Tuesday, April 28, 2015

ନେପାଳର ଦୁଃଖମୋଚନ ପାଇଁ...

ଗତ ସାତ ଦିନ ଭିତରେ ପଡ଼ୋଶୀ ରାଷ୍ଟ୍ର ନେପାଳରେ ୫୮ ଥର ଭୂମିକମ୍ପ ହେବା ଏକ ଭୟଙ୍କର ଖବର ସମସ୍ତଙ୍କ ପାଇଁ। ଏଣେ ମୃତ୍ୟୁସଂଖ୍ୟା ୧୦ହଜାର ଟପିବ ବୋଲି ଖୋଦ୍‌ ନେପାଳ ପ୍ରଧାନମନ୍ତ୍ରୀ କହିଲେଣି। ନେପାଳବାସୀଙ୍କ ଦୁଃଖମୋଚନ ପାଇଁ କେବଳ ପ୍ରାର୍ଥନା କଲେ ହେବ ନାହିଁ। ଏଥିପାଇଁ ସତତ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ହେବା ଦରକାର। ଆଉ ଏ ସବୁ ଭାରତ ପକ୍ଷରୁ ନିହାତି ହେବା ଉଚିତ। 

ମାନନୀୟ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଭୁଟାନ୍‌ ଗସ୍ତ କରିଥିଲେ। ଯଦିଓ ନେପାଳ ଥିଲା ତାଙ୍କର ପ୍ରଧାନ ଟାର୍ଗେଟ୍‌। ଏବଂ ପରେ ସେ ନେପାଳ ଗସ୍ତ କରିଥିଲେ। କାରଣ ନେପାଳ ଆମର ପ୍ରଧାନ ବନ୍ଧୁ ବୋଲି ଦାପ୍ତରିକ ଭାବେ ବିବେଚନା କରି ନେପାଳବାସୀଙ୍କ ଭାରତ ପ୍ରବେଶ ଉପରେ କୌଣସି କଟକଣା ରଖାଯାଇ ନାହିଁ। ଯାହାର ସୁଯୋଗ ଉଣ୍ଡି ଉଗ୍ରପନ୍ଥୀମାନେ ନେପାଳ ପଟୁ ଭାରତକୁ ପଶୁଛନ୍ତି ଏବଂ ଭାରତରେ ଆତଙ୍କର କାରଣ ପାଲଟୁଛନ୍ତି। ଅନ୍ୟ ପକ୍ଷରେ ନେପାଳରେ ବିଭିନ୍ନ ଆତଙ୍କବାଦୀ ସଂଗଠନର ଗୁପ୍ତ ଆଡ଼୍ଡ଼ାମାନ ରହିଛି। ଆଉ ଭାରତକୁ ଚୀନୀ ହସ୍ତଶିଳ୍ପ ସାମଗ୍ରୀର ଚାଲାଣ ପଥ ହେଉଛି ନେପାଳ। ଶହ ଶହ ସାମଗ୍ରୀ ଏବେ ଭାରତକୁ ଚୀନ୍‌ରୁ ଆସୁଛି, ଯେଉଁଗୁଡ଼ିକ ବଜାରରେ ନମିଳିଲେ ଭାରତରେ ଜୀବନଯାପନ ମଧ୍ୟ ପ୍ରଭାବିତ ହେବ। ତାହା ଖେଳଣା ହେଉ ଅବା ଚୀନି କାର୍ଟୁନ୍‌ ଫିଲ୍ମ ଅବା ମଶାମରା ରାକେଟ୍‌।

ଏବେ ସିଧାସଳଖ ତଳଲିଖିତ ବିନ୍ଦୁଗୁଡ଼ିକ ଉପରେ ଚର୍ଚ୍ଚା କଲେ ସବୁ କଥା ସହଜ ହୋଇଯିବ:
(୧) ନେପାଳ-ଭାରତ ବନ୍ଧୁ ରାଷ୍ଟ୍ର କେବଳ ଭାଷଣରେ। କାରଣ ନେପାଳୀମାନେ ଭାରତକୁ ହିଁ ବେଶି ଘୃଣା କରନ୍ତି। ଯଦିଓ ୩୦ ପ୍ରତିଶତ ନେପାଳୀ ପରିବାର ଗୋଟାପଣେ ନିଜନିଜର ପେଟପାଟଣା ପାଇଁ ଭାରତ ଉପରେ ନିର୍ଭରଶୀଳ। ତେବେ ଏହି ଘୃଣାକୁ ପ୍ରେମରେ ପରିଣତ କରିବାର ଏକ ପ୍ରକୃଷ୍ଟ ସୁଯୋଗ ହେଉଛି ଏହି ବିପର୍ଯ୍ୟୟ ବେଳରେ ଠିଆ ହେବା। ଚାଣକ୍ୟ ନୀତି ଅନୁସାରେ ଭାରତ ଏହି କାମ ନିଷ୍ଠାର ସହ କରିବା ଦରକାର।

(୨) ଦକ୍ଷିଣ ଏସିଆରେ ଚୀନ୍‌ ନିଜର ଆଧିପତ୍ୟ ବିସ୍ତାର କରି ପାକିସ୍ତାନ, ମାଲଡିଭିସ୍‌, ଶ୍ରୀଲଙ୍କା, ବାଙ୍ଗଲାଦେଶ ପ୍ରଭୃତି ଦେଶକୁ ନିଜ ଆଡ଼କୁ ଢଳାଇବାରେ ସମର୍ଥ ହୋଇଥିବା ବେଳେ ଆମ ଦେଶର କୂଟନୀତିଜ୍ଞମାନେ ଆପାତତଃ ଚୁପ୍‌ ବସିଛନ୍ତି। ତେଣୁ ତିବ୍ବତ ରାଷ୍ଟ୍ର ଚୀନ୍‌କୁ ଚାଲିଯିବା ଭଳି କେବେ ନେପାଳ ଯେ ଚୀନ୍‌ ଅଧୀନକୁ ଚାଲି ନଯିବ, ଏହା କହି ହେବ ନାହିଁ। 

(୩) ଆମ ଦେଶରେ ମଧ୍ୟ ବୁଲେଟ୍‌ ଟ୍ରେନ୍‌ ପ୍ରଚଳନ, ବହୁତଳ ପ୍ରାସାଦ ନିର୍ମାଣ, ବନ୍ଦର ନିର୍ମାଣ ଭଳି ବିଭିନ୍ନ ଇନ୍‌ଫ୍ରାଷ୍ଟ୍ରକ୍‌ଚର କାମ କରିବାକୁ ବିକଳ ହେଉଥିବା ଚୀନ୍‌ ଶେଷରେ ନେପାଳକୁ ସେହି ସହଯୋଗ ଦେଇ ନେପାଳର ମନ ସହଜରେ ଜିଣି ଯାଇ ପାରିବ। ତେଣୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସରିବା ପରେ ନେପାଳର ପୁନଃନିର୍ମାଣ କାମ ଭାରତ ହିଁ କରିବା ଦରକାର। କାରଣ ଯିଏ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ନିର୍ମାଣ କରିବ, ତାହାଙ୍କୁ ନେପାଳବାସୀ ବେଶି ମନେ ରଖିବେ। କିଏ ରିଲିଫ୍‌ ଖାଇବାକୁ ଦେଇଥିଲା ବା ଘାଆରେ ମଲମ ବୋଳି ଥିଲା, ତାହା ଭୁଲି ଯାଇଥିବେ। ଏହା ଭୁଲିଯିବାର ଏକ ସାଧାରଣ ମନୋବିଜ୍ଞାନ।

(୪) ଯୁକ୍ତରାଷ୍ଟ୍ର ଆମେରିକାକୁ ଟେଲିଫୋନ୍‌ କଲ୍‌ ମିନିଟ୍‌ ପିଛା ଅଢେଇ ଟଙ୍କା ପଡୁଥିବା ବେଳେ ନେପାଳକୁ ପଡୁଛି ୧୨ ଟଙ୍କାରୁ ବେଶି। ଏହା ଭାରତ ଭଳି ଏକ ବଡ଼ଭାଇ ରାଷ୍ଟ୍ର ପାଇଁ ଲଜ୍ଜାଜନକ କଥା। ମିନିଟ୍‌ ପିଛା ଯେପରିକି ଟଙ୍କାଏ ବା ଦେଢ଼ଟଙ୍କାରେ ଭାରତରୁ ନେପାଳକୁ ଓ ନେପାଳରୁ ଭାରତକୁ ଟେଲିଫୋନ୍‌ କଲ୍‌ ହୋଇପାରିବ, ତାହା ଉପରେ ଧ୍ୟାନ ଦେବା ଦରକାର। 

(୫) ଅନ୍ୟ ପକ୍ଷରେ ନେପାଳରେ ସଡ଼କଗୁଡ଼ିକର ଅବସ୍ଥା ମଧ୍ୟ ଭାରୀ ଖରାପ। ତେଣୁ ସବୁ ସତର୍କତା ଅବଲମ୍ବନ କରି ସୁଦ୍ଧା ସଡ଼କ ଦୁର୍ଘଟଣା ଏକ ସାଧାରଣ ଘଟଣା। ଏପରିକି ଭୂମିକମ୍ପ ପୂର୍ବରୁ ମଧ୍ୟ ୩୦ ଜଣ ଭାରତୀୟ ପର୍ଯ୍ୟଟକ ଏଭଳି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଟେଲିଯୋଗାଯୋଗ ଓ ସଡ଼କ ଯୋଗାଯୋଗ ପାଇଁ ଭାରତ ପୂରା ଦମ୍‌ରେ କାମ କରିବା ଦରକାର।  ଏଥି ପାଇଁ ଆବଶ୍ୟକ ରାଜିନାମା ମଧ୍ୟ ତୁରନ୍ତ ପ୍ରସ୍ତୁତ ହେବା ଦରକାର। 

(୬) ରାଜପଥ ଓ ସଡ଼କ ନିର୍ମାଣ କାମ ଭାରତୀୟ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀମାନଙ୍କୁ ମିଳିବା ଦରକାର। ଦେଶର ସରକାରୀ ନିର୍ମାଣ ସଂସ୍ଥା Boarder Roads Organisation (BRO) ଏକ ନିକମା ସଂସ୍ଥା ରୂପେ ପ୍ରମାଣିତ ହୋଇଥିବାରୁ ତାହାକୁ ବିଦେଶରେ କାମ ଦେଇ ଭାରତ ନିନ୍ଦିତ ହେବା ଅନୁଚିତ।

