Saturday, August 12, 2017

ମହାନଦୀ ଜଳ ସଂକଟର ସମାଧାନ ଅଛି - ଜାଣି ନିଅନ୍ତୁ

୨୦୧୬ ଏପ୍ରିଲ୍‌ରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଜଳସଂପଦ ମନ୍ତ୍ରୀ ବ୍ରିଜ୍‌ମୋହନ ଅଗ୍ରୱାଲଙ୍କ ଭିତରେ ଜାଗରିତ ନୈତିକତା ହିଁ ଆଜି ମହାନଦୀକୁ ଲକ୍ଷ ଲକ୍ଷ ଓଡ଼ିଆ ନାଗରିକ ଭିତରେ ଏକ ମୁଦ୍ଦା ପାଲଟିଯାଇଛି। ମଧ୍ୟପ୍ରଦେଶ ଠାରୁ ଅଲଗା ହୋଇ ଏକ ନୂଆ ରାଜ୍ୟର ମର୍ଯ୍ୟାଦା ପାଇ ନଥିଲେ, ହୁଏତ ‘ଛତିଶଗଡ଼’ ପାଇଁ ଜଳ ବା ନଦୀ ଏତେ ଗୁରୁତ୍ୱପୂର୍ଣ ହୋଇ ପଡ଼ି ନଥାଆନ୍ତା। ପଛୁଆ ଅଞ୍ଚଳର ବିକାଶ ପାଇଁ ନୂଆ ରାଜ୍ୟ ଗଠନ ଯୋଗୁଁ ସେଠାକାର ନେତା ଓ ମନ୍ତ୍ରୀମାନେ ଜଳସଂପଦର ପରିଚାଳନା ଉପରେ ଯେଉଁ ବିଶେଷ ଦୃଷ୍ଟିନିକ୍ଷେପ କଲେ, ତାହାର ଫଳ ସ୍ୱରୂପ ଆଜି ଓଡ଼ିଶା ରାଜନୀତିରେ ଚିନ୍ତା ପ୍ରକାଶ ପାଇଛି। ହେଲେ ସମାଧାନର କୌଣସି ଖାସ୍‌ ପନ୍ଥା କାହା ପାଖରେ ନାହିଁ। ଆମେ ଏଠାରେ କିଛି ଖାସ୍‌ ସମାଧାନ ପନ୍ଥା ଉପସ୍ଥାପନ କରିଛୁ। ସେହି କ୍ରମରେ ନଜର ପକାଇବା ମହାନଦୀ ତଥା ହୀରାକୁଦ ବନ୍ଧର ଅତୀତ, ବର୍ତମାନ ଓ ଭବିଷ୍ୟତ ଉପରେ।

ମହାନଦୀ ଓଡ଼ିଶାର ବଡ଼ ନଦୀ। ସରକାରୀ ପାଠ୍ୟପୁସ୍ତକରେ ଏମିତି ଏକ ବାକ୍ୟ ଆମେ ପଢ଼ିଛୁ। କିନ୍ତୁ ପାଠ୍ୟପୁସ୍ତକ ପ୍ରଣେତାମାନେ ସମ୍ଭବତଃ ଆଦୌ ସଚେତନ ନଥିଲେ ଯେ ଓଡ଼ିଶାର ଗଂଜାମ ଜିଲ୍ଲାରେ ଏକ ନଦୀର ନାମ ‘ବଡ଼ନଦୀ’। ଯାହାକି ଋଷିକୂଲ୍ୟା ନଦୀର ମୁଖ୍ୟ ଉପନଦୀ। ଗଂଜାମ ଜିଲ୍ଲାର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ବର୍ଷ ବର୍ଷ ଧରି ସେହି ବାକ୍ୟକୁ ପଢ଼ିପଢ଼ି କେମିତି ହଜମ କରିଥିବେ, କେମିତି ବୁଝିଥିବେ, ଥରେ ଚିନ୍ତା କରନ୍ତୁ ତ? ବଡ଼ ନଦୀ ଓ ବଡ଼ନଦୀ ମଧ୍ୟରେ ଲିଖନରେ ଯେଉଁ ମାମୁଲି ଫରକ ଅଛି, ତାକୁ କ’ଣ ଶିକ୍ଷକମାନେ ସହଜରେ ବୁଝାଇ ଦେଇଥିବେ? ଯାହାବି ହେଉ, ଏହା ବିଦ୍ୟାର୍ଥୀଙ୍କ ମଗଜକୁ ପ୍ରତାରିତ କରିବାର ଏକ ଉଦ୍ୟମ। ଏବେ ମହାନଦୀ ଆଉ ଏକ ବଡ଼ଧରଣର ନଦୀଜଳ ସଂକଟର ପ୍ରସଙ୍ଗ ହୋଇଯାଇଛି। ଓଡ଼ିଶାବାସୀଙ୍କୁ ଘାରିଛି ଯେ ହୀରାକୁଦ ବନ୍ଧ ହୋଇଛି, ମହାନଦୀ ଉପରେ। ଏହି ନଦୀର ବେଶି ପରିମାଣର ଜଳକୁ ଯଦି ଉପରମୁଣ୍ଡର ରାଜ୍ୟ ଛତିଶଗଡ଼ ଅଟକାଇ ରଖିନିଏ, ତେବେ ଓଡ଼ିଶା ଚଳିବ କେମିତି?

ଦେଶ ସ୍ୱାଧୀନ ହେବା ପୂର୍ବରୁ ସମ୍ବଲପୁର ସହର ପାଖରେ ହୀରାକୁଦ ବନ୍ଧ ପାଇଁ ପରିକଳ୍ପନା ହୋଇଥିଲା। ୧୫ ମାର୍ଚ ୧୯୪୬ରେ ତତ୍କାଳୀନ ଓଡ଼ିଶା ଗଭର୍ନର ସାର ହାଥୋର୍ନ ଲୁଇସ୍‌ ଏହାର ଶୁଭ ଦେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁ ପୁଣି ତାହାର କଂକ୍ରିଟ୍‌ ବନ୍ଧର ଶୁଭ ଦେଇଥିଲେ ୧୨ ଏପ୍ରିଲ୍‌ ୧୯୪୮ରେ। ୧୯୫୩ ବେଳକୁ ବନ୍ଧ କାମ ସରିଯାଇଥିଲେ ବି ୧୩ ଜାନୁଆରି ୧୯୫୭ରେ ପୁଣି ନେହରୁ ତହିଁର ଉଦ୍‌ଘାଟନ କରିଥିଲେ। ଏହି ବହୁମୁଖୀ ବନ୍ଧରୁ ଶକ୍ତି ଉତ୍ପାଦନ ଓ କ୍ଷେତକୁ ସେଚଜଳ ଯୋଗାଣ ପୂରା ଦମ୍‌ରେ ସମ୍ଭବ ହୋଇଥିଲା ୧୯୬୬ ମସିହାରେ। ଆଉ ସେବେଠୁ ଏହି ବନ୍ଧ ପାଲଟି ଯାଇଛି ଓଡ଼ିଶାର ଜୀବନରେଖା। ୭୪୩ ବର୍ଗ କିଲୋମିଟର ବିଶିଷ୍ଟ ବିଶାଳ ଜଳଭଣ୍ଡାରର ସେଚାଞ୍ଚଳ ହେଉଛି ୨୩୫୫ ବର୍ଗ କିଲୋମିଟର। ଏବେ ବାସ୍ତବରେ କେତେ ଅଞ୍ଚଳ ବା ଚାଷକ୍ଷେତ ସେଚିତ ହୋଇପାରୁଛି, ତାହାର ସମୀକ୍ଷା କରିବାର ଘୋର ଆବଶ୍ୟକତା ରହିଛି। ସବୁଠୁ ବଡ଼ କଥା ହେଉଛି, ଏଠାରୁ ଉତ୍ପାଦିତ ହେଉଥିବା ୩୪୭ ମେଗାୱାଟ୍‌ ବିଦ୍ୟୁତ୍‌। ଜଳ ସଂକଟ ରହିଲେ, ବିଦ୍ୟୁତ୍‌ ଉତ୍ପାଦନ କମିଯାଉଥିବାରୁ ଓଡ଼ିଶାରେ ବିଦ୍ୟୁତ୍‌ ସଂକଟ ମଧ୍ୟ ବଢ଼ିଯାଉଛି।

ଏହି ବହୁମୁଖୀ ବନ୍ଧ ପ୍ରକଳ୍ପର ଅନ୍ୟ ଅବଦାନଗୁଡ଼ିକ ହେଉଛି ବନ୍ୟା ନିୟନ୍ତ୍ରଣ, ମାଛ ଉତ୍ପାଦନ, ପାନୀୟ ଜଳଯୋଗାଣ ଓ ଶିଳ୍ପଗୁଡ଼ିକୁ ଜଳଯୋଗାଣ। କିନ୍ତୁ ବିଭିନ୍ନ କାରଣରୁ ହୀରାକୁଦ ବନ୍ଧ ଏହାର ମୂଳ ଉଦ୍ଦେଶ୍ୟ ‘‘ବନ୍ୟା ନିୟନ୍ତ୍ରଣ’’ରେ ଗୋଟାପଣେ ବିଫଳ ହୋଇଛି। ବରଂ ତଳ ମୁଣ୍ଡରେ ନିରନ୍ତର ଭାବରେ ନିୟମିତ ବ୍ୟବଧାନରେ ବନ୍ୟା ସୃଷ୍ଟି କରିବାରେ ମୁଣ୍ଡବିନ୍ଧା ପାଲଟିଛି ଏହି ହୀରାକୁଦ ବନ୍ଧ। ବନ୍ଧରୁ ପାଣି ନଛାଡ଼ିଲେ, ବନ୍ଧ ଭାଙ୍ଗିଯିବ। ତେଣୁ ବନ୍ଧର ସୁରକ୍ଷା ପାଇଁ ତଳମୁଣ୍ଡରେ ବନ୍ୟା କରାଇବା ଏକ ସରକାରୀ ବ୍ୟବସ୍ଥା ପାଲଟିଯାଇଥିଲା। ଏବେ ବିପୁଳ ପରିମାଣରେ ଜଳକୁ ବାନ୍ଧି ରଖିବା ବା ଅନ୍ୟ ଉଦ୍ଦେଶ୍ୟରେ ଗଚ୍ଛିତ ରଖିବା ଓ ଦିଗ ପରିବର୍ତନ କରିବାରେ ଛତିଶଗଡ଼ ସରକାର ସଫଳ ହୋଇଛି। ମହାନଦୀର ଉପରମୁଣ୍ଡରେ  ଥିବା ଛତିଶଗଡ଼ର ଉପନଦୀଗୁଡ଼ିକରେ ଓ ଖୋଦ୍ ମହାନଦୀ ଉପରେ ୩୦ରୁ ଅଧିକ ବିଭିନ୍ନ ପ୍ରକଳ୍ପ ସଂପୂର୍ଣ ହୋଇ କାର୍ଯ୍ୟକ୍ଷମ ରହିଛି। ସେଥିରେ ଅଛି ଆଡ଼ିବନ୍ଧ, ଡାଇଭର୍ସନୱେର, ବ୍ୟାରେଜ୍‌, ବନ୍ଧ, ଇନ୍‌ଟେକ୍‌ୱେଲ୍‌ ଆଦି ଭଳିକି ଭଳି ଜଳ ସଂଚୟ ଓ ଜଳ ପରିଚାଳନା ପ୍ରକଳ୍ପ। ତେବେ ସେଗୁଡ଼ିକ କୃଷିକ୍ଷେତର ସେଚନ ଅପେକ୍ଷା ଶିଳ୍ପ ପ୍ରତିଷ୍ଠାନକୁ ଜଳଯୋଗାଣ ଉଦ୍ଦେଶ୍ୟରେ ନିର୍ମିତ ହୋଇଛି। ଓଡ଼ିଶା ଅପେକ୍ଷା ଛତିଶଗଡ଼ର ସାଧାରଣ ନାଗରିକଙ୍କର ସ୍ୱର ଅତି ଦୁର୍ବଳ ହୋଇଥିବାରୁ ସେମାନେ କୃଷିକ୍ଷେତ ସେଚନ ଉପରେ ଦାବି କରି ପାରୁ ନାହାନ୍ତି। ଏଣେ ଓଡ଼ିଶାର ବିଭାଗୀୟ ପ୍ରଶାସକ ଓ ମନ୍ତ୍ରୀମାନଙ୍କ ଚରମ ଅବହେଳା ଯୋଗୁ ଖରାଦିନେ ମହାନଦୀ ଶଯ୍ୟା ଶୁଖିଲା ପଡ଼ୁଛି।

ତେବେ ବଡ଼ କଥାଟି ହେଉଛି ଛତିଶଗଡ଼ର ଯେଉଁ ମନ୍ତ୍ରୀ ଓଡ଼ିଶା ଇତିହାସରେ ଗୁରୁତ୍ୱପୂର୍ଣ ହୋଇପଡ଼ିଛନ୍ତି, ସେ ନିଜେ ହିଁ ନିଜ ବକ୍ତବ୍ୟରେ ସମାଧାନର ସୁରାକ ଛାଡ଼ିଛନ୍ତି। ସେ କହିଥିଲେ ଯେ ‘‘ମହାନଦୀ କେ ସାରେ ପାନି ସମୁନ୍ଦର ମେ ଚଲା ଜାତା ହୈ’’। ଏହାକୁ ଓଡ଼ିଶାରୁ ହାଉହାଉ ହେଉଥିବା ନେତାମାନେ ବୁଝିବାକୁ ଚାହୁନାହାନ୍ତି। ଏବେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ନିର୍ଦେଶ କ୍ରମେ ଛତିଶଗଡ଼ରେ ମହାନଦୀ ଅବବାହିକାରେ ହେଉଥିବା ନୂଆ ପ୍ରକଳ୍ପଗୁଡ଼ିକର ନିର୍ମାଣ ବନ୍ଦ ରହିଛି। ଏହା ସମେତ ସମାଧାନର ପନ୍ଥା ଥିଲେ ସୁଦ୍ଧା ଓଡ଼ିଶାର ଶାସକଦଳ ଏହାକୁ ଆଳ କରି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ରଣନୀତି ଧାର୍ଯ୍ୟ କରିଥିବାରୁ ଜଳବିବାଦର ସମାଧାନ ଶୀଘ୍ର ହୋଇଯାଉ ବୋଲି ଚାହୁ ନାହିଁ। କାରଣ ଓଡ଼ିଶା ସରକାରଙ୍କର ବା ଶାସକଦଳର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଏବେ ବି କୌଣସି ୱେବ୍‌ସାଇଟ୍‌ରେ ନାହିଁ। ଏପରିକି ସୋସିଆଲ ମିଡ଼ିଆରେ ସକ୍ରିୟ ହେବାର ପ୍ରତିଶ୍ରୁତି ଦେଉଥିବା ଓଡ଼ିଶା ସରକାର ତଥା ଶାସକ ଦଳ କୌଣସି ଆଭିମୁଖ୍ୟ ପ୍ରକଟ କରୁ ନାହିଁ। ସବୁ ପାଣି ସମୁଦ୍ରକୁ ନଯାଇ କିଭଳି ସଂଚିତ, ଗଚ୍ଛିତ ଓ ପରିଚାଳିତ ହୋଇ ସ୍ଥଳଭାଗରେ ରହିପାରିବ, ତାହା ଉପରେ ଓଡ଼ିଶା ସରକାରଙ୍କର କୌଣସି ଯୋଜନା ନାହିଁ। ତେଣୁ ମହାନଦୀ ଉପରେ କୌଣସି ଇଂଜିନିୟରିଂ ନିର୍ମାଣ କାର୍ଯ୍ୟ ହେବାର ସମ୍ଭାବନା ମଧ୍ୟ ନାହିଁ। ତେଣେ ୨୦୦୬ ମସିହାରୁ ୨୦୧୭ ମସିହା ମଧ୍ୟରେ ଏତେ ପରିମାଣରେ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ସରକାର କରିଛି ଯେ ଓଡ଼ିଶାର ସଂପୃକ୍ତ ବିଭାଗର ପାରିଲାପଣିଆ ଓ ସଫଳତା କଥା ଭାବିଲା ‌ବେଳକୁ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଲଜ୍ଜା ଲାଗୁଛି। ଗତ ୧୮ ବର୍ଷ ମଧ୍ୟରେ ନବୀନ ସରକାର କିଛି ହେଲେ ଆଖିଦୃଶିଆ କାର୍ଯ୍ୟ ମହାନଦୀ ଉପରେ କରି ନାହିଁ।

