Thursday, December 17, 2015

ଓଡ଼ିଆ ଭାଷା ସଂଗ୍ରାମ ସମିତି

ଭୁବନେଶ୍ୱର ଠାରେ ୧୭ ଡିସେମ୍ବର ୨୦୧୫ ସଂଧ୍ୟାରେ ‘‘ଓଡିଆଭାଷା ସଂଗ୍ରାମ ସମିତି’’ କାର୍ଯ୍ୟାଳୟରେ ସମିତିର ଏକ ଜରୁରୀ ବୈଠକରେ ୧୯୫୪ ଭାଷା ଆଇନ କଡାକଡି ଭାବରେ କାର୍ଯ୍ୟକାରି କରିବାକୁ ଜୋର୍‌ ଦିଆଯାଇଛି। ଏହି ଆଇନ କଡାକଡି ଭାବରେ କାର୍ଯ୍ୟକାରି ଉପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମିତି ସଦସ୍ୟମାନେ ସ୍ୱାଗତ କରିଛନ୍ତିତେବେ ଆବଶ୍ୟକ ନିୟମାବଳୀ ପ୍ରଣୟନ ଓ ଅଧିନିୟମସଂଶୋଧନ ନକଲେ ଏହି ଆଇନ କାର୍ଯ୍ୟକାରୀ ହେବା ଆଦୌ ସମ୍ଭବ ନୁହେଁ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଏବଂ ମିଳିତ ମନ୍ତ୍ରୀସ୍ତରୀୟ କମିଟିର ତୃତୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ଭାଷାଆଇନର ସଂଶୋଧନ ହେବ। ସମିତି ପ୍ରସ୍ତାବିତ ନିୟମାବଳୀର ପ୍ରବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଭାଷା ସଂଗ୍ରାମ ସମିତି ଆହ୍ୱାନ ଦେଇ ଏକ ପ୍ରସ୍ତାବ ଗ୍ରହଣ କରିଛି । ଅନ୍ୟ ଏକ ପ୍ରସ୍ତାବରେ ଓଡିଆ ମୁକ୍ତ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ସଂପୂର୍ଣ୍ଣ ଅଧ୍ୟୟନ ଓ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିକୁ ଦୋହରାଯାଇଛି।

ଓଡିଶାରେ ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷା ଓଡିଆରେ କରିବା, ୨୦୧୬ରୁ ଖୋଲାଯିବାକୁ ଥିବା ମଡେଲସ୍କୁଲଗୁଡ଼ିକର ମାଧ୍ୟମ ଓଡିଆ ହେବା, ଶାସ୍ତ୍ରୀୟ ଓଡିଆର ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ରୀୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା  ଆଦି ସମ୍ପର୍କରେ ସରକାର ନିରବ ଅଛନ୍ତି। ସରକାରଙ୍କ ଅନ୍ୟ ନିଷ୍ପତ୍ତିଗୁଡିକ ସମିତିର ଦାବୀ ଅନୁରୂପ ହୋଇଛି। କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ ସରକାରୀ ଭାଷା ପ୍ରବର୍ତ୍ତନ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ସମିତି ପୂରାପୂରି ପ୍ରତ୍ୟାଖ୍ୟାନ କରିଛି । କାରଣ ଭାଷାଭିତ୍ତିକ ରାଜ୍ୟ ଓଡିଶା ତାର ମାତୃଭାଷାରେ ପ୍ରତ୍ୟେକ ଓ ସମସ୍ତ ସରକାରୀ କାମ ଚାଲିବାକୁ ୧୯୫୪ ଭାଷା ଆଇନରେ ସୁନିଶ୍ଚିତ କରାଯାଇ ସାରିଛି । ତେଣୁ ଅନ୍ୟାନ୍ୟ ରାଜ୍ୟର ଅନୁଶୀଳନ ଅନାବଶ୍ୟକ ଥିବାରୁ ଏହି ଟାଳଟୁଳ ନୀତି ବର୍ଜନ କରିବାକୁ ସମିତି ପରାମର୍ଶ ଦେଇଛି । ଓଡିଆ ଭାଷାରେ ଓଡିଶାଶାସନ ପାଇଁ ଓଡିଶା ସରକାର ଓ ଓଡିଆଭାଷା ସଂଗ୍ରାମ ସମିତି ସ୍ଵାକ୍ଷରିତ ଚୁକ୍ତି ଅନୁଯାୟୀ, ଗଠିତ ମନ୍ତ୍ରୀସ୍ତରୀୟ ନିଷ୍ପତ୍ତିମାନ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାରେ ସଂପୂର୍ଣ ଭାବରେ ପ୍ରତିଫଳିତ ହୋଇପାରି ନଥିବାରୁ ‘‘ଓଡିଆଭାଷା ସଂଗ୍ରାମ ସମିତି’’ ଦ୍‌ବେଗ ପ୍ରକାଶ କରୁଛି ।

ଏହି ଜରୁରୀ ବୈଠକରେ ସମିତି ଆବାହକ ଶଙ୍କର୍ଷଣ ପରିଡା ଅଧ୍ୟକ୍ଷତା କରିଥିଲେ। ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ଡକ୍ଟର ନଟବର ଶତପଥୀ, ଶ୍ରୀଯୁକ୍ତ ସୁଭାଷ ପଟ୍ଟନାୟକ, ଡକ୍ଟର ସୁବ୍ରତ ପୃଷ୍ଟିଉମାକାନ୍ତ ରାଉତ, ପବିତ୍ର ମହାରଥା, ଦେବପ୍ରସାଦ ପରିଜା, ହେମନ୍ତ ରଥ, ଓ ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଶଙ୍କର୍ଷଣ ପରିଡା, ଆବାହକ, ଓଡିଆଭାଷା ସଂଗ୍ରାମ ସମିତି
ଭ୍ରାମ୍ୟଭାଷ - ୯୪୩୭୦୩୪୫୫୦

Wednesday, December 16, 2015

ପୁଣି ରିଲାଏନ୍‌ସ୍‌ ବେଇମାନ୍‌

୨୦୧୫ ମସିହା ମାର୍ଚ ମାସରେ ରିଲାଏନ୍‌ସ୍‌ ଏନେର୍ଜୀ ଲାଙ୍ଗୁଡ଼ ଜାକିକି ଓଡ଼ିଶାରୁ ପଳାୟନ କରିଥିଲା। କାରଣ ତାହାର ପ୍ରାୟ ଦୁଇ ଦଶକର ଠକାମି ପରେ ତାହାର ବିଜୁଳି ବେପାର ଲାଇସେନ୍ସକୁ ଓଡ଼ିଶା ସରକାର ବାତିଲ କରିଦେଇଥିଲେ। ମାଛତେଲରେ ମାଛ ଭାଜିକି ଓଡ଼ିଶାକୁ ତଥା ଓଡ଼ିଶାବାସୀଙ୍କୁ ପଟି ମାରିଥିବା ରିଲାଏନ୍ସ କମ୍ପାନୀର ଆଉ ଏକ ଭାଗୁଆଳି ସଂସ୍ଥା ରିଲାଏନ୍ସ ଟେଲିକମ୍‌ ଏବେ ୨୦୧୫ ମସିହା ଡିସେମ୍ବର ୧୨ ତାରିଖରେ ତାହାର 2G ଟେଲିକମ୍‌ ସେବା ଓଡ଼ିଶାରେ ବନ୍ଦ କରି ଦେଇଛି। 
ଅସଲ କଥା ହେଲା ଯେ ସେହି କମ୍ପାନୀ ବଂଗ, ବିହାର, ଓଡ଼ିଶା, ଆସାମ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରଖିଥିବା ୯୦୦ ମେଗାହର୍ଜ ସ୍ପେକ୍ଟ୍ରମ୍‌ର ନବୀକରଣ କଲା ନାହିଁ। 3G ଓ 4G ସେବାରୁ ଉତ୍ତମ ଲାଭ ଉଠାଇବା ଲୋଭରେ ଲକ୍ଷଲକ୍ଷ 2G ଗ୍ରାହକଙ୍କ ଅଧିକାର କ୍ଷୁନ୍ନ କଲା। ବିଶେଷତଃ ଓଡ଼ିଶା ଗ୍ରାହକେ ସର୍ବାଧିକ କ୍ଷତିଗ୍ରସ୍ତ ହେଲେ। ସହରାଞ୍ଚଳର ଗ୍ରାହକମାନେ ଡିସେମ୍ବର ୧୨ ତାରିଖରୁ ୧୬ ତାରିଖ ଭିତରେ ନିଜ ରିଲାଏନ୍ସ ନମ୍ବରକୁ ସକ୍ରିୟ ରଖିବାରେ ବିକଳ୍ପର ସନ୍ଧାନ କରିବାରେ କିଛିଟା ସଫଳ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ପରିସ୍ଥିତି ଭିନ୍ନ ପ୍ରକାର ହୋଇଛି। ଗାଆଁଲୋକଙ୍କ ପାଖରେ ଦୌଡ଼ାଦୌଡ଼ି କରିବାକୁ ବେଳ ନାହିଁ କି ସୁବିଧା ନାହିଁ। ଅସଲ କଥା ହେଲା ଗତ ୧୦ ଦିନ ମଧ୍ୟରେ କିଛି ଗ୍ରାହକଙ୍କୁ SMS ପଠାଇ ସୂଚନା ଦେଇଥିଲେ ସୁଦ୍ଧା ଅନେକ ଗ୍ରାହକଙ୍କୁ ଆଦୌ ସୂଚନା ଦେଇ ନାହିଁ। ଏଥିପାଇଁ ସେହି କମ୍ପାନୀ ଗଣମାଧ୍ୟମ (ଖବରକାଗଜ, ଟିଭି)ର ସୁଯୋଗ ନେଇ ପାରିଥାଆନ୍ତା। କିନ୍ତୁ ଏପରି କିଛି କରି ନାହିଁ। ବରଂ ଅନ୍ୟ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀମାନଙ୍କ ବିଜ୍ଞାପନରୁ ଏହାର ସୁରାକ ମିଳିଲା। ଏପରିକି ଓଡ଼ିଶାର ଗଣମାଧ୍ୟମ ମଧ୍ୟ ଆଗୁଆ ସୂଚନା ଦେବାର କର୍ତ୍ତବ୍ୟ ସମ୍ପାଦନ କରି ନାହିଁ। ଫଳରେ ଏବେ ଅସୁବିଧାରେ ପଡ଼ିଛନ୍ତି ‘ଗଣ’। ଏକାଧିକ ଅସଂଗଠିତ କ୍ଷେତ୍ର ଭଳି ଟେଲିକମ୍‌ ଉପଭୋକ୍ତା (ବା ଗ୍ରାହକ)ମାନେ ମଧ୍ୟ ଅସଂଗଠିତ। ଏହି ଅନ୍ୟାୟ ବିରୋଧରେ ଏବେ କୌଣସି ରାଜନୀତିକ ନେତା ବା ଦଳ ଅଣ୍ଟା ଭିଡ଼ି ବାହାରିବେ କି? ରିଲାଏନ୍ସର ଅର୍ଥବଳ ଆଗରେ ସେମାନେ ମୁଣ୍ଡ ନୋଇବେନି ବୋଲି ଆମ୍ଭର ବିଶ୍ଵାସ।

ଏହି ଧୋକାବାଜ୍‌ ଟେଲିକମ୍‌ କମ୍ପାନୀର ଟେଲିକମ୍‌ ବେପାର ହେଉଛି ଏକ ଅସହିଷ୍ନୁତାର ନମୁନା। କାରଣ Airtel ଭଳି ଏହା ଏକ ଅଙ୍ଗୀକାରବଦ୍ଧ କମ୍ପାନୀ ନୁହେଁ। ବରଂ Airtelର ପ୍ରଗତିରେ ଅସହିଷ୍ନୁ ହୋଇ ଟେଲିକମ୍‌ ବେପାରରେ ପଶିଛି। ଲୋକଙ୍କୁ ଗ୍ରାହକ ବନେଇ, ଧପେଇବା ଓ ଲୁଟିବାର ଏକ ପ୍ରକ୍ରିୟା ଜାରି ରଖିଛି। ରିଲାଏନ୍ସ ଡିଜିଟାଲ (ପୂର୍ବରୁ ବିଗ୍‌ ଟିଭି ଡିଟିଏଚ୍‌) ମଧ୍ୟ ସେହିଭଳି ଏକ ଅସହିଷ୍ନୁ ପ୍ରକଳ୍ପ। ଭାରତର ଲୋକପ୍ରିୟ ଡିଟିଏଚ୍‌ ଭିତରେ ରିଲାଏନ୍ସ ଡିଜିଟାଲ ନାହିଁ। କେବଳ ଏକ ସୁଯୋଗ ମାଡ଼ିବସିବାକୁ ଲାଇସେନ୍ସ କରିକି ପ୍ରତିଦ୍ଵନ୍ଦ୍ଵିତାରୁ ନିଜକୁ ଦୂରେଇ ରଖିଛି। ଏହା ଦ୍ଵାରା ଟିଭି ଦର୍ଶକ/ଉପଭୋକ୍ତାଙ୍କୁ କୌଣସି ସୁବିଧା ହେଉନାହିଁ। ବରଂ ରିଲାଏନ୍ସ ଡିଟିଏଚ୍‌ ଫୋପାଡ଼ିକି ଅନ୍ୟ ଡିଟିଏଚ୍‌ ଆପଣାଉଛନ୍ତି ଗ୍ରାହକମାନେ। 