(୭) ସେହିପରି ରେଳପଥ ସଂପ୍ରସାରଣରେ ମଧ୍ୟ ଭାରତୀୟ ରେଳବାଇ କାର୍ଯ୍ୟ କରିବା ଦରକାର।

(୮) ଏ ସବୁ ପଛରେ ଗୋଟିଏ ପ୍ରସଙ୍ଗ ଚିନ୍ତାର ପ୍ରସଙ୍ଗ, ତାହା ହେଉଛି ଆତଙ୍କବାଦର ନିରାକରଣ। ନେପାଳ ଜନସଂଖ୍ୟାର ଏକ ପୂର୍ଣାଙ୍ଗ ଅନ୍‌ଲାଇନ୍‌ ଡାଟାବେସ୍‌ ପ୍ରସ୍ତୁତ ହୋଇପାରିଲେ, ତାହାକୁ କୌଣସି ଚେକ୍‌ପୋଷ୍ଟ୍‌ରେ ଯାଞ୍ଚ କରାଯାଇପାରିବ। ଆମ ଦେଶ ଭାରତ ନିଜକୁ ସଫ୍ଟୱେର ମହାଶକ୍ତି ରୂପେ ବିବେଚନା କରୁଥିବାରୁ, ଏହା ନିହାତି ହେବା ଦରକାର। ଆଧାର କାର୍ଡ଼ ଓ ଭୋଟର ପରିଚୟ ପତ୍ର ଇତ୍ୟାଦି ଆମ ଦେଶରେ ଏବେ ସୁଦ୍ଧା ବିଫଳ ହୋଇଥିବାରୁ ସେଭଳି ପ୍ରକଳ୍ପକୁ କ୍ଷୁଦ୍ର ରାଷ୍ଟ୍ର ନେପାଳରେ ପାଇଲଟ୍‌ ଭିତ୍ତିରେ ଭାରତ ଗୋଟାପଣେ ମାଗଣାରେ କରୁ।

(୯) ନେପାଳର ସାର୍ବଭୌମତ୍ଵ ଉପରେ ହସ୍ତକ୍ଷେପ ନକରି ବିଭିନ୍ନ ବିକାଶମୂଳକ କାର୍ଯ୍ୟଗୁଡ଼ିକରେ ହସ୍ତକ୍ଷେପ କରିବାର ଅଧିକାର ଭାରତ ନିଜ ପାଖରେ ରଖିବା ଦରକାର। IIMର ଉତ୍ତୀର୍ଣ ବିଦ୍ୟାର୍ଥୀମାନଙ୍କୁ ନେଇ ଦୀର୍ଘମିଆଦୀ ବିଜିନେସ୍‌ ପ୍ଲାନ୍‌ ପ୍ରସ୍ତୁତ ହେବା ଦରକାର। 

(୧୦) ପରିସ୍ଥିତି ଏପରି ହେଉ କି ଦିନେ ନା ଦିନେ ନେପାଳ, ଭାରତର ଏକ ରାଜ୍ୟ ହୋଇଯିବା ପାଇଁ ସିକିମ୍‌ ଭଳି ନିଜ ଆଡୁ ପ୍ରସ୍ତାବ ଦେଉ। 

ମୌଳିକ ଭାବେ ଆମ୍ଭେ ଏସବୁ ଓଡ଼ିଆରେ ଲେଖିଥିବାରୁ ହୁଏତ ଏହା ଆମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ତେଣୁ ଇଂଲିଶ୍‌ ସାମ୍ବାଦିକମାନେ ଏହାକୁ ନିଜନିଜ ବାଗରେ ରିପୋର୍ଟ କରିବେ ବୋଲି ଆମ୍ଭେ ଆଶା କରୁଛୁ। ଆଉ ନିଜକୁ ବୈଦେଶିକ ବ୍ୟାପାର ବିଶେଷଜ୍ଞ ବୋଲି ଦାବି କରୁଥିବା ବ୍ୟକ୍ତିମାନେ ଏହି ବେଳାରେ ରାଷ୍ଟ୍ରନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ପାଇଁ ସକ୍ରିୟ ହୋଇ ଉଠିବେ ବୋଲି ଆମ୍ଭର ବିଶ୍ଵାସ।

ଆଦିବାସୀ ଝିଅଟିର ପରିସର

ପରଂପରା ଓ ମୁଖ୍ୟସ୍ରୋତ: ଆଦିବାସୀ ଝିଅଟିର ପରିସର
ବିଦୁଲତା ହୁଇକା, ବାରିଝୋଲା, ରାୟଗଡ଼, ଓଡ଼ିଶା
(ଏହି ଲେଖାଟି ‘ସମାଜ’ ୨୬.୦୪.୨୦୧୫ ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ)

ମୋର ସେତେବେଳର ବୟସ ଊଣେଇଶ। ସ୍ନାତକ ସାରିଥାଏ। ୧୯୮୪ ମସିହାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ର ନିଲାବାଡ଼ି ସରକାରୀ କନ୍ୟାଶ୍ରମରେ ଯୋଗ ଦିଏ ଶିକ୍ଷୟିତ୍ରୀ ଭାବରେ। ଏହା ପୂର୍ବରୁ ପୁଲିସ ସବ୍‌ଇନିସ୍ପେକ୍ଟର ପଦରେ ସୁଯୋଗ ମିଳିଥିଲେ ବି ମୋର ଶିକ୍ଷକ ବାପା, ନିରକ୍ଷରା ମାଆ ଓ ଆଦିବାସୀ ଗାଆଁ ସମାଜର ଚାପରେ (‘‘ୟେ ପୁଲିସ୍‌ ହବ, ଆମକୁ ପିଟିବ...’’) ଇଚ୍ଛା ଥିଲେ ବି ଯୋଗ ଦେଇ ପାରେ ନାହିଁ। କିଛି ଦିନ ସକେଇ ହେବା, ରାଗିବା, ଖିଆପିଆ ଛାଡ଼ିଦେବା ଦେଖି ମାଆବାପା ଓ ସମାଜ ସ୍ଵୀକୃତି ଦିଅନ୍ତି ଶିକ୍ଷୟିତ୍ରୀ ରୂପେ ଯୋଗ ଦେବା ପାଇଁ।

ରାୟଗଡ଼ର ଠକ୍କରବାପା ଆଶ୍ରମରୁ ମାଟ୍ରିକ୍‌ ପାସ୍‌ କରିବା ପରେ କଲେଜ ନପଢ଼ିବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। ସେତେବେଳେ ବି ରାଗୀ, ରୁଷି, ନଖାଇ ଜିତି ଥିଲି। ଗୁଣପୁର ମହାବିଦ୍ୟାଳୟରେ ପାଠ ପଢ଼ିଥିଲି। ସେଠାରେ ସ୍ପୋର୍ଟସ ଚାମ୍ପିଅନ୍‌ ମଧ୍ୟ ହୋଇଥିଲି। ସେ ସମୟରେ ଗୁଣପୁର କଲେଜରେ ମୋ ଛଡ଼ା ପ୍ରାୟତଃ ଆଉ କେହିଆଦିବାସୀ ଛାତ୍ରୀ ନଥିଲେ। ରାୟଗଡ଼ ଜିଲ୍ଲାର ଏକ ଅଗମ୍ୟ ବଣଜଙ୍ଗଲଘେରା ‘ରଢ଼ାଙ୍ଗି’ ଗାଆଁରୁ ଗୁଣପୁର କଲେଜ ପର୍ଯ୍ୟନ୍ତ ଏକ ସଂଘର୍ଷମୟ ଯାତ୍ରା ବଖାଣିବା ଏ ଲେଖାର ଉଦ୍ଦେଶ୍ୟ ନୁହେଁ। ଚାକିରି ଜୀବନ ମଧ୍ୟରେ ସ୍ନାତକୋତ୍ତର ଓ ଆଇନ ଡିଗ୍ରୀ ହାସଲ କରିଛି। ୧୦ ବର୍ଷର ଚାକିରି ପରେ ଚାକିରି ଛାଡ଼ି ସମାଜସେବା ଭଳି ଏକ ଅନିଶ୍ଚିତତାପୂର୍ଣ କାର୍ଯ୍ୟରେ ଯୋଗ ଦେଇଛି । ଗତ ୩୦ ବର୍ଷର ଯାତ୍ରା କେବଳ ସମ୍ଭବ ହୋଇଛି ମାଆବାପାଙ୍କ ଆଶିର୍ବାଦ ଓ ଗାନ୍ଧିବାଦୀ ବିଶ୍ଵନାଥ ପଟ୍ଟନାୟକ (ସମ୍ମାନୀୟ ‘ଆଜ୍ଞା’), ଡକ୍ଟର ରତନ ଦାସ, ମଧୁସୂଦନ ସାହୁ ଓ ଯମୁନାଲାଲ ବଜାଜ ପୁରସ୍କାରପ୍ରାପ୍ତ ଶ୍ରୀମତୀ ଶାନ୍ତି ଦେବୀଙ୍କ ଦିଗ୍‌ଦର୍ଶନ ଏବଂ ମୋର ଜୀବନସାଥୀ ବାଦଲ କୁମାରଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ।