ଯଦି ମହାନଦୀ ହେଉଛି, ଓଡ଼ିଶାର ଜୀବନ ରେଖା; ତେବେ ଏହାର ୮୦ ଭାଗ ଜଳ କାହିଁକି ସମୁଦ୍ରକୁ ବହିଯାଉଛି? ଏ ପ୍ରଶ୍ନକୁ ବୁଝିବାକୁ ଅନେକ ଚିନ୍ତାଶୀଳ ଓଡ଼ିଆଙ୍କର ମଗଜ ନାହିଁ। ତେଣୁ ମନ୍ତ୍ରୀ (ନିଜେ ମୁଖ୍ୟମନ୍ତ୍ରୀ ରଖିଛନ୍ତି ଜଳସଂପଦ ବିଭାଗ ନିଜ ହାତରେ) ଓ ପ୍ରଶାସକ ମଧ୍ୟ ଏ ପ୍ରସଙ୍ଗରେ ନିରବ। ବଡ଼ ସମସ୍ୟାଟି ହେଉଛି ମହାନଦୀ ଶଯ୍ୟା ପୋତି ହୋଇପଡ଼ିଲାଣି। ତେଣୁ ହୀରାକୁଦ ବନ୍ଧର ୧୫ଟି କବାଟ ଯଦି ବର୍ଷାଋତୁରେ ଖୋଲିଦିଆଯାଉଛି, ତାହା ବି ତଳମୁଣ୍ଡରେ ବନ୍ୟାର କାରଣ ପାଲଟିଯାଉଛି। ନଦୀ ଶଯ୍ୟାକୁ ଜଳପ୍ରବାହ ପାଇଁ ମୁକ୍ତ ରଖିବା ପାଇଁ ବିଭାଗ ବା ସରକାର ଆଦୌ ଚିନ୍ତା ବି କରି ନାହାନ୍ତି। ନଦୀଶଯ୍ୟାରୁ ବାଲି ସଫା କରିବା ପାଇଁ ବିବିଧ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇ ସ୍ଥଳଭାଗରେ ଥିବା ହଜାରହଜାର ଏକରର ଖାଲଜାଗାକୁ ପୋତାଯାଇପାରନ୍ତା। ୨୦୦୯-୧୦ରେ ଭାରତର ପଡ଼ୋଶୀ ଦେଶ ମାଲଡିଭିସ୍‌ (ମାଳ ଦ୍ୱୀପ) ଆମ ଓଡ଼ିଶାକୁ ବାଲି ମାଗୁଥିଲା। ସେଠାରେ ସମୁଦ୍ର ଜୁଆର ପ୍ରକୋପରେ ସ୍ଥଳ ଭାଗ କ୍ଷତିଗ୍ରସ୍ତ ହେଉଥିବାରୁ, ତାହାକୁ ପୋତିବା ପାଇଁ ବାଲି କିଣିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଓଡ଼ିଶା ସରକାର ସେହି ପ୍ରସ୍ତାବକୁ ଆଦୌ ବୁଝି ପାରିଲେ ନାହିଁ।

ଶ୍ରୀମଦ୍‌ଭଗବତ ଗୀତା ଜ୍ଞାନ ଅନୁସାରେ ‘‘ଯାହା ହେଉଛି ଭଲ ହେଉଛି, ଯାହା ହେବ ତାହା ମଧ୍ୟ ଭଲ ହେବ...।’’ ଏହାକୁ କିପରି ଭରସାକୁ ନିଆଯାଇପାରିବ? କ’ଣ ଦମ୍‌ ଅଛି ଏଭଳି ପୁରାଣ କଥାରେ, ଆଜିକାଲିର ରାଜନୀତିର ପାଉଆ ଯୁଗରେ? ତଳ ବିନ୍ଦୁଗୁଡ଼ିକୁ ଧ୍ୟାନ ଦେଲେ ଆମେ ବୁଝି ପାରିବା:-

(୧) ମହାନଦୀ ଉପରମୁଣ୍ଡରେ ସବୁ ଜଳକୁ ଛତିଶଗଡ଼ ଅଟକାଇ ଦେଇ ଓଡ଼ିଶା ପାଇଁ ଏକ ସଂକଟ ସୃଷ୍ଟି କରିଛି ବୋଲି ଆମ ଭିତରେ ଭୂତ ପୂରାଯାଊଛି। ଆଉ ଏଥିରେ ସାମିଲ ହୋଇଛନ୍ତି ନିର୍ଦିଷ୍ଟ ଭାବେ ବିଜୁ ଜନତା ଦଳର କିଛି ରାଜନେତା। ପ୍ରଥମେ ଏହି ଭୂତକୁ ନିଜ ମୁଣ୍ଡରୁ ବାହାର କରି ଆଧ୍ୟାତ୍ମିକ ଚେତନାର ବଶବର୍ତୀ ହେବାକୁ ପଡ଼ିବ।

(୨) ମଧ୍ୟପ୍ରଦେଶ ରାଜ୍ୟରେ ଏକ ଅବହେଳିତ ଅଞ୍ଚଳ ହୋଇ ରହିଥିବା ବେଳେ ଓଡ଼ିଶା ସୀମାରେ ମହାନଦୀ ଜଳର ପରିଚାଳନା ପାଇଁ ହୀରାକୁଦ ବନ୍ଧର ପରିକଳ୍ପନାକୁ ସାକାର କରାଯାଇଥିଲା। କିନ୍ତୁ ସମୟଚକ୍ରରେ ବିକାଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ପୁନର୍ଗଠନ କରିବାକୁ ଯାଇ ଛତିଶଗଡ଼ ସୃଷ୍ଟି ହେଲା ୧ ନଭେମ୍ବର ୨୦୦୦ ମସିହାରେ। ଜଳ, ଜମି, ଜଙ୍ଗଲ ଓ ଜନତାଙ୍କୁ ବାଦ୍‌ କରି ବିକାଶର ସ୍ୱପ୍ନ ଦେଖାଯାଇ ନପାରେ। ତେଣୁ ମହାନଦୀ ଉପରମୁଣ୍ଡ ଅବବାହିକାର ଜଳକୁ ଅଟକାଇବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ଛତିଶଗଡ଼ ପାଖରେ। ଏହି ସତ୍ୟକୁ ସ୍ୱୀକାର କରିବାକୁ ପଡ଼ିବ, ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ।

(୩) ହୀରାକୁଦ ବନ୍ଧ ଜଳଭଣ୍ଡାରର ୨୭ ଭାଗ କେବଳ ବାଲି ଓ କାଦୁଅରେ ପୋତିହୋଇପଡ଼ିଛି। ତେଣୁ ଜଳର ଯେଉଁ ଉଚ୍ଚତା କୁହାଯାଉଛି, ତାହା ଏକ ପ୍ରତାରଣା। ସେହି ବାଲି ଓ କାଦୁଅକୁ କିଭଳି କଢ଼ାଯାଇପାରିବ, ତାହା ଉପରେ ଓଡ଼ିଶାର ବିଭାଗୀୟ ପଣ୍ଡିତ ଓ ରାଜନେତାମାନେ କ’ଣ ଚିନ୍ତା କରିଛନ୍ତି? ଯଦି କରି ନାହାନ୍ତି, ତେବେ ଛତିଶଗଡ଼ର ଡଜନ ଡଜନ ପ୍ରକଳ୍ପ ହିଁ ଏ କ୍ଷେତ୍ରରେ ଏକ ଆଶ୍ୱାସନା ହୋଇପାରିବ। ମାର୍ଚ, ଏପ୍ରିଲ୍‌ ଓ ମେ ୩ ମାସ କିଭଳି ରାତିରେ କାମ କରି ଏହି ବିଶାଳ ଜଳଭଣ୍ଡାରର ରକ୍ଷଣାବେକ୍ଷଣ କରାଯାଇପାରିବ, ତାହା ଉପରେ ଚିନ୍ତା କରିପାରିବାର ସମ୍ଭାବନା ସୃଷ୍ଟି ହୋଇଛି।

(୪) ଏ କଥା ସତ ଯେ ଛତିଶଗଡ଼ର ଜଳଯାତନାର ସକାରାତ୍ମକ ଦିଗଟି ହେଉଛି, ଓଡ଼ିଶାର ମହାନଦୀ ତଳମୁଣ୍ଡରେ ଆଉ ଘୋଷିତ ବନ୍ୟା ସୃଷ୍ଟି ହେବ ନାହିଁ। ମୁଖ୍ୟତଃ କଟକ, ଜଗତସିଂହପୁର ଜିଲ୍ଲାରେ ଆଉ ମହାନଦୀ କାରଣରୁ ବନ୍ୟା ହେବ ନାହିଁ। ଏହି ବନ୍ୟା ପାଇଁ ଯେଉଁ ଦୁର୍ନୀତି, କିଳାପୋତେଇ ହେଉଥିଲା, ତାହା ଆଉ ହେବ ନାହିଁ। ବିଶେଷତଃ ବନ୍ୟା ଜଡ଼ିତ ପ୍ରାକ୍‌ପ୍ରସ୍ତୁତି କ୍ରମରେ ବାଲିବସ୍ତା ଜମା କରିବାର ନାଟକବାଜିରୁ ଆଉ ଜଳନିଷ୍କାସନ (ଜଳସଂପଦ) ବିଭାଗର ଅଧିକାରୀମାନେ ପକେଟ ଗରମ କରିପାରିବେ ନାହିଁ। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ନାମରେ ମଧ୍ୟ କୋଟିକୋଟିର ଜାଲିଆତି ହୋଇପାରିବ ନାହିଁ କି ହେବାର ଆବଶ୍ୟକତା ପଡ଼ିବ ନାହିଁ।

(୫) ପୋତି ହୋଇ ପଡ଼ିଥିବା ମହାନଦୀ ଶଯ୍ୟାରୁ  ବାଲି ସଫା କରିବା ପ୍ରକଳ୍ପ ଦ୍ୱାରା ରାଜ୍ୟର ହଜାର ହଜାର ଶ୍ରମିକ ଓ ମଧ୍ୟବିତ୍ତ ପରିବାରଙ୍କୁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ମହାତ୍ମା ଗାନ୍ଧୀ ନରେଗା ସ୍କିମ୍‌ର ଦୁର୍ନୀତି ବଳରେ ରାଜ୍ୟରେ ଠୁଳ ହୋଇଥିବା ଶହଶହ ଆର୍ଥମୋଭର ମେସିନ୍‌ଗୁଡ଼ିକୁ ମଧ୍ୟ କାର୍ଯ୍ୟରେ ଲଗାଯାଇପାରିବ। ଏପରିକି ଖଣି ବନ୍ଦ ଯୋଗୁ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ହଜାର ହଜାର ଟ୍ରକ୍‌ ଓ ଟ୍ରକ୍‌ ଜାତୀୟ ମାଲବାହୀ ଯାନଗୁଡ଼ିକ ପାଇଁ କାମ ଯୋଗାଡ଼ ହୋଇ ପାରିବ।

(୬) ମହାନଦୀ ଶଯ୍ୟାରୁ ବାଲିଗୁଡ଼ାକୁ ଉଠାଇ ଦେବା ଦ୍ୱାରା ଯେଉଁ ଖାଲ ସୃଷ୍ଟି ହେବ ତାହା କ’ଣ ହେବ? ସେଇଠି ଜଳ ମହଜୁଦ ରଖାଯିବ ଏବଂ ଏକ ସମନ୍ୱିତ ଯୋଜନା ବଳରେ ନଦୀର ଅଧିକରୁ ଅଧିକ ଜଳକୁ ସମୁଦ୍ରକୁ ବହିଯିବାରୁ ବାରଣ କରାଯିବ। ଏକାଧିକ ବ୍ୟାରେଜ୍‌ କରାଯିବାର ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ସାକାର କରିବାର ସହଜ ଉପାୟ ସମ୍ଭବ ହୋଇପାରିବ।

(୭) ବ୍ୟାପକ ପରିମାଣର ଯେଉଁ ବାଲି ଓ କାଦୁଅ ବାହାରିବ ନଦୀ ଶଯ୍ୟାରୁ ତାହା ସତରେ କ’ଣ କେଉଁଠି କାମରେ ଲାଗିପାରିବ? ତାହାକୁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରାଯାଇପାରିବ। ବିଭିନ୍ନ ନିର୍ମାଣ କାମ ପାଇଁ ଦଲାଲଙ୍କ ଠାରୁ ବାଲି ସଂଗ୍ରହ ନକରି ସେହି ସଂଗୃହିତ ବାଲି ଚାଲାଣ ପାଇଁ ‘‘ଯୋଗାଣ ଜଂଜିର’’ ବିକଶିତ କରିବାକୁ ହେବ। ରାଜ୍ୟର ପଥରଖାଦାନ ଓ ଅନ୍ୟାନ୍ୟ କାରଣରୁ ଖାଲୁଆ ଥିବା ସ୍ଥାନଗୁଡ଼ିକୁ ଓ ଘାଇଗୁଡ଼ିକୁ ପୋତିବାରେ ତଥା ନଦୀର ଦୁଇ କୂଳେ ମାଳବନ୍ଧ ନିର୍ମାଣରେ ସେଇ ବାଲିକୁ ବ୍ୟବହାର କରାଯାଇପାରିବ। ସମସ୍ତଙ୍କୁ ପକ୍କାଘର ଯୋଗାଣର ସ୍ୱପ୍ନ ପୂରଣରେ ସେହି ବାଲି ସହାୟକ ହେବ। ବିଶେଷତଃ ବିପର୍ଯ୍ୟୟ ପ୍ରବଣ ୮ଟି ଜିଲ୍ଲାରେ ସୁଲଭ ମୂଲ୍ୟରେ ବାଲି ଓ ଅନ୍ୟ ନିର୍ମାଣ ସାମଗ୍ରୀ କାଳେ କାଳେ ଜରୁରୀ। ସେହି ଜିଲ୍ଲାଗୁଡ଼ିକ ହେଉଛି:- ଗଂଜାମ, ଖୋର୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର।

(୮) ମହାନଦୀର ସମଗ୍ର ଶଯ୍ୟା କେବଳ ଜଳ ସଂଚୟ ପାଇଁ ବ୍ୟବହାର ହେବ। ମହାନଦୀକୂଳିଆ କୌଣସି ଗାଆଁରେ ପେୟ ଜଳ ବା ସେଚ ଜଳ ସଂକଟ ଯେପରି ରହିବ ନାହିଁ, ତାହା ପ୍ରତି ଧ୍ୟାନ ଦେଇ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ।