ଏବେ ସମୟ ଆସିଛି ଏକ ଅଭିନବ ବିଦ୍ରୋହ କରିବାର। ଓଡ଼ିଶାରୁ ସବୁପ୍ରକାର ରିଲାଏନ୍ସ ବେପାରକୁ ଖେଦିବାର। ରିଲାଏନ୍ସ ଟେଲିକମ୍‌ ଓଡ଼ିଶାର ପ୍ରଥମ ମୋବାଇଲ୍‌ ଫୋନ୍‌ ସେବାପ୍ରଦାନକାରୀ। ୧୯୯୮ରେ ବେପାର ଆରମ୍ଭ କରିଥିବା ଏହି କମ୍ପାନୀ ହ୍ୟାଣ୍ଡସେଟ୍‌ ଓ କଲ୍‌ ରେଟ୍‌ରେ ଏତେ ଲୁଟୁଥିଲା ଯେ ୨୦୦୦ ମସିହାରେ BSNL ମୋବାଇଲ ସେବା  ଆରମ୍ଭ କରିବା ପରେ, ଅଣନିଃଶ୍ଵାସୀ ରିଲାଏନ୍ସ ଗ୍ରାହକମାନେ BSNLକୁ ଖପ୍‌ଖାପ୍‌ ଡେଇଁବାରେ ଲାଗିଲେ। ଫଳରେ 98610 ସିରିଜ୍‌ର ନମ୍ବର ରଖିବାର ମୋହ ମିଳେଇଗଲା ପବନରେ। ବରଂ 94370 ସିରିଜ୍‌ ହିଁ ମର୍ଯ୍ୟାଦାର ପ୍ରତୀକ ହୋଇଗଲା। ୨୦୦୨ରେ ଯେତେବେଳେ Airtel ଓ Tata Indicom ଓଡ଼ିଶାକୁ ଆସିଲେ, ସେତେବେଳେ ଦୁଇ କମ୍ପାନୀର ପ୍ରଚାରଦୂତ ଥିଲେ ଯଥାକ୍ରମେ ସଚିନ୍‌ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲୀ। ହେଲେ Airtelର 99370 ସିରିଜ୍‌ ନମ୍ବରର ମାୟା ଅନେକ ମୋବାଇଲ-ମନସ୍କ ଗ୍ରାହକଙ୍କୁ କିମିଆ କରିବାକୁ ଲାଗିଲା। ଫଳରେ ରାଜ୍ୟର ଏକ ନମ୍ବର ତଥା ସର୍ବବୃହତ୍‌ ଦୂରସଂଚାର କମ୍ପାନୀ ହେବାକୁ ମାତ୍ର ୪ ବର୍ଷ ଲାଗିଲା। ଏପରିକି ୨୦୦୮ ମସିହାରୁ ଏୟାରଟେଲ୍‌, ଭାରତର ନମ୍ବର 1 ଦୂରସଂଚାର କମ୍ପାନୀ ରୂପେ ନିଜର ସ୍ଥାନ ବଜାୟ ରଖିଛି। ହେଲେ ରିଲାଏନ୍ସ ଯେତେ ଛେଚି କୁଟି ହେଲେ ବି ତିନି ନମ୍ବର ସ୍ଥାନକୁ ମଧ୍ୟ ଆସି ପାରୁ ନାହିଁ। UPA-2 ସରକାର ବେଳେ ଗଫଲତି କରି 3G ସ୍ପେକ୍ଟ୍ରମ୍‌ ହାତେଇଥିଲା ରିଲାଏନ୍ସ। ତାହାକୁ ଆଜି ସୁଦ୍ଧା ସାରା ଦେଶରେ କାମରେ ଲଗାଇ ପାରୁ ନଥିବାରୁ ସେହି ସ୍ପେକ୍ଟ୍ରମ୍‌ ହାତଛଡ଼ା ନକରିବା ପାଇଁ 2G ବେପାରରେ ପୂର୍ଣଛେଦ ଟାଣିବାକୁ ନିଷ୍ପତ୍ତି କଲା। ହେଲେ, ଏତେ ବଡ଼ ଦେଶରେ ଲକ୍ଷ ଲକ୍ଷ ଗ୍ରାହକ କାହିଁକି ହଇରାଣ ହେବେ ? ପୁଣି ଖାସ୍‌ କରି ଓଡ଼ିଶାରେ ଏହି ସଂକଟ ଏତେ ଗୁରୁତର କାହିଁକି ହେଲା ?

୨୦୧୨ ମସିହାରେ ମଧ୍ୟ ଓଡ଼ିଶାରୁ ୨ଟି ନୂଆ ଟେଲିକମ୍‌ କମ୍ପାନୀ ପେଡିପୁଟୁଳା ବାନ୍ଧିକି ବିଦାୟ ନେଇଥିଲେ। ସେ ଦୁଇଟି ହେଉଛି UninorSTel । 2G ସ୍ପେକ୍ଟ୍ରମ୍‌ ଦୁର୍ନୀତି ମାମଲାରେ ଫସିଥିଲେ ସେହି ଦୁଇ ନୂଆ କମ୍ପାନୀ। ସେମାନଙ୍କର ଲାଇସେନ୍ସ ରଦ୍ଦ ହେବା ପରେ ଅଳ୍ପ କେତୋଟି ସହରରେ ଆରମ୍ଭ କରିଥିବା ଟେଲିଯୋଗାଯୋଗ ସେବାରୁ ବିଦାୟ ନେଇଥିଲେ। ହେଲେ ସେମାନେ ଏମିତି ଧୋକାବାଜି କରି ନଥିଲେ। ବରଂ ଖୁବ୍‌ ଆଗରୁ ସବୁ ଗ୍ରାହକଙ୍କୁ ସୂଚନା ଦେଇଥିଲେ। ହେଲେ, ଏତେ ବଡ଼ ଓ ପୁରୁଣା କମ୍ପାନୀ ହୋଇ ସୁଦ୍ଧା ରିଲାଏନ୍ସ ବେଇମାନୀ କରିବାଟା ଅତ୍ୟନ୍ତ ଦୁଃଖଦାୟକ ।

ରିଲାଏନ୍ସ ପାଖରେ 1800 Mhz ବ୍ୟାଣ୍ଡ୍‌ର ଯେତିକି ସ୍ପେକ୍ଟ୍ରମ୍‌ ଅଛି, ତାହା ଓଡ଼ିଶା ଓ ଉତ୍ତର-ପୂର୍ବର ସବୁ 2G ଗ୍ରାହକଙ୍କୁ ଧରି ରଖିବାକୁ ଅକୁଳାଣ ହେଉଛି। ତେଣୁ ତରବରିଆ ଭାବେ କିଛି ଗ୍ରାହକଙ୍କୁ MNP (ମୋବାଇଲ ନମ୍ବର ପୋର୍ଟେବିଲିଟି) କରିବାକୁ ନିବେଦନ କରିଛି। କିନ୍ତୁ ନମ୍ବର ପୋର୍ଟେବିଲିଟି ପାଇଁ ଯେଉଁ ୧୦ ଦିନ ସମୟ ଲାଗିବ, ଯେଉଁ ଦୌଡ଼ାଦୌଡ଼ି କରିବାକୁ ପଡ଼ିବ, ଯୋଗାଯୋଗ ରଖିବାରେ ନିଜ ଆତ୍ମୀୟ-ବନ୍ଧୁ-ପରିଜନମାନଙ୍କ ଠାରୁ ବିଚ୍ଛିନ୍ନ ହୋଇ ରହିବାକୁ ପଡ଼ିବ, ତାହାର ଭରଣା କିଏ କରିବ? ସେହି କମ୍ପାନୀରେ Corporate Communication ଇତ୍ୟାଦି ଭଳିକି ଭଳି Communication ବିଶେଷଜ୍ଞମାନେ ଅଫିସର ଚାକିରିରେ ମୋଟା ଅଙ୍କ ଦରମାରେ ଥିବେ। ହେଲେ ସେମାନେ କଲେ କ’ଣ? ଏହା ହେଉଛି ଏ ଦେଶର ବିଡ଼ମ୍ବନା। ଜନସାଧାରଣ ତଥା ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବାର ସର୍ବନିମ୍ନ ସୂତ୍ର ଜାଣୁ ନଥିବା ଓ ସାଧୁତା ନଥିବା ଅଫିସରମାନେ ଏତେ ବଡ଼ ଅପରାଧ ପାଇଁ ଦାୟୀ ନୁହଁନ୍ତି କି?

Made in China ଡୁଆଲ ସିମ୍‌ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ ଓଡ଼ିଶା ବଜାରକୁ ତଥା ଭାରତର ବଜାରର ପରିଭାଷା ବଦଳାଇଦେଇଛି। ଭାରତୀୟଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି, ହେଲେ ଏବେ ବି ଓଡ଼ିଶାର ଗ୍ରାମାଞ୍ଚଳରେ ଲକ୍ଷଲକ୍ଷ ନାଗରିକ ସିଙ୍ଗଲ୍‌ ସିମ୍‌ ମୋବାଇଲଫୋନ୍‌ ବ୍ୟବହାର କରୁଛନ୍ତି। ଯେଉଁମାନେ ଏହି Reliable ରିଲାଏନ୍ସ୍‌ ଉପରେ ଭରସା କରି ନମ୍ବର ରଖିଥିଲେ, ସେମାନେ କି କଲବଲ ହେଉଥିବେ, ଟିକେ ଭାବନ୍ତୁତ?

ଚିଟ୍‌ ଫଣ୍ଡ୍‌ ସଂସ୍ଥା ହଠାତ୍‌ ଭଡ଼ାଘର ଛାଡ଼ି ଦେଇ ଭିତରେ ଲୁଙ୍ଗି ଗାମୁଛା ଶୁଖାଇକି ନିଖୋଜ ହୋଇଗଲେ, କେତେ ନାଟ ଲାଗିଯାଉଛି; ହେଲେ ରିଲାଏନ୍ସ କାହିଁକି ସେଥିରୁ ବାଦ୍‌ ଯିବ? ସେ ବଦ୍‌ମାସ୍‌ କମ୍ପାନୀ ଏବେ ବି ଗଣମାଧ୍ୟମରେ କ୍ଷମା ମାଗି ନାହିଁ। ଏୟା କ’ଣ ଏକ ସଭ୍ୟ ଦୁନିଆର, ଏକ ସଭ୍ୟ ଦେଶର ନମୁନା? ଓଡ଼ିଶା ସର୍କଲରେ ଯିଏ ରିଲାଏନ୍ସ ମୁଖ୍ୟ ଅଛନ୍ତି, ତାଙ୍କୁ ଓଡ଼ିଶାବାସୀ ଆଦୌ ପ୍ରଶ୍ନ ନକରିବା ବା ନଗୋଡ଼ାଇବା କ’ଣ ଓଡ଼ିଶାବାସୀଙ୍କ ସହିଷ୍ନୁତାର ଲକ୍ଷଣ ବୋଲି ଧରାଯିବ?

ଏକବିଂଶ ଶତାବ୍ଦୀରେ ମଧ୍ୟ ଏଭଳି ବଡ଼ଧରଣର ଠକେଇ ହେଉଛି ଏବଂ ଆମେ ଆଖି ମିଟିମିଟି କରି ଦେଖୁଛୁ; ଅଥଚ ମୁହଁ ଖୋଲି ପାରୁନୁ କି ପଦେ ପ୍ରତିକ୍ରିୟା ଲେଖୁ ନାହୁଁ! ଅବଶ୍ୟ, ଆଇନଅଦାଲତର ଆଶ୍ରୟ ନେଲେ, ରିଲାଏନ୍ସକୁ ପାରିହେବନି। କାରଣ ତା’ ପାଖରେ ପ୍ରବଳ ଟଙ୍କା ଅଛି। ତେଣୁ ଆଇନ ତା’ସପକ୍ଷରେ ଯିବ। ତେବେ ଟାଣୁଆ ଓକିଲ ହେଲେ ହିଁ ଆମ୍ଭର ନୈରାଶ୍ୟ, ମିଛ ପ୍ରମାଣିତ ହୋଇଯିବ। କିନ୍ତୁ ଓଡ଼ିଶାରେ ଓକିଲ କାହାନ୍ତି, ଏତେ ବଡ଼ ଘଟଣାରେ ଲଢ଼ିବାକୁ? ଯିଏବି ଅଛନ୍ତି ବୋଲି ଆପଣ କହୁଛନ୍ତି, ସେମାନେ ମୂଲଚାଲ ହେବାକୁ ବେଶି ସମ୍ବଳ ବା ସମୟ ଲାଗିବନି। ତାମିଲ ଓ ତେଲୁଗୁ ଓକିଲଙ୍କ ଦୃଢ଼ଆତ୍ମପ୍ରତ୍ୟୟ ଓ ଆଇନପଟୁତା ସମ୍ପନ୍ନ ଓକିଲ ଯଦି ଏ ରାଜ୍ୟରେ ଥାଆନ୍ତେ, ତେବେ ଆମର(ଓଡ଼ିଶାର) ସର୍ବଭାରତୀୟ ସ୍ତରରେ ମର୍ଯ୍ୟାଦା କେତେ ନା କେତେ ଉପରେ ଥାଆନ୍ତା। କିନ୍ତୁ ତାହା ଆଜି ସୁଦ୍ଧା ସମ୍ଭବ ହୋଇ ନାହିଁ। କାରଣ, କୌଣସି ଓଡ଼ିଆ ଓକିଲ ଆଜି ସୁଦ୍ଧା ଭାରତର ସମ୍ବିଧାନ ବା କୌଣସି କେନ୍ଦ୍ରୀୟ ଆଇନକୁ ଚ୍ୟାଲେଞ୍ଜ୍‌ କରି ନାହାନ୍ତି। ରାଜନେତା ଓ ଓକିଲ ପରେ ରହିଲେ ୟୁନିଅନ୍‌ ନେତା। ବିଭିନ୍ନ ୟୁନିଅନ୍‌ଗୁଡ଼ିକ ଦିନକୁ ଦିନ ଭୁଶୁଡୁଥିବା ବେଳେ ଏହି ଉପଭୋକ୍ତା ଆନ୍ଦୋଳନକୁ କେହି ନେତୃତ୍ଵ ଦେଇ ପାରିବେ କି? ଆପଣ କ’ଣ ଭାବୁଛନ୍ତି?