ଏ ସବୁ ଲେଖିବାର କାରଣ ହେଉଛି ଯେ କିପରି ମୋ’ ପରି ଏକ ଆଦିବାସୀ ଝିଅ ସେକାଳରେ ପରମ୍ପରାକୁ ସମ୍ମାନ ଦେଇଛି ଏବଂ ତା’ର ଅଦମ୍ୟ ଇଚ୍ଛା ବଳରେ ମୁଖ୍ୟସ୍ରୋତରେ ମଧ୍ୟ ସାମିଲ ହୋଇଛି। ମୋ ଭଳି କେତେକ ମଧ୍ୟ ଏଭଳି ପଥ ଅନୁସରଣ କରିଥିବେ। ଏକ ଅନୁକୁଳ ତଥା ଆବାସିକ ପରିବେଶରେ ପରମ୍ପରା ଓ ମୁଖ୍ୟସ୍ରୋତର ସଂଗମ ଘଟେ ବୋଲି ମୋର ଅନେକ ସମୟରେ ପ୍ରତ୍ୟୟ ହୋଇଛି। ତେଣୁ ସରକାରଙ୍କ ଦ୍ଵାରା ପରିଚାଳିତ ଆଦିବାସୀମାନଙ୍କ ପାଇଁ ଆବାସିକ ବିଦ୍ୟାଳୟ​‌ରେ ଏହି ପ୍ରକ୍ରିୟା ସମ୍ଭବ ବୋଲି ମୋର ଏହି ଉକ୍ତିକୁ ବାରମ୍ବାର ଦୋହରାଇବାକୁ ମୁଁ କୁଣ୍ଠାବୋଧ କରିବି ନାହିଁ। ତେବେ ନିକଟ ଅତୀତରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଯେଭଳି ଭାବେ ନାବାଳିକା ଆଦିବାସୀ ଛାତ୍ରୀମାନେ ଅନ୍ତଃସତ୍ତ୍ଵା ହେଉଛନ୍ତି, ପ୍ରସବ କରୁଛନ୍ତି, ତାହା ମୋ’ ବିଶ୍ଵାସର ଏରୁଣ୍ଡିବନ୍ଧ ଡେଇଁ ହୃଦୟକୁ ଆନ୍ଦୋଳିତ କରୁଛି। କେଉଁଠି ଭୁଲ୍‌ ରହିଛି? କେଉଁଠି କଳୁଷତା ଗ୍ରାସ କରୁଛି? ପରମ୍ପରାରେ ନା ମୁଖ୍ୟସ୍ରୋତରେ? ଆଦିବାସୀ ପରମ୍ପରାରେ ମୋର ପ୍ରଗାଢ଼ ବିଶ୍ଵାସ। ସେଠାରେ ଧର୍ଷଣ ହୁଏ ନାହିଁ। ଲୁଚାଛପାରେ ଝିଅଟି ଅନ୍ତଃସତ୍ତ୍ଵା ହୁଏ ନାହିଁ। ପରକୀୟା ପ୍ରୀତି ହୁଏ ନାହିଁ। ଯୌତୁକ ଜନିତ ନିର୍ଯାତନା ବା ହତ୍ୟା ହୁଏ ନାହିଁ। ଆମ ସମାଜ ଝିଅ ଓ ପୁଅର ପ୍ରେମକୁ ସ୍ଵୀକୃତି ଦିଏ ଏବଂ ସେମାନଙ୍କର ବିବାହକୁ ପୂରା ଗାଆଁ ଉପଭୋଗ କରେ, ବିଭୋର ହୁଏ। ଛାଡ଼ପତ୍ର ବ୍ୟବସ୍ଥା ଓ ବିଧବା ବିବାହ ପ୍ରଥା ଅତି ସରଳ। କନ୍ୟାଭ୍ରୂଣ ହତ୍ୟା ହୁଏ ନାହିଁ। ଝିଅ ଜନ୍ମ ହେଲେ ଅଫୁରନ୍ତ ଆନନ୍ଦରେ ମାତି ଯାଆନ୍ତି ମାଆବାପା, ପରିବାର ଓ ସମାଜ। ତେଣୁ ତଥାକଥିତ ‘ମୁଖ୍ୟସ୍ରୋତ’ ସହ ଆମ ପରମ୍ପରାର ତୁଳନା କରିବା ମୋର ଧୃଷ୍ଟତା ହେବ। ଆମ ପରମ୍ପରାରେ କିଛି କଳୁଷତା ନାହିଁ। କହିଲେ ମଧ୍ୟ ଭୁଲ୍‌ ହୋଇଯିବ। ଉଦାହରଣ ସ୍ଵରୂପ ଝିଅଟି ରଜବତୀ ହେଲେ ଏବେ ବି ବିବାହ ହୋଇଯାଏ। ତେଣୁ ଅନେକ ଜାଗାରେ ବାଲ୍ୟ ବିବାହ ପ୍ରଚଳିତ। ଆଦିବାସୀଟିଏ ଆନନ୍ଦରେ କୁରୁଳି ଉଠିଲେ ସେ ତା’ର ସାଙ୍ଗସାଥୀ ଓ ଗୋଷ୍ଠୀକୁ ସାମିଲ କରି ମଦ୍ୟପାନ କରିଥାଏ। ଏକ ସାମାଜିକ କର୍ମୀ ହିସାବରେ ବାଲ୍ୟବିବାହ ପ୍ରଥା ଓ ମଦ ବିରୋଧରେ ଆଦିବାସୀଙ୍କୁ ସଚେତନ କରାଇ ସୁଦ୍ଧା ଏତେଟା ସଫଳତା ପାଇପାରି ନାହିଁ।

ପ୍ରଶ୍ନ ଉଠେ, ମୁଖ୍ୟ ସ୍ରୋତର ମୂଲ୍ୟବୋଧରେ ଏତେଟା ବିଶ୍ଵାସ କରୁ ନଥିବା ମୋଭଳି ଆଦିବାସୀ ଝିଅଟିଏ କାହିଁକି ଉଚ୍ଚଶିକ୍ଷିତା ହେଲା ଓ ଶିକ୍ଷକତାକୁ ଆଦରି ନେଲା। ମୁଁ ଆଗରୁ କହି ରଖିଛି, ମୁଁ ଯେଉଁଠାରେ ରହି ପଢ଼ୁଥିଲି ସେଠାକାର ପରିବେଶକୁ ସୌନ୍ଦର୍ଯ୍ୟମୟ କରିଥିଲେ ମଧୁ ଆଜ୍ଞା ଓ ବିଶ୍ଵନାଥ ଆଜ୍ଞାଙ୍କ ଭଳି ଆଦିବାସୀ ପରମ୍ପରାକୁ ସମ୍ମାନ ଦେଉଥିବା ମୁଖ୍ୟସ୍ରୋତୀ ବିଶିଷ୍ଟ ବ୍ୟକ୍ତିମାନେ। ସେମାନେ ଆମ ଭିତରେ ବିତରଣ କରୁଥିଲେ ସ୍ନେହ, ଶ୍ରଦ୍ଧା ଓ ଆନନ୍ଦ। ସେମାନଙ୍କର ଜୀବନଧାରଣର ମାନ ଓ ମୂଲ୍ୟବୋଧଗୁଡ଼ିକ ଦ୍ଵାରା ଆମେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲୁ।

ସେତେବେଳେ ବି ପୋକରା ପାଣିଆ ଡାଲି ଓ ଗୋଡ଼ିମିଶା ଭାତ ଥିଲା। ବିଦ୍ୟାଳୟରେ ପାଚେରୀ ନଥିଲା। ପାଚେରି କାନ୍ଥରେ ଶିଶୁଅଧିକାର ଟୋଲ୍‌ ଫ୍ରି ନମ୍ବର ନଥିଲା। ଆଜି ଭଳି ଭିତ୍ତିଭୂମି ବି ନଥିଲା। ତଥାପି ଥିଲା ମନ ଭିତରେ ଶିଖିବାର ଏକ ଅଫୁରନ୍ତ ଇଚ୍ଛା। ଗୁଣପୁର ସହରର ମୁଖ୍ୟ ରାସ୍ତାରେ ସାଇକେଲ ଚଢ଼ି ଗଲା ବେଳେ ମୋତେ କେତେକ ରୁଢ଼ିବାଦୀ ଲୋକ ବିରୋଧ କରିଥିଲେ। ଆଜି ସେପରି ନାହିଁ। ଝିଅଙ୍କ ପାଇଁ ସ୍କୁଲ କଲେଜରେ ମାଳମାଳ ସାଇକେଲ। ପିଲାଙ୍କ ପାଇଁ ମାଗଣା ଜାମା, ପ୍ୟାଣ୍ଟ୍‌, ଲ୍ୟାପ୍‌ଟପ୍‌ ଇତ୍ୟାଦି। ଆଦିବାସୀ ବାଳିକାମାନଙ୍କୁ ଯୌନନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଆଦିବାସୀ ମନ୍ତ୍ରାଳୟରୁ ମାଳମାଳ ନିୟମ ଲାଗୁ ହୋଇଛି। ତଥାପି ମୁଖ୍ୟସ୍ରୋତରେ ଏ କଳୁଷତା କାହିଁକି?

ନିକଟରେ ରାୟଗଡ଼ ସହର ଉପକଣ୍ଠରେ ଥିବା ଏକଲବ୍ୟ ଆଦିବାସୀ ଆବାସିକ ବିଦ୍ୟାଳୟ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ବିଷୟରେ ଗୁରୁତର ଅଭିଯୋଗ ଆଣିବାରୁ ପ୍ରଧାନଶିକ୍ଷକ ତାଙ୍କର ଇସ୍ତଫାପତ୍ର ଉପରିସ୍ଥ ଅଧିକାରୀଙ୍କୁ ଲେଖି ଦେଇ ଲୁଚି ପଳାଇଲେ। ସେମାନେ ମଧ୍ୟ ଆଉ ଏକ ଅଭିଯୋଗ ଆଣିଥିଲେ ଯେ ଉକ୍ତ ବିଦ୍ୟାଳୟ ପରିସରରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅନୈତିକ ସଂପର୍କ ବଢୁଛି। କିଛି ଦିନ ତଳେ ନିକଟସ୍ଥ ଭାକୁରଗୁଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଲୋକଲୋଚନକୁ ଆସିବା ପରେ ପ୍ରଧାନଶିକ୍ଷକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା। ରାୟଗଡ଼ ସହର ଠାରୁ ମାତ୍ର ୧୦ କିଲୋମିଟର ଦୂର ଜପାଖାଲ ବିଦ୍ୟାଳୟର ​‌ପ୍ରଧାନଶିକ୍ଷକଙ୍କୁ ଠିକ୍‌ ଏଭଳି ଘଟଣାରେ ବଦଳି କରି ଦିଆଯାଇଛି। ଗାଡ଼ିଶେଷଖାଲ ବିଦ୍ୟାଳୟର ଚାରି ଜଣ ଚତୁର୍ଥ ଶ୍ରେଣୀ ଆଦିବାସୀ ଝିଅଙ୍କୁ ବାରଂବାର ଧର୍ଷଣ କରିଥିଲେ ଉକ୍ତ ବିଦ୍ୟାଳୟର ଜଣେ ଆଦିବାସୀ ଶିକ୍ଷକ ଓ ପିଅନ। ଜାତୀୟ ମାନବିକ ଅଧିକାର ଆୟୋଗ ଉକ୍ତ ପୀଡ଼ିତାମାନଙ୍କୁ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶକ ଦେଇଥିଲେ ବି ତତ୍କାଳୀନ ଜିଲ୍ଲାପାଳ ଯେପରି ଉକ୍ତ ଶିକ୍ଷକଙ୍କୁ ଘଣ୍ଟଘୋଡ଼ାଇ ଚପାଇଦେଲେ ତାହା ଅତ୍ୟନ୍ତ ନିନ୍ଦନୀୟ। କଲ୍ୟାଣସିଂହପୁର ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ଵା ହେବା ପାଇଁ କାହାକୁ ଦାୟୀ କରିବା? ଏହି ଭଳି ଗତ ପାଞ୍ଚ ବର୍ଷ​‌ରେ ୧୬ ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଖୋଦ୍‌ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ସ୍ଵୀକାର କରିଛନ୍ତି। ପୂର୍ବ ବର୍ଷଗୁଡ଼ିକର ହିସାବ ନାହିଁ। ସରକାରୀ ଖାତାକୁ ଯାଇ ନଥିବା ଏଭଳି ଝିଅଙ୍କ ହିସାବ ଶହେଗୁଣରୁ ବି ଅଧିକ ହେବ।

ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ଆଦର୍ଶ ହେବା କଥା ସେଠି ଯଦି ସେମାନଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢ଼ି ଉଠେ ଓ କୋମଳମତି ଶିଶୁମାନେ ଏସବୁ ଦେଖନ୍ତି, ତେବେ ସେମାନେ ପ୍ରଭାବିତ ହେବା ସ୍ଵାଭାବିକ। ଯେଉଁଠି ଶିକ୍ଷକଟି ଛାତ୍ରୀମାନଙ୍କୁ ଯୌନନିର୍ଯାତନା ଦିଏ, ସେଠାରେ ଅନ୍ୟାନ୍ୟ ଛାତ୍ରଙ୍କ ଉପରେ ପ୍ରଭାବ ଅନୁମେୟ। ଯେଉଁଠି ଉପରିସ୍ଥ ଅଧିକାରୀମାନେ ଯୌନନିର୍ଯାତନାକାରୀଙ୍କୁ ଘଣ୍ଟ ଘୋଡ଼ାନ୍ତି ବା ସସ୍‌ପେଣ୍ଡ୍‌ କରି ଦେଇ ନିଜର ଦାୟିତ୍ଵ ସାରିଦେବାର ବାହାବା ନିଅନ୍ତି, ସେଠାରେ ଆଉ କ’ଣ ଆଶା କରିବା? ପରୋକ୍ଷ ଭାବେ ଦାୟୀ ମେସ୍‌ ବା ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକଙ୍କୁ ସସ୍‌ପେଣ୍ଡ୍‌ କରିବାଟା ‘‘କାଣୀ ବିରାଡ଼ିର କୁଜି ଅସରପା ଉପରେ ରାଗ’’ ଭଳି। ନିର୍ଯାତନାକାରୀ ଶିକ୍ଷକଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଟିଏ ପୁଲିସ କେସ୍‌ ଦେଇ ଗିରଫ କରାଇବାର ନଜିର କ୍ଵଚିତ୍‌। ଏଭଳି ଘଟଣା ଘଟିଚାଲିଥିବା ବେଳେ ସ୍ଥାନୀୟ ଏମ୍‌.ଏଲ୍‌.ଏ. ଓ ମନ୍ତ୍ରୀଙ୍କ ନୈତିକ ଦାୟିତ୍ଵ କ’ଣ? ସେମାନଙ୍କୁ ଓ ଜିଲ୍ଲାପାଳଙ୍କୁ କାହିଁକି ବରଖାସ୍ତ କରା ନଯିବ, ଏହା ବିଚାର୍ଯ୍ୟ। ଅନ୍ତଃସତ୍ତ୍ଵା ଥିବା ସମୟରେ ଝିଅଟିଏ ଯେତେବେଳେ ଘରେ ରହୁଛି ତା’ର ମାଆବାପା ଏ ବିଷୟରେ ଜାଣି ତତ୍କାଳ ପଦକ୍ଷେପ ନେବା ଉଚିତ ନୁହେଁ କି? ପରମ୍ପରା ଉପରେ ମୁଖ୍ୟସ୍ରୋତର ଆକ୍ରମଣ ପାଇଁ ଦାୟୀ କିଏ?

ମୋର ଅନେକ ଶୁଭେଚ୍ଛୁ ମୋତେ ଏବେ ବି ପ୍ରଶ୍ନ କରନ୍ତି ଯେ ଏସବୁର ସମାଧାନ କ’ଣ? ଏ ବିଷୟରେ ଆଗରୁ ଅନେକ ମତାମତ ଦେଇଛି, ଲେଖିଛି। ହେଲେ ଶୁଣୁଛି, ପଢୁଛି ଓ କାର୍ଯ୍ୟକାରୀ କରୁଛି କିଏ? ମୁଁ ଓ ଆମେମାନେ ଉଠାଉଥିବା ପ୍ରଶ୍ନଗୁଡ଼ିକ ମଧ୍ୟରେ କିଛି କିଛି ସମାହିତ। ଆମେ ପରଂପରାର ଦ୍ଵାହି ଦେଇ ଏକ ଦ୍ଵୀପ ହୋଇ ବଞ୍ଚିବାକୁ ଚାହୁନା। ମୁଖ୍ୟସ୍ରୋତରେ ସାମିଲ ହୋଇ ଆମେ ବି ଏହାର ସାତ୍ତ୍ଵିକ ଆନନ୍ଦ ନେବାକୁ ଆଗଭର। ମୁଖ୍ୟସ୍ରୋତର ନାୟକମାନେ ଆମ ପରମ୍ପରାକୁ ସମ୍ମାନ ଦେବେ ଏବଂ ପରମ୍ପରା ଓ ମୂଲ୍ୟବୋଧର ଏକ ସମନ୍ୱୟ ଆଣିବେ, ଏ ବିଷୟରେ ମୁଁ ଆଶାବାଦୀ। ନଚେତ୍ ଆଦିବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏକ ନରପିଶାଚ, ରାଜନୈତିକ ନେତାର ଭାଷଣ ଭଳି ହେବ।

Monday, April 27, 2015

ବାଳିକାଏ ଗର୍ଭବତୀ କାହିଁକି ହେଲେ?

ଏହି ପ୍ରସଙ୍ଗରେ କିଛି ସପ୍ତାହ ତଳେ ପ୍ରଥମ କରି ନକ୍ଷତ୍ର ନ୍ୟୁଜ୍‌ର କନ୍ଧମାଳ ପ୍ରତିନିଧି ରାଧାମୋହନ ମହାପାତ୍ର ରିପୋର୍ଟ କରି ନଥିଲେ ହୁଏତ, ରାଜ୍ୟ ଯାକର ଏତେ ଏତେ ଘଟଣା ଲୁଚି ଯାଇଥାଆନ୍ତା। ଯେଉଁ ଘଟଣାକୁ ପରବର୍ତ୍ତୀ ସମୟରେ ବିଭିନ୍ନ ମୁଦ୍ରଣ ଗଣମାଧ୍ୟମ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ। ତେବେ କାହିଁକି ଏଭଳି ହେଉଛି, ତାହାର କିଛି କାରଣ ଅନୁସନ୍ଧାନ କରି ଆମ୍ଭେ ଏହି ରିପୋର୍ଟ ଲେଖୁଛୁ।

(୧) ୧୯୮୦-୮୨ ମସିହା ବେଳକୁ ଏକ ଆଶ୍ରମ ସ୍କୁଲରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲି। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ୍‌ର ତାରେଣୀପଶି ଆଶ୍ରମ ବିଦ୍ୟାଳୟ, ବାଟଗାଁରେ। ସେତେବେଳକୁ ଅଳ୍ପ ସଂଖ୍ୟାରେ ବାଳିକା ପଢୁଥିଲେ। ଶତକଡ଼ାରେ ହିସାବ କଲେ ତାହା ମାତ୍ର ୧୦ରୁ ୧୫ ପ୍ରତିଶତ ହେବ। ଅର୍ଥାତ୍‌ ୧୦୦ ଜଣ ବାଳକକୁ ମାତ୍ର ୧୫ ଜଣ ବାଳିକା। ଆମେ କେତେଜଣ ଅଣଆଦିବାସୀ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ  ଛାଡ଼ିଲେ ଅନ୍ୟ ସମସ୍ତେ ଥିଲେ ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରଛାତ୍ରୀ। ତେଣୁ ସେଦିନର କଥାକୁ ମନେ ପକାଇ କିଛି ବିବୃତି ରଖିବୁ।


(୨) କଲେଜ ପଢ଼ା ସରିବା ପରେ ୧୯୯୧ ଡିସେମ୍ବରରୁ ଅନୁଗୁଳ ଜିଲ୍ଲାର ଆଦିବାସୀ ବହୁଳ ପାଳଲହଡ଼ା ତହସିଲର ସଇଡ଼ା ଓ ନଗିରା ପଞ୍ଚାୟତରେ ସମାଜସେବା ଆରମ୍ଭ କଲୁ। ପରେ ଅଗ୍ରଗାମୀ, ସି.ୱାଇ.ଏସ୍‌.ଡି., ଗ୍ରାମବିକାଶ ଭଳି ସଂଗଠନରେ ନିଯୁକ୍ତ ହୋଇ ଆଦିବାସୀମାନଙ୍କ ଗହଣରେ ଓ ଆଦିବାସୀ ବହୁଳ ଅଞ୍ଚଳରେ ୧୫ ବର୍ଷ କାମ କରିଛୁ। ତେଣୁ ଏଠାରେ ମୂଳ ପ୍ରସଙ୍ଗର ଅସଲ କାରଣ ଖୋଜି ପାଇବାର ଅନେକ ସୁଯୋଗ ପାଇଛୁ। 