(୯) ତେବେ ଏ କଥା ସୁନିଶ୍ଚିତ କରିବାକୁ ହେବ ଯେ ଛତିଶଗଡ଼ ସରକାର ଆଉ କୌଣସି ନୂଆ ପ୍ରକଳ୍ପ କରିବେ ନାହିଁ କି କାର୍ଯ୍ୟକ୍ଷମ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବେ ନାହିଁ।

(୧୦) ମାତ୍ର ୧୦ ବର୍ଷ ମଧ୍ୟରେ ପ୍ରାୟ ତିନି ଡଜନ ଜଳଭଣ୍ଡାରଣ ଓ ଜଳପରିଚାଳନା ପ୍ରକଳ୍ପ ଛତିଶଗଡ଼ ଜଳସଂପଦ ବିଭାଗ ଯେଭଳି କାର୍ଯ୍ୟକ୍ଷମ କରିପାରିଲା, ସେହିଭଳି ଓଡ଼ିଶାର ଜଳସଂପଦ ବିଭାଗ ମଧ୍ୟ ଉପରୋକ୍ତ ପରିକଳ୍ପନାଗୁଡ଼ିକୁ ସାକାର କରିବାକୁ ହେବ। ଓଡ଼ିଶାରେ ବହୁସଂଖ୍ୟକ ଜଳସଂପଦ ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଲିଛି ଯେ ଚାଲିଛି। ସରିବାର ନାମ ନାହିଁ। ୟା ତା ଉପରେ ଦୋଷ ନଲଦି ତାହାର ଉତ୍ତରଦାୟୀ ଅଧିକାରୀ/ ଯନ୍ତ୍ରୀମାନେ ଭୁଲ୍‌ ସ୍ୱୀକାର କରିବା ସହ କାନ ଧରି ରେକଡ଼ିଂ ହେଉଥିବା ଭିଡ଼ିଓ କ୍ୟାମେରା ସାମ୍ନାରେ ସର୍ବସାଧାରଣରେ ବସ୍‌ଉଠ୍‌ ହେବା ଜରୁରୀ। ସେଇ ନିର୍ଲଜ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନେଇ ଛତିଶଗଡ଼ରେ ପ୍ରଶିକ୍ଷଣ ଦେବା ଦରକାର। ଅବଶ୍ୟ ସେଚ ପ୍ରକଳ୍ପର ସବୁଠୁ କଷ୍ଟକର କାର୍ଯ୍ୟଟି ହେଉଛି - କେନାଲ ବ୍ୟବସ୍ଥା ସୁନିଶ୍ଚିତ କରିବା। ଯାହାକି ଛତିଶଗଡ଼ ଜଳସଂପଦ ବିଭାଗ ମଧ୍ୟ ସଫଳତାର ସହ ସାରି ପାରି ନାହିଁ। ହେଲେ ଜଳଭଣ୍ଡାରଣ ବ୍ୟବସ୍ଥାକୁ ସଫଳ କରିଛି। ଅନ୍ତତଃ ଓଡ଼ିଶାର ଯନ୍ତ୍ରୀ/ଅଧିକାରୀମାନେ ସେତିକି କରିପାରିଲେ, ଅବଶିଷ୍ଟ ଉଦ୍ଦେଶ୍ୟ ସବୁକୁ ଉଠା ସେଚନ ବା ବିଶାଳ ପମ୍ପ୍‌-ପାଇପ୍‌ ବ୍ୟବସ୍ଥା ଜରିଆରେ ସମ୍ଭବ କରାଯାଇପାରିବ।

ମୁଦ୍ରଣ ଗଣମାଧ୍ୟମମାନେ ଏହି ଆଲ୍ଲେଖ୍ୟ ଓ ପ୍ରସ୍ତାବକୁ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ସହଯୋଗ କରିବାକୁ ନିବେଦନ।

ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

Thursday, April 20, 2017

ଅନ୍‌ଲାଇନ୍‌ ଟ୍ରେନ୍‌ ଟିକେଟିଂରେ ଏବେବି ଟିକସ କଟୁଛି

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ର କେନ୍ଦ୍ର ବଜେଟ୍‌ରେ ରେଳବାଇ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ଆପଣ ଜାଣନ୍ତି। ତାହା ହେଉଛି ଅନ୍‌ଲାଇନ୍ ଟିକେଟ୍‌ ବୁକିଂ (ସ୍ପଷ୍ଟ ଭାଷାରେ ହେଲା IRCTC.co.inରେ ଟିକେଟ ବୁକିଂ) କଲେ, ଆଉ ଅତିରିକ୍ତ ଟିକସ ଦେବାକୁ ପଡ଼ିବ ନାହିଁ। ଏହି ଅତିରିକ୍ତ ଟିକସ ଦୁଇ ପ୍ରକାର ଥିଲା। ୧. ପ୍ରତିଟି ଅନ୍‌ଲାଇନ୍‌ ପୈଠ ପାଇଁ ବ୍ୟାଙ୍କ୍‌ ୧୦ ଟଙ୍କା କାଟି ନେଉଥିଲା ଏବଂ ୨. ପ୍ରତିଟି ବୁକିଂ ପାଇଁ ଆଇଆର୍‌ସିଟିସି ୧୧ଟଙ୍କା ୫୦ ପଇସା ସେହି ଟିକେଟ୍ ଦାମ୍‌ ସାଙ୍ଗରେ କାଟିକି ନେଇଯାଉଥିଲା।

ଡିଜିଟାଲ ପୈଠ ବା ଅଣନଗଦ(cashless) ପୈଠ ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ବଜେଟ୍‌ ନୀତିରେ ସାମିଲ ହେଲା। କିନ୍ତୁ ଏବେ କେବଳ ବ୍ୟାଙ୍କ୍‌ବାଲା ୧୦ ଟଙ୍କା ନେଉ ନାହାନ୍ତି। କିନ୍ତୁ ଆଇଆର୍‌ସିଟିସି ଦିନକ ପରେ କାଟି ନେଉଛି ୧୧ଟଙ୍କା ୫୦ ପଇସା। ପୂର୍ବରୁ ଏମିତି ଥିଲା ଯେ ବ୍ୟାଙ୍କ୍‌ ନେଉଥିବା ୧୦ଟଙ୍କାଟା ଟିକଟ କାଟିବାର ଦିନକରୁ ତିନିଦିନ ମଧ୍ୟରେ କଟୁଥିଲା, ଯାହାକି ଟିକଟ କଟା ବିଲ୍‌ ସାଙ୍ଗରେ ବାହାରୁ ନଥିଲା। ଏବେ ସେମିତି ୧୧ଟଙ୍କା ୫୦ ପଇସା କଟୁଛି, ଟିକଟ କାଟିବାର ଦିନକ ପରେ। ଅର୍ଥାତ୍‌ ଆପଣ ଯଦି ୬୧୫ଟଙ୍କାର ଟିକଟ କରିଛନ୍ତି ଏବଂ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ସେତିକି ଟଙ୍କା କଟିଛି ବୋଲି ଖୁସି ହୋଇଯିବେ। ହେଲେ ଦିନକ ପରେ କଟିଯିବ ଆହୁରି ୧୧ଟଙ୍କା ୫୦ ପଇସା। ଯଦି ବିଭିନ୍ନ ସ୍ଥାନକୁ ନିୟମିତ ରେଳଯାତ୍ରା କରୁଥିବା ଜଣେ ବ୍ୟକ୍ତି ମାସକୁ ୨୦ଥର ଅନ୍‌ଲାଇନ୍‌ ବୁକିଂ କରିବେ, ତେବେ ସେ କେବଳ ଆଇଆର୍‌ସିଟିସିକୁ ଗଣିବେ ୨୩୦ ଟଙ୍କା। ଏହା ସରକାରୀ ଶୋଷଣର ଏକ ନୂଆ ତରିକା।

ଅନ୍‌ଲାଇନ୍ ଟିକେଟିଂର ସୁବିଧା ହେଲା - ହଜାର ହଜାର ବୁକିଂ-କିରାଣୀକୁ ପୋଷିବାକୁ ପଡ଼ିବନି। ବୁକିଂ କାଉଣ୍ଟର ନାମରେ ବିଶାଳ କୋଠାର ଆବଶ୍ୟକତା ନାହିଁ। ତେଣୁ ଅତିରିକ୍ତ ଟିକସ ନବସାଇ, ମୂଳ ଦରରେ ଟିକଟ ବିକିବା ଦ୍ୱାରା ଅଫ୍‌ଲାଇନ୍‌ ବା କାଉଣ୍ଟର ବୁକିଂ ଉପରୁ ଚାପ କମିଯିବ। ଏହା ସହ ସରକାରଙ୍କ ରାଜସ୍ୱ ବଢ଼ିବ। କିନ୍ତୁ ସରକାର ଦୁଇ ନାବରେ ଗୋଡ଼ ଦେଇକି ଜନତାଙ୍କୁ କାହିଁକି ଭୂତେଇବାକୁ ନିଷ୍ପତ୍ତି ନେଲେ ତାହା ମୁଁ ବୁଝିପାରୁ ନାହିଁ। ଆପଣ କ’ଣ ବୁଝୁଛନ୍ତି? ଟିକେ କୁହନ୍ତୁ।


ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

Saturday, February 25, 2017

ଆମର ମାଗଣାଖିଆ ଅଭ୍ୟାସ !

ଜଣେ ଅନ୍ଧ ଭିକାରୀ ଭିକ୍ଷା ମାଗି ମାଗି ରାଜାଙ୍କ ଦରବାରରେ ପହଞ୍ଚିଗଲା। ରାଜାଙ୍କର ତା ଉପରେ ଦୟା ଆସିଲା, ରାଜା ପ୍ରଧାନମନ୍ତ୍ରୀକୁ କହିଲେ - "ଏହି ଭିକାରୀଟି ଜନ୍ମାନ୍ଧ ନୁହେଁ। ଇଏ ଠିକ୍‌ ହୋଇପାରିବ, ୟାକୁ ରାଜବୈଦ୍ୟ ପାଖକୁ ନେଇଚାଲ।" (ଦୁହେଁ ତାକୁ ଧରିକରି ନେଇଗଲେ।) 

ସନ୍ଥକବି ଭୀମଭୋଇ*
ବାଟରେ ରାଜାଙ୍କୁ ମନ୍ତ୍ରୀ କହିଲେ "ମହାରାଜ ଆପଣଙ୍କୁ ଏକାନ୍ତରେ ମୁଁ କିଛି କହିବାକୁ ଚାହୁଁଛି।" ଦୁହେଁ ଭିକାରୀକୁ ସେହିଠାରେ ବସାଇ ଟିକେ ଦୂରକୁ ଗଲେ। ମନ୍ତ୍ରୀ କହିଲେ "ହେ ମହାରାଜ ଏ ଭିକାରୀଟିର ଶରୀର ସୁସ୍ଥ ସବଳ, ଯଦି ଏହାର ଆଖିରେ ଜ୍ୟୋତି ଫେରି ଆସିବ, ତେବେ ୟାକୁ ଆପଣଙ୍କର ସବୁ ଭ୍ରଷ୍ଟାଚାର ଦେଖାଯିବ। ଆପଣଙ୍କର ସମସ୍ତ ଥାଟପାଟ ଆଉ ବଦଖର୍ଚ୍ଚ ଦେଖାଯିବ। ଆପଣଙ୍କର ରାଜମହଲର ବିଳାସବ୍ୟସନ ଆଉ ଆପଣଙ୍କ ରାଣୀହଂସପୁରର ଚାକଚକ୍ୟ ପାଇଁ ହେଉଥିବା ଖର୍ଚ୍ଚ ବି ଦେଖାଯିବ।"
 
ୟାକୁ ଆହୁରି ମଧ୍ୟ ଦେଖାଯିବ ଯେ ପ୍ରଜାମାନେ କେମିତି ଭୋକଉପାସରେ ଡହଳବିକଳ ହେଉଛନ୍ତି। ମରୁଡି ହୋଇଥିବାରୁ ଫସଲ ଉତ୍ପାଦନ ଭଲ ହୋଇନାହିଁ । ଆପଣଙ୍କ ସୈନିକମାନେ କେମିତି ଜୋର ଜବରଦସ୍ତ ଚାରିଗୁଣା ଖଜଣା ଆଦାୟ କରୁଛନ୍ତି; ରାଜମହଲର ଖର୍ଚ୍ଚ ବୃଦ୍ଧି କାରଣରୁ ରାଜକୋଷ ଶୂନ୍ୟ ହେଇଯାଉଛି; ଯାହାର ଭରଣା ଆମେ ସେନା ଆଉ କର୍ମଚାରୀଙ୍କ ଦରମାରୁ କାଟି କରୁଛେ, ଯଦ୍ଦ୍ୱାରା ହଜାର ହଜାର ସୈନିକ ଓ କର୍ମଚାରୀ ବେରୋଜଗାର ହୋଇଛନ୍ତି ।

ଏହାର ଆଖି ଠିକ୍‍ ହେଇଗଲା ପରେ ଏ ଭିକାରୀଟି ସମସ୍ତଙ୍କ ପରି ରୋଜଗାର ମାଗିବ, ଆଉ ଆପଣଙ୍କର ବିରୋଧୀ ହୋଇଯିବ। ମୋ’ କଥା ମାନନ୍ତୁ, ଇଏ ତ ଆପଣଙ୍କୁ କେବଳ ଦୁଇ ଓଳି ଖାଦ୍ୟ ହିଁ ମାଗୁଛି। ତାକୁ ଆପଣ ରାଜମହଲରେ ବସାଇ ମାଗଣାରେ ସକାଳେ ଆଉ ସନ୍ଧ୍ୟାରେ ଖାଲି ଖାଇବାର ବନ୍ଦୋବସ୍ତ କରିଦିଅନ୍ତୁ, ଆଉ ଦିନସାରା ବୁଲିବାକୁ ଛାଡି ଦିଅନ୍ତୁ।  ଇଏ ରାଜ୍ୟସାରା ବୁଲିବୁଲି ଆପଣଙ୍କର ଗୁଣଗାନ କରିବ - ରାଜା ବହୁତ ନ୍ୟାୟବନ୍ତ, ବହୁତ ଦୟାବାନ, ପରୋପକାରୀ ଇତ୍ୟାଦି ଇତ୍ୟାଦି। ଏମିତି ସେ ମାଗଣାରେ ଖାଇଲେ ଆପଣଙ୍କ ପ୍ରତି ବିପଦଟା ଟଳିଯିବ, ଆଉ ଆପଣ ଲମ୍ବା ସମୟ ଧରି ଶାସନ ଗାଦିରେ ରହିପାରିବେ ।"