ବନ୍ଦେ ଉତ୍କଳ ଜନନୀ


ନିବେଦକ: ବିମଳ ପ୍ରସାଦ, ଭୁବନେଶ୍ଵର
କଥା ହୁଅନ୍ତୁ: 9439828178

Friday, December 11, 2015

ଅସହିଷ୍ଣୁତା ବନାମ ବିଶାଳ ଜନଶୁଣାଣି

‘ଅସହିଷ୍ଣୁତା’ ପ୍ରସଙ୍ଗକୁ ନେଇ ଦେଶରେ ବିଭିନ୍ନ ହଟଚମଟ ହେବା ପରେ ଆମ୍ଭେ କହିବାକୁ ଚାହୁ ଯେ ଓଡ଼ିଶାରେ କାଳେକାଳେ ଅସହିଷ୍ଣୁତା ଥିଲା ଏବଂ ରହିଛି। ‘ବଳାତ୍କାର’ ଓ ‘ଧର୍ଷଣ’ ଶବ୍ଦ ବଦଳରେ ‘ଦୁଷ୍କର୍ମ’ ଶବ୍ଦ ବ୍ୟବହାର ହେବା ଭଳି ଆମ୍ଭେ ମଧ୍ୟ କେତେକ ଶବ୍ଦ ବ୍ୟବହାରକୁ ବଦଳ କରିଦେଇଛୁ। ‘ପରଶ୍ରୀକାତରତା’, ‘ଇର୍ଷାପରାୟଣତା’, ‘ଅହଂକାର’, ‘ଆତ୍ମବଡ଼ିମା’ ଏ ସବୁ ଶବ୍ଦଗୁଡ଼ିକ ବଦଳରେ କେବଳ ‘ଅସହିଷ୍ଣୁତା’ ଶବ୍ଦକୁ ପ୍ରୟୋଗ କରୁଛୁ। ‘ଓଡ଼ିଆ କଙ୍କଡ଼ା’ ଉପାଖ୍ୟାନ ଯେମିତି ଅସହିଷ୍ଣୁତାର ଏକ ଉଦାହରଣ। ସେହିଭଳି ‘‘ଶାଗଖିଆକୁ ପେଜଖିଆ ସହିପାରେନି!’’, ‘‘ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ’’ ମଧ୍ୟ ଅସହିଷ୍ଣୁତାର ଉଦାହରଣ। ଯେଉଁଗୁଡ଼ିକ ଉତ୍କଳୀୟ ପୃଷ୍ଠଭୂମିରେ ପ୍ରସ୍ତୁତ ଓ ପ୍ରଚାରିତ।

ଏବେ ଆମ ଶାସନ ବ୍ୟବସ୍ଥାରେ ଖୋଜିବା ‘ଅସହିଷ୍ଣୁତା’ର ସ୍ଵରୂପ କେମିତି ଅଛି? ଗଣତନ୍ତ୍ରରେ ସବୁ ନାଗରିକଙ୍କର ସମାନ ହକ୍‌ ଥିଲେ ସୁଦ୍ଧା ଅମଲାତନ୍ତ୍ର ମାଡ଼ି ବସିଥାଏ ସିଂହଭାଗ। ଯେତେ ଯାହା ଆଇନ ତିଆରି ହେଉ ଅବା ସଂବିଧାନ କେତେ ଶହ ଥର ସଂଶୋଧନ ହେଉ, ଅଥବା ସୁପ୍ରିମ୍‌କୋର୍ଟଙ୍କ ମାନ୍ୟବର ଖଣ୍ଡପୀଠ କିଛି ଐତିହାସିକ ନିଷ୍ପତ୍ତି ଶୁଣାନ୍ତୁ; ଅମଲାତନ୍ତ୍ରୀମାନେ ହିଁ ସବୁ କ୍ଷମତା ଭୋଗ କରିଚାଲିଥିବେ, ସବୁ ଗାଦିରେ ସେଇମାନେ ହିଁ ବସିଥିବେ। ସେ ସେବାରେ ଥାଆନ୍ତୁ ଅବା ସେବାନିବୃତ୍ତ ହୋଇଥାଆନ୍ତୁ। ଉଦାହରଣ ହେଲା, ଓଡ଼ିଶାର ମୁଖ୍ୟ ସୂଚନା ଆୟୁକ୍ତ (Chief Information Commissioner) କେବେ ହେଲେ ଜଣେ ଅଣ-ଅମଲାତନ୍ତ୍ରୀ (non-bureaucrat) ହୋଇପାରିବେ ନାହିଁ ! ଏଥିପାଇଁ କ୍ଷମତାରେ ଥିବା ଅମଲାତନ୍ତ୍ରୀମାନେ ଯେଭଳି ଭାବେ ବିକଳିଆ ହୋଇ ଚକ୍ରାନ୍ତ କରନ୍ତି ଏବଂ କରି ଚାଲିଛନ୍ତି, ତାହାକୁ କ’ଣ କୁହାଯିବ? ‘ଅସହିଷ୍ଣୁତା’ କି ଆଉ କ’ଣ?

ଓଡ଼ିଶା ସୂଚନା ଆୟୋଗରେ ଆୟୁକ୍ତ ପଦବୀ ପାଇଁ ସରକାର ବିଜ୍ଞାପନ ଦେଉଛନ୍ତି। କିନ୍ତୁ ସୂଚନା ଅଧିକାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରୁଥିବା ବ୍ୟକ୍ତିତ୍ଵ ଓ ନେତୃତ୍ଵମାନେ ଆବେଦନ କଲେ ବି ସେମାନଙ୍କ ଆବେଦନକୁ ବଛାବଛି ତାଲିକାକୁ ନିଆଯାଉ ନାହିଁ। ସୂଚନା ଅଧିକାର ଅଭିଯାନ କେବଳ ଏକ ବ୍ୟାନର ହୋଇ ରହିନାହିଁ, ବରଂ ଏହା ୨୦ରୁ ବେଶି ରାଜ୍ୟସ୍ତରୀୟ ସ୍ଵାର୍ଥଗୋଷ୍ଠୀ (interest group)ର ଏକ ମିଳିତ-ମଞ୍ଚରେ ପରିଣତ ହୋଇସାରିଛି। ତେବେ ସାଧାରଣ ଲୋକେ ଯେତେ ସୂଚନାବନ୍ତ, ସଶକ୍ତ ହେଉଛନ୍ତି, ଅମଲାତନ୍ତ୍ରୀମାନେ ସେତିକି ଅସୁରକ୍ଷିତ ମଣୁଛନ୍ତି ଓ ଅସହିଷ୍ଣୁ ହୋଇପଡୁଛନ୍ତି। ସାଧାରଣ ନାଗରିକଙ୍କୁ ଶାସନ(Rule) କରିବା ପାଇଁ ସେମାନେ ତାଲିମପ୍ରାପ୍ତ। କୌଣସି ପରିସ୍ଥିତିରେ ବି ସାଧାରଣ ନାଗରିକ, ସେମାନଙ୍କୁ ଶାସନ କଲା ଭଳି ପଦପଦବୀରେ ରହିବାଟା ସେମାନେ ସହି ପାରୁ ନାହାନ୍ତି। ଅର୍ଥାତ୍‌ ଅସହିଷ୍ଣୁ ହୋଇ ପଡୁଛନ୍ତି। 

ସବୁଠୁ ମଜାଦାର କଥା ହେଲା, ଏହି ମିଳିତ-ମଞ୍ଚରେ ସାମିଲ ଥିବା ଓଡ଼ିଶାର ଦଳିତ୍‌ ସଂଗଠନମାନେ ମଧ୍ୟ ଚାହାନ୍ତି ଏକ ସଶକ୍ତ ଗଣତନ୍ତ୍ର; ଆଉ ଏଥିପାଇଁ ସେମାନେ କ୍ଷମତା ହାସଲର କୌଣସି ମୋହ ରଖିନାହାନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ଆରକ୍ଷୀ ଅଧୀକ୍ଷକ ସତୀଶଚନ୍ଦ୍ର ଗଜଭିୟେ ନିଜର ବିବାଦୀୟ ବ୍ୟକ୍ତିତ୍ଵକୁ ଢାଲ କରିବାକୁ ଯାଇ ଦଳିତ୍‌ କାର୍ଡ଼ ଖେଳିବାକୁ ଚେଷ୍ଟା କରିଥିଲେ। ଓଡ଼ିଶାର ଦଳିତ୍‌ ନେତାଏ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ପଷ୍ଟ କଲେ ଯେ ଗଜଭିୟେଙ୍କ ବିବୃତିରେ ସତ୍ୟତା ନାହିଁ କି ସେହି ବିବୃତି ପଛରେ ଓଡ଼ିଶାର ଦଳିତ୍‌ ସଂଘମାନଙ୍କର ସମର୍ଥନ ନାହିଁ। ଓଡ଼ିଶାର ଆରକ୍ଷୀ ମହାନିର୍ଦେଶକ ମଧ୍ୟ ଥିଲେ ଦଳିତ୍‌ ବର୍ଗର। କିନ୍ତୁ ସେ ବାରମ୍ବାର ନିନ୍ଦିତ ହେବା ପରେ କେବେ ବି ଓଡ଼ିଶାର ଦଳିତ୍‌ ସଂଘମାନେ ଜାତି କାର୍ଡ଼ ଖେଳିବାର ସୁଯୋଗ ନେଇ ନାହାନ୍ତି। ଏପରିକି ନିକଟରେ ଜଣେ ବରିଷ୍ଠ IAS ଅଧିକାରୀ ଓଡ଼ିଶାର ପ୍ରଥମ ଦଳିତ୍‌ ଅଧିକାରୀ ଭାବେ ମୁଖ୍ୟଶାସନସଚିବ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ସେ ହେଲେ ନାହିଁ। ଏଥିରେ ଦଳିତ୍‌ ସଂଘମାନେ ମଧ୍ୟ ମୁଣ୍ଡ ପୂରାଇ ନାହାନ୍ତି। ଅନ୍ୟ ପକ୍ଷରେ ଦେଖିଲେ ସେହିଭଳି କ୍ଷମତାରେ ଥିବା କିଛି ଅଧିକାରୀ, ଚୟନ ପ୍ରକ୍ରିୟା ଉପରେ ନିଜର ଅବାଂଛିତ କ୍ଷମତା ପ୍ରୟୋଗ କରି ଲୋକପ୍ରିୟ ଜନନେତାମାନଙ୍କୁ ମୂଳରୁ ସଫା କରି ଦେଉଛନ୍ତି। ଏହି କ୍ରମରେ ସୂଚନାଅଧିକାର ଆନ୍ଦୋଳନର ଛାମୁଆ ନେତା ପ୍ରଦୀପ ପ୍ରଧାନଙ୍କୁ କୌଣସି ପ୍ରକାର କ୍ଷମତାରୁ ଦୂରେଇରଖିବା ସତେ ଯେମିତି ସେମାନଙ୍କ ପାଇଁ ଏକ ଆବଶ୍ୟକତା ହୋଇଯାଇଛି !

ପ୍ରଦୀପ ପ୍ରଧାନଙ୍କ ନେତୃତ୍ଵରେ ଏଇ ୨୦୧୫ ଡିସେମ୍ବର ୧୩ ତାରିଖ ରବିବାର ସକାଳ ୧୦ଟାରେ ଆହୂତ ବିଶାଳ ଜନଶୁଣାଣିର ପ୍ରସଙ୍ଗ ରହିଛି ‘‘ଚାଷୀ ମୃତ୍ୟୁ’’। କିନ୍ତୁ ଏ ଜନଶୁଣାଣିକୁ ଯଦି ସମସ୍ତ ନିମନ୍ତ୍ରିତ ପ୍ରାଶାସନିକ ଅଧିକାରୀ ନଆସିବେ, ତେବେ ବୁଝାପଡ଼ିବ ଯେ ଖୋଦ୍‌ ରାଜ୍ୟ ପ୍ରଶାସନରେ ପ୍ରବଳ ଅସହିଷ୍ଣୁତା ଅଛି। କାରଣ ବିପର୍ଯ୍ୟୟ ବେଳାରେ ବି ସେମାନେ ରବିବାର ଛୁଟିଦିନର ବାହାନା କରିବେ। ପୂର୍ବନିର୍ଧାରିତ ବିବାହ ଉତ୍ସବ କାର୍ଯ୍ୟକ୍ରମର ଆଳ ଦେଖାଇବେ। ଅନ୍ୟ ପକ୍ଷରେ ଏହା ରାଜ୍ୟର ଶାସକଦଳ ପାଇଁ ଏକ ବଡ଼ ଆହ୍ଵାନ । 

ରାଜ୍ୟର ବିଜୁ ଜନତା ଦଳ ସରକାର ଲୋକପ୍ରିୟ ସରକାର ରୂପେ କ୍ଷମତାରେ ୧୬ ବର୍ଷ ଧରି ରହିଲାଣି। ତେବେ ଦେଖିବାକୁ ରହିଲା, ଏହି ଜନଶୁଣାଣିକୁ ଏହି ସରକାର ସମର୍ଥନ କରୁଛି କି ଏଡାଇ ଯାଇ ନିଜ ଗୋଡ଼ରେ କୁରାଢ଼ି ମାରୁଛି?

Wednesday, December 9, 2015

ନୀଳାଚଳ ଇସ୍ପାତ ନିଗମ ବନ୍ଦ ହେବ ନା ବିକ୍ରୀ?

ନୀଳାଚଳ ଇସ୍ପାତ ନିଗମ ବନ୍ଦ ହେବ ନା ବିକ୍ରୀ?
ମାଆ ନୁହେଁ, ଡାହାଣୀ ସାଜିଛି ଏମ୍.ଏମ୍‌.ଟି.ସି.

(ସୌଜନ୍ୟ: ସମ୍ବାଦ, ୯ ଡିସେମ୍ବର ୨୦୧୫, ମଙ୍ଗଳବାର)
ମା’ ଡାହାଣୀ ହେଲେ ନିଜ ଶିଶୁ ଶରୀରରୁ ରକ୍ତ ଶୋଷିବାକୁ ବି ପଛେଇ ନଥାଏ। ବାହାନା କିନ୍ତୁ ଭଲ ପାଇବା। ସେହିପରି ଆଚରଣ ପ୍ରଦର୍ଶନ କରୁଛି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଯୌଥ ଉଦ୍ୟୋଗର ମୁଖ୍ୟ ପ୍ରୋମୋଟର MMTC। ଏହାର କର୍ତୃପକ୍ଷ ଗତ ଚାରିବର୍ଷ ହେଲା ପୁଞ୍ଜିନିବେଶ, ସମ୍ପ୍ରସାରଣ ନେଇ ବଡ଼ ବଡ଼ କଥା କହୁଛନ୍ତି ସିନା, ଫଳ ଶୂନ। ବରଂ ସଂପ୍ରସାରଣ ବିନା, ନୀଳାଚଳ ଇସ୍ପାତ କ୍ରମଶଃ ରୁଗ୍‌ଣ ହେବାରେ ଲାଗିଛି । ଫଳରେ ଏହି ରାଷ୍ଟ୍ରାୟତ୍ତ ଶିଳ୍ପ ବନ୍ଦ ହେବ କି ଶାଗମୁଗ ଦରରେ ଘରୋଇ ସଂସ୍ଥା ହାତରେ ଟେକି ଦିଆଯିବ, ସେହି ଆଶଙ୍କା ଘାରୁଛି ନିଗମର ଶ୍ରମିକମାନଙ୍କୁ ।