(୩) ଯେବେଠୁ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀଙ୍କୁ ଶିକ୍ଷାସେବକ, ଶିକ୍ଷାସହାୟକ, ଶିକ୍ଷାକର୍ମୀ ଇତ୍ୟାଦି ପଦରେ ଶିକ୍ଷାଦାନ ପାଇଁ ଆଦିବାସୀ ଅଞ୍ଚଳରେ ନିଯୁକ୍ତି ମିଳିଲାଣି, ସେବେଠୁ ଆଦିବାସୀ ବାଳକ, ବାଳିକା ସମସ୍ତଙ୍କର ସୁଅ ଛୁଟୁଛି ବିଦ୍ୟାଳୟକୁ। କାରଣ ଶିକ୍ଷାଦାନ କରୁଥିବା ସେହି ଯୁବକ ଯୁବତୀମାନେ ସ୍ଥାନୀୟ ଭାଷା ଜାଣିଥିବା ସହ ପାଖଆଖ ଗାଆଁର ହୋଇଥିବାରୁ ନିୟମିତ ବିଦ୍ୟାଳୟକୁ ଆସନ୍ତି ଏବଂ ଅଭିଭାବକମାନଙ୍କ ଆସ୍ଥା ଭାଜନ ହୋଇଛନ୍ତି। ପ୍ରଶାସନର ଜାଣତରେ ହେଉ ଅବା ଅଜାଣତରେ ଏହି ନିଷ୍ପତ୍ତି ବେଶ୍‌ ସଫଳ ହୋଇଛି ଆଦିବାସୀବହୁଳ ଅଞ୍ଚଳରେ। ତେଣୁ ଉପର ଶ୍ରେଣୀରେ ପଢ଼ିବା ପାଇଁ ଅନେକ ସଂଖ୍ୟାରେ ବାଳକବାଳିକା ଉତ୍ପନ୍ନ ହୋଇଛନ୍ତି ଏବଂ ଆଗ୍ରହର ସହ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ଭର୍ତି ହୋଇଛନ୍ତି।


(୪) ୧୦ ବର୍ଷ ବୟସରେ ବାଳିକାମାନେ ପୁଷ୍ପବତୀ ହେବା ପରେ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଆଶ୍ରମ ବିଦ୍ୟାଳୟ ବା ସ୍ଵତନ୍ତ୍ର ଭାବେ ନିର୍ମିତ ହଷ୍ଟେଲରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ହେଲେ, ୧୪ ବର୍ଷରୁ ବେଶି ବୟସର ପୁଅ ଓ ୧୦ ବର୍ଷରୁ ବେଶି ବୟସର ଝିଅମାନଙ୍କୁ କୁହାଯାଏ ଧାଂଡ଼ା ଧାଂଡ଼ୀ। ଗାଆଁର ଏକ ଧାଂଡ଼ାଘରେ ସେହି ଧାଂଡ଼ାଧାଂଡ଼ୀମାନେ ରାତିରେ ମିଶିବାର ସୁଯୋଗ ପାଇଥାଆନ୍ତି। ଏହା ଓଡ଼ିଶାର ପ୍ରାୟତଃ ସବୁ ଆଦିବାସୀ ଜାତି କୁଟୁମ୍ବର ଏକ ସାଧାରଣ ପରମ୍ପରା। କିନ୍ତୁ ଏବେର ପ୍ରଚଳିତ ବିଦ୍ୟାଳୟ ଶିକ୍ଷା ହିଁ ସେମାନଙ୍କ ପାରମ୍ପରିକ ଜୀବନଧାରା ଉପରେ ଆଞ୍ଚ ଆଣିଛି। ଫଳରେ ସେମାନେ ସ୍ଵାଧୀନ ଜୀବନଯାପନ କରି ପାରୁ ନାହାନ୍ତି।


(୫) ଗାଆଁରେ ଥିବା ବେଳେ ସେହି ଧାଂଡ଼ୀଙ୍କ ମାଆବାପାମାନେ ଦେଶୀ ଚିକିତ୍ସା ଜରିଆରେ ହେଉ ଅବା ଡାକ୍ତରୀ ଚିକିତ୍ସା ଜରିଆରେ ସେମାନଙ୍କର ସମସ୍ୟାର ସମାଧାନ କରି ପାରୁଥିଲେ। କିନ୍ତୁ ଆଶ୍ରମ ବା ଛାତ୍ରୀନିବାସରେ ରହିବା ଦ୍ଵାରା ନିଜନିଜ ଛୁଆମାନଙ୍କର ସ୍ଥିତି ଉପରୁ ସଂପୂର୍ଣ ନିୟନ୍ତ୍ରଣ ହରାଇଛନ୍ତି ମାଆବାପାମାନେ। ଅଥଚ ଆଦିବାସୀ ଅଞ୍ଚଳରେ ସବୁ ମାଆବାପା ଚାହୁଛନ୍ତି, ତାଙ୍କ ଛୁଆ ଦିଅକ୍ଷର ପାଠ ପଢ଼ିଲେ ମଣିଷ ହେବ। ଅତି କମ୍‌ରେ ଛୋଟ ଚାକିରିଟେ ବି କରି ପାରିବ।


(୬) ଗତ ୧୫ ବର୍ଷ ମଧ୍ୟରେ ବାଳିକାମାନେ ଗର୍ଭବତୀ ହେବା ଏବଂ ସନ୍ତାନ ପ୍ରସବ କରିବା ଘଟଣା ବଢ଼ିବାରେ ଲାଗିଛି। କାରଣ ବାଳିକାମାନେ ଅଧିକ ସଂଖ୍ୟାରେ ବିଦ୍ୟାଳୟମୁହାଁ ହୋଇଛନ୍ତି। ଏହାର ଅସଲ କାରଣ ବିନ୍ଦୁ-୩ରେ ଆମ୍ଭେ କହିଛୁ। କିନ୍ତୁ ଆଦିବାସୀମାନଙ୍କ ପରମ୍ପରାକୁ ମର୍ଯ୍ୟାଦା ଦେବା ପାଇଁ ସରକାରୀ ଶିକ୍ଷାରେ କିଛି ବିଧିବିଧାନ ବା ବ୍ୟବସ୍ଥା ନାହିଁ। 


(୭) ଅନ୍ୟ ପକ୍ଷରେ ଆଶ୍ରମ ବିଦ୍ୟାଳୟ ବା ଛାତ୍ରୀନିବାସର ଶିକ୍ଷକ/ ଅଧୀକ୍ଷକମାନେ ସମସ୍ତେ ଅଣଆଦିବାସୀ ବା ବିଦେଶୀ। ‘ବିଦେଶୀ’ ଅର୍ଥ ସେମାନେ ସେହି ଅଞ୍ଚଳର ନୁହଁନ୍ତି। ତେଣୁ ସେମାନେ ଏତେ ନିଘା ବି ରଖନ୍ତି ନାହିଁ ବା ରଖି ପାରନ୍ତି ନାହିଁ।


(୮) ଆଦିବାସୀ ବାଳକବାଳିକା ମାସରେ ଅନ୍ୟୂନ ୨ ଥର ନିଶ୍ଚୟ ଗାଆଁକୁ ଯାଇଥାଆନ୍ତି। ଆଶ୍ରମ ବା ଛାତ୍ରୀନିବାସର ଗୁରୁ ଯେତେ ବାରଣ କଲେ ବି ଏଥିରୁ ସେମାନଙ୍କୁ ରୋକି ହୁଏ ନାହିଁ। ସମସ୍ତେ ଯେମିତି କିଛି ପରମ୍ପରା ଓ ସଂସ୍କୃତିରେ ବନ୍ଧା, ଆଦିବାସୀ ଶିଶୁମାନେ ସେଥିରୁ ବାଦ୍‌ ଯାଆନ୍ତେ କିପରି?


(୯) ଅନ୍ୟ ପକ୍ଷରେ ଆଦିବାସୀ ଧାଂଡ଼ୀମାନେ ସଫାସୁତରା ପୋଷାକରେ ଅଣଆଦିବାସୀମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହେବା ମଧ୍ୟ ସମସ୍ୟାକୁ ବହୁଗୁଣିତ କରିଛି।


ଏଠାରେ ଆମ୍ଭେ ପ୍ରସ୍ତାବ ରଖିବାକୁ ଚାହୁଛୁ ଯେ ଆଦିବାସୀବହୁଳ ଅଞ୍ଚଳରେ ପରମ୍ପରାକୁ ଧ୍ୟାନ ଦେଇ ଶିକ୍ଷା ବ୍ୟବସ୍ଥା କରାଯାଉ ଏବଂ ୬୦ ପ୍ରତିଶତ ଶିକ୍ଷକ ଆଦିବାସୀ ଜାତିର ହେବା ଉପରେ ଗୁରୁତ୍ଵ ଦିଆଯାଉ। ପୃଥିବୀର ସବୁ ଆଦିବାସୀ ଜାତିରେ ସ୍ଵାଧୀନ ଯୌନଜୀବନ ଅତିବାହିତ କରିବାର ପରମ୍ପରା ରହିଛି। ଏହି ସାଧାରଣ କଥାଟିକୁ ନଜର ଦେଇ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର କରାଯାଇପାରିଲେ ଆଉ ବାଳିକାମାନେ ସନ୍ତାନ ପ୍ରସବ କରିବା ଭଳି ଲଜ୍ଜାଜନକ ଘଟଣା ହେବ ନାହିଁ।



ଯୋଜନା ପ୍ରସ୍ତୁତି ପାଇଁ ପ୍ରସ୍ତୁତ: ବିମଳ ପ୍ରସାଦ, ୯୪୩୯୮୨୮୧୭୮ 

Wednesday, April 15, 2015

ଜଳବାୟୁ ପରିବର୍ତନ ଓ ଓଡ଼ିଶାର ପ୍ରସ୍ତୁତି

ସମୁଦ୍ରକୂଳିଆ ରାଜ୍ୟ ଭା​ବେ ‌ଓଡ଼ିଶାରେ ଜଳବାୟୁ ପ୍ରତି ସତର୍କ ରହିବା ବେଶ୍‌ ଜରୁରୀ। ଆମେ ବର୍ଣବୋଧ ବହିରେ ଷଡ଼ଋତୁ କବିତା ପଢ଼ିଥିଲେ। ହେଲେ ଏବେ ଆଉ ୬ଟି ଋତୁକୁ ଅନୁଭବ କରି ହେଉ ନାହିଁ। ୩ଟି ଋତୁ ଅଛି ବୋଲି ସମସ୍ତେ କହୁଛନ୍ତି ଏବଂ ବିନା ବିତର୍କରେ ବିଶ୍ଵାସ ବି କରୁଛନ୍ତି। ଜଳବାୟୁ ପରିବର୍ତନ ଓ ଓଡ଼ିଶାର ଅବସ୍ଥିତି ଦୃଷ୍ଟିରୁ ଏହି ବିଷୟକୁ ସିଧାସଳଖ ବିପର୍ଯ୍ୟୟବିପର୍ଯ୍ୟୟ ପ୍ରସ୍ତୁତି ସହ ଯୋଡ଼ିବା ଜରୁରୀ ହୋଇପଡୁଛି। ତଳ ବିନ୍ଦୁଗୁଡ଼ିକୁ ପଢ଼ି ଅବା ତହିଁରୁ କେତୋଟିକୁ ନିଜ ସୁବିଧା ଅନୁସାରେ ପଢ଼ି ମଧ୍ୟ ଆପଣ ମୂଳ ପ୍ରସଙ୍ଗକୁ ଧରି ପାରିବେ:-