ରାଜାଙ୍କ ମନକୁ ମନ୍ତ୍ରୀଙ୍କ କଥା ଛୁଇଁଲା, ସେମାନେ ଅନ୍ଧପାଖକୁ ଆସିଲେ ଆଉ ଦୁହେଁ ତାକୁ ଉଠେଇକି ରାଜମହଲକୁ ନେଇଆସିଲେ । ବର୍ତ୍ତମାନ ଅନ୍ଧଟି ରାଜ୍ୟସାରା ବୁଲିବୁଲି
ରାଜାଙ୍କର ଗୁଣଗାନ କରୁଛି। ହେଲେ ତାକୁ ଜଣାନାହିଁ ଯେ ରାଜା ତା’ ସହ କେତେବଡ ଧୂର୍ତ୍ତତା କରିଛନ୍ତି, ଛଳନା କରିଛନ୍ତି। ସେ ଠିକ୍ ହୋଇ ସ୍ୱୟଂ ରୋଜଗାର କରି ନିଜ ଆଖିରେ ସଂସାରର ଆନନ୍ଦ ଅନୁଭବ କରି ପାରିଥାନ୍ତା । ଏହି ଅବସ୍ଥା ବର୍ତ୍ତମାନ ଆମ ରାଜ୍ୟ ସରକାର କରୁଛନ୍ତି, ଆମକୁ ମାଗଣାରେ, ଶସ୍ତାରେ ଖାଦ୍ୟ ଦେଇ କର୍ମକୁଢି କରୁଛନ୍ତି; ହେଲେ ଆମ ଆଖିର ଜ୍ୟୋତି (ଉଚିତ ଶିକ୍ଷା ଓ ରୋଜଗାର) ଦେଉ ନାହାନ୍ତି। କାରଣ ଆଖିର ଜ୍ୟୋତି ପାଇଗଲେ,  ଆମେ ଜନତା ଦେଖି ପାରିବା ସରକାରର ଭ୍ରଷ୍ଟାଚାର, ନେତା ଓ ମନ୍ତ୍ରୀଙ୍କର ଦୁର୍ନୀତି, ଲାଞ୍ଚ, ଚୋରି, ଅର୍ଥ ହଡପ ଆଉ ଗୁଣ୍ଡାଗିରି, ସରକାରୀ କଳର ଶୋଷଣ ଆଉ ଗରିବ ଉପରେ ଅନ୍ୟାୟ, ଅତ୍ୟାଚାର । ଏବଂ ଆମେ ସେ ଅନ୍ଧ ପରି ତାଙ୍କର ଗୁଣଗାନ କରିବୁଲୁଛେ  ଯେ ସରକାର ଆମକୁ ମାଗଣାରେ ଚାଉଳ ଦେଲେ, ସାଇକେଲ ଦେଲେ, ଛତା, ଚପଲ, କମ୍ବଳ ଦେଲେ, ଲାପ୍‍ଟପ୍ ଦେଲେ, ଅଣ୍ଡା ଦେଲେ ।

ଆମେ ଏକଥା ଚିନ୍ତା କରନ୍ତେ ନାହିଁ, ଯଦି ଆମକୁ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ସରକାର ଦିଅନ୍ତେ ତେବେ ତାଙ୍କର ମାଗଣା ଖୈରାତ ଆବଶ୍ୟକ ହୁଅନ୍ତା ନାହିଁ। ଆମେ ସ୍ଵତଃ ଏସବୁ କିଣି ପାରନ୍ତେ। ନିଜକୁ ଯୋଗ୍ୟ ବୋଲି ଗର୍ବ ଅନୁଭବ କରନ୍ତେ। ହେଲେ କ’ଣ ହେବ ଆମେ ତ ଅନ୍ଧ ! କେବଳ ମାଗଣା କିଏ କ’ଣ ଦେଲା ସେଇଟା ହିଁ
ଆମକୁ ଦେଖାଯାଉଛି ।

(ସୌ‌ଜନ୍ୟ: ହ୍ୱାଟ୍‍ସ୍ଆପ୍‍)

* ସନ୍ଥକବି ଭୀମଭୋଇ ନିଜକୁ ଅଂଧ ବୋଲି ଦାବି କରିଛନ୍ତି। କିନ୍ତୁ ତାଙ୍କ କୃତିଗୁଡିକୁ ପଢ଼ିବା ପରେ କେହି ବି ବିଶ୍ୱାସ କରିପାରନ୍ତି ନାହିଁ ଯେ ସେ ବାସ୍ତବରେ ଦୃଷ୍ଟିହୀନ ଥିଲେ, କି ନିଜକୁ ଅଜ୍ଞାନୀ ରୂପେ ଅଂଧ ବିବେଚନା କରୁଥିଲେ!

ବ୍ଲଗରଙ୍କ ଟିପ୍ପଣୀ: ଏଭଳି ଲେଖାକୁ କହନ୍ତି ବିକାଶ ସାହିତ୍ୟ। ଯେଉଁ ଅଜ୍ଞାତ ଲେଖକମାନେ ନିଷ୍ଠାର ସହ ଏଭଳି ମୌଳିକ ବିଷୟ ଲେଖି ସାମାଜିକ ମାଧ୍ୟମରେ ଛାଡୁଛନ୍ତି, ସେମାନଙ୍କୁ କୃତଜ୍ଞତା ଜଣାଉଛି। ପୁରସ୍କାର ଲୋଭରେ ଗଦାଗଦା ଅବୋଧ୍ୟ କବିତା, ଉପନ୍ୟାସ, ଗଳ୍ପ ନଲେଖି, ଲେଖାଳିମାନେ ଏମିତି ଲେଖନ୍ତେ କି... ସେମାନଙ୍କର ପୁଣ୍ୟ ହୁଅନ୍ତା।

- ବିମଳ ପ୍ରସାଦ

Saturday, February 18, 2017

ତିନି ପ୍ରମୁଖ ଦଳର ସମୀକ୍ଷା କରିବାର ବେଳ

୨୦୧୭ ଫେବୃଆରିରେ ହୋଇଥିବା ପଂଚାୟତ ନିର୍ବାଚନରେ ଭା.ଜ.ପା.କୁ ବିପୁଳ ସଫଳତା ମିଳିବାରେ ଲାଗିଛି । ଓଡ଼ିଶାକୁ ଏକ ବିକଳ୍ପ ଦଳର ଆବଶ୍ୟକତା ଥିଲା । ତାହା ହିଁ ଭାରତୀୟ ଜନତା ପାର୍ଟି (ଭାଜପା) ବୋଲି ଓଡ଼ିଶାର ବିପୁଳ ସଂଖ୍ୟକ ଭୋଟର ବିବେଚନା କରିଛନ୍ତି । ଏ କଥା ବେଶ୍ ସ୍ପଷ୍ଟ ଯେ ଯେଉଁ ଭୋଟ୍‍ଗୁଡ଼ିକ କଂଗ୍ରେସକୁ ଯାଉଥିଲା, ସେହି ଭୋଟ୍‍ଗୁଡ଼ିକ ଭାଜପା ଝୁଲିରେ ପଡ଼ିଛି। କଂଗ୍ରେସକୁ ଭୋଟ୍ ଦେବାଟା ଗୋଟାପଣେ ବୃଥା ବୋଲି ଭୋଟର୍‍ମାନେ ସ୍ଥିର ନିଶ୍ଚିତ ହୋଇଯାଇଛନ୍ତି । କାରଣ କଂଗ୍ରେସରେ ନେତା ନାହାନ୍ତି କି ନୀତି ନାହିଁ । କିନ୍ତୁ ଭାଜପାରେ ସେଇ ଅଭାବ ପୂରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଭାଜପାର କୌଣସି ପଦପଦବୀରେ ନଥାଇ ବି ସେ ଭାବୀ ମୁଖ୍ୟମନ୍ତ୍ରୀର
ଧର୍ମେନ୍ଦ୍ର ପ୍ରଧାନ
ଭାବମୂର୍ତିକୁ ନେଇ ସାରା ରାଜ୍ୟରେ ଲୋକଙ୍କ ସହ ମିଶିଛନ୍ତି ଓ ମିଶୁଛନ୍ତି । ମାନେ ନିଜ ଲୋକସଂପର୍କକୁ ବିଜୁଳି ବେଗରେ ବଢ଼ାଇଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ବିବୃତି ଦେଇଥିଲେ ଯେ ଏହି ନିର୍ବାଚନ ତାଙ୍କ ଦଳର ଟାର୍ଗେଟ୍ ନୁହେଁ । ଏପରିକି ଭାଜପା ମଧ୍ୟ ପ୍ରଚାରରେ ବିପୁଳ ବ୍ୟୟ କରି ନାହିଁ । ତଥାପି ଜଣେ ନେତା ଭରସାରେ ଦଳକୁ ଅଭୂତପୂର୍ବ ଓ ଆଶାତୀତ ସଫଳତା ମିଳିଛି । ବିଶେଷତଃ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟରମାନେ ବିଭିନ୍ନ କାରଣରୁ ରାଜ୍ୟ ଶାସକଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାର ଫାଇଦା ମଧ୍ୟ ରାଜ୍ୟର ବିଭିନ୍ନ ଅଂଚଳରେ ଭାଜପା ଝୁଲିକୁ ଯାଇଛି ।

୧୪ ବର୍ଷ କ୍ଷମତାରେ ରହି ରାଜ୍ୟରେ ଅରାଜକତା ବଢ଼ାଇଦେଇଥିବା ବିଜୁ ଜନତା ଦଳକୁ ଟକ୍କର ଦେବା ପାଇଁ ୨୦୧୩ ମସିହାରେ ନିଜର ଅଭିଯାନ ଆରମ୍ଭ କରିଥିଲେ କଂଗ୍ରେସ କର୍ମୀ ସୌମ୍ୟରଂଜନ ପଟ୍ଟନାୟକ । ତାଙ୍କୁ ଏଠାରେ
ସୌମ୍ୟରଂଜନ ପଟ୍ଟନାୟକ
କର୍ମୀ କହିବାର ଉଦ୍ଦେଶ୍ୟ ହେଲା
, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତାଙ୍କୁ ଅଭିଯାନ ଚଳାଇବା ପାଇଁ କୌଣସି ଦାୟିତ୍ୱ ଦେଇନଥିଲା । ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବା ପାଇଁ ରାଜ୍ୟରେ ପଦାସୀନ କଂଗ୍ରେସ ନେତାମାନେ ତତ୍ପର ନହେବାରୁ ସୌମ୍ୟ ବାବୁ ଲୋକସଂପର୍କ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ତାହା ତାଙ୍କ ଦଳର ନେତାଙ୍କ ଦିହରେ ଗଲା ନାହିଁ । କାରଣ ସେ ଏଭଳି ଲୋକପ୍ରିୟତା ଠୁଳାଇବାରେ ଲାଗିଥିଲେ ଯେ କିଛି ନେତା ଭୟ କଲେ, କାଳେ ଦଳ ଜିତିଲେ ୟେ ମୁଖ୍ୟମନ୍ତ୍ରୀ ହୋଇଯିବ! ତେଣୁ ଦଳ ଭିତରେ ବିଦ୍ରୋହ ହେବାରୁ ହାଇକମାଣ୍ଡଙ୍କ ଇସାରାରେ ସୌମ୍ୟ ବାବୁଙ୍କୁ ଦଳରୁ ବାହାର କରିଦିଆଗଲା ୨୦୧୩ ଅକ୍ଟୋବର ୨ ତାରିଖରେ ।  ସେବେଠୁ କଂଗ୍ରେସକୁ ସତେ ଯେମିତି ଓଡ଼ିଶାରେ ରାହୁ ଗୋଡ଼େଇଛି । ଅସଲ କଥା ହେଲା ସେଇ ସମାନ ଢଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବ୍ୟାପୀ ଭାଜପା ପାଇଁ ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟ ଭାଜପା ତାଙ୍କୁ ଦଳରୁ ବହିଷ୍କାର କରି ନାହିଁ । କାରଣ ତାହା ରାଷ୍ଟ୍ରୀୟ ଭାଜପା ରଣନୀତିର ଏକ ଅଂଶବିଶେଷ। ଉପ୍ରା ସ୍କୁଲ୍ ରଜତ ଜୟନ୍ତୀ ଠାରୁ କଲେଜ ବାର୍ଷିକ ଉତ୍ସବ ପର୍ଯ୍ୟନ୍ତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ମହୋତ୍ସବ ସବୁଠି ସବୁ ଅଂଚଳରେ ଅତିଥି ହେବାର ନିମନ୍ତ୍ରଣ ଗ୍ରହଣ କରି ଏବଂ ସମୟାନୁବର୍ତୀ ଭାବରେ ଉପସ୍ଥିତ ହୋଇ ସେ ଯେଭଳି ଲୋକପ୍ରିୟତା ସାଉଁଟିଛନ୍ତି; ତାହା ରାଜନୀତି ବିଶାରଦମାନଙ୍କୁ ବିସ୍ମିତ କରିଛି । ହେଲେ ଓଡ଼ିଶାବାସୀଙ୍କୁ ନବୀନଙ୍କ ବିକଳ୍ପ ହେବାର ଆଶ୍ୱାସନା ଦେଇଛି । ଚଳିତ ପଂଚାୟତ ନିର୍ବାଚନରେ ଜାତୀୟ କଂଗ୍ରେସ ଯେଭଳି ଭାବେ ପ୍ରତ୍ୟାଖ୍ୟାତ ହୋଇଛି, ସେଥିପାଇଁ ଆତ୍ମସମୀକ୍ଷା କରିବା ଜରୁରୀ ହୋଇଛି । ତଥାକଥିତ କଂଗ୍ରେସୀ ମୁଣ୍ଡିଆଳମାନେ ଜାଣିବା ଦରକାର ଯେ କେବଳ ଫରୱାର୍ଡ଼ ଖେଳାଳି ନୁହେଁ ବ୍ୟାକ୍ ଖେଳାଳି ମଧ୍ୟ ଗୋଲ୍ କରିବାଟା ବେନିୟମ ନୁହେଁ ।

ବିଜୟ ମହାପାତ୍ର
ତେଣେ ରାଜ୍ୟ ଭାଜପାର ରଣନୀତି ବେଶ୍ ରୋଚକ । ଗୋଷ୍ଠୀ କନ୍ଦଳ ପ୍ରସଙ୍ଗ ସହିତ ରାଜ୍ୟବାସୀଙ୍କର ପରିଚିତି ରହିଥିବାରୁ ତାହାକୁ ଏକ ସକାରାତ୍ମକ ରଣନୀତି କରି ଦଳ ସଫଳ ହୋଇଛି । ଯେମିତିକି ତୁଙ୍ଗ ନେତା ବିଜୟ ମହାପାତ୍ର କିଛି ବିବୃତି ଦେଉଥିବେ, ଯାହାକି ଦଳ ବିରୋଧରେ ଯାଉଥିବ ବା ସର୍ବମାନ୍ୟ ନେତା ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଉଥିବ; ଆଉ ଗଣମାଧ୍ୟମ ତାହାର ମଜା ନେବା ପାଇଁ ପ୍ରମୁଖତାର ସହିତ ପ୍ରଚାର କରୁଥିବ । ଏହା ହେଉଛି, ଦଳକୁ ଓ ଯୋଗ୍ୟ ଦଳପତିଙ୍କୁ ବିନା ବ୍ୟୟରେ ଚର୍ଚାରେ ରଖିବାର ଏକ ଚମତ୍କାର ଉପାୟ । ଯାହାକି ଭାଜପାରେ ସମ୍ଭବ ହୋଇଛି । ଅନ୍ୟ ଏକ ରଣନୀତି ହେଲା: ସମ୍ବାଦପ୍ରମେୟଭଳି ଓଡ଼ିଶାର ଦୁଇଟି ପ୍ରମୁଖ ଗଣମାଧ୍ୟମ, ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିବା ତଥା ସେ ଭାଗ ନେଉଥିବା ସଭାସମିତି ଆଦିର ବିବରଣୀକୁ ଫଟୋ ସହ ପ୍ରକାଶ କରିବା । ଅନ୍ୟ ପକ୍ଷରେ କହିବାକୁ ଗଲେ ରାଜ୍ୟରୁ ଅରାଜକତା ଦୂର କରିବା ତଥା ବିକଳ୍ପ ନେତୃତ୍ୱକୁ ପ୍ରୋତ୍ସାହିତ କରିବାର କର୍ତବ୍ୟବୋଧ ପ୍ରଦର୍ଶନ କରିଚାଲିଛି ଏହି ଦୁଇ ଗଣମାଧ୍ୟମ ।