୧୯୮୨ ମସିହାରେ କଳିଙ୍ଗନଗରରେ ପ୍ରତିଷ୍ଠିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (NINL)ର ମୁଖ୍ୟ ପ୍ରୋମୋଟର Metals & Minerals Trading Corporation (MMTC)। ଏହା ହାତରେ ସର୍ବାଧିକ ୪୯.୭୮ ପ୍ରତିଶତ ଅଂଶଧନ ରହିଛି ଯାହାର ମୋଟ କ୍ୟାପିଟାଲ୍ ସେୟାର୍‍ ପ୍ରିମିୟମ୍‍ ୩୭୯.୬୮ କୋଟି ଟଙ୍କା। ସେହିପରି ରାଜ୍ୟ ସରକାରଙ୍କ ଉଦ୍ୟୋଗ IPICOLର ୧୫.୨୯% ଅର୍ଥାତ୍
୮୮.୮୭ କୋଟି ଟଙ୍କା ଓ OMC  ୧୨.୩୨% ଅର୍ଥାତ୍ ୧୨୬.୯୫ କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି। ଏହା ସହିତ ରହିଛି ‘‘ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ’’(NMDC) ଓ
ଅନ୍ୟାନ୍ୟ ସଂସ୍ଥାଗୁଡିକର ଅଂଶଧନ। ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ନୀଳାଚଳ ଇସ୍ପାତ ୧୧୩୫.୪୬ କୋଟି ଟଙ୍କାର କ୍ଷତି ସହିଲାଣି। ବିଭିନ୍ନ ବ୍ୟାଙ୍କରେ ଏହାର ବକେୟା ଋଣ ପରିମାଣ ବୃଦ୍ଧି ପାଇ ୧୮୪୭ କୋଟି ଟଙ୍କାରେ ପହଞ୍ଚିଲାଣି। ବର୍ତମାନ ନୀଳାଚଳ ଇସ୍ପାତରେ ନଗଦ ଅର୍ଥ ସଂକଟ ଦେଖାଦେଇଛି। ଏହା ସତ୍ତ୍ୱେ MMTC, କାରଖାନାର କଂଚାମାଲ ଖର୍ଦିବିକ୍ରି ବାବଦରେ ୩ ପ୍ରତିଶତ କମିଶନ ନୀଳାଚଳ ଇସ୍ପାତରୁ ଅଦ୍ୟାବଧି ୭୯୨ କୋଟି ଟଙ୍କା ନେଇ ସାରିଲାଣି । ସେହିପରି ପୁଞ୍ଜିନିବେଶ ରାଶିକୁ ଋଣ ଦର୍ଶାଇ ସେ ବାବଦରେ ୧୧.୫ ପ୍ରତିଶତ ସୁଧ ହାରରେ ଟଙ୍କା ଆଦାୟ କରିଚାଲିଛି MMTC କାରଖାନା ଚାଲୁ ବା ବନ୍ଦ ହେଉ, ସୁଧ ଆଦାୟ ଚାଲିଛି । କିନ୍ତୁ ଏଭଳି ମହାଜନୀ କାରବାର ସୁଯୋଗ ଅନ୍ୟ କେଉଁ ଅଂଶଧନକାରୀଙ୍କୁ ମିଳୁନାହିଁ । ଏହା ମା’ ହୋଇ ଡାହାଣୀ ଭଳି ନିଜ ଶିଶୁ ଦେହରୁ ରକ୍ତ
ଶୋଷିବା ନୁହେଁ କି? ଅନ୍ୟପକ୍ଷରେ 
OMC ହେଉ ବା IPICOL ନିଜସ୍ୱ ପୁଞ୍ଜି ବିନିଯୋଗ ବାବଦରେ ଏ ପର୍ଯ୍ୟନ୍ତ ଟଙ୍କାଟିଏ ବି ନେଇନାହାନ୍ତି ବୋଲି ଗତ ୪ ତାରିଖରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାରେ କହିଛନ୍ତି । ବରଂ OMC ଏହି ସେପ୍ଟେମ୍ବରରେ ଏହି ସଂସ୍ଥାକୁ ୧୭୦ କୋଟି ଟଙ୍କାର ସ୍ୱଳ୍ପମିଆଦୀ କର୍ପୋରେଟ ଋଣ ପ୍ରଦାନ କରିଥିବା ସେ କହିଛନ୍ତି ।

ନୀଳାଚଳ ଇସ୍ପାତକୁ ସାମ୍ପ୍ରତିକ ଜଟିଳ ସ୍ଥିତିରୁ ରକ୍ଷା କରିବା ପାଇଁ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ଼୍‌ (SAIL) ସହିତ ଏହାର ମିଶ୍ରଣ ପ୍ରସଙ୍ଗ ବହୁତ ଦିନରୁ ମୁଣ୍ଡ ଟେକିଲାଣି । ଖୋଦ୍ ସେଲ୍ ଅଧ୍ୟକ୍ଷ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଆଗ୍ରହ ପ୍ରଦର୍ଶନ କରିଛନ୍ତି । ଅନୁକୂଳ କାରଣ ହେଉଛି ନୀଳାଚଳ ଇସ୍ପାତ ନିଗମ ଅଧୀନରେ ୨୫୦୦ ଏକର ଜମି ରହିଛି । ଫଳରେ ନୂଆ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଭଳି ଜଟିଳ ସମସ୍ୟା ରହିବ ନାହିଁ। ଦ୍ୱିତୀୟରେ, ନିଗମ ହାତରେ କୋଇଡ଼ାଠାରେ ୧୧୦ ନିୟୁତ ଟନ୍ ଲୁହାପଥର ଗଚ୍ଛିତ ଥିବା ୮୭୪.୨୯ ହେକ୍ଟର ପରିମିତ ଖଣି ରହିଛି। ଏହାବ୍ୟତୀତ ଭିତ୍ତିଭୂମି, ଜାତୀୟ ରାଜପଥ ଓ ବନ୍ଦରକୁ ଯୋଗାଯୋଗ ଆଦି ସୁବିଧା ଉପଲବ୍ଧ । ନିଶ୍ଚିତ ମୃତ୍ୟୁମୁଖକୁ ଗତି କରୁଥିବା ସଂସ୍ଥା ସକାଶେ ସେଲ୍ ହିଁ ମୃତ୍ୟୁସଂଜୀବନୀ କହିଲେ ଭୁଲ ହେବ ନାହିଁ । କାରଣ SAIL ନବରତ୍ନ ମାନ୍ୟତାପ୍ରାପ୍ତ ଏବଂ ଇସ୍ପାତ ନିର୍ମାଣରେ ଏହାର ଅନ୍ୟୂନ ୫୦ ବର୍ଷର ଅଭିଜ୍ଞତା ରହିଛି। ନୀଳାଚଳ ଇସ୍ପାତରେ ଆବଶ୍ୟକ ପୁଞ୍ଜିନିବେଶ ପାଇଁ ଆର୍ଥିକ ଓ ବୈଷୟିକ ସାମର୍ଥ୍ୟ ରହିଛି। କିନ୍ତୁ SAIL ପ୍ରସ୍ତାବକୁ କାହିଁକ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି ଏବଂ ରାଜ୍ୟ ସରକାର କେଉଁ କାରଣ ପାଇଁ ଚାପ ପ୍ରୟୋଗ କରିବାରେ ବିଫଳ ହୋଇଛନ୍ତି, ତାହା ବୁଝାପଡ଼ୁନାହିଁ। ଅବଶ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଧାନସଭାରେ କହିଛନ୍ତି SAIL ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଦତ୍ତ ମିଶ୍ରଣ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ସହମତି ରହିଛି। କିନ୍ତୁ ଏହାକୁ କାର୍ଯ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଥରେ ହେଲେ ବି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିନାହାନ୍ତି। ମୁଖ୍ୟ ସଚିବ କି ସଂପୃକ୍ତ ବିଭାଗୀୟ ସଚିବ ଏହି ପ୍ରସଙ୍ଗରେ ଉପଯୁକ୍ତ ସମୀକ୍ଷା କି ତଦାରଖ କରୁନାହାନ୍ତି । ନିକଟରେ ଅନୁଷ୍ଠିତ ନୀଳାଚଳ ଇସ୍ପାତ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ ବୈଠକରେ ରାଜ୍ୟ ସରକାରଙ୍କ ଶିଳ୍ପ କି ଇସ୍ପାତ ବିଭାଗ ସଚିବଙ୍କ ପରିବର୍ତେ ଜଣେ କନିଷ୍ଠ ଅଧିକାରୀଙ୍କ ଯୋଗଦାନକୁ ଅବହେଳାର ନମୁନା କୁହାଯାଇପାରେ ।
  
ମୁଖ୍ୟ ପ୍ରୋମୋଟର MMTC କର୍ତୃପକ୍ଷ ବିଭିନ୍ନ ସମୟରେ ନୀଳାଚଳ ଇସ୍ପାତ ଶିଳ୍ପର ସମ୍ପ୍ରସାରଣ କରାଯିବା ସହିତ ୨୨ହଜାରରୁ ୩୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କହୁଛନ୍ତି । ଗତ ସେପ୍ଟେମ୍ବର ମାସରେ ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ବେଦପ୍ରକାଶ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି କରିଥିଲେ ନୀଳାଚଳ ଇସ୍ପାତ କାରଖାନାର ଷ୍ଟିଲ୍ ମେଲ୍ଟିଂ ସପ୍(SMS୧୫ ଅକ୍ଟୋବର ୨୦୧୫ରୁ ପୂର୍ଣ କାର୍ଯ୍ୟକ୍ଷମ ହେବ। କିନ୍ତୁ ହେଲା ନାହିଁ। ଗତ ନଭେମ୍ବର ୩୦ ତାରିଖରେ କୋଲକାତା ଠାରେ ସେ କହିଥିଲେ ଡିସେମ୍ବର ମାସରୁ ଏହାର ପୂର୍ଣାଙ୍ଗ ଉତ୍ପାଦନ ଆରମ୍ଭ ହେବ । କେବଳ ବେଦପ୍ରକାଶ ନୁହନ୍ତି, ତାଙ୍କ ପୂର୍ବରୁ MMTCର ପୂର୍ବତନ CMD ଏଚ୍.ଏସ୍. ମାନ୍‌ ୨୦୧୧ ଏପ୍ରିଲ ମାସରେ କହିଥିଲେ, ଖୁବଶୀଘ୍ର ୧୮୫୫ କୋଟି ଟଙ୍କା ନିବେଶ କରାଯାଇ ନୀଳାଚଳ ଇସ୍ପାତର ୨ୟ ପର୍ଯ୍ୟାୟ ସଂପ୍ରସାରଣ ହେବ ଏବଂ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୫ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ସେହିବର୍ଷ ଦ୍ୱିତୀୟାର୍ଧରୁ ନିଜସ୍ୱ ଖଣିରୁ ଉତ୍ପାଦନ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ। ଚାରିବର୍ଷ ବିତିଗଲା ହେଲେ ସେ ଦେଖାଇଥିବା ସ୍ୱପ୍ନ ପୂରଣ ହେଲା ନାହିଁ । ୨୦୧୪ ଡିସେମ୍ବରରେ MD ଜି.ଏସ୍. ଗିଲ୍ ମଧ୍ୟ ମୁଖ୍ୟ ଶାସନସଚିବଙ୍କୁ ଭେଟି ଉତ୍ପାଦନ କ୍ଷମତା ୬ ନିୟୁତ ଟନ୍‌କୁ ବୃଦ୍ଧି ପ୍ରସ୍ତାବ ସଂକ୍ରାନ୍ତରେ କହିିଥିଲେ। କିନ୍ତୁ ସେସବୁ ବିବୃତି କାର୍ଯ୍ୟରେ ପରିଣତ ହେଲାନାହିଁ। ଏହି ପରିପ୍ରେକ୍ଷୀରେ ବେଦପ୍ରକାଶଙ୍କ ବିବୃତିକୁ ସହଜେ ଗ୍ରହଣ କରି ହେଉନାହିଁ।

ନୀଳାଚଳ ଇସ୍ପାତର ରୋଲିଂ ମିଲ୍ ଓ SMS ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେଲେ ଏହାର ଉତ୍ପାଦନ ଖର୍ଚ ହ୍ରାସ ପାଇବ ନାହିଁ । ଏହା ସମନ୍ୱିତ ଇସ୍ପାତ ଶିଳ୍ପ ରୂପେ ବିକଶିତ ହେଲେ ଏବଂ ଏହାର ନିଜସ୍ୱ ଖଣି (ଉନ୍ନତମାନ ୬୫ ଭାଗ ଲୁହା ଅଂଶ)ରୁ ଉତ୍ତୋଳନ କରାଗଲେ ଯାଇ ଏହା ଲାଭାକାରୀ ଶିଳ୍ପରେ ପରିଣତ ହୋଇପାରିବ। ନଚେତ ନୀଳାଚଳ ଇସ୍ପାତରେ ତାଲା ଝୁଲିବା ନିଶ୍ଚିତ। ଶେଷରେ ଏହି ଯୌଥ ଉଦ୍ୟୋଗକୁ ଆଦାନୀ, ଅମ୍ବାନୀ ଭଳି ବେପାରୀଙ୍କୁ ଭେଟି ଦିଆଯିବାର ଆଶଙ୍କାକୁ ଏଡାଇ ହେବନାହିଁ ବୋଲି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ମତିଗତିରୁ ଆଭାସ ମିଳୁଛି ବୋଲି ଏହାର ଶ୍ରମିକ ନେତାଏଁ କହୁଛନ୍ତି। ବର୍ତମାନ ସଂସ୍ଥାର ଆର୍ଥିକ ସ୍ଥିତି ଗମ୍ଭୀର। SMS ପାଇଁ ଆବଶ୍ୟକ କଂଚାମାଲ୍ ଖର୍ଦି କରିବା, ବ୍ଲାଷ୍ଟ ଫର୍ଣ୍ଣେସର କ୍ୟାପିଟାଲ୍ ମରାମତି କି କୋକ୍ ଓଭାନ୍‌ରେ ଆବଶ୍ୟକ ନୂଆ ବ୍ୟାଟେରି ପାଇଁ ଆବଶ୍ୟକ ଅର୍ଥ ନାହିଁ । ଏହାର ଆଧୁନିକୀକରଣ ସକାଶେ କେଉଁଠୁ ବିପୁଳ ରାଶିର ପୁଞ୍ଜି ଆସିବ ସେନେଇ MMTC ନିକଟରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଅପରପକ୍ଷରେ ସମ୍ପ୍ରସାରଣ ନେଇ ଶ୍ରୀ ବେଦପ୍ରକାଶ କୌଣସି ନିର୍ଦିଷ୍ଟ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇ ନାହାନ୍ତି ବୋଲି କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ । ଏଣୁ ସମ୍ପ୍ରସାରଣ ନେଇ ଅହେତୁକ ବିଳମ୍ବ ନୀଳାଚଳ ଇସ୍ପାତ ପାଇଁ କାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି ।