୧. ଓଡ଼ିଶାରେ ବୃକ୍ଷସଂପଦ ଦିନକୁ ଦିନ କମିବାରେ ଲାଗିଛି। ବନ, ବଣ ବା ଜଙ୍ଗଲ ନାମରେ କେବଳ ୫-୧୦ଟି ଅଞ୍ଚଳ ଓଡ଼ିଶାରେ ରହିଛି। ନଚେତ୍ ବୃକ୍ଷ ସଂଖ୍ୟା ବଢ଼ାଇବାର କୌଣସି ପରମ୍ପରା ଦେଖିବାକୁ ମିଳୁ ନାହିଁ। 

୨. ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଉପରେ ବଣ ସଫା ହୋଇ ଗଲାଣି। କେବଳ ଲଣ୍ଡା ପାହାଡ଼ ଯୋଗୁ ଦୂର ଅଞ୍ଚଳରୁ ବାତ୍ୟା ମଧ୍ୟ ପାହାଡ଼ିଆ ଅଞ୍ଚଳକୁ ଆସି ଅଶେଷ କ୍ଷତି କରି ପାରୁଛି। ଗତ ବର୍ଷ କୋରାପୁଟ-ମାଲକାନଗିରି ଅଞ୍ଚଳରେ ବାତ୍ୟା ହେବା ତାହାର ଏକ ଉଦାହରଣ।

୩. ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, ଗଂଜାମ, କଂଧମାଳ, କଳାହାଣ୍ଡି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ ଆଦି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସବୁଠୁ କ୍ଷତିକାରକ ଲକ୍ଷଣ ହେଉଛି - ଲଣ୍ଡା ପାହାଡ଼। ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଡଙ୍ଗର ଶବ୍ଦର ଅର୍ଥ ବଣଥିବା ପାହାଡ଼।  କିନ୍ତୁ ଡଙ୍ଗରଗୁଡ଼ିକ ଲଣ୍ଡା ହୋଇଯାଉଥିବାରୁ ବାଦଲଫଟା ବର୍ଷା ପରେ ଭୟଙ୍କର ପରିସ୍ଥିତି ଉପୁଜୁଛି।

୪. ସମତଳ ଭୂମି ଉପରେ ବଣ ସୃଷ୍ଟି ହେବା ଯେତିକି ଆବଶ୍ୟକ, ତାହାଠୁ ଶହେ ଗୁଣ ଅଧିକ ଆବଶ୍ୟକ ପାହାଡ ଉପରେ ଘଞ୍ଚ ବୃକ୍ଷ ସଂପଦ। ଏହି କଥାକୁ ବନ ଓ ପରିବେଶ ବିଭାଗ ଭୁଲି ଗଲାଣି। ବିଶେଷତଃ ଦକ୍ଷିଣ ଓଡ଼ିଶାରେ ଲଣ୍ଡାପାହାଡ଼ଗୁଡ଼ିକୁ ଚିହ୍ନଟ କରି ବନ୍ୟସଂପଦ ବଢ଼ାଇବା ପାଇଁ ତୁରନ୍ତ ଯୋଜନା ନକଲେ, ସର୍ବନାଶ ସୁନିଶ୍ଚିତ।

୫. ଭଲ ଉଦାହରଣ ହେଲା - ରାଜଧାନୀକୁ ପାଖ ହେଉଥିବା ବାଲେଶ୍ଵର ଜିଲ୍ଲାରେ ଜଳକା ନଦୀ, ପ୍ରଶାସନକୁ ଜଳକା କରିଦେଉଛି। ଏହାର ମୁଖ୍ୟ କାରଣ ହେଉଛି ଉପରମୁଣ୍ଡରେ ଥିବା ମୟୂରଭଂଜ ଜିଲ୍ଲାରେ ଲଣ୍ଡା ପାହାଡ଼ ପରିସ୍ଥିତି। ବ୍ୟାପକ ଖଣି ଖାଦାନ କାର୍ଯ୍ୟକଳାପ ଯୋଗୁ ପାହାଡ଼ ଲଣ୍ଡା ହେବାରେ ଲାଗିଛି। ଫଳରେ ବିପୁଳ ବର୍ଷା ପାଣି ଆଉ ଶାଳୀନତା ନରଖି ଅସୁର ଭଳି ତଳମୁଣ୍ଡକୁ ମାଡ଼ି ଆସୁଛି। ଆଉ ତା’ପରେ ତ ଯାହା ହେଉଛି, ଆପଣମାନେ ଜାଣନ୍ତି।

୬. ପାହାଡ଼ରେ ବନୀକରଣ ଓ ବନ ସୁରକ୍ଷା କରିବାରେ ପ୍ରଶାସନ ଯଦି ବିଫଳ ହେଉଛି, ତେବେ ଉତ୍ତର କୋରିଆ ​ଢାଞ୍ଚାରେ ପାହାଡ଼କୁ ପୂରାପୂରି ମୂଳପୋଛ କରିବା ପାଇଁ ବିଜ୍ଞାନର ପ୍ରୟୋଗ କରାଯାଉ। ବଲାଙ୍ଗିର, ସୁବର୍ଣପୁର ଜିଲ୍ଲାରେ ଏମିତି କିଛି ପାହାଡ଼ ଗୋଟାପଣେ ମାଟି ଉପରେ ଥୁଆ ହୋଇଛି, ଯେଉଁ ଗୁଡ଼ିକୁ ମୂଳପୋଛ କରିଦେବାର ମାସକ ପରେ କୌଣସି ବାହାର ଲୋକ ଜାଣି ପାରିବେ ନାହିଁ ଯେ ଏଠାରେ କେବେ ଗୋଟାଏ ପାହାଡ଼ ଥିଲା!

୭. ପୁଡୁଚେରୀ ଢାଞ୍ଚାରେ ଓଡ଼ିଶାର ସମୁଦ୍ର ଉପକୂଳରେ ପଥରର ପ୍ରାଚୀର କରିବା ପାଇଁ ପ୍ରଶାସନ ଏଯାଏଁ କିଛି ଚିନ୍ତା କରି ନାହିଁ। ମୂଳପୋଛ କରାଯାଉଥିବା ପାହାଡ଼ର ପଥରକୁ ଆଣି ସମୁଦ୍ର କୂଳରେ ବନ୍ଧ ଗଢ଼ାଯାଇ ପାରିବ। ଏହାର ପରିବହନରେ ମଧ୍ୟ ଖଣି କାର୍ଯ୍ୟକଳାପ ବନ୍ଦ କାରଣରୁ ମାଲିକମାନଙ୍କ ଅଗଣାରେ ଠିଆ ହୋଇ ରହିଥିବା ଟ୍ରକ୍‌ ବା ସେଭଳି ଯାନଗୁଡ଼ିକୁ କାମ ମିଳି ପାରିବ। ଏହା ଦ୍ଵାରା ଭଳିକି ଭଳି ଜୀବିକାପନ୍ଥା ସୃଷ୍ଟି ହୋଇପାରିବ।

୮. ଦକ୍ଷିଣ ଓଡ଼ିଶାରେ ଯଦିଓ ପାହାଡ଼କୁ ମୂଳପୋଛ କରିବା ଏକ ଧୃଷ୍ଟତା; ତେବେ ଏଭଳି ବୈଜ୍ଞାନିକ ଛେଡ଼୍‌ଖାନୀ ପାଇଁ ଓଡ଼ିଶାରେ ଯୋଗ୍ୟ ଭୂତତ୍ତ୍ଵବିଦ୍‌ମାନେ ଅଛନ୍ତି। ଉପଚାର ପରେ ସେହି ପାହାଡ଼ିଆ କ୍ଷେତ୍ରରେ ବନୀକରଣ ଜରୁରୀ।

୯. ଜଳବିଭାଜିକା​‌/ ଜଳଛାୟା ବା Watershed ଜ୍ଞାନକୌଶଳର ପ୍ରୟୋଗ ଦ୍ଵାରା ଜଳ-ଜମି-ଜଙ୍ଗଲ ପରିଚାଳନା ସଠିକ୍‌ ଭାବେ ହୋଇ ପାରିବ। ହେଲେ ଓଡ଼ିଶା ସରକାର, ମୃତ୍ତିକା ସଂରକ୍ଷଣ ବିଭାଗ ଓ ବନ ବିଭାଗ ଆଦିକୁ ମିଶାଇ ଜଳବିଭାଜିକା ବିଭାଗ ପ୍ରଚଳନ କରିବା ଜରୁରୀ ହୋଇପଡୁଛି। ସରକାରଙ୍କ ଏଭଳି ଏକ ନିଷ୍ପତ୍ତି ଅବଶ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହିଛି।

୧୦. ଏଣେ ଆଦୌ ପାହାଡ଼ ନଥିବା କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର ଭଳି ସମୁଦ୍ର କୂଳିଆ ଜିଲ୍ଲାରେ ଜଳସଂପଦ ବିଭାଗର ଡ୍ରେନେଜ୍‌ ଡିଭିଜନ୍‌ଗୁଡ଼ିକ ପୂରାପୂରି ଦୁର୍ନୀତିରେ ବୁଡ଼ି ରହି କେବଳ ବାଲିବସ୍ତା ଠୁଳ କରିବାଟା ଆଦୌ ଭିଡ଼କୁ ନୁହଁ। ବନ୍ୟା ଜଳ ନିଷ୍କାସନ ପାଇଁ କୌଣସି ବି କଂକ୍ରିଟ୍‌ କାମ ପୂର୍ଣାଙ୍ଗ ହେଉ ନାହିଁ କି କେବେ ବି ପୂର୍ଣାଙ୍ଗ ହେବ ନାହିଁ। କାରଣ ଏୟା ଯେ ସରିଗଲେ, କଥା ସରିଯିବ, ବେପାର ବୁଡ଼ିଯିବ! ବେପାର ମାନେ ଜଳସଂପଦ ବିଭାଗୀୟ ଅଧିକାରୀଙ୍କ କଳାଟଙ୍କା । ମଜା କଥା ହେଉଛି ଏହି ସୁନା ଅଣ୍ଡାଦିଆ ବିଭାଗଟି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୋଟାଏ ଯୁଗ ହେଲା ରହିଛି ଯେ ରହିଛି।