ଯାହା ହେଲେ ବି ପ୍ରାଦେଶିକ ଦଳର ଶାସନ ବଳରେ ରାଜ୍ୟ ନିଜର ଟାଣ ରଖିପାରିଥାଏ କେନ୍ଦ୍ର ସରକାର ସ୍ତରରେ । ଏବେର ବିଜଦ ପାଖରେ ସେହି ଟାଣ ରଖିବାର ଦକ୍ଷତା ନଥିଲେ ସୁଦ୍ଧା ଏହାର ଭରଣା କରାଯାଇପାରିବ । ପିନାକୀ ମିଶ୍ର ଓ ନଗେନ୍ଦ୍ର ପ୍ରଧାନ ଭଳି ବିଚକ୍ଷଣ ରାଜନେତା ଏବଂ ଡା. ଦାମୋଦର ରାଉତ ଓ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଭଳି ସ୍ଥିତପ୍ରଜ୍ଞ ରାଜନେତା ଥାଇକି ଏକ ବିଶାଳ ପ୍ରାଦେଶିକ ଦଳ କ୍ଷମତାଚ୍ୟୁତ ନହେବାର ଉପାୟ ମଧ୍ୟ ବେଶ୍ ସହଜ । ସୋପାନଗୁଡ଼ିକ ଏହିପରି - ନବୀନ ବାବୁ ରାଜ୍ୟସଭାକୁ ଯିବେ ଏବଂ କେହି ଯୁବ ନେତୃତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ସ୍ପଷ୍ଟ ଘୋଷଣା କରି କେହି ବରିଷ୍ଠ ନେତାଙ୍କ ହାତରେ ଏହି କାର୍ଯ୍ୟକାଳର ଅବଶିଷ୍ଟ
ନବୀନ ପଟ୍ଟନାୟକ
ଅବଧିର ମୁଖ୍ୟମନ୍ତ୍ରୀତ୍ୱ ହସ୍ତାନ୍ତର କରିବେ। ନବୀନ ବାବୁ ଲୋକସଭାକୁ ନଯାଇ ରାଜ୍ୟସଭାକୁ ଯିବାର ଉଦ୍ଦେଶ୍ୟ ହେଲା
, ସେ ବିନା ବାଧାରେ ୬ବର୍ଷ ନିଶ୍ଚିତ ରୂପେ ସାଂସଦ ହୋଇ ରହିପାରିବେ। ସେ ଓଡ଼ିଶା ସ୍ୱାର୍ଥ ପାଇଁ କେତେ ଦରଦୀ, ତାହା ସେ ସେଇଠି ଥାଇ ପ୍ରମାଣ କରିପାରିବେ ଏବଂ ଏଥିପାଇଁ ନିଜ ସାଂସଦମାନଙ୍କୁ ମାର୍ଗଦର୍ଶନ ବି ଦେଇପାରିବେ ସେଇ ନୂଆଦିଲ୍ଲୀରେ ଥାଇ । ସେ ଓଡ଼ିଆ ଭାଷାସଂସ୍କୃତି ଜାଣି ନଥିବାର ମହାକଳଙ୍କରୁ ମୁକ୍ତି ପାଇଁ ଏବଂ ନିଜ ଦଳର ଗାଦି ରକ୍ଷା ପାଇଁ ସବୁଠୁ ଭଲ ଉପାୟ ହେଉଛି ମୁଖ୍ୟମନ୍ତ୍ରୀତ୍ୱ ଛାଡ଼ିବା ଓ ଭୁବନେଶ୍ୱର ଛାଡ଼ିବା । ନିଜ ବୁଦ୍ଧିରେ ନଚାଲି ଜଣେ ଦିଜଣ ଉପଦେଷ୍ଟାଙ୍କ କଥାରେ ଚାଲୁଥିବା ନବୀନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଆମ୍ଭ ପ୍ରସ୍ତାବ ଯଦି ସେହି ଉପଦେଷ୍ଟାଙ୍କ ବିଚାର ହୋଇ ଉଭା ହେବ, ତେବେ ଓଡ଼ିଶାରେ ଅନ୍ୟ ପଡ଼ୋଶୀ ରାଜ୍ୟ ଭଳି ପ୍ରାଦେଶିକ ଦଳର ଦବ୍‍ଦବା ହୁଏତ ରଖିବା ସହଜ ହୋଇଯିବ । ଅନ୍ୟ ପକ୍ଷରେ ଦଳଗଠନ ପରଠୁ କେବଳ କ୍ଷମତା ଭୋଗ କରୁଥିବା ବିଜଦ ଯଦି ଆଗାମୀ ନିର୍ବାଚନରେ ସଂଖ୍ୟାଗରିଷ୍ଠ ନହୁଏ, ତେବେ ଏହା କ୍ରମଭଙ୍ଗୁରପ୍ରବଣ ଦଳ ହୋଇ ନଯାଇ, ଶୃଙ୍ଖଳିତ ବିରୋଧୀ ଦଳର ଭୂମିକା ତୁଲାଇବା ଜରୁରୀ । ଏହା ସହ ଶାସକ ଦଳ ଭାବରେ ବିଧାନସଭାର ଅମର୍ଯ୍ୟାଦା କରିବା ଜନିତ ଗ୍ଳାନିକୁ ଦୂର କରିବାକୁ ପ୍ରସ୍ତୁତ ରହିବା ଦରକାର । ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଟିକଟ ଆଶାୟୀମାନଙ୍କ ତାଲିକା ଅନ୍ୟ ସବୁ ଦଳଠାରୁ ବିଜଦର ଢେର୍ ଲମ୍ବା । ଏହା ହିଁ ଦଳର ଲୋକପ୍ରିୟତାର ଏକ ପ୍ରମୁଖ ସୂଚକ। ମୁଖ୍ୟତଃ ବିଧାନସଭା କ୍ଷେତ୍ର ପାଇଁ ଯୁବନେତାମାନଙ୍କୁ ଟିକଟ ଦେବାର ଆଗୁଆ ଘୋଷଣା କରାଗଲେ, ଲୋକସଂପର୍କ ଓ ଜନମତର ସମୀକରଣକୁ ନିଜ ଦଳ ସପକ୍ଷରେ ବଦଳାଇ ଦେଇପାରିବେ ।

ପ୍ରଦୀପ ମାଝି
ତେବେ ଉପରୋକ୍ତ ସହଜ ରଣନୀତି ପ୍ରତି ଦ୍ରୁତ ଲୋକପ୍ରିୟତା ଠୁଳାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଜପା କେତେ ସତର୍କ ଅଛି, ତାହା ୨୦୧୯ ନିର୍ବାଚନ ଫଳରୁ ଜଣାପଡ଼ିଯିବ । ତେଣେ ପ୍ରଦେଶ କଂଗ୍ରେସ ଯଦି ଗୋଷ୍ଠୀ କନ୍ଦଳଠୁ ଦୂରେଇ ଯାଇ ପ୍ରଦୀପ ମାଝୀଙ୍କ ଭଳି ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରୋଜେକ୍ଟ କରି ଅଭିଯାନ ଚାଲୁ ରଖିବ ଏବଂ ନିରଂଜନ ପଟ୍ଟନାୟକ ଓ କାହ୍ନୁଚରଣ ଲେଙ୍କା ଏକାଠି କାର୍ଯ୍ୟ କରିପାରିବେ, ତେବେ ରାଜ୍ୟରେ ପୁଣି ତ୍ରିମୁଖୀ ଲଢ଼େଇର ଭୂମି ପ୍ରସ୍ତୁତି କଥାକୁ ଏଡ଼ାଇ ହେବ ନାହିଁ । ଏସବୁ କେବଳ ଆକଳନ ଓ ଅନୁମାନ ବୋଲି କେହି କେହି ମତାମତ ଦେଇପାରନ୍ତି । କିନ୍ତୁ ଯାହା ସତ୍ୟ ଓ ସମ୍ଭବ, ତାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

ବିମଳ ପ୍ରସାଦ, ଭୁବନେଶ୍ୱର @bimalodisha

Friday, February 10, 2017

ପାସ୍‌ପୋର୍ଟ ସେବାକେନ୍ଦ୍ର ବ୍ରହ୍ମପୁରରେ କେବେ?

ଦିନକୁ ଦିନ ଡାକଘର ବା ପୋଷ୍ଟ ଅଫିସ୍ ଅନାବଶ୍ୟକ ହୋଇ ପଡ଼ୁଥିବା ବେଳେ ତାହାର ସେବା ପରିସରକୁ ବ୍ୟାପକ କରିବା ପାଇଁ ଗତ ତିନି ଦଶନ୍ଧି ଧରି ବହୁତ ଉଦ୍ୟମ ଓ ପରୀକ୍ଷାନିରୀକ୍ଷା ହୋଇଯାଇଛି। ଏବେ ରୂପେ କେତୋଟି ମୁଖ୍ୟ ଡାକଘରେ “ପାସ୍‌ପୋର୍ଟ ସେବା କେନ୍ଦ୍ର”ର ଶାଖା କାର୍ଯ୍ୟ କରିବ। କେରଳ ପ୍ରାୟତଃ ପ୍ରତି ଜିଲ୍ଲାରେ ପାସପୋର୍ଟ ସେବା କେନ୍ଦ୍ର୍ର ଥିବା ବେଳେ ଓଡ଼ିଶାରେ କେବଳ ରାଜଧାନୀ ଭୁବନେଶ୍ୱରରେ ଆଞ୍ଚଳିକ ପାସ୍‌ପୋର୍ଟ ସେବା କେନ୍ଦ୍ର ରହିଛି। ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶାର ଆଉ ତିନିଟି ସହରର ମୁଖ୍ୟ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରର ଶାଖା ଖୋଲିବେ, ସେଗୁଡ଼ିକ ହେଉଛି ସମ୍ବଲପୁର, ରାଉରକେଲା ଓ କୋରାପୁଟ। ଏହା ସମେତ ୧୮ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଆଉ ୫୬ଟି ଡାକଘର ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ କର୍ଣାଟକର ମହୀଶୂର ଓ ଗୁଜୁରାଟର ଦାହୋଡ଼ ମୁଖ୍ୟ ଡାକଘର ପରିସରରେ ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ର ସରକାରଙ୍କର ପାସ୍‌ପୋର୍ଟ ନୀତିରେ ସଂସ୍କାର କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ନିଷ୍ପତ୍ତି ହୋଇଛି । ଆଜିର ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ - ୬, ରାଜସ୍ଥାନ - ୫, ବିହାର - ୫, ମଧ୍ୟପ୍ରଦେଶ - ୪, କର୍ଣାଟକ - ୪, ବଙ୍ଗ - ୪, ଓଡ଼ିଶା - ୩, ଝାଡଖଣ୍ଡ - ୩, ଜମ୍ମୁ କଶ୍ମୀର -୨, ହିମାଚଳପ୍ରଦେଶ - ୨, ହରିୟାଣା -୨, ଗୁଜରାଟ - ୨, କେରଳ -୨, ତାମିଲନାଡୁ -୨, ଆନ୍ଧ୍ରପ୍ରଦେଶ -୨, ତେଲେଙ୍ଗାନା -୨ ଆସାମ -୧,  ଛତିଶଗଡ -୧, ଦାମନ -୧, ଡିଉ -୧ ଓ ଦାଦ୍ରା ନଗରହାବେଳି -୧, ଓ ଲାକ୍ଷାଦ୍ୱୀପର  ୧ଟି ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯିବ।

ଆପଣଙ୍କର ମନେ ଥିବ ଯେ ଟେଲିଫୋନ୍, ଟେଲିଗ୍ରାମ୍, ଟେଲେକ୍ସ, ଫାକ୍ସ, ଇମେଲ, ମଡ଼ିଅର୍ଡ଼ର, ପାର୍ସଲ, ଚିଠି ଦିଆନିଆ ଇତ୍ୟାଦି ସେବାଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଇଛି ବା ବିଚ୍ଛିନ୍ନ ହୋଇଯାଇଛି ଅଥବା ନାଗରିକମାନେ ଆଉ ନିର୍ଭରଶୀଳ ହେଉନାହାନ୍ତି। ଯୁଗ ବଦଳିବା ସହ ଡାକଘରଗୁଡ଼ିକ ବ୍ୟାଙ୍କ୍ର ବିକଳ୍ପ ଭଳି ହେବାକୁ ଉଦ୍ୟମ କରାଯାଉଛି। ବିଶେଷତଃ ହଜାର ହଜାର ଶାଖା ଡାକଘରେ ବସ୍ତୁତଃ କିଛି ବି କାମ ହେଉ ନାହିଁ । ବିଶ୍ୱସନୀୟ ଘରୋଇ ଡାକସେବା ବା କୋରିଅର କମ୍ପାନୀମାନଙ୍କର ଉନ୍ମେଷ ଘଟିବାରୁ ସରକାରୀ ବ୍ୟବସ୍ଥା ନିଜର ରୂପରେଖ ବଦଳେଇବାକୁ ବାଧ୍ୟ ହୋଇଛି।

୨ ଜାନୁଆରି ୨୦୧୭ରେ ଆମ୍ଭେ ଭୁବନେଶ୍ୱରରେ ଭିସା ଫାସିଲିଟେସନ କେନ୍ଦ୍ର ବିଷୟରେ ଲେଖିଥିଲୁ ଏବଂ ଓଡ଼ିଶାରେ କାହିଁକି ମାତ୍ର ଗୋଟିଏ ପାସ୍‌ପୋର୍ଟ ସେବାକେନ୍ଦ୍ର ରହିଛି ବୋଲି ପ୍ରଶ୍ନ କରିଥିଲୁ । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶାର ଅନ୍ୟତମ ପ୍ରାଚୀନ ସହର (କଟକ, ପାରଳାଖେମୁଣ୍ଡି, ଜୟପୁର, ବାରିପଦା ଭଳି) ବ୍ରହ୍ମପୁରରେ କାହିଁକି ପାସ୍ପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଲେ ନାହିଁ ? ସେହି ଅଞ୍ଚଳର ଭୋଟରମାନେ ବିଜୁ ଜନତା ଦଳକୁ ଭୋଟ୍ ଦେଉଥିବାରୁ ବୋଧ ହୁଏ, କେନ୍ଦ୍ର ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ତା’ଛଡ଼ା ଓଡ଼ିଆରେ କଥା ଅଛି, ଛୁଆ ନକାନ୍ଦିଲେ, ମାଆ ଥନରୁ ଖୀର ବି ଖୋଇନଥାଏ। ସମୂହ ସ୍ୱାର୍ଥ ପାଇଁ ଦାବି କରିବାର ପ୍ରବୃତ୍ତି ବ୍ରହ୍ମପୁରିଆଙ୍କର ଘୋର ଅଭାବ ରହିଛି। ସଂସ୍କୃତି ସମ୍ପନ୍ନ ଗଂଜାମ ଜିଲ୍ଲା ଆଜି ଦେଶର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ ହୋଇ ନପାରିବାର କାରଣ ଆଉ କ’ଣ ହୋଇପାରେ, ତାହା ଆପଣମାନେ କହିବେ।

୨ ଜାନୁଆରି ୨୦୧୭ରେ ଓଡ଼ିଶାର ବଡ଼ ଇ-ଗୃପ୍‌ "ଓଡ଼ିଶା ସୂଚନା ଅଧିକାର ଅଭିଯାନ"ରେ ଯାହା ଲେଖିଥିଲୁ, ତାହାକୁ ଅବିକଳ ଲେପନ କଲୁ:
ଭୁବନେଶ୍ଵରରେ ଆନ୍ତର୍ଜାତିକ ବିମାନବନ୍ଦର ହେବା ପାଇଁ ହୁଏତ ଆପଣ ବି ଚାହୁଥିବେ, ମେହେନତ କରିଥିବେ। ଜାଣନ୍ତି କି ଓଡ଼ିଶା ଲୋକେ ଯାହା ବି କଲେ କେଉଁଠି ନା କେଉଁଠି ଆଳୁଦୋଷ ରହିଥାଏ।  ସେହି ଆଳୁଦୋଷକୁ ଚିହ୍ନଟ କରି ତାହାକୁ ଦୂର କରିପାରିଲେ, ଆମେ ରାଜ୍ୟକୁ ଆଉ ପାଦେ ଆଗକୁ ନେଇପାରିବା। ଏବେ ଆସନ୍ତୁ ଅସଲ ପ୍ରସଙ୍ଗକୁ ଓ ଆଳୁଦୋଷ ଚିହ୍ନଟକୁ:
(୧) ଆନ୍ତର୍ଜାତିକ ବିମାନବନ୍ଦରର ଅର୍ଥ - ଭୁବନେଶ୍ଵରରୁ ବିମାନ ସିଧା ଉଡିବ ବିଦେଶକୁ।
(୨) ବିଦେଶ ଯିବା ପାଇଁ ପାସ୍‌ପୋର୍ଟ ଓ ଭିସା ଦରକାର ହୁଏ। 

(୩) ଏବେ ସୁଦ୍ଧା ପାସ୍‌ପୋର୍ଟ ସେବା କେନ୍ଦ୍ର କେବଳ ରାଜଧାନୀ ଭୁବନେଶ୍ଵରରେ ଅଛି। ଜୟପୁର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲାରେ କାହିଁକି ଖୋଲା ଯାଉ ନାହିଁ କେବେ ଭାବିଛନ୍ତି? କେରଳରେ ପ୍ରାୟତଃ ସବୁ ଜିଲ୍ଲା Hqରେ ପାସ୍‌ପୋର୍ଟ ସେବାକେନ୍ଦ୍ର ଅଛି ବୋଲି ଜାଣିଛନ୍ତି କି?