Saturday, December 5, 2015

ଓଡ଼ିଶାର ବିଜୁଳି ସଂକଟ ଓ ସମାଧାନ

ରାଜ୍ୟରେ ବିଜୁଳି ସଂକଟର ସମାଧାନ ଚିନ୍ତା ଆଜିର ନୁହେଁ । ବିଜୁଳି ବଣ୍ଟନର ଘରୋଇକରଣ ପାଇଁ ୧୯୯୨-୯୩ ମସିହାରେ ଜନତା ଦଳ ଶାସନ କାଳରେ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ବିଜୁଳି ସଂସ୍କାର ଲାଗୁ ହେଲା ୧୯୯୫ ମସିହାରେ କଂଗ୍ରେସ ଶାସନ କାଳରେ । ସରକାରଙ୍କ ପ୍ରତିଶ୍ରୁତି ଥିଲା, ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଭାବେ ଗୁଣାତ୍ମକ ବିଜୁଳି ଯୋଗାଇ ଦିଆଯିବ । ତେଣୁ ଏକ ବିସ୍ତୃତ ଯୋଜନା ଅଧୀନରେ ପ୍ରଥମେ ପାରମ୍ପରିକ ସରକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍‍ ବୋର୍ଡ଼(ଓଏସ୍‍ଇବି)କୁ ଭାଙ୍ଗି ଦିଆଯାଇଥିଲା ଏବଂ ଗଢ଼ା ହେଲା ଓଡ଼ିଶା ଗ୍ରୀଡ଼୍‍ କର୍ପୋରେସନ୍‍ ଲିମିଟେଡ଼୍‍ ବା ଗ୍ରୀଡ଼୍‍କୋ । ସମସାମୟିକ ଭାବେ ଗଢ଼ା ହେଲା ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ ବା ଓ.ଇ.ଆର୍‍.ସି.ଓ.ଏସ୍‍.ଇ.ବି.ର ସେବା ପ୍ରଦାନରେ ବିମୁଖ ହୋଇ ରାଜ୍ୟ ସାରା ବିଦ୍ୟୁତ୍‍ ଉପଭୋକ୍ତା ତଥା ଜନସାଧାରଣ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରୁଥିଲେ । ଏପରିକି ତାଚ୍ଛଲ୍ୟ କରି ଏହି ସଂକ୍ଷିପ୍ତ ନାମର ପୂରା ନାମ କହୁଥିଲେ - ଓଡ଼ିଶା ସାରା ଇଲେକ୍‍ଟ୍ରି ବନ୍ଦ । ଏଭଳି ପରିସ୍ଥିତିରେ, ସଂସ୍କାର ପ୍ରକ୍ରିୟାରେ ଗୁରୁ ଦାୟିତ୍ୱ ମୁଣ୍ଡାଇଥିଲା ବିଦ୍ୟୁତ୍‍ ନିୟାମକ ଆୟୋଗ । ଆୟୋଗ ଯାହା ସୁପାରିଶ କରୁଥିଲେ, ତାହା ଥିଲା ବେଦର ଗାର । କିନ୍ତୁ ଗ୍ରୀଡ଼୍‍କୋ ଦାୟିତ୍ୱ ମୁଣ୍ଡାଇବା ପରେ ମଧ୍ୟ ପୂର୍ବ ପରିସ୍ଥିତିରେ କୌଣସି ସୁଧାର ଆସିଲା ନାହିଁ । ତେଣୁ ଜନସାଧାରଣ ପୁଣି ଆଖ୍ୟା ଦେଲେ ଓଡ଼ିଶା ଗ୍ରୀଡ଼ି କର୍ପୋରେସନ ଲିମିଟେଡ଼୍‍ ବା ଓଡ଼ିଶା ମହାଲୋଭୀ ନିଗମ । ନୂଆ ବୋତଲରେ ପୁରୁଣା ମଦ ବୋଲି ବର୍ଣନା କରି ବିଭିନ୍ନ ପତ୍ରପତ୍ରିକାରେ ରିପୋର୍ଟ ଓ ଲେଖାମାନ ପ୍ରକାଶ ପାଇଲା । ଯେତେ ଯାହା ତ୍ରୁଟି ଚିହ୍ନଟ ହେଉଥିଲା, ସବୁଥିରେ ଗୋଟିଏ ପକ୍ଷ ଥିଲେ ଜନସାଧାରଣ ବା ଉପଭୋକ୍ତା । ଅର୍ଥାତ୍‍ ଜନସାଧାରଣଙ୍କ ଉପରେ ଦୋଷ ଲଦା ଯାଉଥିଲା । ତାହା ହୁକିଙ୍ଗ୍‍ ହେଉ, ମିଟର ଟ୍ୟାମ୍ପରିଂ ହେଉ ଅବା ମିଟର ବାଇପାସିଂ, ଏମିତି ଭଳିକି ଭଳି ଅସଦ୍‍ଉପାୟ ଯୋଗୁ ବିଜୁଳି ବର୍ବାଦ୍‍ ହେଉଛି ବୋଲି ବିଜୁଳି ଯୋଗାଣକାରୀ ନିଗମ ଦେଉଥିବା ରିପୋର୍ଟ ଉପରେ ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟାମକ ଆୟୋଗ ସୁପାରିଶ କରୁଥିଲେ । କିନ୍ତୁ ଅସଲ ଚୋରି ଅନ୍ୟ ଜାଗାରେ ହେଉଥିଲା । ତେଣୁ କେବଳ କ୍ଷତିରେ କ୍ଷତିରେ ଜାରି ରହିଆସିଛି ବିଦ୍ୟୁତ୍‍ ବିତରଣ ।

୧୯୯୮ରେ ଦେଶରେ ପ୍ରଥମ କରି ଓଡ଼ିଶା ଏକ ନୂଆ ପଦକ୍ଷେପ ନେଲା ଏବଂ ବିଜୁଳି ବିତରଣ ପାଇଁ ଘରୋଇକରଣ ନାମରେ ରିଲାଏନ୍ସ ଏନେର୍ଜୀ ନାମକ ରାଜ୍ୟ ବାହାରର ଏକ କମ୍ପାନୀ ହାତେର ଦାୟିତ୍ୱ ଟେକିଦେଲା । ଏହା ଫଳରେ ଗ୍ରୀଡ଼୍‍କୋର ପ୍ରତ୍ୟକ୍ଷ ଲୋକସଂପର୍କ ବ୍ୟାପାରରେ ପୂର୍ଣଛେଦ ପଡ଼ିଲା । ଅତଏବ କେବଳ ଟାୱାର ଲାଇନ୍‍ରେ ବିଦ୍ୟୁତ୍‍ ପରିବହନ କରିବାର ମଧ୍ୟସ୍ଥି ଭୂମିକାରେ ରହିଲା ଗ୍ରୀଡ଼୍‍କୋ । ବିଜୁଳି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ ଉଚ୍ଚକ୍ଷମତା ସମ୍ପନ୍ନ ତାରରେ ବିଜୁଳି ଆଣି ବିତରକ କମ୍ପାନୀକୁ ଦେଲା । ଆଉ ବିତରକ କମ୍ପାନୀମାନେ ସାଧାରଣ ଉପଭୋକ୍ତାଙ୍କୁ ବିଜୁଳି ବିତରଣ କରି ପାଉଣା ଆଦାୟ କଲେ । ଆମ ରାଜ୍ୟରେ ବିଦ୍ୟୁତ୍‍ ବିତରଣର ଘରୋଇକରଣ କରି ଏକ ଇତିହାସ ରଚିଛି ବୋଲି ସରକାର ଯେତିକି ନିଜ ପିଠି ଥାପୁଡାଉଥିଲେ, କିଛି ଚିନ୍ତାଶୀଳ ନାଗରିକ ମଧ୍ୟ ବଡ଼ ବଡ଼ ଲେଖା ସବୁ ବିଭିନ୍ନ ପତ୍ରପତ୍ରିକାରେ ଛାଡ଼ି ଗର୍ବ ଅନୁଭବ କରୁଥିଲେ । କିନ୍ତୁ ମୌଳିକ ସମସ୍ୟାକୁ କେହି ଚିହ୍ନୁ ନଥିଲେ କି ସମାଧାନର ବାଟ ବାହାର କରୁ ନଥିଲେ । ଯେଉଁ ସ୍ଥିତି ଏବେ ବି ଲାଗି ରହିଛି ।

୧୯୯୫ ମସିହାରେ ବିଜୁଳି ଟିକସ ଦେବା ପରେ ଯେଉଁ ଭଳି କାର୍ବନପେପର ବ୍ୟବହୃତ ଲମ୍ବା ଲମ୍ବା ରସିଦ୍‍ ମିଳୁଥିଲା, ୨୦୧୫ ମସିହାରେ ଠିକ୍‍ ସେହି ରସିଦ୍‍ ଜାରି ରହିଛି । ସେହି ରସିଦ୍‍ କାଗଜର ଫର୍ମାଟ୍‍ ଓ ଆକାରରେ କୌଣସି ପରିବର୍ତନ ହୋଇ ନାହିଁ । ତଥାପି କୁହାଯାଉଛି ବିଜୁଳି ସଂସ୍କାର ହୋଇଛି! ଏକବିଂଶ ଶତାବ୍ଦୀରେ ଜ୍ଞାନକୌଶଳର ଯୁଗରେ ଏଭଳି ରସିଦ୍‍ ବ୍ୟବସ୍ଥା ଏକ ବିକୃତି । ଏହାକୁ ଅନ୍ୟ ଭାଷାରେ କୁହାଯାଏ ଅଫ୍‍ଲାଇନ୍‍ ପୈଠ ବ୍ୟବସ୍ଥା । ଏଭଳି ବ୍ୟବସ୍ଥାରେ ଆଦୌ ସ୍ୱଚ୍ଛତା(Transparency) ନାହିଁ । ପୈଠ ବ୍ୟବସ୍ଥା ଉପରେ ଆମ୍ଭେ ନଜର ପକାଇବାର ଉଦ୍ଦେଶ୍ୟ ହେଲା ଯେ ସବୁବେଳେ ଯେତେ ଅଭିଯୋଗ ଉପଭୋକ୍ତାଙ୍କ ବିରୋଧରେ ଦାପ୍ତରିକ ଭାବରେ ଉଠିଛି, ତହିଁରୁ ମୁଖ୍ୟ ଅଭିଯୋଗ ହେଉଛି ଯେ ଉପଭୋକ୍ତାମାନେ ବିଜୁଳି ଶୁଳ୍କ ଯଥା ସମୟରେ ବା ଯଥାପରିମାଣରେ ଦେଉ ନାହାନ୍ତି । କେହି କେହି ମାସ ମାସ ଧରି ଦେଉ ନାହାନ୍ତି । ଏହିଭଳି ଅଭିଯୋଗ-ପ୍ରତ୍ୟଭିଯୋଗ-ପ୍ରତିକାରମୂଳକ ପଦକ୍ଷେପ ଭିତରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । କିନ୍ତୁ ଅନ୍‍ଲାଇନ୍‍ ପୈଠ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ନାହିଁ । ସ୍ପଷ୍ଟ ଭାବରେ କହିଲେ, ଓଡ଼ିଶା ବିଦ୍ୟୁତ୍‍ ନିୟାମକ ଆୟୋଗ(OERC) ଏହାକୁ ଅଣଦେଖା କରିଛି । ଅବଶ୍ୟ ତିନି ବର୍ଷ ତଳେ ଆୟୋଗର ନିଦ ଭାଙ୍ଗିଥିଲେ ସୁଦ୍ଧା ନେଡ଼ି ଗୁଡ଼ କହୁଣୀକୁ ବୋହିଯାଇସାରିଛି । ଉପଭୋକ୍ତାଙ୍କୁ କେବେହେଲେ ସାଧୁ ବା ଭଦ୍ର ହେବା ପାଇଁ ସୁଯୋଗ ଦିଆଯାଇ ନାହିଁ । ଯଦି ଅନ୍‍ଲାଇନ୍‍ ପୈଠ ବ୍ୟବସ୍ଥା ଥାଆନ୍ତା, ତେବେ ପ୍ରତିଦିନ କେତେ ଆଦାୟ ହେଲା, ତାହା ଜାଣି ହେଉଥାଆନ୍ତା । ଏହା ନଥିବାରୁ ଉପଭୋକ୍ତାମାନଙ୍କୁ ବିଭିନ୍ନ ଶୁଳ୍କ ଆଦାୟ କେନ୍ଦ୍ରରେ ଧାଡ଼ି ଲଗାଇ ଠିଆ ହେବାକୁ ପଡୁଛି । କିନ୍ତୁ ଅନ୍‍ଲାଇନ୍‍ ପୈଠ ବ୍ୟବସ୍ଥା ଥିଲେ ନିଜ ଘରେ ବା ଦପ୍ତରରେ ବସି ମଧ୍ୟ ପୈଠ କରି ହୁଅନ୍ତା । ଯାହାକି ଆଜି ସୁଦ୍ଧା ସମ୍ଭବ କରାଯାଇ ନାହିଁ ।

ସାଧାରଣ ବିଜୁଳି ଉପଭୋକ୍ତାଙ୍କୁ ପ୍ରଶାସନ ସନ୍ଦେହ ଦୃଷ୍ଟିରେ ଦେଖି ଆସିିବାଟା ସମ୍ଭବତଃ ବ୍ରିଟିଶ ଇଣ୍ଡିଆ ବେଳର ମାନସିକତା । କାରଣ ଭାରତୀୟମାନଙ୍କୁ ଚୋର ବିବେଚନା କରି ବ୍ରିଟିଶ ସରକାର, ଘରୋଇ ସଂଯୋଗର ମାନକ ଭୋଲ୍ଟ ୨୨୦ ଧାର୍ଯ୍ୟ କରିଛନ୍ତି । ଡବଲ ଫେଜ୍‍ ହେଲେ ଏହା ୪୪୦ ଭୋଲ୍ଟ ହେଉଛି । ଏତିକି ବିଜୁଳିର ସଂସ୍ପର୍ଶରେ ଆସିଲେ ମଣିଷର ମୃତ୍ୟୁ ହୋଇଯାଉଛି । କିନ୍ତୁ  ବ୍ରିଟେନ୍‌ରେ ଏହି ମାନକ ବିଜୁଳି ହେଉଛି ୧୧୦ ଭୋଲ୍ଟ ସମ୍ପନ୍ନ । ଭାରତରେ ରେଳଗାଡ଼ି ପ୍ରଚଳନ ବ୍ରିଟିଶ ସରକାର କରିଥିଲେ, କେବଳ ସରକାରୀ ବାବୁମାନେ ଯାତାୟତ ପାଇଁ । ତେଣୁ ରେଳଗାଡ଼ିରେ ଥିବା ବିଜୁଳି ବ୍ୟବସ୍ଥା ମଧ୍ୟ ୧୧୦ ଭୋଲ୍ଟ ସମ୍ପନ୍ନ । ଆମ ଦେଶରେ ଯଦିଓ ଏହି ମାନକ ପରିବର୍ତନ ପାଇଁ ବିଶେଷ ସ୍ୱର ଉଠିନାହିଁ, କିନ୍ତୁ ଖୁଣ୍ଟରେ ଏଲ୍‍.ଟି. ବା ନିମ୍ନ କ୍ଷମତାସଂପନ୍ନ ଖୋଲା ତାରରେ ବିଜୁଳି ସରବରାହ ନକରିବା ପାଇଁ ବାରମ୍ବାର ଦାବି ଉଠିଛି । କାରଣ ଏହି ପାରମ୍ପରିକ ବିଜୁଳି ସରବରାହ ବ୍ୟବସ୍ଥା ଦ୍ୱାରା ବିପୁଳ ଧନଜୀବନ ହାନି ହେଉଛି ଏବଂ ବିଭିନ୍ନ ବିପର୍ଯ୍ୟୟ କାରଣରୁ ମଧ୍ୟ ବିଜୁଳି ବିଭ୍ରାଟ ଘଟୁଛି । ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଣ୍ଡରଗ୍ରାଉଣ୍ଡ୍‍ ବିଜୁଳି ସରବରାହ ପାଇଁ ପ୍ରସ୍ତାବ ଦେଇ କେନ୍ଦ୍ରୀୟ ଅନୁଦାନ ହାତେଇ ସାରିଥିଲେ ସୁଦ୍ଧା କୌଣସି ଅଗ୍ରଗତି ଦେଖାଯାଉ ନାହିଁ ।

