ଫୋନ୍‌ ରିସିଭ୍‌ କରିବାକୁ କନିଷ୍ଠମାନଙ୍କୁ ବ୍ୟବହାର କରିବାଟା ଥୟ। ଯାହାଦ୍ଵାରା ଆପଣ ଅସଲ ପଦାଧିକାରୀଙ୍କ ସହ କଥା ହୋଇ ନପାରି ବା ଯୋଗାଯୋଗ କରି ନପାରି ବ୍ୟତିବ୍ୟସ୍ତ ହେବେ ଏବଂ ଏହି ବ୍ୟବସ୍ଥା ଉପରୁ ଆସ୍ଥା ତୁଟାଇ ଦେବେ।
୭. ଆଜିକାଲି ଡୁଆଲ ସିମ୍‌ ଫୋନ୍‌ ହିଁ ବଜାରରେ ମିଳୁଥିବାରୁ, ଅନ୍ୟ ସିମ୍‌ଟି ଯଦି ବାବୁଙ୍କ ବ୍ୟକ୍ତିଗତ ନମ୍ବର ହୋଇଥାଏ, ତେବେ କଥା ସରିଲା ଜାଣନ୍ତୁ।

୮. ଏହି ନମ୍ବରରେ ୨୪-ଘଣ୍ଟା ଇଣ୍ଟରନେଟ୍‌ ସଂଯୋଗ ରହୁଥିବାରୁ ବାବୁଙ୍କ ପରିବାର ସଦସ୍ୟମାନେ ମଧ୍ୟ ଚଗଲାମି କରିବା ଏକ ବିଚିତ୍ର କଥା ନୁହେଁ।

୯. ବାବୁ ଯଦି ହ୍ୟାଣ୍ଡ୍‌ସେଟ୍‌ ହଜାଇ ଦିଅନ୍ତି, ତାହାକୁ ଖୋଜି ପାଇବାର ବ୍ୟବସ୍ଥାକୁ ପ୍ରୟୋଗ କରିପାରିବେ ତ? ଯଦି ପାଇଥିବା ବ୍ୟକ୍ତି ବା ଲୁଟିଥିବା ବ୍ୟକ୍ତି ସିମ୍‌ ବ୍ୟବହାର ନକରି କେବଳ WiFiରେ ବ୍ୟବହାର କରନ୍ତି, ତେବେ ସେଭଳି କ୍ଷେତ୍ରରେ ନୂଆ ହ୍ୟାଣ୍ଡ୍‌ସେଟ୍‌ ମୂଲ୍ୟ ସଂପୃକ୍ତ ଅଧିକାରୀ ବହନ କରିବେ ତ?

୧୦. ହ୍ୟାଣ୍ଡ୍‌ସେଟ୍‌ରେ ଓଡ଼ିଆ ପଢ଼ିବା, ଲେଖିବା ହୋଇପାରୁଥିବା ଦରକାର। ତେଣୁ ଆମେ ପ୍ରସ୍ତାବ ଦେଉଛୁ ତାହା Micromax Unite ଅଥବା Samsung Z1 ମଡ଼େଲ୍‌ର ହେବା ଉଚିତ। ତେବେ ଅଧିକ ଇଣ୍ଟରନାଲ ମେମୋରି ପାଇଁ ବରାଦ କରାଯିବା ଦରକାର। ନିହାତି 8GB ବା 16GB ମେମୋରି ରହିବା ଦରକାର।

୧୧. ଆଣ୍ଡ୍ରଏଡ଼୍‌ ସେଟ୍‌ର କଲ୍‌ ରେକର୍ଡ଼ର App ସବୁବେଳେ ଅନ୍‌ ରହିବା ଦରକାର। ଯାହା ଫଳରେ ବାବୁ ଯଦି ଟିକେ ନାଲିପାଣିରେ ଥିବେ, ତେବେ ନିଶା ଉତୁରିଲେ ବି ରେକଡିଂକୁ ଶୁଣି, ଘଟଣା କ’ଣ ବୁଝିପାରି ତାହା ଉପରେ ତୁରନ୍ତ ପଦକ୍ଷେପ ନେଇ ପାରିବେ। ନଚେତ୍‌ ଉପରିସ୍ଥଙ୍କ ପାଖରେ ନିଜକୁ ନିର୍ଭୁଲ ବୋଲି ଦର୍ଶାଇବାର ବାଟ ବାହାର କରିପାରିବେ। ଅନ୍ୟଥା କଥାବାର୍ତ୍ତାକୁ ପୁଣି ଥରେ ଶୁଣି ଠିକ୍‌ରେ ବୁଝିବାକୁ ଚେଷ୍ଟା କରିପାରିବେ।

୧୨. ଏହି ଭ୍ରାମ୍ୟଭାଷ ବ୍ୟବସ୍ଥା ଏକ ଉତ୍ତମ ବ୍ୟବସ୍ଥା। ଏହା ପୁଲିସ ବାବୁମାନଙ୍କୁ କର୍ତ୍ତବ୍ୟନିଷ୍ଠ ହେବାକୁ ବାଧ୍ୟ କରିବ। କିନ୍ତୁ ଉପୁରି-ପିପାସୁ ଓ କର୍ମକୁଢ଼ି ବାବୁମାନେ ବୀତସ୍ପୃହ ହେବାଟା ଜଳଜଳ ଦିଶିଯାଉଛି।


Blogger:- बिमल प्रसाद, 9439828178