(୪) ଭିସା ଫାସିଲିଟେସନ ସେଣ୍ଟର ଆମ ରାଜ୍ୟରେ ନାହିଁ ବୋଲି ଜାଣନ୍ତି କି? ଯଦି ଜଣେ କୋଲକାତା କି ଦିଲ୍ଲୀରେ ଭିସା ବନେଇବେ, ସେ ସେଇଠୁ ବିମାନ ଧରି କାହିଁକି ବିଦେଶକୁ ନଯିବେ? ଭୁବନେଶ୍ଵର ବିମାନବନ୍ଦର କେଉଁ କାମକୁ - ଭାବି ପାରୁଛନ୍ତି?
(୫) ସେଇ ‘ଭିସା’ ପାଇବା ପାଇଁ, ରାଜ୍ୟ ବାହାରେ ନାଠି ଭାଙ୍ଗି ଠିଆ ହେବା ଏବଂ ଲାଞ୍ଚ ଦେବା ଏକ ପରମ୍ପରା ହୋଇଯାଇଛି। ଆପଣ କ’ଣ ଚାହାନ୍ତି ଏତେ ବଡ଼ ସଂଘୀୟ ବ୍ୟବସ୍ଥାରେ ସେଇ ବ୍ରିଟିଶ ସରକାର ଅମଳର ଦିଲ୍ଲୀ-କଲିକତା-ବମ୍ବେ-ମାଡ଼୍ରାସ ମେଟ୍ରୋରେ ସବୁ ସେବା କେନ୍ଦ୍ରିତ ହୋଇ ରହିଥାଉ???

ଯେଉଁ କଥା ଏଠାରେ ଲେଖିଛି, ତାହା ଭୁଲ୍‌ କଥା ବୋଲି ସାବ୍ୟସ୍ତ କରିବାକୁ ଚଟାପଟ୍‌ କିଛି ମନ୍ତବ୍ୟ ଦେଇପକାଇବା ମଧ୍ୟ ଓଡ଼ିଶା ଲୋକଙ୍କର ଏକ ଆତ୍ମଘାତୀ-ଆଳୁଦୋଷ।
ସମାଧାନର ସୁରାକ:
କେହି କେନ୍ଦ୍ରୀୟ ନେତା ଚାହିଁଲେ, ଆମ ରାଜ୍ୟର ଭାଗ୍ୟ ବଦଳିପାରିବ...

ବିମଳ ପ୍ରସାଦ,

Thursday, January 5, 2017

ଧନ୍ୟବାଦ କାସନ୍ଦା ଗ୍ରାମବାସୀ

ରଣପୁରରୁ ଏକ ରୋଚକ ଖବର। ବ୍ୟାଙ୍କ୍‌ ଡକାୟତି କରି ଫେରୁଥିବା ଡକାୟତମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ସାମ୍ନା କଲେ ଏବଂ ମାଡ଼ ଦେଲେ। ତହୁଁ ମରିଗଲେ ୨ ଜଣ ଡକାୟତ। ଆଉ ଜଣେ ଆହତ ହୋଇ ଡାକ୍ତରଖାନା ଶେଯରେ ଶୋଇଛି। ଏଭଳି ସାହସିକତା ପାଇଁ କାସନ୍ଦା ଗ୍ରାମବାସୀଙ୍କୁ ସାମାଜିକ ସଂଗଠନମାନେ ପୁରସ୍କୃତ କରିବା ଆବଶ୍ୟକ। କାରଣ ସରକାର ବା ସରକାରୀ ସଂଗଠନ ଏହା କରିପାରିବେ ନାହିଁ ଆଇନ ଦୃଷ୍ଟିରୁ। ଭାରତୀୟ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ କେବଳ ଅଦାଲତ ଦେଇପାରିବେ। ନଚେତ୍‌ ପୁଲିସ୍‌ ବା ପ୍ରତିରକ୍ଷା ବାହିନୀ ସହ ଲଢ଼େଇ ବେଳେ କାହାର ମୃତ୍ୟୁ ହୋଇପାରେ। ଏହା ବ୍ୟତୀତ ଇଚ୍ଛା ମୃତ୍ୟୁ ମଧ୍ୟ ଭାରତୀୟ ଆଇନରେ ଅପରାଧ। ତେଣୁ ଡକାୟତଙ୍କୁ ମୁକାବିଲା କରି ବୀରତ୍ଵର ସହିତ ପ୍ରତିଆକ୍ରମଣ ଦ୍ଵାରା ସେମାନଙ୍କ ପ୍ରାଣ ନେଇଥିବା ଗ୍ରାମବାସୀଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି ତ?

୪ ଜାନୁଆରି ୨୦୧୭ ଦିନ ଦ୍ଵିପ୍ରହରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଇଲାକାର କାସନ୍ଦା ଗାଁଠାରେ ଥିବା କାନାରା ବ୍ୟାଙ୍କ୍‌ ଲୁଟି ଖସି ପଳାଉଥିବା ୩ଜଣ ଡକାୟତଙ୍କ ବୋମା ମାଡ଼କୁ ନଡରି ସ୍ଥାନୀୟ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଲେ। ଏଥିରେ ଦୁଇ ଜଣ ଡକାୟତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ଘଟଣାଟି ଏମିତି। ଅପରାହ୍‍ଣ ପ୍ରାୟ ୩ଟାରେ କଳା ଜ୍ୟାକେଟ୍‍ ଓ କଳା ମୁଖା ପିନ୍ଧି ଏହି ତିନିଜଣ ଓଆର୍‍-୦୨-ବିଡି-୦୪୬୩ ନମ୍ବର ୟାମାହା ମଟରବାଇକ୍‌ରେ କାସନ୍ଦା କାନାରା ବ୍ୟାଙ୍କ ଶାଖା ନିକଟରେ ପହଞ୍ଚିଥିଲେ। ବ୍ୟାଙ୍କ୍‌ରେ ଧସେଇ ପଶି ପ୍ରଥମେ ମ୍ୟାନେଜର ରଂଜନ ସାମନ୍ତସିଂହାର, କ୍ୟାସିୟର ଅଭିମନ୍ୟୁ ବେହେରା ଓ ଷ୍ଟାଫ୍‍ମାନଙ୍କୁ ଭୁଜାଲି, ବୋମା ଦେଖାଇ ଧମକଚମକ ଦେଇଥିଲେ। ଏମିତି କି ଗ୍ରାହକ କାର୍ତିକ ସାହୁ ଓ ପ୍ରଭାତ ବେହେରା ବ୍ୟାଙ୍କ ମଧ୍ୟରେ ଭିତରକୁ ପ୍ରବେଶ କରୁଥିବା ସମୟରେ ଡକାୟତମାନେ ଖଣ୍ଡାରେ ଉଭୟଙ୍କୁ ଆଘାତ ଦେଇଥିଲେ। ବ୍ୟାଙ୍କ୍‌ ପିଅନ ପୂର୍ଣ୍ଣଚନ୍ଦ୍ର ଜେନା ଅଟକାଇବାକୁ ଚେଷ୍ଟା କରିବାରୁ ଡକାୟତମାନେ ତାଙ୍କୁ ଭୁଜାଲିରେ ହାଣି ଦେଇଥିଲେ। ଭୁଜାଲି ଚୋଟ ପୂର୍ଣ୍ଣଚନ୍ଦ୍ରଙ୍କ ହାତରେ ବାଜିଥିଲା। ପରେ କ୍ୟାସିୟରଙ୍କ ଦେହରେ ଭୁଜାଲି ଲଗାଇ କ୍ୟାସ ରୁମ୍‍ରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ବ୍ୟାଙ୍କ ଭିତରେ ଏତେସବୁ ଚାଲିଥିବା ବେଳେ ବାହାରେ ପାଟିତୁଣ୍ଡ ଶୁଣି ସ୍ଥାନୀୟ ଗ୍ରାମବାସୀ ପହଞ୍ଚିଯିବାରୁ ୩ଜଣଯାକ ବାଇକ୍‍ରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏମିତି କି ସେଠାରେ ବୋମାମାଡ଼ ମଧ୍ୟ କରିଥିଲେ। କିନ୍ତୁ ଗ୍ରାମବାସୀ ଚାରିପଟୁ ଘେରିଯାଇଥିଲେ। ୩ ଡକାୟତ ବୋମା ଓ ଭୁଜାଲି ଦେଖାଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଜନଗହଳି ଭିତରକୁ ପୁଣି ଏକ ବୋମା ମାଡ଼ କରିଥିଲେ। କିନ୍ତୁ ଦ୍ୱିତୀୟ ବୋମାଟି ଫୁଟି ନଥିଲା। ଡକାୟତଙ୍କ କପାଳ ମନ୍ଦ ଥିଲା। ଏହି ସମୟରେ ଏକ ପଥର ମଝିରେ ସେମାନଙ୍କ ମଟରବାଇକ୍‌ ଫସିଯିବାରୁ ତାହାର ଚେନ୍‌ ଛିଣ୍ଡି ଗଲା। ତିନିଜଣଯାକ ବିଲ ଭିତରକୁ ଛିଟିକି ପଡ଼ିଲେ। ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ଆକ୍ରମଣ ଆରମ୍ଭ କରି ଦେଇ ନିସ୍ତୁକ ପିଟିଲେ। ପ୍ରବଳ ମାଡ଼ରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଗଲା। ଅନ୍ୟ ଜଣେ ଆହତ ହୋଇ ଧୁକୁସୁକୁ ହେଉଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତଙ୍କ ଠାରୁ ସେହି ୩ ଲକ୍ଷ ଟଙ୍କା, ଦୁଇଟି ଭୁଜାଲି, ଗୋଟିଏ ଜୀବନ୍ତ ବୋମା ଓ ମଟରବାଇକ୍‍ ଜବତ କରିଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀଧର ପାଣିଙ୍କୁ ସ୍ୱତନ୍ତ୍ର ଭାବେ ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି। ସେ ତଦନ୍ତ ଚଳାଇଛନ୍ତି ବୋଲି ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତଦନ୍ତକାରୀ ଅଧିକାରୀ ଶ୍ରୀଧର ପାଣି କହିଛନ୍ତି ଯେ ମୃତ ଦୁଇ ଡକାୟତ ହେଉଛନ୍ତି ନିରାକାରପୁରର ବଦ୍ରିନାରାୟଣ ମାର୍ଥା ଓ ରତ୍ନପୁରର ଜିତୁ। ଆହତ ଜଣକ ଲଳିତପାଟଣାର ବିମଳ ପଣ୍ଡା। ନିରାକାରପୁର ବଜାରରେ ବଦ୍ରିଙ୍କ ଟିଭି ମରାମତି ଦୋକାନ ରହିଥିବା ବେଳେ ବିମଳ ସେଠାରେ କାମ କରୁଥିଲା। ପୁଲସି କହିଛି ଯେ ଜବତ ହୋଇଥିବା ବାଇକ୍‍ଟି ବଦ୍ରିର।

ରଣପୁରର ପୁରୁଣା ନାମ ରାଜ-ରଣପୁର ବା ରଣପୁରଗଡ଼। ବ୍ରିଟିଶ ରାଜ୍‌ ବିରୋଧରେ ଲଢ଼ି ଫାଶୀଦଣ୍ଡ ପାଇଥିବା ଶହୀଦ୍‌ ରଘୁ-ଦିବାକର (ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା) ହେଉଛନ୍ତି ଏଇ ରଣପୁର ଅଞ୍ଚଳର। ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତି ସହ ରଣପୁର ରାଜ୍ୟ ଓ ରାଜାଙ୍କର ବେଶ୍‌ ଐତିହାସିକ ସଂପର୍କ। ଏଇ ରଣପୁର ସହ ଯୋଗାଯୋଗ ପାଇଁ ସେକାଳୁ ରାଜା ନିର୍ମାଣ କରାଇଛନ୍ତି ଜଗନ୍ନାଥସଡ଼କ। ଯାହାକୁ ଆଧୁନିକ ଯୁଗର ଗାଣତନ୍ତ୍ରିକ ସରକାର ବି ସମ୍ମାନର ସହ ପୁନଃନିର୍ମାଣ କରିଛନ୍ତି। କରିବେନି କେମିତି? ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ସିନା ଗଢ଼ା ହେଲା ୧୯୩୬ ଏପ୍ରିଲ୍‌ ପହିଲାରେ। ହେଲେ ରଣପୁର ପରା ସେଇ ଉତ୍କଳ ବା ଓଡ଼ିଶା ସହ ସାମିଲ ହେଲା ୧ ଜାନୁଆରି ୧୯୪୮ରେ। ଏ ଘଟଣା ସେଇ ଜାନୁଆରିକୁ ମନେ ପକାଇ ଦେଉଛି। ହେଲେ ରଣପୁର ରାଜ୍ୟର ଓଡ଼ିଶା ସହ ମିଶ୍ରଣ ରାଜିନାମାରେ କ’ଣ କ’ଣ ସର୍ତ ଥିଲା, ତାହାକୁ ଏବେ ବି କିଛି ରଣପୁରିଆ ମନେ ପକାଇ ଦେଇ ସରକାରଙ୍କୁ ସତର୍କ କରାଇ ଦିଅନ୍ତି।