ଆମ୍ଭେ ଏଠାରେ ଯେଉଁ ସମସ୍ୟା ଉପରେ ଆଲୋକପାତ କରିଛୁ, ତାହା ଆପଣଙ୍କୁ ମାମୁଲି ଲାଗୁଥିବ । କିନ୍ତୁ ଗତ ୨୦ ବର୍ଷ ଧରି ଭଳିକି ଭଳି ସମସ୍ୟାର ଅବତାରଣା କରି ବିଜୁଳି ବିତରଣକାରୀ ସଂସ୍ଥା ତଥା ବିଦ୍ୟୁତ୍‍ ନିୟାମକ ଆୟୋଗ, ରାଜ୍ୟ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍‍ଭ୍ରାନ୍ତ କରି ଆସିଛନ୍ତି । ଯହିଁରେ ରହିଛି, ଚୋରି କମିଲେ ବି ଉପଭୋକ୍ତା ବଢ଼ିଗଲେଣି, ଉପଭୋକ୍ତାଙ୍କ ମୋଟ ବିଜୁଳି ବ୍ୟୟ ବଢ଼ିଗଲାଣି। ଏହା ବ୍ୟତୀତ ଭଳିକି ଭଳି ପରିସଂଖ୍ୟାନ ଓ ଇଂଜିନିୟରିଙ୍ଗ୍‍ ତଥ୍ୟ ଦେଇ ସରକାରଙ୍କୁ ଭୁଲେଇବା ସହ ବର୍ଷ ପରେ ବର୍ଷ ଗଡ଼ାଇ ଆସିଛନ୍ତି । ଏହା ସହ ଓଡ଼ିଶାର ଏକମାତ୍ର ବୃହତ୍‍ ଶିଳ୍ପପତିଙ୍କ ଶିଳ୍ପକୁ ଦିଆଯାଇଥିବା ୨୨୦୦ କୋଟି ଟଙ୍କାର ବିଜୁଳି ଶୁଳ୍କ ରିହାତିର ଭରଣା ଆଜି ସୁଦ୍ଧା ଆଦୌ ହୋଇ ପାରୁ ନାହିଁ ।

ଉପଭୋକ୍ତାଙ୍କ ଠାରୁ ଶୁଳ୍କ ଆଦାୟ ହୋଇ ପାରୁ ନଥିବାରୁ ବିତରକ କମ୍ପାନୀମାନେ ଶୁଳ୍କ ଆଦାୟ ଦାୟିତ୍ୱ ଆଉ କିଛି କମ୍ପାନୀକୁ ଦେଇଛନ୍ତି। ସେମାନଙ୍କୁ କହୁଛନ୍ତି, ଫ୍ରାଞ୍ଚାଇଜି । ସେହି ସଂସ୍ଥାମାନେ ସାନ ସାନ ରକ୍ଷଣାବେକ୍ଷଣ କାର୍ଯ୍ୟ ସହିତ ଶୁଳ୍କ ବକେୟା ରଖିଥିବା ଉପଭୋକ୍ତାଙ୍କ ଠାରୁ କଳ-ବଳ-କୌଶଳ ଅବଲମ୍ବନ କରି ଆଦାୟ କରିବେ । ଆଜିକାଲି ଏଥିପାଇଁ ଏକ ଇଂଲିଶ୍‍ ଶବ୍ଦ ପ୍ରୟୋଗ ହେଉଛି, ତାହା ହେଉଛି ରିକୋଭରି ରିକୋଭରି ବ୍ୟବସ୍ଥା, ଏକ ସଭ୍ୟ ସମାଜର ଲକ୍ଷଣ ନୁହେଁ । ଦୁନିଆର ସ୍ୱଚ୍ଛ ଓ ସଭ୍ୟ ବ୍ୟବସ୍ଥା - ଅନ୍‍ଲାଇନ୍‍ ପୈଠକୁ ଅବହେଳା କରାଯାଇଥିବାରୁ ଫ୍ରାଞ୍ଚାଇଜି ଲାଗୁ କରାଯାଇଛି । ଏହାକୁ ବିରୋଧ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ, ପୋଡ଼ାଜଳା ବି ହୋଇଛି । କିନ୍ତୁ ଘରୋଇକରଣ ନାମରେ ସରକାରୀ ବିଭାଗ ନିଜର ନିୟନ୍ତ୍ରଣ ସୀମିତ କରି ସାରିଥିବାରୁ ଜନତାଙ୍କ ଦାବି ଗୃହିତ ହୋଇ ନାହିଁ ।

ଏବେ ଆସିବା ଆଉ ଏକ ବାସ୍ତବ ସମସ୍ୟାକୁ । ତାହା ହେଲା, କିଏ କେତେ ବିଜୁଳି ଖର୍ଚ କଲେ ତାହା ଜଣାପଡ଼େ ୱାଟ୍‌ମିଟରରୁ । ବହୁ ବର୍ଷ ଧରି ଆନାଲଗ୍‍ ମିଟର ବ୍ୟବହାର ଚାଲିଥିବା ବେଳେ ଚଳିତ ଶତାବ୍ଦୀରେ ଡିଜିଟାଲ ମିଟର ଉପରେ ଜୋର ଦିଆଗଲା । କିନ୍ତୁ ଦୁଃଖର କଥା ଯେ ସେହି ମିଟର ପାଇଁ ଆମକୁ ଚାଇନା କମ୍ପାନୀମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିଲା । ଅର୍ଥାତ୍‍ ହଜାର ହଜାର କୋଟି ଟଙ୍କାର କ୍ଷତି ଦର୍ଶାଉଥିବା ଏକ ବ୍ୟବସ୍ଥା, କେବେ ହେଲେ ଗବେଷଣା ଓ ବିକାଶ (R&D)ରେ ପୁଞ୍ଜିନିବେଶ କରି ନାହିଁ । ଓଡ଼ିଶାରେ ୱାଟ୍‍-ମିଟର ଉତ୍ପାଦନକାରୀ ଶିଳ୍ପ ପ୍ରତିଷ୍ଠା ହୋଇପାରିଥାଆନ୍ତା । କିନ୍ତୁ କେବେ ହେଲେ ଏହାର ପରିକଳ୍ପନା ସୁଦ୍ଧା କରାଯାଇ ନାହିଁ ।

ରାଜ୍ୟର ଚାହିଦା ଅନୁସାେର ବିଜୁଳି ନିଅଣ୍ଟ ହେଉଛି ବୋଲି ଆକଳନ କରି ଅଧିକ ବିଦ୍ୟୁତ୍‍ ଉତ୍ପାଦନ କେନ୍ଦ୍ର ବସାଯିବା ପାଇଁ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ସୁଦ୍ଧା ଗୋଟିଏ ଦୁଇଟିକୁ ଛାଡ଼ି ଅନ୍ୟ କମ୍ପାନୀମାନଙ୍କର କୌଣସି ଖୋଜ୍‍ ଖବର ନାହିଁ । ସେହିଭଳି ବୃହତ୍‍ ଶିଳ୍ପମାନେ ନିଜସ୍ୱ ବିଜୁଳି ଉତ୍ପାଦନ କେନ୍ଦ୍ର (କ୍ୟାପ୍‍ଟିଭ୍‍ ପାୱାର ପ୍ଳାଣ୍ଟ୍‍) କରିବାର ସର୍ତ ମଧ୍ୟ ସରକାର ଜାରି କରି ତାହାକୁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଅସଲରେ ସେହି ପ୍ଳାଣ୍ଟ୍‍ଗୁଡ଼ିକ ଚାଲୁ ନାହିଁ ଏବଂ ସେମାନେ ଫିକର କରି ସାଧାରଣ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ବିଜୁଳିରେ ଭାଗ ବସାଉଛନ୍ତି । 

ଜଳବିଦ୍ୟୁତ୍‍ ଉତ୍ପାଦନକାରୀ ପ୍ରକଳ୍ପଗୁଡ଼ିକର ନିତିଦିନର ଉତ୍ପାଦିତ କ୍ଷମତାକୁ ନେଇ ୱେବ୍‍ସାଇଟ୍‍ରେ ତଥ୍ୟ ପ୍ରକାଶ ପାଉଥିଲେ ସୁଦ୍ଧା ସେହିଭଳି ତାପଜ ବିଦ୍ୟୁତ୍‍ କେନ୍ଦ୍ରର ଉତ୍ପାଦନ ଜଡ଼ିତ ତଥ୍ୟ ଏବଂ ତହିଁରୁ ଓଡ଼ିଶାର ଭାଗ କେତେ, ତାହାକୁ ନେଇ ସର୍ବସାଧାରଣ ଉଦ୍ଦେଶ୍ୟରେ କୌଣସି ୱେବ୍‍-ବୁଲେଟିନ୍‍ର ବ୍ୟବସ୍ଥା ନାହିଁ । 

ବିଜୁଳି ବିତରଣର ସବୁଠୁ ସାଂଘାତିକ ଦିଗ ହେଲା ଲୋ-ଭୋଲ୍‍ଟେଜ୍‍ ଓ ଅଘୋଷିତ ବିଜୁଳି କାଟ । ଗୋଟିଏ ଫେଜ୍‍ରେ ୨୨୦ ଭୋଲ୍ଟ ଯୋଗାଇବା କଥା। କିନ୍ତୁ ଏହା ସହରରେ ମଧ୍ୟ ସମ୍ଭବ ହୁଏ ନାହିଁ । ଗ୍ରାମାଞ୍ଚଳରେ ୧୦୦ରୁ ୧୫୦ ଭୋଲ୍ଟ ବା ତାହାଠୁ କମ୍‍ ଭୋଲ୍ଟ ସଂପନ୍ନ ବିଜୁଳି ସାଧାରଣତଃ ଉପଭୋକ୍ତାଙ୍କ ଘରେ ପହଞ୍ଚିଥାଏ । ଦୁଃଖର କଥା ଯେ ଲୋ-ଭୋଲ୍‍ଟେଜ୍‍ ବେଳେ ବିଜୁଳି ଉପଯୋଗ ବଢ଼େ ଏବଂ ସେହି ଅନୁସାରେ ମିଟରରେ ରିଡ଼ିଂ ମଧ୍ୟ ଅଧିକ ଆସେ । ଆଉ ଯେତେବେଳେ ମୋଟା ଅଙ୍କର ବିଲ୍‍ ଆସେ, ସେତେବେଳେ ସ୍ୱାଭାବିକ ଭାବେ ଉପଭୋକ୍ତା ଉତ୍‍କ୍ଷିପ୍ତ ହୁଅନ୍ତି । ଲୋ-ଭୋଲଟେଜ୍‍, ଅଘୋଷିତ ବିଜୁଳିକାଟ, ମାତ୍ରାଧିକ ବିଜୁଳି କାଟ - ଏସବୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଲୋକଙ୍କ ଦେହସୁହା ହୋଇଗଲାଣି । ଗ୍ରାମାଞ୍ଚଳରେ ହଜାର ହଜାର ଷ୍ଟାବିଲାଇଜର, ସିଭିଟି, ଏପରିକି ସହରାଞ୍ଚଳ ଭଳି ଇନଭର୍ଟର ମଧ୍ୟ ବ୍ୟବହାର ହେଲାଣି । ଚାଇନିଜ୍‍ ରିଜାର୍ଜେବଲ୍‍ ଲାଇଟ୍‍ ହିଁ ଗ୍ରାମାଞ୍ଚଳ ଓଡ଼ିଶା ପାଇଁ ଏକ ଆଶ୍ୱାସନାର ବସ୍ତୁ ପାଲଟିଛି । ସହରର ବ୍ୟବସାୟୀ ଓ ବିତ୍ତଶାଳୀମାନେ ଜେନେରେଟର ଓ ସାଇଲେଣ୍ଟ୍‍ ଜେନେରେଟର ବ୍ୟବହାର କରୁଛନ୍ତି । ଏହି ଇନ୍‍ଭର୍ଟର ବା ଜେନେରେଟର କିଛି ବର୍ଷ ହେଲାଣି ଆଭିଜାତ୍ୟର ପ୍ରତୀକ ପାଲଟିଯାଇଛି । 

ବିଜୁଳି ବିତରଣ ପ୍ରସଙ୍ଗରେ ଗତ ୨୦ ବର୍ଷ ଧରି ଜନତାଙ୍କୁ ଭୂତାଉଥିବା ବିଭିନ୍ନ ଶବ୍ଦାବଳୀକୁ ଭୁଲିଯିବାକୁ ହେବ । ଯଦି ଅନ୍‍ଲାଇନ୍‍ ପୈଠ, କେବୁଲରେ ବିଜୁଳି ସରବରାହ, ଭାରତ ତିଆରି ଗୁଣମାନର ୱାଟ୍‍ମିଟର ପ୍ରଚଳନ, ଉପଯୁକ୍ତ ଭୋଲଟେଜ୍‍ର ବିଜୁଳି ବିତରଣ ଏବଂ ବୃହତ୍‍ ଶିଳ୍ପଗୁଡ଼ିକର ନିଜସ୍ୱ ବିଦ୍ୟୁ୍‍ତ୍‍ କେନ୍ଦ୍ର ସର୍ବଦା କାର୍ଯ୍ୟକ୍ଷମ କରାଯାଇ ପାରିବ; ତେବେ ୫୦ ଭାଗ ସମସ୍ୟା ଦୂରେଇ ଯିବ । ସେମିତି, ଗୋଟିକିଆ ଫେଜ୍‍ରେ ଭୋଲ୍ଟ ଷ୍ଟାଣ୍ଡାର୍ଡ଼ ୧୧୦ କରାଯିବା ଉପରେ ଚିନ୍ତା କରାଯିବା ଦରକାର । ସର୍ବଶେଷରେ ଏତିକି କହିବୁ ଯେ ସଂସ୍କାର ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ବିଶ୍ୱାସକୁ ନିଆଯାଉ ।