୧୧. ଲଣ୍ଡାପାହାଡ଼ ଯୋଗୁ ସ୍ଥାନୀୟ ତାପମାତ୍ରା ବି ବଢି ଯାଉଛି। ବଣବେଷ୍ଟିତ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବା ଏକ ବିସ୍ମୟକର ଖବର ନିଶ୍ଚୟ। ଯଦିଓ ଜଳଭଣ୍ଡାର ପାଖରେ ଉତ୍ତାପ ଅନୁଭୂତ ହେବା ପଛରେ ଭୌଗୋଳିକ ବ୍ୟାଖ୍ୟାନ ରହିଛି। ତଥାପି ତାହା ସୀମାତିରିକ୍ତ। ରାଜ୍ୟର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ସରକାର ରଣନୀତି ପ୍ରସ୍ତୁତ କରି କାର୍ଯ୍ୟ କରିବା ଦରକାର। ତେବେ ସବୁ କାମରେ ପ୍ରଶାସକମାନେ ହିଁ ମୁଖପାତ୍ର ସାଜିବେ କି ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଏ ରାଜ୍ୟ ପରିଚାଳନାରେ ଭାଗ ରହିବ - ଏହା ଆଦୌ ବିତର୍କର ପ୍ରସଙ୍ଗ ହୋଇ ରହିବା କଥା ନୁହେଁ।

୧୨. ମେଘାଳୟ ରାଜ୍ୟରେ କିପରି ତାପମାତ୍ରା ନିୟନ୍ତ୍ରିତ ହୋଇ ରହିଛି, ତାହା ଉପରେ ଜ୍ଞାନ ହାସଲ କରି ଓଡ଼ିଶା ପ୍ରଶାସନ ବୃକ୍ଷର ବର୍ଗମାଳା ଓ କିସମ ନିର୍ଣୟ କରିବା ଆବଶ୍ୟକ। ସେହି ରାଜ୍ୟରେ ଲୋକଙ୍କ ଘରେ ଏବେ ବି ପଙ୍ଖା କି ଫ୍ରିଜ୍‌ ନାହିଁ। ବିଭିନ୍ନ ପାଇନ୍‌ ଗଛ ରହିଥିବାରୁ ତାହା ଏକ ୟୁରୋପୀୟ ଦେଶର ଭ୍ରମ ସୃଷ୍ଟି କରୁଛି। ହୁଏତ ସେହିଭଳି ଗଛ ହିଁ ମେଘାଳୟ ଭଳି ଏକ ପାହାଡୀ ରାଜ୍ୟକୁ ଶୀତଳ ରଖିବାରେ ସହାୟକ ହେଉଛି। ଏକ ଚମକପ୍ରଦ ଅନୁଭବ ପାଇବା ପାଇଁ ଓଡ଼ିଶାରୁ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକ ସେହି ରାଜ୍ୟକୁ ମେ ମାସର ଘୋର ଗ୍ରୀଷ୍ମକାଳରେ ଯାଇ କିଛି ଦିନ କାଟନ୍ତୁ।

୧୩. ଓଡ଼ିଶାରେ ସହରଗୁଡ଼ିକରେ ପୂରା ପ୍ଲଟ୍‌ରେ କୋଠା ଠିଆ କରିବା ଦ୍ଵାରା ବାୟୁ ଚଳାଚଳ ପାଇଁ ସ୍ଥାନ ରହୁ ନାହିଁ କି କୌଣସି ବୃକ୍ଷ ରହିବାର ପ୍ରଶ୍ନ ଉଠୁ ନାହିଁ। ଛାତ ଉପରେ ବା ବାଲକୋନିରେ କୁଣ୍ଡରେ ଲଗାଯାଉଥିବା ଗଛ ଦ୍ଵାରା ରାଜ୍ୟର ତାପମାତ୍ରା ନିୟନ୍ତ୍ରିତ ହୋଇ ପାରିବ ନାହିଁ। ଏଭଳି ବାର୍ତା ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରଚାର ହେବା ଦରକାର। ତେବେ କୋଠା ନିର୍ମାଣ ପାଇଁ କିଭଳି ଅନୁମତି ମିଳି ଯାଉଛି, ଏହାକୁ ଭାବିଲେ ଲାଗୁଛି - ବିନାଶ କାଳେ ବିପରୀତ ବୁଦ୍ଧି !

୧୪. ଯେଉଁ ପ୍ଲଟ୍‌ରେ କୋଠା ସହ ନଡ଼ିଆ ଗଛ, ଆମ୍ବଗଛ, ପିଜୁଳି ଗଛ, ବଉଳ ଗଛ ମଧ୍ୟ ରହିଛି, ସେମାନେ ସେହି ଅଞ୍ଚଳର ଗରିବ ଲୋକ ରୂପେ ବିବେଚିତ ହେଉଛନ୍ତି। ଅର୍ଥାତ୍‌ ପୂରା ପ୍ଲଟ୍‌ରେ କୋଠା ଠିଆ କରି ଏକାଧିକ ଲୋକଙ୍କୁ ଘର ଭଡ଼ାରେ ଦେବାଟା ଏକ ଯୋଗ୍ୟ ଲୋକର ମାପକାଠି ହୋଇଯାଇଛି। ଏହି ସାମାଜିକ ଲକ୍ଷଣଟି ଜଳବାୟୁ ପରିବର୍ତନ ତଥା ବିଶ୍ଵ ତାପନ ପାଇଁ ଅତୀବ ମାରାତ୍ମକ। ଏହା ପ୍ରତି ସୂଚନା ଓ ଲୋକସଂପର୍କ ବିଭାଗ ଜାଗ୍ରତ ରହି ପ୍ରଚାର କରିବା ଦରକାର।

୧୫. ଗତ ୨୦ ବର୍ଷ ଧରି ଦେଖାଯାଉଛି ଯେ ମେ ମାସର ଶେଷ ୧୦ ଦିନ ପ୍ରବଳ ଝଡ଼ବର୍ଷା ହେଉଛି ଏବଂ ସିଧା ୧୫ରୁ ୧୭ ଦିନ ପର୍ଯ୍ୟନ୍ତ ବର୍ଷା ଗାଏବ ହୋଇଯାଉଛି। ତାହା ପରେ ପାଣିପାଗ ବିଭାଗ ମିଛିମିଛିକା ଖେଳ ଆରମ୍ଭ କରି ଦେଉଛି ବିବୃତିର। ‘‘ଏଇ ତ ମୌସୁମୀ କେରଳ ଉପକୂଳ ଛୁଇଁଲାଣି। ଆଉ ଦିନ ୪ଟାରେ ଓଡ଼ିଶାରେ ବର୍ଷା ଛେଚିବ।’’ ଚାଷୀ ଚାତକ ଭଳି ଚାହୁଛି, ବର୍ଷା ନା ଫର୍ଷା କିଛି ନାହିଁ। 

୧୬. ବିଦେଶୀ କୃତ୍ରିମ ଉପଗ୍ରହର ପାଣିପାଗ ସୂଚନାକୁ କପି ପରି ପ୍ରଚାର କରିବା ଏକ ଧାରାବାହିକ ଅଭ୍ୟାସ ହୋଇ ଗଲାଣି। ତେଣୁ ଶିକ୍ଷିତମାନେ ସିଧାସଳଖ ମୋବାଇଲ୍‌ Appରେ ଅଥବା ବିଦେଶୀ ପାଣିପାଗ ୱେବ୍‌ସାଇଟ୍‌ ଦେଖି ପାଣିପାଗ ଜାଣିବା ସବୁଠୁ ଭଲ।

୧୭. ଜୁନ୍‌-ଜୁଲାଇ ମାସରେ ଅସହ୍ୟ ଗୁଳୁଗୁଳି ହିଁ ସବୁ ବୟସ ବର୍ଗର ମଣିଷଙ୍କ ଧୈର୍ଯ୍ୟ ପରୀକ୍ଷାର ବେଳ। ହେଲେ ଘରେ ଘରେ ଅଧିକରୁ ଅଧିକ ଏୟାରକଣ୍ଡିସନର ପ୍ରତିସ୍ଥାପନ କରାଯିବାଟା ଆମ ଦେଶ ପାଇଁ ଶୁଭଙ୍କର ନୁହେଁ। 

୧୮. ଖରାଦିନ ପୂର୍ବରୁ ପତ୍ରଝଡ଼ା ଦେଉ ନଥିବା ବୃକ୍ଷଗୁଡ଼ିକୁ ବନୀକରଣ, ପାହାଡ଼ ବନୀକରଣ ଓ ସାମାଜିକ ବନୀକରଣ ପାଇଁ ଚୟନ କରି ଏକ ତାଲିକା ପ୍ରସ୍ତୁତ କରିବାର ସମୟ ଆସି ସାରିଛି। ବିଭିନ୍ନ ଟିଭି ଚ୍ୟାନେଲରେ ଏହା ଉପରେ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର ହେବାର ଆବଶ୍ୟକତା ରହିଛି। ୧୯୮୦ରୁ ୧୯୯୦ ମଧ୍ୟରେ ସାମାଜିକ ବନୀକରଣ ପ୍ରସଙ୍ଗ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେହି ପ୍ରକ୍ରିୟାରେ ସୃଷ୍ଟି ହୋଇଥିଲା ଏକ ନାରା: ଜମି ନରଖ ପଡ଼ିଆ, ଲଗା ଶାଗୁଆନ ଶିଶୁ ବାଉଁଶ, ଆମ୍ବ ପଣସ ନଡ଼ିଆ।

୧୯. ପ୍ରତି ବର୍ଷ ଦୁଇଟି ବର୍ଷା ଋତୁ ପ୍ରତୀତ ହେଉ ଥିବାରୁ ବନ୍ୟା ନିୟନ୍ତ୍ରଣ ପାଇଁ ରହିଥିବା ପୁରୁଣା ରୁଲ୍‌କର୍ଭ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମେ ମାସର ଦ୍ଵିତୀୟାର୍ଦ୍ଧରୁ ନଭେମ୍ବର ପ୍ରଥମାର୍ଦ୍ଧ ପର୍ଯନ୍ତ ଦୁଇଟି ଭାଗରେ ବର୍ଷା ଋତୁ ଅନୁଭୂତ ହେଉଛି। ଏହି ବିପର୍ଯ୍ୟୟ ପ୍ରତି ଚାଷୀ ସତର୍କ ହୋଇ ନିଜ ବାଟ ନିଜେ ଧରିଲେଣି। ହେଲେ  ବନ୍ୟାରୁ ମୁକ୍ତି ପାଇଁ ଚାଷୀ ପାଖରେ କିଛି ଚାବି ନାହିଁ।