ସେଇ ରଣପୁରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରିଥିବା ବ୍ରିଟିଶ୍‌ ସରକାରର ଅତ୍ୟାଚାରୀ ଅଧିକାରୀ ମେଜର ବେଜେଲଗେଟ୍‌କୁ ୫ ଜାନୁଆରି ୧୯୩୯ରେ ପିଟିପିଟି ମାରି ଦେଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ନାମକ ଦୁଇ ଯୁବକ। ତାରିଖଗୁଡ଼ିକର ସାମଞ୍ଜସ୍ୟ ବେଶ୍‌ ରୋଚକ ନୁହେଁ କି? ତେଣୁ ମୋତେ ଲାଗୁଛି ଶହୀଦ୍‌ ରଘୁ-ଦିବାକରଙ୍କ ଦାୟାଦମାନେ ଏବେ ବି ସେଇ ମିଜାଜ ନେଇକି ତିଷ୍ଠିଛନ୍ତି ରଣପୁର ଗଡ଼ଜାତ ଅଞ୍ଚଳରେ। ଯେଉଁ କାମକୁ ଗନଗହଳିପୂର୍ଣ ସହରରେ କେହି ସ୍ଥାନୀୟ ବାସିନ୍ଦା କରିବାକୁ ସାହସ କରୁନାହାନ୍ତି, ତାହାକୁ କାସନ୍ଦା ଗ୍ରାମବାସୀ କରି ଦେଖାଇଲେ। ଇତିହାସର ପୁନରାବୃତ୍ତି କଲେ। ଚୋର ହେଉ ଅବା ଅଫିସର। ମନ୍ଦ ଉଦ୍ଦେଶ୍ୟ ଯାହାର, ରଣପୁରରେ ମରଣ ତାହାର। ସ୍ଵତନ୍ତ୍ରତା ଓ ମାନବିକତା ଭିତରେ ବଞ୍ଚିବା ଶିଖାଇଥିବା ସେହି ରାଜବଂଶର ଶେଷ ରାଜା ବ୍ରଜେନ୍ଦ୍ରଚନ୍ଦ୍ର ସିଂହଦେଓ ବ୍ରଜଧର ନରେନ୍ଦ୍ର ମହାପାତ୍ରଙ୍କୁ ମନେ ପକାଇ ଏହି ବ୍ୟାଖ୍ୟାନକୁ ଏଇଠି ଶେଷ କରୁଛି।


ବିମଳ ପ୍ରସାଦ, ୯୯୩୭୩୫୩୨୯୩

Wednesday, December 28, 2016

ଭାଷା ଯୁଦ୍ଧରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା



ଗତ କିଛି ଦିନ ଧରି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବା ଦାବି ଜୋର୍‌ ଧରିଛି । ବିଶେଷ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଦୁଇ ଶାସକ ଦଳର କେନ୍ଦ୍ରର ଅବହେଳା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ମିଡିଆଯୁଦ୍ଧ ଚାଲିଛି। ଆଉ ସବୁ ଘଟଣା ଭଳି ଏଥର ମଧ୍ୟ ଓଡ଼ିଶାବାସୀ ହଠାତ୍‌ ଏ ଯୁଦ୍ଧର ଆବାହନ ଓ ତିରୋଧାନ ବିଷୟରେ କିଛି ବୁଝି ନପାରି ଜଳକା ହୋଇ ଚାହିଁ ରହିଛନ୍ତି । ତେବେ ଏ ବିଷୟରେ ଆଲୋଚନା କରିବା ପୂର୍ବରୁ ସର୍ବଭାରତୀୟ ପ୍ରାକ୍‌ଡାକ୍ତରୀ ପ୍ରବେଶିକା ପରୀକ୍ଷା ବିଷୟରେ ସଂକ୍ଷିପ୍ତ ସୂଚନା ଦେବାର ଆବଶ୍ୟକତା ରହିଛି ।

ଦେଶର ମୋଟ ଡାକ୍ତରୀ ଶିକ୍ଷାନୁଷ୍ଠାନ ମଧ୍ୟରୁ ୬୦% ଥିବା ବେସରକାରୀ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ନାମଲେଖା ମନୋନୟନ ପଦ୍ଧତିରେ ସରକାରଙ୍କ ଅଙ୍କୁଶ ନଥିବାରୁ ଡାକ୍ତରୀ ଶିକ୍ଷାର ବ୍ୟବସାୟୀକରଣକୁ ବନ୍ଦ କରିବା ସହିତ ଦେଶର ଚିକିତ୍ସା କ୍ଷେତ୍ରକୁ ସ୍ୱଚ୍ଛତା ଓ ଉତ୍କର୍ଷତା ପାଇଁ ସମଗ୍ର ଦେଶରେ ଏକକ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଇବାକୁ ସିମରନ ଜୈନ ମାମଲା(୩୮୦(ମ)୨୦୦୯) ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟ, ଭାରତୀୟ ଚିକିତ୍ସା ପରିଷଦ (Medical Council of India)ର ମତ ଲୋଡିବାରୁ ଫେବୃଆରୀ୨୦୧୨ ସୁଦ୍ଧା ଏହା କରାଯିବ ବୋଲି ସତ୍ୟପାଠ ଦାଖଲ କଲେ । ନୂତନ ଭାବରେ ପ୍ରଚଳନ ହେବାକୁ ଥିବା ଏହି ସର୍ବଭାରତୀୟ ସ୍ତରରେ ଏକକ ଡାକ୍ତରୀ ନାମଲେଖା ପ୍ରବେଶିକା ପରୀକ୍ଷା ପଦ୍ଧତିକୁ ଅଧିକ ପାରଦର୍ଶୀ କରିବାପାଇଁ ୨୨ ଜୁଲାଇ ୨୦୧୧ରେ ସର୍ବସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଥିଲା । ଏହି ମତାମତକୁ ଭିତ୍ତି କରି ଉକ୍ତ ପ୍ରବେଶିକା ପରୀକ୍ଷା ପାଇଁ ସିଲାବସ ପ୍ରସ୍ତୁତି, ପରୀକ୍ଷାର ମାଧ୍ୟମ ଏବଂ ଆସନ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରିବାକୁ କେନ୍ଦ୍ରସରକାର ୨୯ ନଭେମ୍ବର ୨୦୧୧ରେ ଏକ ପରାମର୍ଶଦାତା କମିଟି ଗଠନ କରିଥିଲେ । 

ଏହି କମିଟି ଏକାଧିକ ଥର ବସିବା ପରେ ୨୩ ଅଗଷ୍ଟ ୨୦୧୨ ତାରିଖର ବୈଠକରେ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତିକୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ପଶ୍ଚିମବଙ୍ଗ ବିରୋଧ କରିବାରୁ ଏହି ରାଜ୍ୟର ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ନିଆଗଲା । ଏହି ରାଜ୍ୟର ମତ ଥିଲା – ‘‘ସଂଖ୍ୟାଧିକ ପିଲା ମାତୃଭାଷାରେ ପ୍ରାଥମିକ, ମାଧ୍ୟମିକ ସ୍ତରୀୟ‌ ଶିକ୍ଷାଲାଭ କରୁଥିବାରୁ କେବଳ‌ ହିନ୍ଦୀ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ କରାଗଲେ ସେମାନେ ପ୍ରଶ୍ନ ବୁଝପାରିବେ ନାହିଁ । ଫଳ‌ରେ ଠିକ୍‌ ଉତ୍ତର ଦେଇ ନପାରି ବହୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତର ହେବାରୁ ବଞ୍ଚିତ ହେବେ ଏହା ଗରିବ ପିଲାଙ୍କ‌ ସ୍ଵାର୍ଥ ଅନୁକୂଳ‌ ହୋଇ ନଥିବା ବେଳେ କେବଳ ଇଂରାଜୀ - ହିନ୍ଦୀ ମାଧ୍ୟମର ପିଲାଙ୍କ‌ ସ୍ଵାର୍ଥକୁ ଲକ୍ଷ୍ୟ ରଖି କରାଯାଇଛି । ତେଣୁ ମାତୃଭାଷାରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀଙ୍କ‌ ଭବିଷ୍ୟତକୁ ଦୃଷ୍ଟି‌ରେ ରଖି ଏହି ପରୀକ୍ଷା ପ୍ରାଦେଶିକ ଭାଷାରେ ଅନୁଷ୍ଠି‌ତ କରାଯାଉ ବୋଲି ସେହି ସବୁ ରାଜ୍ୟର ସ୍ଵାସ୍ଥ୍ୟସଚିବମାନେ ମତ ପ୍ରଦାନ କରିଥିଲେ।’’

ଏହି ବୈଠକରେ ଓଡ଼ିଶାର ସରକାରଙ୍କ ପ୍ରତିନିଧି ଭାବରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଜଣେ ଯୁଗ୍ମସଚିବ ଉପସ୍ଥିତ ଥାଇ ବିନା ପ୍ରତିବାଦରେ କମିଟିର ସମସ୍ତ ସର୍ତ୍ତ ମାନିନେଇଥିବା ବେଳେ ଅନ୍ୟ ରାଜ୍ୟର ପ୍ରତିନିଧିଙ୍କ ଭଳି ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ପ୍ରସ୍ତୁତ କରିବାକୁ ଦାବି କରିନଥିଲେ ଏହି ଖବର ଜଣାପଡିବା ପରେ ଅନ୍ୟ ରାଜ୍ୟର ଭାଷା ଭଳି ଓଡ଼ିଶାର ରାଜ୍ୟଭାଷା ଓଡ଼ିଆରେ ଏହି ପ୍ରବେଶିକା ପରୀକ୍ଷା ଓଡ଼ିଆରେ କରିବାକୁ ୧୮ ସେପ୍ଟେମ୍ବର ୨୦୧୨ରେ ‘‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’’ ପକ୍ଷରୁ ଦୃଢ ଦାବି କରିବା ସହ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧପତ୍ର ପ୍ରେରଣ କରିଥିଲା । ୨୦ ସେପ୍ଟେମ୍ବର ୨୦୧୨ ତାରିଖରେ ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନବସମ୍ବଳ ବିକାଶ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ପତ୍ର ଲେଖି ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିଲେ । ୨୨ ସେପ୍ଟେମ୍ବର ୨୦୧୨ରେ ଆଞ୍ଚଳିକ ଭାଷା ଭାବରେ ମରାଠୀ ଓ ଅହମିୟା ଭାଷାରେ ଉକ୍ତ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବ ବୋଲି କେନ୍ଦ୍ର ସରକାରଙ୍କ ସ୍ୱୀକାରୋକ୍ତି ରହିଥିବାରୁ ତଥା ଓଡ଼ିଶା ସରକାର ଏ ବିଷୟରେ କୌଣସି ଦାବି କରି ନଥିବାରୁ ଏବଂ ଇଂରାଜୀରେ ପ୍ରଶ୍ନପତ୍ର ମୁଦ୍ରଣ ହେଲେ କୌଣସି ଆପତ୍ତି ନାହିଁ ବୋଲି ପୂର୍ବ ବୈଠକମାନଙ୍କରେ ସମ୍ମତି ଦେଇଥିବାରୁ ଓଡ଼ିଆରେ ପ୍ରଶ୍ନପତ୍ର ମୁଦ୍ରଣର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟୀକରଣ ଦେଲା। ପରେ ଏଥିପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ବିରୋଧୀ ମାନସିକତାକୁ ତୀବ୍ର ଭର୍ତ୍ସନା କରି, ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ କରିବା ତଥା ଏହି ପ୍ରବେଶିକା ପରୀକ୍ଷା ପାଇଁ ଓଡ଼ିଶାରେ ଚିହ୍ନିତ ୨ଟି କେନ୍ଦ୍ରରୁ ଅଧିକ କେନ୍ଦ୍ର ସ୍ଥାପନ ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରନ୍ତୁ ବୋଲି ୨୪ ସେ୍ଟେମ୍ବର ୨୦୧୨ରେ ଓଡ଼ିଆଭାଷା ସୁରକ୍ଷା ଅଭିଯାନ ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଦାବି କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧପତ୍ର ଦେଥିଲେ। ଏହାର ଉତ୍ତରରେ ସେହିଦିନ ଓଡ଼ିଶାର ସ୍ୱାସ୍ଥ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ ଓଡ଼ିଶା ଛାତ୍ରଛାତ୍ରୀ ନିଜର ଦକ୍ଷତା ପ୍ରତିପାଦନ କରିବାରେ ସର୍ବଭାରତୀୟ ସ୍ତରରେ ବିଫଳ ହେବାର ଆଶଙ୍କା ଥିବାରୁ ଓଡ଼ିଶା ଡାକ୍ତରୀ ଶିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବଭାରତୀୟ ପ୍ରାକ୍‌ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଓଡ଼ିଶା ସମ୍ପୃକ୍ତ ନହୋଇ ପୂର୍ବପରି OJEE ମାଧ୍ୟମରେ ପ୍ରାକ୍‌-ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଇବ । 


ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଥିଲେ, ‘‘NEET ମାଧ୍ୟମରେ ନାମଲେଖା ହେଲେ ବାହାର ରାଜ୍ୟର ପିଲାମାନେ ଓଡ଼ିଶାର ମେଡ଼ିକାଲ କଲେଜରେ ନାମଲେଖାଇବା ଦ୍ୱାରା ରାଜ୍ୟ ଘୋଷଣା କରିଥିବା କଟକଣା ଏମାନଙ୍କ ପାଇଁ ଲାଗୁ ହୋଇପାରିବ ନାହିଁ।”  ଅଥଚ କେନ୍ଦ୍ର ଅନୁରୋଧକ୍ରମେ କିଛିଦିନ ପରେ ଓଡ଼ିଶା ପୁଣି ଥରେ ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ଓଡ଼ିଆରେ ପ୍ରଶ୍ନପତ୍ର ଛାପିବାକୁ ଦାବି କରି ନଥିଲା । ଏପରିକି ବେସରକାରୀ ମେଡିକାଲ କଲେଜ ସଂଘ ଦ୍ୱାରା ପ୍ରଦତ୍ତ ମାମଲାର ବିଚାର କରି ସୁପ୍ରିମକୋର୍ଟ ୧୮ ଜୁଲାଇ ୨୦୧୩ରେ ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ ନୁହେଁ ବୋଲି ରାୟ ପ୍ରଦାନ କରିଥିଲେ ସୁଦ୍ଧା ଓଡ଼ିଶା ସେଥିରୁ ଓହରି ଆସି ନଥିଲା। ବରଂ ଏହି ସର୍ବଭାରତୀୟ ଏକକ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET ବଦଳରେ ୪ ମଇ ୨୦୧୪ରେ ଆୟୋଜିତ  AIPMTରେ ଅଂଶଗ୍ରହଣ କରିଥିଲା । ଏହି ପରୀକ୍ଷାରେ କୌଣସି ରାଜ୍ୟ ଯୋଗ ଦେବା ଇଚ୍ଛାଧୀନ ହୋଇଥିବା ବେଳେ ଓଡ଼ିଶା ଏଥିରେ ଅଂଶ ଗ୍ରହଣ କରିଥିବାରୁ ଓଡ଼ିଆ ପିଲାଙ୍କ ସ୍ୱାର୍ଥରକ୍ଷାପାଇଁ ଓଡ଼ିଆରେ ପ୍ରଶ୍ୱପତ୍ର କାହିଁକି ଛପାଯିବନାହିଁ ବୋଲି ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ୨୬ ନଭେମ୍ବର ୨୦୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ଏବଂ ରାଜ୍ୟସଭାରେ ୧୧ ଫେବୃଆରି ୨୦୧୪ରେ ଏହି ପ୍ରଶ୍ନ ଉଠାଇ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ। ମାତ୍ର ଓଡ଼ିଶା ସରକାରଙ୍କ ଠାରୁ ଏଭଳି କୌଣସି ପ୍ରସ୍ତାବ ଆସି ନଥିବାରୁ ଏହା ବିଚାରଯୋଗ୍ୟ ନୁହେଁ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।