(‘ସମାଜ’  ୫ ଡିସେମ୍ବର ୨୦୧୫, ଶନିବାର ସଂପାଦକୀୟ ପୃଷ୍ଠାରେ ଏହାର ସଂପାଦିତ ରୂପ ପ୍ରକାଶିତ)

ବିମଳ ପ୍ରସାଦ, ୯୪୩୯୮୨୮୧୭୮

Tuesday, November 24, 2015

ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍


‘ବିକଳ୍ପ ବିଶ୍ୱ’ ସଂପାଦକୀୟ ସ୍ତମ୍ଭରେ ୨୦ ନଭେମ୍ବର ୨୦୧୫ର ‘ସମ୍ବାଦ’ରେ  ପ୍ରକାଶିତ
ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍
ଭଗବାନ ପ୍ରକାଶ, bhagbanprakash@gmail.com

ମ ଦେଶର ରାଜନୀତି ରଂଗମଞ୍ଚରେ ଏବେ ଦୁଇଟି ଶବ୍ଦର ବହୁଳ ଅପବ୍ୟବହାର ହେଉଛି ଗୋଟିଏ ହେଲା ହିନ୍ଦୁତ୍ୱବାଦୀଓ ଅନ୍ୟଟି ପାକିସ୍ତାନୀପ୍ରଥମଟି ଜଣକର ଧର୍ମ ଓ ଦ୍ୱିତୀୟଟି ଦେଶ ପ୍ରେମ ତଥା ଜାତୀୟତା ପ୍ରତି ଉପହାସ। ଏବଂ ଉଭୟ ଶବ୍ଦ ନିଜ ନିଜର ପ୍ରକୃତ ଅର୍ଥ ହରାଇ ଏବେ ଗାଳିଭାବରେ ବ୍ୟବହୃତ ହେଉଛନ୍ତି। ତୃତୀୟ ଶବ୍ଦ ବା ଗାଳିଟି ସୁଡ଼ୋ ସେକ୍ୟୁଲାରବା ନକଲି ଧର୍ମନିରପେକ୍ଷବାଦୀ। ଆମ ଦେଶର ସାଧାରଣ ଲୋକଙ୍କ ଅପେକ୍ଷା ଶିକ୍ଷିତ ଲୋକେ ଅଧିକ ଗାଳି ପ୍ରିୟ ଓ ଅସହିଷ୍ଣୁ। ଗଣମାଧ୍ୟମରେ ଏହାକୁ ଅତିରଂଜିତ କରି ପ୍ରକାଶ କରାଯାଏ। ତାକୁ ଦେଖି, ପଢ଼ି, ଶୁଣି ଲୋକେ ଉତ୍ତେଜିତ ହୋଇ ପଡ଼ନ୍ତି। ଧର୍ମ ଓ ଜାତୀୟତା ଉପରେ ପ୍ରଶ୍ନ ଏକ ସ୍ପର୍ଶକାତର ବିଷୟ। ଏହା ଉଭୟ ଉନ୍ମାଦନା ଓ ଉନ୍ମାଦମାନଙ୍କୁ ସୃଷ୍ଟିକରେ ସ୍ଥାନୀୟ ଘଟଣାକୁ ଜାତୀୟ ଓ ଅନ୍ତର୍ଜାତୀୟ ରୂପ ଦେଇଥାଏ। ଏକଦା ‘‘ହିନ୍ଦୁ, ହିନ୍ଦୀ, ହିନ୍ଦୁସ୍ତାନ’’ - ଏହି ପରି ଏକ ରାଜନୈତିକ ସ୍ଲୋଗାନ୍ ଥିଲା କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେ ନାହିଁ କାରଣ ଏହା ଭାରତୀୟ ଦର୍ଶନ ଓ ବିଚାରଧାରାର ପରିପନ୍ଥୀ ଥିଲା

ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟହିନ୍ଦ୍ସ୍ଲୋଗାନ ଦେଲେ, ଏହି ପ୍ରେରଣାଦାୟୀ ଓ ଆକର୍ଷଣୀୟ ବାକ୍ୟାଂଶଟି ଧର୍ମ, ମତ, ପନ୍ଥ ନିର୍ବିଶେଷରେ ସବୁ ଭାରତୀୟଙ୍କ ଜିଭ ଅଗରେ ଲାଖି ରହିଗଲା। ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା, ପ୍ରବକ୍ତା ଆଚାର୍ଯ୍ୟ ବିନୋବା ଭାବେ ଥିଲେ ଜଣେ ପଣ୍ଡିତ ଓ ନିଷ୍ଠାପର ହିନ୍ଦୁ। ନେତାଜୀଙ୍କ ଠାରୁ ଆଉ ଦୁଇ ପାଦ ଆଗେଇ ଯାଇ ସ୍ଲୋଗାନ୍ ଦେଲେ ‘‘ଜୟ ଜଗତ୍’’ଜନପ୍ରିୟ ଉର୍ଦ୍ଦୁ କବି ମହମ୍ମଦ ଆଲାମ ଇକ୍‌ବାଲ୍‌ ଥିଲେ ନିଷ୍ଠାପର ମୁସଲ୍‌ମାନ। ତାଙ୍କର ଦେଶାତ୍ମବୋଧକ ପଦ୍ୟ ‘‘ସାରେ ଜହାଁସେ ଅଛା - ହିନ୍ଦୋସ୍ତାନ ହମାରା’’କୁ ଲୋକେ ଜାତୀୟ ସଂଗୀତ ଭଳି ଗାଆନ୍ତି। ସେମିତି ‘‘ଜୟହିନ୍ଦ୍’’ ସ୍ଲୋଗାନ୍‌ର ପ୍ରକୃତ ରଚୟିତା ଥିଲେ ନେତାଜୀଙ୍କ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ମେଜର ଆବିଦ୍ ହାସାନ ସାଫ୍ରାନି। ସେ ପ୍ରଥମେ ଲେଖିଥିଲେ- ‘‘ଜୟ ହିନ୍ଦୋସ୍ତାନ୍ କି’’ପରେ ଏହାକୁ ଛୋଟ କରି କରାଗଲା-‘‘ଜୟହିନ୍ଦ୍’’

ସେମିତି ହିନ୍ଦୁସ୍ତାନର ମୂଳ ହେଲା ଭୂଗୋଳ ଓ ଇତିହାସ, ଧର୍ମ ନୁହେ। ପାର୍ସୀ ବା ଇରାନୀ ଭାଷାରେ ସିନ୍ଧୁ ନଦୀକୁ କୁହାଯାଏ ହିନ୍ଦୁସ୍ ଏବଂ ସିନ୍ଧୁ ନଦୀର ଦକ୍ଷିଣରେ ଥିବା ହିମାଳୟରୁ ବିନ୍ଧ୍ୟାଚଳ ପଯର୍ୟନ୍ତ ଅଂଚଳକୁ ହିନ୍ଦୋସ୍ତାନ। ଚାଇନିଜ୍ ମାନେ ଏହି ଅଂଚଳକୁ କହନ୍ତି-ହେଣ୍ଟୁ (Hein-tu)ମୋଗଲ ଶାସନ ବେଳେ ହିନ୍ଦୁ ଓ ହିନ୍ଦୋସ୍ତାନ ଶବ୍ଦ ଦୁଇଟିର ବହୁଳ ପ୍ରୟୋଗ ହେଲା। ଷୋଡ଼ଶ ଶତାବ୍ଦୀ ବେଳକୁ ଦକ୍ଷିଣ ଏସିଆରେ କେବଳ ତୁର୍କି ଓ ମୁସ୍‌ଲମାନ୍‌ଙ୍କୁ ଛାଡ଼ି, ଆଉ ସମସ୍ତଙ୍କୁ କୁହାଗଲା ହିନ୍ଦୁ। କାଳକ୍ରମେ ଏହି ବିଦେଶୀ ନାମଟି ସ୍ୱଦେଶୀ ହୋଇଗଲା। ଧର୍ମର ନାଁ ହେଲା ହିନ୍ଦୁ, ଭାଷା ହିନ୍ଦୁସ୍ତାନୀ। ଏହା ପରେ ସବୁ ଭାରତୀୟଙ୍କୁ କୁହାଗଲା ହିନ୍ଦୁସ୍ତାନୀ ଓ ଇଣ୍ଡିଆନ୍। ତେଣୁ ଏବେ ସୁପରଷ୍ଟାର୍ ଶାହାରୁଖ୍ ଖାନ୍ କହିଛନ୍ତି - ମୁଁ ହିନ୍ଦୁ ନୁହେଁ, କିନ୍ତୁ ହିନ୍ଦୁସ୍ତାନୀ। ଅଭିନେତା ସଲମାନ୍ ଖାନ୍ କହନ୍ତି ମୁଁ ଅଧା ହିନ୍ଦୁ, ଅଧା ମୁସଲମାନ୍ କିନ୍ତୁ ପୂରା ହିନ୍ଦୁସ୍ତାନୀ। ମୋଗଲ ବାଦଶାହ ଜାହାଙ୍ଗୀର ବି ଏହିପରି କହୁଥିଲେ। ଦେଶରେ ଏହି ହିନ୍ଦୁସ୍ତାନୀଙ୍କ ସଂଖ୍ୟା ଏବେ ପ୍ରାୟ ୧୨୪ କୋଟି। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ସୱା-ଶୋ କରୋଡ଼୍‌ ଦେଶବାସୀ। ପୃଥିବୀ ପୃଷ୍ଠର ପ୍ରକୃତ ମହାଭାରତ।

ବିଦେଶରୁ ଆସିଥିବା ହିନ୍ଦୁଶବ୍ଦଟି ପ୍ରାୟ ଅଢ଼େଇ ହଜାର ବର୍ଷ ପୁରୁଣା ଥିଲା ବେଳେ, ‘ହିନ୍ଦୁତ୍ୱଶବ୍ଦଟିର ସୃଷ୍ଟି ୧୯୨୩ ମସିହାରେ। ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲ୍‌ରେ ଥିଲା ବେଳେ ବିନାୟକ ଦାମୋଦର ସାଭରକର ହିନ୍ଦୁତ୍ୱ: କିଏ ସେ ହିନ୍ଦୁ?ଶୀର୍ଷକ ପୁସ୍ତିକା ଲେଖିଥିଲେ। ଏଥିରେ ସେ ଏକ ହିନ୍ଦୁ ରାଷ୍ଟ୍ର ଓ ଅଖଣ୍ଡ ଭାରତର ପରିକଳ୍ପନା କରିଥିଲେଯେତେବେଳେ ଭାରତ ଦିଖଣ୍ଡ ହୋଇଗଲା ଓ ଧର୍ମଭିତ୍ତିରେ ପାକିସ୍ତାନ ଓ ଧର୍ମ ନିରପେକ୍ଷ ଭାରତ ସୃଷ୍ଟିହେଲା, ସାଭରକରଙ୍କ ଅନୁଗାମୀମାନେ ନିଜକୁ ପ୍ରତାରିତ ଭାବିଲେ। ପାକିସ୍ତାନରୁ ଲକ୍ଷ ଲକ୍ଷ ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନେ ଭାରତକୁ ପଳାଇ ଆସିବା ପରେ ଏହି ସମସ୍ୟା ଆହୁରି ଉଷ୍ମ ଓ ଜଟିଳ ହେଲା। ସ୍ୱଭାବରେ ସହିଷ୍ଣୁ ଓ ଧର୍ମପରାୟଣ ହିନ୍ଦୁମାନଙ୍କୁ ଆଉ ଥରେ ଏକାଠି କରିବାକୁ ଉଦ୍ୟମ ହେଲା ଧର୍ମ ନାମରେ। ଗାନ୍ଧୀଙ୍କ ବିଚାର ସାଭରକରଙ୍କ ଠାରୁ ଅଲଗା ଥିଲା। ସେ ହିନ୍ଦୁ ଧର୍ମର ଅନ୍ତର୍ନିହିତ ସତ୍ୟ, ଅହିଂସା, ତ୍ୟାଗ, ସର୍ବ ଧର୍ମ ସମ ଭାବ, ସର୍ବତ୍ର ଭୟ ବର୍ଜନ ଇତ୍ୟାଦି ମୂଲ୍ୟବୋଧଗୁଡ଼ିକ ଦ୍ୱାରା ସବୁ ହିନ୍ଦୁସ୍ତାନୀଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରୁଥିଲେ। ସର୍ବୋଦୟ ଓ ସ୍ୱରାଜ୍ୟ ବିଚାରଧାରା ଏଇଥିରୁ ସୃଷ୍ଟି। ଉଭୟେ ଥିଲେ ପ୍ରଚଣ୍ଡ ଦେଶପ୍ରେମୀ ଓ ନିଷ୍ଠାପର ହିନ୍ଦୁ। କିନ୍ତୁ ବିଚାର ଅଲଗା- ହିନ୍ଦୁ ଓ ହିନ୍ଦୁତ୍ୱ ଭଳି। ୟଙ୍ଗ୍ ଇଣ୍ଡିଆରେ ଗାନ୍ଧୀ ଲେଖିଛନ୍ତି : ମୋ ଧର୍ମକୁ ମୁଁ ନିଜ ସ୍ତ୍ରୀ ଭଳି ଭଲପାଏ। ଏହାର ଅର୍ଥ ନୁହେଁ ଯେ ମୋ ସ୍ତ୍ରୀ ଭଳି ମୋ ଧର୍ମରେ କୌଣସି ଦୋଷତ୍ରୁଟି ନାହିଁ ସେ ସବୁକୁ ସୁଧାରିବା ମୋର କର୍ତ୍ତବ୍ୟ। ଛାଡ଼ି ପଳାଇବା ନୁହେଁ କିଏ ସେ ପ୍ରକୃତ ହିନ୍ଦୁ? ଦି ଧାଡ଼ି ପଦ୍ୟରେ ଏହାର ସରଳ ଉତ୍ତର ଦେଇଛନ୍ତି ଉତ୍କଳମଣି ଗୋପବଂଧୁ। ‘‘ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ - ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ’’ ପୁଣି ଲେଖିଛନ୍ତି: 
ଛାଡ଼ ଏବେ ମନୁ ଭେଦ ଅଭିମାନ 
ବେଦ କୋରାନରେ କର ସମଜ୍ଞାନ 
ହିନ୍ଦୁ ମୁସଲ୍‌ମାନ ବୌଦ୍ଧ ଖ୍ରୀଷ୍ଟିଆନ 
ଶିଖ ଜୈନ ସବୁ ଭାରତ ସନ୍ତାନ 
ଯେତେ ଧର୍ମ, ଯେତେ ବର୍ଣ୍ଣ, ଜାତି, କୁଳ 
ଭାରତ ଜନନୀ ସମସ୍ତଙ୍କ ମୂଳ।