୨୦. ନଦୀଶଯ୍ୟା ପୋତି ହୋଇ ପଡ଼ିବା ନେଇ ରାଜ୍ୟବ୍ୟାପୀ ଚିନ୍ତା ପ୍ରକାଶ ପାଇଲାଣି। ହେଲେ ଏହା ସରକାରୀ ଚିନ୍ତାରେ ପରିଣତ ହୋଇ ନାହିଁ। ଏହା ଏକ ବଡ଼ କାରଣ ହୋଇଥିବାରୁ ନଦୀ ଶଯ୍ୟାରୁ ବାଲି ଉଠାଇବା ପାଇଁ କାର୍ଯ୍ୟକ୍ରମ ହେବା ଦରକାର। କିନ୍ତୁ ଏଭଳି କୌଣସି କାର୍ଯ୍ୟକ୍ରମ ସରକାରଙ୍କର ନାହିଁ। ଏଣେ ବାଲିମାଫିଆମାନେ ବାଲି ଲୁଟି ନେଉଛନ୍ତି ବୋଲି ବିପରୀତ ଖବରମାନ ପ୍ରକାଶ ପାଉଛି। ତେବେ ଯେଉଁ ଠାରେ ନଦୀ ପାଖକୁ ରାସ୍ତା ନାହିଁ, ସେଠାରେ ପୋତି ହୋଇ ପଡୁଥିବା ଶଯ୍ୟାରୁ କିଭଳି ବୈଜ୍ଞାନିକ ଉପାୟରେ ବାଲି ଉଠା ଯାଇ ପାରିବ, ତାହା ଉପରେ କାର୍ଯ୍ୟପନ୍ଥା ସ୍ଥିର ହେବା ଦରକାର। ଅର୍ଥାତ୍‌ ସେଭଳି ସ୍ଥାନରୁ ମାଗଣାରେ ମନ ଇଚ୍ଛା ବାଲି ନେବା ପାଇଁ ସରକାର ଘୋଷଣା କରନ୍ତୁ। ଆମର ପଡ଼ୋଶୀ ରାଷ୍ଟ୍ର ମାଲଡିଭିସ୍‌ (ମାଳଦ୍ଵୀପ) ବାଲି ପକାଇ ନିଜ ଦେଶକୁ ସମୁଦ୍ର ଆଁ’ରୁ ରକ୍ଷା କରିବାକୁ ବ୍ୟାକୁଳ ହେଉଥିବା ବେଳେ ଓଡ଼ିଶାରେ ମାତ୍ରାଧିକ ବାଲି ପାଇଁ ବନ୍ୟା ହେବା ଘୋର ବିଡ଼ମ୍ବନା। ଏକଦା ମାଳଦ୍ଵୀପ ମଧ୍ୟ ମାଗଣାରେ ବାଲି ନେବା ପାଇଁ ଓଡ଼ିଶାକୁ ଅନୁରୋଧ କରିଥିଲା, କିନ୍ତୁ ତାହାକୁ ଓଡ଼ିଶା ସରକାର ଅନୁମୋଦନ ଦେଇ ନିଜ ରାଜ୍ୟକୁ ରକ୍ଷା କରିବାର ସୁଯୋଗକୁ ହାତଛଡ଼ା କରିଛନ୍ତି।

୨୧. ରାଜ୍ୟବାସୀଙ୍କ ଆଚରଣ ଉପରେ ଧ୍ୟାନ ଦେବାର ମଧ୍ୟ ଆବଶ୍ୟକତା ରହିଛି। ଯେମିତିକି ମୟୂରଭଂଜ ଜିଲ୍ଲାବାସୀ ପତ୍ର ଜାଳି ରାନ୍ଧିବାର ପରମ୍ପରା ରଖିଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ପତ୍ର ଜାଳିବାର ପରମ୍ପରା ରହିଛି। କିନ୍ତୁ ମୟୂରଭଂଜରେ ବଣ ଥାଇ ବି ଲୋକେ ପତ୍ର ଜାଳି ରୋଷେଇ କରୁଛନ୍ତି। କିନ୍ତୁ ଯାଜପୁରରେ ବଣ ଓ ଗଛ ଅଭାବରୁ ଲୋକେ ଗଛର ପତ୍ର ଜାଳୁଛନ୍ତି। ଅତଏବ ବୃକ୍ଷ ସଂରକ୍ଷଣର ଯେଉଁ ଚେତନା ଗଡ଼ଜାତ ଅଞ୍ଚଳ ମୟୂରଭଂଜରେ ରହିଛି, ତାହାକୁ ସାରା ରାଜ୍ୟରେ ପ୍ରଚାର ପ୍ରସାର କରାଯାଉ।

୨୨. ସବୁଠୁ ଗୁରୁତ୍ଵପୂର୍ଣ କଥା ହେଲା ଓଡ଼ିଶାରେ ‘ବିପର୍ଯ୍ୟୟ ପରିଚାଳନା ବିଭାଗ’ ଏକ ସ୍ଵତନ୍ତ୍ର ବିଭାଗ ନୁହେଁ। ଏହା ଏବେ ବି ରାଜସ୍ଵ ବିଭାଗ ସହିତ ଗୁନ୍ଥି ହୋଇ ରହିଛି। ଓଡ଼ିଶା ଭଳି ରାଜ୍ୟରେ ସ୍ଵତନ୍ତ୍ର ଭାବେ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜଳବିଭାଜିକା ବିଭାଗ ରହିବା ଜରୁରୀ। ଯେଉଁମାନେ ସରକାରଙ୍କୁ ବୁଦ୍ଧି ଦେଉଛନ୍ତି, ସେମାନେ କେବେ ଏହି ଅସଲ କଥାକୁ ବୁଝୁଛନ୍ତି, ତାହାକୁ କେବଳ ଅପେକ୍ଷା। କାରଣ ଏଭଳି ତାତ୍ତ୍ଵିକ କଥା ଉପରେ କୌଣସି ସଂଗଠନ ବା ବିରୋଧୀ ଦଳ ହୁଏତ ଲୋଅରପିଏମ୍‌ଜିରେ କେବେ ହେଲେ ଆନ୍ଦୋଳନ କରିବେ ନାହିଁ।

୨୩. କାଠ ଛାଡ଼ି LPG ଜାଳି ରାନ୍ଧିବାର ଅଭ୍ୟାସ ସବୁ ବର୍ଗର ପରିବାରର ରୁଚିରେ ପରିଣତ ହେବା ଜରୁରୀ ହେଉଛି। ଏପରି ହେଲେ, ବୃକ୍ଷସଂପଦ ଉପରେ ଚାପ କମିଯିବ। ଏଣୁ କେନ୍ଦ୍ର ସରକାର ଏଲ୍‌ପିଜି (ରନ୍ଧନଗ୍ୟାସ୍‌) ବିତରଣ କଟକଣାକୁ କୋହଳ କରିବାର ଫାଇଦା ନିହାତି ରୂପେ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ମିଳିବା ଦରକାର। ରାଜ୍ୟ ସରକାର ଏଥିପାଇଁ ସଂପୂର୍ଣ ସହଯୋଗ କରିବା ଦରକାର।

୨୪. ପଲଙ୍କ କେବଳ କାଠରେ ହିଁ ତିଆରି ହେବା ଦରକାର। ଏହି ମାନସିକତାରେ ମଧ୍ୟ ପରିବର୍ତନ ଆସିବା ଦରକାର। କାଠର ବିକଳ୍ପ ଭାବରେ ବିଭିନ୍ନ ଧାତବ ଓ ପ୍ଲାଏ ସାମଗ୍ରୀ ବାହାରି ସାରିଥିବାରୁ ତାହାକୁ ପ୍ରଚାର କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞାପନ ଦ୍ଵାରା ଲୋକଙ୍କୁ ଉତ୍ସାହିତ କରାଯିବା ଦରକାର।

୨୫. ସଭ୍ୟ ଦେଶଗୁଡ଼ିକରେ ବୃକ୍ଷ ଓ ତୃଣଭୂମି ଦ୍ଵାରା ବାୟୁମଣ୍ଡଳର ତାପମାତ୍ରାକୁ ନିୟନ୍ତ୍ରିତ କରାଯାଇପାରୁ ଥିବାରୁ ଆମ ଦେଶରେ ମଧ୍ୟ ତାହାର ଅନୁସରଣ କରାଯାଇପାରିବ। ହେଲେ ଆମ ଦେଶରେ ତୃଣଭୂମି ଏକ ଉପେକ୍ଷିତ ପ୍ରସଙ୍ଗ।

୨୬. ବର୍ଷର ପ୍ରାୟ ୬ ମାସ ଆମ ରାଜ୍ୟରେ ଜଳାଶୟରେ ଜଳ ରହୁ ନଥିବାରୁ ବିନା ସେଚନ ସୁବିଧାରେ ସବୁଜିମାକୁ ବଜାୟ ରଖିବା ଏକ କଷ୍ଟକର ବ୍ୟାପାର।

ଆମେ କେବଳ କିଛି ମୌଳିକ ଭାବନାକୁ ଏଠାରେ ପ୍ରକାଶ କଲୁ। ଏହା ଉପରେ ଏବେ ଠୁ ପଦକ୍ଷେପ ଗ୍ରହଣ ନକଲେ ନେଡ଼ିଗୁଡ଼ କହୁଣୀକୁ ବହିଯାଇଥିବ। ଜଳବାୟୁ ପରିବର୍ତନ ପରିଚାଳନା ଉପରେ ରାଜ୍ୟ ସରକାର ମୌଳିକ ଭାବେ ଓଡ଼ିଆରେ ଏକ ନୀତି-ନିବନ୍ଧ ପ୍ରସ୍ତୁତ କରନ୍ତୁ। ତାହା କୌଣସି ପରିସ୍ଥିତିରେ ଇଂଲିଶ୍‌ରୁ ଅନୁକରଣ ବା ଅନୁଦିତ ନହେବା ଉଚିତ।

ବିମଳପ୍ରସାଦ, ଭୁବନେଶ୍ଵର, ଭ୍ରାମ୍ୟଭାଷ: ୯୪୩୯୮୨୮୧୭୮