୧୧ ଏପ୍ରିଲ୍‌ ୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ NEETର ପୁନଃପ୍ରଚଳନ ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବା ଫଳରେ ପୁଣି ଥରେ ଏହି ଏକକ ପରୀକ୍ଷାରେ ୬ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ଅନୁମତି ଦେବା ସହ ଅନ୍ୟଭାଷାକୁ ସାମିଲ କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିଥିଲେ। ଓଡ଼ିଶାର ୬ ଲକ୍ଷ ଓଡ଼ିଆ ମାଧ୍ୟମ ପିଲାଙ୍କ ସ୍ୱାର୍ଥରକ୍ଷା ପାଇଁ ରାଜ୍ୟ ସରକାର ଉକ୍ତ ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବାକୁ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଦାବି କରନ୍ତୁ ବୋଲି ଶାସ୍ତ୍ରୀୟ ଓଡ଼ିଆ କ୍ରିୟାନୁଷ୍ଠାନ କମିଟି ୧୨ ମଇ ୨୦୧୬ରେ ସାମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାପନ କରିଥିଲା। ଏହା ସହ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲା। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଦାବିକୁ ଉପେକ୍ଷା କରି ଇଂରାଜିରେ ଓଡ଼ିଆ ପିଲା ପରୀକ୍ଷା ଦେବେ ବୋଲି ପତ୍ରାଙ୍କ ୧୮୭୬୭/ ତା.୨୭ ଜୁଲାଇ ୨୦୧୬ରେ ରାଜ୍ୟ ସରକାରଙ୍କ ଯୁଗ୍ମସଚିବ ଡି.ଜି. ଦେବତା ପାତ୍ର କେନ୍ଦ୍ରକୁ ପତ୍ର ଲେଖିଥିଲେ । ଶେଷଥର ପାଇଁ ୨୮ ନଭେମ୍ବର ୨୦୧୬ରେ ଭିଡିଓ କନଫରେନ୍ସିଙ୍ଗ୍‌ ମାଧ୍ୟମରେ ଏ ସମ୍ପର୍କରେ ଓଡ଼ିଶାର ମତାମତ ଚାହିଁଥିଲେ ହେଲେ, ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ନଦେଖାଇବାରୁ ଓଡ଼ିଆରେ ପ୍ରଶ୍ନପତ୍ର ମୁଦ୍ରଣ ପାଇଁ ଥିବା ଶେଷ ସୁଯୋଗ ଓଡ଼ିଶା ହରାଇଲା।

ଏହି ସମୟରେ ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଦାବି ଶକ୍ତିଶାଳୀ ହେଉଥିବାରୁ ଲୋକମାନଙ୍କ ଧ୍ୟାନ ହଟାଇବାପାଇଁ NEET ବିଜ୍ଞପ୍ତି ପ୍ରକାଶିତ ହେବା ପରେ ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଦୁ ବ୍ୟତୀତ ୬ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ମୁଦ୍ରଣ ହେବା ଦ୍ୱାରା ମୋଟ ୨୪ଟି ରାଜ୍ୟର ପିଲାମାନେ ନିଜ ଭାଷାରେ ପରୀକ୍ଷା ଦେଇ ଡାକ୍ତର ହେବାର ସ୍ୱପ୍ନକୁ ଚରିତାର୍ଥ କରିବାକୁ ଯାଉଛନ୍ତି। ହେଲେ ଓଡ଼ିଆପିଲା ଏହି ସୁଯୋଗରୁ ବଞ୍ଚିତ ହେବେ ବୋଲି ଗଣମାଧ୍ୟମରେ ପ୍ରଚାରିତ ହେବାରୁ ହଠାତ୍‌ ମୁଖ୍ୟମନ୍ତ୍ରୀ ଚିରାଚରିତ ଢଙ୍ଗରେ ଏଥିରେ ହସ୍ତକ୍ଷେପ କରି ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ରଟିଏ ଲେଖିଛନ୍ତି। ଦୁଃଖର କଥା ହେଲା ଏହି ପତ୍ରରେ ଚଳିତ ବର୍ଷ ବଦଳରେ ଆସନ୍ତାବର୍ଷ ଠାରୁ NEET ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ କରିବା ଅନୁରୋଧ ହିଁ ରାଜ୍ୟ ସରକାରଙ୍କ ଅନିଚ୍ଛା ଭାବକୁ ସ୍ପଷ୍ଟ ପ୍ରମାଣ କରେ । 
NEET ପରୀକ୍ଷା ଦ୍ୱାରା ଅଧିକ ଡାକ୍ତରୀ ଶିକ୍ଷାନୁଷ୍ଠାନ ନଥିବା ଓଡ଼ିଶା ରାଜ୍ୟ ବିଶେଷ ଉପକୃତ ହୋଇପାରିବ । କାରଣ ପ୍ରତ୍ୟେକ ରାଜ୍ୟରେ ଥିବା ମେଡ଼ିକାଲ କଲେଜର ୮୫% ସିଟ୍‌ କେବଳ ସେହି ରାଜ୍ୟର ପିଲାମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ । ଅବଶିଷ୍ଟ୧୫% ସିଟ୍‌  ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତା ପାଇଁ ମୁକ୍ତ ରଖାଯିବ। ତେଣୁ ଓଡ଼ିଶା ପୂର୍ବପରି ୧୫% ସିଟ୍‌ ଅର୍ଥାତ ୯୩ଟି ସିଟ୍‌ ସର୍ବଭାରତୀୟ ପିଲାମାନଙ୍କ ପାଇଁ ଛାଡ଼ୁଥିବା ବେଳେ, ସର୍ବଭାରତୀୟ ସ୍ତରରେ ଥବା ମୋଟ ୪୨୦୦୦ ସିଟ୍‌ରୁ ୬୩୦୦ (MBBS/BDS) ଏବଂ ୨୦୬୦୦ ସିଟ୍‌ ମଧ୍ୟରୁ ୩୦୯୦ ସିଟ୍‌ (MS/MD)ପାଇଁ ଓଡ଼ିଶାର ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଅର୍ଥାତ୍‌ ପୂର୍ବରୁ ଓଡ଼ିଶାର ୩୫୦ ସରକାରୀ ଓ ୩୦୦ ବେସରକାରୀ ଡାକ୍ତରୀ ସିଟ୍‌ ମଧ୍ୟରୁ ୫୫୦ ସିଟ୍‌ ପାଇଁ ପ୍ରତିଯୋଗିତା ହେଉଥିଲା । ଏବେ ଆମ ପିଲାମାନେ ୬୮୫୦ ସିଟ୍‌ ପାଇଁ ପ୍ରତିଯୋଗିତା କରିବେ। ଏଥିରୁ ଯଦି ୧୦% ପିଲା ସଫଳ ହୁଅନ୍ତି, ତେବେ ପ୍ରତିବର୍ଷ ଓଡ଼ିଶାରୁ ୧୧୮୦ (୫୫୦+୬୩୦) ଜଣ ଡାକ୍ତର ବାହାରିବେ । ଅଧିକା ୬୩୦ ଡାକ୍ତର ପାଇଁ ରାଜ୍ୟ ସରକାରଙ୍କୁ ଆଉ ୬ଟି ଡାକ୍ତରୀ କଲେଜ୍‌ ଖୋଲିବାକୁ ପଡିବ ନାହିଁ ।

ବର୍ତ୍ତମାନ ସର୍ବଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆପିଲାଙ୍କ ନଗଣ୍ୟ ସଫଳତା ହାରକୁ ଦେଖି କେହି ହୁଏତ ୧୦% ସଫଳତା ଉପରେ ପ୍ରଶ୍ନ ଆଙ୍କିପାରନ୍ତି । ମାତ୍ର ଏଥିପାଇଁ କେନ୍ଦ୍ରସରକାର ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଛନ୍ତି । ତାହା ହେଉଛି ଏହି ପରୀକ୍ଷା ପ୍ରଶ୍ନପତ୍ର ଆଞ୍ଚଳିକ ଭାଷାରେ ମୁଦ୍ରିତ ହେବ । ଅନ୍ୟ ଆଞ୍ଚଳିକ ଭାଷା ପରି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଲେଖାଗଲେ ଓଡ଼ିଆ ପିଲା ଅଧିକ ସଫଳତା ପାଇପାରିବେ। କାରଣ ଓଡ଼ିଶାର ପ୍ରାୟ ୯୭% ପିଲା ଦଶମ ଶ୍ରେଣୀ (ଚଳିତବର୍ଷ ପ୍ରାୟ ୬ଲକ୍ଷ ୫୦ହଜାର) ଓଡ଼ିଆ ମାଧ୍ୟମରେ ପଢିଥାନ୍ତି ଏବଂ +୨ପରୀକ୍ଷା ବେଳକୁ ସେଇ ଓଡ଼ିଆରେ ପଢ଼ିବାର ମାନସିକତା ସେମାନଙ୍କ ଠାରୁ ଦୂରେଇ ଯାଇ ନଥାଏ । ଓଡ଼ିଶା ସରକାର ମଧ୍ୟ କୋଠାରୀ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାତୃଭାଷାରେ ଉଚ୍ଚଶିକ୍ଷା ପ୍ରଦାନ କରୁଛନ୍ତି। ସେହି ଅନୁସାରେ +୨ବିଜ୍ଞାନ ପ୍ରଶ୍ନପତ୍ର ଇଂରାଜୀ ସହିତ ଓଡ଼ିଆରେ ମୁଦ୍ରଣ କରାଯାଉଛି । ତେଣୁ ପ୍ରାକ୍-ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ହେଲେ ବିଦ୍ୟାର୍ଥୀମାନଙ୍କର ବୁଝିବାରେ କୌଣସି ଅସୁବିଧା ହେବ ନାହିଁ। ବରଂ ଇଂରାଜୀ ସହିତ ଓଡ଼ିଆରେ ଲେଖାହେବା ଦ୍ୱାରା ବହୁ ଜଟିଳ ପ୍ରଶ୍ନ ବୁଝିପାରି ସହଜରେ ଉତ୍ତର ଦେଇପାରିବ । ଏହା କେବଳ ପ୍ରବେଶିକା ପରୀକ୍ଷା ହୋଇଥିବାରୁ ଏଥିରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ଔପଚାରିକ ଶିକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ କିମ୍ବା ଏହା ଦ୍ୱାରା ଡାକ୍ତରୀ ଶିକ୍ଷାର ଗୁରୁତ୍ୱ ହ୍ରାସ ପାଇବ ନାହିଁ। ବିଗତ ୩ ବର୍ଷର AIPMT ପରୀକ୍ଷାଫଳ ଅନୁଧ୍ୟାନ କଲେ ଜଣାଯିବ ଯେ, ପ୍ରତିବର୍ଷ ୪୦ରୁ ୫୦ହଜାର ଓଡ଼ିଆ ପିଲା ଏହି ପରୀକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରୁ ୧୦୦୦ରୁ ୧୩୦୦ପିଲା ପ୍ରାଥମିକ ପରୀକ୍ଷାରେ ସଫଳ ହେଉଥିବା ବେଳେ ମୁଖ୍ୟ ପରୀକ୍ଷାରେ ସଫଳତା ୩୦୦ରୁ ୪୦୦ ଭିତରେ ରହୁଛି । ଅର୍ଥାତ ଓଡ଼ିଶାରେ ଥିବା ୩ଟି ସରକାରୀ ଓ ୪ଟି ବେସରକାରୀ ମେଡିକାଲ କଲେଜର ପ୍ରାୟ ୧୫୦୦ ସିଟ୍‌ରେ ପ୍ରାୟ ୧୦୦୦ରୁ ବେଶି ସିଟ୍‌ରେ ଅଣଓଡ଼ିଆ ପିଲା ପଢିବାର ସୁଯୋଗ ପାଉଛନ୍ତି । ଯାହା ପୂର୍ବରୁ ଏହି ସବୁ ସିଟ୍‌ରେ ଓଡ଼ିଆପିଲା ପଢୁଥିଲେ ।

ରାଜ୍ୟରେ ଆବଶ୍ୟକ ଥିବା ୩୦,୦୦୦ଡାକ୍ତରଙ୍କ କାମ ଅଣଡାକ୍ତରଙ୍କ ହାତରେ। ଏହାବ୍ୟତୀତ ଭାରତୀୟ ରୋଗ, ଚିକିତ୍ସା ଓ ଔଷଧ ସହ ପରିଚିତ ନଥିବା କେତେକ ବିତ୍ତଶାଳୀ, ନିଜ ପିଲା ପାଇଁ ବାହାର ଦେଶରୁ ଅର୍ଥବଳରେ ଡାକ୍ତରୀ ଡିଗ୍ରୀ ହାସଲ କରି ଏଠାରେ ଚିକିତ୍ସକ ସାଜି କି ପ୍ରକାରର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି, ତାହା ସମସ୍ତେ ଉଣା ଅଧିକେ ଅନୁଭବୀ ଥିବେ । ତେଣୁ ଏଭଳି ସଂକଟ ସମୟରେ ନୀଚ-ରାଜନୀତିକୁ ପ୍ରଶ୍ରୟ ନ ଦେଇ ଓଡ଼ିଶାବାସୀଙ୍କ ସୁବିଧା ଓ ଓଡ଼ିଆ ବିଦ୍ୟାର୍ଥୀଙ୍କ ମେଧାକୁ ସ୍ୱାସ୍ଥ୍ୟବିଭାଗ ସମ୍ମାନ ଦେବା ଆବଶ୍ୟକ। ବିଳମ୍ବ ହେଉ ପଛକେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଯେଉଁଭଳି ଭାବରେ ଓଡ଼ିଆଭାଷାରେ ଏହି ପରୀକ୍ଷା ପ୍ରଶ୍ନପତ୍ର ଓଡ଼ିଆରେ ମୁଦ୍ରଣ ପାଇଁ ଦାବି କରୁଛନ୍ତି, ସେଥିରେ ଯଦି ଆନ୍ତରିକତା ଥାଏ, ତେବେ ଗରିବ ଓଡ଼ିଆପିଲାର ଡାକ୍ତର ହେବା ସ୍ୱପ୍ନ ନିଶ୍ଚିତ ଭାବରେ ସାକାର ହୋଇପାରିବ । ଏହାଦ୍ୱାରା ଓଡ଼ିଆ ଜାତି ବା ଭାଷାର ମର୍ଯ୍ୟାଦା ବୃଦ୍ଧି ପାଇବା ସହିତ ସାଧାରଣ ମଣିଷ ପାଇଁ ଚିକିତ୍ସା ସେବା ହାତ ପାଆନ୍ତାରେ ମିଳିଯିବ ।

ଲେଖକ: ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ସଦସ୍ୟ ସଚିବ, ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା”, ଏ-୧୬୪, ସହିଦନଗର, ଭୁବନେଶ୍ୱର, ଦୂରଭାଷ - ୯୦୯୦୪୬୫୭୫୮ (୨୮ ଡିସେମ୍ବର ୨୦୧୬ର ‘ସମାଜ’ ସଂପାଦକୀୟ ପୃଷ୍ଠାରେ ଏହାର ସଂପାଦିତ ଅଂଶ ପ୍ରକାଶିତ)