ସାଭରକରଙ୍କ ହିନ୍ଦୁତ୍ୱ ପୁସ୍ତିକାର ପ୍ରାୟ ୨୦ବର୍ଷ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଏହି ମହାନ୍ ହିନ୍ଦୁ  ସନ୍ନ୍ୟାସୀ ତାଙ୍କ ଓଜସ୍ଵିନୀ ଭାଷଣ ମାଧ୍ୟମରେ ଅସଲି ହିନ୍ଦୁତ୍ୱର ପ୍ରଚାର ଓ ନକଲି ହିନ୍ଦୁତ୍ୱ ଉପରେ ବାରମ୍ବାର ପ୍ରହାର କରିଥିଲେ। କହୁଥିଲେ ଅସଲି ହିନ୍ଦୁ, ଧର୍ମ ପ୍ରଚାର ଓ ଧର୍ମପରିବର୍ତ୍ତନରେ ବିଶ୍ୱାସ କରେ ନାହିଁ। ନିଜ ବିଚାର ଧାରାକୁ ଅନ୍ୟ ଉପରେ ଲଦି ଦିଏ ନାହିଁ। ସେମିତି କୌଣସି ଧର୍ମ ଏତେ ସନ୍ଥ, ସନ୍ନ୍ୟାସୀ ଓ ଦାର୍ଶନିକ, ମୁନି, ଋଷିଙ୍କୁ ଜନ୍ମ ଦେଇନାହିଁ, ଏତେ ଶାସ୍ତ୍ର ରଚନା କରିନାହିଁ, ମୋକ୍ଷ ବା ମୁକ୍ତିକୁ ଜୀବନର ସର୍ବୋତ୍ତମ ଲକ୍ଷ୍ୟ ବୋଲି ଘୋଷଣା କରିନାହିଁ। କିନ୍ତୁ ତା ସହ ଅନ୍ୟ କୌଣସି ଧର୍ମରେ ଏତେ ଭେଦଭାବ, କୁସଂସ୍କାର, ଅନ୍ଧବିଶ୍ୱାସ, ରୀତି, ନୀତି, ଆନୁଷ୍ଠାନିକ ବିଧିବିଧାନ ନାହିଁ। ଏଗୁଡ଼ିକ ହିନ୍ଦୁଧର୍ମର ପ୍ରକୃତ ଆତ୍ମା ଓ ଶରୀରକୁ ଆବୃତ କରି ରଖିଛନ୍ତି।

ପରବର୍ତ୍ତୀ କାଳରେ ଦାର୍ଶନିକ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ ତାଙ୍କର ‘‘ହିନ୍ଦୁ ଜୀବନ ଦର୍ଶନ (୧୯୨୬) ପୁସ୍ତକରେ ଲେଖିଛନ୍ତି ହିନ୍ଦୁଧର୍ମ ବିବିଧ ବିଚାରଧାରାର ଏକ ସଂଘ ଯାହାଙ୍କୁ ଐକ୍ୟ ସୂତ୍ରରେ ବାନ୍ଧି ରଖିଛନ୍ତି ବେଦାନ୍ତ, ଉପନିଷଦ, ବ୍ରହ୍ମସୂତ୍ର ଓ ଭଗବତ୍‌ଗୀତା, ଆତ୍ମା, ପରମାତ୍ମା ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା ଓ ପୁନର୍ଜନ୍ମରେ ବିଶ୍ୱାସ ଏବଂ ଏହାର ସମୃଦ୍ଧ ତର୍କ-ବିତର୍କ ପରମ୍ପରା। ପ୍ରକୃତ ଅର୍ଥରେ ଏହା ଧର୍ମ ନୁହେଁବରଂ ଏକ ଜୀବନ ଶୈଳୀ। ଏଇଥିପାଇଁ ଗତ ତିନି ହଜାର ବର୍ଷ ହେଲା ଚୀନ୍, ଜାପାନ୍, ତିବ୍ବତ, ଥାଇଲାଣ୍ଡ, କାମ୍ବୋଡ଼ିଆ, ନେପାଳ, ଭୁଟାନ, ବର୍ମା, ଶ୍ରୀଲଙ୍କାରେ ବସବାସ କରୁଥିବା ପୃଥିବୀର ଅର୍ଧାଧିକ ଲୋକ ଭାରତକୁ ଆଧ୍ୟାତ୍ମିକ ଆଶ୍ରୟସ୍ଥଳ ବୋଲି ଭାବନ୍ତି। ଚାଇନିଜ୍ ବୌଦ୍ଧ ମାନେ ଭାରତକୁ କହନ୍ତି ଇଣ୍ଡୋରେନ୍ ଅର୍ଥାତ୍ ପ୍ରାଚୀନ ଦେବଭୂମି। ଜାପାନୀମାନେ କହନ୍ତି ‘‘ତେଂଜିକୁ’’ ବା ସ୍ୱର୍ଗ ପରି ଦେଶ। ସେଇ ଇଣ୍ଡୋରେନ୍ବା ତେଂଜିକୁପଛରେ ଥିବା ଉଦାର ବିଚାରଧାରା ହେଉଛି ହିନ୍ଦୁତ୍ୱର ପ୍ରକୃତ ପରିଚୟ। ସେଇଥିପାଇଁ ଦଲାଇଲାମା ଓ ତସ୍‌ଲିମା ନସରିନ୍ ଏଠାରେ ଆଶ୍ରୟ ନେଇଛନ୍ତି। ପାର୍ସୀ ଓ ଇହୁଦୀମାନେ ନିଜ ଦେଶ ଛାଡ଼ି ଏଠି ରହୁଛନ୍ତି। କାରଣ ଭାରତ ହିନ୍ଦୁ ରାଷ୍ଟ୍ର ନୁହେ- ହିନ୍ଦୁସ୍ତାନ। ଏଇଥିପାଇଁ ମୁସଲିମ ବହୁଳ କାଶ୍ମୀର, ଖ୍ରୀଷ୍ଟିଆନ ବହୁଳ ନାଗାଲାଣ୍ଡ ଓ ବୌଦ୍ଧ ବହୁଳ ସିକିମ୍ ଭାରତର ଅଙ୍ଗ ହୋଇ ରହିଛିରାମକୃଷ୍ଣ ପରମହଂସ କହୁଥିଲେ ସ୍ନେହୀ ମା ଯେମିତି ନିଜ ପିଲାଙ୍କ ରୁଚି ଅନୁସାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରଷିଥାନ୍ତି, ହିନ୍ଦୁ ବିଚାରଧାରା ଭିନ୍ନ ମତାବଲମ୍ବୀମାନଙ୍କ ବିଚାରକୁ ସମ୍ମାନ ଦେଇଥାଏ। ସେଇ ଦୃଷ୍ଟିରୁ ବସୁଧୈବ କୁଟୁମ୍ବକମ୍ ଓ ହିନ୍ଦୁରାଷ୍ଟ୍ର ମଧ୍ୟରେ ବିରୋଧାଭାଷ ରହିଚି। ଗାନ୍ଧୀ କହୁଥିଲେ ମୁଁ ଗୋ ରକ୍ଷାରେ ବିଶ୍ୱାସ କରେ କିନ୍ତୁ ଆଇନ୍ ଦ୍ୱାରା ମୋ ଧର୍ମର ଖାଦ୍ୟ ଅଭ୍ୟାସକୁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଲଦିବାକୁ ଚାହେଁ ନାହିଁ।

ଚର୍ଚ୍ଚରେ କ୍ୟାଣ୍ଡଲ ଜାଳିଲେ, ମସ୍‌ଜିଦ୍‌ ଆଗରେ ମଥା ନୁଆଁଇଲେ, ଗୁରୁଦ୍ୱାରରେ କରସେବା କଲେ, ଜଣେ ହିନ୍ଦୁର ହିନ୍ଦୁତ୍ୱ ଚାଲିଯାଏ ନାହିଁ। କିନ୍ତୁ ଲେଖକଙ୍କ ମୁହଁରେ କଳା ବୋଳିଲେ, କବିଙ୍କୁ କୁହାଇ ନଦେଲେ, ସଙ୍ଗୀତଜ୍ଞଙ୍କୁ ଗାଇବାକୁ ନଦେଲେ, ହେତୁବାଦୀଙ୍କୁ ହତ୍ୟା କଲେ ଅସଲି ହିନ୍ଦୁତ୍ୱର ମର୍ଯ୍ୟାଦା ନଷ୍ଟ ହୁଏ। ସେମିତି ଯେଉଁ ମୁସଲମାନଙ୍କ ବିଚାର ଓ ଅଭ୍ୟାସ ଆମ ଠାରୁ ଭିନ୍ନ, ତାଙ୍କୁ ପାକିସ୍ତାନୀ କହିବା ଏବଂ ତାଙ୍କ ଜନସଂଖ୍ୟା ବୃଦ୍ଧି ବିରୁଦ୍ଧରେ କହିବା ଦ୍ୱାରା ହିନ୍ଦୁତ୍ୱର ସମ୍ମାନ ବଢ଼ିଯାଏ ନାହିଁ। ଜନସଂଖ୍ୟା ବୃଦ୍ଧିର ଅର୍ଥନୈତିକ କାରଣ, ଗରିବୀ ଓ ନିରକ୍ଷରତା। ଏମିତି ହିନ୍ଦୁଙ୍କ ଅପେକ୍ଷା ମୁସ୍‌ଲିମ୍‌ ସଂପ୍ରଦାୟରେ ଗରିବ ଓ ନିରକ୍ଷରଙ୍କ ସଂଖ୍ୟା ଅଧିକ ଏବଂ ମହିଳାଙ୍କ ସାମାଜିକ ସ୍ଥିତି ଅଧିକ ଦୁର୍ବଳ। ଜନସଂଖ୍ୟା ବୃଦ୍ଧି ସହ ଧର୍ମର ସମ୍ପର୍କ ନାହିଁ।

ଅସଲି ହିନ୍ଦୁତ୍ୱ କେବେହେଲେ ନୂଆ ବିଚାର ଧାରାର ଗଳା ଚିପି ନାହିଁ। ବରଂ ବୌଦ୍ଧ, ଜୈନ ଓ ଶିଖ ଭଳି ତିନିଟି ନୂଆ ଧର୍ମକୁ ଜନ୍ମ ଦେଇଛି, ଇସ୍‌ଲାମ ଓ ଖ୍ରୀଷ୍ଟିଆନିଟିକୁ ପ୍ରଭାବିତ କରିଛି। ଯେମିତି ବ୍ରାହ୍ମଣ ଓ ବ୍ରାହ୍ମଣବାଦ ଅଲଗା, ସମାଜବାଦ ଓ ସମାଜବାଦୀ ଅଲଗା, ମାର୍କ୍ସ ଓ ମାର୍କ୍ସବାଦୀ ଅଲଗା, ଧର୍ମ ଓ ଧର୍ମାନ୍ଧତା ଅଲଗା, ଖିର ଓ ପାଣି ଅଲଗା ସେମିତି ହିନ୍ଦ୍ ଓ ହିନ୍ଦୁତ୍ୱ ଅଲଗା। ହିନ୍ଦୁମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରବର୍ତ୍ତକ ବା ପ୍ରଫେଟ୍ ନାହାନ୍ତି, ଯୀଶୁ, ମହମ୍ମଦ, ବୁଦ୍ଧଙ୍କ ଭଳି। ନିର୍ଦ୍ଦିଷ୍ଟ ଏକ ଦେବତା, ଧର୍ମଗ୍ରନ୍ଥ ବା ଏକପ୍ରକାର ଧାର୍ମିକ ରୀତିନୀତି ନାହିଁ। ଅଷ୍ଟମ ଶତାବ୍ଦୀରୁ କ୍ରମାଗତ ଆକ୍ରମଣ, ଲୁଣ୍ଠନ, ବିଦେଶୀ ଶାସନ ଓ ସଂସ୍କୃତିର ପ୍ରଭାବ ସତ୍ତ୍ୱେ ଭାରତରେ ଅଛନ୍ତି ଶତକଡ଼ା ୮୪ ଭାଗ ହିନ୍ଦୁ ଏବଂ ପୃଥିବୀରେ ଖ୍ରୀଷ୍ଟିଆନ୍ ଓ ମୁସଲିମ୍‌ଙ୍କ ପରେ ଜନସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଛନ୍ତି ହିନ୍ଦୁ। ଏହା ସମ୍ଭବପର ହୋଇଛି ଏହି ଧର୍ମର ଅନ୍ତର୍ମୁଖୀ ବିଚାରଧାରା ଯୋଗୁଁ। ବୈଦିକ ଯୁଗରେ ହିନ୍ଦୁମାନଙ୍କର ମନ୍ଦିର ବି ନଥିଲା। ଜ୍ଞାନୀ ଓ ଧାର୍ମିକ ବ୍ୟକ୍ତିଙ୍କର ସଂଜ୍ଞା ଥିଲା-ଯେ ସମସ୍ତଙ୍କୁ ନିଜ ଭିତରେ ଓ ନିଜକୁ ସମସ୍ତଙ୍କ ଭିତରେ ଦେଖିଥାନ୍ତି - ମହାତ୍ମା ସର୍ବଭୂତାତ୍ମା। ଗାନ୍ଧୀ ଥିଲେ ଏଇ ଉଦାରପନ୍ଥୀ ହିନ୍ଦୁତ୍ୱ ବିଚାରଧାରାର ପ୍ରତୀକ। ସେ କହୁଥିଲେ ଅହିଂସା, ସହିଷ୍ଣୁତା ଓ ଜୀବେ ଦୟା ଉପରେ ପ୍ରତିଷ୍ଠିତ ପ୍ରକୃତ ହିନ୍ଦୁତ୍ୱର କୌଣସି ଭୌଗୋଳିକ ସୀମା ନାହିଁ। ଅପରପକ୍ଷେ ଗଡ୍‌ସେ ଥିଲେ ଦେଶପ୍ରେମୀ କିନ୍ତୁ କଠୋରପନ୍ଥୀ ହିନ୍ଦୁ। ନେହେରୁଙ୍କର ଈଶ୍ୱର ଓ ଧର୍ମ ଉପରେ ଆସ୍ଥା ନ ଥିଲା। ତେବେ ଗଡ୍‌ସେ ହେତୁବାଦୀ ନେହେରୁଙ୍କୁ ନ ମାରି ଧାର୍ମିକ ହିନ୍ଦୁ ଗାନ୍ଧୀଙ୍କୁ ମାରିଲେ କାହିଁକି? କାରଣ ଜୟ ହିନ୍ଦ୍ଦର୍ଶନକୁ ହତ୍ୟା ନ କଲେ ଜୟ ହିନ୍ଦୁବିଚାରର ବିକାଶ ହୋଇପାରିବ ନାହିଁ।